Categories
ଆଜିର ଖବର

ବ୍ୟବସାୟିକରଣ ନିମନ୍ତେ ପ୍ରସ୍ତୁତ ହେଲା ସୋଆ ଗବେଷକଙ୍କ ଦ୍ୱାରା ବିକଶିତ ଔଷଧୀୟ ସୂତ୍ର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଗବେଷକଙ୍କ ଦ୍ୱାରା ବିକଶିତ ହୋଇଥିବା ଏକ ଅଭିନବ ଔଷଧୀୟ ସୂତ୍ର ଯାହା ନିମନ୍ତେ ଗତ ବର୍ଷ ନ୍ୟାସ୍‌ନାଲ୍ ରିସର୍ଚ୍ଚ ଡେଭଲପ୍‌ମେଂଟ କର୍ପୋରେସନ୍ (ଏନଆର୍‌ଡିସି) ସହିତ ସୋଆ ବୈଷୟିକ ଅନୁମତି ନିମନ୍ତେ ବୁଝାମଣା କରିଥିଲା ସେହି ସୂତ୍ର ଏବେ ବ୍ୟବସାୟିକରଣ ନିମନ୍ତେ ପ୍ରସ୍ତୁତ ଅଟେ।

ଶୁକ୍ରବାର ଦିନ ଏଠାରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଉପସ୍ଥିତିରେ ‘ରି-ଡିସ୍‌ପର୍ସିବଲ ମ୍ୟୁକୋଆଦେସିଭ୍ ଗାର୍ଗଲ୍ କମ୍ପୋଜିସନ୍‌’ ନାମକ ଏହି ଉତ୍ପାଦର ଟେକ୍ନୋଲଜି ଟ୍ରାନ୍ସଫର ବୁଝାମଣା ଏନ୍‌ଆର୍‌ଡିସି ଏବଂ ଗୁଜରାଟ ସ୍ଥିତ ସୁୟାସ୍ ଫାର୍ମାସ୍ୟୁଟିକାଲ୍‌ସ ମଧ୍ୟରେ ହୋଇଯାଇଛି।

ଏହି ସୂତ୍ରଟିକୁ ସୋଆ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌)ର ପ୍ରଫେସର ଗୌତମ ରଥଙ୍କ ନେତୃତ୍ୱରେ କାର୍ଯ୍ୟ କରୁଥିବା ଏକ ଗବେଷକ ଦଳ ବିକଶିତ କରିଛନ୍ତି।

ପ୍ରଥମ ଥର ପାଇଁ ଓଡ଼ିଶାର ଗବେଷକ ମାନଙ୍କ ଦ୍ୱାରା ବିକଶିତ ହୋଇଥିବା କୌଣସି ସୂତ୍ର ବ୍ୟବସାୟିକରଣ ନିମନ୍ତେ ପ୍ରସ୍ତୁତ ହୋଇଛି ବୋଲି ପ୍ରଫେସର ରଥ କହିଛନ୍ତି।

ଏଥି ନିମନ୍ତେ ସୋଆରେ ଏକ ଦୁଇ ଦିନିଆ ପ୍ରଶିକ୍ଷଣ ଏବଂ ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସୁୟାସ୍ ଫାର୍ମାସ୍ୟୁଟିକାଲ୍‌ସର ନିର୍ଦ୍ଦେଶକ ରାଜୁ ଶରଦଚନ୍ଦ୍ର ଶାହ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କପିଲ ଶାହ ତଥା ଏନଆରଡିସି ପକ୍ଷରୁ ଶ୍ରୀ ଅମିତାଭ ମିଶ୍ର ଉପସ୍ଥିତ ଥିଲେ।

ଏହି ସୂତ୍ର ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରି ପ୍ରଫେସର ରଥ କହିଛନ୍ତି ଯେ ବର୍ତମାନ ସମୟରେ ଗଳାରେ ସଂକ୍ରମଣ ହେଲେ ଗାର୍ଗଲ ନିମନ୍ତେ ବ୍ୟବହୃତ ଔଷଧର ପ୍ରଭାବ ମାତ୍ର ୧୫ ରୁ ୩୦ ମିନିଟ ରହୁଥିବାରୁ ବାରମ୍ବାର ଏହାକୁ ବ୍ୟବହାର କରିବାକୁ ପଡ଼ୁଛି। ଗବେଷକ ଟିମ୍‌ଙ୍କ ଦ୍ୱାରା ବିକଶିତ ହୋଇଥିବା ଏହି ରି-ଡିସ୍‌ପର୍ସିବୁଲ ମ୍ୟୁକୋଆଦେସିଭ୍ ଗାର୍ଗଲ କମ୍ପୋଜିସନ୍‌କୁ ଥରେ ବ୍ୟବହାର କରିବା ଦ୍ୱାରା ବ୍ୟବହାରକାରୀଙ୍କ ଗଳାକୁ ୪ ଘଂଟା ପାଇଁ ଆରାମ ମିଳିପାରିବ। ଏହି ସୂତ୍ର କେବଳ ଯେ ଔଷଧର ବ୍ୟବହାରର ମାତ୍ରାକୁ କମାଉଛି ତାହା ନୁହେଁ ଔଷଧର ପ୍ରଭାବ ମଧ୍ୟ ବଢ଼ାଉଛି ବୋଲି ସେ କହିଛନ୍ତି।

ରାଜୁ ଶରଦଚନ୍ଦ୍ର ଶାହ ସୋଆ ଗବେଷକଙ୍କ ଦ୍ୱାରା ବିକଶିତ ଏହି ସୂତ୍ରକୁ ନେଇ ଖୁବ୍ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ନାନୋ ଫାଇବରଗୁଡ଼ିକୁ ନେଇ ବିକଶିତ ଏହି ଟେକ୍ନୋଲଜି ସାରା ଦେଶରେ ରୋଗୀମାନଙ୍କ ନିମନ୍ତେ ଖୁବ୍ ସହାୟକ ହେବ।

ସୋଆ ଏପର୍ଯ୍ୟନ୍ତ ୩ଟି ଗୁରୁତ୍ୱପୂର୍ଣ୍ଣ ଫାର୍ମାସ୍ୟୁଟିକାଲ୍ ଟେକ୍ନୋଲୋଜିକୁ ଏନ୍‌ଆରଡିସିକୁ ହସ୍ତାନ୍ତର କରିସାରିଛି। ଏନ୍‌ଆର୍‌ଡିସି ବ୍ୟକ୍ତିବିଶେଷ, କଲେଜ, ବିଶ୍ୱବିଦ୍ୟାଳୟ ଓ ଶିଳ୍ପ ଦ୍ୱାରା ବିକଶିତ ସୂତ୍ରକୁ ନେଇ ତାହାର ବହୁଳ ଉତ୍ପାଦନ ଓ ବିକ୍ରୟ ନିମନ୍ତେ ସହାୟତା କରିଥାଏ। ପ୍ରଫେସର ରଥଙ୍କ ଦଳରେ ପ୍ରଫେସର ଗୌତମ ଘୋଷ, ଡକ୍ଟର ବିଶ୍ୱକାନ୍ତ କର, ଡକ୍ଟର ଭିନିତ କୁମାର ରାଏ, ଜିତୁ ହାଲଦାର ଏବଂ ଦୀପକ ପ୍ରଧାନ ସାମିଲ ଥିଲେ।

ଏହି ବିଷୟରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେବା ସହ ଏହିପରି ନୂତନ ଉଦ୍ଭାବନ ଓ ବିକାଶ ନିମନ୍ତେ ଗବେଷକମାନଙ୍କୁ ଉତ୍ସାହିତ କରି ଆସିଛନ୍ତି। ଏସ୍‌ପିଏସର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି ଏହି ସଫଳତାରେ ଖୁସି ବ୍ୟକ୍ତ କରିବା ସହ ଗବେଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଶାନ୍ତି ବିନା ପର୍ଯ୍ୟଟନ ସମ୍ଭବ ନୁହେଁ: ଗ୍ୱାଲିୟରର ଆଇଆଇଟିଟିଏମ୍‌ ପୂର୍ବତନ ନିର୍ଦ୍ଦେଶକ

ଭୁବନେଶ୍ୱର: ବିଶ୍ୱରେ ଶାନ୍ତି ବିନା ପର୍ଯ୍ୟଟନ ସମ୍ଭବ ନୁହେଁ। ଭାରତ ଶାନ୍ତିର ଦୂତ। ଶାନ୍ତି ଓ ମୈତ୍ରୀ ଭାବକୁ ପାଥେୟ କରି ବସୁଧୈବ କୁଟୁମ୍ବକମ୍‌ରେ ବିଶ୍ୱାସ କରେ ଆମ ଦେଶ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ୍ ହୋଟେଲ୍ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ପକ୍ଷରୁ ଶୁକ୍ରବାର ଆୟୋଜିତ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଏହି ବିଷୟ ଉପରେ ଗୁରୁତ୍ୱାରୋପ କରାଯାଇଛି।

ଏହି ଅନୁଷ୍ଠାନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ ମ୍ୟାନେଜମେଂଟ (ଆଇଆଇଟିଟିଏମ୍‌), ଗ୍ୱାଲିୟରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଏସ୍‌.କେ. ଲେଙ୍କା କହିଥିଲେ ଯେ ଶାନ୍ତି ବିନା ପର୍ଯ୍ୟଟନ ସମ୍ଭବ ନୁହେଁ।

ଚଳିତ ବର୍ଷ ବିଶ୍ୱ ପର୍ଯ୍ୟଟନ ଦିବସର ପ୍ରସଙ୍ଗ ରହିଛି ‘ପର୍ଯ୍ୟଟନ ଓ ଶାନ୍ତି’। ଏହି ପରିପ୍ରେକ୍ଷୀରେ ଏସ୍‌ଏଚ୍‌ଏମ୍ ପକ୍ଷରୁ ଏହି ପ୍ରସଙ୍ଗ ଉପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ପୋଷ୍ଟର, ବକ୍ତୃତା ଓ ରଚନା ପ୍ରତିଯୋଗିତାକୁ ସ୍ୱାଗତ କରିଥିଲେ ପ୍ରଫେସର ଲେଙ୍କା।

ଏହି ଅବସରରେ ପିପୁଲ୍ ଗ୍ରୁପ୍ ଅଫ୍ ହୋଟେଲ୍ସର ସିଇଓ ଶ୍ରୀ ସୁବ୍ରତ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ପର୍ଯ୍ୟଟନର ସୀମା ବେଶ ପରିବ୍ୟାପ୍ତ। ଆମ ସଂସ୍ପର୍ଶରେ ପ୍ରତ୍ୟେକ ଦିନ ଯୋଡ଼ି ହେଉଥିôବା ଅନେକ ବ୍ୟକ୍ତି ପର୍ଯ୍ୟଟନ ସହ ସମ୍ପୃକ୍ତ। ଏ କ୍ଷେତ୍ରରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବେଶ ଉଜ୍ଜ୍ୱଳ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ସ୍ୱାଗତ ଭାଷଣ ଦେଇ ଚଳିତ ବର୍ଷର ପର୍ଯ୍ୟଟନ ଦିବସର ପ୍ରସଙ୍ଗ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ।
ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଏସ୍‌ଏଚ୍‌ଏମ୍‌ର ରିସର୍ଚ୍ଚ ସ୍କଲାର  ଶୁଭ୍ରା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭେଜାଲ୍ ଔଷଧ ପ୍ରତି ଧ୍ୟାନ ଦେବା ପାଇଁ ଫାର୍ମାସିଷ୍ଟମାନଙ୍କୁ ପରାମର୍ଶ ଦେଲେ ସୋଆ ଉପସଭାପତି

ଭୁବନେଶ୍ୱର: ବର୍ତ୍ତମାନ ସବୁ କ୍ଷେତ୍ରରେ ଅପମିଶ୍ରଣ ଅଥବା ଭେଜାଲ କାରବାର ପରିଲକ୍ଷିତ ହେଉଛି। କିନ୍ତୁ ଜୀବନ ରକ୍ଷାକାରୀ ଔଷଧରେ ଅପମିଶ୍ରଣ ହେଲେ ଏହା ମାନବ ଜାତି ପ୍ରତି ବିଶ୍ୱାସଘାତକତା ହେବ। ତେଣୁ ଫାର୍ମାସିଷ୍ଟମାନେ ଏଥି ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶାଶ୍ୱତୀ ଦାସ।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଫାର୍ମାସୀ ବିଭାଗ ପକ୍ଷରୁ ବୁଧବାର ଆୟୋଜିତ ବିଶ୍ୱ ଫାର୍ମାସିଷ୍ଟସ ଦିବସ ‘ଏଲିକ୍‌ଜର -୨୦୨୪’ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ କହିଥିଲେ ଯେ କରୋନା ପରି ମହାମାରୀ ହୁଏତ ଆଗାମୀ ଭବିଷ୍ୟତରେ ମଧ୍ୟ ବିଶ୍ୱ ସାମ୍ନା କରିପାରେ।

ତେଣୁ ଏପରି ବିପତିରୁ ସମାଜକୁ ଉଦ୍ଧାର କରିବା ପାଇଁ ଫାର୍ମାସିଷ୍ଟମାନେ ସଂକଳ୍ପବଦ୍ଧ ହେବା ସହ ଏଭଳି ଔଷଧ ଆବିଷ୍କାର କରିବା ଦରକାର ଯାହାର ଗୁଣବତାରେ କୌଣସି ସନ୍ଦେହ ନଥିବ ଏବଂ ଏହାର କୌଣସି ପାଶ୍ୱର୍ପ୍ରତିକ୍ରିୟା ମଧ୍ୟ ରହିବ ନାହିଁ ବୋଲି ଶ୍ରୀମତି ଦାସ ଫାର୍ମାସିଷ୍ଟମାନଙ୍କୁ ନିବେଦନ କରିଛନ୍ତି। ଏଥି ନିମନ୍ତେ ଫାର୍ମାସିଷ୍ଟମାନେ ସର୍ବଦା ଜିଜ୍ଞାସୁ ହେବା ଆବଶ୍ୟକ ଯାହା ଫଳରେ ଭେଷଜ ବିଜ୍ଞାନରେ ନୂତନ ଦିଗ ଉନ୍ମୋଚିତ ହୋଇପାରିବ।

ଏହା ଦ୍ୱାରା ମାନବଜାତିର ମଙ୍ଗଳ ହେବ। ତେଣୁ ଏହି ଦିଗ ପ୍ରତି ଫାର୍ମାସିଷ୍ଟମାନେ ସଜାଗ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟ ବଳରେ ସମଗ୍ର ମାନବସମାଜ ଫାର୍ମାସିଷ୍ଟମାନଙ୍କ ପାଖରେ ସଦା କୃତଜ୍ଞ ହୋଇ ରହିବ ବୋଲି ସେ କହିଛନ୍ତି।

ଚଳିତ ବର୍ଷର ପ୍ରସଙ୍ଗ “ଫାର୍ମାସିଷ୍ଟ: ମିଟିଙ୍ଗ ଗ୍ଲୋବାଲ ହେଲ୍‌ଥ ନିଡ୍ସ” କୁ ଉଲ୍ଲେଖ କରି ଶ୍ରୀମତି ଦାସ କହିଥିଲେ ଯେ, ଏହାର ଉଦ୍ଦେଶ୍ୟ ହେଉଛି ଫାର୍ମାସିଷ୍ଟମାନଙ୍କ ଦ୍ୱାରା କିପରି ସାରା ବିଶ୍ୱରେ ଥିବା ସ୍ୱାସ୍ଥ୍ୟ କ୍ଷେତ୍ରର ଆବଶ୍ୟକତାକୁ ପୂରଣ କରିହେବ। ବିଗତ ବର୍ଷରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫାର୍ମାସିଷ୍ଟମାନେ ନିଷ୍ଠାର ସହ ସେବା କରିଥିବାରୁ ଏହି ଅବସରରେ ସୋଆ ଉପସଭାପତି ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

କାର୍ଯ୍ୟକ୍ରମରେ ଫାର୍ମାସୀ ବିଭାଗର ମୁଖ୍ୟ ଡକ୍ଟର ଯସ୍ମୀନ୍ ପଣ୍ଡା ଅତିଥିମାନଙ୍କୁ ସ୍ୱାଗତ କରିବା ଅବସରରେ ବିଶ୍ୱ ଫାର୍ମାସୀ ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମରେ ଓଡ଼ିଶାର ଡ୍ରଗ୍ସ କଂଟ୍ରୋଲର ଶ୍ରୀମତି ମାମିନା ପଟ୍ଟନାୟକ ବକ୍ତା ଭାବେ ଯୋଗ ଦେଇ କରୋନା ମହାମାରୀ ସମୟରେ ଫାର୍ମାସିଷ୍ଟମାନେ ଡାକ୍ତର ଏବଂ ରୋଗୀଙ୍କ ମଧ୍ୟରେ ଏକ ସେତୁ ପରି କାର୍ଯ୍ୟ ତୁଲାଇଥିଲେ ବୋଲି କହିଥିଲେ। ଫାର୍ମାସିଷ୍ଟମାନେ ସମାଜରେ ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟ ତୁଲାଉଥିବା ବେଳେ ଆମ ସମାଜ ସେମାନଙ୍କୁ ସେତିକି ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଥଲେ।

ଏହି ଅବସରରେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ -୨, ଫୁଲନଖରାର ଡିନ୍ ପ୍ରଫେସର ଅରକ୍ଷିତ ସ୍ୱାଇଁ, ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଏବଂ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ -୨, ଫୁଲନଖରାର ମେଡିକାଲ୍ ସୁପିରଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ ଲେଙ୍କା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।

ପ୍ରଫେସର ମିଶ୍ର ହସ୍ପିଟାଲ୍‌ର ଆଇସିୟୁ, ଓଟି ଏବଂ ସବୁ ସ୍ଥାନରେ ଫାର୍ମାସିଷ୍ଟମାନଙ୍କର ଅବଦାନ ଅତୁଳନୀୟ ବୋଲି କହିଥିଲେ। ସେହିପରି ନିଜ ବକ୍ତବ୍ୟରେ ପ୍ରଫେସର ସ୍ୱାଇଁ କହିଥିଲେ ଯେ ହସ୍ପିଟାଲ୍‌ରେ ଫାର୍ମାସିଷ୍ଟ, ପାରାମେଡିକ୍ସ ଏବଂ ଡାକ୍ତର ମିଶିି ଗୋଟିଏ ଟିମ୍ ଭାବେ କାର୍ଯ୍ୟ କରିଥାନ୍ତି। ଔଷଧ ରୋଗୀକୁ ସୁସ୍ଥ କରିଥାଏ ମାତ୍ର ଫାର୍ମାସିଷ୍ଟମାନେ ରୋଗୀର ଯତ୍ନ ନେଇଥାନ୍ତି। ତେଣୁ ସମସ୍ତେ ଗୋଟିଏ ଟିମ୍ ଭାବେ କାର୍ଯ୍ୟ କରିବା ଉଚିତ୍ ବୋଲି ପ୍ରଫେସର ସ୍ୱାଇଁ କହିଥିଲେ।

ପ୍ରଫେସର ସାମନ୍ତସିଂହାର ଫାର୍ମାସିଷ୍ଟମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ସେମାନେ ନିଜ ନିଜ ଭିତରେ ସହଯୋଗ ରଖି କାର୍ଯ୍ୟ କରିବା ସହ ଔଷଧ ପ୍ରଦାନରେ ଯେଭଳି କୌଣସି ଭୁଲ ନ ହୁଏ ସେଥିପ୍ରତି ଧ୍ୟାନ ଦେବା ଉଚିତ୍‌। ସେହିପରି ପ୍ରଫେସର ଲେଙ୍କା ନିଜ ବକ୍ତବ୍ୟରେ ଫାର୍ମାସିଷ୍ଟମାନେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରନ୍ତୁ ବୋଲି କହିଥିଲେ।

ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ଫାର୍ମାସିଷ୍ଟମାନଙ୍କୁ ଏବଂ ଏହି ବିଭାଗ ସହିତ ଜଡ଼ିତ ବିଭିନ୍ନ କର୍ମଚାରୀମାନଙ୍କୁ ସୋଆ ଉପସଭାପତି ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଡକ୍ଟର ଯସ୍ମୀନ୍ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୩୨ ଗବେଷକ

ଭୁବନେଶ୍ୱର: ପ୍ରସିଦ୍ଧ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୩୨ ଜଣ ବିଶିଷ୍ଟ ଗବେଷକ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି। ୨୦୨୪ ନିମନ୍ତେ ଆମେରିକାର ଏହି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଷୟବସ୍ତୁ ଆଧାରକୁ ନେଇ ପ୍ରକାଶିତ ୨ ପ୍ରତିଶତ ବୈଜ୍ଞାନିକମାନଙ୍କ ତାଲିକାରେ ସୋଆର ଏହି ଗବେଷକମାନେ ସାମିଲ ହୋଇଛନ୍ତି।

୨୦୨୩ରେ ଷ୍ଟାନ୍‌ଫୋର୍ଡ ଦ୍ୱାରା ପ୍ରସ୍ତୁତ ଏହି ସମ୍ମାନଜନକ ତାଲିକାରେ ସୋଆର ୨୨ ଜଣ ଗବେଷକ ସ୍ଥାନ ପାଇଥିବାବେଳେ ୨୦୨୪ ନିମନ୍ତେ ପ୍ରକାଶ ପାଇଥିବା ତାଲିକାରେ ସେମାନଙ୍କ ମଧ୍ୟରୁ ୨୦ ଜଣ ସ୍ଥାନ ପାଇଛନ୍ତି।

ଷ୍ଟାନ୍‌ଫୋର୍ଡ ଦ୍ୱାରା ପ୍ରକାଶିତ ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକା ଏକ ଗୁରୁତ୍ୱପୂର୍ଣ୍ଣ ର‌୍ୟାଙ୍କିଙ୍ଗ ଯାହାକି ଗବେଷଣା କ୍ଷେତ୍ରରେ ଉଚ୍ଚମାନର କାର୍ଯ୍ୟ କରୁଥିବା ଗବେଷକମାନଙ୍କୁ ସ୍ଥାନିତ କରିଥାଏ।

ଏହି ତାଲିକାରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ୧୪ ଜଣ ଗବେଷକ ସ୍ଥାନ ପାଇଥିବା ବେଳେ ସୋଆ ପକ୍ଷରୁ ସ୍ଥାପିତ ହୋଇଥିବା ୧୯ଟି ଗବେଷଣା କେନ୍ଦ୍ର ମଧ୍ୟରୁ ୬ଟି ଗବେଷଣା କେନ୍ଦ୍ରର ୧୧ ଜଣ ଗବେଷକ ସ୍ଥାନ ପାଇଛନ୍ତି।

ସୋଆ ଅଧିନସ୍ଥ ମଲ୍ଟିଡିସିପ୍ଲିନାରୀ ରିସର୍ଚ୍ଚ ସେଲ୍‌ର ନିର୍ଦ୍ଦେଶକ ପ୍ରଫେସର ପ୍ରଦୀପ୍ତ କୁମାର ଦାଶ ଏବଂ ବିଶିଷ୍ଟ ନ୍ୟୁରୋସର୍ଜନ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପତ୍ରଙ୍କ ମଧ୍ୟ ଏହି ସମ୍ମାନଜନକ ତାଲିକାରେ ସାମିଲ ହୋଇଛନ୍ତି। ଏହି ଦୁଇ ଗବେଷକ ପୂର୍ବରୁ ସୋଆର କୁଳପତି ଦାୟିତ୍ୱ ବହନ କରିଛନ୍ତି।

ସୋଆର ସେଂଟର ଫର୍ ନାନୋ ସାଇନ୍‌ସେସ୍ ଆଣ୍ଡ ନାନୋ ଟେକ୍ନୋଲୋଜି (ସିଏନ୍‌ଏସ୍‌ଏନ୍‌ଟି)ର ୫ ଜଣ ବୈଜ୍ଞାନିକ ଏହି ତାଲିକାରେ ସାମିଲ ହୋଇଥିବା ବେଳେ ବାୟୋଫୁଏଲ୍ସ ଆଣ୍ଡ ବାୟୋ ପ୍ରୋସେସିଂ ରିସର୍ଚ୍ଚ ସେଂଟରର ୨ ଜଣ ଗବେଷକ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି। ସେହିପରି ସେଂଟର ଫର୍ ଇଣ୍ଡଷ୍ଟ୍ରିଆଲ୍ ବାୟୋଟେକ୍ନୋଲୋଜି ରିସର୍ଚ୍ଚ (ସିଆଇବିଆର୍‌), ମଲ୍ଟି ଡିସିପ୍ଲିନାରୀ ରିସର୍ଚ୍ଚ ସେଲ୍ (ଏମ୍‌ଡିଆର୍‌ସି), ସେଂଟର ଫର୍ ଇନ୍‌ଟରନେଟ ଅଫ୍ ଥିଙ୍ଗ୍‌ସ (ସିଆଇଓଟି) ଏବଂ ସେଂଟର ଅଫ୍ ଏକ୍ସିଲେନ୍ସ ଇନ୍ ଥିଓରେଟିକାଲ ଆଣ୍ଡ ମ୍ୟାଥମେଟିକାଲ ସାଇନ୍‌ସେସ୍ (ସିଇଟିଏମ୍‌ଏସ୍‌)ର ଜଣେ ଲେଖାଏଁ ଗବେଷକ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି।

ଏହି ସମ୍ମାନଜନକ ତାଲିକାରେ ସିଏନ୍‌ଏସ୍‌ଏନ୍‌ଟିର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡ଼ା, ବାୟୋ-ଫୁଏଲ୍ସ ଆଣ୍ଡ ବାୟୋ-ପ୍ରୋସେସିଙ୍ଗ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଲା, ସେଂଟର ଫର୍ ଇଣ୍ଡଷ୍ଟ୍ରି୍ରଆଲ୍ ବାୟୋଟେକ୍ନୋଲୋଜି ରିସର୍ଚ୍ଚର ନିର୍ଦ୍ଦେଶକ ପ୍ରଫେସର ହୃଦୟନାଥ ଥାଟ୍ଟୋଇ ଏବଂ ସେଂଟର ଫର୍ ବାୟୋଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର ସଂଘମିତ୍ରା ନାୟକ ସାମିଲ ହୋଇଛନ୍ତି।

ଆଇଟିଇଆର୍ ଗବେଷକ ପ୍ରଫେସର ଆର.ଏନ୍‌.ପି. ଚୌଧୁରୀ, ପ୍ରଫେସର ମନୋହର ମିଶ୍ର, ପ୍ରଫେସର ରଶ୍ମି ଆଚାର୍ଯ୍ୟ, ପ୍ରଫେସର ଏସ୍‌.ଆର୍ ମିଶ୍ର, ପ୍ରଫେସର ରାଜଶ୍ରୀ ଦାଶ, ପ୍ରଫେସର ବିନୋଦ କୁମାର ସାହୁ, ପ୍ରଫେସର ରେଣୁ ଶର୍ମା, ପ୍ରଫେସର ନିହାରବାଳା ଦେବୀ, ଡଃ ମନୋଜ କୁମାର ନାୟକ, ଡଃ ଶୁଭଶ୍ରୀ ଚୌଧୁରୀ, ଡଃ ଅକ୍ଷୟ କୁମାର ବର୍ମା, ଡଃ ଶେଷଦେବ ସାହୁ, ଡଃ ସନ୍ତୋଷ କୁମାର ପରିଡା ଏବଂ ଡଃ ଅକ୍ଷୟ କୁମାର ପାତ୍ର ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି।

ଏହି ତାଲିକାରେ ସାମିଲ ହୋଇଥିବା ଅନ୍ୟତମ ଗବେଷକମାନେ ହେଉଛନ୍ତି ଫାର୍ମାସ୍ୟୁଟିକ୍‌ସର ପ୍ରଫେସର ଗୌତମ ରଥ, ଡଃ ଅମିତ କୁମାର ନାୟକ ଏବଂ ଡଃ ବିନୀତ କୁମାର ରାୟ, ସେଂଟ୍ରାଲ ରିସର୍ଚ୍ଚ ଲ୍ୟାବ୍‌ର ପ୍ରଫେସର ରବୀନ୍ଦ୍ର ନାଥ ପାଢ଼ୀ, ସିଏନ୍‌ଏସ୍‌ଏନ୍‌ଟିର ଡଃ ସୁସଙ୍ଗିନୀ ନାୟକ, ଡଃ ସୁଲଗ୍ନା ପଟ୍ଟନାୟକ, ଡଃ ସତ୍ୟବ୍ରତ ସୁବୁଦ୍ଧି ଏବଂ ଡଃ ଦିପ୍ତୀ ପ୍ରଭା ସାହୁ, ଏଗ୍ରିକଲ୍‌ଚରାଲ ସାଇନ୍‌ସେସର ପ୍ରଫେସର ଜ୍ଞାନ ରଞ୍ଜନ ରାଉତ, ବାୟୋ-ଫୁଏଲ୍ସ ଆଣ୍ଡ ବାୟୋ-ପ୍ରୋସେସିଙ୍ଗ୍ ରିସର୍ଚ୍ଚ ସେଂଟରର ଡଃ. ଦେବବ୍ରତ ପ୍ରଧାନ, ସିଇଟିଏମ୍‌ଏସ୍‌ର ପ୍ରଫେସର ତାପସ ରଞ୍ଜନ ରାଉତରାୟ ଏବଂ ସିଆଇଓଟିର ଡକ୍ଟର ରାହୁଲ ପ୍ରିୟଦର୍ଶୀ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଡାଇବେଟିସ୍ ଗବେଷଣା ସନ୍ଦର୍ଭ ନିମନ୍ତେ ସମ୍ମାନିତ ହେଲା ସମ୍ ହସ୍ପିଟାଲ 

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ ର ଡାଇବେଟିସ୍ ଓ ଏଣ୍ଡୋକ୍ରିନୋଲଜି ବିଭାଗକୁ ଅଭିନବ ଗବେଷଣା ନିମନ୍ତେ ନିକଟରେ ଲକ୍ଷେ୍ମା ଠାରେ ଅନୁଷ୍ଠିତ ଆମେରିକାନ୍ କଲେଜ ଅଫ୍ ଫିଜିସିଆନସ୍‌ର ଇଣ୍ଡିଆ ଚ୍ୟାପ୍ଟର ସମ୍ମିଳନୀରେ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି।
‘ଆସେସମେଂଟ ଅଫ୍ ହାଇପୋଗୋନାଡିଜମ ଆଣ୍ଡ ଇଟସ ଡିଟରମିନାଂଟସ୍ ଆମଙ୍ଗ ଆଡଲଟ ମେନ ଉଇଥ ଟାଇପ-୨ ଡାଇବେଟିସ୍ ମେଲିଟସ’ ଶୀର୍ଷକ ଏହି ଗବେଷଣା ପ୍ରସୂତ ସନ୍ଦର୍ଭକୁ ଏହି ସମ୍ମାନ ମିଳିଛି। ବିଭାଗର ପ୍ରଫେସର ଜୟଶ୍ରୀ ସ୍ୱାଇଁଙ୍କ ତତ୍ୱାବଧାନରେ ଡିଏମ୍ ଏଣ୍ଡୋକ୍ରିନୋଲଜି ରେସିଡେଂଟ ଡାକ୍ତର ଜସ୍‌ପ୍ରୀତ ସିଂହ ଏହି ସନ୍ଦର୍ଭ ପ୍ରସ୍ତୁତ କରିଥିଲେ।

ଏହି ବିଭାଗ ଗତବର୍ଷ ମଧ୍ୟ ସବୁଠାରୁ ଶ୍ରେଷ୍ଠ ସନ୍ଦର୍ଭ ନିମନ୍ତେ ଏହି ସମ୍ମିଳନୀରେ ସମ୍ମାନିତ ହୋଇଥିଲା ବୋଲି ପ୍ରଫେସର ସ୍ୱାଇଁ କହିଛନ୍ତି।

ବିଭାଗ ପକ୍ଷରୁ ଡାଇବେଟିସ ସଂକ୍ରାନ୍ତିୟ ଅନେକ ଗୁଡିଏ ଗବେଷଣା ପ୍ରସୂତ ସନ୍ଦର୍ଭ ପ୍ରସ୍ତୁତ କରାଯାଇଥିଲା ଯାହା ସ୍ୱାସ୍ଥ୍ୟସେବା ମହଲରେ ଉଚ୍ଚ ପ୍ରଶଂସିତ ହୋଇଥିଲା। ଏହା ମଧ୍ୟ ୨୦୨୩ରେ ଇଂଟରନ୍ୟାସନାଲ ୍ ଡାଇବେଟିସ୍ ଫେଡେରେସନ୍ ସମ୍ମିଳନୀରେ ପ୍ରଥମ ପୁରସ୍କାର ଲାଭ କରିଥିଲା।

ଏହି ବିଭାଗରେ ଡାଇବେଟିସ୍ ଉପରେ ହେଉଥିବା ଗବେଷଣା ତଥା ଜଟିଳ ଚିକିତ୍ସା ନିମନ୍ତେ ଅଭିନବ ଉପାୟ ଅବଲମ୍ବନ ଦୃଷ୍ଟି ଆକର୍ଷଣ କରିପାରିଛି ବୋଲି ପ୍ରଫେସର ସ୍ୱାଇଁ କହିଛନ୍ତି।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ସୋଆରେ ଜାତୀୟ କ୍ରୀଡ଼ା ଦିବସ ପାଳିତ, ବିଶ୍ବବିଦ୍ୟାଳୟର ଖେଳାଳୀଙ୍କୁ ସମ୍ମାନିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଗୁରୁବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ହକିର କିମ୍ବଦନ୍ତୀ ପୁରୁଷ ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ସାରା ଦେଶରେ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରାଯାଉଥିବା ବେଳେ ଏହି ପରିପ୍ରେକ୍ଷୀରେ ସୋଆରେ ଏକ ମିନି ମାରାଥନ ଆୟୋଜିତ ହୋଇଯାଇଥିଲା।

ସୋଆ ଷ୍ଟାଡିୟମ୍‌ରୁ ଫ୍ଲାଗ୍‌ଅଫ୍ ହୋଇଥିବା ଏହି ମିନି ମାରାଥନ୍‌ରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଫ୍ୟାକଲ୍ଟି ଏବଂ କର୍ମଚାରୀମାନେ ସାମିଲ ହୋଇଥିଲେ। ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଫ୍ଲାଗ୍ ଅଫ କରି ମିନି ମାରାଥନର ଶୁଭାରମ୍ଭ କରିଥିଲେ।
ମାରାଥନ ଶେଷ ହେବା ପରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ାକୁ ମଣିଷ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଗ ବୋଲି କହିଥିଲେ। ଜାତୀୟ ଶିକ୍ଷା ନୀତିରେ କ୍ରୀଡ଼ାକୁ ଖୁବ୍ ଗୁରୁତ୍ୱ ଦିଆଯାଉଥିବା ପରିପ୍ରେକ୍ଷୀରେ ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟରେ କ୍ରୀଡ଼ା ସମ୍ପର୍କିତ ପାଠ୍ୟକ୍ରମକୁ ସାମିଲ କରାଯିବ ବୋଲି ସେ କହିଥିଲେ।

ଏହି ଅବସରରେ ପ୍ରଫେସର ଦାସ ନିଜ ବକ୍ତବ୍ୟରେ ଭବିଷ୍ୟତରେ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକୁ ବ୍ୟାପକ କରାଯିବ ବୋଲି କହିଥିଲେ।
ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ମହିଳା ଟିଚିଂ ଷ୍ଟାଫଙ୍କ ପାଇଁ ଆୟୋଜିତ ମ୍ୟୁଜିକାଲ ଚେୟାର ପ୍ରତିଯୋଗିତାରେ ସମ୍ ନର୍ସିଂ କଲେଜର ଛାତ୍ରୀ ସୁମନ୍‌ପ୍ରଭା ସିଂଦେଓ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସୁଜ୍ୟୋସ୍ନା ଦ୍ୱିତୀୟ ଏବଂ ରୁବି ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ସେହିପରି ମହିଳା ନନ୍‌-ଟିଚିଂ ଷ୍ଟାଫଙ୍କ ପାଇଁ ଆୟୋଜିତ ମ୍ୟୁଜିକାଲ ଚେୟାର ପ୍ରତିଯୋଗିତାରେ ପୂଜାରାଣୀ ଦାସ ପ୍ରଥମ, କୁନ୍ତଳା ଦାସ ଦ୍ୱିତୀୟ ଏବଂ ମୋନାଲିସା ସାମଲ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଏହି ଅବସରରେ ଆୟୋଜିତ ହୋଇଥିବା କ୍ରିକେଟ ମ୍ୟାଚ୍‌ରେ ଆଇଟିଇଆର୍‌-୧ ଚାମ୍ପିଅନ୍ ହୋଇଥିବା ବେଳେ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ ରନର୍ସଅପ୍ ହୋଇଛି। ଆଇଟିଇଆର୍ -୧ ଟିମ୍‌ରେ ରାମ ଶଙ୍କର ତ୍ରିପାଠୀ, ଦିଲ୍ଲୀପ୍ ସିଂ, ବିଶ୍ୱାସ କୁମାର, ଅମରେନ୍ଦ୍ର ଦ୍ୱିବେଦୀ, ସୌଭାଗ୍ୟ ସାହୁ, ଅଭିନାଶ ବାରିକ, ଧବଳେଶ୍ୱର ମହାପାତ୍ର, ବିପିନ୍ କରଣ, ସୁମନ୍ତ ପରିଡା ଏବଂ ତନ୍ମୟ ପରିଡ଼ା ସାମିଲ ଥିବା ବେଳେ ଏସ୍‌ପିଏସ୍ ଟିମ୍‌ରେ ସ୍ମୃତିରଞ୍ଜନ ପାତ୍ର, ପ୍ରିତିରଞ୍ଜନ ସାହୁ, ଜ୍ୟୋତିରଞ୍ଜନ ବେହେରା, ତନ୍ମୟ ଜେନା, ସତ୍ୟଜିତ ମହାପାତ୍ର, ଗିରିଜା ଶଙ୍କର ପାତ୍ର, ସମ୍ବିତ ରାୟ, ତପନ ଶତପଥୀ, ଦୁଷ୍ମନ୍ତ ମହାପାତ୍ର ଏବଂ ସ୍ନେହାଂଶୁ ରଞ୍ଜନ ସାହୁ ସାମିଲ ଥିଲେ। ଫାଇନାଲ୍‌ରେ ପ୍ରଥମେ ଏସ୍‌ପିଏସ୍ ୬ ଓଭରରେ ସମସ୍ତ ୱିକେଟ୍ ହରାଇ ୬୦ ରନ୍ କରିଥିଲା।

ଏହି ସ୍କୋରକୁ ଆଇଟିଇଆର୍ -୧, ୫.୫ ଓଭରରେ ୮ଟି ୱିକେଟ୍ ହରାଇ ଅତିକ୍ରମ କରିଥିଲା। ଏହି କ୍ରିକେଟ ମ୍ୟାଚ୍‌ରେ ଡକ୍ଟର ତନ୍ମୟ ପରିଡ଼ା ମ୍ୟାନ୍ ଅଫ୍ ଦି ସିରିଜ ହୋଇଥିବା ବେଳେ ଏସ୍‌ପିଏସ୍‌ର ସତ୍ୟଜିତ ମହାପାତ୍ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ପୁରସ୍କୃତ ହୋଇଥିଲେ।

ସେହିପରି ମିନି ମାରାଥନ୍‌ରେ ସୋଆ ଇନ୍‌ଷ୍ଟିୁଚ୍ୟଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ ହଜ୍‌ବ୍ୟାଣ୍ଡ୍ରିର ଛାତ୍ର ସତ୍ୟରଞ୍ଜନ ସାହୁ ପ୍ରଥମ, ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ଜିବେଶ ମିଶ୍ର ଦ୍ୱିତୀୟ ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର ସୁଜଲ ରାଉତ ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତି ପ୍ରତିଯୋଗୀମାନଙ୍କୁ ସୋଆ କୁଳପତି ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମକୁ ସୋଆର ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନୀତା ବର୍ମା ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୋଆରେ ର‌୍ୟାଗିଙ୍ଗ ବିରୋଧ ସପ୍ତାହ ପାଳିତ

ଭୁବନେଶ୍ୱର: ର‌୍ୟାଗିଙ୍ଗ ବିରୋଧରେ ଫ୍ୟାକଲ୍ଟି, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଅଗଷ୍ଟ ୧୪ ରୁ ୧୮ ତାରିଖ ମଧ୍ୟରେ ର‌୍ୟାଗିଙ୍ଗ ବିରୋଧ ସପ୍ତାହ ପାଳିତ ହୋଇଯାଇଛି।

ୟୁଜିସିର ନିୟମାବଳୀ ଅନୁଯାୟୀ ସୋଆର ବିଭିନ୍ନ କ୍ୟାମ୍ପସ୍‌ରେ ଏହି ୫ ଦିନ ମଧ୍ୟରେ ବକ୍ତୃତା, ରଙ୍ଗୋଲି, ପ୍ରବନ୍ଧ, ସ୍ଲୋଗାନ୍ ଏବଂ ପୋଷ୍ଟର ପ୍ରତିଯୋଗିତା ମାଧ୍ୟମରେ ସଚେତନତା ସୃଷ୍ଟି ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ର‌୍ୟାଗିଙ୍ଗ ଫ୍ରି କ୍ୟାମ୍ପସ୍‌ର ଲକ୍ଷ୍ୟ ନେଇ ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ହଷ୍ଟେଲ୍‌ର ଛାତ୍ରଛାତ୍ରୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା। ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଏବଂ ୪୦୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ମଙ୍ଗଳବାର ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌)ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ ଓ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିଲେ। ଫ୍ୟାକଲ୍ଟି କୋର୍ଡିନେଟର ଡକ୍ଟର ଅଂଶୁମାନ ଜେନା ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ଆସିଷ୍ଟାଂଟ ପ୍ରଫେସର ଡକ୍ଟର ନେହା ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଭ କଲା ସୋଆ

ଭୁବନେଶ୍ୱର: ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଭ କରିଛି ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ବିଶ୍ୱବିଦ୍ୟାଳୟ। ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍ନାଲ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗସ୍‌ର ନବମ ସଂସ୍କରଣରେ ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ୧୪ ତମ ସ୍ଥାନ ହାସଲ କରି ସୋଆ ଗୋଟିଏ ପାହାଚ ଉପରକୁ ଉଠିଛି। ସୋମବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ର‌୍ୟାଙ୍କିଙ୍ଗ ଘୋଷଣା କରାଯାଇଛି।

ଗତବର୍ଷ ସୋଆ ଦେଶରେ ୧୫ ତମ ର‌୍ୟାଙ୍କ ହାସଲ କରିଥିଲା। ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗସ୍‌ର ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରାଜ୍ୟ ଶିକ୍ଷାମନ୍ତ୍ରୀ ସୁକାନ୍ତ ମଜୁମ୍‌ଦାର ଉପସ୍ଥିତ ଥିଲେ।

ସେହିପରି ସାମଗ୍ରିକ ଶିକ୍ଷାନୁଷ୍ଠାନ ତାଲିକାରେ ଗତବର୍ଷର ର‌୍ୟାଙ୍କିଙ୍ଗ ଠାରୁ ଦୁଇଟି ସ୍ଥାନ ଉପରକୁ ଯାଇ ସୋଆ ଏଥର ୨୪ ତମ ସ୍ଥାନ ହାସଲ କରିଛି।

୨୦୧୬ ମସିହାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୯ ବର୍ଷ ଧରି ଆୟୋଜିତ ହେଉଥିବା ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗସ୍‌ରେ ଦେଶର ଶ୍ରେଷ୍ଠ ୨୫ଟି ଉଚ୍ଚ ଶିକ୍ଷାନୁଷ୍ଠାନ ତାଲିକାରେ ନିଜ ସ୍ଥାନ ବଜାୟ ରଖିଛି ସୋଆ। ସେଥି ମଧ୍ୟରୁ ୭ ଥର ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜକୁ ସାମିଲ୍ କରି ପାରିଛି ସୋଆ।

ଏହି ଡିମ୍‌ଡ ବିଶ୍ୱବିଦ୍ୟାଳୟ ଇଞ୍ଜିନିୟରିଂ କ୍ୟାଟେଗୋରିରେ ଗତ ବର୍ଷ ୨୭ ତମ ର‌୍ୟାଙ୍କ ହାସଲ କରିଥିବା ବେଳେ ଚଳିତ ବର୍ଷ ଏଥିରେ ଉନ୍ନତି ଘଟି ୨୬ ତମ ସ୍ଥାନରେ ପହଂଚିଛି। ମେଡିକାଲ୍ ସାଇନସେସ୍ କ୍ୟାଟେଗୋରିରେ ଦେଶରେ ସୋଆ ୨୧ ତମ, ଡେଂଟାଲ୍ ଏବଂ ଲ’ କ୍ୟାଟେଗୋରିରେ ନବମ ସ୍ଥାନରେ ରହିଛି। ସେହିପରି ମ୍ୟାନେଜମେଂଟ ସାଇନସେସ୍ କ୍ୟାଟେଗୋରିରେ ୬୨ତମ ଏବଂ ରିସର୍ଚ୍ଚ କ୍ୟାଟେଗୋରିରେ ୫୦ ତମ ସ୍ଥାନ ହାସଲ କରିଛି ସୋଆ।

ସୋଆର ଦୁଇଟି ଶିକ୍ଷାନୁଷ୍ଠାନ ଫାକଲ୍ଟି ଅଫ୍ ଲ (ସୋଆ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଲ) ଏବଂ ଫାକଲ୍ଟି ଅଫ୍ ଡେଂଟାଲ୍ ସାଇନସେସ୍ (ଇନଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନସେସ୍‌) ନବମ ସ୍ଥାନ ହାସଲ କରି ଟପ୍ ଟେନ୍ ତାଲିକାରେ ରହିଛନ୍ତି। ସୋଆ ୨୦୨୨ରେ ନ୍ୟାସନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନସିଲ୍ (ନାକ୍‌) ଦ୍ୱାରା ସର୍ବାଧିକ ଏ ++ ଗ୍ରେଡ୍ ହାସଲ କରି ପୁନଃ ସ୍ୱୀକୃତି ଲାଭ କରିଥିଲା।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ଅବସରରେ ଖୁସି ବ୍ୟକ୍ତ କରିବା ସହ ବିଶ୍ୱବିଦ୍ୟାଳୟର ଫାକଲ୍ଟି, ଗବେଷକ ଏବଂ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ସୋଆକୁ ଆହୁରି ଉଚ୍ଚକୁ ନେବା ନିମନ୍ତେ ସେମାନଙ୍କର ଏହି ଉଦ୍ୟମକୁ ଜାରି ରଖିବା ନିମନ୍ତେ ପ୍ରୋତ୍ସାହିତ କରିଛନ୍ତି।

ସୋଆର କୂଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ବିଶ୍ୱବିଦ୍ୟାଳୟର ଏହି ସଫଳତା ନିମନ୍ତେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ବିଶ୍ୱବିଦ୍ୟାଳୟକୁ ଆଗାମି ୫ ବର୍ଷ ମଧ୍ୟରେ ଦେଶର ଶ୍ରେଷ୍ଠ ୧୦ଟି ବିଶ୍ୱବିଦ୍ୟାଳୟ ତାଲିକାରେ ସ୍ଥାନିତ କରିବା ପାଇଁ କଠିନ ପରିଶ୍ରମ ଜାରି ରଖିବା ନିମନ୍ତେ ଆହ୍ୱାନ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭିଏତନାମ ବିଶ୍ୱବିଦ୍ୟାଳୟର ପ୍ରତିନିଧି ଦଳଙ୍କ ସୋଆ ପରିଦର୍ଶନ କାର୍ଯ୍ୟକ୍ରମ ଶେଷ

ଭୁବନେଶ୍ୱର: ଜୁଲାଇ ୩୧ ତାରିଖରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ୪ ଦିନିଆ ପରିଦର୍ଶନରେ ଆସିଥିବା ଭିଏତନାମର ହୋ ଚି ମିନ ସିଟିରେ ଅବସ୍ଥିତ ସାଇଗନ୍ ଇଂଟରନ୍ୟାସ୍ନାଲ ୟୁନିଭର୍ସିଟିର ଏକ ୮- ଜଣିଆ ପ୍ରତିନିଧି ଦଳର ଗସ୍ତ ଆଜି ଶେଷ ହୋଇଛି।

ବିଶ୍ୱବିଦ୍ୟାଳୟର ଡେପୁଟି ଡାଇରେକ୍ଟର ଡକ୍ଟର ଫୁକ ମିନ ହିପଙ୍କ ନେତୃତ୍ୱରେ ଆସିଥିବା ଏହି ଦଳ ଶନିବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ।

ଏହି ଅବସରରେ ସାଇଗନ୍ ଇଂଟରନ୍ୟାସ୍ନାଲ ୟୁନିଭର୍ସିଟିର ଡାଟା ସାଇନ୍ସ ବିଭାଗର ମୁଖ୍ୟ ଡକ୍ଟର ଡାଓ ଭାନ ତୁଏଟ ମଧ୍ୟ ଉପସ୍ଥିତ ଥିଲେ।

ସୋଆର ବିଭିନ୍ନ ଅନୁଷ୍ଠାନ ଗୁଡ଼ିକ ପରିଦର୍ଶନ କରିବା ପରେ ଏଠାରେ ଥିବା ବ୍ୟବସ୍ଥା ଓ ସୁଯୋଗକୁ ଦେଖି ଖୁସି ବ୍ୟକ୍ତ କରିବା ସହ ଏହାଦ୍ୱାରା ପ୍ରତିନିଧି ଦଳ ପ୍ରଭାବିତ ହୋଇଥିବା ପ୍ରକାଶ କରିଥିଲେ। ପ୍ରତିନିଧି ଦଳଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ମିଳିଥିବା ଆତିଥ୍ୟକୁ ନେଇ ମଧ୍ୟ ସେମାନେ ଖୁସି ବ୍ୟକ୍ତ କରିଥିଲେ।

ସୋଆର ମେଡିକାଲ୍ କଲେଜ ଏବଂ ଗବେଷଣା କେନ୍ଦ୍ରଗୁଡ଼ିକ ଜେନୋମିକ୍ସ, ବାୟୋ-ଇନ୍‌ଫର୍ମାଟିକ୍ସ, ଫାର୍ମାସ୍ୟୁଟିକାଲ୍‌ସ, ଡାଟା ସାଇନ୍ସ ଓ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଏସ୍‌ଆଇୟୁ ମଧ୍ୟ ଏହି ସବୁ ବିଷୟକୁ ନେଇ ସୋଆ ସହ ଶୈକ୍ଷିକ ଓ ଗବେଷଣା କ୍ଷେତ୍ରରେ ସହଯୋଗିତା ନିମନ୍ତେ ଉତ୍ସୁକ ବୋଲି ଡକ୍ଟର ହିପ୍ କହିଥିଲେ।
ଭିଏତନାମ ପ୍ରତିନିଧି ଦଳ ସୋଆର ବିଭିନ୍ନ ବିଭାଗର ଫ୍ୟାକଲ୍ଟିମାନଙ୍କ ସହ ଆଲୋଚନା କରିବା ସହ ପ୍ରଶିକ୍ଷଣ ସୁବିଧାଗୁଡ଼ିକ ମଧ୍ୟ ବୁଲି ଦେଖିଥିଲେ।

ପ୍ରଫେସର (ଡକ୍ଟର) ନାୟକ କହିଥିଲେ ଯେ ଏସ୍‌ଆଇୟୁ ସୋଆ ସହଯୋଗିତା ନେଇ ଏକ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବା ଆବଶ୍ୟକ। ପ୍ରଫେସର ନାୟକଙ୍କ ସହିତ ସାକ୍ଷାତ ଆଲୋଚନା ସମୟରେ ବିଶ୍ୱବିଦ୍ୟାଳୟ ଆଉଟ୍‌ରିଚ୍ ପ୍ରୋଗ୍ରାମ ଏବଂ ଇନ୍‌ଟରନ୍ୟାସ୍‌ନାଲ୍ ରିଲେସନ୍ସର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ମଧ୍ୟ ଉପସ୍ଥିତ ଥିଲେ।

ଡକ୍ଟର ହିପ୍ ଏବଂ ଅନ୍ୟ ପ୍ରତିନିଧି ଦଳ ଭୁବନେଶ୍ୱରରେ ପହଂଚିବା ପରେ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଅନ୍ୟାନ୍ୟ ବରିଷ୍ଠ ପ୍ରଫେସର, ଗବେଷକ ଓ କର୍ମକର୍ତାଙ୍କ ସହ ଆଲୋଚନା କରିଥିଲେ।

ଏହା ପ୍ରତିନିଧି ଦଳ ଭୁବନେଶ୍ୱର ବିଭିନ୍ନ ଐତିହାସିକ ସ୍ଥଳୀ ବୁଲି ଦେଖିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୋଆ ଏବଂ ଇମ୍ଫାଲ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ଶିକ୍ଷା ଓ ଗବେଷଣା ସମେତ ଜଳବାୟୁ ପ୍ରଭାବିତ କୃଷିକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ (ସିଏୟୁ), ଇମ୍ଫାଲ ମଧ୍ୟରେ ଗୁରୁବାର ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି।

ବୁଝାମଣା ଅନୁଯାୟୀ ସୋଆ ଏବଂ ସିଏୟୁ ପରସ୍ପର ମଧ୍ୟରେ ଛାତ୍ରଛାତ୍ରୀ, ଗବେଷକ ଏବଂ ଫ୍ୟାକଲ୍ଟି ସଦସ୍ୟଙ୍କର ବିନିମୟ ସହ ବିଭିନ୍ନ ପ୍ରକ୍ରିୟା ଏବଂ ଜ୍ଞାନକୌଶଳ, ବୈଜ୍ଞାନିକ ତଥ୍ୟ ଓ ସୂଚନାର ଆଦାନପ୍ରଦାନ ସମେତ ଗବେଷଣାଗାରର ସାମୁହିକ ସୁବିଧା ଉଠାଇପାରିବେ।
ଏ ଦୁଇ ବିଶ୍ୱବିଦ୍ୟାଳୟ ଜଳବାୟୁ ପ୍ରଭାବିତ କୃଷିକୁ ନେଇ ମିଳିତ ଭାବେ ଗବେଷଣା କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବେ।

ସୋଆ ଏବଂ ସିଏୟୁ ମିଳିତ ଭାବେ ଆଉଟରିଚ୍ ପ୍ରୋଗ୍ରାମଗୁଡ଼ିକୁ ହାତକୁ ନେବା ସହ କୃଷକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ କାର୍ଯ୍ୟ କରିବେ ବୋଲି ଏହି ବୁଝାମଣାରେ ଉଲ୍ଲେଖ ଅଛି।

ବୁଝାମଣା ପତ୍ରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ସିଏୟୁର କୁଳପତି ପ୍ରଫେସର ଅନୁପମ ମିଶ୍ର ସ୍ୱାକ୍ଷର କରିଥିଲେ।

ଏହି ଅବସରରେ ସିଏୟୁର ନିର୍ଦ୍ଦେଶକ (ଇନ୍‌ଷ୍ଟ୍ରକ୍ସନ୍‌) ପ୍ରଫେସର ଇନ୍ଦିରା ସାରଙ୍ଗଥେମ୍ , ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ, ପ୍ରଫେସର ଏସ୍‌.କେ. ପଣ୍ଡା ଏବଂ ସୋଆର ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର ପ୍ରମୋଦ କୁମାର ପଣ୍ଡା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସନ୍ତାନ ନଥିବା ଦମ୍ପତିଙ୍କ ପାଇଁ ଆଇଭିଏଫ୍ ବରଦାନ: ସୋଆ ଉସଭାପତି

ଭୁବନେଶ୍ୱର: ସନ୍ତାନ ସନ୍ତତି ଲାଭ କରିନଥିବା ଦମ୍ପତିଙ୍କ କ୍ଷେତ୍ରରେ ବର୍ତ୍ତମାନ ସମାଜରେ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ (ଆଇଭିଏଫ୍‌) ଏକ ବରଦାନ ପାଲଟିଛି। ବନ୍ଧ୍ୟାଦୋଷ ଥିବା ଲକ୍ଷ ଲକ୍ଷ ଦମ୍ପତିଙ୍କ ପାଇଁ ଆଇଭିଏଫ୍ ଆଶାର କିରଣ ପାଲଟିଛି ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶାଶ୍ୱତି ଦାସ।

ଜୁଲାଇ ୨୫ ତାରିଖ ବିଶ୍ୱ ଆଇଭିଏଫ୍ ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଶ୍ରୀମତି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ ହସ୍ପିଟାଲ୍‌ର ସେଂଟର ଫର୍ ହ୍ୟୁମ୍ୟାନ୍ ରିପ୍ରଡକ୍ସନ୍ ର କାର୍ଯ୍ୟଧାରାକୁ ଉଚ୍ଚ ପ୍ରଶଂସା କରିବା ସହିତ ସୁରକ୍ଷିତ, ସୁଲଭ ଏବଂ ଅଧିକ ପ୍ରଭାବି ଆଇଭିଏଫ୍ ଚିକିତ୍ସା ଉପରେ ଗୁରୁତ୍ୱ ଦେଇଥିଲେ।

ବିଶ୍ୱ ଆଇଭିଏଫ୍ ଦିବସ ପାଳନ କେବଳ ବୈଷୟିକ ଜ୍ଞାନକୌଶଳ ଭିତିକ ନୁହେଁ ବରଂ ବନ୍ଧ୍ୟାଦୋଷ ଏବଂ ଏହା ଦ୍ୱାରା ମାନସିକ ସମସ୍ୟାର ଶିକାର ହେଉଥିବା ଦମ୍ପତିଙ୍କୁ କିଭଳି ମାନସିକ ସ୍ତରରେ ସମର୍ଥନ ଦିଆଯାଇପାରିବ ସେ ଦିଗରେ ସଚେତନତା ସୃଷ୍ଟି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥାଏ ବୋଲି ଶ୍ରୀମତି ଦାସ କହିଛନ୍ତି।

ଏହି ଅବସରରେ ରାଜ୍ୟ ସରକାରଙ୍କ ଯୁଗ୍ମ ନିର୍ଦ୍ଦେଶକ (ଶିଶୁ ସ୍ୱାସ୍ଥ୍ୟ) ତଥା ପିସି ଆଣ୍ଡ ପିଏନ୍‌ଡିଟି ଆକ୍ଟ ଓ ଆସିଷ୍ଟେଡ୍ ରିପ୍ରଡକ୍ସନ୍ ଟେକ୍ନୋଲଜି ଆଣ୍ଡ ସରୋଗେସିର ଷ୍ଟେଟ୍ ନୋଡାଲ୍ ଅଫିସର ଡାକ୍ତର ପ୍ରତିଭା ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଇଭିଏଫ୍ ସମ୍ପର୍କିତ ରାଜ୍ୟସରକାରଙ୍କ କାର୍ଯ୍ୟଧାରା ଉପରେ ତଥ୍ୟ ଉପସ୍ଥାପନ କରିଥିଲେ।
ସିଏଚ୍‌ଆର୍‌ର ମୁଖ୍ୟ ପ୍ରଫେସର (ଡାକ୍ତର) ସୁଜାତା ପ୍ରଧାନ ସ୍ୱାଗତ ଭାଷଣ ଦେବା ଅବସରରେ ସିଏଚ୍‌ଆର୍ ଦ୍ୱାରା କେବଳ ରାଜ୍ୟ କିମ୍ବା ଦେଶ ନୁହେଁ ବରଂ ଦେଶ ବାହାରୁ ଦମ୍ପତିମାନେ କିଭଳି ଚିକିତ୍ସିତ ହୋଇ ସନ୍ତାନ ଲାଭ କରୁଛନ୍ତି ସେ ସମ୍ପର୍କରେ ତଥ୍ୟ ରଖିଥିଲେ।

ବିଳମ୍ବରେ ବିବାହ, ଗର୍ଭଧାରଣ, ମାନସିକ ଚାପ ଓ କାର୍ଯ୍ୟକ୍ଷେତ୍ରର ଚାପ ଯୋଗୁଁ ସନ୍ତାନ ଲାଭ କରିବାରେ ଦମ୍ପତିମାନଙ୍କ ବିଳମ୍ବ ହେଉଥିବା ବେଳେ ଅନେକ ଦମ୍ପତି ସ୍ୱଇଚ୍ଛାରେ ଆଇଭିଏଫ୍‌କୁ ଗ୍ରହଣ କରୁଛନ୍ତି ବୋଲି ସେ କହିଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ ଜୁଲାଇ ୨୫ ତାରିଖ ୧୯୭୮ରେ ବିଶ୍ୱର ପ୍ରଥମ ଆଇଭିଏଫ୍ ଶିଶୁ ଲୁଇ ବ୍ରାଉନ୍ ଜନ୍ମ ଗ୍ରହଣ କରିଥିବା ବେଳେ ଏହି ଦିବସକୁ ହିଁ ଆଇଭିଏଫ୍ ଦିବସ ରୁପେ ପାଳନ କରାଯାଇଥାଏ।

ସେହିପରି ଅନ୍ୟତମ ସମ୍ମାନିତ ଅତିଥି ଭାବେ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସିଏଚ୍‌ଆରର କାର୍ଯ୍ୟଧାରାକୁ ଉଚ୍ଚ ପ୍ରଶଂସା କରିବା ସହ ଏହି ବିଭାଗର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ପୁଲନଖରା ଓ ବ୍ରହ୍ମପୁରର ଶୀତଳାପଲ୍ଲୀ ଠାରେ ସ୍ଥାପିତ ୨ୟ ଓ ୩ୟ କ୍ୟାମ୍ପସରେ ମଧ୍ୟ ଆଇଭିଏଫ୍ କେନ୍ଦ୍ର ସୁବିଧା ଉପଲବ୍ଧ ହେଉଅଛି।

ଏହି ଅବସରରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ମନୀଷା ସାହୁ ବକ୍ତବ୍ୟ ରଖିଥିବା ବେଳେ ପ୍ରଫେସର ପ୍ରଧାନ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌ସରେ ପୁଣି ଥରେ ସୋଆ ସ୍ଥାନିତ

ଭୁବନେଶ୍ୱର: ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌ରେ ଓଡ଼ିଶାର ଏକ ମାତ୍ର ବେସରକାରୀ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ହାସଲ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ)। ଦେଶର ୪୬ଟି ଉଚ୍ଚ ଶିକ୍ଷାନୁଷ୍ଠାନକୁ ନେଇ ପ୍ରସ୍ତୁତ ଏହି ବିଶ୍ୱ ର‌୍ୟାଙ୍କିଙ୍ଗ୍‌ରେ ସ୍ଥାନ ପାଇଛି ସୋଆ।

ଏହି ର‌୍ୟାଙ୍କିଙ୍ଗ୍‌ରେ ୧୨୦୧ ରୁ ୧୪୦୦ ବ୍ରାକେଟରେ ସୋଆ ରହିଥିବା ବେଳେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଭୁବନେଶ୍ୱର ଓଡ଼ିଶାର ଅନ୍ୟତମ ଶିକ୍ଷାନୁଷ୍ଠାନ ଭାବେ ଏହି ର‌୍ୟାଙ୍କିଙ୍ଗରେ ସ୍ଥାନ ପାଇଛି। ଓଡ଼ିଶାର କେବଳ ଦୁଇଟି ଶିକ୍ଷାନୁଷ୍ଠାନ ଏଥିରେ ସ୍ଥାନ ପାଇଛନ୍ତି।

ଶୈକ୍ଷିକ ଖ୍ୟାତି, ନିଯୁକ୍ତିଦାତାଙ୍କ ଖ୍ୟାତି, ଫ୍ୟାକଲ୍ଟିଙ୍କର ସନ୍ଦର୍ଭ, ଫ୍ୟାକଲ୍ଟି ଛାତ୍ର ଅନୁପାତ, ଆନ୍ତର୍ଜାତିକ ଫ୍ୟାକଲ୍ଟି ଏବଂ ଆନ୍ତର୍ଜାତିକ ଛାତ୍ରଛାତ୍ରୀ ସଂଖ୍ୟା ଇତ୍ୟାଦି ବିଭିନ୍ନ ମାପଦଣ୍ଡକୁ ନେଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏହି ର‌୍ୟାଙ୍କିଙ୍ଗ ପ୍ରଦାନ କରାଯାଇଛି।

ଓଡ଼ିଶାରେ ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ଶୀର୍ଷ ସ୍ଥାନରେ ରହିଥିବା ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ୨୦୨୩ ରେ ଦେଶରେ ୧୫ ତମ ସ୍ଥାନ ହାସଲ କରିଛି। ୨୦୧୬ ଠାରୁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍ ଆରମ୍ଭ ହେବା ପରଠାରୁ କ୍ରମାଗତ ଭାବେ ସୋଆ ଦେଶର ଶ୍ରେଷ୍ଠ ୨୫ ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପ୍ଧବ ଆସିଛି।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଏସ୍‌ଏଚ୍‌ଏମ୍‌ରେ ମହିଳାଙ୍କ ନିମନ୍ତେ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍‌’ ଆରମ୍ଭ

ଭୁବନେଶ୍ୱର: ଖାଦ୍ୟ ରନ୍ଧନ ଖୁବ୍ ଭଲ ଅନୁଭବ ଏବଂ ମା’ର ହାତ ରନ୍ଧାର ତୁଳନା ନାହିଁ। ଘରର ମହିଳାଟି ଯେଉଁ ଶ୍ରଦ୍ଧାରେ ଖାଦ୍ୟ ରାନ୍ଧିକି ଦିଏ ତାହାର ସ୍ୱାଦ ଖୁବ୍ ନିଆରା। କେବଳ ଖାଦ୍ୟ ସୁସ୍ୱାଦ ହେବା ଜରୁରୀ ନୁହେଁ ସେତିକି ଶରୀର ପାଇଁ ସ୍ୱାସ୍ଥ୍ୟକର ହେବା ଜରୁରୀ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ପକ୍ଷରୁ ସୋମବାର ମହିଳାମାନଙ୍କ ନିମନ୍ତେ ଆରମ୍ଭ ହୋଇଥିବା ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍‌’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛପନ ଭୋଗର ପ୍ରତିଷ୍ଠାତା ଶ୍ରୀ ସତ୍ୟବତ୍ର ମହାନ୍ତି କହିଛନ୍ତି।

କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେବା ଅବସରରେ ଦୁଇ ସପ୍ତାହବ୍ୟାପୀ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମହିଳାମାନେ କିଭଳି ରୁଚିକର ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିପାରିବେ ଓ ଠିକ୍ ଭାବେ ପରଷି ପାରିବେ ତାହା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି। ଏଭଳି କାର୍ଯ୍ୟକ୍ରମ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାରେ ସାହାଯ୍ୟ କରିବା ସହିତ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।

ଆମ ଖାଦ୍ୟ ଯେତିକି ପୁଷ୍ଟିକର ହେବ ତାହା ଆଗାମୀ ପିଢିମାନଙ୍କୁ ବଂଚେଇ ପାରିବ। ଅନେକ ମହିଳା ଘରେ କ୍ଲାଉଡ କିଚେନ୍ ଆରମ୍ଭ କରିଥିବା ପ୍ରକାଶ କହିଥିଲେ। ତେଣୁ ଏଭଳି କାର୍ଯ୍ୟକ୍ରମ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାରେ ସାହାଯ୍ୟ କରିବ ବୋଲି ଶ୍ରୀ ମହାନ୍ତି ଏହି ଅବସରରେ କହିଛନ୍ତି।

ଏସ୍‌ଏଚ୍‌ଏମ୍‌ର ପ୍ରଫେସର (ଡକ୍ଟର) ଅଂଶୁମାନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସୁସ୍ୱାଦୁକର ଭାରତୀୟ ବ୍ୟଞ୍ଜନ, ପୁଷ୍ଟିକର କନ୍‌ଟିନେଂଟାଲ୍ ବ୍ୟଞ୍ଜନ ଓ ବିଭିନ୍ନ ପ୍ରକାରର ମକ୍‌ଟେଲ୍ ପ୍ରସ୍ତୁତିର ପ୍ରଶିକ୍ଷଣ ଦିଆଯିବ। ପ୍ରତ୍ୟେକ ଦିନ ୨ଟାରୁ ୫ ଟା ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯିବ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ସେଂଟର ଫର୍ ଏନ୍‌ଟରପ୍ରେନ୍ୟୁୟରସିପ୍ ଆଣ୍ଡ ଇନୋଭେସନ୍ ମ୍ୟାନେଜମେଂଟ ଉଦ୍‌ଘାଟିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସେସ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡ୍ରୀ (ଆଇଭିଏସ୍‌ଏଏଚ୍‌) ରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱାବଲମ୍ବୀ କରାଇବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ‘ସେଂଟର ଫର୍ ଏନ୍‌ଟରପ୍ରେନ୍ୟୁୟରସିପ୍ ଆଣ୍ଡ ଇନୋଭେସନ୍ ମ୍ୟାନେଜମେଂଟ’ ଶୁକ୍ରବାର ସୋଆର ଉପସଭାପତି ଶାଶ୍ୱତୀ ଦାସଙ୍କ ଦ୍ଵାରା ଉଦ୍ଘାଟିତ ହୋଇଛି।

ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗ ଦେଇ ଶ୍ରୀମତି ଦାସ ଏହି ସେଂଟରକୁ ଉଦ୍ଘାଟନ କରି ଏହା ଦ୍ୱାରା ଏଗ୍ରିକଲ୍‌ଚର ଏବଂ ଭେଟେରିନାରୀ ସାଇନ୍ସେସ୍ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ନିଜେ ରୋଜଗାରକ୍ଷମ ହେବା ନିମନ୍ତେ ତାଲିମ ପାଇ ପାରିବେ ବୋଲି କହିଥିଲେ । ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର କିଭଳି ପ୍ରଚାର ପ୍ରସାର ଓ ବିକ୍ରି ହୋଇ ପାରିବ ସେ ନେଇ ଏଠାରେ ସେମାନଙ୍କୁ ପ୍ରଶିକ୍ଷିତ କରାଯିବ ବୋଲି ଶ୍ରୀମତି ଦାସ କହିଛନ୍ତି।

ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉପସ୍ଥିତ ରହି ଏହି ସେଂଟର ବିଷୟରେ ତଥ୍ୟ ପ୍ରଦାନ କରିବା ସହ ବଜାରରେ ସୋଆ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟ କିଭଳି ଉପଲବ୍ଧ ହେବ ଏବଂ ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ ସେ ବିଷୟରେ ଆଲୋଚନା କରିଥିଲେ।

ଏହି ସେଂଟରର ମୁଖ୍ୟ ପ୍ରଫେସର ସମରେନ୍ଦ୍ର ମହାନ୍ତି ବିସ୍ତୃତ ସୂଚନା ଦେଇ ଆଇଏଏସ୍ ଏବଂ ଆଇଭିଏସ୍‌ଏଏଚ୍‌ର ଛାତ୍ରଛାତ୍ରୀମାନେ ନିଜ ନିଜ ଅନୁଷ୍ଠାନରେ ଉଭୟ ଥିଓରୀ ଓ ପ୍ରାକ୍ଟିକାଲ୍ ପାଠ୍ୟକ୍ରମର ଜ୍ଞାନ ଆହରଣ କରିବା ପରେ ନିଜକୁ କିଭଳି ସ୍ୱାବଲମ୍ବୀ ହୋଇ ଉଦ୍ୟୋଗୀ ହୋଇ ପାରିବେ, ଅଭିନବ ପ୍ରଚେଷ୍ଟା କରିପାରିବେ ଓ ବ୍ୟବସାୟ ପରିଚାଳନା କରିପାରିବେ ସେ ସମ୍ପର୍କିତ ପ୍ରଶିକ୍ଷଣ ଦିଆଯିବ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଆଇଭିଏସ୍‌ଏଏଚ୍‌ର ଡିନ୍ ପ୍ରଫେସର ବ୍ରହ୍ମଦେବ ପଟ୍ଟନାୟକ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସଙ୍କ ସମେତ ଆଇଏଏସ୍ ଏବଂ ଆଇଭିଏସ୍‌ଏଏଚ୍‌ର ସମସ୍ତ ଫ୍ୟାକଲ୍ଟି ଓ ସୋଆ କର୍ମକର୍ତାଗଣ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଡିବିଟି ର ଦୁଇ ଦିନିଆ ସମୀକ୍ଷା ବୈଠକ

ଭୁବନେଶ୍ୱର: ଭାରତ ସରକାରଙ୍କ ଡିପାର୍ଟମେଂଟ ଅଫ୍ ବାୟୋଟେକନୋଲୋଜି (ଡିବିଟି)
ଅଧିନସ୍ଥ ରିସର୍ଚ୍ଚ ରିସୋର୍ସ ସର୍ଭିସ ଫେସିଲିଟି ଆଣ୍ଡ ପ୍ଳାଟଫର୍ମସ (ଆରଆରଏସଏଫପି)ର ଟାସ୍କଫୋର୍ସ ସଭ୍ୟମାନଙ୍କ ଦୁଇଦିନିଆ ସମୀକ୍ଷା ବୈଠକ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟଠାରେ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି।

ଏହି ବୈଠକରେ ଡିବିଟି – ଆରଆରଏସଏଫପି ଅଧିନସ୍ଥ ବିଭିନ୍ନ ପରିକଳ୍ପନା ଗୁଡିକର ସମୀକ୍ଷା କରାଯାଇଥିଲା। ଏଥିରେ ଦେଶର୨୪ଟିରୁ ଅଧିକ ପ୍ରତିଷ୍ଠାନ ସେମାନଙ୍କ ଦ୍ୱାରା କରାଯାଉଥିବା ଗବେଷଣା କାର୍ଯ୍ୟର ରିପୋର୍ଟ ପ୍ରଦାନ କରିଥିଲେ। ଏଥିରେ ବିଭିନ୍ନ କାର୍ଯ୍ୟଗୁଡିକର ବିଭିନ୍ନ ଦିଗକୁ ନେଇ ଆଲୋଚନା କରାଯାଇଥିଲା। ଗବେଷଣା ପ୍ରତି ଛାତ୍ରଛାତ୍ରୀ ମାନଙ୍କ ଆଗ୍ରହ ବୃଦ୍ଧି ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ବିଷୟ ମଧ୍ୟ ଆଲୋଚିତ ହୋଇଥିଲା। ସୋଆ ବିଶ୍ୱବିଦ୍ୟାଳୟରେ ହେଉଥିବା ଗବେଷଣା ବିଷୟରେ ମଧ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରିପୋର୍ଟ ପ୍ରଦାନ କରାଯାଇଥିଲା।

ଏହି ବୈଠକରେ ଯୋଗଦେଇଥିବା ସଭ୍ୟମାନଙ୍କ ମଧ୍ୟରେ ଟାକ୍ସଫୋର୍ସ ଅଧ୍ୟକ୍ଷ ପ୍ରଫେସର ଏମ.ରାଧାକୃଷ୍ଣ ପିଲାଇ (କେରଳସ୍ଥିତ ରାଜୀବ ଗାନ୍ଧୀ ସେଂଟର ଫର ବାୟୋଟେକ୍‌ନୋଲୋଜି ର ପୂର୍ବତନ ନିର୍ଦ୍ଦେଶକ), ଉପାଧ୍ୟକ୍ଷ ପ୍ରଫେସର ଏଲ.ଏସ୍‌.ଶଶୀଧର (ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ ସେଂଟର ଫର ବାୟୋଲୋଜିକାଲ ସାଇନସେସର ନିର୍ଦ୍ଦେଶକ), ପ୍ରଫେସର ସୁନୀତ କୁମାର ସିଂହ (ଦିଲ୍ଲୀ ସ୍ଥିତ ଡ. ବି.ଆର.ଅମ୍ବେଦକର ସେଂଟର ଫର
ବାୟୋକେମିକାଲ ରିସର୍ଚ୍ଚର ନିର୍ଦ୍ଦେଶକ), ପ୍ରଫେସର ରମେଶ ଶର୍ମା (ଶିଲଂ ସ୍ଥିତ ନର୍ଥ ଇଷ୍ଟ ହିଲ ୟୁନିଭର୍ସିଟିର ଅବସର ପ୍ରାପ୍ତ ପ୍ରଫେସର), ଡ. ସୁବୀର ମଜୁମଦାର (ଗାନ୍ଧୀନଗର ସ୍ଥିତ ଗୁଜୁରାଟ ବାୟୋଟେକ୍‌ନୋଲୋଜି ୟୁନିଭର୍ସିଟିର ଡାଇରେକ୍ଟର ଜେନେରାଲ), ପ୍ରଫେସର ଅଶ୍ୱନୀ ପାରିକ (ମୋହାଲି ସ୍ଥିତ ନ୍ୟାସ୍‌ନାଲ୍ ଏଗ୍ରି -ଫୁଡ ବାୟୋଟେକନୋଲୋଜି ଇନଷ୍ଟିଚ୍ୟୁଟର ଏଗଜିକ୍ୟୁଟିଭ୍ ଡାଇରେକ୍ଟର), ଡ. ମୁକେଶ ଜୈନ, (ଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ୟୁନିଭର୍ସିଟିର ପ୍ରଫେସର), ପ୍ରଫେସର ପି.ଏନ.ରଙ୍ଗରାଜନ (ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନସର ପ୍ରଫେସର), ପ୍ରଫେସର ଏସ.ଏମ.ଶ୍ରୀନିଭାସୁଲା (ତିରୁପତି ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନସ ଏଜୁକେସନ ଆଣ୍ଡ ରିସର୍ଚ୍ଚର ପ୍ରଫେସର), ଡ.ଏମ.କେ.ଭଟ୍ଟ (ପୁନେସ୍ଥିତ ନ୍ୟାସନାଲ ସେଂଟର ଫର ସେଲ ସାଇନସର ନିର୍ଦ୍ଦେଶକ) ଓପ୍ରଫେସର ଦେବାଶିଷ ମିତ୍ର (ପୁନେସ୍ଥିତ ନ୍ୟାସନାଲ୍ ସେଂଟର ଫର ସେଲ ସାଇନସର ପ୍ରଫେସର) ଥିଲେ।

ଡିବିଟିର ବୈଜ୍ଞାନିକ ଡ. ସଞ୍ଜୟ ମିଶ୍ର ଓ ଡ. ଗାରିମା ଗୁପ୍ତା ତଥା ଜୁନିୟର ଟେକ୍‌ନିକାଲ୍ ଆସିଷ୍ଟାଂଟ ଶ୍ରୀ ପ୍ରତ୍ୟୁଷ ସିହ୍ନା ସଂଯୋଜକ ଭାବେ କାର୍ଯ୍ୟ କରିଥିବା ବେଳେ ସୋଆ ପକ୍ଷରୁ ସ୍କୁଲ୍ ଅଫ୍ ଫାର୍ମାସୁଟିକାଲ୍ ସାଇନସେସର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି , ପ୍ରଫେସର ଗୌତମ ରଥ, ପ୍ରଫେସର ଦୁର୍ଗାମାଧବ କର ଓ ପ୍ରଫେସର ବି. ବି.ସୁବୁଦ୍ଧି ସଂଯୋଜକ ଭାବେ ଦାୟିତ୍ୱ ତୁଲାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏପ୍ରିଲ୍ ୨୧ରୁ ପ୍ରଚଣ୍ଡ ରୌଦ୍ର ତାପରୁ ଆଶ୍ୱସ୍ତି ମିଳିପାରେ: ସିଇସି

ଭୁବନେଶ୍ୱର: ବଙ୍ଗୋପସାଗରରେ ଆଂଟି ସାଇକ୍ଲୋନ ସୃଷ୍ଟି ହେବାର ସମ୍ଭାବନା କାରଣରୁ ଓଡ଼ିଶାରେ ଆସନ୍ତା ୨୧ ତାରିଖ ଠାରୁ ପ୍ରଚଣ୍ଡ ଖରା ତାତିରୁ କିଛିଟା ଆଶ୍ୱସ୍ତି ମିଳିପାରେ ବୋଲି ଆଜି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ଜାରି ରହିଥିବା ଖରା ତାତି ଆଉ ଗୋଟିଏ ଦିନ ରହିବାର ସମ୍ଭାବନା ଥିବା ବେଳେ ଏପ୍ରିଲ ୨୧ ତାରିଖରୁ ସମୁଦ୍ର ଆଡୁ ଉପକୂଳ ଅଂଚଳକୁ ଦୁର୍ବଳ ବାୟୁ ପ୍ରବାହ ହେବ। ଏହା ଏପ୍ରିଲ ୨୫ ପର୍ଯ୍ୟନ୍ତ ଜାରି ରହିପାରେ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।

ଏପ୍ରିଲ୍ ୨୧ ଏବଂ ଏହାର ପରବର୍ତ୍ତୀ ଦିନ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କେତୋଟି ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି।

ତେବେ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ଦିନର ତାପମାତ୍ରା ୩୮ ଡିଗ୍ରୀରୁ ୪୧ ଡିଗ୍ରୀ ସେଲ୍‌ସିଅସ ମଧ୍ୟରେ ରହିବାର ସମ୍ଭାବନା ଥିବାବେଳେ ଉପକୂଳବର୍ତ୍ତୀ ଅଂଚଳରେ ୩୭ ଡିଗ୍ରୀରୁ ୩୯ ଡିଗ୍ରୀ ସେଲ୍‌ସିଅସ ମଧ୍ୟରେ ରହିପାରେ। କେତେକ ସ୍ଥାନରେ ୩୬ ଡିଗ୍ରୀ ସେଲ୍‌ସିଅସରୁ କମ୍ ରହିପାରେ ବୋଲି ସେ କହିଛନ୍ତି।

ତେବେ ଏପ୍ରିଲ୍ ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଦିନର ତାପମାତ୍ରା ବୃଦ୍ଧିପାଇ ଏପ୍ରିଲ୍ ୨୮ ତାରିଖ ପରେ ୪୪ରୁ ୪୫ ଡିଗ୍ରୀ ସେଲସିଅସ ରହିପାରେ ବୋଲି ଡ଼. ସାହୁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଆଇଏଏସ୍ ରେ ବାର୍ଷିିକ ଉତ୍ସବ “ଅର୍ଣ୍ଣ-୨୦୨୪” ଅନୁଷ୍ଠିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସସେ୍ (ଆଇଏଏସ୍)ରେ ବାର୍ଷିକ ଉତ୍ସବ “ଅର୍ଣ୍ଣ-୨୦୨୪” ଆୟୋଜିତ ହୋଇଯାଇଛି। ଗତ ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ଆୟୋଜିତ ଏହି ବାର୍ଷିକ ଉତ୍ସବ ରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ କୁଳପତି ପ୍ରଫେସର ମନୋରଂଜନ କର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଓଡିଶାର କୃଷିଭିତିକ ଅର୍ଥନୀତି ଓ ଆଧୁନିକ କୃଷି ବିଜ୍ଞାନ ର ଅଗ୍ରଗତି ରେ ଛାତ୍ରଛାତ୍ରମାନଙ୍କର ଭୂମିକା ବିଷୟରେ ଆଲୋକପାତ କରିଥିଲେ।

ଅନ୍ୟତମ ବିଶିଷ୍ଟ ଅତିଥି ଭାବରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ସୋଆରେ କୃଷି ଶିକ୍ଷା ବ୍ୟବସ୍ଥା ର ଅଭିନବ ପଦକ୍ଷେପ ବିଷୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସୋଆ ର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଯୋଗଦେଇଥିଲେ। କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ଦେଇଥିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ। ଆଇଏଏସ୍ ର ପ୍ର୍ରଫେସର ବିଜୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ କ୍ରୀଡା ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିôବା ବେଳେ କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ଓଲିଉଡର ଖ୍ୟାତିନାମା କଣ୍ଠଶିଳ୍ପୀ ଅନ୍ତରା ଚକ୍ର୍ରବର୍ତୀ ଓ ସ୍ୱୟମ୍ ପ୍ରଭାସ ପାଢୀ ଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ସନ୍ଧ୍ୟାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମନୋଜ୍ଞସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ ସୋଆ କବାଡି ଟିମ୍ ର ଦ୍ୱିତୀୟ ସ୍ଥାନ ହାସଲ

ଭୁବନେଶ୍ୱର: ଗତ ଫେବୃୟାରୀ ୧୩ ତାରିଖ ଦିନ କଟକରେ ଶେଷ ହୋଇଥିବା ଦ୍ୱିତୀୟ ଓଡିଶା ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରପୁରୁଷ କବାଡି ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ଦଳ ଫାଇନାଲ ରେ ପୁରୀର ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଠାରୁ ୨୩ -୪୮ ପଏଂଟ୍ ରେ ହାରି ଯାଇଥିଲା।

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏହି ପ୍ରତିଯୋଗିତା ଏହି ଆୟୋଜିତ ହୋଇଥିଲା। ସେହିପରି ବାସ୍କେଟବଲରେ ସୋଆର ପୁରୁଷ ଟିମ୍ ସେମିଫାଇନାଲରେ ୩୯- ୫୪ ପଏଂଟ୍ ରେ ଉତ୍କଳ ବିଶ୍ୱବିଦ୍ୟାଳୟଠାରୁ ପରାଜୟ ବରଣ କରି ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ପୁରୁଷ ଟେବୁଲ ଟେନିସ୍‌ର ସେମିଫାଇନାଲରେ ସୋଆର ଅବିନାଶ ତ୍ରିପାଠୀ ପରାସ୍ତ ହୋଇ ତୃତୀୟ ସ୍ଥାନ ହାସଲ କରିଥିଲେ।

ଏହି ଖେଳାଳୀ ମାନେ ଗୁରୁବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କୁ ସାକ୍ଷାତ କରିଥିବାବେଳେ ସେ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ଆହୁରି ଭଲ ପ୍ରଦର୍ଶନ ନିମନ୍ତେ ପ୍ରୋତ୍ସାହନ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ମିନିଗଲ୍‌ଫ୍ ଟିମ୍ ରେ ସୋଆର ୬ ଛାତ୍ରଛାତ୍ରୀ ଓ ଜଣେ ଫ୍ୟାକଲ୍ଟି ମନୋନୀତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ର ଛଅ ଜଣ ଛାତ୍ରଛାତ୍ରୀ ଓ ଜଣେ ଫ୍ୟାକଲ୍ଟି ଆସନ୍ତା ମାର୍ଚ୍ଚ ମାସ ୩ ତାରିଖ ରୁ ୬ ତାରିଖ ପର୍ଯ୍ୟନ୍ତ ନାଗପୁରଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ପୁରୁଷ ଓ ମହିଳା ମିନି ଗଲ୍ଫ ଚାମ୍ପିଅନ୍‌ସିପ୍‌ରେ ଭାଗ ନେବା ନିମନ୍ତେ ମନୋନୀତ ହୋଇଛନ୍ତି।

ଓଡିଶା ମିନି ଗଲ୍ଫ ଆସୋସିଏସ୍‌ନ୍ ଠାରୁ ମିଳିଥିବା ପତ୍ର ଅନୁଯାୟୀ ଭିନୀତ ଦାସ, ଆଦିତ୍ୟ ରାଜ ଦୋରା ଓ ବାଦଲ ସାମଲ ପୁରୁଷ ଦଳ ନିମନ୍ତେ ମନୋନୀତ ହୋଇଥିବାବେଳେ ଆଦ୍ୟାଶା ମିଶ୍ର, ଅମୃତା ଦାସ ଓ ଲିପ୍ସା ମହାନ୍ତି ମହିଳା ଦଳ ନିମନ୍ତେ ମନୋନୀତ ହୋଇଛନ୍ତି।

ସେହିପରି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ର ଆସିଷ୍ଟାଂଟ୍ ପ୍ରଫେସର ସ୍ମୁତିରେଖା ପଟ୍ଟନାୟକ ମଧ୍ୟ ମହିଳା ଦଳ ନିମନ୍ତେ ମନୋନୀତ ହୋଇଛନ୍ତି।

ମନୋନୀତ ହୋଇଥିବା ଖେଳାଳି ମାନେ ଗୁରୁବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କୁ ସାକ୍ଷାତ କରିଥିବାବେଳେ ସେ ଏହି ଚାମ୍ପିଅନସିପ୍‌ରେ ଭାଗ ନେଉଥିବା ଖେଳାଳିମାନଙ୍କର ସଫଳତା କାମନା କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପ୍ରାକୃତିକ ଉତ୍ପାଦରୁ ଔଷଧ ପ୍ରସ୍ତୁତି ନିମନ୍ତେ ଆମେରିକୀୟ କମ୍ପାନୀ ସହ କାର୍ଯ୍ୟ କରିବ ସୋଆ

ଭୁବନେଶ୍ୱର : ଜଟିଳ ବ୍ୟାଧି ଗୁଡ଼ିକର ଚିକିତ୍ସା କରିବା ନିମନ୍ତେ ପ୍ରାକୃତିକ ଉତ୍ପାଦରୁ ଔଷଧ ପ୍ରସ୍ତୁତ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଆମେରିକାର ଥିଙ୍କ ଫାର୍ମା ଆଣ୍ଡ ଆର‌୍ୟୁବିଦ୍ୟା ହେଲ୍‌ଥ କେୟାର ଇନୋଭେସନ୍ ମିଳିତ ଭାବେ ଗବେଷଣା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ଶନିବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏବଂ ବିଶିଷ୍ଟ ବୈଜ୍ଞାନିକ ତଥା ଥିଙ୍କ ଫାର୍ମା ଆଣ୍ଡ ଆର‌୍ୟୁବିଦ୍ୟା ହେଲ୍‌ଥ କେୟାର ଇନୋଭେସନର ସଭାପତି ତଥା ଚିଫ୍ ସାଇନ୍‌ଟିଫିକ୍ ଅଫିସର ଡକ୍ଟର ମୁକୁନ୍ଦ ଏସ୍‌. ଚୋର୍‌ଘାଡେଙ୍କ
ମଧ୍ୟରେ ସାକ୍ଷାତ ଅବସରରେ ଏହି ସମ୍ପର୍କରେ ଆଲୋଚନା କରାଯାଇଛି। ଏହି ଆଲୋଚନା ବେଳେ ଅନ୍ୟ ବୈଜ୍ଞାନିକମାନେ ଉପସ୍ଥିତ ଥିଲେ।

ଉଭୟ ପକ୍ଷ ଏକ ଗବେଷକ ଦଳ ଗଠନ କରି ପ୍ରାକୃତିକ ଏବଂ ସିନ୍‌ଥେଟିକ୍ ଉତ୍ପାଦରୁ ନୂତନ ଔଷଧ ଏବଂ ଔଷଧ ଜାତୀୟ ଦ୍ରବ୍ୟ ବିକଶିତ କରିବେ। ଆମେରିକୀୟ କମ୍ପାନୀର ଗବେଷକଙ୍କ ସମେତ ସୋଆର ଫାର୍ମାସୀ, ବାୟୋଟେକ୍ନୋଲଜି, ମେଡିକାଲ୍ ସାଇନ୍‌ସେସ୍ ଏବଂ ଇଞ୍ଜିନିୟରିଂ ବିଭାଗର ଗବେଷକଙ୍କୁ ନେଇ ଦଳ ଗଠନ କରାଯାଇ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ।

ଡକ୍ଟର ଚୋର୍‌ଘାଡେ ଆମେରିକାନ୍ କେମିକାଲ୍ ସୋସାଇଟି (ଏସ୍‌ଏସିଏସ୍‌)ର ଜଣେ ଫେଲୋ। ସେ ଔଷଧର ଉଦ୍‌ଭାବନ, ବିକାଶ ଏବଂ ପାରମ୍ପରିକ ଭାରତୀୟ ଔଷଧକୁ ନେଇ ଗବେଷଣା କରୁଛନ୍ତି । ଏହି ଆଲୋଚନା ସମୟରେ ହାଇଦ୍ରାବାଦ ସ୍ଥିତ ସିଏସ୍‌ଆଇଆର୍‌-ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜିର ଚିଫ୍ ସାଇନ୍‌ଟିଷ୍ଟ ଡକ୍ଟର ଦେବେନ୍ଦ୍ର କୁମାର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ।

କେମୋସିନ୍ଥେଟିକ୍ ଆର୍ଟିଫିସିଆଲ୍ ଲିଭର୍ ଉଦ୍‌ଭାବନ ନିମନ୍ତେ ଡକ୍ଟର ଚୋରଘାଡେ ପ୍ରସିଦ୍ଧି ଲାଭ କରିଛନ୍ତି। ଡକ୍ଟର ଚୋରଘାଡେ ହାବାର୍ଡର ହାର୍ଭାର୍ଡ, କାଲ୍‌ଟେକ୍‌, ୟୁନିଭର୍ସିଟି ଅଫ୍ ଚିକାଗୋ, ଏମ୍‌.ଆଇ.ଟି, ୟୁନିଭର୍ସିଟି ଅଫ୍ ବ୍ରିଟିଶ କଲମ୍ବିଆ, ୟୁନିଭର୍ସିଟି ଲୁଇସ୍ ପାସ୍ତର, ଆଇସିଟି ଏବଂ ସିଏସ୍‌ଆଇଆର ଇତ୍ୟାଦିରେ ଆଡଜଂକ୍ଟ ରିସର୍ଚ୍ଚ ପ୍ରଫେସର, ଭିଜିଟିଂ ଫେଲୋ ବା ଭିଜିଟିଙ୍ଗ ସାଇନ୍‌ଟିଷ୍ଟ ଭାବେ କାର୍ଯ୍ୟ କରିଛନ୍ତି।

ଏହି ଆଲୋଚନା ସମୟରେ ସୋଆ ସେଂଟର ଫର ନାନୋ ସାଇନ୍‌ସେସ୍ ଆଣ୍ଡ ନାନୋ ଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡା, ବାୟୋ ଫୁଏଲ୍ ଆଣ୍ଡ ବାୟୋ ପ୍ରୋସେସିଂ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଲା, ସେଂଟର ଫର
ଇଣ୍ଡଷ୍ଟ୍ରିଆଲ ବାୟୋଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର ହୃଦୟ ନାଥ ଥାଟୋଇ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ପ୍ରଫେସର ଜ୍ଞାନ ରଞ୍ଜନ ରାଉତ, ସେଂଟର ଫର ବାୟୋଟେକ୍ନୋଲୋଜିର ମୁଖ୍ୟ ପ୍ରଫେସର ସଂଘମିତ୍ରା ନାୟକ, ଏହି ବିଭାଗର ପ୍ରଫେସର ଇ. ସୁବୁଦ୍ଧି ଏବଂ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ପ୍ରଫେସର ପ୍ରତାପ କୁମାର ସାହୁ, ପ୍ରଫେସର ବି.ବି ସୁବୁଦ୍ଧି ଓ ପ୍ରଫେସର ଲକ୍ଷ୍ମୀଧର ମହାରଣା ଉପସ୍ଥିତ ଥିଲେ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ପ୍ରଥମ ସୋଆ ଅନ୍ତଜାର୍ତୀୟ ଗ୍ରାଣ୍ଡ୍ ମାଷ୍ଟର୍ସ ଚେସ୍ ଉଦ୍‌ଯାପିତ, ଜିଏମ୍ ସାୟନ୍ତନ ଚାମ୍ପିୟନ୍, ସମ୍ବିିିତ ତୃତୀୟ

ଭୁବନେଶ୍ୱର: ପ୍ରଥମ ସୋଆ ଅନ୍ତଜାର୍ତୀୟ ଗ୍ରାଣ୍ଡ୍ ମାଷ୍ଟର୍ସ ଚେସ୍ ଉତ୍ସବ ଏ’ ବର୍ଗରେ ଗ୍ରାଣ୍ଡ ମାଷ୍ଟର ( ଜିଏମ୍‌) ସାୟନ୍ତନ ଦାସ (୨୫୨୪) ଚାମ୍ପିଅନ ହୋଇଛନ୍ତି। ସେ ସର୍ବାଧିକ ୮ ପଏଂଟ୍ ସହ ପ୍ରଥମ ସ୍ଥାନ ହାସଲ କରିଥିଲେ। ଜିଏମ୍ ଦୀପ୍ତାୟନ ଘୋଷ (୨୫୬୮) ୭.୫ ପଏଂଟ୍ ସହ ରନର୍ସ ଅପ୍ ଏବଂ ସମାନ ପଏଂଟ୍ ସହ ଓଡିଆ ଆଇଏମ୍ ସମ୍ବିତ ପଣ୍ଡା (୨୪୦୪) ରେ ତୃତୀୟ ସ୍ଥାନ ହାସଲ କରିଛନ୍ତି।

ସେହିପରି ସି’ ବର୍ଗରେ ହରିଆନାର ବ୍ୟୋମ ମାଲହୋତ୍ରା ୯ ରାଉଣ୍ଡରୁ ସର୍ବାଧିକ ୮ ପଏଂଟ୍ ପାଇ ଚାମ୍ପିିଅନ୍‌, ସମାନ ପଏଂଟ୍ ରଖି ଇଶା ସିହ୍ନା ରନର୍ସଅପ୍‌, ଆରିତ କପିଲ ତୃତୀୟ ଏବଂ ଓଡିଶାର ସୃଜନ ପ୍ରଣୟୀ ରୟ ଚତୁର୍ଥ ସ୍ଥାନ ହାସଲ କରିଥିଲେ।

ଉଦ୍‌ଯାପନୀ ଉତ୍ସବରେ ସର୍ବଭାରତୀୟ ଚେସ୍ ସଂଘ ସଭାପତି ଡ. ସଂଜୟ କପୁର ମୁଖ୍ୟ ଅତିଥି ଏବଂ ସୋଆ କୁଳପତି ପ୍ରଫେସର ପି.କେ ନନ୍ଦ, ଶ୍ୱେତାସ୍ନିଗ୍ଧା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡିଶା ସଂଘର ସଭାପତି ଜି.ସି ମହାପାତ୍ର, ସମ୍ପାଦକ ଦେବବ୍ରତ ଭଟ୍ଟ, ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ଶଙ୍କର ପ୍ରସାଦ ମିଶ୍ର ଏବଂ ତାପସ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ।

ସାୟନ୍ତନ ଓ ଦୀପ୍ତାୟାନ୍ ଅନ୍ତିମ ବାଜି ଡ୍ର’ ରଖି ପଏଂଟ୍ ଭାଗ କରିଥିଲେ । ସମ୍ବିିତ କିନ୍ତୁ ଶୁଭୟନ କୁଣ୍ଡୁ ସମେଦଙ୍କୁ ହରାଇଥିଲେ। ଓଡିଆ ଆଇଏମ୍ ସିଦ୍ଧାନ୍ତ ମହାପାତ୍ର ୫.୫ ପଏଂଟ୍ ସହ ୩୫ତମ ସ୍ଥାନରେ ରହିଥିଲେ। ଅନ୍ୟ ଓଡିଆଙ୍କ ମଧ୍ୟରେ ପ୍ରିଅଂଶ ଦାସ ୫ ପଏଂଟ୍‌, ନିଲସୁ ପଟ୍ଟନାୟକ ୫ ପଏଂଟ୍‌, ସାଇନା ସାଲୋନିକା ୨. ୫ ପଏଂଟ୍ ଓ ରାଜେଶ ନାୟକ ୦.୫ ପଏଂଟ୍ ପାଇଥିଲେ। ସି’ ବର୍ଗରେ ଶ୍ରେଷ୍ଠ ୧୦ସ୍ଥାନ ମଧ୍ୟରେ ଓଡିଶାର ଏସ୍‌,କେ ସୟଦ (୭ ପଏଂଟ୍‌, ନବମ ସ୍ଥାନ ) ରହିଥିଲେ।

ଏ’ବର୍ଗରେ ଶ୍ରେଷ୍ଠ ୪୦ତମ ସ୍ଥାନ ମଧ୍ୟରେ ଥିବା ଖେଳାଳିଙ୍କ ସହ ବିଭିନ୍ନ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ଚାମ୍ପିିଅନ୍ ସାୟନ୍ତନଙ୍କୁ ଟ୍ରଫି ସହ ୩ ଲକ୍ଷ, ରନର୍ସଅପ୍ ଦୀପ୍ତାୟନଙ୍କୁ ଟ୍ରଫି ସହ ୨ଲକ୍ଷ, ତୃତୀୟ ସ୍ଥାନ ହାସଲ କରିଥିବା ସମ୍ବିତଙ୍କୁ ଟ୍ରଫି ସହ ୧ଲକ୍ଷ ୫୦ ହଜାର ଏବଂ ଚତୁର୍ଥ ସ୍ଥାନ ହାସଲରେ ଥିବା ନୀଲାଶ ସାହାଙ୍କୁ ୯୦ ହଜାର ଟଙ୍କା ପୁରସ୍କାର ମିଳିଥିଲା।

ସେମିତି ସି’ବର୍ଗର ଚାମ୍ପିିଅନ୍‌ଙ୍କୁ ୭୫ ହଜାର ଟଙ୍କା ସହ ଟ୍ରଫି, ରନର୍ସଅପ୍ ଙ୍କୁ ୫୦ ହଜାର ସହ ଟ୍ରଫିଏବଂ ତୃତୀୟ ସ୍ଥାନ ହାସଳ କରିଥିବା ଆରିତଙ୍କୁ ୪୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା।

ଏହି ବର୍ଗରେ ଶ୍ରେଷ୍ଠ ୩୫ଜଣ ଏବଂ ଅନ୍ୟାନ୍ୟ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।