Categories
ଆଜିର ଖବର ଜାତୀୟ ଖବର

ବଦଳିଲା ଅଯୋଧ୍ୟା: ଆହୁରି ଚମତ୍କାର ହେବ ସହରର ଆଧ୍ୟାତ୍ମିକ ଯାତ୍ରା

ନୂଆଦିଲ୍ଲୀ: ଅଯୋଧ୍ୟାର କେନ୍ଦ୍ରସ୍ଥଳରେ, ଯେଉଁଠାରେ ଇତିହାସ ଆଧ୍ୟାତ୍ମିକତା ସହିତ ନିରବଚ୍ଛିନ୍ନ ଭାବରେ ଜଡ଼ିତ ଅଛି, ସେଠାରେ ଏକ ସ୍ମରଣୀୟ ପରିବର୍ତ୍ତନ ଆସିଛି, ଯାହା ରାମ ମନ୍ଦିରର ପବିତ୍ର ପରିସର ଠାରୁ ବହୁ ଦୂର ପର୍ଯ୍ୟନ୍ତ ବିସ୍ତାରିତ । ଭବ୍ୟ ଶ୍ରୀ ରାମ ମନ୍ଦିର ଆକାର ନେଉଥିବା ବେଳେ , ଭାରତ ସରକାର ଏକ ଦୂରଦର୍ଶୀ ପଦକ୍ଷେପ ନେଇ ଅଯୋଧ୍ୟାର ଯୋଗାଯୋଗ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିଛନ୍ତି, ଯାହା ପ୍ରାଚୀନ ସହରକୁ ଆହୁରି ଭବ୍ୟ ଓ ସୁନ୍ଦର କରିଛି ।

ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ନୂତନ ଅମୃତ ଭାରତ ଟ୍ରେନ୍ ଏବଂ ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ଏହି ବିକାଶରେ ସବୁଠାରୁ ଆଗରେ ଅଯୋଧ୍ୟାର ନବନିର୍ମିତ ଓ ପୁନଃବିକଶିତ ରେଳ ଷ୍ଟେସନ ରହିଛି, ଯାହା ଏବେ ଅଯୋଧ୍ୟା ଧାମ ରେଳ ଷ୍ଟେସନ ନାମରେ ନାମିତ ହୋଇଛି । ୨୪୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ ଏହି ଷ୍ଟେସନ ଯୋଗାଯୋଗ କ୍ଷେତ୍ରରେ ଆଧୁନିକୀକରଣ ପାଇଁ ସରକାରଙ୍କ ପ୍ରତିବଦ୍ଧତାର ପ୍ରତୀକ । ଏହି ତିନି ମହଲା ବିଶିଷ୍ଟ ଚମତ୍କାର ଷ୍ଟେସନରେ ଆଧୁନିକ ସୁବିଧା ସହିତ ଆଧ୍ୟାତ୍ମିକତାର ମିଶ୍ରଣ ଦେଖିବାକୁ ମିଳେ, ଯେଉଁଠାରେ ଲିଫ୍ଟ, ଏସ୍କେଲେଟର, ଫୁଡ୍ ପ୍ଲାଜା ଏବଂ ପୂଜା ଆବଶ୍ୟକତା ପୂରଣ କରୁଥିବା ଦୋକାନ ଇତ୍ୟାଦି ରହିଛି । କାର୍ଯ୍ୟକାରିତା ବ୍ୟତୀତ ଏହା କ୍ଲୋକ୍‌ରୁମ, ଶିଶୁ ଯତ୍ନ କକ୍ଷ ଏବଂ ଅପେକ୍ଷା ଗୃହ ଭଳି ସୁବିଧା ସହିତ ଅନ୍ତର୍ଭୁକ୍ତିକରଣକୁ ପ୍ରାଥମିକତା ଦେଇଥାଏ, ଗର୍ବର ସହ ‘ସମସ୍ତଙ୍କ ପାଇଁ ଉପଲବ୍ଧ’ ଏବଂ ‘ଆଇଜିବିସି ସାର୍ଟିଫାଏଡ୍ ଗ୍ରୀନ୍ ଷ୍ଟେସନ୍ ବିଲ୍ଡିଂ’ ଲେବଲ୍ ଧାରଣ କରେ । ପ୍ରଧାନମନ୍ତ୍ରୀ ନିଜେ ଅଯୋଧ୍ୟାରେ ପହଞ୍ଚି ଦେଶର ଏକ ନୂଆ ବର୍ଗର ସୁପରଫାଷ୍ଟ ପାସେଞ୍ଜର ଟ୍ରେନ୍ ଅମୃତ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବା ପରେ ଏହି ପରିବର୍ତ୍ତନର ମହତ୍ତ୍ୱ ଉପରେ ଆଲୋକପାତ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟା – ଆନନ୍ଦ ବିହାର ଟର୍ମିନାଲ ବନ୍ଦେ ଭାରତ ଏକ୍ସପ୍ରେସକୁ ମଧ୍ୟ ଉଦଘାଟନ କରିଥିଲେ ।

ଡିସେମ୍ବର ୨୦୨୩ରେ ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନ ବନ୍ଦର ଉଦ୍‌ଘାଟନ ପରେ ଅଯୋଧ୍ୟାର ପରିବର୍ତ୍ତିତ ରେଳ ସୁବିଧା ବାହାରେ ବ୍ୟାପକ ହୋଇଛି । ୧୪୫୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ପ୍ରଥମ ପର୍ଯ୍ୟାୟରେ ୬୫୦୦ ବର୍ଗମିଟର ପରିମିତ ଏକ ଅତ୍ୟାଧୁନିକ ଟର୍ମିନାଲ ନିର୍ମାଣ କରାଯାଇଛି, ଯାହା ବାର୍ଷିକ ୧୦ ଲକ୍ଷ ଯାତ୍ରୀଙ୍କୁ ସେବା ପ୍ରଦାନ କରିବ । ଆଗାମୀ ଶ୍ରୀରାମ ମନ୍ଦିରକୁ ପ୍ରତିଫଳିତ କରୁଥିବା ଏହି ଟର୍ମିନାଲର ଆଖପାଖରେ ମନ୍ଦିର ଅନୁପ୍ରାଣିତ ସ୍ଥାପତ୍ୟ ଥିବା ବେଳେ ଏହାର ଆଭ୍ୟନ୍ତରୀଣ ଭାଗରେ ସହରର ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରୁଥିବା ସ୍ଥାନୀୟ କଳା ଏବଂ ଭିତ୍ତିଭୂମି କୁ ଦର୍ଶାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଏହି ବିମାନ ବନ୍ଦର ବାର୍ଷିକ ୬୦ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇବା ସହ ଉନ୍ନତ ଯୋଗାଯୋଗକୁ ବୃଦ୍ଧି କରିବ । ଏହା ବ୍ୟତୀତ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା, ବ୍ୟବସାୟିକ କାର୍ଯ୍ୟକଳାପକୁ ଅଧିକ କରିବା ଏବଂ ଏହି ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ।

ଅଯୋଧ୍ୟାରେ ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନ ବନ୍ଦରର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

ଅଯୋଧ୍ୟାର ପରିବର୍ତ୍ତନ କେବଳ ପରିବହନ ଭିତ୍ତିଭୂମିରେ ସୀମିତ ନୁହେଁ ଏବଂ ଏହା ଅଯୋଧ୍ୟାର ସାମଗ୍ରିକ ବିକାଶ ପର୍ଯ୍ୟନ୍ତ ବିସ୍ତାରିତ । ନିକଟରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାଳରେ ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ସୁବିଧା ବୃଦ୍ଧି ପାଇଁ ୪ଟି ନବବିକଶିତ, ପ୍ରଶସ୍ତ ଏବଂ ସୌନ୍ଦର୍ଯ୍ୟମୟ ରାସ୍ତା – ରାମ ପଥ, ଭକ୍ତି ପଥ, ଧର୍ମ ପଥ ଏବଂ ଶ୍ରୀରାମ ଜନ୍ମଭୂମି ପଥର ଉଦଘାଟନ କରାଯାଇଛି, ଦେଖିବାକୁ ମିଳିଥିଲା ।

 

ଅଯୋଧ୍ୟାର ଭିତ୍ତିଭୂମିର ପୁନଃବିକାଶ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ନିବେଶ ସହରର ପରିବର୍ତ୍ତନ ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟ ପ୍ରଦର୍ଶନ କରେ । ଯୋଗାଯୋଗରେ ଉନ୍ନତି ଆଣିବା, ପର୍ଯ୍ୟଟକଙ୍କ ଅଭିଜ୍ଞତା ବୃଦ୍ଧି କରିବା ଏବଂ ଏହାର ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ ରଖିବା ଦ୍ୱାରା ଅଯୋଧ୍ୟା ତୀର୍ଥ ଯାତ୍ରା, ପର୍ଯ୍ୟଟନ ଏବଂ ଅର୍ଥନୈତିକ ସମୃଦ୍ଧିର ଏକ ସମୃଦ୍ଧ କେନ୍ଦ୍ରରେ ପରିଣତ ହେବାକୁ ଯାଉଛି ।