କେଦାର ମିଶ୍ର
ହଠାତ୍ ଓଡିଶାର ବିଜେପି ନେତାମାନଙ୍କୁ ଜଣେ ବିଚିତ୍ର ସମର୍ଥକ ମିଳିଯାଇଛନ୍ତି। ଇଚ୍ଛାକୃତ ହେଉ ବା ଅନିଚ୍ଛାକୃତ ଭାବରେ ଓଡିଶା ବିଜେପିର ନେତାମାନେ ଏଇ ଦୁଇ ତିନି ଦିନ ହେଲାଣି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଭୂରି ଭୂରି ପ୍ରଶଂସା କରୁଛନ୍ତି। ଶ୍ରୀକାନ୍ତ ବାବୁ ବିଜେପିର ବିଚାର କିମ୍ବା ସଂଗଠନ ସହିତ ତାଙ୍କ ୪୫ ବର୍ଷର ଦୀର୍ଘ ରାଜନୈତିକ ଜୀବନରେ କେବେବି ପାଖାପାଖି ନଥିଲେ। ପୁରୁଣା ଜନତାଦଳର ନେତା ଭାବରେ ସେ ପ୍ରାଥମିକ ଭାବରେ ଅଣ କଂଗ୍ରେସ ଓ ପରବର୍ତ୍ତୀ ସମୟରେ କଂଗ୍ରେସର ନେତା ସାଜିଛନ୍ତି। ୧୯୭୭ ରେ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହେବା ପରଠୁ ଶ୍ରୀକାନ୍ତଙ୍କ ରାଜନୀତିରେ ବହୁ ଚଢା ଉତ୍ତୁରା ହୋଇଛି। ତେବେ ରାଜନେତା ଭାବରେ ଓଡିଶାବାସୀ ଶ୍ରୀକାନ୍ତ ଜେନାଙ୍କ ତିନୋଟି ଚେହେରା ଦେଖିଛନ୍ତି। ତାଙ୍କର ପ୍ରଥମ ଓ ସବୁଠୁ ସଫଳ ରାଜନୈତିକ ଚେହେରା ହେଉଛି ୧୯୭୭ ରୁ ୧୯୮୯ ଯାଏଁ ଓଡିଶା ବିଧାନସଭାର ସଦସ୍ୟ ଭାବରେ ତାଙ୍କର ସ୍ପଷ୍ଟ କଂଗ୍ରେସ ବିରୋଧୀ ଆଭିମୁଖ୍ୟ, ବିଶେଷ କରି ୧୯୮୦ ରୁ ୧୯୮୯ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ଵ ସମୟରେ ଯେଉଁ ଅଳ୍ପ କେତେଜଣ ବିରୋଧୀ ଦଳ ବିଧାୟକ ସରକାରକୁ ବିଧାନସଭା ଭିତରେ ପାଣି ପିଆଉଥିଲେ, ସେମାନଙ୍କ ଭିତରେ ଶ୍ରୀକାନ୍ତ ଥିଲେ ଅନ୍ୟତମ। ଏହି ସମୟରେ ସେ ଥିଲେ ବିଜୁ ପଟ୍ଟନାୟକଙ୍କର ଏକାନ୍ତ ଅନୁଗତ ଓ ଜନତା ଦଳ ଭିତରେ ବିଜୁ ବାବୁଙ୍କ ପରେ ଯେଉଁ ଚାରିଜଣ (ଶ୍ରୀକାନ୍ତ ଜେନା, ଅଶୋକ ଦାସ, ବିଜୟ ମହାପାତ୍ର ଓ ନଳିନୀକାନ୍ତ ମହାନ୍ତି) ଶକ୍ତିଶାଳୀ ଥିଲେ ତାଙ୍କ ଭିତରେ ସେ ଅନ୍ୟତମ। ଲୋକେ ତାଙ୍କୁ ବିଜୁ ପଟ୍ଟନାୟକଙ୍କ ସହ ଏମିତି ଯୋଡି ଭାବରେ ଦେଖିଥିଲେ ଯେ, ପରବର୍ତ୍ତୀ ସମୟରେ ବିଜୁ ବାବୁଙ୍କଠୁ ଶ୍ରୀକାନ୍ତ ଅଲଗା ହେବାଟାକୁ କେହି ଆଜି ପର୍ୟନ୍ତ ଗ୍ରହଣ କରିପାରିନାହାନ୍ତି।
ଶ୍ରୀକାନ୍ତଙ୍କ ଦ୍ଵିତୀୟ ଚର୍ଚ୍ଚିତ ଚେହେରା ହେଉଛି ୧୯୯୦ ରୁ ୨୦୦୦,ଲୋକସଭାର ସଦସ୍ୟ ଓ କେନ୍ଦ୍ରମନ୍ତ୍ରୀ ଭାବରେ ତାଙ୍କର କକାକାଳ। ବିଶ୍ଵନାଥ ପ୍ରତାପ ସିଂ, ଦେବେଗୌଡା ଓ ଗୁଜରାଲ ମନ୍ତ୍ରୀମଣ୍ଡଳରେ ସେ ସଦସ୍ୟ ରହିଛନ୍ତି। ବିଜୁ ବାବୁ ଏଇ ସମୟରେ ଶ୍ରୀକାନ୍ତଙ୍କ ପାଇଁ ଆଉ ନେତା ହୋଇ ରହିନାହାନ୍ତି। ସତ ହେଉ କି ମିଛ, ଓଡିଶାର ଜଣ ସାଧାରଣ ବିଶ୍ଵାସ କରିଛନ୍ତି ଯେ, ବିଜୁ ବାବୁଙ୍କ ପ୍ରତି ଶ୍ରୀକାନ୍ତ ବିଶ୍ଵାସଘାତକତା କରିଛନ୍ତି। ୧୯୯୬ ରେ ଶ୍ରୀକାନ୍ତଙ୍କ ଚକ୍ରାନ୍ତ ଯୋଗୁଁ ବିଜୁ ବାବୁ ପ୍ରଧାନମନ୍ତ୍ରୀ ହୋଇପାରିଲେ ନାହିଁ ବୋଲି ଏକ ଧାରଣା ଲୋକଙ୍କ ମନରେ ସୃଷ୍ଟି ହୋଇଛି। ସେହି ଧାରଣା ଫଳରେ ଶ୍ରୀକାନ୍ତ ବିଜୁଙ୍କ “ଅବୁଝା ପୁଅ” ତାଲିକାରୁ “ଚକ୍ରାନ୍ତକାରୀ” ସ୍ତରକୁ ଖସି ଆସିଛନ୍ତି।
ତାଙ୍କ ରାଜନୀତିର ତୃତୀୟ ଚେହେରାଟି ତାଙ୍କ ବ୍ୟକ୍ତିତ୍ବକୁ ଆହୁରି ମଳିନ କରିଛି। ଅଣ କଂଗ୍ରେସ ରାଜନୀତିରୁ ସେ କଂଗ୍ରେସକୁ ଆସିଛନ୍ତି। ମନମୋହନ ସିଂ ସରକାରରେ ମନ୍ତ୍ରୀ ହୋଇଛନ୍ତି, ହେଲେ କଂଗ୍ରେସ ଭିତରେ ତାଙ୍କୁ ସବୁବେଳେ ସନ୍ଦେହ କରାଯାଇଛି। ଗତ ୧୮ ବର୍ଷ ଧରି ସେ କଂଗ୍ରେସ ରାଜନୀତିରେ ରହିଥିଲେ ହେଁ, କଂଗ୍ରେସ ତାଙ୍କୁ ନିଜର ନେତା ଭାବରେ ଗ୍ରହଣ କରିପାରି ନାହିଁ। କଂଗ୍ରେସ ବିରୋଧରେ ଥିବା ବେଳେ ସେ ଜାନକୀ ପଟ୍ଟନାୟକଙ୍କ ଘୋର ବିରୋଧୀ ଥିଲେ, କଂଗ୍ରେସ କୁ ଆସିବା ପରେ ମଧ୍ୟ ସେ ଜାନକୀ ପଟ୍ଟନାୟକଙ୍କ ପରିବାର ବିରୋଧରେ ରହିଲେ।
ମୋଟାମୋଟି କହିବାକୁ ଗଲେ, ଶ୍ରୀକାନ୍ତ ବାବୁ ସବୁବେଳେ ରାଜନୀତିରେ ଏକୁଟିଆ ଏବଂ ଗୋଠ ଖଣ୍ଡିଆ। ଶ୍ରୀକାନ୍ତଙ୍କୁ ସହଜରେ ବିଶ୍ଵାସ କରାଯାଇପାରିବ ନାହିଁ ବୋଲି କଂଗ୍ରେସ ନେତୃତ୍ୱ ସବୁବେଳେ ତାଙ୍କୁ ଗୋଟେ ଅଲଗା ଶିବିର କରି ରଖିଥିଲା। ଶେଷରେ ସେ କଂଗ୍ରେସରୁ ବିଦା ହୋଇଛନ୍ତି। କଂଗ୍ରେସରୁ ବିଦା ହେଲା ପରେ ସେ ତାଙ୍କର ପୁରୁଣା ପଟ୍ଟନାୟକ ବିରୋଧୀ ଆଳାପ ଆରମ୍ଭ କରିଛନ୍ତି। ବାସ୍ତବରେ ସେ ଯେଉଁ ପ୍ରସଙ୍ଗ ଉଠାଉଛନ୍ତି, ସେସବୁ ରାଜନୈତିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଶ୍ରୀକାନ୍ତଙ୍କ ବ୍ୟକ୍ତିତ୍ବ ଆଉ ଗ୍ରହଣୀୟ ହୋଇ ରହିନାହିଁ। ଖଣି ଦୁର୍ନୀତି, ପଛୁଆ ବର୍ଗ ସଂରକ୍ଷଣ ଭଳି ବହୁ ପ୍ରସଙ୍ଗରେ ସେ ଯାହା କହୁଛନ୍ତି, ସେସବୁର ବୃହତ୍ତର ରାଜନୈତିକ ପ୍ରଭାବ ଅଛି, ହେଲେ ଶ୍ରୀକାନ୍ତ ନିଜେ ଆଉ ଓଡିଶା ରାଜନୀତିରେ ପ୍ରାସଙ୍ଗିକ ହୋଇ ରହିନାହାନ୍ତି।
ଆଜି ସେ ଯେତେବେଳେ ବିଜେଡି ଓ କଂଗ୍ରେସ ବିରୋଧରେ କହୁଛନ୍ତି, ସ୍ଵାଭାବିକ ଭାବରେ ତାଙ୍କୁ ବିଜେପି ପରୋକ୍ଷ ସମର୍ଥନ ଦେଉଛି। ତେବେ ବିଜେପି ଭିତରେ ଶ୍ରୀକାନ୍ତଙ୍କ ପାଇଁ ଜାଗା ଅଛି କି? ଏହାର ଉତ୍ତର ଏୟା ହେବ ଯେ, ଶ୍ରୀକାନ୍ତଙ୍କୁ ଦଳ ଭିତରକୁ ଆଣିବାର ଅର୍ଥ ହେଉଛି, ଦଳ ଭିତରେ ଚକ୍ରାନ୍ତର ଆବାହନ। ୨୦୧୯ ନିର୍ବାଚନ ପୂର୍ବରୁ ବିଜେପି ଶ୍ରୀକାନ୍ତଙ୍କୁସାଙ୍ଗରେ ନେବାର କୌଣସି ସମ୍ଭାବନା ନାହିଁ। ଏବେ କିଛିଦିନ ଗଣମାଧ୍ୟମରେ ବୟାନବାଜି ପରେ ଶ୍ରୀକାନ୍ତ ପୁଣି ନିଜର ରଣନୀତି ବଦଳାଇବେ। ସେ ରାଜନୀତିରେ ଆଜି ମଧ୍ୟ ପ୍ରଚ୍ଛଦପଟରୁ ରହି ଗୋଟି ଚାଳନାରେ ନିପୁଣ। ତାଙ୍କ ଗୋଟି ଚାଳନା କ୍ଷମତା ବ୍ୟତୀତ ଓଡିଶା ରାଜନୀତିରେ ତାଙ୍କର ଅଧିକ କିଛି ପ୍ରଭାବ ନାହିଁ। କିନ୍ତୁ ରାଜନୀତିରେ ଚତୁରତା ଓ ଚକ୍ରାନ୍ତର ନିଜସ୍ଵ ଭୂମିକା ଅବଶ୍ୟ ରହିଛି!