Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ସୁଭଦ୍ରା ଯୋଜନାର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଟଙ୍କା କେବେ ମିଳିବ? କହିଲେ ପ୍ରଭାତୀ ପରିଡା

ଭୁବନେଶ୍ବର: ରାଜ୍ୟର ବାକି ଥିବା ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ କେବେ ଟଙ୍କା ମିଳିବ ସେ ନେଇ ମହିଳାମାନେ ଦ୍ବନ୍ଦରେ ରହିଛନ୍ତି। ତେବେ ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନାର ଟଙ୍କା ମିଳିବା ନେଇ ବଡ ସୂଚନା ଦେଇଛନ୍ତି।

ଆଜି ଗଣମାଧ୍ୟମକୁ ଶ୍ରୀମତି ପରିଡା କହିଛନ୍ତି ଯେ, ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି। ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାର ହିତାଧିକାରୀଙ୍କୁ ଟଙ୍କା ଦେବା ପାଇଁ ଯୋଜନା ଚାଲିଛି। ଚଳିତ ନଭେମ୍ବର ମାସ ଶେଷ ସପ୍ତାହ ବେଳକୁ ଏହି ତୃତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ।

ସେହିପରି ଶ୍ରୀମତୀ ପରିଡା କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟ ପରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ। ଯେଉଁମାନଙ୍କର କୌଣସି ଅସୁବିଧା ରହିଛି ତାହା ସମାଧାନ କରାଯିବ। ସେଥିପାଇଁ ବିଡିଓଠାରୁ ଆରମ୍ଭ କରି ଅଙ୍ଗନବାଡି ଦିଦିଙ୍କ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଶେଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଦେବା ପର୍ଯ୍ୟନ୍ତ ସରକାର କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୁଭଦ୍ରା ଟଙ୍କା ନେଇ ଆସିଲା ବଡଖବର, ମିଳିବ ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି

ଭୁବନେଶ୍ବର: ସୁଭଦ୍ରା ଟଙ୍କା ନେଇ ଆଜି ଆସିଲା ବଡ ଖବର। ତାହା ହେଲା ଯେ, ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

ସେ କହିଛନ୍ତି ଯେ, ଖୁବ ଶିଘ୍ର ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ପ୍ରଦାନ କରାଯିବ। ସେ ନେଇ ସରକାରୀ ସ୍ତରରେ ସମସ୍ତ ପ୍ରସ୍ତୁତି ଚାଲିଛି। ଯେଉଁମାନେ ଡେରିରେ ଆବେଦନ କରିଛନ୍ତି କିମ୍ବା କଟିଯାଇଛନ୍ତି ସେମାନଙ୍କ କଥା ବିଚାର କରି ଏହି ଟଙ୍କା ପ୍ରଦାନ କରାଯିବ।

ଗତ କ୍ୟାବିନେଟରେ ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ କେତେକ ପରିବର୍ତ୍ତନ କରିଛନ୍ତି। ସେଥିରେ ଯେଉଁମାନଙ୍କର ରାସନ କାର୍ଡ ନାହିଁ ସେମାନେ ଏହି ଯୋଜନାରୁ ବାଦ ପଡୁଥିଲେ।ହେଲେ କ୍ୟାବିନେଟ ଅନୁମୋଦନ ଅନୁସାରେ ଯେଉଁମାନଙ୍କ ରାସନ କାର୍ଡ ନାହିଁ ସେମାନେ ମଧ୍ୟ ସୁଭଦ୍ରା ଯୋଜନା ଟଙ୍କା ପାଇପାରିବେ। ସେସବୁକୁ ବିଚାର କରି ଏହି ତୃତୀୟ କିସ୍ତି ପ୍ରଦାନ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ସୁଭଦ୍ରା ଯୋଜନା ଆବେଦନରେ ଯଦି ଭୁଲ କରିଛନ୍ତି ତେବେ ଚିନ୍ତା ନାହିଁ, ଆପଣଙ୍କ ପାଖକୁ ଯିବ ଫୋନ କଲ

ଭୁବନେଶ୍ବର: ଆପଣ ସୁଭଦ୍ରା ଯୋଜନା ଆବେଦନରେ ଯଦି ଭୁଲ କରିଛନ୍ତି ତେବେ ଖୁବ ଶିଘ୍ର ଆପଣଙ୍କ ପାଖକୁ ଫୋନ କଲ ଯିବ। ଏ କଥା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ଅନେକ ଆବେଦନ ବେଳେ ଭୁଲ କରିଦେଇଥାନ୍ତି। ତାହା ସବୁ ଯାଞ୍ଚ ହେଉଛି। ତାହା କେଉଁ ପ୍ରକାରର ଭୁଲ ଅନୁଧ୍ୟାନ କରି ତାଙ୍କ ପାଖକୁ ଫୋନ କଲ ଯିବ।

କେବଳ ସେତିକି ନୁହେଁ ଅଙ୍ଗନବାଡି କର୍ମୀମାନେ ଘରକୁଘର ବୁଲି ତାହାର ସଂଶୋଧନ ମଧ୍ୟ କରିବେ। ଶେଷ ଆବେଦନକାରୀଙ୍କ ନିକଟକୁ ଟଙ୍କା ପଠାଯିବା ପର୍ଯ୍ୟନ୍ତ ଏହି ପକ୍ରିୟା ଜାରୀ ରହିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ସୁଦ୍ଧା 1 କୋଟି 60 ହଜାର ମହିଳା ଆବେଦନ କରିସାରିଲେଣି। ସମସ୍ତ ଯାଞ୍ଚ ସରିବା ପରେ ଖୁବ ଶିଘ୍ର ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୁଭଦ୍ରା ଯୋଜନାରେ ଯେଉଁମାନେ ଟଙ୍କା ପାଇ ନାହାଁନ୍ତି ସେମାନଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଲେ…

ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଆସିଲା ଆଉ ଏକ ବଡ ଖବର। ତାହା ହେଲା ଯେ, ଯେଉଁମାନେ ସୁଭଦ୍ରା ଟଙ୍କା ପାଇ ନାହାଁନ୍ତି ସେମାନେ କଣ କରିବେ। ସେମାନେ ଆଉ ଟଙ୍କା ପାଇବେ କି ନାହିଁ। ସେ ନେଇ ଅନେକ ଦ୍ବନ୍ଦରେ ରହିଛନ୍ତି। ତେବେ ଏହି ଦ୍ବନ୍ଦକୁ ଦୂରକରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ଏ ନେଇ ଆଜି ଯେଉଁମାନେ ଆବେଦନ କରିଛନ୍ତି ଅଥଚ ଟଙ୍କା ଯାଇ ନାହିଁ ସେମାନଙ୍କୁ ଅସ୍ବସ୍ଥି ଖବର ଦେଇଛନ୍ତି।

ପ୍ରଭାତୀ କହିଛନ୍ତି ଯେ, ଯେଉଁମାନେ ଆବେଦନ କରିଛନ୍ତି ଅଥଚ ଟଙ୍କା ଯାଇ ନାହିଁ ସେମାନେ କୌଣସି ବ୍ୟସ୍ତ ହେବାର ନାହିଁ। ସେମାନଙ୍କ ଆବେଦନରେ କିଛି ତ୍ରୁଟି ରହିଥିବ। ତାହା ବର୍ତ୍ତମାନ ଯାଞ୍ଚ ଚାଲିଛି। ଯେଉଁମାନଙ୍କର ଆବେଦନରେ ତ୍ରୁଟି ପରିଲକ୍ଷିତ ହେବ ସେମାନଙ୍କ ପାଖକୁ ଫୋନ କଲ ଯିବ। ସେହି ତ୍ରୁଟିକୁ ସୁଧାରିବା ପାଇଁ ଫୋନ କଲ ହେଉ କିମ୍ବା ଅଙ୍ଗନବାଡି କର୍ମି ଘରକୁ ଘର ଯାଇ ଯାଞ୍ଚ କରିବେ।

ପ୍ରଭାତୀ ଆହୁରି କହିଛନ୍ତି ଯେ, ସୁଭଦ୍ରା ଯୋଜନା ପାଇଁ ଟଙ୍କାର ଅଭାବ ନାହିଁ। ଶେଷ ସୁଭଦ୍ରା ହାତାଧିକାରୀଙ୍କ ପାଖକୁ ଟଙ୍କା ଯିବା ପର୍ଯ୍ୟନ୍ତ ଏହି ପକ୍ରିୟା ଜାରୀ ରହିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

‘ସୁଭଦ୍ରା’ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ଗଲା ୧୭୫୦ କୋଟି ଟଙ୍କା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ମୟୁରଭଞ୍ଜର ବାରିପଦାଠାରେ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଆଜି ୩୫ ଲକ୍ଷରୁ ଅଧିକ ମହିଳା ପ୍ରଥମ କିସ୍ତି ଭାବରେ ୫ ହଜାର ଟଙ୍କା ଲେଖାଏ ସହାୟତା ପାଇଲେ। ସମୁଦାୟ ୧୭୫୦ କୋଟି ଟଙ୍କା ମହିଳାମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଗଲା।

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟକୁ ମିଶାଇ ବର୍ତ୍ତମାନ ସୁଦ୍ଧା ସମୁଦାୟ ୬୦ ଲକ୍ଷରୁ ଅଧିକ ମହିଳା ‘ସୁଭଦ୍ରା’ ସହାୟତା ପାଇଲେ। ସମୁଦାୟ ୩ ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରାଗଲା। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୧୦ଜଣ ସୁଭଦ୍ରା ହିତାଧିକାରୀଙ୍କୁ ସୁଭଦ୍ରା ସହାୟତା ପ୍ରଦାନ କରିଥିଲେ ।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଥମେ ବାରିପଦାରେ ପହଞ୍ଚି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ କାର୍ଯ୍ୟକ୍ରମ ପାଇଁ ବାରିପଦାରେ ଆୟୋଜିତ ବିଶାଳ ଜନସଭାରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ‘ସୁଭଦ୍ରା’ ଯୋଜନା ଓଡ଼ିଶାର ମା’ ଓ ଭଉଣୀମାନଙ୍କ ଜୀବନରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବା ସହିତ ସେମାନଙ୍କ ଅର୍ଥନୈତିକ ସଶକ୍ତିକରଣ କରିବ। ଏହା ସହିତ ସେମାନଙ୍କ ସାମାଜିକ ସମ୍ମାନ ମଧ୍ୟ ବଢାଇବ।

ଏହି ଯୋଜନା ସାରା ଓଡିଶାର ମା’ ମାନଙ୍କ ମୁହଁରେ ହସ ଓ ଖୁସି ଆଣିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ମା’ ମାନଙ୍କ ହସ ଓ ଖୁସି ହିଁ ଓଡିଶାର ବିକାଶର ଗାଡିକୁ ଦ୍ରୁତଗାମୀ କରାଇବ। ‘ସୁଭଦ୍ରା’ ଓଡ଼ିଶାର ସର୍ବ ବୃହତ ମହିଳା ସଶକ୍ତିକରଣ ଅଭିଯାନ ବୋଲି ସେ କହିଥିଲେ। ଏହି ଯୋଜନା ରାଜ୍ୟର ମହିଳାମାନଙ୍କୁ ସଶକ୍ତ କରିବାରେ ସହାୟକ ହେବା ସହିତ ଏକ ସମୃଦ୍ଧ ଓଡ଼ିଶାର ମୂଳଦୁଆ ପକାଇଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଲେ ଯେ, “ଓଡ଼ିଶାର ପ୍ରତ୍ୟେକ ମହିଳାଙ୍କୁ ଆମେ ପ୍ରତିଶ୍ରୁତି ଦେଉଛୁ ଯେ ଆମେ ଆପଣଙ୍କ ସହିତ, ସୁଖରେ ଦୁଃଖରେ, ସବୁ ସମୟରେ ଛିଡ଼ା ହେବୁ। ଆପଣଙ୍କ ସାମର୍ଥ୍ୟ ଉପରେ ଆମର ପୁରା ଭରସା ଅଛି। ଆପଣଙ୍କର ଏହି ସଶକ୍ତିକରଣ ଯାତ୍ରାରେ ଆମେ ଆପଣଙ୍କ ସହିତ ଚାଲିବୁ।”

ଜଗନ୍ନାଥ ସଂସ୍କୃତିରେ ମା’ ସୁଭଦ୍ରା ହେଉଛନ୍ତି ଶକ୍ତି ଓ ସମାନତାର ସ୍ୱରୂପ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସାମାଜିକ ବ୍ୟବସ୍ଥାରେ ପୁରୁଷମାନଙ୍କ ଭଳି ମହିଳାମାନେ ମଧ୍ୟ ପ୍ରଗତି ଓ ବିକାଶର ସମାନ ଅଂଶୀଦାର। ଜଣେ ମହିଳା ଅର୍ଥନୈତିକ ଦୃଷ୍ଟିରୁ ସଶକ୍ତ ଓ ସ୍ବାବଲମ୍ବୀ ହେଲେ, ପରିବାରର ସାମାଜିକ ଓ ଅର୍ଥନୈତିକ ନିରାପତ୍ତା ସୁଦୃଢ଼ ହୁଏ ବୋଲି ସେ କହିଥିଲେ।

ମହିଳା ସଶକ୍ତିକରଣ ଅର୍ଥ ହେଉଛି ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସ୍ତରରେ ସଶକ୍ତ କରିବା। ଏହାର ସବୁଠାରୁ ବଡ ଉଦାହରଣ ହେଉଛନ୍ତି ମୟୁରଭଞ୍ଜ ମାଟିରେ ଜନ୍ମିତା ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ସୁଭଦ୍ରା’ ସହାୟତା ମା’ ମାନଙ୍କର ତ୍ୟାଗ ଓ ପରିଶ୍ରମକୁ ସମ୍ମାନ ଦେବା ସହିତ ଓଡ଼ିଶାର ମହିଳାମାନଙ୍କର ସ୍ୱପ୍ନ ଏବଂ ଆକାଂକ୍ଷାକୁ ବାସ୍ତବ ରୂପଦେବ। ଏହି ଯୋଜନା ଆମ ରାଜ୍ୟର ମହିଳାମାନଙ୍କ ମୁହଁକୁ ଏକ ନୂତନ ଆଶା ଓ ସ୍ୱପ୍ନରେ ଆଲୋକିତ କରୁଛି। ଅସହାୟ ମହିଳାମାନଙ୍କ ପାଇଁ ଏହା ସହାୟତାର ଏକ ନୂତନ କିରଣ ହୋଇଛି।

ସେ କହିଲେ ଯେ, ଯେଉଁ ମହିଳାମାନେ ଅନେକ ପରିଶ୍ରମ କଲା ପରେ ମଧ୍ୟ ପିଲାମାନଙ୍କୁ ଭଲ ଭାବରେ ଖାଦ୍ୟ ଦେଇ ପାରନ୍ତି ନାହିଁ, ସ୍କୁଲକୁ ପଠାଇ ପାରନ୍ତି ନାହିଁ, ସେହି ପରି ମହିଳାମାନଙ୍କ ସ୍ୱପ୍ନ ପୁରଣ କରିବାରେ ସୁଭଦ୍ରା ଯୋଜନା ବରଦାନ ସଦୃଶ ହେବ।

ସୁଭଦ୍ରା ଯୋଜନାର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଏହି ଯୋଜନାରେ ଆଜି ପର୍ଯ୍ୟନ୍ତ ୧ କୋଟି ୬୦ ଲକ୍ଷ ଫର୍ମ ବଣ୍ଟନ ହୋଇସାରିଛି। ସେଥିମଧ୍ୟରୁ ୧ କୋଟି ୩୦ ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀ ସୁଭଦ୍ରା ଅଧୀନରେ ଆବେଦନ କରିଛନ୍ତି । ସୁଭଦ୍ରାରେ ପଞ୍ଜିକରଣ ପାଇଁ ରାଜ୍ୟରେ ୨୮ ହଜାର ୪୦ରୁ ଅଧିକ ସାଧାରଣ ସେବା କେନ୍ଦ୍ର ଏବଂ ୧୦ ହଜାର ୫୫ରୁ ଅଧିକ ମୋ ସେବା କେନ୍ଦ୍ର କାର୍ଯ୍ୟ କରୁଅଛି।

ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ୫୦୦୦ ଟଙ୍କାର ପ୍ରଥମ କିସ୍ତିର ସହାୟତା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ କରକମଳରେ ହସ୍ତାନ୍ତର କରାଯାଇଥିଲା । ଆଜି ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ୩୫ ଲକ୍ଷରୁ ଉର୍ଦ୍ଧ୍ବ ନୂତନ ହିତାଧିକାରୀଙ୍କୁ ୫୦୦୦ ଟଙ୍କାର ଆର୍ଥିକ ସହାୟତା ଦିଆଗଲା।

ମୟୂରଭଞ୍ଜ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୫ ଲକ୍ଷ ୭୮ ହଜାର ୧୭୮ ଜଣ ହିତାଧିକାରୀ ସୁଭଦ୍ରା ଅଧୀନରେ ପଞ୍ଜିକରଣ କରିଛନ୍ତି, ସେଥିମଧ୍ୟରୁ ୧ ଲକ୍ଷ ୩୭ ହଜାର ୮୧୬ ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଅର୍ଥ ପ୍ରଦାନ କରାଯାଇଅଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରିଥିବା ପ୍ରଥମ ହିତାଧିକାରୀ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବର ବ୍ଲକ ତଥା ବସୁଆଘାଇ ଗ୍ରାମପଞ୍ଚାୟତର ଉମାରାଣୀ ମହାନ୍ତି ଓ ୧ କୋଟି ସଂଖ୍ୟାରେ ପଞ୍ଜିକରଣ କରିଥିବା ହିତାଧିକାରୀ ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ ତଥା ସୁରୁଡା ଗ୍ରାମର ଦୟାମଣି କୁଜୁରଙ୍କୁ ସମ୍ମାନିତ କରିଥିଲେ। ଏହି ସମ୍ମାନ ସୁଭଦ୍ରା ଯୋଜନାରେ ଆପଣମାନଙ୍କ ଉତ୍ସାହ ଓ ଅଂଶ ଗ୍ରହଣର ଏକ ସୁନ୍ଦର ସ୍ୱୀକୃତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଶୁଭାରମ୍ଭ ସମୟରେ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଓଡିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କର ଅଶେଷ ସ୍ନେହ ଓ ଶ୍ରଦ୍ଧା ରହିଛି। ଗତ ମାସ ୧୭ ତାରିଖରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଭୁବନେଶ୍ୱର ଆସି ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଶୁଭାରମ୍ଭ କରିଥିଲେ। ସେଦିନ ତାଙ୍କର ଜନ୍ମଦିନ ଥିଲା ।

ନିଜ ଜନ୍ମ ଦିନରେ ତାଙ୍କର ସବୁ କାର୍ଯ୍ୟକ୍ରମ ଛାଡି ସେ ଓଡିଶା ଆସିଥିଲେ ଆମର ମା’ମାନଙ୍କ ପାଇଁ, ଆମର ଭଉଣୀମାନଙ୍କ ପାଇଁ। ସେଥିରୁ ହିଁ ଜଣାପଡେ ମୋଦୀଜୀ ଓଡିଶାକୁ କେତେ ଭଲ ପାଆନ୍ତି। କେବଳ ସେତିକି ନୁହେଁ, ଭୁବନେଶ୍ୱରର ଗୋଟିଏ ଛୋଟିଆ ଜାଗା, ଗାଡକଣକୁ ଯାଇ ସେଠାରେ ଜଣେ ଆଦିବାସୀ ଶବର ମା’ଙ୍କଠାରୁ ଖିରି ଖାଇ ତାଙ୍କ ଜନ୍ମ ଦିନ ପାଳିଲେ। ଏହି ଅବସରରେ ସେ ତାଙ୍କ ନିଜ ମା’ଙ୍କୁ ମଧ୍ୟ ମନେ ପକାଇଥିଲେ। ଏହା ହେଉଛି ଓଡିଶା ପ୍ରତି ମୋଦୀଜୀଙ୍କ ସ୍ନେହ ଓ ଶ୍ରଦ୍ଧାର ପରିଚୟ।

ମୋଦୀଜୀଙ୍କ ନେତୃତ୍ୱରେ ଦେଶ ଆଜି ବିକଶିତ ଭାରତର ଲକ୍ଷ୍ୟ ଆଡକୁ ଅଗ୍ରସର ହେଉଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ, ଆଜି ଓଡିଶାରେ ଆପଣମାନେ ଡବଲ ଇଞ୍ଜିନ ସରକାର ପାଇଛନ୍ତି। ତେଣୁ ଓଡିଶାର ବିକାଶକୁ ଆଉ କେହି ଅଟକେଇ ପାରିବେ ନାହିଁ। କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ ସରକାର ବିକାଶକୁ ଦୁଇ ଗୁଣ ବେଗରେ ଆଗେଇ ନେବ। ୨୦୩୬ ପାଇଁ ୨୦୪୭ ପାଇଁ, ବିକଶିତ ଓଡିଶା ତଥା ବିକଶିତ ଭାରତ ଗଠନ କରିବାର ଆମର ଲକ୍ଷ୍ୟ ନିଶ୍ଚୟ ପୂରଣ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ।

ମୟୁରଭଞ୍ଜ ମିଶ୍ରଣ, ମୟୁରଭଞ୍ଜର କଳା, ସଂସ୍କୃତି ଓ ପରମ୍ପରା ସହିତ ବାରିପଦାର ଗୌରବମୟ ଗାଥା ଦେବୀ ସୁଭଦ୍ରାଙ୍କ ରଥ ମହିଳାମାନଙ୍କ ଦ୍ୱାରା ଟଣା ଯିବା ବିଷୟରେ ଉଲ୍ଲେଖକରି ଜିଲ୍ଲାରେ ଆଗାମୀ ଦିନରେ ହେବାକୁ ଥିବା ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ।

ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଅନ୍ୟତମ ଅତିଥି ଭାବରେ ଯୋଗଦେଇ କହିଥିଲେ ଯେ ଓଡିଶାରେ ୧୦୦ ଦିନ ସରକାରରେ ‘ସୁଭଦ୍ରା’ ଭଳି ଏକ ଜନକଲ୍ୟାଣକାରୀ ଯୋଜନା ଆରମ୍ଭ କରାଗଲା। ଆଗରୁ ଏଭଳି କୌଣସି ଯୋଜନା ନଥିଲା ଯେଉଁଥିରେ ୧ କୋଟିରୁ ଅଧିକ ମହିଳା ସାମିଲ ହୋଇଥିଲେ। ଓଡିଶାର ମହିଳାମାନଙ୍କ ସମୃଦ୍ଧି ପାଇଁ ଉଦ୍ଦିଷ୍ଟ ଏହି ‘ସୁଭଦ୍ରା’ ଯୋଜନାକୁ ମୟୁରଭଞ୍ଜ ଆଦିମ ଜନଜାତି ମହିଳାମାନେ ଆପଣେଇଛନ୍ତି। ମହିଳା ବିକାଶକୁ ଏକ ନୂଆ ଦିଗ ଦେଖାଇବ ‘ସୁଭଦ୍ରା’ ଏବଂ ବିକାଶର ମୂଳ ପିଣ୍ଡ ହେବ ‘ସୁଭଦ୍ରା’ ବୋଲି ସେ କହିଥିଲେ।

ଜଙ୍ଗଲ, ପରିବେଶ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ, ଏହା ଏକ ଐତିହାସିକ ଯୋଜନା। ଏହି ଯୋଜନା ପାଇଁ ମୟୁରଭଞ୍ଜ ସମେତ ସମଗ୍ର ଓଡିଶାର ମହିଳାମାନେ ଅତ୍ୟନ୍ତ ଖୁସି ଅଛନ୍ତି। ଆମ ସରକାର ନାରୀମାନଙ୍କୁ, ଚାଷୀମାନଙ୍କୁ ଓ ଗରୀବଙ୍କୁ ସମ୍ମାନ ଦେଉଥିବା ସରକାର।

ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ, ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଭାରତର ବିକାଶକୁ ଦ୍ୱିଗୁଣିତ କରୁଛନ୍ତି। ଆମ ଓଡିଶାରେ ମଧ୍ୟ ଡବଲ ଇଞ୍ଜନ ସରକାରରେ ବିକାଶର ଗତି କ୍ଷୀପ୍ର ହେବ। ମୟୁରଭଞ୍ଜକୁ ଏକ ବିକଶିତ ଜିଲ୍ଲା ଭାବେ ଗଠନ କରିବା ପାଇଁ ଦଳମତ ନିର୍ବିଶେଷରେ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ।

କାର୍ଯ୍ୟକ୍ରମରେ ସରକାରୀ ଦଳ ଉପମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାଶ, ମୟୁରଭଞ୍ଜ ସାଂସଦ ଶ୍ରୀ ନବ ଚରଣ ମାଝୀ, ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, କରଞ୍ଜିଆ ବିଧାୟକ ଶ୍ରୀ ପଦ୍ମ ଚରଣ ହାଇବୁରୁ, ସାରସକଣା ବିଧାୟକ ଶ୍ରୀ ଭାଦବ ହାଂସଦା, ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ, ରାଇରଙ୍ଗପୁର ବିଧାୟକ ଶ୍ରୀ ଜଲେନ ନାୟକ, ଉଦଳା ବିଧାୟକ ଶ୍ରୀ ଭାସ୍କର ମଢେଇ, ବଡସାହି ବିଧାୟକ ଶ୍ରୀ ସନାତନ ବିଜୁଳି, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ, କେନ୍ଦ୍ରାଞ୍ଚଳ ଆର୍.ଡି.ସି. ବି. ପରମେଶ୍ୱର ପ୍ରମୁଖ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସାଏ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ମିଳିବ ସୁଭଦ୍ରା ଟଙ୍କା, ହେଲେ କେତେବେଳେ ?

ଭୁବନେଶ୍ବର: ଆଜି ଆସିବ ସୁଭଦ୍ରା ଟଙ୍କା। ଆଜି ବାରିପଦାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ କାର୍ଯ୍ୟକ୍ରମରେ ଏହି ଟଙ୍କା ପ୍ରେରଣ କରିବେ। ସେଥିପାଇଁ ସରକାରୀ ସ୍ତରରେ ବଡ ଆୟୋଜନ କରାଯାଇଛି। ଏହି ଉତ୍ସବରେ ରାଜ୍ୟର ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ।

ଏହି ଉତ୍ସବରେ ଆଜି 40 ଲକ୍ଷ ମହିଳାଙ୍କୁ ଏହି ଟଙ୍କା ପ୍ରେରଣ କରାଯିବ। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ପ୍ରଥମ କିସ୍ତିର ପ୍ରଥମ ଭାଗ ଟଙ୍କା ପ୍ରଦାନ କରିଥିଲେ। ତେବେ ଆଜି ଦିନ 12ଟା ପୂର୍ବରୁ ହିତାଧିକାରୀଙ୍କ ଖାତାକୁ ଟଙ୍କା ଆସିବା ଆରମ୍ଭ ହେବ ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସୁଭଦ୍ରା ଯୋଜନା ନେଇ ବସିଲା ବଡ ବୈଠକ, ନିଆଗଲା ଏହି ନିଷ୍ପତି

ଭୁବନେଶ୍ୱର: ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ “ସୁଭଦ୍ରା” ଯୋଜନାର  ପ୍ରଥମ କିସ୍ତି  ଅର୍ଥରାଶି ପ୍ରଥମ  ପର୍ଯ୍ୟାୟରେ ୨୫ ଲକ୍ଷ ୨୯ ହଜାର ୭୨୦ ହିତାଧିକାରୀଙ୍କୁ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ପ୍ରେରଣ ପରେ ୨ୟ ପର୍ଯ୍ୟାୟରେ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଅର୍ଥ ପ୍ରେରଣ ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ଏକ ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସ୍ଥିତି  ସମୀକ୍ଷା କରିଛନ୍ତି।

ଗତକାଲି ଲୋକସେବା  ଭବନ ସ୍ଥିତ କାର୍ଯ୍ୟାଳୟରେ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ, ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବିଭାଗର ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀଙ୍କ ଉପସ୍ଥିତିରେ ୨ୟ ପର୍ଯ୍ୟାୟରେ  ‘ସୁଭଦ୍ରା’ ପ୍ରଥମ କିସ୍ତି ଅର୍ଥ ରାଶି  ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରେରଣ କରାଯିବା ସଂପର୍କରେ ବୈଷୟିକ ଟିମ୍‌ ସହିତ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ଧାର୍ଯ୍ୟ ଲକ୍ଷ୍ୟ ୧ କୋଟି ହିତାଧିକାରୀଙ୍କ ମଧ୍ୟରୁ ପ୍ରଥମ କିସ୍ତି ପ୍ରଦାନ ପରେ ଅବଶିଷ୍ଟ ସମସ୍ତ ଯୋଗ୍ୟ  ହିତାଧିକାରୀଙ୍କୁ ଆସନ୍ତା ୨୦୨୫ ମାର୍ଚ୍ଚ ୮ ତାରିଖ ପୂର୍ବରୁ ମିଳିବା ନେଇ  ଲକ୍ଷ୍ୟ ରହିଛି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ହିତାଧିକାରୀଙ୍କୁ ଆଗାମୀ ଅକ୍ଟୋବର ୯ ରେ ପ୍ରଦାନ ପାଇଁ ଘୋଷଣା କରିଛନ୍ତି।

ଏହି ପରିପ୍ରେକ୍ଷୀରେ ୨ୟ ପର୍ଯ୍ୟାୟରେ ଯେତେ ଅଧିକ ସଂଖ୍ୟକ ସମ୍ଭବ ହିତାଧିକାରୀଙ୍କୁ ଅକ୍ଟୋବର ୯ ତାରିଖରେ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରେରଣ କରାଯିବ, ସେଥି ପାଇଁ ପ୍ରକ୍ରିୟା ଜାରି ରହିଛି। ଅଦ୍ୟାବଧି ସୁଭଦ୍ରାରେ ପ୍ରାୟ ୯୮ ଲକ୍ଷ ଆବେଦନକାରୀ ପଞ୍ଜୀକରଣ କରିଛନ୍ତି। ଆବଶ୍ୟକ ବ୍ୟବସ୍ଥା ପାଇଁ  ଅକ୍ଟୋବର ୬ ତାରିଖ ସୁଦ୍ଧା ପ୍ରସ୍ତୁତି ସାରିବାକୁ ସଂପୃକ୍ତ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି।

ଏଥିସହିତ ଯେଉଁ ହିତାଧିକାରୀମାନେ ପ୍ରଥମ ପର୍ଯ୍ୟାୟରେ ପ୍ରଥମ କିସ୍ତି ଅର୍ଥରାଶି ପାଇଛନ୍ତି, ସେମାନଙ୍କ ପାଇଁ ଏକ ମତାମତ ସଂଗ୍ରହ ପ୍ରକ୍ରିୟା ( ଫିଡ୍ ବ୍ୟାକ୍ ମନିଟରିଂ) ବ୍ୟବସ୍ଥା କରାଯିବାକୁ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଥିଲେ। ଏହି ପ୍ରକ୍ରିୟାରେ  ପ୍ରଥମ କିସ୍ତି ଅର୍ଥରାଶି ପାଇଥିବା ହିତାଧିକାରୀ କେତେ ଉତ୍ସାହିତ ଅଛନ୍ତି,ଏହି ଆର୍ଥିକ ସହାୟତା ସେମାନଙ୍କ ଜୀବନରେ କିପରି ସହାୟକ ହୋଇଛି ଆଦି ସଂପର୍କରେ ମତାମତ ନିଆଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା। ତତ୍ ସହିତ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ‘ସୁଭଦ୍ରା’ ସଂପର୍କିତ ଜନସଚେତନତା କାର୍ଯ୍ୟକ୍ରମ ଜାରି ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୁଭଦ୍ରା ଯୋଜନାର ବଡ ଖବର, ଟଙ୍କା ପ୍ରଦାନ ନେଇ ଏପରି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଆଉ ଏକ ଖବର ମିଳିଛି। ତାହାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା। ତାଙ୍କ କହିବା ଅନୁସାରେ ଆସନ୍ତା ସାତ ତାରିଖ ସୁଦ୍ଧା ଯେଉଁମାନେ ଆବେଦନ କରିଥିବେ ସେମାନଙ୍କୁ  9 ତାରିଖରେ ପ୍ରଥମ ପର୍ଯ୍ୟାୟର ଦ୍ବିତୀୟ ଭାଗ ଟଙ୍କା ପ୍ରଦାନ କରାଯିବ।

ତେବେ ଏ ନେଇ 9 ତାରିଖରେ ବାରିପଦାରେ ଏକ ବଡ କାର୍ଯ୍ୟକ୍ରମ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। ସେଦିନ ସଭାରେ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ରହି ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ବଣ୍ଟନ କରିବେ।

ତେବେ ବାରିପଦାରେ କାହିଁକି ସଭାର ଆୟୋଜନ କରାଗଲା ବୋଲି ପଚାରିବାରୁ ସେ କହିଲେ ଯେ ସେହି ସହର ଏକ ପବିତ୍ର ସହର। ସେଠାରେ ମା ସୁଭଦ୍ରାଙ୍କ ରଥ ମହିଳାମାନେ ଟାଣନ୍ତି। ସେହି ଜିଲ୍ଲାରୁ ଜଣେ ମହିଳା ଦେଶର ରାଷ୍ଟ୍ରପତି ହୋଇଛନ୍ତି। ତେଣୁ ମହିଳା ସଶକ୍ତିକରଣ ପାଇଁ ତାହା ଉପଯୁକ୍ତ ସ୍ଥାନ ବୋଲି ପ୍ରଭାତୀ କହିଛନ୍ତି।

ଏହି ଉତ୍ସବରେ ସୁଭଦ୍ରା ଯୋଜନାରେ ପ୍ରାୟ 40 ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ସେଦିନ ପ୍ରାୟ ହିତାଧିକାରୀଙ୍କ ସଂଖ୍ୟା ଏକ କୋଟିରେ ପହଁଚିବ। ସେହି ଉତ୍ସବରେ ସୁଭଦ୍ରା ଯୋଜନାର ଯେ ପ୍ରଥମ ହିତାଧିକାରୀ ଏବଂ ଏକ କୋଟି ସଂଖ୍ୟା ଯେଉଁ ହିତାଧିକାରୀଙ୍କ ନାମରେ ଆସିବ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସୁଭଦ୍ରା ଟଙ୍କା ଦେବା ପାଇଁ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ ତାଙ୍କର ପୁରା ଗସ୍ତ କାର୍ଯ୍ୟକ୍ରମ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ସେପ୍ଟେମ୍ବର ୧୭ ତାରିଖରେ ଭୁବନେଶ୍ୱର ଆସି ରାଜ୍ୟ ସରକାରଙ୍କର ଜନ କଲ୍ୟାଣକାରୀ “ସୁଭଦ୍ରା” ଯୋଜନାର ଶୁଭାରମ୍ଭ ସହ ଅନ୍ୟ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ସେଦିନ ପୂର୍ବାହ୍ନ ୧୧.୩୫ ମିନିଟ୍ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ପୂର୍ବାହ୍ନ ୧୧ ଟା ୫୫ ମିନଟ୍ ରେ ଜନତା ମଇଦାନ ଠାରେ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ଅପରାହ୍ନ ୩ ଟା ସମୟରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ଅନୁଷ୍ଠିତ କରାଯିବା ନେଇ ପ୍ରଶାସନିକ ସ୍ତରରେ ଆନୁଷଙ୍ଗିକ ପ୍ରସ୍ତୁତି ସମ୍ପର୍କରେ ଆଜି ସକାଳେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଗୃହ ବିଭାଗ ଶ୍ରୀ ସତ୍ୟବ୍ରତ ସାହୁ, ପୁଲିସ୍ ମହା ନିର୍ଦ୍ଦେଶକ ଶ୍ରୀ ଓ୍ୱାଇ. ବି. ଖୁରାନିଆଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ସଚିବ ଏବଂ ବରିଷ୍ଠ ପଦାଧିକାରୀ, ଭୁବନେଶ୍ୱର ମହାନଗର ନିଗମ କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ପରିପ୍ରେକ୍ଷୀରେ ବିଭାଗ ତରଫରୁ ଆନୁଷଙ୍ଗିକ ପ୍ରସ୍ତୁତି ଜାରି ରହିଥିବା ସଂପର୍କରେ ସୂଚନା ଦେଇଥିଲେ। ରାଜ୍ୟ ଗୃହ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଡଃ. ସନ୍ତୋଷ ବାଲା  ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସଂପର୍କରେ ବିଶଦ୍ ସୂଚନା ଉପସ୍ଥାପନ କରିଥିଲେ।

ଏହି ଦିନ ଜନତା ମଇଦାନରେ “ସୁଭଦ୍ରା” ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ,  ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଶିଷ୍ଟ ଅତିଥିମାନେ ଯୋଗ ଦେଉଥିବାରୁ ହିତାଧିକାରୀଙ୍କ ସମେତ ବହୁ ଜନ ସମାଗମକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି। ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ପ୍ରସ୍ତୁତି ସମୀକ୍ଷା କରି ବିଭିନ୍ନ ବିଭାଗର ଯେଉଁ ଯେଉଁ କାମ ରହିଛି, ଆନ୍ତଃ ବିଭାଗୀୟ ସମନ୍ୱୟରେ ସେସବୁକୁ ସଠିକ ଭାବେ ନିର୍ବାହ କରିବାକୁ ଗୁରୁତ୍ୱ ଦେଇଛନ୍ତି।

ଡିଜିପି ଏବଂ ଆଇଜିପିଙ୍କୁ ଆଇନ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଥିବା ବେଳେ ଜିଲ୍ଲାପାଳ,ଖୋର୍ଦ୍ଧାଙ୍କୁ ଅନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସେମାନଙ୍କର ରହିଥିବା ଦାୟିତ୍ୱ ଶତ ପ୍ରତିଶତ ଭଲ ଭାବରେ ତୁଲାଇବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ଆବଶ୍ୟକସ୍ଥଳେ ତାଙ୍କର ସାମୟିକ ରହଣି, ସୁରକ୍ଷା ବ୍ୟବସ୍ଥା, କାରକେଡ୍ ବ୍ୟବସ୍ଥା ଏବଂ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ସହ ସ୍ୱତନ୍ତ୍ର ସୁବିଧା ଥିବା ଆମ୍ବୁଲାନ୍ସ୍ ବ୍ୟବସ୍ଥା ରହିବ। ସେହିପରି ଶକ୍ତି ବିଭାଗ ଏବଂ ଟିପିସିଓଡିଲକୁ ଉତ୍ସବ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହ ବ୍ୟବସ୍ଥା ସହ ଅତିରିକ୍ତ ଜେନେରେଟର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଥି ସହିତ ରାସ୍ତା ମରାମତି, ପରିମଳ ଓ ପରିସ୍କାର ପରିଚ୍ଛନ୍ନତା, ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ସଭା ମଞ୍ଚ ପ୍ରସ୍ତୁତି ଏବଂ ବେରିକେଡିଂ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା । କାର‌୍ୟ୍ୟକ୍ରମର ସିଧା ପ୍ରସାରଣ ସୁବିଧା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ବୈଦ୍ୟୁତିକ ଓ ମୁଦ୍ରଣ ଗଣମାଧ୍ୟମଙ୍କୁ ସିଙ୍ଗିଲ ଫିଡ୍ ବ୍ୟବସ୍ଥା ସହ ପ୍ରେସ୍ କୁ ବିବରଣୀ ପ୍ରଦାନ କରାଯିବ। ଆବଶ୍ୟକ ପାସ ବ୍ୟବସ୍ଥା କରାଯିବା ସହ ଜନଗହଳିକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ସ୍ଥଳରେ ପୁଲିସ୍ କର୍ମଚାରୀଙ୍କ ସମେତ ଅଧିକ ସେଚ୍ଛାସେବୀ ମୁତୟନ ହେବେ। ଅଗ୍ନିଶମ ସେବା ବିଭାଗ ତରଫରୁ ଅଗ୍ନି ନିର୍ବାପକ ପ୍ରସ୍ତୁତି ବ୍ୟବସ୍ଥା ସହ ବିଜୁଳି ଆଘାତରୁ ପ୍ରତିକାରାତ୍ମକ ପଦକ୍ଷେପ ସ୍ୱରୂପ ବଜ୍ରପାତ ପ୍ରତିରୋଧକାରୀ ଲାଇଟେନିଂ ଆରେଷ୍ଟର ବ୍ୟବସ୍ଥା ରହିବ।

ଜନ ଗହଳିକୁ ଦୃଷ୍ଟିରୁ ରଖି ଜନସାଧାରଣ ଯେପରି କାର‌୍ୟ୍ୟକ୍ରମକୁ ଦେଖିପାରିବେ, ସେଥିପାଇଁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏଲଇଡି ବ୍ୟବସ୍ଥା କରାଯିବାକୁ ପରାମର୍ଶ ଦିଆଯାଇଛି । ବିଭିନ୍ନ ପ୍ରଶାସନିକ ଅଧିକାରୀମାନଙ୍କୁ ଭିନ୍ନ ଭିନ୍ନ କାର‌୍ୟ୍ୟରେ ଦାୟିତ୍ୱରେ ରହି କାର‌୍ୟ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା ପାଇଁ ମୁତୟନ କରାଯିବ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସଂପର୍କିତ ଅଧିକ ସୂଚନା ପାଇଁ ରାଜ୍ୟ ଗୃହ ବିଭାଗ ( ପ୍ରୋଟୋକଲ ) ତରଫରୁ ଏକ ନିୟନ୍ତ୍ରଣ କକ୍ଷ କାଯ୍ୟକ୍ଷମ ହେବ।

କାର‌୍ୟ୍ୟକ୍ରମ ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା, ହିତାଧିକାରୀ ଏବଂ ଜନସାଧାରଣ ବସିବା ପାଇଁ ଯଥେଷ୍ଟ ସଂଖ୍ୟକ ଚୌକି ବ୍ୟବସ୍ଥା, ମହିଳା ସମାବେଶ ଦୃଷ୍ଟିରୁ କାର‌୍ୟ୍ୟକ୍ରମ ସ୍ଥଳ ଏବଂ ରାସ୍ତାର ବିଭିନ୍ନ ସ୍ଥାନରେ ଅଧିକ ମୋବାଇଲ ଶୌଚାଳୟ ଏବଂ ବାୟୋ ଟଏଲେଟ୍ ବ୍ୟବସ୍ଥା କରାଯିବା ନେଇ ବୈଠକରେ ଆଲୋଚନା ପୂର୍ବକ ନିର୍ଦ୍ଦେଶ ଦିଆଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସୁଭଦ୍ରା ଯୋଜନାକୁ ସମାଲୋଚନା କଲେ ନବୀନ, କହିଲେ ମା’ମାନଙ୍କୁ ଏହା କ’ଣ ବିଜେପି ଗ୍ୟାରେଣ୍ଟି?

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଘୋଷଣା କରିଥିବା ସୁଭଦ୍ରା ଯୋଜନାକୁ ନେଇ ବିଭିନ୍ନ ମହଲରେ ବେଶ ସମାଲୋଚନା କରାଯାଇଛି। କାରଣ ବିଜେପି ନିର୍ବାଚନ ବେଳେ ଯେଉଁ ପ୍ରତିଶୃତି ଦେଇଥିଲା ତାହା ବର୍ତ୍ତମାନ ପୂର୍ଣ୍ଣ ରୂପରେଖ ନେଇ ପାରୁନାହିଁ। ଏହାକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ,

“ବିଜେପି ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କା ଦେବ ବୋଲି ‘ଗ୍ୟାରେଣ୍ଟି’ ଦେଇଥିଲା। ନିର୍ବାଚନ ସମୟରେ କହିଥିଲେ ୫୦,୦୦୦ ଟଙ୍କା, ଦେଉଛନ୍ତି ମାତ୍ର ୫,୦୦୦ ଟଙ୍କା। କହିଲେ ସବୁ ମହିଳା, ହେଲେ ପାଇବେ ଜମା ୩ଜଣରୁ ଜଣେ। ମା’ମାନଙ୍କୁ ଏହା କ’ଣ ବିଜେପିର ଗ୍ୟାରେଣ୍ଟି?

ଆମର ୪.୫ କୋଟି ଜନସଂଖ୍ୟାର ପ୍ରାୟ ୨.୨୫ କୋଟି ମହିଳା ଏଥିରେ ସାମିଲ ହେବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଏବେ ବିଜେପି ସରକାରଙ୍କ କହିବା ମୁତାବକ କେବଳ ମାତ୍ର ୭୦ ଲକ୍ଷ ମହିଳା ଏଥିରେ ସାମିଲ ହୋଇପାରିବେ।

ତାହେଲେ ବିଜେପି ସରକାରଙ୍କ ‘ପ୍ରତ୍ୟେକ’ ମହିଳାଙ୍କୁ ଏ ଯୋଜନାରେ ସାମିଲ କରିବା ଅର୍ଥ କ’ଣ ଏଇୟା? ମା’ମାନଙ୍କୁ ଏହା କ’ଣ ବିଜେପିର ଗ୍ୟାରେଣ୍ଟି? ନା ଏହା ଏକ ଧୂଆଁବାଣ?

ମା’ମାନେ ଅନେକ ଆଶା ରଖିଥିଲେ। ଟଙ୍କା ମିଳିଲେ କିଛି ଭଲ କାମରେ ଲଗାଇବେ ବା ବ୍ୟବସାୟ କରିବେ। ହେଲେ ଏବେ କହୁଛନ୍ତି ମା’ମାନଙ୍କୁ ୬ମାସରେ ମାତ୍ର ୫,୦୦୦ ଟଙ୍କାର ସହାୟତା; ଯାହା ମାସକୁ ମାତ୍ର ୮୦୦ ଟଙ୍କା ପଡ଼ୁଛି।ଏହା କେଉଁ କାମରେ ଲାଗିବ? ଏକ ସାଙ୍ଗରେ ୫୦,୦୦୦ ଟଙ୍କାର ପ୍ରୋତ୍ସାହନ ମିଳିଥିଲେ ମା’ମାନେ ଏହାକୁ କୌଣସି କାମରେ ଲଗାଇ ପାରିଥାନ୍ତେ। କିଛି ବ୍ୟବସାୟ କରି ସଶକ୍ତ ହୋଇ ସମାଜରେ ଆଗକୁ ବଢ଼ିଥାନ୍ତେ।

ସୁଭଦ୍ରା ବା କିଛି ଗ୍ୟାରେଣ୍ଟି ଯୋଜନାକୁ କାର‌୍ୟ୍ୟକ୍ଷମ କରିବାକୁ ବିଜେପି ସରକାର ଚଳିତ ବଜେଟରେ ୫୦,୦୦୦ କୋଟି ଟଙ୍କାର ଋଣ କରିଛନ୍ତି। ଏହା ଆମ ସମସ୍ତଙ୍କ ମୁଣ୍ଡରେ ଋଣ ବୋଝ। ଆମ ମା’ ଓ ଭଉଣୀମାନଙ୍କୁ ଏହାକୁ ସୁଧ ସହ ସୁଝିବାକୁ ପଡ଼ିବ। କାରଣ ଏହା ସରକାରୀ ଅର୍ଥ ନୁହେଁ, ଋଣ ହୋଇ ଆସିଥିବା ଟଙ୍କା। ଏଥିରେ କ’ଣ ନାରୀ ସଶକ୍ତିକରଣ ସମ୍ଭବ ହେବ? ଆମେ ଖାଲି ଯାହା ଋଣ କରି ପରବ ପାଳିବା ସାର ହେବ।”

Categories
ଆଜିର ଖବର ରାଜ୍ୟ ଖବର

ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ପାଇଁ ପ୍ରକ୍ରିୟା ଆରମ୍ଭ: ୧୫ ରେ ଜାରି ହେବ ଏସଓପି

ଭୁବନେଶ୍ଵର: ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ସୁଭଦ୍ରା ଯୋଜନା ପାଇଁ ଅଗଷ୍ଟ ୧୫ ତାରିଖରେ ଏସଓପି ଜାରି ହେବ। ଏନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି।

ଉପ-ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ସୁଭଦ୍ରା ଯୋଜନା ପାଇଁ ଏସଓପି ପ୍ରସ୍ତୁତ ହୋଇଅଛି। ବର୍ତ୍ତମାନ ସାଧାରଣ ଜନତା, ବୁଦ୍ଧିଜୀବୀମାନଙ୍କ ଠାରୁ ମତାମତ ନିଆଯାଉଛି। ରାଜ୍ୟରେ ମହିଳାମାନଙ୍କୁ ଶସକ୍ତ ଓ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ଏହି ଯୋଜନା ଉପରେ ପୁଙ୍ଖାନୁପୁଙ୍ଖ ବିଚାର କରୁଛନ୍ତି। ଆସନ୍ତା ୧୫ ତାରିଖରେ ଏହା ଉପରେ ଏସଓପି ଜାରି କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ସେପ୍ଟେମ୍ବର ୧୭ ତାରିଖରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ।