Categories
ଆଜିର ଖବର ଜାତୀୟ ଖବର

ହିମାଚଳ ପ୍ରଦେଶରେ ବଡ ରାଜନୈତିକ ସଙ୍କଟ, ସିଏମ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଲେ ସୁଖବିନ୍ଦର ସିଂ ସୁଖୁ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ନିଜ ପଦରୁ ଇସ୍ତଫା ଦେଇପାରନ୍ତି। କଂଗ୍ରେସ ହାଇକମାଣ୍ଡ ପଠାଇଥିବା ପର୍ଯ୍ୟବେକ୍ଷକଙ୍କ ସାମ୍ନାରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଛନ୍ତି। ତେବେ ସେ ଏପର୍ଯ୍ୟନ୍ତ ରାଜ୍ୟପାଳଙ୍କ ନିକଟରେ କୌଣସି ଇସ୍ତଫା ଦାଖଲ କରିନାହାଁନ୍ତି।

ଯଦି ମୁଖ୍ୟମନ୍ତ୍ରୀ ଏହି ପଦରୁ ଇସ୍ତଫା ଦିଅନ୍ତି, ତେବେ ଆଜି ବଜେଟ୍ ପାରିତ ହେବ ନାହିଁ। ଏହା ସରକାରଙ୍କ ପାଇଁ ଏକ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରିପାରେ। ସୂତ୍ରରୁ ପ୍ରକାଶ ଯେ, ମୁଖ୍ୟମନ୍ତ୍ରୀ ସୁଖୁ ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟପାଳଙ୍କ ନିକଟରେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିପାରନ୍ତି।

ଡି.କେ ଶିବକୁମାର କ’ଣ କହିଲେ?:

ଏହି ସମୟ ମଧ୍ୟରେ କର୍ଣ୍ଣାଟକର ଉପ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ସଙ୍କଟମୋଚକ ଡି.କେ ଶିବକୁମାର ଶିମଲାରେ ପହଞ୍ଚୁଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି ଯେ, କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଁ ହିମାଚଳ ପ୍ରଦେଶରେ ପହଞ୍ଚୁଛି। କୌଣସି ଗୁଜବ ପ୍ରଚାର କରିବାର ସମ୍ପୂର୍ଣ୍ଣ ଆବଶ୍ୟକତା ନାହିଁ, କାରଣ ମୁଁ ନିଶ୍ଚିତ ଯେ କଂଗ୍ରେସ ଦଳର ବିଧାୟକମାନେ ଦଳ ପ୍ରତି ବିଶ୍ୱସ୍ତ ରହିବେ ଏବଂ ସେମାନଙ୍କୁ ଦିଆଯାଇଥିବା ଆଦେଶ ପାଳନ କରିବେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ତେବେ ବିଜେପି କ୍ଷମତା ହାସଲ କରିବାକୁ କେଉଁ ସ୍ତର ପର୍ଯ୍ୟନ୍ତ ଯାଇପାରେ, ତାହା ଉପରେ ପ୍ରଶ୍ନବାଚୀ ଓ ଚିନ୍ତା କରାଯିବା ଉଚିତ୍। ଗଣତନ୍ତ୍ର ତଥା ଜନାଦେଶକୁ ନଷ୍ଟ କରିବାକୁ ବିଜେପି ଚେଷ୍ଟା କରୁଛି।