Categories
ଆଜିର ଖବର ଜାତୀୟ ଖବର

ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଆଶ୍ବସ୍ତି, ଜାମିନ ପ୍ରଦାନ କଲେ ସାଂସଦ-ବିଧାୟକ କୋର୍ଟ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ମୁଖ୍ୟ ରାହୁଲ ଗାନ୍ଧୀଙ୍କୁ ମାନହାନୀ ମାମଲାରେ ଏକ ବଡ଼ ଆଶ୍ଵସ୍ତି ମିଳିଛି। ଆଜି ଉତ୍ତରପ୍ରଦେଶର ସୁଲତାନପୁରରେ ସାଂସଦ-ବିଧାୟକ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

କେରଳର ୱାୟାନାଡ ସାଂସଦ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ଅଟକାଇ ଏହି ମାମଲାରେ ହାଜର ହେବା ପାଇଁ ସେଠାରେ ପହଞ୍ଚିଥିଲେ। ଏହି ସମଗ୍ର ବିଷୟ ୨୦୧୮ ବର୍ଷର ଅଟେ, ଯାହା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଜଡିତ। ରାହୁଲ ଗାନ୍ଧୀ ଅମିତ ଶାହାଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା।

ବିଜେପି ନେତା ବିଜୟ ମିଶ୍ର ରାହୁଲଙ୍କ ବିରୋଧରେ ୪ ଅଗଷ୍ଟ ୨୦୧୮ରେ ମାନହାନୀ ମାମଲା ଦାୟର କରିଥିଲେ। ସେ ଅଭିଯୋଗ କରିଥିଲେ ଯେ, ରାହୁଲ, ମଇ ୮ ତାରିଖ ୨୦୧୮ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ବେଙ୍ଗାଲୁରୁରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ତତ୍କାଳୀନ ବିଜେପି ରାଷ୍ଟ୍ରୀୟ ସଭାପତି ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ହତ୍ୟା ମାମଲାରେ ଦୋଷୀ କହିଥିଲେ।

ବିଜେପି ନେତା ବିଜୟ ମିଶ୍ର କହିଥିଲେ ଯେ, ‘ରାହୁଲ ଗାନ୍ଧୀ ଅମିତ ଶାହାଙ୍କୁ ହତ୍ୟାକାରୀ’ ବୋଲି କହିଥିଲେ, ଅନେକ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ, ଆମେ ଏ ସମ୍ପର୍କରେ ଅଭିଯୋଗ ଦାଖଲ କରିଥିଲୁ।’ ସେ କହିଥିଲେ ଯେ, ବିଜେପି ହେଉଛି ଦେଶର ସବୁଠାରୁ ବଡ ଦଳ। ଏପରି ଦଳର ଜାତୀୟ ସଭାପତିଙ୍କୁ ହତ୍ୟାକାରୀ କୁହାଯିବା ଅନ୍ୟାୟ। ଏହା ଦ୍ୱାରା ଆମେ ଗଭୀର ଆଘାତ ପାଇଥିଲୁ, ଯାହା ପରେ ଆମର କର୍ମୀମାନେ ଆମ ଉପରେ ଚାପ ପକାଇଥିଲେ ଏବଂ ଆମେ ଏକ ଅଭିଯୋଗ ଦାଖଲ କରିଥିଲୁ।