ନିର୍ବାଚନୀ ପ୍ରଚାର ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାଗସ୍ତରେ ଆସି ସୁନ୍ଦରଗଡ଼ ସଭାରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଓଡ଼ିଆରେ ସୁନ୍ଦରଗଡ଼ବାସୀଙ୍କୁ ଜୁହାର ଜଣାଇବା ସହ ମୋଦି, ଓଡ଼ିଶାର ବରପୁତ୍ର ଓ ସହିଦଙ୍କୁ ପ୍ରଣାମ ଜଣାଇଥିଲେ। ବିଜେପିର ପ୍ରତିଷ୍ଠା ଦିବସ ଅବସରରେ କର୍ମୀଙ୍କୁ ଶୁଭେଚ୍ଛା ଦେବା ସହିତ ଉଭୟ ବିଜେଡ଼ି ଓ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି। ଓଡ଼ିଶାରେ ଚଳିତ ଥର ବିଜେପି ସରକାର ଆସିବା ନେଇ ବେଶ୍ ଆଶାବାଦୀ ରହିଛନ୍ତି ମୋଦି। ତେବେ ବିଜେଡ଼ି ସରକାରକୁ ଟାର୍ଗେଟ୍ କରିଛନ୍ତି। ପ୍ରାକୃତିକ ସମ୍ପଦରେ ଭରପୂର ଓଡ଼ିଶା ପାଇଁ ମଜୁବତ୍ ସରକାର ଦରକାର ବୋଲି କହିଛନ୍ତି ମୋଦି। ଓଡ଼ିଶାର ଯୁବକମାନଙ୍କୁ ବାହାରକୁ କାମ କରିବାକୁ ଯିବାକୁ ପଡୁଥିବାବେଳେ ଝାଡଖଣ୍ଡର ଯୁବକମାନେ ତାଙ୍କ ରାଜ୍ୟରୁ ବାହାରକୁ ଯାଉନାହାନ୍ତି ବୋଲି କହିଛନ୍ତି ମୋଦି। ସେହିପରି ବିଜେଡ଼ିର ନିୟତି ଠିକ୍ ନଥିବାରୁ ବିକାଶରେ ବାଧକ ସାଜୁଛି। ଦଳିତ ଓ ଆଦିବାସୀ ଉଭୟ ବିଜେଡ଼ି ଓ କଂଗ୍ରେସ ପାଇଁ ଭୋଟ୍ ବ୍ୟାଙ୍କ୍। ଓଡ଼ିଶାରେ ମଜବୁତ୍ ସରକାର କରିବା ତଥା ପରିବର୍ତ୍ତନ ଆଣିବା ପାଇଁ ବିଜେପିକୁ ଭୋଟ୍ ଦେବାପାଇଁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଓଡ଼ିଶାରେ ବିଜେଡିର ନୀତି ଓ ନିୟତି ଠିକ୍ ନାହିଁ, ଓଡ଼ିଶାର ବିକାଶରେ ରୋକ ଲଗାଇଛି ବିଜେଡି, ନୀତି ଠିକ୍ ଥିଲେ କୃଷକଙ୍କୁ ସ୍ବାସ୍ଥ୍ୟସେବା ମିଳିଥାନ୍ତା। ମଜବୁତ ଭାରତ ଓ ମଜବୁତ ଓଡ଼ିଶା ପାଇଁ ପଦ୍ମ ଫୁଟିବା ଦରକାର ବୋଲି କହିଛନ୍ତି। ବିକାଶ ଓ ଲୋକଙ୍କୁ ନ୍ୟାୟ ଦେବାକୁ ଆନ୍ଦୋଳନ ଜରୁରୀ, ପୂର୍ଣ୍ଣ ବହୁମତ ସରକାର ଆତଙ୍କବାଦୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇପାରିବ ବୋଲି କହିଛନ୍ତି ମୋଦି। ସେହିପରି ଓଡ଼ିଶାରେ କେଉଁଭଳି ସରକାର ଦରକାର ତାହାର ଠିକ୍ ନିଷ୍ପତ୍ତି ନେବାର ଦାୟିତ୍ଵ ଲୋକଙ୍କ ଉପରେ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )