ଆସାମ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ଜାରି ରହିଥିବାବେଳେ ଏହାକୁ ନେଇ ବିଜେପିକୁ ଟାର୍ଗେଟ୍ କରିଛନ୍ତି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇ । ଗୋଗେଇ କହିଛନ୍ତି ଯେ, ହିନ୍ଦୁ ଧର୍ମ ବିଜେପିର ଏକାଧିକାର ନୁହେଁ । ନାଗରିକତା ପାଇଁ ଧର୍ମ କେବେ ବି ଆଧାର ହୋଇପାରିବ ନାହିଁ । ଆସାମ ବିଧାନସଭାରେ ରାଜ୍ୟପାଳଙ୍କ ବକ୍ତବ୍ୟ ଉପରେ ଏକ ତର୍କରେ ଭାଗ ନେଇ ଗୋଗେଇ ଏହି ବିଷୟରେ କହିଛନ୍ତି । ରାଜ୍ୟର ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ଉପରେ ଅସମିଆ ସମାଜକୁ ଭାଗ କରିବାର ଅଭିଯୋଗ ଲଗାଇଛନ୍ତି ତରୁଣ । କ୍ଷମତାଧାରୀ ଦଳ ଉପରେ ଆକ୍ରମଣ କରି ଗୋଗେଇ କହିଛନ୍ତି ଯେ, ହିନ୍ଦୁ ଧର୍ମ ଉପରେ ବିଜେପିର ଏକାଚାଟିଆ ଅଧିକାର ନାହିଁ । ସେ ଜଣେ ହିନ୍ଦୁ, ସେ ମନ୍ଦିର, ମସଜିଦ୍ ଓ ଚର୍ଚ୍ଚ ଯାଅନ୍ତି ବୋଲି କରିଛନ୍ତି । ଏନ୍ଆରସିକୁ ନେଇ ପୂରା ଆସାମ ଜଳୁଛି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ଜଣକ । ସାରା ଭାରତରେ ସିଏଏର ବିରୋଧ ଅଧିକାଂଶ ହିନ୍ଦୁମାନଙ୍କ ଦ୍ବାରା ହିଁ କରାଯାଉଛି ବୋଲି କହିଛନ୍ତି ତରୁଣ ଗୋଗେଇ । (ଏଜେନ୍ସି)