Categories
ଆଜିର ଖବର

ଆତଙ୍କୀଙ୍କୁ ଅର୍ଥନୈତିକ ସହାୟତା ବନ୍ଦ ନକଲେ କାର୍ଯ୍ୟାନୁଷ୍ଠାନ ପାଇଁ ପାକିସ୍ତାନକୁ ଏଫ୍‌ଏଟିଏଫ୍‌ର ଚେତାବନୀ

ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା କରୁଥିବା ପାକିସ୍ତାନକୁ ଏକ ଶକ୍ତ ଧକ୍କା ଲାଗିଛି। ଫାଇନାନ୍ସିଆଲ ଆକ୍ସନ୍‌ ଟାସ୍କ ଫୋର୍ସ (ଏଫ୍‌ଟିଏଫ୍‌) ପକ୍ଷରୁ ପାକିସ୍ତାନକୁ ଚେତାବନୀ ଦିଆଯାଇଛି। ଯଦି ଆଗାମୀ ଦିନରେ ପାକିସ୍ତାନ ପକ୍ଷରୁ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ବନ୍ଦ କରାନଯାଏ ତେବେ ପାକିସ୍ତାନକୁ କଳା ତାଲିକାଭୁକ୍ତ କରାଯିବ ବୋଲି ଚେତାବନୀ ଦେଇଛି ଏଫ୍‌ଏଟିଏଫ୍‌। ପୂର୍ବରୁ ଭାରତ ପକ୍ଷରୁ ପାକିସ୍ତାନକୁ କଳା ତାଲିକା ଭୁକ୍ତ କରିବା ନିମନ୍ତେ ଆବେଦନ କରାଯାଇଥିବା ବେଳେ ଚୀନ୍‌ ପାକିସ୍ତାନର ସମର୍ଥନରେ ବାହାରିଥିଲା। ମାତ୍ର ମାସୁଦ୍‌ ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ନେଇ ଚୀନ୍‌ ମଧ୍ୟ ପାକିସ୍ତାନର ହାତ ଛାଡି ଦେଇଥିଲା। ଏହି ଘଟଣା ପରେ ଅକ୍ଟୋବର ୨୦୧୯ ସୁଦ୍ଧା ଆତଙ୍କବାଦ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପାକିସ୍ତାନକୁ ଚେତାବନୀ ଦେଇଛି ଏଫ୍‌ଏଟିଏଫ୍‌।

Categories
ଆଜିର ଖବର

ଓଡ଼ିଆ ଯବାନ୍‌ଙ୍କ ସମେତ ୫ ଯବାନ୍‌ ଶହୀଦ୍‌, ଜୈଶ୍‌ ମହମ୍ମଦର କମାଣ୍ଡର ଆତଙ୍କୀ ସଜ୍ଜାଦ ଭଟ୍ଟଙ୍କ ସମେତ ତିନି ଆତଙ୍କୀ ନିହତ

ପୁଣି ଅଶାନ୍ତ ହୋଇଛି ସୀମା। ଜମ୍ମୁ କାଶ୍ମୀରରେ ସୁରକ୍ଷା ବଳ ଓ ଆତଙ୍କୀଙ୍କ ଆକ୍ରମଣରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ ମେଜର୍‌ଙ୍କ ସମେତ ଚାରିଜଣ ଯବାନ୍‌ ଶହୀଦ୍‌ ହୋଇଛନ୍ତି। ସୁରକ୍ଷାବଳଙ୍କ ଦ୍ବାରା  ଆତଙ୍କୀ ସଂଗଠନ  ଜୈଶ୍‌-ମହମ୍ମଦର କମାଣ୍ଡର ସଜ୍ଜାଦ୍‌ ଭଟ୍ଟଙ୍କ ସମେତ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି। ଅନନ୍ତନାଗରେ ଆଜି ସକାଳୁ ମଧ୍ୟ ଗୁଳିବିନିମୟ ଜାରି ରହିଛି। ସେହିପରି ଜମ୍ମୁକାଶ୍ମୀରରେ ଫୁଲଓ୍ବାମାର ଈଦଗାହ ଅରିହଲ ଅଞ୍ଚଳରେ ଆତଙ୍କବାଦୀମାନେ ସେନାର ଗାଡି ଉପରେ ଆଇଡି ବ୍ଲାଷ୍ଟ କରିଛନ୍ତି। ଏହି ଆକ୍ରମଣରେ କେସ୍ପର ଗାଡି କ୍ଷତିଗ୍ରସ୍ତ ହୋଇଛି।  ଏହି ଆକ୍ରମଣରେ ୫ ଜଣ ଯବାନ ଆହତ ହୋଇଛନ୍ତି। ଶହୀଦ୍‌ ଯବାନ୍‌ଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ୍‌ ରହିଛନ୍ତି। ଯବାନ୍‌ ଜଣକ କାମାକ୍ଷନଗରର ବଡଶୁଂଆଳ ଗ୍ରାମର ଅଜିତ୍‌ ସାହୁ। ସେ ୨୦୧୫ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ।

Categories
ଆଜିର ଖବର

ଅନନ୍ତନାଗରେ ସୁରକ୍ଷା ବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି

ଜମ୍ମୁ କାଶ୍ମୀରର ଅନନ୍ତନାଗରେ ସୁରକ୍ଷାବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ସଙ୍ଗଠିତ ହୋଇଛି। ଏକ ସର୍ଚ୍ଚ ଅପରେସନ୍‌ ଚାଲିଥିବା ସମୟରେ ଏହି ଏନ୍‌କାଉଣ୍ଟର ଘଟିଥିଲା। ଶନିବାର ଦକ୍ଷିଣ କାଶ୍ମୀରର ଭେରିନାଗରେ ଏହି ସର୍ଚ୍ଚ ଅପରେସନ୍‌ ଚାଲିଥିଲା। ଆତଙ୍କୀ ମାନେ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଜମ୍ମୁ କାଶ୍ମୀର ପୋଲିସର ସ୍ପେସିଆଲ୍‌ ଅପରେସନ୍‌ ଗ୍ରୁପ୍‌, ସିଆରପିଏଫ୍‌ ଏବଂ ରାଷ୍ଟ୍ରୀୟ ରାଇଫଲ୍‌ସ ପକ୍ଷରୁ ଏକ ମିଳିତ ଅପରେସନ୍‌ କରାଯାଇଥିଲା। ସର୍ଚ୍ଚ ଅପରେସନ୍‌ ସମୟରେ ସୁରକ୍ଷା ବଳଙ୍କ ଉପରକୁ ଗୁଳି ଚାଳନା ହେବା ପରେ ପାଲଟା ଗୁଳିଚାଳନା କରାଯାଇଥିଲା। ଘଟଣାସ୍ଥଳରେ ଦୁଇରୁ ତିନି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ଦେଇଛି ପୋଲିସ୍‌।

Categories
ଆଜିର ଖବର

୪୧ସନ୍ଦିଗ୍ଧ ଆତଙ୍କୀଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ କଲେ ଶ୍ରୀଲଙ୍କା ସରକାର

ଇଷ୍ଟରରେ ଶ୍ରୀଲଙ୍କାରେ ଘଟିଥିବା ବିସ୍ଫୋରଣ ପରେ ଶ୍ରୀଲଙ୍କା ସରକାର ଏହି ଘଟଣାରେ ସମ୍ପୃକ୍ତ ୪୧ ସନ୍ଦିଗ୍ଧ ଆତଙ୍କୀଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ କରି ଦେଇଛି। ଏହି ସମସ୍ତ ୪୧ ଜଣ ଆତଙ୍କୀ ନ୍ୟାସ୍‌ନାଲ୍‌ ଥାହ୍ବିଦ୍‌ ଜମ୍ମାଥ (ଏନ୍‌ଟିଜେ)ର ସଦସ୍ୟ ଅଟନ୍ତି। ପୋଲିସ୍‌ ମୁଖପାତ୍ର ରୁଆନ୍‌ ଗୁଣଶେକରାଙ୍କ ସୂଚନା ଅନୁଯାୟୀ ଟିଆଇଡି ଏବଂ ସିଆଇଡିର ତଦନ୍ତ ପରେ ଏହି ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଇଷ୍ଟର ସମୟରେ ୯ ଜଣ ଆତ୍ମଘାତୀ ବିସ୍ଫୋରଣକାରୀ ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଘଟାଇଥିଲେ। ଏହି ବିସ୍ଫୋରଣରେ ୨୫୮ ଜଣଙ୍କ ପ୍ରାଣହାନି ଘଟିବା ସହିତ ୫୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ୪୧ଟି ଆକାଉଣ୍ଟରୁ ପ୍ରାୟ ୧୩୪ ମିଲିୟନ୍‌ ଡଲାର ଅର୍ଥ ଜବତ କରାଯାଇଥିବା ବେଳେ ସମ୍ପତ୍ତିରୁ ୧୪ ମିଲିୟନ୍‌ ଡଲାର ଅର୍ଥ ଜବତ କରିଥିଲେ ଶ୍ରୀଲଙ୍କା ସରକାର।

Categories
ଆଜିର ଖବର

ପାକିସ୍ତାନରେ ଆତଙ୍କବାଦୀ ଶିବିର ଧ୍ବଂସ କରିବା ପାଇଁ ଆମେରିକା ସଂସଦରେ ପ୍ରସ୍ତାବ

ପାକିସ୍ତାନରେ ରହିଥିବା ସବୁ ଆତଙ୍କୀ ଶିବିରକୁ ଧ୍ଵଂସ କରିବାକୁ ଆମେରିକା ସଂସଦରେ ପ୍ରସ୍ତାବ ଆଗତ କରାଯାଇଛି। ଆମେରିକା କଂଗ୍ରେସର ସାଂସଦ ସ୍କଟ ପେରି ଏହ ପ୍ରସ୍ତାବ ଆଣିଛନ୍ତି। ପାକିସ୍ତାନ ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାଲଟିଛି। ଏହି ଦେଶର ମାଟିରେ ଆଦଙ୍କାବାଦୀଙ୍କ ଜନ୍ମ ହେଉଛି। ତେଣୁ ଏଠାରୁ ଆତଙ୍କବାଦୀମାନଙ୍କୁ ସମ୍ପୂର୍ଣ୍ଣ ନିପାତ କରିବା ଜରୁରୀ। ସଂସଦରେ ଅନୁଷ୍ଠିତ ପ୍ରତିନିଧିମାନଙ୍କ ସଭାରେ ସ୍କଟ ପେରିଙ୍କ ଦ୍ବାରା ଆଗତ ହୋଇଥିବା ପ୍ରସ୍ତାବରେ ଭାରତର ପୁଲୱାମାରେ ଗତ ଫେବୃୟାରୀ ୧୪ରେ ହୋଇଥିବା ଆତଙ୍କବାଦୀ ଅକ୍ରମଣକୁ ନିନ୍ଦା କରାଯାଇଛି, ଯେଉଁଥିରେ ୪୦ରୁ ଊର୍ଦ୍ଧ୍ଵ ଯବାନଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣ ପାଇଁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ନିଜକୁ ଦାୟୀ କରିଥିଲା। ସ୍କଟ ପେରି କହିଛନ୍ତି ଯେ, ଆତଙ୍କବାଦ ପାଇଁ ପାକିସ୍ତାନ ଉତ୍ତରଦାୟୀ ରହିବାର ସମୟ ଆସିଛି। ପାକିସ୍ତାନ ମାଟିରୁ ଆତଙ୍କବାଦୀଙ୍କୁ ମୂଳରୁ ନିପାତ କରିବାକୁ ଆମେରିକା ପ୍ରୟାସ କରୁଛି। ଏହାସତ୍ବେ ପାକିସ୍ତାନ ଆତଙ୍କବାଦୀଙ୍କ ପ୍ରତି ସହାନୁଭୂତି ଦେଖାଉଛି, ଯାହାର ଲମ୍ବା ଇତିହାସ ରହିଛି। ସେ ଆହୁରି କହିଛନ୍ତି, ଆତଙ୍କବାଦୀ ଆକ୍ରମଣ ଯୋଗୁ ସାଧାରଣ ଜନତାଙ୍କ ଜୀବନ ହାନି ଘଟୁଛି। ଆକ୍ରମଣକୁ ରୋକିବା ବଦଳରେ ପାକିସ୍ତାନ କଠୋରପନ୍ଥୀ ଆତଙ୍କୀମାନଙ୍କୁ ଆଲିଙ୍ଗନ କରୁଛି।

Categories
ଆଜିର ଖବର

ଜମ୍ମୁର ବୁଡ଼ଗମ ଜିଲ୍ଲାରେ ସେନାର ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଜମ୍ମୁର ବୁଡ଼ଗମ ଜିଲ୍ଲାରେ ସେନାର ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସେନା ଓ ଆତଙ୍କବାଦୀଙ୍କ ମଧ୍ଯରେ ଗୁଳି ବିନିମୟ ଫଳରେ ୪ ଯବାନ ଆହତ ହୋଇ ଚିକିତ୍ସାଧୀନ ରହିଛନ୍ତି। ସୂଚନାଯୋଗ୍ୟ ଗତକାଲି ମଧ୍ୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଦୁଇଟି ସ୍ଥାନରେ ହୋଇଥିବା ଏନ୍କାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ କେବଳ ସୋପିଆଁରେ  ୩ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବାର ଆଶଙ୍କା କରାଯାଉଥିବାବେଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅଭିଯାନ ଜାରି ରହିଛି।

Categories
ଆଜିର ଖବର

ପାକିସ୍ତାନକୁ ପୁଣି ଥରେ ଚେତାବନୀ ଦେଲା ଆମେରିକା : ଭାରତରେ ଆଉ ଥରେ ଆକ୍ରମଣ ହେଲେ, ପରିସ୍ଥିତି ଭୟାନକ ହେବ

ପୁଲ୍‌ଓ୍ବାମା ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନକୁ ଆତଙ୍କୀ କାର୍ଯ୍ୟକଳାପ ପାଇଁ କଠୋର ନିନ୍ଦା କରାଯାଉଛି। ପାକିସ୍ତାନକୁ ଆମେରିକା ପୁଣି ଥରେ ଚେତାବନୀ ଦେଇଛି। ନିଜ ଦେଶରେ ଥିବା ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ପାକିସ୍ତାନକୁ ଆମେରିକା ତାଗିଦ୍‌ ମଧ୍ୟ କରିବା ସହିତ ଭାରତରେ ଯଦି ଆଉ କୌଣସି ଆତଙ୍କୀ କାର୍ଯ୍ୟକଳାପ ହୁଏ, ତେବେ ପାକିସ୍ତାନ ପାଇଁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହେବ ବୋଲି ଆମେରିକା କଡ଼ା ଚେତାବନୀ ଦେଇଛି। ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି ଯେ, ଭାରତ ଉପରେ ପାକିସ୍ତାନରେ ରହୁଥିବା ଆତଙ୍କବାଦୀଙ୍କ ପକ୍ଷରୁ ପୁଣି ଥରେ ଆକ୍ରମଣ କଲେ ଏଥର ପାକିସ୍ତାନର ଅବସ୍ଥା ଗୁରୁତର ହେବ।  ତେଣୁ ପାକିସ୍ତାନ ଆତଙ୍କବାଦୀ ସଂଗଠନଗୁଡ଼ିକର ଆତଙ୍କୀ କାର୍ଯ୍ୟକ୍ରମରେ ଅଙ୍କୁଶ ଲଗାଇବାର ଆବଶ୍ୟକତା ରହିଛି। ବିଶ୍ୱଶାନ୍ତି ବ୍ୟାହତ ହେବାଭଳି କାର୍ଯ୍ୟଠାରୁ ପାକିସ୍ତାନ ଦୂରେଇ ରହିବା ସହ ଜୈସ୍‌-ଏ- ମହମ୍ମଦ ଓ ଲଶ୍କର-ଏ – ତୋଏବା ପରି ଆତଙ୍କୀ ସଂଗଠନ ପ୍ରତି ନିରନ୍ତର କାର୍ଯ୍ୟାନୁଷ୍ଠାନ କରିବାର ଆବଶ୍ୟକତା ରହିଛି। ଦୁଇ ଦେଶ ମଧ୍ୟରେ ଜଟିଳ ପରିସ୍ଥିତି ସୃଷ୍ଟି ନହେବ, ସେଥିପ୍ରତି ଧ୍ୟାନ ଦେବା ଉଚିତ୍‌ ବୋଲି ଆମେରିକା କହିଛି ।

Categories
ଆଜିର ଖବର

ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରୁ ନୂଆ ପାକିସ୍ତାନ–ବୈଦେଶିକ ମନ୍ତ୍ରଣାଳୟ

ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ–ମହମ୍ମଦ ବିରୋଧରେ ପାକ ସରକାର ଏଯାଏ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ବରଂ ଏହି ଆତଙ୍କୀ ସଂଗଠନକୁ ସୁରକ୍ଷା ଦେଇ ଆସୁଛନ୍ତି । ପୁଲ୍‌ୱାମା ଆକ୍ରମଣ ପାଇଁ ଜୈଶ ନିଜକୁ ଦାୟୀ କରିଥିବାବେଳେ ପାକ୍‌ ସରକାର କିନ୍ତୁ ଏହାକୁ ମାନିବାକୁ ନାରାଜ୍‌ ରହିଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଆତଙ୍କବାଦୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଥିବା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସେହିପରି କୁଖ୍ୟାତ ଆତଙ୍କୀ ମାସୁଦକୁ ନେଇ ମଧ୍ୟ ପାକିସ୍ତାନର କାର୍ଯ୍ୟକଳାପ ବେଶ୍‌ ସନ୍ଦେହଜନକ ରହିଛି । ପାକିସ୍ତାନ ଏବେ ଆତଙ୍କବାଦୀଙ୍କ ମୁଖପାତ୍ର ଭାବେ କାମ କରୁଛି । ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ନୂଆ ଚିନ୍ତାଧାରାରେ ନୂଆ ପାକିସ୍ତାନ କଥା କହୁଥିବାବେଳେ ଜୈଶ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ବିଫଳ ରହିଛନ୍ତି । ଗୋଟିଏ ପଟେ ଆତଙ୍କବାଦକୁ ସହଯୋଗ କରିବେ ନାହିଁ ବୋଲି ଇମ୍ରାନ୍‌ ଖାନ୍‌ କହୁଥିବାବେଳେ ଜୈଶ୍‌ଙ୍କୁ ଘୋଡେଇ ରଖିବା ତାଙ୍କର ଦୋମୁହାଁ ନୀତିକୁ ପ୍ରମାଣିତ କରୁଛି ।  ସେହିପରି ଭାରତର ୨ଟି ଯୁଦ୍ଧ ବିମାନକୁ ଖସାଇ ଦେଇଥବା ନେଇ ପାକିସ୍ତାନ ଦାବି କରୁଥିବା ବେଳେ ଏହା ସମ୍ପୂର୍ଣ୍ଣ ରୂପେ ମିଥ୍ୟା । ଯଦି ଏହା ସତ୍ୟ, ତେବେ ଏହାର ପ୍ରମାଣ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ମଧ୍ୟ ହସ୍ତାନ୍ତର କରୁନାହିଁ କାହିଁକି। ପାକିସ୍ତାନ ଆତ୍ମପ୍ରଚାର ପାଇଁ ମିଥ୍ୟା ପ୍ରଚାର କରୁଛି ।