Categories
ବିଶେଷ ଖବର ମତାମତ

ରାଜନୈତିକ ଦଳ ସଂଗ୍ରହ କରୁଥିବା ଚାନ୍ଦା ବିଷୟରେ ସାଧାରଣ ନାଗରିକ ଜାଣିପାରିବ ନାହିଁ କାହିଁକି?

କେଦାର ମିଶ୍ର

ଆଜି ମାନ୍ୟବର ସୁପ୍ରିମକୋର୍ଟ ସବୁ ରାଜନୈତିକ ଦଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେମାନେ ଇଲେକ୍ଟୋରାଲ ବଣ୍ଡ ଜରିଆରେ ଯେତିକି ଅର୍ଥ ସଂଗ୍ରହ କରିଛନ୍ତି, ତାହାର ସବିଶେଷ ବିବରଣୀ ଜଉମୁଦ ଦିଆ ଲଫାପାରେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରନ୍ତୁ। ତେବେ ରାଜନୈତିକ ଦଳ ଗୁଡିକ ବୈଧାନିକ ଭାବରେ ଗ୍ରହଣ କରୁଥିବା ଚାନ୍ଦାକୁ ଗୋପନ ରଖିବାର ଅର୍ଥ କଣ? ଏ ସମ୍ପର୍କରେ ସୁପ୍ରିମ କୋର୍ଟରେ ଶୁଣାଣି ବେଳେ ଆଟର୍ଣ୍ଣୀ ଜେନେରାଲ କେ.କେ.ବେଣୁଗୋପାଳ ଯାହା କହିଥିଲେ ତାହା ଅତ୍ୟନ୍ତ ବିପଜ୍ଜନକ। ସରକାରଙ୍କ ତରଫରୁ ଆଟର୍ଣ୍ଣି ଜେନେରାଲ କହିଥିଲେ ଯେ ରାଜନୈତିକ ଦଳଙ୍କର ଅର୍ଥ ଓ ଚାନ୍ଦା ବିଷୟରେ ଜାଣିବାର ଅଧିକାର ଭୋଟରଙ୍କର ନାହିଁ। ଦେଶର ସର୍ବବୃହତ ଗଣତନ୍ତ୍ରର ସବୁଠୁ ବଡ ସରକାରୀ ଓକିଲ ଯେତେବେଳେ ଏ ପ୍ରକାର ଯୁକ୍ତି ରଖନ୍ତି, ସେଠି ଆମକୁ ଭାବି ନେବାକୁ ପଡିବ ଯେ ଦେଶର ଗଣତନ୍ତ୍ର ଏବେ ବିପନ୍ନ। ଇଲେକ୍ଟୋରାଲ ବଣ୍ଡ ଜରିଆରେ ବିଭିନ୍ନ କର୍ପୋରେଟ କେଉଁ ଦଳକୁ କେତେ ଚାନ୍ଦା ଦେଲେ ତାହା ଗୋପନୀୟ ହୋଇ ରହୁ ବୋଲି ନରେନ୍ଦ୍ର ମୋଦୀ ସରକାର ଏକ ମନି ବିଲ ଲୋକସଭାରେ ପାରିତ କରାଇଛନ୍ତି। ଏହି ଆଧାରରେ ଏବେ ରାଜନୈତିକ ଦଳ ଗୁଡିକ ପାଉଥିବା ଚାନ୍ଦା ବିଷୟକ ତଥ୍ୟ ଆଉ ଲୋକଲୋଚନକୁ ଆସୁନାହିଁ। ରାଜନୈତିକ ଦଳମାନଙ୍କର ମଧ୍ୟ ଗୋପନୀୟତାର ଅଧିକାର ବା ରାଇଟ ଟୁ ପ୍ରାଇଭେସି ରହିଛି ବୋଲି ମୋଦୀ ସରକାର ଯୁକ୍ତି କରୁଛନ୍ତି।

ଏ ସଙ୍କ୍ରାନ୍ତରେ ଆଗତ ହୋଇଥିବା ଏକ ଜନସ୍ବାର୍ଥ ମାମଲାର ବିଚାର କରି ମାନ୍ୟବର ସୁପ୍ରିମ କୋର୍ଟ ପ୍ରାଥମିକ ଭାବରେ ସବୁ ରାଜନୈତିକ ଦଳ ଇଲେକ୍ଟୋରାଲ ବଣ୍ଡ ଜରିଆରେ ଆସିଥିବା ସବୁ ଚାନ୍ଦାର ସବିଶେଷ ତଥ୍ୟ ଗୋପନୀୟ ଭାବରେ ଦେବାକୁ କହିଛନ୍ତି। ଏକଥା ବିଲକୁଲ ବୁଝା ପଡୁନାହିଁ ଯେ ଖୋଦ ସୁପ୍ରିମ କୋର୍ଟ ସବୁକଥାରେ ଗୋପନୀୟତାକୁ ଏତେ ଗୁରୁତ୍ଵ ଦେବାର କାରଣ କଣ? ରାଫାଲେ ମାମଲାରେ ଜଉମୁଦ ଥିବା ଲଫାପାରେ ସରକାର ସୁପ୍ରିମ କୋର୍ଟକୁ ବିଭ୍ରାନ୍ତ କରିଥିବାର ପ୍ରମାଣ ମିଳି ସାରିଛି। ସେହିପରି ବେଡ ଲୋନ ମାମଲାରେ ୭ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଖାଇଯାଇଥିବା ଶିଳ୍ପପତିଙ୍କ ନାମ ମଧ୍ୟ ଗୋପନ ରହିଛି। ଏବେ ରାଜନୈତିକ ଦଳ ପାଉଥିବା ଚାନ୍ଦା ମଧ୍ୟ ସାମୟିକ ଭାବେ ଗୋପନ ରହୁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ଏଠି ସାଧାରଣ ନାଗରିକ ଭାବରେ ଆମର ପ୍ରଶ୍ନ ହେଲା ଯଦି ଏ ଦେଶର ସବୁକିଛି ଗୋପନୀୟ, ତାହେଲେ ଆମର ଗଣତନ୍ତ୍ର କେବଳ ଏକ ବାହାନା କି? ରାଜତନ୍ତ୍ର ବା ଏକଛତ୍ରବାଦରେ ଗୋପନୀୟତା ଏକ ମୌଳିକ ଆବଶ୍ୟକତା। କିନ୍ତୁ, ଗଣତନ୍ତ୍ରରେ ସ୍ଵଚ୍ଛତା ଓ ପାରଦର୍ଶିତା ହେଉଛି ସର୍ବୋପରି।

ଇଲେକ୍ଟୋରାଲ ବଣ୍ଡ ବ୍ୟବସ୍ଥାକୁ ନିର୍ବାଚନ କମିଶନ ମଧ୍ୟ ଦୃଢ ବିରୋଧ କରିଛନ୍ତି। ତା ସତ୍ତ୍ୱେ ମଧ୍ୟ ଏହା ଉପରେ ପ୍ରତିବନ୍ଧକ  ଲଗା ନଯିବା ଦୁର୍ଭାଗ୍ୟର ବିଷୟ। ସରକାର ଓ ରାଜନୈତିକ ଦଳ ଗୁଡିକର ଅସ୍ତିତ୍ଵ ହେଉଛି, ଭୋଟରଙ୍କ ଇଚ୍ଛା। ଭୋଟରଙ୍କ ଲାଗି ହିଁ ଦଳ ଗୁଡିକ ବଞ୍ଚି ରୁହନ୍ତି। ଯଦି ଭୋଟର ରାଜନୈତିକ ଦଳର ବାସ୍ତବ ସ୍ଥିତି ବିଷୟରେ ଅବଗତ ହେବାର ଅଧିକାର ପାଇବ ନାହିଁ, ତା ହେଲେ ସେ ଭୋଟ ଦେବ କାହିଁକି? ନିର୍ବାଚନରେ ରାଜନୈତିକ ଦଳ ଗୁଡିକ ବ୍ୟବହାର କରୁଥିବା ଅର୍ଥ ଓ ସମ୍ପତ୍ତି ବିଷୟରେ କଡାଗଣ୍ଡା ହିସାବ ମାଗିବାର ଅଧିକାର ସାଧାରଣ ନାଗରିକକୁ ଦିଆ ଯାଇନାହିଁ କାହିଁକି? ସର୍ବଶେଷ ତଥ୍ୟ ଅନୁଯାୟୀ ଇଲେକ୍ଟୋରାଲ ବଣ୍ଡ ଜରିଆରେ ୯୫% ଅର୍ଥରାଶି କେବଳ ଭାରତୀୟ ଜନତା ପାର୍ଟିର ଖାତାକୁ ଆସିଛି। କେଉଁ ସୂତ୍ରରୁ ଏ ଟଙ୍କା ଆସିଛି ଓ କିଏ କାହିଁକି ଏ ଟଙ୍କା ଦେଇଛି, ସେକଥା ଆମଠୁ ଲୁଚାଯିବ କାହିଁକି? ଯେଉଁ ଦଳ ସରକାରରେ ରହୁଛି, ତାକୁ ସର୍ବାଧିକ ଚାନ୍ଦା ମିଳିବାର କାରଣ ସ୍ପଷ୍ଟ । ହେଲେ ସେ ଚାନ୍ଦାର ସଠିକ ବିବରଣୀ ଲୋକଙ୍କଠାରୁ ଲୁଚେଇକି ରଖିବାର ଅର୍ଥ କଣ?

ଏବେ କୁହାଯାଉଛି, ଗତ ପାଞ୍ଚ ବର୍ଷରେ ମୋଦୀ ସରକାର ଅମଳରେ କୌଣସି ବଡ ଘୋଟାଲା ହୋଇନାହିଁ। ତେବେ ରାଫାଲେ କଥା ଉଠିବା ପରେ ଏବେ ଆଉ ସେ ଅନ୍ଧବିଶ୍ଵାସ ଆଉ କାହାର ନାହିଁ। ଏ ସରକାର ଅମଳରେ ଅନେକ ତଥ୍ୟକୁ ଲୁଚେଇ ରକ୍ଷା ଯାଉଛି। ବିଭିନ୍ନ ତଥ୍ୟ ଓ ପରିସଙ୍ଖ୍ୟାନ ଏବେ ଅସ୍ପଷ୍ଟ ବା ଅର୍ଦ୍ଧସ୍ପଷ୍ଟ। ସ୍ଵଚ୍ଛତା ନଥିବା ତଥ୍ୟ କୁ ନେଇ ନିଜକୁ ଦୁର୍ନୀତିମୁକ୍ତ ବୋଲି କହିବା ଅତ୍ୟନ୍ତ ହାସ୍ୟାସ୍ପଦ କଥା। ଦଳ ଭିତରର ଆର୍ଥିକ କାରବାରକୁ ଲୁଚାଇବାକୁ ବିଜେପି ଓ ମୋଦୀ ସରକାର ଯେଉଁ ପ୍ରକାର ଉଦ୍ୟମ କରୁଛନ୍ତି, ସେଥିରେ ସେମାନଙ୍କର ଉଦ୍ଦେଶ୍ୟକୁ ନେଇ ସନ୍ଦେହ ସୃଷ୍ଟି ହେବା ସ୍ଵାଭାବିକ। ଏ ଦେଶର ସାଧାରଣ ନାଗରିକ ଭୋଟ ଦେବା ଆଗରୁ ସବୁ ରାଜନୈତିକ ଦଳଙ୍କ ହିସାବ କିତାବ ଦେଖିବାର ଅଧିକାର ପାଇବା ଉଚିତ ବୋଲି ଆମେ ଆଶା ରଖୁଛୁ। ପରବର୍ତ୍ତୀ ଶୁଣାଣି ପରେ ମାନ୍ୟବର ସୁପ୍ରିମ କୋର୍ଟ ଏ ପ୍ରସଙ୍ଗରେ ଗଣତାନ୍ତ୍ରିକ ମର୍ୟ୍ୟାଦାକୁ ଗୁରୁତ୍ଵ ଦେବେ ବୋଲି ଆମେ ଆଶା ରଖୁଛୁ।

Categories
ଆଜିର ଖବର

ବେଜିଂ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହେବ ‘ଜିରୋ’

ଶାହାରୁଖ୍‌ ଖାନ୍‌ ଅଭିନୀତ ଜିରୋ ବଲିଉଡ୍‌ ଦର୍ଶକଙ୍କୁ ଆକୃଷ୍‌ଟ କରିବାରେ ବିଫଳ ହୋଇଥିଲେ ମଧ୍ୟ ବେଜିଂ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହେବାକୁ ଯାଉଛି। ଏହି ଫିଲ୍ମ ପାଇଁ ଜବ ତକ ହେ ଜାନ୍‌ର ଲୋକପ୍ରିୟ ଯୋଡି ଶାହାରୁଖ-ଅନୁଷ୍କା ଏବଂ କ୍ୟାଟ୍ରିନା ଏକତ୍ର ଆସିଥିଲେ ଏବଂ ଫିଲ୍ମଟିର କାହାଣୀ ଭିନ୍ନସ୍ବାଦର ହୋଇଥିଲେ ମଧ୍କୟ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ବିଫଳ ହୋଇଥିଲା। ଆନନ୍ଦ ଏଲ୍‌ ରାଇଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଜଣେ ବାମନ ବ୍ୟକ୍ତିର କାହାଣୀ ଉପରେ ଥିଲା। ଫିଲ୍ମରେ ଅନୁଷ୍କା ଜଣେ ବୈଜ୍ଞାନିକ ଏବଂ କ୍ୟାଟ୍ରିନା ବଲିଉଡ୍‌ ଅଭିନେତ୍ରୀର ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମରେ ଭିଏଫଏକ୍ସର ବଢିଆ ଉପଯୋଗ ହୋଇଥିବା ସତ୍ତ୍ବେ ଏହା ବକ୍ସଅଫିସ୍‌ରେ ଭଲ ପ୍ରଦଶର୍ନ କରିନଥିଲା ମାତ୍ର ଆସନ୍ତା ଏପ୍ରିଲ୍‌ ୧୩ ରୁ ୨୦ ପର୍ଯ୍ୟନ୍ତଏହା ବେଜିଂ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ । ଏହା ଭାରତୀୟ ସିନେମା ପାଇଁ ଏକ ମାଇଲଖୁଣ୍ଟ ହୋଇଥିବା ବେଳେ ସମଗ୍ର ବିଶ୍ବରେ ବଲିଉଡ୍‌ର ବର୍ଦ୍ଧିତ ଲୋକପ୍ରିୟତାର ସୂଚନା ବୋଲି ଆନନ୍ଦ ଏଲ୍‌ ରାଇ କହିଛନ୍ତି ।

Categories
ଆଜିର ଖବର

ମୋଦିଙ୍କ ବିରୋଧରେ ଲଢିବେ ବହିଷ୍କୃତ ଯବାନ

ସେନାରେ ଖରାପ ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ଚର୍ଚ୍ଚାକୁ ଆସିଥିବା ବହିଷ୍କୃତ ଯବାନ ତେଜ ବାହାଦୂର ଯାଦବ ଏବେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଉତ୍ତର ପ୍ରଦେଶର ବାରଣାସୀ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି। ସେନା ବାହିନୀରେ କାର୍ଯ୍ୟରତ ଯବାନମାନଙ୍କୁ ଅତି ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ତେଜ ବାହାଦୂର ଏକ ଭିଡିଓ ସୋଶାଲ୍‌ ମିଡିଆରେ ପୋଷ୍ଟ କରିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ସେନାରୁ ବହିଷ୍କୃତ କରାଯାଇଥିଲା।ତେଜବାହାଦୂର କହିଛନ୍ତି, “ ମୋତେ ନିଜ ସହ ସାମିଲ କରିବା ପାଇଁ ଏକାଧିକ ରାଜନୈତିକ ଦଳ ମୋ ନିକଟକୁ ଆସିଥିଲେ। କିନ୍ତୁ ମୁଁ ସ୍ୱାଧୀନ ଭାବେ ପ୍ରାର୍ଥୀ ଭାବରେ ଲଢିବାକୁ ନିଷ୍ପତ୍ତି ନେଇଛି। ନିର୍ବାଚନ ଲଢ଼ି ମୁଁ ସେନାରେ ଚାଲିଥିବା ଦୁର୍ନୀତି ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବି। ଜିତିବା କିମ୍ବା ହାରିବା ନେଇ କୌଣସି ଫରକ ପଡିବ ନାହିଁ । ଅର୍ଦ୍ଧସାମରିକ ବାହିନୀକୁ ସରକାର କେମିତି ଅବହେଳା କରିଛନ୍ତି, ସେକଥା କେବଳ ସମସ୍ତଙ୍କ ପାଖରେ ପହଞ୍ଚାଇବି। ପ୍ରଧାନମନ୍ତ୍ରୀ ମୋଦି ଆମ ଯବାନଙ୍କ ନାଁରେ ଭୋଟ୍‌ ମାଗୁଛନ୍ତି ହେଲେ ଯବାନଙ୍କ ପାଇଁ କିଛିବି କରିନାହାନ୍ତି। ପୁଲୱାମା ହମ୍‌ଲାରେ ସିଆରପିଏଫ୍‌ ଯବାନ ସହିଦ ହେଲେ। କିନ୍ତୁ ସରକାର ଯବାନ ମାନଙ୍କୁ ସହିଦର ମାନ୍ୟତା ଦେଲେନାହିଁ। ମୁଁ ବାରଣାସୀରେ ପ୍ରାର୍ଥୀ ହେବି। ପୂର୍ବତନ ସେନା ଅଧିକାରୀମାନେ ମୋ ସମର୍ଥନରେ ପ୍ରଚାର କରିବେ।” ଭାଇରାଲ୍‌ ଭିଡିଓ ପାଇଁ ୨୦୧୭ରେ ଯାଦବଙ୍କୁ ସେନାରୁ ବିଦା କରାଯାଇଥିଲା। ସେ ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାମଲାଟି ଏବେବି ବିଚାରାଧୀନ ଅବସ୍ଥାରେ ରହିଛି ।

Categories
ଆଜିର ଖବର

ରୁହ୍‌ ଆଫ୍‌ଜାରେ ଦ୍ବୈତ ଭୂମିକାରେ ଜାହ୍ନବୀ

‘ ଧଡକ’ ଜରିଆରେ ବଲିଉଡ୍ ଏଣ୍ଟ୍ରି କରିଥିବା ଶ୍ରୀଦେବୀ ତନୟା ଜାହ୍ନବୀ କପୁର୍‌ ବେଶ୍‌ ସଫଳ ଅଭିନୟ କରିଥିଲେ । ଆଗାମୀ ଚଳଚିତ୍ରରେ ରାଜକୁମାର ରାଓଙ୍କ ବିପକ୍ଷରେ ନଜର ଆସିବାକୁ ଯାଉଛନ୍ତି ଜାହ୍ନବୀ । ରୁହ୍‌ ଆଫ୍‌ଜା ନାମକ ଏହି ଚଳଚିତ୍ରରେ ଜାହ୍ନବୀ ଦ୍ବୈତ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଦୀନେଶ ଭିଜନ ଏହି ଫିଲ୍ମଟିର ନିର୍ମାଣ କରୁଛନ୍ତି । ସ୍ତ୍ରୀର ସଫଳତା ପରେ ଭିଜନ୍‌ ସମାନ ବିଷୟବସ୍ତୁକୁ ନେଇ ଏହି ଫିଲ୍ମଟି ନିର୍ମାଣ କରିବାକୁ ଯାଉଛନ୍ତି । ଫିଲ୍ମଟି ଉତ୍ତରପ୍ରଦେଶର ପୃଷ୍ଠଭୂମି ଉପରେ ଆଧାରିତ ରହିବ ବୋଲି ଜଣାପଡିଛି । ଫିଲ୍ମଟିରେ ଜାହ୍ନବୀ ରୁହି ଏବଂ ଆଫ୍‌ଜା ନାମକ ଦୁଇଟି ପରସ୍ପର ବିରାେଧୀ ଚରିତ୍ରରେ ନଜର ଆସିବେ । ରାଜକୁମାର ଏବଂ ଜାହ୍ନବୀଙ୍କ ବ୍ୟତିତ ଫିଲ୍ମରେ ‘ଫୁକ୍‌ରେ’ ଷ୍ଟାର ବରୁଣ ଶର୍ମା ମଧ୍ୟ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମଟି ୨୦ ମାର୍ଚ୍ଚ ୨୦୨୦ରେ ରିଲିଜ୍‌ ହେବାକୁ ଯାଉଥିବା ବେଳେ ହାର୍ଦ୍ଦିକ୍‌ ମେହେଟ୍ଟା ଫିଲ୍ମଟିର ନିର୍ଦ୍ଦେଶନା ଦେଉଛନ୍ତି । ଏହି ଫିଲ୍ମ ବ୍ୟତୀତ ଜାହ୍ନବୀ ଗୁଞ୍ଜନ ଯୋଶୀ ବାୟୋପିକ୍‌ରେ ନଜର ଆସିବାକୁ ଯାଉଛନ୍ତି ।

Categories
ଆଜିର ଖବର

ନିଶାଦ ଏବଂ ଅନ୍ୟ ୨ ଦଳ ସହ ମେଣ୍ଟ କରିବ ସପା

ମଙ୍ଗଳବାର ଦିନ ସମାଜବାଦୀ ପାର୍ଟି ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ନିଶାଦ ପାର୍ଟି, ଜନବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ସମାନତା ଦଳ ସହିତ ମେଣ୍ଟ କରିବା ନେଇ ଘୋଷଣା କରିଛି । ପୂର୍ବରୁ ବିଜେପିକୁ ଶାସନ କ୍ଷମତାରୁ ଦୂରେଇ ରଖିବା ପାଇଁ ଦଳ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ଏବଂ ଅଜିତ ସିଂଙ୍କ ରାଷ୍ଟ୍ରୀୟ ଲୋକ ଦଳ ସହିତ ମେଣ୍ଟ କରିଛି । ଏହି ଦୁଇ ଦଳର ନେତାଙ୍କ ସହିତ ଏକତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳେଶ ଏହା ଘୋଷଣା କରିଛନ୍ତି । ଉତ୍ତର ପ୍ରଦେଶରେ ସମୁଦାୟ ୮୦ଟି ଲୋକସଭା ଆସନ ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟପାଳ ଏବଂ ସରକାରୀ ସଂସ୍ଥାନ ଗୁଡିକୁ ନିର୍ବାଚନୀ ପ୍ରଚାରରେ ବ୍ୟବହାର କରୁଥିବା ନେଇ ଅଭିଯୋଗ ଆଣିଥିଲେ ଅଖିଳେଶ । ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂ ନିକଟରେ ଦେଇଥିବା ମନ୍ତବ୍ୟ ‘ମୋଦି ପୁନର୍ବାର ପ୍ରଧାନମନ୍ତ୍ରୀ ହେବା ଆବଶ୍ୟକ’ କୁ ମଧ୍ୟ ସମାଲୋଚନା କରିଥିଲେ ଅଖିଳେଶ । ଖୁବ୍‌ଶୀଘ୍ର ସପା ନିଜର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବ ବୋଲି ଅଖିଳେଶ ପ୍ରକାଶ କରିଛନ୍ତି ।

Categories
ଆଜିର ଖବର

ସାହିର ଲୁଧିଆନ୍‌ଭି ବାୟୋପିକ୍‌ରେ ଅଭିଷେକ-ତାପ୍‌ସୀ

ମନମର୍ଜିୟାରେ ଦର୍ଶକଙ୍କୁ ନିଜ ଚମତ୍କାର ଅଭିନୟରେ ପ୍ରଭାବିତ କରିଥିବା ଯୋଡି ଅଭିଷେକ ବଚ୍ଚନ ଏବଂ ତାପ୍‌ସୀ ପାନ୍ନୁ ପୁନର୍ବାର ଏକତ୍ର ସିଲ୍‌ଭର ସ୍କ୍ରିନ୍‌ରେ ନଜର ଆସିବାକୁ ଯାଉଛନ୍ତି। ପ୍ରଖ୍ୟାତ କବି ତଥା ବଲିଉଡ୍‌ରେ ଗୀତିକାର ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସାହିର ଲୁଧିଆନ୍‌ଭିଙ୍କ ବାୟୋପିକ୍‌ରେ ନଜର ଆସିବାକୁ ଯାଉଛନ୍ତି ଏହି ଯୋଡି। ଚଳିତ ବର୍ଷ ଅକ୍ଟୋବରରେ ଏହି ସିନେମାର ସୁଟିଂ ଆରମ୍ଭ ହେବାକୁ ଥିବା ବେଳେ ଏହି ଫିଲ୍ମକୁ ନିର୍ମାତା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ  ନିର୍ଦ୍ଦେଶନା ଦେବେ ବୋଲି ଜଣାପଡିଛି। ଏହି ଚଳଚିତ୍ରରେ ଅଭିଷେକ ସାହିରଙ୍କ ଚରିତ୍ରରେ ନଜର ଆସିବାକୁ ଯାଉଥିବା ବେଳେ ତାପ୍‌ସୀ ସାହିରଙ୍କ ପ୍ରେମିକା ଅମ୍ରିତା ପ୍ରୀତମଙ୍କ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ପାଇଁ ଭଂସାଲୀ ପୂର୍ବରୁ ଶାହରୁଖ୍‌ ଖାନ୍‌, ଇର୍ଫାନ୍‌ ଖାନ୍‌ ଏବଂ ପ୍ରିୟଙ୍କା ଚୋପ୍ରାଙ୍କୁ ଏହି ରାେଲ୍‌ ଅଫର କରିଥିଲେ। ଏହି ଚଳଚିତ୍ରର କାହାଣୀ ଲେଖୁଛନ୍ତି କାହାଣୀକାର ନିର୍ଦ୍ଦେଶକ ଜସ୍‌ମିତ୍‌ ରିନ୍‌।