ମୋଦିଙ୍କ ବିରୋଧରେ ଲଢିବେ ବହିଷ୍କୃତ ଯବାନ

Published: Mar 30, 2019, 1:33 pm IST
tej bhadur will be candidate in baranasi against pm modi

ସେନାରେ ଖରାପ ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ଚର୍ଚ୍ଚାକୁ ଆସିଥିବା ବହିଷ୍କୃତ ଯବାନ ତେଜ ବାହାଦୂର ଯାଦବ ଏବେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଉତ୍ତର ପ୍ରଦେଶର ବାରଣାସୀ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି। ସେନା ବାହିନୀରେ କାର୍ଯ୍ୟରତ ଯବାନମାନଙ୍କୁ ଅତି ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ତେଜ ବାହାଦୂର ଏକ ଭିଡିଓ ସୋଶାଲ୍‌ ମିଡିଆରେ ପୋଷ୍ଟ କରିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ସେନାରୁ ବହିଷ୍କୃତ କରାଯାଇଥିଲା।ତେଜବାହାଦୂର କହିଛନ୍ତି, “ ମୋତେ ନିଜ ସହ ସାମିଲ କରିବା ପାଇଁ ଏକାଧିକ ରାଜନୈତିକ ଦଳ ମୋ ନିକଟକୁ ଆସିଥିଲେ। କିନ୍ତୁ ମୁଁ ସ୍ୱାଧୀନ ଭାବେ ପ୍ରାର୍ଥୀ ଭାବରେ ଲଢିବାକୁ ନିଷ୍ପତ୍ତି ନେଇଛି। ନିର୍ବାଚନ ଲଢ଼ି ମୁଁ ସେନାରେ ଚାଲିଥିବା ଦୁର୍ନୀତି ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବି। ଜିତିବା କିମ୍ବା ହାରିବା ନେଇ କୌଣସି ଫରକ ପଡିବ ନାହିଁ । ଅର୍ଦ୍ଧସାମରିକ ବାହିନୀକୁ ସରକାର କେମିତି ଅବହେଳା କରିଛନ୍ତି, ସେକଥା କେବଳ ସମସ୍ତଙ୍କ ପାଖରେ ପହଞ୍ଚାଇବି। ପ୍ରଧାନମନ୍ତ୍ରୀ ମୋଦି ଆମ ଯବାନଙ୍କ ନାଁରେ ଭୋଟ୍‌ ମାଗୁଛନ୍ତି ହେଲେ ଯବାନଙ୍କ ପାଇଁ କିଛିବି କରିନାହାନ୍ତି। ପୁଲୱାମା ହମ୍‌ଲାରେ ସିଆରପିଏଫ୍‌ ଯବାନ ସହିଦ ହେଲେ। କିନ୍ତୁ ସରକାର ଯବାନ ମାନଙ୍କୁ ସହିଦର ମାନ୍ୟତା ଦେଲେନାହିଁ। ମୁଁ ବାରଣାସୀରେ ପ୍ରାର୍ଥୀ ହେବି। ପୂର୍ବତନ ସେନା ଅଧିକାରୀମାନେ ମୋ ସମର୍ଥନରେ ପ୍ରଚାର କରିବେ।” ଭାଇରାଲ୍‌ ଭିଡିଓ ପାଇଁ ୨୦୧୭ରେ ଯାଦବଙ୍କୁ ସେନାରୁ ବିଦା କରାଯାଇଥିଲା। ସେ ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାମଲାଟି ଏବେବି ବିଚାରାଧୀନ ଅବସ୍ଥାରେ ରହିଛି ।

Related posts