ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ପାର୍ଟିକୁ ବଡ଼ ଝଟ୍କା ଲାଗିଛି। କଂଗ୍ରେସର ବରିଷ୍ଠ ନେତା ଟମ୍ ଓ୍ବଡକନ୍ କଂଗ୍ରେସର ହାତ ଛାଡ଼ି ବିଜେପି ସହ ସାମିଲ୍ ହୋଇଛନ୍ତି। ବିଜେପରି ବରିଷ୍ଠ ନତା ରବି ଶଙ୍କର ପ୍ରସାଦ, ସାଂସଦ ଅନିଲ୍ ବୁଲନୀଙ୍କ ଉପସ୍ଥିତିରେ ଟମ୍ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ବିଜେପି ଓ ନରେନ୍ଦ୍ର ମୋଦିଙ୍କ ନୀତିରେ ପ୍ରଭାବିତ ହୋଇ ଓ କଂଗ୍ରେସର ନୀତିରେ ବିବ୍ରତ ହୋଇ ଟମ୍ ଓ୍ବଡକନ୍ ବିଜେପି ସହିତ ମିଶିବାକୁ ନିଷ୍ପତ୍ତି ନେଇଛନ୍ତି। ଟମ୍ କେରଳରେ କଂଗ୍ରେସ ପାର୍ଟିର ମହାସଚିବ ଓ ବରିଷ୍ଠ ପ୍ରବକ୍ତା ରୂପେ ଅବସ୍ଥାପିତ ଥିଲେ। ବିଜେପିରେ ସାମିଲ୍ ହେବା ପରେ ଟମ୍ କହିଛନ୍ତି ଯେ, ‘ଭାରତ ଉପରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣ ପରେ କଂଗ୍ରେସ ପାର୍ଟିର ପ୍ରତିକ୍ରିୟା ମୋତେ ବହୁତ ଦୁଃଖ ଦେଇଛି। ଯଦି କୌଣସି ରାଜନୈତିକ ଦଳ ଦେଶ ବିପକ୍ଷରେ ଯାଉଛି, ସେତେବେଳେ ମୋ’ ପାଖରେ ସେହି ଦଳ ଛାଡ଼ିବା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନାହିଁ । ’
Tag: thesamikhsya
ବିଜେଡିରୁ ଇସ୍ତଫା ଦେଲେ ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀ । ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ସେ ଇସ୍ତଫା ଦେଇଥିବାର କହିଛନ୍ତି । ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ୭ ବର୍ଷର ସରକାରୀ ଚାକିରି ଛାଡ଼ି ରାଜନୀତିରେ ଯୋଗଦେଇଥିଲେ । ବିଜେଡ଼ି ସଭାପତିଙ୍କ ବିରୋଧରେ ତାଙ୍କର କିଛି ଅଭିଯୋଗ ନାହିଁ ବୋଲି ସେ ତାଙ୍କ ଇସ୍ତଫା ପତ୍ରରେ ଦର୍ଲେଶାଇଛନ୍ତି । ତେବେ କିଛି ଲୋକ ସଭାପତିଙ୍କୁ ବିଭ୍ରାନ୍ତ କରୁଥିବାର ସେ ଅଭିଯୋଗ କରିଛନ୍ତି । ଏବେ ଦଳରେ ତାଙ୍କର କିଛି ଆବଶ୍ୟକତା ନଥିବା ଅନୁଭବ କରି ସେ ଆଉ ବିଜେଡ଼ିରେ ରହିବାକୁ ଚାହୁଁନାହାନ୍ତି ବୋଲି ବଳଭଦ୍ର କହିଛନ୍ତି ।
୨୦୧୯ ସାଧାରଣ ନିର୍ବାଚନର ତାରିଖ ଘୋଷଣା ହେବା ପରେ ଦଳ ବଦଳ ରାଜନୀତି ଆରମ୍ଭ ହୋଇଯାଇଛି। ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଓ ତାଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମସି)କୁ ଏକ ବଡ଼ ଝଟ୍କା ଲାଗିଛି। ଟିକେଟ୍ ଭାଗବଣ୍ଟାକୁ ନେଇ ଅସନ୍ତୁଷ୍ଟ ହୋଇ ବିଧାୟକ ଅର୍ଜୁନ ସିଂହ ଟିଏମ୍ସି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଅର୍ଜୁନ ସିଂହ ଭାଟାପରା ଆସନରେ ଲଢି ବିଧାୟକ ହୋଇଥିଲେ। ଏବେ ସେ ଲୋକସଭା ଆସନରୁ ବିଜେପି ପାଇଁ ଲଢିବେ। ଏହା ପୂର୍ବରୁ ପଶ୍ଚିମବଙ୍ଗର ବୋଲପୁର ଟିଏମସି ସାଂସଦ ଅନୁପମ ହାଜରା ଗତ ମଙ୍ଗଳବାର ଦିନ ବିଜେପି ସହ ହାତ ମିଶାଇଥିଲେ। ଦଳ ତାଙ୍କୁ ଜାନୁଆରୀ ମାସରେ ନିଲମ୍ବିତ କରିଥିଲା। ହାଜରାଙ୍କ ଉପରେ ଦଳ ବିରୋଧରେ ବୟାନ ଦେଉଥିବା ଅଭିଯୋଗ ରହିଥିଲା। ପଶ୍ଚିମବଙ୍ଗରେ ବିଜେପି ଅଧିକରୁ ଅଧିକ ଆସନ ହାତେଇବାକୁ ଚେଷ୍ଟା ଜାରି ରଖିଛି। ସେଥିପାଇଁ ବିଜେପି କିଛି ଟିଏମ୍ସି ନେତାଙ୍କୁ ଆଣିବାକୁ ଯୋଜନା କରୁଛି। ଏହି ସମୟରେ ଟିଏମ୍ସିର ଦୁଇଜଣ ନେତା ବିଜେପିରେ ଯୋଗଦେଇ ଟିଏମ୍ସିକୁ ଝଟ୍କା ଦେଇଛନ୍ତି। ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁଯାୟୀ ପଶ୍ଚିମବଙ୍ଗରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟରେ ନିରପେକ୍ଷ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ନିର୍ଦ୍ଦେଶନାମା ଜାରି କରିବା ସହିତ ସୋସିଆଲ୍ ମିଡ଼ିଆ ଉପରେ ମଧ୍ୟ କଡ଼ା ନଜର ରଖିଛନ୍ତି।
ବିଜେଡ଼ିର ୩୭ଜଣିଆ ଇସ୍ତାହାର କମିଟି ଘୋଷିତ
ବିଜେଡ଼ିର ୩୭ ଜଣିଆ ଇସ୍ତାହାର କମିଟି ଘୋଷଣା କଲେ ସଭାପତି ନବୀନ ପଟ୍ଟନାୟକ । ଏହି କମିଟିର ଅଧ୍ୟକ୍ଷ ବେଦ ପ୍ରକାଶ ଅଗ୍ରୱାଲ ହୋଇଥିବାବେଳେ ଏହି କମିଟିରେ ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟରଂଜନ ପଟ୍ଟନାୟକ, ମଙ୍ଗଳା କିଶାନ, ପଦ୍ମନାଭ ବେହେରା, କସ୍ତୁରୀ ମହାପାତ୍ର ସହ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ସେହିପରି ଅନଙ୍ଗ ଉଦୟ ସିଂଦେଓ, ଭର୍ତ୍ତୃହରି ମହତାବ, ଅଚ୍ୟୁତ ସାମନ୍ତ, ଅତନୁ ସବ୍ୟସାଚୀ ନାୟକ, ସଂଜୟ ଦାସବର୍ମା, ଅରୁଣ ସାହୁ, ସୁଦାମ ମାରଣ୍ଡୀ, ରମେଶ ମାଝୀ, ସୁବାସ ସିଂହ, ନଳିନୀ ପ୍ରଧାନ, ନବ ଦାସ, ରବି ନନ୍ଦଙ୍କ ସମେତ କମିଟିରେ କିଛି ଚାଷୀ ନେତା, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ନେତ୍ରୀଙ୍କୁ ସାମିଲ୍ କରାଯାଇଛି।
କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ୍ ମିଳିତ ଭାବରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମେଣ୍ଟର ନିଷ୍ପତ୍ତି ଅନୁଯାୟୀ, କର୍ଣ୍ଣାଟକର ମୋଟ୍ ୨୮ଟି ଆସନରୁ କଂଗ୍ରେସ ୨୦ଟି ଓ ଜେଡିଏସ୍ ୮ଟି ଆସନରେ ପ୍ରାର୍ଥୀ ଦେବ। ମେଣ୍ଟ ସମ୍ପର୍କରେ ଘୋଷଣା ପୂର୍ବରୁ ମହୀଶୂର-କୋଡାଗୁ ଆସନକୁ ନେଇ ଦୁଇ ଦଳ ମଧ୍ୟରେ ଟଣାଓଟରା ଲାଗିରହିଥିଲା। ତେବେ ଶେଷରେ କଂଗ୍ରେସ ବାଜିମାରିନେଇଛି। ତେବେ ହାସନ ଓ ମାଣ୍ଡ୍ୟା ଆସନରେ ଜେଡିଏସ୍ ପ୍ରାର୍ଥୀ ଦେବ। ଏହି ଦୁଇଟି ସ୍ଥାନକୁ ଜେଡିଏସ୍ର ଗଡ଼ ବୋଲି କୁହାଯାଏ। ୨୦୧୪ରେ ବିଜେପି ୧୬ଟି ଆସନରେ ଜିତିଥିବା ବେଳେ କଂଗ୍ରେସ ୯ଟି ଓ ଜେଡିଏସ୍ ୨ଟି ଆସନରେ ଜିତିଥିଲା।
ଚୀନ୍ ପୁଣିଥରେ ମାସୁଦ୍ ଅଜ୍ହର୍କୁ ବିଶ୍ବ ଆତଙ୍କୀ ଘୋଷିତ ହେବାକୁ ଦେଲା ନାହିଁ। ଚୀନ୍ ନିଜର ଭିଟୋ ବଳ ପ୍ରୟୋଗ କରି ମାସୁଦ୍କୁ ସୁରକ୍ଷା ଦେଲା। ଏହି ଘଟଣା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରି କହିଛନ୍ତି ଯେ, ମୋଦି ଚୀନ୍ର ରାଷ୍ଟ୍ରପତି ଚୀନିପିଙ୍ଗଙ୍କୁ ଡରୁଛନ୍ତି ଓ ଚୀନ୍ର ବିରୋଧରେ ତାଙ୍କ ମୁହଁରୁ ଗୋଟିଏ ବି ଶବ୍ଦ ବାହାରୁନାହିଁ । ରାହୁଲ୍ ଗାନ୍ଧି ଟ୍ବିଟ୍ କରି କହିଛନ୍ତି ,‘ ଦୁର୍ବଳ ମୋଦି ଚିନ୍ପିଙ୍ଗ୍କୁ ଡରୁଛନ୍ତି, ଯେତେବେଳ ଚୀନ୍ ଭାରତ ବିରୋଧରେ ପାଦ ବଢାଉଛି, ସେତେବେଳେ ତାଙ୍କ ମୁହଁରୁ ଶବ୍ଦ ବାହାରୁନି’, ଆହୁରି ମଧ୍ୟ କହିଛନ୍ତି ଯେ, ‘ମୋଦିଙ୍କ ଚୀନ୍ କୁଟନୀତି : ଗୁଜୁରାଟରେ ଚିନ୍ପିଙ୍ଗ୍ଙ୍କ ସହ ଏକାଠି ଝୁଲିବା, ଦିଲ୍ଲୀରେ ଆଲିଙ୍ଗନ କରିବା ଓ ଚୀନ୍ରେ ତାଙ୍କ ଆଗରେ ମୁଣ୍ଡ ନୁଆଁଇବା’ । ଚୀନ୍ ଦ୍ବାରା ମାସୁଦ୍ ଉପରେ ରୋକ୍କୁ ବିଦେଶ ମନ୍ତ୍ରଣାଳୟ ନିରାଶ ହୋଇଛି । ମନ୍ତ୍ରଣାଳୟ ତରଫରୁ ଏହି ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରଚେଷ୍ଟା ଜାରି ରହିବ ବୋଲି ସ୍ପଷ୍ଟ କରିଛି ।
ଯେପର୍ଯ୍ୟନ୍ତ ଆତଙ୍କବାଦ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ସେ ପର୍ଯ୍ୟନ୍ତ ପାକିସ୍ତାନ ସହ କୌଣସି କଥା ହେବା ସମ୍ଭବ ନୁହେଁ ବୋଲି ବୈଦେଶିକ ମନ୍ତ୍ରୀ ସୁଷମା କହିଛନ୍ତି । ସେ କହିଛନ୍ତି ଆତଙ୍କ ଓ କଥାବର୍ତ୍ତା ଏକା ସଙ୍ଗେ ସମ୍ଭବ ନୁହେଁ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଯଦି ଏତେ ଉଦାର ତେବେ ଆଙ୍କବାଦୀ ମାସୁଦ ଆଝାରଙ୍କୁ କାହିଁକି ଭାରତକୁ ସମର୍ପଣ କରୁ ନାହାଁନ୍ତି ବୋଲି ସୁଷମା ପ୍ରଶ୍ନ କରିଛନ୍ତି । ପାକ୍ ନିଜର ଗୁଇନ୍ଦା ବିଭାଗ ଆଇଏସଆଇ ଏବଂ ସେନା ଉପରେ ପ୍ରଥମେ ନିୟନ୍ତ୍ରଣ କରୁ। ଆତଙ୍କୀ ଦେଶ ସର୍ବଦା ଦ୍ୱିପାକ୍ଷିକ ସମ୍ପର୍କକୁ ଭାଙ୍ଗୁଛି। ଏହାସହ ବାୟୁସେନାର ଏୟାରଷ୍ଟ୍ରାଇକ ପରେ ପାକିସ୍ତାନର ଚରମ ଆଭିମୁଖ୍ୟ ଉପରେ ମଧ୍ୟ ସୁଷମା ପ୍ରଶ୍ନ ଉଠାଇଛନ୍ତି। ସେ ଆହୁରି କହିଛନ୍ତି ଯେ, ଭାରତ ଜୈସ-ଇ-ମହମ୍ମଦକୁ ଟାର୍ଗେଟ୍ କରିଥିଲା। ପାକ୍ ସେନା ଜୈସ ତରଫରୁ ଭାରତ ଉପରେ ଆକ୍ରମଣ କରୁଛି। ଇମ୍ରାନ ସରକାର ଜୈଶକୁ ପାଳନ କରିବା ସହ ଅର୍ଥ ଯୋଗାଉଛନ୍ତି। ଏହାସହ ଇମାରନ ଯଦି ଉଦାର ତେବେ ମାସୁଦକୁ ଭାରତକୁ ଦିଅନ୍ତୁ ବୋଲି ସୁଷମା କହିଛନ୍ତି। ଏପଟେ ଅନ୍ୟ ଦେଶମାନଙ୍କୁ ଇମ୍ରାନ୍ କହୁଛନ୍ତି କି ଭାରତ ସହ ସମ୍ପର୍କକୁ ସେ ଖରାପ କରିବାକୁ ଚାହୁଁ ନାହାଁନ୍ତି। ହେଲେ ଅନ୍ୟପଟେ କହୁଛନ୍ତି ସେମିତି କିଛି ପରିସ୍ଥିତି ଉପୁଜିଲେ ସେ ଚୁପ୍ ରହିବେ ନାହିଁ। ତେଣୁ କିଏ ପରିସ୍ଥିତି ଖରାପ କରୁଛି ବୋଲି ସୁଷମା ପାଲଟା ପ୍ରଶ୍ନ କରିଛନ୍ତି। ହେଲେ ପାକିସ୍ତାନ ସହ ପ୍ରଥମେ ଭାରତ କେବେବି ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବ ନାହିଁ ବୋଲି ସୁଷମା କହିଛନ୍ତି।
ପୁଣି ମାସୁଦ୍ଙ୍କୁ ସୁରକ୍ଷା ଦେଲା ଚୀନ୍
ଭାରତରେ ଏକାଧିକ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ୍-ଇ-ମହମ୍ମଦର (ଜେଇଏମ୍) ମୁଖ୍ୟ ମାସୁଦ୍ ଆଝାରଙ୍କୁ ପୁଣିଥରେ ସୁରକ୍ଷା ଦେଇଛି ଚାଇନା। ଫଳରେ ଜାତିସଂଘ ଦ୍ୱାରା ଆଝାରଙ୍କୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା ପାଇଁ ଭାରତ ସମେତ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ପକ୍ଷରୁ ଚାଲିଥିବା ଉଦ୍ୟମ ଫସର ଫାଟିଛି। ଏଥିଯୋଗୁ ଭାରତକୁ ଶକ୍ତ ଝଟକା ଲାଗିଛି। ଫେବୃୟାରୀ ୧୪ ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ୪୯ ଯବାନ ଶହୀଦ ହୋଇଥିବା ଏହି ଆକ୍ରମଣ ପାଇଁ ଜେଇଏମ୍ ନିଜକୁ ଦାୟୀ କରିଥିଲା। ଏହାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା। ଇତିମଧ୍ୟରେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ରେ ଆଝାରଙ୍କୁ କଳାତାଲିକାଭୁକ୍ତ କରିବା ପାଇଁ ଭାରତ ପୁଣିଥରେ କୂଟନୈତିକ ଉଦ୍ୟମ କରିଥିଲା, ଯାହାକୁ ଆମେରିକା, ଫ୍ରାନ୍ସ ଓ ବ୍ରିଟେନର ସହାୟତା ମିଳିଥିଲା। ଆଝାରଙ୍କୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା ପାଇଁ ପୂର୍ବରୁ ୩ ଥର ଉଦ୍ୟମ ହୋଇଥିବାବେଳେ ଚାଇନା ଯୋଗୁ ତାହା ଫସର ଫାଟିଯାଇଥିଲା। ଚତୁର୍ଥ ଥର ଲାଗି ଚୀନ୍ ମସୁଦ ଆଝାରକୁ ସୁରକ୍ଷା ଦେଇଛି। ମାସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପାଇଁ ଆହୁରି ପ୍ରମାଣ ଆବଶ୍ୟକ ବୋଲି ଚୀନ କହିଛି। ତେବେ ଜାତିସଂଘ ସୁରକ୍ଷା ପରିଷଦରେ ଜୈସ-ଏ-ମହମ୍ମଦର ମୁଖ୍ୟ ମାସୁଦ୍ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପ୍ରସ୍ତାବକୁ ଚୀନ ବ୍ୟତୀତ ସମସ୍ତେ ସମର୍ଥନ କରିଥିବା ସୂଚନା ମିଳିଛି। ଚୀନର ସୁରକ୍ଷା ଯୋଗୁ ମସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରାଯାଇପାରିନାହିଁ। ଏହାକୁ ନେଇ ଭାରତ ଅସନ୍ତୋଷ ବ୍ୟକ୍ତ କରିଛି। ତେବେ ଭାରତର ଏହି ପ୍ରସ୍ତାବକୁ ସମର୍ଥନ କରିଥିବା ସୁରକ୍ଷା ପରିଷଦ ସମସ୍ତ ଦେଶଙ୍କୁ ଧନ୍ୟବାଦ ଦେଇଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ପୁଲଓ୍ୱାମା ଆତ୍ମଘାତୀ ଆକ୍ରମଣ ପରେ ମାସୁଦ୍ଙ୍କୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣା ନେଇ ଫେବୃଆରୀ ୨୭ ତାରିଖରେ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍ ପକ୍ଷରୁ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଆଗତ କରାଯାଇଥିଲା। ପ୍ରସ୍ତାବ ପାରିତ ହେବାରେ ସହଯୋଗ କରିବାକୁ ଭାରତ ସବୁ ସଦସ୍ୟ ରାଷ୍ଟ୍ରଙ୍କୁ ନିବେଦନ କରିବା ସତ୍ତ୍ୱେ ଚୀନ୍ ମାସୁଦ ଆଝାରକୁ ସୁରକ୍ଷା ଦେଇଛି।
ବଲିଉଡ୍ ମିଷ୍ଟର ଫରଫେକନିଷ୍ଟ୍ ଆମିର ଖାଁ ଆଜି ୫୪ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୫ ମାର୍ଚ୍ଚ ୧୪ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୧୯୭୩ ମସିହାରେ ନାସିର୍ ହୁସୈନଙ୍କ ଫିଲ୍ମ ‘ୟାଦୋଁ କି ବାରାତ୍’ରେ ଶିଶୁ କଳାକାର ରୂପେ ନଜର ଆସିଥିଲେ। ୧୯୮୮ରେ ଫିଲ୍ମ ‘କୟାମତ୍ ସେ କୟାମତ୍ ତକ୍’ ଫିଲ୍ମରେ ବଲିଉଡ୍ରେ ହିରୋ ରୂପେ ନଜର ଆସିଥିଲେ । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିଥିଲେ ଅଭିନେତ୍ରୀ ଜୁହୀ ଚାଓ୍ବାଲା। ୧୯୮୯ ମସିହାରେ ‘ରାଖ୍’ ଫିଲ୍ମରେ ନିଜର ବଳିଷ୍ଠ ଅଭିନୟ ପଇଁ ସେ ଜାତୀୟ ପୁରସ୍କାର ପାଇଥିଲେ। ୧୯୯୦ ମସିହାରେ ବହୁ ସଫଳ ବ୍ୟବସାୟ କରିଥିବା ଫିଲ୍ମରେ ଅଭିନୟ କରିଥିଲେ। ‘ଦିଲ୍’, ‘ରାଜା ହିନ୍ଦୁସ୍ତାନୀ’, ‘ସର୍ଫରୋଶ୍’ ପରି ବହୁ ସଫଳ ଫିଲ୍ମରେ ଅଭିନୟ କରିଥିଲେ। ୧୯୯୯ ମସିହାରେ ନିଜ ପ୍ରଡକ୍ସନ ହାଉସ୍ ଦ୍ବାରା ‘ଲଗାନ୍’ ଫିଲ୍ମ ପ୍ରସ୍ତୁତ କରିଥିଲେ, ସେ ଏହି ଫିଲ୍ମରେ ଅଭିନୟ ମଧ୍ୟ କରିଥିଲେ। ଏହି ଫିଲ୍ମଟି ବିଦେଶୀ ଭାଷାର ଫିଲ୍ମରେ ଏକାଡେମୀକ ଆଓ୍ବାର୍ଡ ଜିତିବା ସହିତ ଜାତୀୟ ପୁରସ୍କାର ଓ ଓସ୍କାର ଆଓ୍ବାର୍ଡ ପାଇଁ ମନୋନୀତ ହୋଇଥିଲା। ପରବର୍ତ୍ତୀୟ ସମୟରେ ‘ଫନା’, ‘ରଙ୍ଗଦେ ବସନ୍ତୀ’ ଫିଲ୍ମରେ ଉଚ୍ଚକୋଟୀର ଅଭିନୟ କରିଥିଲେ। ୨୦୦୭ ମସିହାରେ ତାଙ୍କ ନିର୍ଦ୍ଦେଶିତ ତଥା ଅଭିନୀତ ‘ତାରେ ଜମିନ୍ ପର୍’ ଫିଲ୍ମ ପରଦାକୁ ଆସିଥିଲା। ଏହି ଫିଲ୍ମ ପାଇଁ ସେ ଫିଲ୍ମ ଫେୟାର୍ର ଶ୍ରେଷ୍ଠ ନିର୍ଦ୍ଦେଶକର ପୁରସ୍କାର ମଧ୍ୟ ହାତେଇଥିଲେ। ପ୍ରତିଟି ଫିଲ୍ମରେ କିଛି ନୂଆ କରିଥା’ନ୍ତି ଆମୀର୍। ପ୍ରଥମ ୧୦୦ କୋଟି କ୍ଲବ୍ରେ ଆମୀର୍ ଫିଲ୍ମ ଏଣ୍ଟ୍ରି କରି ବଲିଉଡ୍ ଇଣ୍ଡଷ୍ଟ୍ରିରେ ବେଶ୍ ଚହଳ ସୃଷ୍ଟି କରିଥିଲା। ଆମୀର୍ଙ୍କ ସବୁଠୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମ ଗୁଡ଼ିକ ମଧ୍ୟରେ ରହିଛି ‘ଗଜ୍ନୀ’, ‘ଥ୍ରୀ ଇଡିଅଟ୍ସ୍’, ‘ଧୁମ୍ ୩’, ‘ପିକେ’, ‘ଦଙ୍ଗଲ୍’ ‘ସିକ୍ରେଟ୍ ସୁପରଷ୍ଟାର୍’। ଫିଲ୍ମ ଚୟନକୁ ନେଇ ବେଶ୍ ସତର୍କ ଥା’ନ୍ତି ଏହି ଅଭିନେତା ଜଣକ। ଫିଲ୍ମ ଜଗତରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ଓ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ୨୦୧୭ ମସିହାରେ ଚାଇନା ସରକାରଙ୍କ ତରଫରୁ ସମ୍ମାନିତ ମଧ୍ୟ ହୋଇଛନ୍ତି। କ୍ୟାରିୟର୍ରେ ସଫଳ ଥିବା ଏହି ଅଭିନେତା ଜଣକ ମଧ୍ୟ ବ୍ୟକ୍ତିଗତ ଜୀବନରେ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଥିଲେ। ଆମିର ରୀନା ଦତ୍ତଙ୍କ ପ୍ରେମରେ ଥିଲେ ପାଗଳ। ଆମିର୍ ହାତ କାଟି ରକ୍ତରେ ରୀନାଙ୍କ ପାଖକୁ ଚିଠି ଲେଖିଥିଲେ। ଆମିର ମୁସଲମାନ୍ ଥିବାବେଳେ ରୀନା ଥିଲେ ହିନ୍ଦୁ। ସବୁ ପ୍ରକାର ବାଧାକୁ ଖାତରି୍ ନ କରି ଦୁହେଁ ୧୯୮୬ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ପରେ ପାରିବାରିକ ସମସ୍ୟା ଯୋଗୁ ୨୦୦୨ରେ ଆମିର ଏବଂ ରୀନାଙ୍କର ଛାଡପତ୍ର ହୋଇଥିଲା। ଏହାର ୩ ବର୍ଷ ପରେ ଆମିର ୨୦୦୫ରେ କିରଣ ରାଓଙ୍କୁ ବିବାହ କରିଥିଲେ। ଆମିର୍ ଓ ରୀନାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବାବେଳେ ଆମିର୍ ଓ କିରନ୍ଙ୍କର ମଧ୍ୟ ଗୋଟିଏ ପୁଅ ଅଛି। ତେବେ ଆମିର୍ଙ୍କ ପୁଅ ଜୁନୈଦ୍ ବଲିଉଡ୍ରେ କ୍ୟାରିଅର୍ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଥିବାବେଳେ ଇରା ସୋସିଆଲ୍ ମିଡ଼ିଆରେ ବେଶ୍ ସକ୍ରିୟ।
କୋଟଲା ଗ୍ରାଉଣ୍ଡରେ ଖେଳାଯାଇଥିବା ଅନ୍ତିମ ତଥା ନିର୍ଣ୍ଣାୟକ ଦିନିକିଆରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇ ଶୃଙ୍ଖଳାକୁ ହାତ ଛଡା କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ଧାର୍ଯ୍ୟ ୫୦ ଓଭରରେ ୯ ଉଇକେଟ ହରାଇ ୨୭୨ ରନ୍ କରିଥିଲା। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ତରଫରୁ ଉସ୍ମାନ ଖ୍ବାଜା ୧୦୦ ଓ ପିଟର ହାଣ୍ଡସ୍କମ୍ବ ୫୨ ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୩ଟି, ମହମ୍ମଦ ସାମି ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏ ୱିକେଟ ନେଇଥିଲେ। ଭାରତ ୨୭୩ ରନର ଲକ୍ଷ୍ୟକୁ ପୂରଣ କରିବାପାଇଁ ପଡିଆକୁ ଓହ୍ଲାଇଥିଲା। କିନ୍ତୁ ପ୍ରାରମ୍ଭିକ ଯୋଡି ଦଳୀୟ ଖାତାରେ ୧୫ରନ ଯୋଗକରି ପ୍ରଥମ ୱିକେଟ ଶିଖର ଧବନଙ୍କ ରୂପରେ ହରାଇଥିଲା। ଶିଖର କେବଳ ୧୫ବଲରେ ୨ଟି ଚୌକା ସହ ୧୨ରନ କରି ବିଶ୍ରାମ କକ୍ଷକୁ ଫେରିଥିଲେ। ତାପରେ ଅଧିନାୟକ ବିରାଟ କୋହଲି ଦଳର ବ୍ୟାଟିଂ ଭାର ସମ୍ଭାଳିବାକୁ ପଡିଆ ମଧ୍ୟକୁ ଆସିଥିଲେ। କିନ୍ତୁ କୋହଲି ଅଧିକ ସମୟ ପିଚରେ ରହି ରନ ସଂଗ୍ରହ କରିବାରେ ବିଫଳ ହୋଇଥିଲେ। ସେ ମାତ୍ର ୨୨ବଲରେ ୨୦ରନ ଦଳୀୟ ଖାତାରେ ଯୋଗକରି ଷ୍ଟୋଇନିସଙ୍କ ବଲରେ କ୍ୟାଚଆଉଟ ହୋଇ ପାବିଲିଅନକୁ ଫେରିଥିଲେ। ତାପରେ ଭାରତୀୟ ଦଳର ଗୋଟିଏ ପରେ ଗୋଟିଏ ୱିକେଟର ପତନ ଘଟିଥିଲା। ଦଳର ସମୁଦାୟ ସ୍କୋର ୧୩୨ରନ ଥିବାବେଳେ ୬ଟି ମୂଲ୍ୟବାନ ୱିକେଟର ପତନ ଘଟିସାରିଥିଲା। କେଦାର ଯାଦବ ଏବଂ ଭୁବନେଶ୍ବର କୁମାର କିଛି ସମୟ ପିଚରେ ଜମିରହି ଦଳୀୟ ସ୍କୋରକୁ ୨୨୩ ରନରେ ପହଞ୍ଚାଇ କ୍ରମାଗତ ଉଭୟ କ୍ୟାଚ ଆଉଟ ହୋଇ ଜିତିବାର ଆଶାକୁ ପୂରଣ କରିବାରେ ବିଫଳ ହୋଇଥିଲେ। କେଦାର ୫୭ବଲରେ ୪ଟି ଚୌକା ଏବଂ ଗୋଟିଏ ଛକ୍କା ସହାୟତାରେ ୪୪ ରନ, ଭୁବନେଶ୍ବର ୫୪ବଲରେ ୩ଟି ଚୌକା ଦୁଇଟି ଛକ୍କା ସହାୟତାରେ ୪୬ ରନ କରିଥିଲେ। ଏହିପରି ଭାବରେ ଦଳୀୟ ସ୍କୋର ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୨୩୭ରନ କରିବାରେ ସକ୍ଷମ ହୋଇଥିଲା। ଅଷ୍ଟ୍ରେଲିଆ ଦଳ ଏହି ମ୍ୟାଚ ୩୫ ରନରେ ଜିତି ଶୃଙ୍ଖଳାକୁ ୩-୨ରେ ହାସଲ କଲା। ଅଷ୍ଟ୍ରେଲିଆ ଦଳର ଉସମାନ ଖ୍ୱାଜା ମ୍ୟାନ ଅଫ ଦି ମ୍ୟାଚ ଏବଂ ପି.କୁମିନ୍ସ ମ୍ୟାନ ଅଫ ଦି ସିରିଜ ରୂପେ ପୁରଷ୍କୃତ ହୋଇଥିଲେ।
ପଶ୍ଚିମବଙ୍ଗକୁ ଅତି ସମ୍ବେଦନଶୀଳ ବୁଥ୍ ଘୋଷଣା କରିବାକୁ ନେଇ କେନ୍ଦ୍ରୀୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଇସିଙ୍କ ନିକଟରେ ଅଭିଯୋଗ କରିଥିଲେ। ସେ ତାଙ୍କ ଅଭିଯୋଗରେ ପଶ୍ଚିମବଙ୍ଗରେ ନିର୍ବାଚନ ସମୟରେ ହେଉଥିବା ହିଂସା ଆଶଙ୍କାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗକୁ ସମ୍ବେଦନଶୀଳ କ୍ଷେତ୍ର ଘୋଷିତ କରିବାକୁ ଦାବି କରିଥିଲେ। ତେବେ ଏହାକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ମମତା ବାନାର୍ଜୀ। ଏଠାରେ କୌଣସି ବୁଥ୍ ସମ୍ବଦେନଶୀଳ ନୁହେଁ, ଏଠାରେ ସେପରି କୌଣସି ପରିସ୍ଥିତି ନ ଥାଇ ମଧ୍ୟ ବିଜେପି ଏପରି ଅଭିଯୋଗ କରିଛି। ବିଜେପି ପଶ୍ଚିମବଙ୍ଗକୁ ଅତି ସମ୍ବେଦନଶୀଳ ଭାବେ ଦେଖୁଛି, କିନ୍ତୁ ବାସ୍ତବରେ ପଶ୍ଚିମବଙ୍ଗ ବହୁତ ଶାନ୍ତିପୂର୍ଣ୍ଣ ରାଜ୍ୟ। ଏହା ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲି ମମତା କହିଛନ୍ତି।
ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ସମସ୍ତ ଦଳ ନିଜର ରଣନୀତି ପ୍ରସ୍ତୁତିରେ ଲାଗିଯାଇଛନ୍ତି। ଏହି ସମୟରେ ବିଜେପି ନିର୍ବାଚନ ଆୟୋଗର ଦ୍ଵାରସ୍ଥ ହୋଇ ପଶ୍ଚିମବଙ୍ଗରେ ନିର୍ବାଚନ ସମୟରେ ହେଉଥିବା ହିଂସାକୁ ଦୃଷ୍ଟିରେ ରଖି ଏହି ରାଜ୍ୟକୁ ଅତିସମ୍ବେଦନଶୀଳ କ୍ଷେତ୍ର ଘୋଷିତ କରିବାକୁ ଦାବି କରିଛନ୍ତି। ଏହା ସହିତ ଅହମ୍ମଦାବାଦ ଗସ୍ତ ସମୟରେ ପିଏମ ମୋଦୀଙ୍କ ବିଷୟରେ ରାହୁଲ ଗାନ୍ଧୀ ଦେଇଥିବା ଟିପ୍ପଣୀକୁ ନେଇ ଅଭିଯୋଗ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ସହିତ ବିଜେପିର ଅନେକ ବଡ଼ ନେତା ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ଯାଇ ଆୟୋଗଙ୍କଠାରେ ଅଭିଯୋଗ କରି କହିଛନ୍ତି ଯେ, ପଶ୍ଚିମବଙ୍ଗରେ ନିର୍ବାଚନ ସମୟରେ ହେଉଥିବା ଥିବା ହିଂସା କାରଣରୁ ବହୁତ ଲୋକ ପ୍ରଭାବିତ ହେଉଛନ୍ତି। ତେଣୁ ହିଂସା ଆଶଙ୍କାକୁ ଦୃଷ୍ଟିରେ ରଖି ପୂରା ପଶ୍ଚିମବଙ୍ଗକୁ ଅତି ସମ୍ବେଦନଶୀଳ କ୍ଷେତ୍ର ଘୋଷିତ କରିବାକୁ ଦାବି କରିଛି। ସମସ୍ତ ବୁଥରେ କେନ୍ଦ୍ରୀୟ ପୋଲିସ ବଳଙ୍କୁ ମୁତୟନ କରିବାକୁ ଦାବି କରିଛି। ସେହିପରି ରାହୁଲ ଗାନ୍ଧୀ ମଙ୍ଗଳବାର ଅହମ୍ମଦାବାଦ ରାଲିରେ ମୋଦିଙ୍କୁ ସମାଲୋଚନା କରି ରାଫେଲରେ ହେରଫେର୍ କରି ଦେଶର ଅର୍ଥକୁ ଅନିଲ ଅମ୍ବାନୀଙ୍କୁ ଦେଇଥିବାର କହିଥିଲେ। ଏହି ବୟାନକୁ ନେଇ ବିଜେପି ରାହୁଲ୍ଙ୍କ ବିରୋଧରେ ଇସିଙ୍କଠାରେ ଅଭିଯୋଗ କରିଛି।
ଚଳିତ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ଘୋଷଣା ପରେ ସାରା ରାଜ୍ୟରେ ନିର୍ବାଚନକୁ ନେଇ ପୋଲିସ୍ ପକ୍ଷରୁ ବ୍ୟାପକ ସଚେତନତା ଗ୍ରହଣ କରାଯାଉଛି। ପୋଲିସ କମିଶନରରେଟ ପକ୍ଷରୁ ପ୍ରାର୍ଥୀମାନଙ୍କ ପାଇଁ ଆଡ଼ଭାଇଜରି ଜାରି କରିଦିଆଯାଇଛି। ଏହି ଆଡ୍ଭାରଇଜାରୀରେ ପ୍ରାର୍ଥୀଙ୍କୁ କିଛି ଗାଇଡ୍ଲାଇନ୍ ପାଳନ କରିବାକୁ ନିର୍ଦ୍ଦେଶ ରହିଛି। ନିର୍ବାଚନ ରାଲିରେ ରାସ୍ତା ଅବରୋଧ ନ କରିବା, ଶୋଭାଯାତ୍ରା ପାଇଁ ଆଗୁଆ ଅନୁମତି ନେବା, ଶୋଭାଯାତ୍ରାରେ ୧୦ରୁ ଅଧିକ ତିନି କିମ୍ବା ଚାରି ଚକିଆ ଯାନ ଏକାଠି ଯାଇପାରିବନି। ୧୦ରୁ ଅଧିକ ଗାଡ଼ି ଏକାଠି ହେଲେ ଶହେ ମିଟର ବ୍ୟବଧାନ ରଖିବା ପ୍ରତି ଧ୍ୟାନ ଦେବା ସହିତ ଗାଡ଼ିରେ ଲଗାଯାଇଥିବା ଦଳୀୟ ପତାକା ୧ଫୁଟ ମଧ୍ୟରେ ରହିବା ଆବଶ୍ୟକତା ରହିଛି । ତେବେ ରାଲିରେ କେତେ ଲୋକ,କେତେ ଗାଡ଼ି ବ୍ୟବହାର କରାଯିବ, ତାହା ଉପରେ ଆଗୁଆ ତଥ୍ୟ ଦେବାକୁ ପଡ଼ିବ ବୋଲି ସୂଚନା ଦିଆଯାଇଛି। ସେହିପରି ହସ୍ପିଟାଲ୍, ସ୍କୁଲ ତଥା ଗହଳି ରାସ୍ତାରେ ରୋଡ୍ ସୋ’ ପାଇଁ ଅନୁମତି ଦିଆଯିବ ନାହିଁ ଏବଂ ରାତି ୧୦ଟା ପରେ କିମ୍ବା ସକାଳ ୬ଟା ପୂର୍ବରୁ ଡାକବାଜି ଯନ୍ତ୍ର ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ନିୟମ ଉଲ୍ଲଂଘନ କଲେ ପ୍ରାର୍ଥୀଙ୍କୁ ବିରୋଧ ମାମଲା ରୁଜୁ କରାଯିବ ବୋଲି ସୂଚନା ଦିଆଯାଇଛି ।
ତାମିଲନାଡୁର ବହୁ ଚର୍ଚ୍ଚିତ ସେକ୍ସ ସ୍କାଣ୍ଡଲର ମୁଖ୍ୟ ଅଭିଯୁକ୍ତ ତଥା ମହିଳା କଲେଜର ପ୍ରଫେସର ନିର୍ମଳା ଦେବୀଙ୍କୁ ମାଦ୍ରାସ ଉଚ୍ଚନ୍ୟାୟାଳୟ ଜାମିନ ପ୍ରଦାନ କରିଛି। ଗିରଫ ହେବାର ୧୧ ମାସ ପରେ ତାଙ୍କୁ ଏହି ଜାମିନ ମିଳିଛି। ସୂଚନାଯୋଗ୍ୟ, ପ୍ରଫେସର ନିର୍ମଳା ମଦୁରାଇ କାମରାଜ ୟୁନିଭର୍ସିଟିର ବରିଷ୍ଠ ଅଧିକାରୀଙ୍କ ସହ ଛାତ୍ରୀମାନଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। କେବଳ ସେତିକି ନୁହେଁ ଏହା ବଦଳରେ ଭଲ ନମ୍ବର ସହ ଡିଗ୍ରୀ ମିଳିବା ଓ ଟଙ୍କାର ଲୋଭ ମଧ୍ୟ ଦେଖାଉଥିଲେ ପ୍ରଫେସର। ଏକ ଅଡିଓ ଭାଇରାଲ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ପରେ ଏହି ପ୍ରଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇ ଗିରଫ କରାଯାଇଥିଲା। ଗତ ବର୍ଷ ଏପ୍ରିଲ୍ ୧୬ ତାରିଖରେ ଗିରଫ କରାଯାଇଥିଲା। ଗିରଫଦାରୀ ପୂର୍ବରୁ ଅନ୍ତରୀଣ ଯାଞ୍ଚ କରାଯାଇ ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଥିଲା। ଅଡିଓ କ୍ଲିପ୍ ଆସିଲା ପରେ ଏଥିରେ ବିବାଦ ଘନେଇବାରୁ ଏହି ମାମଲାକୁ ରାଜ୍ୟର ସିଆଇଡିକୁ ଦିଆଯାଇଥିଲା।
କଂଗ୍ରେସ ଦେଶରେ ହୁ ହୁ ହୋଇ ବଢୁଥିବା ବେରୋଜଗାର ସ୍ତରକୁ ନେଇ ମୋଦି ସରକାରଙ୍କ ଉପରେ ଆକ୍ରମଣ କରିଛି। ରୋଜଗାରକୁ ଶେଷ କରୁଥିବା ପ୍ରଧାନମନ୍ତ୍ରୀ ହେଉଛନ୍ତି ମୋଦି। ଚଳିତ ନିର୍ବାଚନରେ କଂଗ୍ରେସର ମୁଖ୍ୟ ଏଜେଣ୍ଡା ରୋଜଗାର ରହିବ ବୋଲି କଂଗ୍ରେସ ଦାବି କରିଛି। ରାହୁଲ୍ ଗାନ୍ଧିଙ୍କ ଘୋଷଣାର ପୃଷ୍ଠଭୂମିରେ ପାର୍ଟିର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେଓ୍ବାଲା କହିଛନ୍ତି ଯେ, କଂଗ୍ରେସ ସରକାର ଗଢିଲେ ୩୩ ପ୍ରତିଶତ ଆରକ୍ଷଣ ଦ୍ବାରା ସରକାରୀ ଚାକିରିରେ ମହିଳାଙ୍କୁ ଉଚିତ୍ ଭାଗିଦାରୀ ମିଳିବା ସହିତ ରୋଜଗାରର ମାଧ୍ୟମ ସୃଷ୍ଟି କରିବ ପାଇଁ କାର୍ଯ୍ୟ କରାଯିବ ବୋଲି କହିଛନ୍ତି। ସୁରେଜଓ୍ବାଲା ଏହି ଅବସରରେ କହିଛନ୍ତି, ଯଦି ରୋଜଗାର ନାହିଁ, ତେବେ ଭାଜପାକୁ ଭୋଟ୍ ନାହିଁ। ମୋଦି ସରକାର ଦେଶର ବେରୋଜଗାରୀ ବଢାଇବାରେ ମୁଖ୍ୟ ଭୂମିକା ନେଇଛନ୍ତି। ମୋଦି ୨ କୋଟିର ଚାକିରି ଦେବାର ପ୍ରତିଶ୍ରୁତି ଦେଇ ବେରୋଜଗାରୀର ସ୍ତରକୁ ଉଚ୍ଚତମ ସ୍ତରରେ ପହଞ୍ଚାଇଛନ୍ତି। ଭାରତରେ ପ୍ରତି ବର୍ଷ ୧.୨ କୋଟି ଚାକିରି ସୃଷ୍ଟିର ଆବଶ୍ୟକତା ରହିଛି। କଂଗ୍ରେସ ଚାକିରି ସୃଷ୍ଟି କରାଇବାରେ ପ୍ରତିବଦ୍ଧ ରହିଛି। ସରକାର ଗଢିବା ପରେ କୃଷି, ନିମ୍ନ ତଥା ମଧ୍ୟମ ବ୍ୟବସାୟକୁ ପ୍ରୋତ୍ସାହନ ସହ ମଜବୁତ୍ କରିବା ଉପରେ ପଦକ୍ଷେପ ନିଆଯିବ। ରୋଜଗାରର ମାଧ୍ୟମ ସୃଷ୍ଟି କରିବା କଂଗ୍ରେସ ଓ ରାହୁଲ୍ ଗାନ୍ଧିଙ୍କର ସବୁଠୁ ବଡ଼ ଲକ୍ଷ୍ୟ ବୋଲି କହିଛନ୍ତି। ବର୍ତ୍ତମାନ ଦେଶର ସବୁଠୁ ଆବେଗପ୍ରବଣ ବିଷୟ ରୋଜଗାର ରହିଥିବାବେଳେ କଂଗ୍ରେସ ପାର୍ଟି ଏହାକୁ ନିର୍ବାଚନର ମୁଖ୍ୟ ଅସ୍ତ୍ର କରିଛି।
କଂଗ୍ରେସକୁ ଟାର୍ଗେଟ୍ କରି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧି ଏବଂ ଭଦ୍ରା ପରିବାରକୁ ‘ଦୁର୍ନୀତିର ଫ୍ୟାମିଲି ପ୍ୟାକେଜ୍’ ବୋଲି କହିଛନ୍ତି। ସ୍ମୃତି ଇରାନୀ ମିଡିଆ ରିପୋର୍ଟର ଉଦାହରଣ ଦେଇ କହିଥିଲେ ରାହୁଲ ଗାନ୍ଧି ଏବଂ ଏଚ୍ଏଲ୍ ପହୱାନ୍ଙ୍କ ମଧ୍ୟରେ ଟଙ୍କା କାରବାର ହୋଇଥିବା ସାର୍ବଜନୀନ ହୋଇସାରିଛି। ଭଦ୍ରା ଓ ଗାନ୍ଧି ପରିବାର ପାରିବାରିକ ଭ୍ରଷ୍ଟାଚାରର ସଂଜ୍ଞା ନିର୍ଦ୍ଧାରଣ କରୁଛନ୍ତି । ଦସ୍ତାବିଜ୍ରୁ ଜଣାପଡ଼ିଛି ରବର୍ଟ ଭଦ୍ରା ଜମି ଦୁର୍ନୀତିର କେବଳ ଏକ ଅଂଶ ଥିଲେ ବୋଲି ସ୍ମୃତି ଦାବି କରିଛନ୍ତି । କେବଳ ଭଦ୍ରାଙ୍କର ନୁହେଁ ରାହୁଲଙ୍କର ମଧ୍ୟ ସଞ୍ଜୟ ଭଣ୍ଡାରୀଙ୍କ ସହିତ ସମ୍ପର୍କ ରହିଛି। କଂଗ୍ରେସ ବିଗତ ୭୦ ବର୍ଷରେ ଦେଶ ସହିତ ଧୋକାବାଜି କରିଛି ବୋଲି ସ୍ମୃତି କହିଛନ୍ତି ।
ଏମ୍ଏସ୍ଧୋନୀ ଚଳଚ୍ଚିତ୍ରରୁ ବଲିଉଡ୍ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବଲିଉଡ୍ର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆଗାମୀ ସିନେମା ‘ଛିଛୋର’ ଆସିବାକୁ ରହିଛି। ଦୁଇଟି ଜେନେରେସନ୍ ନେଇ ନିର୍ମିତ ଏହି ଫିଲ୍ମଟି ଏବେଠୁ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମର ଏକ ଫଟୋ ଲିକ୍ ହୋଇଛି, ଯେଉଁଥିରେ ସୁଶାନ୍ତ ଉଭୟ ଯୁବ ଓ ବୟସ୍କ ଚରିତ୍ରରେ ଅଭିନୟ କରିଛନ୍ତି। ଅଭିଷେକ ଚୌବେଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଶ୍ରଦ୍ଧା କପୁର୍ ଅଭିନେତ୍ରୀ ଭାବରେ ନଜର ଆସିବେ। ଏହି ଫିଲ୍କରେ ସୁଶାନ୍ତ, ଶ୍ରଦ୍ଧାଙ୍କ ବ୍ୟତୀତ ପ୍ରତୀକ ବର୍ବର ଓ ବରୁଣ ଶର୍ମା ମଧ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି। ସାଜିଦ୍ ନାଦିଆଦଓ୍ବାଲାଙ୍କ ପ୍ରଯୋଜିତ ଏହି ଫିଲ୍ମଟି ଅଗଷ୍ଟ ୩୦ରେ ରିଲିଜ୍ ହେବ ବୋଲି ସୂଚନା ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ଲୋକସଭା ନିର୍ବାଚନରେ ଅଧିକ ସଂଖ୍ୟକ ମତଦାତାଙ୍କୁ ମତଦାନରେ ସଂଶ୍ଲିଷ୍ଟ କରାଇବା ପାଇଁ ଏକ ଟ୍ବିଟ କରିଛନ୍ତି । ସେ ଏହି ଟ୍ବିଟ ବିରୋଧୀ ଦଳ ନେତା, ସିନେ ତାରକା, ଖେଳ ତାରକା, ସାମାଜିକ କର୍ମୀ, ଆଧ୍ୟାତ୍ମିକ ଗୁରୁ ସମେତ ସାମ୍ବାଦିକ ଓ ସମ୍ବାଦ ସରବରାହ ସଂସ୍ଥା ସହ ନ୍ୟୁଜ୍ ଚ୍ୟାନେଲ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି । ଲୋକସଭା ନିର୍ବାଚନ ଏପ୍ରିଲ୍ ୧୧ରୁ ଆରମ୍ଭ ହେବାକୁ ଯାଉଛି । ଏହି ନିର୍ବାଚନରେ ଅଧିକ ସଂଖ୍ୟକ ମତଦାତା ଅଂଶଗ୍ରହଣ କରି ଉପଯୁକ୍ତ ପ୍ରାର୍ଥୀ ଚୟନ କରିବା ପାଇଁ ମୋଦି ସଚେତନତା ସୃଷ୍ବି କରିବା ପାଇଁ ଏହି ଟ୍ବିଟ କରିଛନ୍ତି । ଏହି ଟ୍ବିଟରେ ଲୋକମାନେ ନିର୍ବାଚନରେ ଅଂଶଗ୍ରହଣ କରିବା ଉପରେ ସଚେତନତା ବାର୍ତ୍ତା ରହିଛି । ମୋଦି ଏହି ଟ୍ବିଟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏନ୍ସିପି ଅଧ୍ୟକ୍ଷ ଶରଦ ପାଓ୍ବାର, ବିଏସ୍ପି ଅଧ୍ୟକ୍ଷା ମାୟାବତୀ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ, ଆରଜେଡ଼ି ନେତା ତେଜସ୍ବୀ ଯାଦବ, ଡିଏମ୍କେ ନେତା ଏମ୍କେ ଷ୍ଟାଲିନ୍ଙ୍କୁ ମଧ୍ୟ ଭୋଟ୍ ପାଇଁ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି । କିନ୍ତୁ ଏହି ତାଲିକାରେ ଆପ୍ ନେତା କେଜ୍ରିଓ୍ବାଲଙ୍କ ନାମ ନାହିଁ । ସେହିପରି ସେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚ୍.ଡ଼ି . କୁମାରସ୍ବାମୀ, ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରବାବୁ ନାଇଡୁ ଓ ଜଗମୋହନ ରେଡ୍ଡି ପ୍ରମୁଖଙ୍କୁ ଟ୍ୟାଗ୍ କରି ଆଗାମୀ ନିର୍ବାଚନରେ ମତଦାନ କେନ୍ଦ୍ରକୁ ଅଧିକ ମତଦାତାଙ୍କୁ ଆଣିବା ପାଇଁ କାମ କରିବାକୁ କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ନେତୃତ୍ବାଧୀନ ମେଣ୍ଟ ରେ ସାମିଲ ଥିବା ଜେଡିଏସ ମୁଖ୍ୟ ନିତିଶ୍ କୁମାର, ରାମବିଳାସ ପାଶ୍ବାନ, ହରିସିମରନ୍ କୌର, ଚିରାଗ ପାଶ୍ବାନ, ଆଦିତ୍ୟ ଠାକରେଙ୍କୁ ମଧ୍ୟ ଏହି ସଚେତନତା ପ୍ରସାର ପାଇଁ ନିବେଦନ କରିଛନ୍ତି । ଏହା ସହିତ ଆରଏସଏସ୍, ନେହେରୁ ଯୁବା କେନ୍ଦ୍ର, ନେବୋଲ୍ ବିଜେତା କୈଳାସ ସତ୍ୟାର୍ଥୀ, ପୁଡୁଚେରୀର ରାଜ୍ୟପାଳ କିରଣବେଦୀ, ସୁଦର୍ଶନ ପଟ୍ଟନାୟକ, ଆଧ୍ୟାତ୍ମିକ ଗୁରୁ ରବି ଶଙ୍କର, ଯୋଗ ଗୁରୁ ବାବା ରାମଦେବ ପ୍ରମୁଖଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି । ସଚିନ୍ ତେନ୍ଦୁଲ୍କର, ଅନିଲ୍ କୁମ୍ବଲେ, ଭିଭିଏସ୍ ଲକ୍ଷ୍ମଣ, ବିରେନ୍ଦ୍ର ସେହ୍ବାଗ୍, ଏମଏସ୍ ଧୋନୀ, ବିରାଟ କୋହଲି, ରୋହିତ ଶର୍ମା, ଶ୍ରୀକାନ୍ତ, ପିଭି ସିନ୍ଧୁ, ସାଇନା ନେହଓ୍ବାଲ, ଗୀତା ଫୋଗାଟ୍, ବବିତା ଫୋଗାଟ୍, ବଜରଂଗ ପୁନିଆ ପ୍ରମୁଖ ଖେଳାଳୀଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି । ସେହିପରି ବଲିଉଡର ଲତା ମଙ୍ଗେସକର୍, ଅମିତାଭ ବଚ୍ଚନ, ଏଆର ରହମାନ୍, ରଣବୀର କପୁର୍, ବରୁଣ ଧାଓ୍ବନ, ବିକି କୌଶଲ୍, ଶାହରୁଖ ଖାନ୍, ଅମୀର ଖାନ୍, ସଲମାନ୍ ଖାନ୍, ଦୀପିକା ପାଦୁକୋନ, ଆଲିଆ ଭଟ୍ଟ ଓ ଅନୁଷ୍କା ଶର୍ମା ପ୍ରମୁଖ କଳାଜଗତର ପ୍ରମୁଖ ହସ୍ତୀଙ୍କୁ ଟ୍ୟାଗ୍ କରି ବହୁ ମାତ୍ରାରେ ମତଦାତାଙ୍କୁ ମତଦାନ ପାଇଁ ପ୍ରୋତ୍ସାହିତ କରିବା ତଥା ମଜବୁତ୍ ଲୋକତନ୍ତ୍ର ନିର୍ମାଣରେ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ।
ଆମ୍ ଆଦ୍ମୀ ପାର୍ଟି ଅଧ୍ୟକ୍ଷ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲ ପୁଣି ଥରେ କଂଗ୍ରେସ ସହ ମେଣ୍ଟ ପାଇଁ ଇଛା ପ୍ରକାଶ କରିଛନ୍ତି। ତେବେ କେଜରୀଓ୍ବାଲ ଦିଲ୍ଲୀ ପାଇଁ ନୁହେଁ ବରଂ ହରିୟାଣାରେ କଂଗ୍ରେସ ତାଙ୍କ ସହ ହାତ ମିଶାଇବା ପାଇଁ ଅନୁରୋଧ କରିଛନ୍ତି। ଅରବିନ୍ଦ କେଜ୍ରୀଓ୍ବାଲ କହିଛନ୍ତି ଯେ, ସାଧାରଣ ଜନତା ମୋଦିଜୀ-ଅମିତ୍ଜୀଙ୍କ ଯାେଡ଼ିକୁ ହରାଇବାକୁ ଚାହୁଁଛନ୍ତି। ଏହି ଯୋଡ଼ିଙ୍କୁ ହଟାଇବାକୁ ହେଲେ ମିଳିତ ଭାବରେ ଲଢେଇ କରିବା ଦରକାର। ହରିୟାଣାରେ ଜେଜିପି, ଆପ୍ ଓ କଂଗ୍ରେସ ମିଳିତ ଭାବରେ ଲଢିଲେ ହରିୟାଣାରେ ଥିବା ୧୦ଟି ସିଟ୍ରେ ବିଜେପିକୁ ମାତ୍ ଦେଇ ହେବ। ଅରବିନ୍ଦ କେଜ୍ରୀଓ୍ବାଲ ଏହି ବିଷୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧିଙ୍କୁ ବିଚାର କରିବା ପାଇଁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ଆପ୍ ଓ କଂଗ୍ରେସ ମିଳିତ ଭାବରେ ଲଢିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା, କିନ୍ତୁ କଂଗ୍ରେସ ଏହି ମେଣ୍ଟକୁ ପ୍ରତ୍ୟାଖାନ କରିଥିଲା। ଏହାପରେ ଅରବିନ୍ଦ ଉତ୍କ୍ଷିପ୍ତ ହୋଇ କଂଗ୍ରେସ ଉପରେ ବର୍ଷିବା ସହିତ ବିଜେପି ଓ କଂଗ୍ରେସ ମଧ୍ୟରେ ଏକ ଗୁପ୍ତ ମେଣ୍ଟ ରହିଛି ବୋଲି ଅଭିଯୋଗ କରିଥିଲେ।
୩୫ ବର୍ଷରେ ଗୀତା ବାସ୍ରା
ବଲିଉଡ୍ ଅଭିନେତା ତଥା ଭାରତୀୟ କ୍ରିକେଟିଅର ହରଭଜନ୍ ସିଂହଙ୍କ ପତ୍ନୀ ଗୀତା ବାସ୍ରାଙ୍କର ଆଜି ହେଉଛି ୩୫ତମ ଜନ୍ମଦିବସ। ୧୯୮୪ ମାର୍ଚ୍ଚ ୧୩ ତାରିଖରେ ଇଂଲଣ୍ଡରେ ଏକ ପଞ୍ଜାବୀ ପରିବାରରେ ଜନ୍ମ ହୋଇଥିଲେ। ଇଂଲଣ୍ଡରେ ପାଠ ପଢା ସାରି ସେ ଭାରତକୁ ଫେରିଥିଲେ। ପ୍ରଥମରୁ ସେ ୪-୫ ବର୍ଷ ପର୍ଯ୍ୟନ୍ତ ଥିଏଟରରେ ଶିକ୍ଷାଲାଭ କରିବାପରେ ମୁମ୍ବାଇର ଏକ ଆକ୍ଟିଂ ସ୍କୁଲରେ ଅଭିନୟ ଶିଖିଥିଲେ। ପରେ ବଲିଉଡ୍ରେ ବ୍ରେକ୍ ପାଇଥିଲେ। ଗୀତା ବଲିଉଡ୍କୁ ଆସିବା ପୂର୍ବରୁ ଜଣେ ଭଲ ମଡେଲ୍ ଭାବରେ ନିଜର ପରିଚୟ ତିଆରି କରିପାରିଥିଲେ। ସେ ପ୍ରଥମେ ଇମ୍ରାନ ହାସ୍ମୀଙ୍କ ସହ ‘ଦିଲ୍ ଦିୟା ହୈ’ ଜରିଆରେ ବଲିଉଡ୍ରେ ପାଦ ଥାପିଥିଲେ। ପ୍ରଥମ ଫିଲ୍ମରେ ବେଶ୍ ହଟ୍ ଅନ୍ଦାଜ୍ରେ ନଜର ଆସିଥିଲେ ଗୀତା। ‘ଦ ଟ୍ରେନ୍’ ଫିଲ୍ମରେ ଇମ୍ରାନ୍ଙ୍କ ସହ ତାଙ୍କର କିସିଂ ଓ ବୋଲ୍ଡ ସିନ୍ ବେଶ୍ ଚର୍ଚ୍ଚାରେ ରହିଥିଲା। ତେବେ ବଲିଉଡ୍ରେ ଏହି ଅଭିନେତ୍ରୀଙ୍କର ଜଲ୍ଓ୍ବା ବେଶିଦିନ ଚାଲିପାରିଲା ନାହିଁ । ୨୦୧୫ରେ ସେ କ୍ରିକେଟ ଖେଳାଳି ହରଭଜନ୍ ସିଂହଙ୍କୁ ବିବାହ କଲେ ଏବଂ ତାଙ୍କର ଝିଅଟିଏ ମଧ୍ୟ ଅଛି। ବିବାହ ପରେ ତାଙ୍କୁ ପଞ୍ଜାବୀ ଫିଲ୍ମରେ ଦେଖିବାକୁ ମିଳିଥିଲା। ତେବେ ଏହି ଅଭିନେତ୍ରୀ ଜଣକ ସୋସିଆଲ୍ ସାଇଟ୍ରେ ବେଶ୍ ସକ୍ରିୟ।
ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ କୋର୍ଟ ଦ୍ବାରା ନିଯୁକ୍ତ ମଧ୍ୟସ୍ଥତା କମିଟି ନିକଟରେ ୨୫ଜଣ ପକ୍ଷ ଓ ପ୍ରତିପକ୍ଷ ସେମାନଙ୍କ ଓକିଲମାନଙ୍କ ସହ ଆଜି ହାଜର ହୋଇଛନ୍ତି । ଫୈଜାବାଦ ପ୍ରଶାସନ ପକ୍ଷରୁ ଏମାନଙ୍କୁ ହାଜର ହେବାପାଇଁ ନୋଟିସ ଜାରି କରାଯାଇଥିଲା । ମଧ୍ୟସ୍ଥତା ଚାଲିଥିବା ଅବଧ ବିଶ୍ବବିଦ୍ୟାଳୟ ପରିସରକୁ ଏମାନଙ୍କ ବ୍ୟତୀତ ଅନ୍ୟ କାହାକୁ ଛଡାଯାଉନାହି ଁ । ବିଶ୍ବବିଦ୍ୟାଳୟ ପରିସରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଫୈଜାବାଦ ଜିଲ୍ଲା ମାଜିଷ୍ଟ୍ରେଟ ଅନୁଜ କୁମାର ଝା କହିଛନ୍ତି । ଏହି ତିନିଜଣିଆ କମିଟିରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ କଲିଫୁଲ୍ଲା, ବରିଷ୍ଠ ଆଇନଜୀବୀ ଶ୍ରୀରାମ ପଞ୍ଚୁ ଓ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଉପସ୍ଥିତ ଅଛନ୍ତି ।