Categories
ଆଜିର ଖବର ରାଜ୍ୟ ଖବର

କଡାକଡି ଟ୍ରାଫିକ୍‌ ନିୟମ : 24 ଘଣ୍ଟାରେ କୋଟିଏ ଜରିମାନା ଆଦାୟ

ଭୁବନେଶ୍ବର : ଗତକାଲିଠାରୁ ରାଜ୍ୟରେ ଟ୍ରାଫିକ୍‌ ବ୍ୟବସ୍ଥା କଡାକଡି କରାଯିବା ପରେ ମୋଟା ଅଙ୍କର ଜରିମାନା ଆଦାୟ ହୋଇଛି । 24 ଘଣ୍ଟା ମଧ୍ୟରେ କୋଟିଏ ଟଙ୍କାର ଜରିମାନା ହୋଇଛି ବୋଲି ସୂଚନା ମିଳିଛି । 6ମାସର କୋହଳ ଅବଧି ସମାପ୍ତ ପରେ ରାଜ୍ୟରେ ଟ୍ରାଫିକ୍‌ ନିୟମ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି କ୍ରମରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ମୋଟା ରକମ ଜରିମାନା ଆଦାୟ ହୋଇଛି । ବାଇ୍‌କରେ ତିନିଜଣ ବସିବା କାରଣରୁ 126 ଜଣଙ୍କଠୁ ଜରିମାନା ଆଦାୟ କରାଯାଇଥିବାବେଳେ ମୋବାଇଲରେ କଥା ହେବା କାରଣରୁ 48 ଜଣ, ବିପରୀତ ଦିଗରେ ଡ୍ରାଇଭିଂ ପାଇଁ 10 ଜଣ, ବିନା ହେଲମେଟ୍‌ରେ 1831ଜଣ ଓ ମଦ ପିଇ ଡ୍ରାଇଭିଂ କରି 24 ଜଣ ଧରାପଡିଛନ୍ତି । ସେହିପରି ବିନା ସିଟ୍‌ ବେଲ୍ଟରେ 349ଜଣ, ଦ୍ରୁତ ଡ୍ରାଇଭିଂ ପାଇଁ 277ଜଣଙ୍କୁ ଜରିମାନା ହୋଇଛି । 24 ଘଣ୍ଟା ଭିତରେ ମୋଟ 3870 ଖିଲାପକାରୀଙ୍କୁ ଜରିମାନା କରାଯାଇଛି । ଆରଟିଓ ଦ୍ବାରା 1758 ଲକ୍ଷ ଖିଲାପକାରୀଙ୍କଠାରୁ 88 ଲକ୍ଷର ଜରିମାନା ଆଦାୟ କରାଯାଇଛି । 2112 ଖିଲାପକାରୀଙ୍କଠାରୁ 18 ଲକ୍ଷ ଜରିମାନା ପୋଲିସ୍‌ ଆଦାୟ କରିଛି ।

ସେହିପରି ଆଜି ଭୁବନେଶ୍ବରର ଘରୋଇ ସ୍କୁଲର ଏକ ଭ୍ୟାନ୍‌କୁ ମଧ୍ୟ ମୋଟା ଜରିମାନା କରାଯାଇଛି । 37 ହଜାର 500ଟଙ୍କାର ଜରିମାନା ଆଦାୟ କରିଛନ୍ତି ଆରଟିଓ-2 । ନିୟମ ଉଲ୍ଲଂଘନ ଅଭିଯୋଗରେ ଇନ୍‌ଫୋସିଟି ଅଞ୍ଚଳରୁ ଜରିମାନା ଆଦାୟ କରାଯାଇଛି । ପଲ୍ୟୁସନ, ଡିଏ୍‌, ରେଜିଷ୍ଟ୍ରେସନ୍‌, ଫିଟନେସ୍‌, ପରମିଟ୍‌, ବୀମା ପାଇଁ ଏହି ଜରିମାନା ଆଦାୟ କରାଯାଇଛି ।