Categories
ବିଶେଷ ଖବର

ପର୍ଯ୍ୟଟନ ଡାଏରୀରେ ଦକ୍ଷିଣ କୋରିଆ : ଅନନ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ଇଞ୍ଚିଅନ୍‌ର ଏହି ୫ଟି ସ୍ଥାନ

ସମୀକ୍ଷା ବ୍ୟୁରୋ :

ପର୍ଯ୍ୟଟନ ଋତୁ ଉପସ୍ଥିତ। ଭ୍ରମଣ କରିବା ଲାଗି ଏହି ଋତୁ ସର୍ବୋତ୍କୃଷ୍ଟ। ଶୀତର ଧାରେ ଧାରେ ସ୍ପର୍ଶ ସହିତ ମନମତାଣିଆ ପାଗ ଭ୍ରମଣର ମଜାକୁ ଆହୁରି ମଜାଦାର କରିଥାଏ। ଆଉ ଏହିପରି ମଜାଦାର ପାଗ ସହିତ ଭ୍ରମଣର ଉପଭୋଗ କରିବାକୁ କିଏ ବା ନ ଚାହେଁ । ଭାରତ ହେଉ କି ଭାରତ ବାହାରେ ଅନେକ ସୁନ୍ଦର ପର୍ଯ୍ୟଟନ ସ୍ଥାନ ରହିଅଛି। ଏହି କ୍ରମରେ ଆଜି ଆମେ ପର୍ଯ୍ୟଟନ ଡାଏରୀରେ ନେଇ ଆସିଛୁ ଦକ୍ଷିଣ କୋରିଆର ଇଞ୍ଚିଅନ୍‌। 

ପର୍ଯ୍ୟଟନ ଋତୁରେ ଭ୍ରମଣ ପାଇଁ ରିପବ୍ଲିକ୍‌ ଅଫ୍‌ କୋରିଆ ବା ଦକ୍ଷିଣ କୋରିଆ ଏକ ପ୍ରକୃଷ୍ଟ ସ୍ଥାନ। ରାଜଧାନୀ ସିଓଲ୍‌ ପର୍ଯ୍ୟଟନ କ୍ଷେତ୍ରରେ ଏକ ସ୍ବତନ୍ତ୍ର ଛବି ସୃଷ୍ଟି କରିଥିବା ବେଳେ ଇଞ୍ଚିଅନ୍‌ରେ ମଧ୍ୟ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ରହିଛି । ଏହି ବିମାନବନ୍ଦର କାରଣରୁ ଅନେକ ସମୟରେ ପର୍ଯ୍ୟଟକ ଏହି ସହର ଭ୍ରମଣ କରିଥାନ୍ତି । ବିଶ୍ବ ପର୍ଯ୍ୟଟନ ରାଙ୍କିଙ୍ଗ ଅନୁଯାୟୀ ୨୦୧୭ରେ ଦକ୍ଷିଣ କୋରିଆକୁ ୧୩.୩ ମିଲିୟନ୍‌ ବିଦେଶୀ ପର୍ଯ୍ୟଟକ ଆସିଥିବା ବେଳେ୨୦୧୮ରେ ଏହା ୧୫.୩ ମିଲିୟନ୍‌କୁ ବୃଦ୍ଧି ପାଇଛି । ଯଦି ଆପଣ ଇଞ୍ଚିଅନ୍‌ ଭ୍ରମଣ କରନ୍ତି ତେବେ ଦର୍ଶନଯୋଗ୍ୟ୫ଟି ସ୍ଥାନ ନିଶ୍ଚୟ ଭ୍ରମଣ କରନ୍ତୁ।

ସୋଙ୍ଗଡୋ ଜାତୀୟ ଉଦ୍ୟାନ :


ସମୁଦ୍ର ଅବବାହିକାରେ ରହିଥିବା ଏହି ପାର୍କଟିର ୧.୮ କିମି ଅଞ୍ଚଳରେ ପରିବ୍ୟାପ୍ତ । ଏହି ପାର୍କରେ ଚାଲିବା ବ୍ୟବସ୍ଥା ରହିଥିବା ବେଳେ ବାଇ ସାଇକେଲ ଚାଳନା ମଧ୍ୟ କରିହେବ । ପାର୍କ ମଧ୍ୟରୁ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତର ଦୃଶ୍ୟ ଅତ୍ୟନ୍ତ ମନୋରମ ହୋଇଥିବା ବେଳେ ସମୁଦ୍ରର ଶାନ୍ତ ରୂପ ମଧ୍ୟ ଉପଭୋଗ୍ୟ ।
ପାର୍କ ମଧ୍ୟରେ ଏକ ହରିଣ ଉଦ୍ୟାନ ମଧ୍ୟ ରହିଛି । ଏହାସହିତ ଏହି ପାର୍କରେ ଏକ ନଦୀ ପ୍ରବାହିତ ହୁଏ ଯେଉଁଥିରେ କାନୋଇଙ୍ଗ, କାୟାକିଙ୍ଗ ପରି ଜଳକ୍ରୀଡାର ମଜା ନେଇପାରିବେ ।

ମୋରେନା ମାର୍କେଟ୍‌ :


ଇଞ୍ଚିଅନ୍‌ର କେନ୍ଦ୍ରରେ ଅବସ୍ଥାପିତ ଏହି ପୁରୁଣା ବଜାରଟି ମେ ୧୯୮୨ରେ ପ୍ରତିଷ୍ଠା କରାଯାଇଥିଲା । ଏହି ବଜାରଟି ବିଭିନ୍ନ ପାରମ୍ପରିକ ଦ୍ରବ୍ୟର ଶସ୍ତା ଏବଂ ସୁଲଭ ଦରରେ ବିକ୍ରୟ ପାଇଁ ପ୍ରସିଦ୍ଧି ହାସଲ କରିଛି । ମୁଖ୍ୟତଃ କୃଷିଜାତ ଏବଂ ମତ୍ସ୍ୟ ଶିଳ୍ପ ସହିତ ଏହି ବଜାର ସମ୍ପୃକ୍ତ ରହିଥିବା ବେଳେ ଧୀରେ ଧୀରେ ଅଲଗା ଜିନିଷର ପ୍ରସାର ହେବାରେ ଲାଗିଛି । ବର୍ତ୍ତମାନ ଏହି ବଜାରରେ କପଡା, ବାସନ ସହିତ ବିଭିନ୍ନ ଗୃହସଜ୍ଜା ଆସବାବପତ୍ର ମିଳୁଛି । ନିଜର ନିକଟତମ ଲୋକଙ୍କ ପାଇଁ ଉପହାର କିଣିବାକୁ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏହା ଏକ ପ୍ରକୃଷ୍ଟ ସ୍ଥାନ ।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ବାୟୋଲୋଜିକାଲ ରିସୋର୍ସେସ୍‌ :


ଏସିଆର ସର୍ବବୃହତ ଜୀବବିଜ୍ଞାନ କେନ୍ଦ୍ରର ମାନ୍ୟତା ପାଇଥିବା ଏହି ସଂସ୍ଥା କୌଣସି ସଂଗ୍ରହାଳୟରୁ କମ୍‌ ନୁହେଁ । ବିଜ୍ଞାନ ଉପରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ଏକ ପ୍ରକୃଷ୍ଟ ଭ୍ରମଣୀୟ ସ୍ଥାନ । ଅକ୍ଟୋବର ୨୦୧୯ ସୁଦ୍ଧା ଏହି ଜୀବବିଜ୍ଞାନ କେନ୍ଦ୍ରରେ ୬୦୦୦ପ୍ରଜାତିର ବିଲୁପ୍ତପ୍ରାୟ ପ୍ରାଣୀ ରହିଛନ୍ତି । ଏହି ବିଲୁପ୍ତପ୍ରାୟ ପ୍ରାଣୀ ତାଲିକାରେ ରୋଜ୍‌ ବିଟରଲିଙ୍ଗ, ହେୟାର, ଫ୍ରେସ୍ଥିଆ ଏବଂ ଶିଆଳ ପ୍ରଭୃତି ଅନ୍ତର୍ଭୁକ୍ତ ।

ଇଞ୍ଚିଅନ୍‌ ଗ୍ରାଣ୍ଡ ପାର୍କ :


ଇଞ୍ଚିଅନ୍‌ ଗ୍ରାଣ୍ଡ ପାର୍କଟି ସହରର ମଧ୍ୟଭାଗରେ ଅବସ୍ଥିତ ଥିବା ବେଳେ ଶିଶୁମାନଙ୍କ ଭ୍ରମଣ ପାଇଁ ପ୍ରକୃଷ୍ଟ ସ୍ଥାନ । ଏହି ଗ୍ରାଣ୍ଡ ପାର୍କରେ ଶିଶୁ ମାନଙ୍କ ପାଇଁ ଚିଡିଆଖାନା, ଏକ ପ୍ରାଣୀ ଉଦ୍ୟାନ, ଏକ ଗୋଲାପ ଉଦ୍ୟାନ ଏବଂ ଏକ ଚିଡିଆଖାନା ରହିଛି । ପ୍ରାଣୀ ଉଦ୍ୟାନରେ ରହିଥିବା ଏକ କୃତ୍ରିମ ଝରଣାର ଦୃଶ୍ୟ ଅତ୍ୟନ୍ତ ମନଲୋଭା । ଏହି ପାର୍କର ଆକାର ଅଧିକ ଥିବାରୁ ଏହି ପାର୍କରେ ବାଇକ୍‌ ଭଡାରେ ମିଳିଥାଏ ।

ଆରା ଓ୍ବାଟରଓ୍ବେ :


ଦକ୍ଷିଣ କୋରିଆର ବୃହତମ ନଦୀ ହାଙ୍ଗ ହାଙ୍ଗ ଏବଂ ୟେଲୋ ସମୁଦ୍ରକୁ ସଂଯୋଗ କରୁଥିବା ଆରା ମୁହାଣ ଇଞ୍ଚିଅନ୍‌ର ଅନ୍ୟତମ ଦର୍ଶନୀୟ ସ୍ଥାନ । ପ୍ରାକୃତ୍ରିକ ଭାବରେ ରହିଥିବା ଏହି ମୁହାଣଟିରେ ଏକ ୧୮.୨ କିମିର ପାଦଚଲା ଏବଂ ରାସ୍ତା ରହିଛି । ଏହି ରାସ୍ତାରେ ଚାଲିବା ସହିତ ସମୁଦ୍ରର ଦୃଶ୍ୟ ଉପଭୋଗ କରିବା ପାଇଁ ଏଠାରେ ପର୍ଯ୍ୟଟକଙ୍କ ଭିଡ ଲାଗି ରହିଥାଏ ।

ଇଞ୍ଚିଅନ୍‌ରେ ଭ୍ରମଣ ପାଇଁ ବିଭିନ୍ନ ମାଧ୍ୟମ ରହିଥିବା ବେଳେ ମେଟ୍ରୋରେ ଯାତ୍ରା କରିବା ପର୍ଯ୍ୟଟକଙ୍କ ପାଇଁ ସବୁଠାରୁ ସୁଗମ ରହିଥାଏ ।

Categories
ଆଜିର ଖବର

ମାଗଣା ଯାତ୍ରା ପ୍ରଦାନ କଲେ ଦେବାଳିଆ ହେବ ଦିଲ୍ଳୀ ମେଟ୍ରୋ : ଇ ଶ୍ରୀଧରନ୍‌

ଦିଲ୍ଲୀ ମେଟ୍ରୋର ପୂର୍ବତନ ମୁଖ୍ୟ ତଥା ଭାରତର ମେଟ୍ରୋମ୍ୟାନ୍ ଭାବରେ ପରିଚିତ ଇ ଶ୍ରୀଧରନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଳୀ ମେଟ୍ରୋର ମାଗଣା ଯାତ୍ରା ନେଇ ଏକ ଚିଠି ଲେଖିଛନ୍ତି। ଦିଲ୍ଲୀ ମେଟ୍ରୋରେ ମାଗଣା ଯାତ୍ରା ପ୍ରଦାନ କରାଗଲେ ଏହା ଦିଲ୍ଲୀ ମେଟ୍ରୋକୁ ଦେବାଳିଆ କରିଦେବ ବୋଲି ଶ୍ରୀଧରନ୍‌ ଚିଠିରେ ଉଲ୍ଲେଖ କରିଛନ୍ତି। ୨୦୦୨ରେ ମେଟ୍ରୋ ସେବା ଆରମ୍ଭ ହେବା ସମୟରେ ସମସ୍ତେ ଟିକଟ କିଣିବା ଆବଶ୍ୟକ ବୋଲି ନିୟମ ରହିଥିଲା। ଏପରିକି ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ଟିକଟ କରି ଯାଇଥିଲେ। ଏହି ନିୟମ ଲାଗୁ କରାଯିବା ଦ୍ବାରା ଡିଏମ୍‌ଆରସି ଉପରେ ଅତିରିକ୍ତ ୧୫୬୭ କୋଟିର ଆର୍ଥିକ ବୋଝ ପଡିବ ଯାହାକି ସଂସ୍ଥାକୁ ଦେବାଳିଆ କରିଦେବ। ତେଣୁ ଦିଲ୍ଲୀ ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ନିମନ୍ତେ ନିବେଦନ କରିଛନ୍ତି ଶ୍ରୀଧରନ୍‌।

Categories
ଆଜିର ଖବର

ମହିଳାଙ୍କୁ ମାଗଣା ଯାତ୍ରାର ସୁବିଧା ଦେଲେ କେଜରୀଓ୍ବାଲା, କଟାକ୍ଷ କଲେ ମନୋଜ

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମହିଳାମାନଙ୍କ ପାଇଁ ଏକ ବିଶେଷ ଘୋଷଣା କରି ଦେଇଛନ୍ତି। ଏବେ ରାଜଧାନୀରେ ମହିଳାମାନେ ସରକାରୀ ବସ୍‌, କ୍ଲଷ୍ଟର ବସ୍‌ ଓ ମେଟ୍ରୋ ଟ୍ରେନ୍‌ରେ ମାଗଣାରେ ଯାତ୍ରା କରିପାରିବେ। ସୋମବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏହି ଘୋଷଣା କରିଛନ୍ତି। ଏହି ନିୟମ ଆସନ୍ତା ୨-୩ ମାସ ମଧ୍ୟରେ ଲାଗୁ ହେବ ବୋଲି ସେ କହିଛନ୍ତି। ଏନେଇ ଡିଟିଏସ୍‌ ଓ ମେଟ୍ରୋ ଅଧିକାରୀଙ୍କୁ ଏକ ସପ୍ତାହ ମଧ୍ୟରେ ଏକ ପ୍ରପୋଜାଲ ତିଆରି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହାକୁ କିପରି କାର୍ଯ୍ୟକାରୀ କରାଯିବ ସେ ନେଇ ମଧ୍ୟ ସାଧାରଣ ଜନତାଙ୍କ ମତ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ। ସୂଚନାଯୋଗ୍ୟ, ଗତ ଲୋକ ସଭା ନିର୍ବାଚନରେ ୭ଟି ଯାକ ଆସନ ହରାଇବା ପରେ ଆମ ଆଦମୀ ପାର୍ଟି(ଏଏପି) ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଏପରି କରିଥିବା ଆଲୋଚନା ହେଉଛି। କେଜ୍‌ରୀଓ୍ବାଲାଙ୍କ ଏପରି ନିଷ୍ପତ୍ତି ପରେ ମନୋଜ ତିଓ୍ବାରୀ କେଜରୀଓ୍ବାଲଙ୍କୁ ଟାର୍ଗେଟ୍‌ କରିଛନ୍ତି। ମନୋଜ କହିଛନ୍ତି ଯେ, ନିର୍ବାଚନ ଆସୁଥିବାରୁ ଜନତାଙ୍କୁ ବିଭ୍ରାନ୍ତି କରିବା ପାଇଁ କେଜ୍‌ରୀଓ୍ବାଲ ଏପରି ଯୋଜନା ସବୁ କରୁଛନ୍ତି ବୋଲି କହିଛନ୍ତି।

Categories
ଆଜିର ଖବର

ଝାରସୁଗୁଡାରୁ  ସେବା ଆରମ୍ଭ କଲା ସ୍ପାଇସ୍ ଜେଟ୍

ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ପୁଣି ବିମାନସେବା ଆଜିଠାରୁ ଆରମ୍ଭ ହୋଇଛି। ଏହି ବିମାନ ବନ୍ଦରରୁ ତିନୋଟି ସହର ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦକୁ ବିମାନ ଉଡିବ। ଏହାକୁ ନେଇ ସମସ୍ତ ବ୍ୟବସ୍ଥା ଶେଷ ହୋଇଥିବା ବେଳେ ଘରୋଇ ସଂସ୍ଥା ସ୍ପାଇସ୍ ଜେଟ୍ ଏହି ସେବା ଆରମ୍ଭ କରିଛି। ସ୍ପାଇସ୍ ଜେଟ୍‌ର ପ୍ରଥମ ବିମାନ ରବିବାର ଅପରାହ୍ନ ୩ଟା୪୦ରେ ଦିଲ୍ଲୀକୁ ଉଡାଣ ଭରିଛି। ଏହି ବିମାନରେ ୧୮୯ଟି ସିଟ୍ ରହିଛି। ଦ୍ୱିତୀୟ ବିମାନ ଅପରାହ୍ନ ୪ଟା୧୦ରେ ଝାରସୁଗୁଡାରୁ ହାଇଦ୍ରାବାଦ୍ ଏବଂ ତୃତୀୟ ବିମାନ ରାତି ୮ଟା୪୦ରେ କୋଲକାତା ପାଇଁ ଉଡାଣ କରିବ। ହାଇଦ୍ରାବାଦ୍ ଓ କୋଲକାତାକୁ ଉଡାଣ କରିବାକୁ ଥିବା ସ୍ପାଇସ୍ ଜେଟ୍‌ର କ୍ୟୁ-୪୦୦ ମଡେଲର ଦୁଇଟି ବିମାନରେ ୭୮ଟି ଲେଖାଏଁ ସିଟ୍ ରହିଛି। ଗତବର୍ଷ ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡାରେ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରକୁ ଉଦଘାଟନ କରିଥିଲେ। ଝାରସୁଗୁଡା ବିମାନବନ୍ଦରକୁ କମର୍ସିଆଲ ବିମାନ ଚଳାଚଳ ପାଇଁ ପୂର୍ବରୁ ସୂଚନା ଦେଇଥିଲେ କେନ୍ଦ୍ର ସରକାର। ଦେଶର ୬ଟି ସହରରକୁ ଝାରସୁଗୁଡାରୁ ବିମାନ ଚଳାଚଳ କରିବ। ଉଡାନ- ୩ ଯୋଜନାରେ ଝାରସୁଗୁଡା ବିମାନ ଚାଲିବ।