Categories
ଆଜିର ଖବର ଜାତୀୟ ଖବର

ମସଲା ଚା’ ଓ କର୍ଣ୍ଣ ସିଙ୍ଗଡା ସହିତ ଗୁଜୁରାଟୀ ଅନ୍ଦାଜରେ ହେବ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଖାତିର୍‌ଦାରୀ

 

ଅହମଦାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ସ୍ତ୍ରୀ ମେଲାନିଆଙ୍କ ସହିତ ଦୁଇ ଦିବସୀୟ ଭାରତ ଯାତ୍ରା ପାଇଁ ବାହାରି ପଡିଲେଣି । ରାଷ୍ଟ୍ରପତି ଟ୍ରମ୍ପ୍‌ ଗୁଜୁରାଟର ଅହମଦାବାଦ୍‌ରେ ସିଧାସଳଖ ପହଞ୍ଚିବେ।  ଆଜି ଦିନ 11ଟା 40ରେ ଅହମଦାବାଦରେ ପହଞ୍ଚିବେ ରାଷ୍ଟ୍ରପତି ଟ୍ରମ୍ପ୍‌ । ଏହି ଅବସରରେ ତାଙ୍କ ଖାଇବା ପିଇବାର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ରାଷ୍ଟ୍ରପତି ଟ୍ରମ୍ପ୍‌ ଅହମଦାବାଦସ୍ଥିତ ସାବରମତୀ ଆଶ୍ରମ ମଧ୍ୟ ଯିବେ। ଏହି ଗସ୍ତ କାଳରେ ଆଶ୍ରମରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭୋଜନ ଗ୍ରହଣ କରିବେ। ଆମେରିକା ରାଷ୍ଟ୍ରପତିଙ୍କ ଭୋଜନ ପ୍ରସ୍ତୁତିର ଦାୟିତ୍ବ ଗ୍ରହଣ କରିଛନ୍ତି ସୈଫ୍‌ ସୁରେଶ୍‌ ଖନ୍ନା।

ସୁରେଶ ଖନ୍ନା ଫର୍ଚ୍ୟୁନ୍‌ ଲେଣ୍ଡ୍‌ମାର୍କ ହୋଟେଲ୍‌ ସୈଫ୍‌ ଅଟନ୍ତି । ସୁରେଶ କହିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, ତାଙ୍କ ପତ୍ନୀ ମିଲେନିଆ ଟ୍ରମ୍ପ୍‌ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ବିଶେଷ ଭୋଜନ ପ୍ରସ୍ତୁତି କରୁଛନ୍ତି। ତେବେ ଟ୍ରମ୍ପ୍‌ଙ୍କ ସ୍ବାଗତ ପାଇଁ ଖାଦ୍ୟରେ ରହିଛି ଗୁଜୁରାଟୀ ତଡ୍‌କା। ତାଙ୍କ ପାଇଁ ପ୍ରସ୍ତୁତ ଖାଦ୍ୟ ତାଲିକାରେ ରହିଛି ଫଚ୍ୟୁନ୍‌ ସିଗ୍‌ନେଚର୍‌ କୁକିଜ୍‌, ଗୁଜୁରାଟୀ ସ୍ପେଶାଲ୍‌ ଅଦାପକା ଚା’, ବ୍ରକୋଲି ଓ କର୍ଣ୍ଣ ସିଙ୍ଗଡା, ଡାଲିଚିନି ଏପଲ୍‌ ପାଇ ପ୍ରମୁଖ । ବିଗତ 17 ବର୍ଷ ଧରି ଗୁଜୁରାଟ ଗସ୍ତରେ ଆସୁଥିବା ଅତିଥିଙ୍କ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ସୈଫ୍‌ ସୁରେଶ୍‌ ଖନ୍ନା । ଆମେରିକା ରାଷ୍ଟ୍ରପତିଙ୍କ ଖାଦ୍ୟ ତାଲିକାରେ ସମ୍ପୂର୍ଣ୍ଣ ଶାକାହାରୀ ବ୍ୟଞ୍ଜନ ରହିଛି । ଏହାକୁ ଗୁଜୁରାଟୀ ଅନ୍ଦାଜ୍‌ରେ ପରସା ଯିବ ବୋଲି ସୂଚନା ରହିଛି। (ଏଜେନ୍ସି)