Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ମହାରାଷ୍ଟ୍ରରେ ସର୍ବାଧିକ କୋରୋନା ଆକ୍ରାନ୍ତ : ଉଦ୍ଧବଙ୍କୁ ଫୋନ୍‌ କଲେ ମୋଦି

ମୁମ୍ବାଇ : ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 107ରେ ପହଞ୍ଚିଥିବା ବେଳେ 2 ଜଣ ପ୍ରାଣ ହରାଇଛନ୍ତି । ମହାରାଷ୍ଟ୍ରରେ ଦେଶର ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହିତ ଫୋନ୍‌ରେ କଥା ହୋଇଛନ୍ତି । ଉଦ୍ଧବଙ୍କ ସହିତ କୋରୋନା ମୁକାବିଲା ନେଇ ଆଲୋଚନା କରିବା ପରେ ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେଙ୍କ ସହିତ ମଧ୍ୟ ମୋଦି ଆଲୋଚନା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଶନିବାର ଦିନ ମହାରାଷ୍ଟ୍ରରେ 12 ଜଣ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉଦ୍ଧବ ଠାକ୍‌ରେ

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ । ସହଯୋଗୀ ଦଳଙ୍କ ସହିତ ମତଭେଦ ପରେ ଶୁକ୍ରବାର ଉଦ୍ଧବ ନୂଆଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହି ବୈଠକ ପରେ ଉଦ୍ଧବ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ବରିଷ୍ଠ ବିଜେପି ନେତା ଏଲ୍‌ କେ ଆଡଭାନୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସହଯୋଗୀ ଏନ୍‌ସିପି ଏବଂ କଂଗ୍ରେସ ସହିତ ମତଭେଦ ଚାଲିଥିବା ବେଳେ ଉଦ୍ଧବ-ମୋଦି ବୈଠକକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଛି । ଏହାପରେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ଏହି ବୈଠକୁ ଏକ ସାଧାରଣ ବୈଠକ ବୋଲି ଅଭିହିତ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର

କେନ୍ଦ୍ରର ୪୦ ହଜାର କୋଟି ଟଙ୍କା ବଞ୍ଚାଇବା ପାଇଁ ୮୦ ଘଣ୍ଟାର ମୁଖ୍ୟମନ୍ତ୍ରୀ ହୋଇଥିଲେ ଦେବେନ୍ଦ୍ର :  ବିଜେପି ସାଂସଦ ଅନନ୍ତ ହେଗେଡ୍‌

ମହାରାଷ୍ଟ୍ର, ୨/୧୨: ମହାରାଷ୍ଟ୍ରରେ ଏବେ ଶିବସେନାର ପ୍ରମୁଖ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତେବେ ଚଳିତ ବିଧାନସଭା ନିର୍ବାଚନ ପରେ ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ଘଟଣାକ୍ରମ ବେଶ୍‌ ଉତ୍ସୁକତା ରହିଥିଲା । ଉଦ୍ଧବଙ୍କ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନଭୀସ୍‌ ୮୦ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ରାତିଅଧିଆ ମୁଖ୍ୟମନ୍ତ୍ରୀ ହେବା ଓ ଫ୍ଲୋର୍‌ ଟେଷ୍ଟ ପୂର୍ବରୁ ସମର୍ପଣ କରାଯିବାକୁ ନେଇ ରାଜନୈତିକ ମହଲରେ ବେଶ୍‌ ହଟଚମଟ ସୃଷ୍ଟି ହୋଇଥିଲା । ଦେବେନ୍ଦ୍ର ଫଡ୍‌ନଭୀସ୍‌ ମାତ୍ର ୮୦ ଘଣ୍ଟା ପାଇଁ କ’ଣ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେନେଇ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରୁଥିଲା ।  ତେବେ ଏହି ପ୍ରଶ୍ନର ସମାଧାନ କରିଛନ୍ତି ବିଜେପିର ଜଣେ ବରିଷ୍ଠ ନେତା ଅନନ୍ତ ହେଗେଡ୍‌ ।

ହେଗେଡ୍‌ ଏହି ଘଟଣାର ଖୁଲାସା କରି କହିଛନ୍ତି ଯେ, କେନ୍ଦ୍ରର ୪୦ ହଜାର କୋଟି ଟଙ୍କାର ପାଣ୍ଠିକୁ ବଞ୍ଚାଇବା ଲାଗି ଦେବେନ୍ଦ୍ର ଫଡ୍‌ନଭୀସ୍‌ ୮୦ ଘଣ୍ଟାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଗେଡ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପଇସା ଉପରେ ଶିବସେନା-ଏନ୍‌ସିପି- କଂଗ୍ରେସର ଖରାପ ନଜର ରହିଥିଲା । ୮୦ ଘଣ୍ଟାର ମୁଖ୍ୟମନ୍ତ୍ରୀ ହୋଇ ଦେବେନ୍ଦ୍ର ଏହି ପଇସାର ସଠିକ୍‌ ଉପଯୋଗ କରିଛନ୍ତି ।  ଦେବେନ୍ଦ୍ର ମୁଖ୍ୟମନ୍ତ୍ରୀ ଶପଥ ନେଇ ୧୫ ଘଣ୍ଟା ମଧ୍ୟରେ ସେହି ସମସ୍ତ ୪୦ ହଜାର କୋଟି ଟଙ୍କାକୁ କେନ୍ଦ୍ର ସରକାରକୁ ଫେରାଇ ଦେଇଛନ୍ତି ।  ହେଗ୍‌ଡେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିକଟରେ କେନ୍ଦ୍ରର ୪୦ ହଜାର କୋଟି ଟଙ୍କା ଥିଲା। ଯଦି କଂଗ୍ରେସ, ଏନସିପି ଏବଂ ଶିବସେନା କ୍ଷମତାକୁ ଆସିଥାନ୍ତେ, ତେବେ ସେମାନେ ୪୦ ହଜାର କୋଟି ଟଙ୍କାର ଦୁରୁପୋଯୋଗ କରିଥାନ୍ତେ। ଏହି କାରଣରୁ କେନ୍ଦ୍ର ସରକାର ଉକ୍ତ ଅର୍ଥକୁ କିପରି ବିକାଶ କାର୍ଯ୍ୟରେ ବ୍ୟବହାର କରିପାରିବେ ସେଥିଲାଗି ଏପରି ନାଟକ କରାଗଲା। ବିଜେପି ଏହି ଯୋଜନା ବହୁ ଆଗରୁ କରିଥିଲା। ସେଥିପାଇଁ ଏପରି ନାଟକ କରିବାକୁ ଯୋଜନା କରାଯାଇଥିଲା। ଫଡନଭୀସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ। ଏହାର ୧୫ ଘଣ୍ଟା ମଧ୍ୟରେ ସେ ୪୦ ହଜାର କୋଟି ଟଙ୍କାକୁ ସେହି ସ୍ଥାନରେ ପହଞ୍ଚାଇଦେଲେ ଯେଉଁଠାରୁ​‌ ତାହା ଆସିଥିଲା। ଏଭଳି ଭାବେ ଫଡନଭୀସ ସମସ୍ତ ଟଙ୍କା କେନ୍ଦ୍ର ଫେରାଇ ତାହାକୁ ରକ୍ଷା କଲେ ବୋଲି ହେଗ୍‌ଡେ କହିଛନ୍ତି।

ସୂଚନାଯୋଗ୍ୟ,  ଚଳିତ ମହାରାଷ୍ଟ୍ର ବିଧାନସଭାରେ ଶିବସେନା-ବିଜେପି ମିଳିତ ଭାବରେ ନିର୍ବାଚନକୁ ଓହ୍ଲାଇ ଜନାଦେଶ ପାଇଥିବାବେଳେ ଆସନ ଭାଗବଣ୍ଟାକୁ ନେଇ ଦୁଇ ଦଳଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏବଂ ପରିଶେଷରେ ମହାରାଷ୍ଟ୍ରରେ ଶିବସେନା-ଏନ୍‌ସିପି – କଂଗ୍ରେସ ମିଳିତ ଭାବରେ ମେଣ୍ଟ ସରକାର ଗଠନ କରିଛନ୍ତି । (ଏଜେନ୍ସି)

Categories
ବିଶେଷ ଖବର

ରାଜା ତିଆରି କରୁଥିବା ଠାକ୍‌ରେ ପରିବାର ହାତରେ ରାଜା ହେବାର ବାଧ୍ୟବାଧକତା

ସମୀକ୍ଷା ବ୍ୟୁରୋ

ମହାରାଷ୍ଟ୍ର ରାଜନୀତିକୁ ନେଇ ଚାଲିଥିବା ରାଜନୈତିକ ନାଟକରେ ପରିଶେଷରେ ଯବନିକା ପଡିଛି। ବହୁ ନାଟକ ପରେ ସେନା-ଏନସିପି-କଂଗ୍ରେସ  ମେଣ୍ଟ ସରକାର କରିବାକୁ ଯାଉଛି।ମହାରାଷ୍ଟ୍ର ରାଜନୀତିରେ ଠାକ୍‌ରେ ପରିବାର ନିଜର ଏକ ସ୍ବତନ୍ତ୍ର ପରିଚୟ ରଖିଆସିଛନ୍ତି। କ୍ଷମତା କେନ୍ଦ୍ର ପାଖରେ ରହି ମଧ୍ୟ ଏହି ପରିବାର କ୍ଷମତାଠାରୁ ଦୂରତ୍ବ ରଖିଆସୁଥିଲେ। ପ୍ରଥମଥର ପାଇଁ ଠାକ୍‌ରେ ପରିବାରର ସଦସ୍ୟ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇ ବାଜିମାତ୍‌ କରିଛନ୍ତି। ତେବେ ନିୟନ୍ତ୍ରଣ ରାଜନୀତିରେ ସର୍ବଦା ସକ୍ରିୟ ରହିଥିବା ଠାକ୍‌ରେ ପରିବାର ସବୁବେଳେ ମହାରାଷ୍ଟ୍ର ରାଜନୀତି ପାଇଁ କିଙ୍ଗ୍‌ମେକରର ଭୂମିକା ନିର୍ବାହ କରିଛନ୍ତି। ତେବେ ପ୍ରଥମଥର  କିଙ୍ଗ୍‌ମେକରରୁ କିଙ୍ଗ୍‌ ହୋଇଛନ୍ତି ଠାକ୍‌ରେ। ବିଜେପି ସହିତ ସମସ୍ତ ସମ୍ପର୍କ ଶେଷ କରିବା ପରେ ଶିବସେନା କଂଗ୍ରେସ, ଏନ୍‌ସିପିଙ୍କ ସହ ମିଶି ରାଜ୍ୟରେ ସରକାର ଗଠନ କରିଛି। ଶରଦ ପାଓ୍ବାରଙ୍କ ପରି ଅଭିଜ୍ଞ  ନେତାଙ୍କ ସହ ମିଶି ସରକାର ଗଠନ କରିଛନ୍ତି। ଉଦ୍ଧବ ଠାକ୍‌ରେ କୌଣସି ନିର୍ବାଚନ ନ ଲଢି ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିବାକୁ ଯାଉଛନ୍ତି। ତେବେ ରାଜନୀତିରେ ଏହା ପ୍ରଥମଥର ନୁହେଁ, ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିହାରର ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ପୂର୍ବରୁ କୌଣସି ନିର୍ବାଚନ ନ ଲଢି ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ସମ୍ବିଧାନର ନିୟମ ଅନୁଯାୟୀ ଜଣେ ଗୃହର ସଦସ୍ୟ ନଥାଇ ଜଣେ ମୁଖ୍ୟମନ୍ତ୍ରୀ/ମନ୍ତ୍ରୀ ବା ପ୍ରଧାନମନ୍ତ୍ରୀ ପଦର ଶପଥ  ନେଇପାରିବେ, କିନ୍ତୁ ଶପଥ ଗ୍ରହଣର ୬ ମାସ ଭିତରେ ତାଙ୍କୁ ନିର୍ବାଚନ ଜିତିବାକୁ ପଡିବ।

ଉଦ୍ଧବ ଠାକ୍‌ରେଙ୍କ ରାଜନୈତିକ ଯାତ୍ରା :

୧୯୬୬ରେ ପିତାଙ୍କ ପଦାଙ୍କ ଅନୁସରଣ କରି ରାଜନୀତିରେ ପାଦ ରଖିଥିଲେ ଉଦ୍ଧବ ଠାକ୍‌ରେ। ପିତା ବାଲାସାହେବ ରାଜନୀତିରେ ସକ୍ରିୟ ଥିବାବେଳେ ଉଦ୍ଧବ ରାଜନୈତିକ ପରିଦୃଶ୍ୟରୁ ପାଖାପାଖି ଦୂରତ୍ବ ରଖିଆସିଥିଲେ। ତେବେ ବାଲାସାହେବ ପରିଣତ ବୟସରେ ପହଞ୍ଚିବା ପରେ ଶିବସେନାର ନେତୃତ୍ଵ ଓ  ‘ସାମ୍ନା’ ପତ୍ରିକାର ଦାୟିତ୍ବ ଉଦ୍ଧବଙ୍କ ହାତକୁ ଆସିଥିଲା।  ୨୦୦୦ ମସିହାରୁ ଉଦ୍ଧବ ରାଜନୀତି ସହିତ ପ୍ରତ୍ୟକ୍ଷ ରୂପେ ସଂଶ୍ଲିଷ୍ଟ ରହି ଆସିଛନ୍ତି।

୨୦୦୨ ମସିହାରେ ବିଏମ୍‌ସି ନିର୍ବାଚନରେ ଶିବସେନାକୁ ଅପୂର୍ବ ସଫଳତା ମିଳିଥିଲା। ଏହାର ସମସ୍ତ ଶ୍ରେୟ ଉଦ୍ଧବ ଠାକ୍‌ରେଙ୍କୁ ମିଳିଥିଲା। ଏହାପରେ ବାଲା ଠାକ୍‌ରେ ନିଜ ରାଜନୈତିକ ଉତ୍ତରାଧିକାର ଉଦ୍ଧବ ଠାକ୍‌ରେଙ୍କୁ ହସ୍ତାନ୍ତର କରିଥିଲେ। ୨୦୦୩ରେ ଶିବସେନାର କାର୍ଯ୍ୟକାରୀ ଅଧ୍ୟକ୍ଷ ରୂପେ ନିଯୁକ୍ତି ହୋଇଥିଲେ ଉଦ୍ଧବ ଠାକ୍‌ର। କମ୍‌ କଥା କହୁଥିବା ଉଦ୍ଧବ ଠାକ୍‌ରେଙ୍କୁ ଯେତେବେଳେ ଶିବସେନାର ଉତ୍ତରାଧିକାରୀ ରୂପରେ ଚୟନ କରାଯାଇଥିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା, କାରଣ ଦଳ ଓ ଦଳ ବାହାରର ପ୍ରତ୍ୟେକ କର୍ମୀ ବାଲାସାହେବଙ୍କ ପୁତୁରା  ରାଜ୍‌ ଠାକ୍‌ରେଙ୍କୁ ଶିବସେନାର ଉତ୍ତରାଧିକାରୀ ରୂପେ ମାନିଆସୁଥିଲେ। ବାଲ ଠାକ୍‌ରେ ତାଙ୍କ ପୁତ୍ର ଉଦ୍ଧବଙ୍କୁ ଉତ୍ତରାଧିକାରୀ ରୂପେ ଚୟନ କରିବା ପରେ ରାଜ ଠାକ୍‌ରେ ୨୦୦୬ରେ ଦଳ ଛାଡ଼ି ଏକ ନୂତନ ଦଳ  ‘ମହାରାଷ୍ଟ୍ର ନବନିର୍ମାଣ ସେନା’ର ଗଠନ କରିଥିଲେ।

୨୦୧୪ ନିର୍ବାଚନରେ  ନରେନ୍ଦ୍ର ମୋଦି କେନ୍ଦ୍ରରେ କ୍ଷମତାସୀନ ହେବା ପରେ ପ୍ରଥମେ ଶିବସେନା ଏନ୍‌ଡିଏରେ ବଡ଼ଭାଇର ଭୂମିକା ନିର୍ବାହ କରିଥିଲା। କିନ୍ତୁ ଏହା ପରେ ବିଜେପି ବଡ଼ଭାଇ ଭୂମିକାରେ ଉଭା ହେଲା। ୨୦୧୪ ବିଧାନସଭା ନିର୍ବାଚନରେ ମେଣ୍ଟର ଜିତ୍‌ ପରେ ଶିବସେନା ମୁଖ୍ୟମନ୍ତ୍ରୀ ହୋଇପାରିନଥିଲା। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନ ବିଜେପି ଏକାସାଙ୍ଗେ ମିଶି ନିର୍ବାଚନ ଲଢି ବିଜୟୀ ହୋଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ଦଳଙ୍କ ବିବାଦ ଦେଖାଦେବାରୁ ବିଜୟୀ ମେଣ୍ଟ ସରକାର ଗଠନ କରିବାରେ ଅସଫଳ ହେଲା। ଏବଂ ଶିବସେନା, କଂଗ୍ରେସ ଓ ଏନ୍‌ସିପି ସହ ମିଶି ଏକ ମେଣ୍ଟ ସରକାର କରି ସରକାର ଗଠନରେ ସଫଳ ହେଲା।

ତେବେ ଉଦ୍ଧବଙ୍କ ପାଇଁ ଏହି ଯାତ୍ରା ସହଜ ହୋଇନପାରେ। ଶିବସେନାର ହିନ୍ଦୁତ୍ଵ ଆଦର୍ଶ ବିରୋଧୀ ଦୁଇ ଦଳଙ୍କ ସହ ବୁଝାମଣା କରି ସରକାର ଚଳାଇବା ତାଙ୍କ ପାଖେ ଏକ ଚ୍ୟାଲେଞ୍ଜ ହୋଇପଡିଛି। ଏନ୍‌ସିପିର ଅଭିଜ୍ଞ ନେତା ଶରଦ ପାୱାର ଓ କଂଗ୍ରେସର ଅନୁଭବୀ ଓ ବରିଷ୍ଠ ନେତାଙ୍କ ସହ ମେଣ୍ଟ ସରକାର ଚଳାଇବା ଠାକରେଙ୍କ ପାଇଁ କେତେ ସହଜ ହେବ, ତାହା ଆଗାମୀ ସମୟରେ ଜଣାପଡିବ। ପୁଣି ମିତ୍ରରୁ ଶତ୍ରୁ ପାଲଟିଥିବା ବିଜେପି ଶକ୍ତ ବିରୋଧୀ ରୂପେ ଶିବସେନା ଆଗରେ ଉଭା ହୋଇଛି। ମହାରାଷ୍ଟ୍ରବାସୀଙ୍କୁ ଏକ ସ୍ଥାୟୀ ସ୍ଥିର ସରକାର ଦେବାରେ ଠାକ୍‌ରେ କେତେ ଦୂର ସଫଳ ହେଉଛନ୍ତି, ତାହା ଆଗାମୀ ସମୟ କହିବ।