ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ଉତ୍ତର ପୂର୍ବଞ୍ଚଳ ରାଜ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ ଲ୍ୟାଣ୍ଡ କଷ୍ଟମ୍ସ କେନ୍ଦ୍ର ଓ ଏଥିରେ ଥିବା ଇଲେକ୍ଟ୍ରୋନିକ ଡାଟା ଇଣ୍ଟରଚେନ (ଇଡିଆଇ) ବ୍ୟବସ୍ଥାକୁ ଉଦ୍ଘାଟନ କରିବେ। ଆଭାସୀ ବ୍ୟବସ୍ଥାରେ ଏହି ଉଦ୍ଘାଟନ କାର୍ଯ୍ୟ ସମାପନ ହେବ। ଏହା ଫଳରେ ଉତ୍ତର ପୂର୍ବାଞ୍ଚଳରେ ବ୍ୟାବସାୟିକ ସୁଗମତା ବଢିବା ସହିତ ଆଞ୍ଚଳିକ ବାଣିଜ୍ୟ କାରବାର ସୁବିଧା ବୃଦ୍ଧି ପାଇବ।
ଏହି କାର୍ଯ୍ୟକ୍ରମ ପରେ କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ଏକ ଉତ୍ସବର ଆୟୋଜନ କରିବ। ଏଥିରେ ସୀମା ଶୁଳ୍କ ବିଭାଗ ଦ୍ୱାରା ଜବତ ହୋଇଥିବା ମୂଲ୍ୟବାନ କଳାକୃତିଗୁଡିକୁ ଭାରତୀୟ ପ୍ରତ୍ନତାତ୍ତିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)କୁ ହସ୍ତାନ୍ତର କରାଯିବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମ ମଧ୍ୟ ଆଭାସୀ ବ୍ୟବସ୍ଥାରେ ଅନୁଷ୍ଠିତ ହେବ।
କେନ୍ଦ୍ରୀୟ ସୀମା ଶୁଳ୍କ ବିଭାଗ ଦେଶର ବିଭିନ୍ନ ଅଞ୍ଚଳରୁ ଚୋରି ହୋଇଯାଇଥିବା ଅନେକ ପ୍ରାଚୀନ କଳାକୃତିକୁ ଜବତ କରିଛି। ସେଥିମଧ୍ୟରୁ ୧୦୧ଟି ପ୍ରାଚୀନ କଳାକୃତ୍ତିକୁ ଏସଏସ୍ଆଇର ସାତୋଟି ଆଞ୍ଚଳିକ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯିବ। ଏହି ଆଞ୍ଚଳିକ କାର୍ଯ୍ୟାଳୟଗୁଡିକ ହେଲା, ଭୁବନେଶ୍ୱର, ଭୋପାଳ, ବେଙ୍ଗାଲୁରୁ, ଗୁଆହାଟୀ, ପୁଣେ, ମୁମ୍ବାଇ ଓ ଦିଲ୍ଲୀ।