Categories
ବିଶେଷ ଖବର ରାଜ୍ୟ ଖବର

ଦୟା ୱେଷ୍ଟ କେନାଲର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରି ଯୋଜନା ଗୁଡିକୁ ତ୍ୱରାନ୍ୱିତ କରି ସହର ଗୁଡିକରେ ଲୋକଙ୍କ ପାଇଁ ଆଧୁନିକ ସୁବିଧାର ବିକାଶ ପାଇଁ ପରାମର୍ଶ ଦେଇଛନ୍ତି। ବିଭିନ୍ନ ଯୋଜନା ଗୁଡିକର ସୁବିଧା ପାଉଥିବା ହିତାଧିକାରୀ ଚୟନ କ୍ଷେତ୍ରରେ ତଥା କର୍ମସଂସ୍ଥାନ ପ୍ରଦାନ କ୍ଷେତ୍ରରେ ଓଡିଶାର ଯୋଗ୍ୟ ବ୍ୟକ୍ତିମାନଙ୍କୁ ପ୍ରାଥମିକତା ଦେବାକୁ ସେ ପରାମର୍ଶ ଦେଇଛନ୍ତି।

ସହର ଗୁଡିକର ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ଉପରେ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହା ଦ୍ୱାରା ସହରର ଗରିବ ଲୋକଙ୍କ ପାଇଁ ଭିତ୍ତିଭୂମି ଓ ଆନୁସଙ୍ଗିକ ସୁବିଧାର ବିକାଶ କରାଯାଇ ପାରିବ। ସେମାନେ ସୁବିଧାରେ ରହି ସହରରେ ସେବା ଯୋଗାଇ ଦେବା ସହ ଜୀବିକ ଅର୍ଜନ ମଧ୍ୟ କରିପାରିବେ।

ସେହିପରି ଭୁବନେଶ୍ୱରର ଦୟା ୱେଷ୍ଟ କେନାଲର ସମସ୍ୟା ସମ୍ପର୍କରେ ବୌଠକରେ ଆଲୋଚନା କରାଯାଇଥିଲା। ୩୪ କି.ମି ଦୀର୍ଘ ଏହି କେନାଲର ୧୬ କି.ମି.ରୁ ଅଧିକ ଅଂଶ ଭୁବନେଶ୍ୱର ସହର ଭତରେ ରହିଛି। ଏହାର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଏକ ଉନ୍ନତ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱର ଓ ତା’ର ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ କରିବା ବର୍ତ୍ତମାନ ସମୟର ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସ୍ୱଚ୍ଛତା କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ସବୁ ସହରରେ ବାୟୋ-ମାଇନିଂ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉ। ସ୍ୱଚ୍ଛତା କ୍ଷେତ୍ରରେ ଭୁବନେଶ୍ୱର ଯେପରି ଦେଶର ଏକ ମଡେଲ୍ ସହର ହୋଇପାରିବ ସେଥିପାଇଁ ଉପଯୁକ୍ତ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ବିଭାଗ ପକ୍ଷରୁ ୧୦୦ ଦିନର ଆକ୍ସନ ପ୍ଲାନ ସମ୍ପର୍କରେ ତଥ୍ୟ ଉପସ୍ଥାପନା କରାଯାଇଥିଲା। ଏହା ସହିତ ମେଟ୍ରୋ ରେଲ୍ ପ୍ରକଳ୍ପର ଅଗ୍ରଗତି, ଜାଗା ମିଶନ, CRUT ପରିବହନ ବ୍ୟବସ୍ଥା, ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟକରଣ ଉପରେ ବୈଠକରେ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ବିଭାଗୀୟ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ଶ୍ରୀ ମନେଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ, CRUTର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅରୁଣ ବୋଥ୍ରା ଏବଂ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ନଗର ଉନ୍ନୟନ ବିଭାଗରେ ଯୋଗଦେଲେ ନୂଆ ପିଡି ଓ ଇଓ, ବିଭାଗୀୟ ସଚିବ ଦେଲେ ପରାମର୍ଶ

ଭୁବନେଶ୍ଵର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି ମାଥିଭାଥନନ ଆଜି ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା (ଡୁଡା)ର ନବ ନିଯୁକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ)ଙ୍କୁ ଏକ ସମାବେଶୀ ଓ ସଶକ୍ତ ସ୍ୱପ୍ନ ସାକାର କରିବା ପାଇଁ ପରାମର୍ଶ ଦେଇଛନ୍ତି।

ଓଡ଼ିଶା ଅର୍ବାନ ଏକାଡେମୀରେ ନବନିଯୁକ୍ତ ପିଡି, ଓଇଓଙ୍କ ଦୁଇଦିନିଆ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମାଥିଭାଥନନ ଏହା କହିଛନ୍ତି। ଅଧିକାରୀମାନଙ୍କୁ ସ୍ୱାଗତ କରି ଶ୍ରୀ ମାଥିଭାଥାନନ କହିଲେ, “ଆପଣଙ୍କ ଯାତ୍ରା ଆରମ୍ଭ ହୋଇଛି, କଠିନ ପରିଶ୍ରମ କରନ୍ତୁ, ପ୍ରତିଶ୍ରୁତିବଦ୍ଧ ରୁହନ୍ତୁ। ଆପଣମାନେ ସମସ୍ତେ ଏବେ ଆମର ସାମୂହିକ ସ୍ୱପ୍ନକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି । ମୁଁ ତୁମ ଠାରୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଆଶା କରୁଛି।

ଗଣତାନ୍ତ୍ରିକ ବ୍ୟବସ୍ଥାର କେନ୍ଦ୍ରରେ ଜନତା ଅଛନ୍ତି ବୋଲି କହି ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇ କହିଥିଲେ, ଆପଣମାନଙ୍କର ପ୍ରତ୍ୟେକ ଚିନ୍ତାଧାରା ଓ ପ୍ରତ୍ୟେକ କାର୍ଯ୍ୟ ଓଡ଼ିଶାବାସୀଙ୍କ ଉନ୍ନତି ଓ କଲ୍ୟାଣ ଦିଗରେ ଉଦ୍ଦିଷ୍ଟ ହେବା ଦରକାର। ଆପଣମାନେ କେବଳ ସରକାରୀ କର୍ମଚାରୀ ନୁହଁନ୍ତି, ଆପଣ ଏକ ନୂତନ ଓଡ଼ିଶା, ଏକ ସଶକ୍ତ ଓଡ଼ିଶା ପାଇଁ ପରିବର୍ତ୍ତନର ଏଜେଣ୍ଟ। ଆପଣମାନେ ହିଁ ଆମ ଓଡ଼ିଶା ର ସ୍ୱପ୍ନର ପ୍ରକୃତ ସ୍ଥାପକ ହେବେ ବୋଲି ପ୍ରମୁଖ ଶାସନ ସଚିବ ଯୋଗଦେଇଥିବା ବ୍ୟକ୍ତିବିଶେଷଙ୍କୁ କହିଥିଲେ।

୫-ଟି ନୀତି ଏବଂ ମୋ ସରକାର ବିଷୟରେ ଆଲୋଚନା କରି ସେ କହିଲେ ଯେ ଏହା ଜନସାଧାରଣ ଏବଂ ସରକାରଙ୍କ ମଧ୍ୟରେ ବ୍ୟବଧାନ ହ୍ରାସ କରିବା, ଦକ୍ଷତା ରେ ଉନ୍ନତି ଆଣିବା ଏବଂ ବ୍ୟବସ୍ଥାରେ ସ୍ୱଚ୍ଛତା ବୃଦ୍ଧି କରିବାରେ ସଫଳ ହୋଇଛି। ଏବେ ୫ଟି ନୀତି ଆଧାର ରୂପାନ୍ତରଣ ଓଡ଼ିଶା ପାଇଁ ଲଞ୍ଚପ୍ୟାଡ୍ ପାଲଟିଛି ଏବଂ ନବନିଯୁକ୍ତ ଅଧିକାରୀମାନେ ଏହି ମେଗା ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ ହେବାର ସୁଯୋଗ ପାଇଛନ୍ତି। ନିଷ୍ଠା ଓ କଠିନ ପରିଶ୍ରମ ଦ୍ୱାରା ପରିବର୍ତ୍ତିତ ଓଡ଼ିଶାର ସ୍ୱପ୍ନ ସାକାର ହେବ ବୋଲି ସେ କହିଥିଲେ।

ଶ୍ରୀ ମାଥିଭାଥନନ ଆହୁରି କହିଛନ୍ତି, ଓଡ଼ିଶାର ସେବା କରିବାର ସୁଯୋଗ ମିଳିବା ନିଶ୍ଚିତ ଭାବେ ଏକ ବଡ଼ ସୌଭାଗ୍ୟ। ନୂଆ ଅଫିସରମାନେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ସହ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ପୂରଣ ପାଇଁ କାମ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଏହି ଦୁଇଦିନିଆ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଆଜି ଉଦଘାଟିତ ହୋଇଥିଲା।

ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ, ଏସଓପି, ମାର୍ଗଦର୍ଶିକା ଏବଂ ପରାମର୍ଶ ଉପରେ ନୂତନ ଭାବେ ଯୋଗ ଦେଇଥିବା ଅଧିକାରୀମାନଙ୍କୁ ଆକୃଷ୍ଟ କରି ସେମାନଙ୍କ ଦକ୍ଷତା ବୃଦ୍ଧି କରି ପୌରାସଂସ୍ଥା ଗୁଡ଼ିକର ପରିଚାଳନାକୁ ସୁଦୃଢ଼ କରିବା ଏବଂ ସେମାନଙ୍କୁ ପ୍ରମୁଖ ସହରାଞ୍ଚଳ ଏଜେଣ୍ଡାକୁ କାର୍ଯ୍ୟକାରୀ କରିବାରେ ସକ୍ଷମ କରିବା।

ବିଭାଗର ବରିଷ୍ଠ ଅଧିକାରୀମାନେ ପ୍ରମୁଖ ସହରାଞ୍ଚଳ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଥିଲେ। ବିକେନ୍ଦ୍ରୀକୃତ କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା, ଜାଗା ମିଶନ, ମୁକ୍ତା, ଆମ ପୋଖରୀ ଜଳଭଣ୍ଡାର ପୁନରୁଦ୍ଧାର ଆଦି ପ୍ରମୁଖ କାର୍ଯ୍ୟକ୍ରମ ଉପରେ ଅଧିକାରୀମାନଙ୍କୁ ଗୁରୁତ୍ୱ ଦିଆଯାଇଥିଲା ଏବଂ ଅନ୍ୟାନ୍ୟ ମନିଟରିଂ ହସ୍ତକ୍ଷେପ ଯଥା ସୁଜୋଗ, ମୋ ସାହାରା ସରକାର ଇତ୍ୟାଦି ଉପରେ ଅଧିକାରୀମାନେ ଧ୍ୟାନ ଦେଇଥିଲେ।

୩୦ଟି ପୌରସଂସ୍ଥାର ଇଓ, ୧୦ ଜଣ ପିଡି ଏଥିରେ ଯୋଗ ଦେଇଥିଲେ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ନବନିଯୁକ୍ତ ପିଡି ଓ ଇଓମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ। ଓରିଏଣ୍ଟେସନ୍ ବ୍ୟତୀତ ଅଂଶଗ୍ରହଣକାରୀମାନେ କ୍ଷେତ୍ର ପରିଦର୍ଶନରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସମ୍ପର୍କରେ ଅନୁଧ୍ୟାନ କରିବା ସହ ଅନୁଧ୍ୟାନ କରିବେ।

Categories
ଜାତୀୟ ଖବର ବିଶେଷ ଖବର

ଏଣିକି ସହର ବିକାଶରେ ସହଯୋଗ କରିବ ଜାପାନ, ମିଳିବ ଶସ୍ତା ଘର; କ୍ୟାବିନେଟ ଦେଲା ମଞ୍ଜୁରି

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଦୀର୍ଘସ୍ଥାୟୀ ସହରୀ ବିକାଶ ନିମନ୍ତେ ଭାରତ ସରକାରଙ୍କ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏବଂ ଜାପାନର ମିନିଷ୍ଟ୍ରି ଅଫ ଲ୍ୟାଣ୍ଡ, ଇନଫ୍ରାଷ୍ଟ୍ରକ୍ଚର, ଟ୍ରାନ୍ସପୋର୍ଟ ଆଣ୍ଡ ଟୁରିଜିମ ମନ୍ତ୍ରଣାଳୟ ମଧ୍ୟରେ ସହଯୋଗ ବୁଝାମଣାରେ ସ୍ବାକ୍ଷର କରାଯିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହା ସହରୀ ବିକାଶ କ୍ଷେତ୍ରରେ ୨୦୦୭ ଠାରୁ କାର୍ଯ୍ୟକାରୀ ହେଉଥିବା ଏମଓୟୁ ସ୍ଥାନରେ କାର‌୍ୟ୍ୟକାରୀ ହେବ।

କାର୍ଯ୍ୟକାରିତା ରଣନୀତି

ଏହି ଏମଓସିର ପରିଧିରେ ସହଯୋଗ ସଂକ୍ରାନ୍ତ କାଯ୍ୟକ୍ରମକୁ କାଯ୍ୟକାରୀ କରିବା ଏବଂ ରଣନୀତି ପ୍ରସ୍ତୁତ କରିବା ଲାଗି ଏକ ଯୁଗ୍ମ କାର୍ଯ୍ୟ ଦଳ ଗଠନ କରାଯିବ। ଏହି ଯୁଗ୍ମ କାର୍ଯ୍ୟ ଦଳର ବୈଠକ ବର୍ଷକୁ ଗୋଟିଏ ଥର ଆୟୋଜନ କରାଯିବ ଏବଂ ଥର ଥର କରି ଜାପାନ ଓ ଭାରତରେ ଆୟୋଜିତ ହେବ।

ସ୍ବାକ୍ଷରିତ ହେବା ଦିନ ଠାରୁ ଏହି ଏମଓସି କାର‌୍ୟ୍ୟକାରୀ ହେବ ଏବଂ ଏହାର ଅବଧି ପରବର୍ତ୍ତୀ ୫ ବର୍ଷ ପର‌୍ୟ୍ୟନ୍ତ ରହିବ। ଏହାପରେ ପାଞ୍ଚ ବର୍ଷର ଅବଧି ପୂରଣ ହେବା ପରେ ଏହାର ନବୀକରଣ ଆହୁରି ପାଞ୍ଚ ବର୍ଷ ପର‌୍ୟ୍ୟନ୍ତ ଆପେ ଆପେ ହୋଇଯିବ।

ପ୍ରମୁଖ ପ୍ରଭାବ

ଏହି ଏମଓସି ଫଳରେ ଦୁଇ ଦେଶ ମଧ୍ୟରେ ଦୀର୍ଘସ୍ଥାୟୀ ସହରୀ ବିକାଶ କ୍ଷେତ୍ରରେ ମଜବୁତ, ଗଭୀର ଓ ଦୀର୍ଘକାଳୀନ ଦ୍ବିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ମିଳିବ।

ଲାଭ

ଆଶା କରାଯାଉଛି ଯେ ଏମଓସି ଫଳରେ ସହରୀକରଣ ଯୋଜନା, ସ୍ମାର୍ଟ ସିଟି ବିକାଶ, ଶସ୍ତା ଆବାସ (ଭଡ଼ା ଘର ସମେତ), ସହରାଞ୍ଚଳ ବନ୍ୟା ପରିଚାଳନା, ସ୍ବେରେଜ ଏବଂ ବର୍ଜ୍ୟ ଜଳ ପରିଚାଳନା, ସହରୀ ଗମନାଗମନ (ଅତ୍ୟାଧୁନିକ ଦକ୍ଷ ପରିବହନ ପରିଚାଳନା ବ୍ୟବସ୍ଥା, ଟ୍ରାନଜିଟ ଆଧାରିତ ବିକାଶ ଓ ବହୁଉପଯୋଗୀ ଏକୀକରଣ) ଏବଂ ବିପର‌୍ୟ୍ୟୟ ପ୍ରଶମନକ୍ଷମ ବିକାଶ) ସମେତ ଦୀର୍ଘସ୍ଥାୟୀ ସହରୀ ବିକାଶ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।

ବିବରଣୀ

ଏମଓସିର ଉଦ୍ଦେଶ୍ୟ ହେଉଛି ଭାରତ ଓ ଜାପାନ ମଧ୍ୟରେ ଦୀର୍ଘସ୍ଥାୟୀ ସହରୀ ବିକାଶ କ୍ଷେତ୍ରରେ ବୈଷୟିକ ସହଯୋଗକୁ ସୁଦୃଢ଼ କରିବା। ଏଥିରେ ସହରୀକରଣ ଯୋଜନା, ସ୍ମାର୍ଟ ସିଟି ବିକାଶ, ଶସ୍ତା ଆବାସ (ଭଡ଼ା ଘର ସମେତ), ସହରାଞ୍ଚଳ ବନ୍ୟା ପରିଚାଳନା, ସ୍ବେରେଜ ଏବଂ ବର୍ଜ୍ୟ ଜଳ ପରିଚାଳନା, ସହରୀ ଗମନାଗମନ (ଅତ୍ୟାଧୁନିକ ଦକ୍ଷ ପରିବହନ ପରିଚାଳନା ବ୍ୟବସ୍ଥା, ଟ୍ରାନଜିଟ ଆଧାରିତ ବିକାଶ ଓ ବହୁଉପଯୋଗୀ ଏକୀକରଣ) ଏବଂ ବିପର‌୍ୟ୍ୟୟ ପ୍ରଶମନକ୍ଷମ ବିକାଶ) ସମେତ ଦୀର୍ଘସ୍ଥାୟୀ ସହରୀ ବିକାଶ ସାମିଲ ରହିଛି। ଏହାବ୍ୟତୀତ ଦୁଇ ପକ୍ଷଙ୍କ ଦ୍ବାରା ଆପୋସ ଭାବେ ନିର୍ଦ୍ଧାରିତ କରାଯାଇଥିବା କ୍ଷେତ୍ର ମଧ୍ୟ ସାମିଲ ରହିବ। ପ୍ରସ୍ତାବିତ ଏମଓସି ଜରିଆରେ ଉପରୋକ୍ତ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଚଳନ ଓ ପ୍ରମୁଖ ଅଭିଜ୍ଞତା ବିନିମୟ କରିବା ସମ୍ଭବ ହେବ।