Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଚୀନକୁ ଆମେରିକାର ତାଗିଦ୍, 72 ଘଣ୍ଟାରେ ହୋଷ୍ଟନ ଦୂତାବାସ ବନ୍ଦ କର

ନୂଆଦିଲ୍ଲୀ/ୱାସିଂଟନ,ବୁଧବାର ଦିନ ଏକ ଆକସ୍କିକ ଘଟଣାରେ ହୋଷ୍ଟନରେ ଥିବା ଚୀନ ତାର ବାଣିଜ୍ୟ ଦୂତାବାସକୁ ତୁରନ୍ତ 72 ଘଣ୍ଟା ମଧ୍ୟରେ ବନ୍ଦ କରିବାକୁ ଆମେରିକା ତାଗିଦ୍ କରିଛି। ଚୀନ ସରକାରଙ୍କ ମୁଖପାତ୍ର ଗ୍ଲୋବାଲ ଟାଇମସର ସମ୍ପାଦକ ହୁ ଝିନ୍ ସୋସିଆଲ ମିଡିଆରେ ଏହାକୁ ସ୍ବୀକାର କରିବା ସହ କହିଛନ୍ତି, ଏହା ଆମେରିକାର ପାଗଳାମି ପଦକ୍ଷେପ।

ଆମେରିକାର ଏହା ଏକତରଫା ପଦକ୍ଷେପ ବୋଲି ବର୍ଣ୍ଣନା କରି ଚୀନ କହିଛି, ବେଜିଂ ଏହାର କଡା ଜବାବ ଦେବ। ଆମେରିକା ଯଦି ଏହି ନିଷ୍ପତ୍ତିର ପୁନଃବିଚାର ନକରେ ତେବେ ପରିସ୍ଥିତି ବିଷମୟ ହେବ ବୋଲି ଚୀନ କଡା ଜବାବ ଦେଇଛି।

ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ମୁତାବକ ଦୂତାବାସରେ ଚୀନର କିଛି ଅଧିକାରୀ କେତେକ କାଗଜପତ୍ର ପୋଡି ଦେଇଥିବା ହୋଷ୍ଟନ ପୋଲିସ ପାଖରେ ଖବର ପହଞ୍ଚିଛି। କିନ୍ତୁ ପୋଲିସକୁ ଦୂତାବାସର ଅଧିକାରୀମାନେ ଭିତରକୁ ଛାଡିନଥିଲେ। ତେବେ ଚୀନ ପାଲଟା ଅଭିଯୋଗ କରିଛି ଯେ, ଆମେରିକା ସୁରକ୍ଷା କର୍ମଚାରୀ ଦୂତାବାସ କର୍ମଚାରୀଙ୍କୁ ବିନା କାରଣରେ ହଇରାଣ ହରକତ କରିଛି। ଆମେରିକାର ଏଭଳି ପଦକ୍ଷେପକୁ ଚୀନ ଅତି କଡ଼ା ଭାଷାରେ ନିନ୍ଦା କରିଛି।

ଜିନ ପିଙ୍ଗ ସରକାରଙ୍କ ସହ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ନେଇ ଟ୍ରମ୍ପ ସରକାର ନୂଆ ସର୍ତ୍ତ ଲାଗୁ କରିବା ପରେ ଆମେରିକା-ଚୀନ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଅତି ଖରାପ ହୋଇପଡିଛି।