Categories
ଆଜିର ଖବର ଜାତୀୟ ଖବର

ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ କାଳରେ କେତେ ମଜବୁତ ଥିଲା ଭାରତ-ଆମେରିକା ସମ୍ପର୍କ? କହିଲେ ଏସ ଜୟଶଙ୍କର

ନୂଆଦିଲ୍ଲୀ: ଶନିବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ, କିଛି ପ୍ରସଙ୍ଗ ସତ୍ତ୍ୱେ ଡୋନାଲ୍ଡ ଟ୍ରମ୍ପଙ୍କ ଆମେରିକାର ରାଷ୍ଟ୍ରପତି ଥିବା ସମୟରେ ଭାରତ-ଆମେରିକା ସମ୍ପର୍କ ଆହୁରି ଗଭୀର ହୋଇଛି। ଦିଲ୍ଲୀର ୯ମ ରାୟସିନା ସଂଳାପରେ ଯୋଗ ଦେଇ ଏସ ଜୟଶଙ୍କର କହିଛନ୍ତି ଯେ, ୨୦୧୭ ରୁ ୨୦୨୧ ପର୍ଯ୍ୟନ୍ତ ଟ୍ରମ୍ପ ରାଷ୍ଟ୍ରପତି ଥିଲେ। ତାଙ୍କ ସହିତ ଆମର ବହୁତ ଭଲ ସମ୍ପର୍କ ଥିଲା। ସେ ଭ୍ରମଣରେ ଏଠାକୁ ଆସିଥିଲେ, ଆମ ପ୍ରଧାନମନ୍ତ୍ରୀ ସେଠାକୁ ଭ୍ରମଣରେ ଯାଇଥିଲେ। କିଛି ସମସ୍ୟା ଥିଲା କିନ୍ତୁ ସାମଗ୍ରିକ ଭାବରେ ଯଦି ମୁଁ ଏହାକୁ ଦେଖେ, ସେହି ଚାରି ବର୍ଷ ମଧ୍ୟରେ ଆମର ସମ୍ପର୍କ ଗଭୀର ହେଲା।”

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଚୀନ ଦ୍ୱାରା ନିୟନ୍ତ୍ରିତ ୨୦ ଟି କମ୍ପାନୀକୁ ଆମେରିକା ସମ୍ଭାବ୍ୟ ନିଷିଦ୍ଧ ତାଲିକାଭୁକ୍ତ କରିଛି

ୱାଶିଂଟନ୍: ଯୁକ୍ତରାଷ୍ଟ୍ର  ଆମେରିକା ଚୀନର ପ୍ରସିଦ୍ଧ  ହୁୱାଇ ଟେକ୍ନୋଲୋଜି ସମେତ ୨୦ ଟି ଚାଇନିଜ୍ କମ୍ପାନୀକୁ ନିଷିଦ୍ଧ କରିବା ଲାଗି ଚିହ୍ନଟ କରିଛି ଏବଂ ତାଲିକାଭୁକ୍ତ କରିଛି। ଏହି କମ୍ପାନୀ ଗୁଡିକ ମୁଖ୍ଯତଃ  ବେଜିଂରେ ସାମରିକ ଶାସନ ଦ୍ୱାରା ନିୟନ୍ତ୍ରିତ।

ଚୀନରେ ଆମେରିକାର ପୁଞ୍ଜି ବିନିଯୋଗ ତଥା ଆମେରିକାର  ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଚୀନର ଅନୁ ପ୍ରବେଶକୁ ରୋକିବା ପାଇଁ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ପ୍ରୟାସର ଏକ ଅଂଶ ଭାବରେ ତାଲିକାଭୁକ୍ତ କମ୍ପାନୀଗୁଡିକ ବର୍ତ୍ତମାନ ସମ୍ଭାବ୍ୟ ପ୍ରତିବନ୍ଧକ ସାମ୍ନା କରିବେ।

ମିଡିଆ ରିପୋର୍ଟରେ କୁହାଯାଇଛି ଯେ ପେଣ୍ଟାଗନ୍ “ଆମେରିକାରେ କାର୍ଯ୍ୟ କରୁଥିବା କମ୍ୟୁନିଷ୍ଟ ଚାଇନିଜ୍ ସାମରିକ କମ୍ପାନୀ” ର ଏକ ତାଲିକା ଜାରି କରିଛି ଏବଂ ଏଥିରେ ଚୀନ୍ ସରକାର, ସାମରିକ କିମ୍ବା ପ୍ରତିରକ୍ଷା ଶିଳ୍ପ ସହିତ ମାଲିକାନା, ନିୟନ୍ତ୍ରିତ କିମ୍ବା ଅନୁବନ୍ଧିତ ସଂସ୍ଥା ଅନ୍ତର୍ଭୁକ୍ତ।

ଏହି ତାଲିକାରେ ଥିବା କମ୍ପାନୀଗୁଡିକ ହେଲେ  ଚୀନ୍ ଆଭିଏସନ୍ ଇଣ୍ଡଷ୍ଟ୍ରି କର୍ପୋରେସନ୍, ଚାଇନା ଏରୋସ୍ପେସ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କର୍ପୋରେସନ୍, ଚାଇନା ଏରୋସ୍ପେସ୍ ସାଇନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି କର୍ପୋରେସନ୍, ଚାଇନା ଇଲେକ୍ଟ୍ରୋନିକ୍ସ ଟେକ୍ନୋଲୋଜି ଗ୍ରୁପ୍ କର୍ପୋରେସନ୍, ଚାଇନା ସାଉଥ୍ ଇଣ୍ଡଷ୍ଟ୍ରିଜ୍ ଗ୍ରୁପ୍ କର୍ପୋରେସନ୍, ଚାଇନା ସିପବିଲ୍ଡିଂ ଇଣ୍ଡଷ୍ଟ୍ରି କର୍ପୋରେସନ୍, ଚୀନ୍ ଷ୍ଟେଟ୍ ସିପବିଲ୍ଡିଂ କର୍ପୋରେସନ୍, ଚୀନ୍ ଉତ୍ତର ଇଣ୍ଡଷ୍ଟ୍ରିଜ୍ ଗ୍ରୁପ୍ କର୍ପୋରେସନ୍, ହାଙ୍ଗଜୋ ହାଇଭିଜନ୍ ଡିଜିଟାଲ୍ ଟେକ୍ନୋଲୋଜି କୋ, ହୁୱାଇ, ଇନ୍ସପୁର ଗ୍ରୁପ୍, ଚାଇନାର ଏରୋ ଇଞ୍ଜିନ କର୍ପୋରେସନ୍, ଚୀନ୍ ରେଳ ନିର୍ମାଣ ନିଗମ, CRRC କର୍ପ, ପଣ୍ଡା ଇଲେକ୍ଟ୍ରୋନିକ୍ସ ଗ୍ରୁପ୍, ଡନ୍ ଇନଫରମେସନ୍ ଇଣ୍ଡଷ୍ଟ୍ରି କୋ, ଚାଇନା ମୋବାଇଲ୍ କମ୍ୟୁନିକେସନ୍ ଗ୍ରୁପ୍, ଚୀନ୍ ଜେନେରାଲ୍ ଆଣବିକ ଶକ୍ତି ଶକ୍ତି, ଚୀନ୍ ନ୍ୟାସନାଲ ଆଣବିକ କର୍ପ ଏବଂ ଚାଇନା ଟେଲିକମ୍ କର୍ପୋରେସନ୍। (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବ୍ରିଟେନ୍‌କୁ ଟପିଲା ଭାରତ : କରୋନା ପ୍ରଭାବିତ ଦେଶ ତାଲିକାର ଚତୁର୍ଥ ସ୍ଥାନରେ ଭାରତ

ନୂଆଦିଲ୍ଲୀ : ବିଶ୍ବର କରୋନା ପ୍ରଭାବିତ ଦେଶ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ପହଞ୍ଚିଛି । ଭାରତରେ ଦିନକରେ 10 ହଜାର 956 ଆକ୍ରାନ୍ତ ହୋଇଛନ୍ତି । ଫଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା 2 ଲକ୍ଷ 97 ହଜାର 535 କୁ ବୃଦ୍ଧି ହୋଇଛି । ଏହି ଆଧାରରେ ସ୍ପେନ ଓ ବ୍ରିଟେନକୁ ଭାରତ ଅତିକ୍ରମ କରିଛି । ସ୍ପେନରେ ଏଯାଏଁ କରୋନା ସଂକ୍ରମିତ ସଂଖ୍ୟା 2 ଲକ୍ଷ 89 ହଜାର 787 ହୋଇଥିବା ବେଳେ ବ୍ରିଟେନରେ ଏହି ସଂଖ୍ୟା 2 ଲକ୍ଷ 91 ହଜାର 409 ଜଣ । କରୋନା ପ୍ରଭାବିତ ଦେଶ  ତାଲିକାର ପ୍ରଥମ ସ୍ଥାନରେ ଆମେରିକା ରହିଥିବାବେଳେ ଦ୍ବିତୀୟ ସ୍ଥାନରେ ବ୍ରାଜିଲ୍‌ ରହିଥିବାବେଳେ ତୃତୀୟ ସ୍ଥାନରେ ରହିଛି ଋଷିଆ ।

ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା 20 ଲକ୍ଷ ୮୯ ହଜାର 701 ଥିବାବେଳେ ମୃତ୍ୟୁ ସଂଖ୍ୟା 1,16ହଜାର 034ରେ ପହଞ୍ଚିଛି । ସେହିପରି ବ୍ରାଜିଲରେ ସଂକ୍ରମିତଙ୍କ ସଂଖ୍ୟା 8 ଲକ୍ଷ 5 ହଜାର 649କୁ ବୃଦ୍ଧି ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 41 ହଜାର 58ରେ ପହଞ୍ଚିଛି  ଓ ଋଷିଆରେ ମୃତ୍ୟୁ ସଂଖ୍ୟା 6,532କୁ ବୃଦ୍ଧି ହୋଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 5 ଲକ୍ଷ 2 ହଜାର 436କୁ ବୃଦ୍ଧି ହୋଇଛି । ସେହିପରି ଭାରତରେ ମୋଟ୍‌ ମୃତ୍ୟୁ ସଂଖ୍ୟା 8 ହଜାର 498କୁ ବୃଦ୍ଧି ହୋଇଛି । ସେହିପରି ସ୍ପେନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଲକ୍ଷ 89 ହଜାର 787 ଥିବାବେଳେ ମୃତ୍ୟୁ ସଂଖ୍ୟା 27 ହଜାର 136 ରହିଛି । ବ୍ରିଟେନ୍‌ରେ 2 ଲକ୍ଷ 91 ହଜାର 409 ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 41 ହଜାର 279କୁ ବୃଦ୍ଧି ହୋଇଛି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

2 ଲକ୍ଷ 60 ହଜାର ଛୁଇଁଲା ବିଶ୍ବ ବ୍ୟାପୀ କରୋନା ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ : ସମଗ୍ର ବିଶ୍ବ କରୋନା ଦ୍ବାରା ପ୍ରଭାବିତ ହୋଇଥିବା ବେଳେ ବିଶ୍ବବ୍ୟାପୀ କରୋନା ମୃତ୍ୟୁ ସଂଖ୍ୟା 2 ଲକ୍ଷ 60 ହଜାର ଅତିକ୍ରମ କରିଛି । ବିଗତ 24 ଘଣ୍ଟା ମଧ୍ୟରେ 87 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 5400 ଲୋକ ପ୍ରାଣ ହରାଇଛନ୍ତି । 87729 ନୂତନ ଆକ୍ରାନ୍ତଙ୍କ ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 3,759,967 ଛୁଇଁଥବା ବେଳେ 5429 ଜଣଙ୍କ ମୃତ୍ୟୁ ସହ ସମୁଦାୟ ମୃତ୍ୟୁ ସଂଖ୍ୟା 2 ଲକ୍ଷ 59 ହଜାର 474ରେ ପହଞ୍ଚିଛି । ଯୁକ୍ତରାଷ୍ଟ୍ର ଆମେରିକାରେ ସର୍ବାଧିକ 12 ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ସର୍ବାଧିକ 67 ହଜାର 146 ଜଣଙ୍କ ପ୍ରାଣହାନି ଘଟିଛି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ବିଶ୍ବରେ କରୋନା ସଂକ୍ରମିତଙ୍କ ସଂଖ୍ୟା 38 ଲକ୍ଷ ପାର୍‌ କରିଥିବାବେଳେ ମୃତ୍ୟୁ ସଂଖ୍ୟା ଅଢେଇ ଲକ୍ଷ ଟପିଲା

ନୂଆଦିଲ୍ଲୀ: ଚୀନ୍‌ର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି କରୋନା ଏବେ 212ଟି ଦେଶରେ ବ୍ୟାପିସାରିଛି। ଗତ 24 ଘଣ୍ଟା ମଧ୍ୟରେ ସାରା ବିଶ୍ବରେ 94,261ଟି ନୂଆ ମାମଲା ସାମ୍ନାକୁ ଆସିଛି। ଆମେରିକା, ଫ୍ରାନ୍ସ, ସ୍ପେନ, ଜର୍ମାନୀ, ଇଟାଲୀ ଓ ବ୍ରିଟେନ ଭଳି ଶକ୍ତିଶାଳୀ ଦେଶ କରୋନା ଭାଇରସ ଆଗରେ ପରାସ୍ତ ହୋଇଛନ୍ତି। ଏହି ମାରାତ୍ମକ ଭାଇରସ ଯୋଗୁଁ ଗୁରୁବାର ସକାଳ ସୁଦ୍ଧା  କରୋନା ଭାଇରସ 2 ଲକ୍ଷ 65 ହଜାର 84 ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି 38 ଲକ୍ଷ 21 ହଜାର 668ଜଣ ଲୋକ ସଂକ୍ରମିତ ଅଛନ୍ତି। 12 ଲକ୍ଷ 99 ହଜାର 361 ଜଣ ସୁସ୍ଥ ହୋଇଥିବା ବେଳେ 22 ଲକ୍ଷ 57 ହଜାର 265 ଜଣ ସକ୍ରିୟ ଅଛନ୍ତି।

ଆମେରିକାରେ 12 ଲକ୍ଷ 63 ହଜାର 183 ଜଣ ସଂକ୍ରମିତ ଥିବା ବେଳେ 74 ହଜାର 807 ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ସ୍ପେନରେ 2 ଲକ୍ଷ 53 ହଜାର 682ଜଣ ସଂକ୍ରମିତ ହୋଇଥିବାବେଳେ 25 ହଜାର 857ଜଣଙ୍କ ମୃତ୍ୟୁ ହୋଇଛି। ଇଟାଲୀରେ 29 ହଜାର 684 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସଂକ୍ରମିତ ହୋଇଛନ୍ତି 2 ଲକ୍ଷ 14 ହଜାର 457ଜଣ। ବ୍ରିଟେନ୍‌ରେ 2 ଲକ୍ଷ 1 ହଜାର ଶହେ ଏକ ଜଣ ସଂକ୍ରମିତ ହୋଇଥିବାବେଳେ 30 ହଜାରରୁ ଉର୍ଦ୍ଧ୍ବରଙ୍କ ମୃତ୍ୟୁ ହୋଇଛି। ଫ୍ରାନ୍ସରେ ଏକ ଲକ୍ଷ 74 ହଜାର 191 ଜଣ ସଂକ୍ରମିତ ହୋଇଥିବାବେଳେ 25 ହଜାର 809ଜଣଙ୍କର ମୃତ୍ୟୁ ହୋଇଛି। ଜର୍ମାନୀରେ 7275ଜଣଙ୍କ ମୃତ୍ୟୁ ହୋଇଥିବାବେଳ 1 ଲକ୍ଷ 68 ହଜାର 162ଜଣ ସଂକ୍ରମିତ ହୋଇଛନ୍ତି। ଋଷିଆରେ 1537ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସଂକ୍ରମିତ ହୋଇଛନ୍ତି 1 ଲକ୍ଷ 65 ହଜାର 929ଜଣ। ତୁର୍କୀରେ 3584ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 1 ଲକ୍ଷ 31 ହଜାର 744 ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ବ୍ରାଜିଲ୍‌ ଓ ଇରାନ୍‌ରେ ଏକ ଲକ୍ଷରୁ ଉର୍ଦ୍ଧ୍ବ ସଂକ୍ରମିତ ହୋଇଥିବାବେଳେ ବ୍ରାଜିଲ୍‌ରେ 8 ହାଜର 588 ଜଣଙ୍କର ମୃତ୍ୟୁ ହୋଇଛି ସେହିପରି ଇରାନ୍‌ରେ 6418ଜଣଙ୍କ ମୃତ୍ୟୁ ହୋଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଗତ 24 ଘଣ୍ଟାରେ ଆମେରିକାରେ 2700 ଜଣଙ୍କ ଜୀବନ ନେଇଛି କରୋନା

ନୂଆଦିଲ୍ଲୀ : କରୋନା ଭାଇରସ୍‌ ଦୁନିଆରେ ମୃତ୍ୟୁର ତାଣ୍ଡବ ରଚି ଚାଲିଛି। ଆମେରିକା, ସ୍ପେନ୍‌, ବ୍ରିଟେନ୍‌ ଫ୍ରାନ୍ସ ପରି ବହୁ ବିତ୍ତଶାଳୀ ରାଷ୍ଟ୍ର ଏବେ କରୋନା କବଳରେ କବଳିତ । ଗତକାଲି 24 ଘଣ୍ଟା ମଧ୍ୟରେ ଆମେରିକାରେ କରୋନା ଯୋଗୁଁ 2700ରୁ ଉର୍ଦ୍ଧ୍ବଙ୍କର ଜୀବନ ଯାଇଛି। ଆମେରିକାରେ ସର୍ବମୋଟ ମୃତକଙ୍କ ସଂଖ୍ୟା 45 ହଜାର ପାର୍‌ କରିଛି।  ସେହିପରି ଆମେରିକାରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 824,147ରେ ପହଞ୍ଚିଛି। ଆମେରିକାରେ ଏଯାବତ୍‌ 41 ଲକ୍ଷରୁ ଅଧିକ କରୋନା ଟେଷ୍ଟ କରାଯାଇଛି। ଆମେରିକାର ନ୍ୟୁୟର୍କରେ କରୋନା ଯୋଗୁଁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ପ୍ରାୟ 15 ହଜାର ଲୋକଙ୍କର କରୋନା ଜନିତ ମୃତ୍ୟୁ ହୋଇଛି।

କରୋନା ଯୋଗୁଁ ବିଶ୍ବରେ 25 ଲକ୍ଷ ଅଧିକ ଆକ୍ରାନ୍ତ ହୋଇଥିବାବେଳେ ଏକ ଲକ୍ଷ 77 ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ବରଣ କରିଛନ୍ତି । ସେହିପରି 6,94, 881ଜଣ ସୁସ୍ଥ ହୋଇଛନ୍ତି।

Categories
ବିଶେଷ ଖବର

ଏଇ ସେଇ ଆମେରିକା ଯେଉଁଠି ଭେଣ୍ଟିଲେଟର ଅଭାବରେ ହଜାର ହଜାର ଲୋକ କରୋନାରେ ପ୍ରାଣ ହରାନ୍ତି!!

କେଦାର ମିଶ୍ର

ଯେଉଁମାନେ ଚାଇଲ୍ଦିଶ ଗାମ୍ବିନୋଙ୍କର ପ୍ରସିଦ୍ଧ ଗୀତ “ଦିସ ଇଜ ଆମେରିକା” ଶୁଣିଥିବେ ଓ ଏହାର ଭିଡିଓ ଦେଖିଥିବେ, ସେମାନଙ୍କ ପାଇଁ ଆମେରିକା ସ୍ଵପ୍ନର ଦେଶ ନୁହେଁ ବରଂ ଭୟ ଓ ଆତଙ୍କର ଦେଶ। ଆମେରିକାର ପ୍ରାଚୁର୍ଯ୍ୟ ଅଛି, ପଇସା ଅଛି, ସୁଖ ସ୍ଵାଚ୍ଛନ୍ଦ୍ୟ ଅଛି, ହେଲେ ଜୀବନ ନାଇଁ। ଆମେରିକାରେ ବନ୍ଧୁକ ମିଳିବା ସହଜ, ହେଲେ ଔଷଧ ମିଳିବା ଯଥେଷ୍ଟ କଷ୍ଟକର। ଏହାର ପ୍ରମାଣ ଏବେ ପ୍ରତିଦିନ ଆମେରିକାର ଗଣମାଧ୍ୟମରେ ଦେଖୁଛୁ। କରୋନା ସଂକ୍ରମଣ ଏବେ ଆମେରିକାର ଜନ ଜୀବନକୁ ବିପର୍ଯ୍ୟସ୍ତ କରି ଦେଇଛି।

ଆଜି ଆମେରିକାରେ ବହୁ ସଂଖ୍ୟକ କରୋନା ରୋଗୀ ମୃତ୍ୟୁ ବରଣ କରିବାର ଏକମାତ୍ର କାରଣ ହେଉଛି, ସେଠି ଭେଣ୍ଟିଲେଟରର ଅଭାବ। କରୋନା ଭୂତାଣୁ ମଣିଷର ଶ୍ଵାସକ୍ରିୟା ଉପରେ ଆକ୍ରମଣ କରୁଥିବାରୁ କେବଳ ଭେଣ୍ଟିଲେଟର ସହାୟତାରେ ରୋଗୀଙ୍କୁ ବଞ୍ଚାଇ ରଖିହେବ। ଆମେରିକାର ପ୍ରମୁଖ ସହର ଗୁଡିକରେ ରହିଥିବା ବଡ ବଡ ଡାକ୍ତରଖାନାରେ ଏବେ ଭେଣ୍ଟିଲେଟର ମିଳୁନାହିଁ। ଯାହା ଫଳରେ ସେଠାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢି ଚାଲିଛି। “ୱାଶିଙ୍ଗଟନ ପୋଷ୍ଟ” ର ରିପୋର୍ଟ ଅନୁଯାୟୀ ଅନେକ ରୋଗୀଙ୍କର ନମୂନା ପରୀକ୍ଷା ହୋଇ ପାରୁନି, କାରଣ ଟେଷ୍ଟିଙ୍ଗ କିଟର ଅଭାବ। ତେଣୁ ସରକାରୀ ଭାବରେ ମୃତ୍ୟୁ ସଂଖ୍ୟା ଯାହା କୁହାଯାଉଛି, ତାଠୁ ଯଥେଷ୍ଟ ଅଧିକ ମୃତ୍ୟୁ ହୋଇସାରିଛି ବୋଲି ଏହି ଖବର କାଗଜ କହିଛି।

ଗତକାଲି ସୁଦ୍ଧା ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୮୯ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୨,୮୫୭ ରେ ପହଞ୍ଚିଛି। ଆଗାମୀ ଦୁଇ ସପ୍ତାହରେ ଆକ୍ରାନ୍ତ ଓ ମୃତଙ୍କ ସଂଖ୍ୟା ପ୍ରବଳ ବଢିବ ବୋଲି ଆମେରିକା ସରକାର ସ୍ପଷ୍ଟ କରିଛନ୍ତି। ତେବେ ପୃଥିବୀର ସବୁଠୁ ଧନୀ, ସମ୍ପନ୍ନ ଓ କ୍ଷମତାଶାଳୀ ଦେଶରେ ଏ ପ୍ରକାର ଅବସ୍ଥା କାହିଁକି? ପୃଥିବୀର ଯେ କୌଣସି ଦେଶକୁ ଯେ କୌଣସି ମୂହୁର୍ତ୍ତରେ ବରବାଦ କରିଦେବାର କ୍ଷମତା ରଖୁଥିବା ଆମେରିକା ଆଜି ନିଜର ନାଗରିକମାନଙ୍କୁ ଭେଣ୍ଟିଲେଟର ଯୋଗାଇ ଦେବାର ଅସମର୍ଥ ହେବାର କାରଣ କଣ?

ମୌଳିକ ବିଜ୍ଞାନ ତଥା ଜନ ସ୍ୱାସ୍ଥ୍ୟ ଭଳି କ୍ଷେତ୍ରକୁ ଆମେରିକା ଦୀର୍ଘ ବର୍ଷ ଧରି ଉପେକ୍ଷା କରିଛି। ପୁଞ୍ଜିବାଦୀ ବିକାଶ ବ୍ୟବସ୍ଥାରେ ସବୁଠୁ ଅଧିକ ପଇସା ଥିବା ଲୋକଙ୍କ ଇସାରାରେ ଆମେରିକାର ଶାସନ ଚାଲିଛି। ଯାହାର ପରିଣତି ରେ ଆମେରିକାରେ ପରମାଣୁ ବୋମାର ସଂଖ୍ୟା ବଢିଛି। ଛତୁ ଫୁଟିଲା ଭଳି ବନ୍ଧୁକ ଦୋକାନ ଖୋଲିଛି। ହେଲେ ମୌଳିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଷୟରେ ଆମେରିକା ନିଜକୁ ସଜାଗ କରି ପାରିନାହିଁ। କ୍ଷମତାର ଅହଂକାର ହେତୁ ତଥାକଥିତ “ଚୀନ ଭୂତାଣୁ” କରୋନା ପ୍ରତି ଗୋଟେ ପ୍ରକାର ବେଖାତିର ମନୋଭାବ ମଧ୍ୟ ଆମେରିକା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ପ୍ରତିଦିନ ନ୍ୟୁୟର୍କ, ୱାଶିଂଟନ, ନ୍ୟୁଜର୍ସି ଭଳି ବଡ ସହରର ଡାକ୍ତରମାନେ ଅଧିକ ଭେଣ୍ଟିଲେଟର ପାଇଁ ଆକୁଳ ନିବେଦନ କରୁଛନ୍ତି। ହେଲେ ଆମେରିକା ପାଖରେ ପର୍ୟାପ୍ତ ସୁବିଧା ନାହିଁ।

କେବଳ ଭେଣ୍ଟିଲେଟର ନୁହେଁ, ଔଷଧ କ୍ଷେତ୍ରରେ ମଧ୍ୟ ଆମେରିକାରେ ପର୍ୟାପ୍ତ ଅସୁବିଧା ରହିଛି। ହାଇଡ୍ରୋକ୍ସିକ୍ଳରୋକୁଇନ୍ସ କୁ କରୋନା ଚିକିତ୍ସାର ରାମବାଣ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ କହୁଥିବା ବେଳେ ଏହାକୁ ସେଠିକାର ଡାକ୍ତର ଓ ବୈଜ୍ଞାନିକମାନେ ଖଣ୍ଡନ କରୁଛନ୍ତି। ବାତ ତଥା ମ୍ୟାଲେରିଆ ପାଇଁ ବ୍ୟବହୃତ ଏହି ଔଷଧ ହୁଏତ କରୋନା ଉପଶମରେ ସହାୟକ ହୋଇପାରେ, ହେଲେ ଏହା କରୋନା ଚିକିତ୍ସା ଲାଗି ଆମେରିକାରେ କାମ ଦେବାର ସମ୍ଭାବନା କମ। ଏହି ଔଷଧ ସର୍ବାଧିକ ଭାରତରେ ଉତ୍ପାଦିତ ହେଉଥିବାରୁ ଏଥିପାଇଁ ଭାରତ ସରକାରକୁ ସିଧା ସିଧା ଧମକ ଦେବାକୁ ଟ୍ରମ୍ଫ ପଛଘୁଞ୍ଚା ଦେଇ ନଥିଲେ। ଅବଶ୍ୟ ଭାରତ ସରକାର ତୁରନ୍ତ ଟ୍ରମ୍ଫଙ୍କ କଥା ମାନି ହାଇଡ୍ରୋକ୍ସିକ୍ଳରୋକୁଇନ୍ସର ରପ୍ତାନି ଉପରେ କଟକଣା ହଟାଇ ଦେଇଥିଲେ।

ଗୋଟେ ବିରାଟ ମାନବୀୟ ସଙ୍କଟକୁ ମୁକାବିଲା କରିବାର ଦକ୍ଷତା ଓ ସାହସ ଆମେରିକା ପାଖରେ ନାହିଁ। ବରଂ ଏ କ୍ଷେତ୍ରରେ ବିକାଶଶୀଳ ଓ ଗରୀବ ଦେଶମାନେ ଅଧିକ ଦକ୍ଷତା ଓ ସମ୍ବେଦନଶୀଳତା ଦେଖାଇଛନ୍ତି। ଏସିଆ ଏବଂ ଆଫ୍ରିକାର ଦେଶ ଗୁଡିକ ନିଜ ସମ୍ବଳର ସୀମା ବିଷୟରେ ଭଲ ଭାବେ ଅବଗତ ଅଛନ୍ତି। ତେଣୁ ସେମାନେ କରୋନା ଭୂତାଣୁର ସଂକ୍ରମଣ ରୋକିବା ଲାଗି ଅଧିକରୁ ଅଧିକ ସାମାଜିକ ଦୂରତା ଉପରେ ଗୁରୁତ୍ଵ ଦେଉଛନ୍ତି। ଏଥିପାଇଁ ସେମାନଙ୍କୁ ଅର୍ଥନୈତିକ ଭାବରେ ପ୍ରବଳ ଚାପ ର ସମ୍ମୁଖୀନ ହେବାକୁ ପଡ଼ୁଛି। ତଥାପି ସଂକ୍ରମଣ ରୋକିବାରେ ଏବଂ ମୃତ୍ୟୁ ହାରକୁ ସୀମିତ ରଖିବାରେ ଏସିଆର ଦେଶ ଗୁଡିକ ଆଜି ଉଦାହରଣ ପ୍ରସ୍ତୁତ କରିଛନ୍ତି।

କରୋନା ଭୂତାଣୁ ଆଜି ଆମେରିକାର ସମାଜକୁ ନିଜର ଦୁର୍ବଳତା ବିଷୟରେ ସଚେତନ କରାଇ ଦେଇଛି। ପୂର୍ବରୁ ରାଷ୍ଟ୍ରପତି ବାରାକ ଓବାମା ଆମେରିକାରେ ସ୍ୱାସ୍ଥ୍ୟ ସୁରକ୍ଷାକୁ ଏକ ଜାତୀୟ ଆଂଦୋଳନର ରୂପ ଦେବାକୁ ଚେଷ୍ଟା କରିଥିଲେ। ଡୋନାଲ୍ଡ ଟ୍ରମ୍ଫ ଓବାମାଙ୍କ ସେହି ଯୋଜନାକୁ ବାରମ୍ବାର ବିରୋଧ କରି ତାକୁ ଏକ ପ୍ରକାର ବନ୍ଦ କରି ଦେଇଛନ୍ତି। ବାର୍ନୀ ସେଣ୍ଡର୍ସଙ୍କ ଭଳି ରାଜନେତା ଯେଉଁମାନେ ସ୍ୱାସ୍ଥ୍ୟ ଓ ଶିକ୍ଷାର କଥା କହୁଛନ୍ତି, ସେମାନଙ୍କୁ ଆମେରିକାର ଜନ ସାଧାରଣ ଗ୍ରହଣ କରିନାହାନ୍ତି।

ଆଜି କ୍ଷମତାର ଅହଂକାରକୁ କରୋନା ଭୂତାଣୁ ଏକ ଶକ୍ତ ଚାପୁଡା ମାରିଛି। ସେଥିରୁ ଆମେରିକା କିଛି ଶିଖିବ କି?

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ବିଗତ 24 ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ସ୍ପେନରେ ସର୍ବାଧିକ ମୃତ୍ୟୁ

ନୂଆଦିଲ୍ଲୀ : ବିଶ୍ବରେ କରୋନାର ଆକ୍ରାନ୍ତଙ୍କ ସଂଖ୍ୟା 5ଲକ୍ଷ ଟପିଲାଣି । ଦୁନିଆରେ ମୋଟ୍‌ 5,36,617 ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେହିପରି କରୋନା ଯୋଗୁଁ ମୋଟ୍‌ 24,118 ଜଣଙ୍କର ମୃତ୍ୟୁ ଘଟିଲାଣି। ସେହିପରି ସୁସ୍ଥ ହୋଇଛନ୍ତି 1,24,408ଜଣ । ଚୀନ୍‌ ପରେ ୟୁରୋପରେ ଏହା ବେଶ୍‌ ଭୟଙ୍କର ରହିଛି । ସ୍ପେନ୍‌ରେ ଗତ 24 ଘଣ୍ଟାରେ 718ଜଣଙ୍କର ମୃତ୍ୟୁ ହୋଇଛି । ସ୍ପେନ୍‌ରେ ସର୍ବମୋଟ୍‌ ମୃତ୍ୟୁ ସଂଖ୍ୟା 4,365ରେ ପହଞ୍ଚିଛି । ଗୁରୁବାର ଦିନ ସ୍ପେନ୍‌ରେ 718ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆମେରିକାରେ ବିଗତ 24 ଘଣ୍ଟା ମଧ୍ୟରେ 16,000 ଲୋକ କରୋନା କବଳରେ ଆସିଥିବାବେଳେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 85ହଜାରକୁ ଟପିଛି । ସେହିପରି ଇଟାଲୀରେ କରୋନା ଯୋଗୁଁ ମୃତ୍ୟସଂଖ୍ୟା ଆଠ ହଜାର ପାର୍‌ କରିଛି । ଓ୍ବାଲ୍ଡୋମିଟରର ପରିସଂଖ୍ୟାନ ଅନୁସାର ଗତ 24 ଘଣ୍ଟା ଧ୍ୟରେ ଇଟାଲୀରେ 683ଜଣଙ୍କର ମୃତ୍ୟୁ ହୋଇଛି ।

ସମୀକ୍ଷା ତରଫରୁ କରୋନା ଅପଡେଟ୍‌ :

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଗର୍ଭବତୀ ମହିଳାଙ୍କ ଆମେରିକା ପ୍ରବେଶ ଉପରେ ରୋକ୍‌!

ନ୍ୟୁୟର୍କ : ଆମେରିକା ସରକାରଙ୍କ ପକ୍ଷରୁ ଏକ ନୂତନ ନିୟମ ଲାଗୁ କରାଯାଇଛି । ଏହି ନିୟମ ଅନୁଯାୟୀ ଏଣିକି ଅଣ ଆମେରିକୀୟ ଗର୍ଭବତୀ ମହିଳା ମାନେ ଆମେରିକାରେ ପ୍ରବେଶ କରିପାରିବେ ନାହିଁ । ଆମେରିକା ମାଟିରେ ଜନ୍ମିତ ଶିଶୁଙ୍କୁ ଆମେରିକାର ନାଗରିକତ୍ବ ପ୍ରଦାନ କରାଯାଇଥାଏ । ଏହି କାରଣରୁ ଏକାଧିକ ରାଷ୍ଟ୍ରର ମହିଳା ମାନେ ଗର୍ଭଧାରଣ ସମୟରେ ଆମେରିକା ଯାଇ ପ୍ରସବ କରାଉଛନ୍ତି । ଗୁରୁବାର ଆମେରିକା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଜାରି କରାଯାଇଥିବା ଏକ ନିର୍ଦ୍ଦେଶନାମା ଅନୁଯାୟୀ, ସାମୟିକ ଭାବରେ ଜାରି କରାଯାଉଥିବା ବି-1 ଏବଂ ବି-2 ଭିସାରୁ ଗର୍ଭବତୀ ମହିଳାଙ୍କୁ ବାଦ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Categories
ଆଜିର ଖବର

ନିବେଶକଙ୍କୁ ଆଶ୍ବସ୍ତି : ସେନସେକ୍ସରେ 400 ପଏଣ୍ଟ ଅଭିବୃଦ୍ଧି

ମୁମ୍ବାଇ : ଭାରତୀୟ ସେୟାର ବଜାରରେ ଆଜି ନିବେଶକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଦୁଇଦିନ ଧରି ତଳୁଆ ରହିଥିବା ସେୟାର ବଜାର ଆଜି ଉପରକୁ ଉଠିଛି । ପ୍ରଥମ ଘଣ୍ଟାର ଟ୍ରେଡିଂରେ ସେୟାର ବଜାର 400 ପଏଣ୍ଟ ଉପରକୁ ଉଠିଛି । 437.93 ପଏଣ୍ଟର ଅଭିବୃଦ୍ଧି ସହିତ ସେନସେକ୍ସ 41263 ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀ 132 ପଏଣ୍ଟର ଅଭିବୃଦ୍ଧି ସହିତ 12159 ପଏଣ୍ଟରେ ରହିଛି । ନିଫ୍‌ଟୀ 50 ଏହି ସମୟରେ 1.12 ପ୍ରତିଶତର ଅଭିବୃଦ୍ଧି ସହିତ 9901 ପଏଣ୍ଟରେ ପହଞ୍ଚିଛି । ସର୍ବାଧିକ ଲାଭ ହାସଲକାରୀ କମ୍ପାନୀ ତାଲିକାରେ ରହିଛି ୟେସ୍‌ ବ୍ୟାଙ୍କ । ୟେସ୍‌ ବ୍ୟାଙ୍କର ଅଂଶଧନ ମୂଲ୍ୟରେ 4.01 ପ୍ରତିଶତର ଅଭିବୃଦ୍ଧି ଘଟିଛି । ଉଲ୍ଲେଖଯୋଗ୍ୟ ଯେ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ପରସ୍ଥିତି ସୃଷ୍ଟି ହେବା କାରଣରୁ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଘଟି ସେୟାର ବଜାର ତଳୁଆ ରହିଥିଲା । ଇରାନର ମିସାଇଲ ଆକ୍ରମଣ ପରେ ପରସ୍ଥିତି ଆହୁରି ଗୋଳମାଳିଆ ହେବା ନେଇ ଆଶଙ୍କା ପ୍ରକାଶ ପାଇଥିଲା । ମାତ୍ର ଗତକାଲି ରାତିରେ ଟ୍ରମ୍ପ ସରକାର ଶାନ୍ତି ପ୍ରସ୍ତାବ ଦେବା ପରେ ଏହା ନିବେଶକଙ୍କ ପାଇଁ ଆଶ୍ବସ୍ତିର ବିଷୟ ପାଲଟିଛି । (ଏଜେନ୍ସୀ)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଇରାକ୍‌ର ଗ୍ରୀନ୍‌ ଜୋନ୍‌ରେ ରକେଟ୍‌ ମାଡ

ବାଗଦାଦ : ଇରାକର ଗ୍ରୀନ୍‌ ଜୋନ୍‌ରେ ରକେଟ୍‌ ମାଡ କରାଯାଇଛି । ଇରାନ୍‌ ପକ୍ଷରୁ ମିସାଇଲ ମାଡର 24 ଘଣ୍ଟା ମଧ୍ୟରେ ପୁନର୍ବାର ଇରାକ୍‌ର ରାଜଧାନୀ ବାଗଦାଦ ଉପରେ ଆକ୍ରମଣ କରାଯାଇଛି । ବାଗ୍‌ଦାଦ୍‌ର ଗ୍ରୀନ୍‌ ଜୋନ୍‌ରେ ହୋଇଥିବା ଏହି ଆକ୍ରମଣ ଦ୍ବାରା ଆମେରିକୀୟ ଦୂତାବାସ ନିକଟରେ ଘଟିଥିଲା । ଏହି ଆକ୍ରମଣରେ କେହି ମୃତାହତ ହୋଇନଥିବା ନେଇ ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇଛି । କଡା ସୁରକ୍ଷା ବଳୟ ମଧ୍ୟରେ ରହିଥିବା ଆମେରିକୀୟ ଦୂତାବାସର 100 ମିଟର ଦୂରତା ମଧ୍ୟରେ ଏହି ବିସ୍ଫୋରଣ ଘଟିଥିଲା । ଏହି ଆକ୍ରମଣ ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନଥିଲେ ମଧ୍ୟ ଇରାନ୍‌ର ସମ୍ପୃକ୍ତି ସନ୍ଦେହ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ଇରାନ୍‌ର ସେନାଧ୍ୟକ୍ଷ କାସିମ୍‌ ସୁଲେମାନୀ ଏବଂ ଇରାକୀ କମାଣ୍ଡର ଆବୁ ମହଦୀଙ୍କ ହତ୍ୟା ପରେ ଇରାନ୍‌ ପକ୍ଷରୁ ଆକ୍ରମଣ କରାଯାଇଥିଲା । (ଏଜେନ୍ସୀ)

Categories
ଆଜିର ଖବର

ଅନ୍ତରୀକ୍ଷ ସୁରକ୍ଷା ନେଇ ଆମେରିକା ବ୍ରାଜିଲ୍‌ ବୁଝାମଣା

ଅନ୍ତରୀକ୍ଷରେ ସୁରକ୍ଷାକୁ ନେଇ ବ୍ରାଜିଲ୍‌ ଏବଂ ଆମେରିକା ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଛି। ଆମେରିକୀୟ ଗୃହ ବିଭାଗ ବ୍ରାଜିଲ୍‌ ସହିତ ମଙ୍ଗଳବାର ଏହି ଚୁକ୍ତି ସ୍ବାକ୍ଷର କରିଛି। ଏହି ଦକ୍ଷିଣ ଆମେରିକୀୟ ରାଷ୍ଟ୍ରରୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ଗୁଡିକର ବୈଷୟିକ ରକ୍ଷଣାବେକ୍ଷଣ ନେଇ ଏହି ଚୁକ୍ତି ସ୍ବାକ୍ଷର କରାଯାଇଛି। ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ଗୃହବିଭାଗର ଅନ୍ତର୍ଜାତୀୟ ସୁରକ୍ଷା ସହକାରୀ ସଚିବ କ୍ରୀଷ୍ଟୋଫର ଫୋର୍ଡ ଏବଂ ବ୍ରାଜିଲ ବୈଦେଶିକ ମନ୍ତ୍ରୀ ଏର୍ଣ୍ଣେଷ୍ଟୋ ଆରାଉଜାଓଙ୍କ ମଧ୍ୟରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଛି।