କେଦାର ମିଶ୍ର
ଓଡିଶା ସରକାରଙ୍କର ଅତ୍ୟନ୍ତ ଉଚ୍ଚାଭିଳାଷୀ ଯୋଜନା “ମୋ ସରକାର’’ କୁ ନେଇ ଏବେ ବେଶ ଚର୍ଚ୍ଚା ଚାଲିଛି। ଏହା ସହିତ ଫାଇଭ ଟି, ଯଥା-ସାମୁହିକ ଦାୟିତ୍ଵ(ଟିମ ୱାର୍କ), ସମୟସୀମା (ଟାଇମ ଲିମିଟ), ଟେକ୍ନୋଲୋଜି, ସ୍ବଚ୍ଛତା (ଟ୍ରାଂସପେରେନ୍ସି) ଓ ପରିବର୍ତ୍ତନ (ଟ୍ରାନ୍ସଫର୍ମେସନ)କୁ ସରକାରର ମନ୍ତ୍ର ଭାବରେ ଗ୍ରହଣ କରିବାକୁ କୁହା ଯାଇଛି। ଏହି ଲକ୍ଷ୍ୟ ସାଧନ ଲାଗି ସରକାରର ସବୁଠୁ ପ୍ରଭାବଶାଳୀ ଅଧିକାରୀ ଭି. କାର୍ତ୍ତିକ ପାଣ୍ଡିଆନଙ୍କୁ ସ୍ଵତନ୍ତ୍ର ଦାୟିତ୍ଵ ଦିଆ ଯାଇଛି। ମୁଖ୍ୟ ଶାସନ ସଚିବଙ୍କଠୁ ଆରମ୍ଭ କରି ଜିଲାପାଳ ପର୍ଯ୍ୟନ୍ତ ସବୁ ବଡ ବଡ ଅଧିକାରୀ ଏହି କାମରେ ଲାଗିଛନ୍ତି। ଏହି ବିଭାଗ ଦାୟିତ୍ବରେ ଥିବା ଶାସନ ସଚିବ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ଜିଲା ଗସ୍ତ କରି ଏହି ଯୋଜନାର ତଦାରଖ କରୁଛନ୍ତି। ଅନ୍ତତଃ ସରକାରୀ ଭାବରେ ଏହାର କାର୍ଯ୍ୟକାରିତା ଅତ୍ୟନ୍ତ ପ୍ରଭାବଶାଳୀ ମନେ ହେଉଛି। ଦାୟିତ୍ବରେ ଖିଲାପ କରୁଥିବା ଅଧିକାରୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ଅନ୍ତତଃ ପ୍ରାଥମିକ ସ୍ତରରେ “ମୋ ସରକାର”କୁ ନେଇ ଓଡିଶା ସରକାର ଯେ ଅତ୍ୟନ୍ତ ଗମ୍ଭୀର ଅଛନ୍ତି, ତାହା ପ୍ରମାଣିତ ହେଉଛି। ହେଲେ ଏତେ ସବୁ ସତର୍କତା ଭିତରେ ଏହାର ବିପରୀତ କିଛି ଚିତ୍ର ଓ ଖବର ମଧ୍ୟ ଆସୁଛି। ଆମ୍ବୁଲାନ୍ସ ରୋଗୀ ନେଇ ଆସିବା ବେଳେ ବାଟରେ ତେଲ ସରିଯାଉଛି, ଯାହା ଫଳରେ ରୋଗୀ ରାସ୍ତାରେ ମୃତ୍ୟୁ ବରଣ କରୁଛନ୍ତି। ଖୋଦ ରାଜଧାନୀ ଭୁବନେଶ୍ବରରେ ଡାକ୍ତରଖାନାରେ କୌଣସି ସହାୟତା ନ ପାଇ ଜଣେ ଗରିବ ମହିଳା ରାସ୍ତା କଡରେ ଛୁଆ ଜନ୍ମ କରୁଛନ୍ତି। ଏ ପ୍ରକାର ଖବର ରାଜ୍ୟ ସରକାରଙ୍କ ସବୁ ଭଲ ଉଦ୍ଦେଶ୍ୟକୁ ପାଣି ଫଟେଇ ଦେଉଛି।
ଗତ ଶୁକ୍ରବାର ଦିନ ସାଲିଆ ସାହିର ଜଣେ ଗର୍ଭବତୀ ମହିଳା ଭୁବନେଶ୍ୱର ସ୍ଥିତ ରାଜଧାନୀ ଡାକ୍ତରଖାନାକୁ ଆସିଥିଲେ। ହେଲେ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା ସହାୟତା ମିଳିନଥିଲା। ଡାକ୍ତରଖାନାରୁ ଫେରୁଥିବା ବେଳେ ସେ ଡାକ୍ତରଖାନା ପରିସରରେ ରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଏହି ଘଟଣାରେ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବେଲୁନରୁ ସବୁ ପବନ ଫୁସ ହୋଇ ଯାଇଛି। ଖୋଦ ରାଜଧାନୀରେ ଯଦି ପ୍ରାଥମିକ ସ୍ବାସ୍ଥ୍ୟସେବା ଯୋଗାଇଦେବାରେ ଆମର ସରକାରୀ ଡାକ୍ତରଖାନା ଗୁଡିକ ଅକ୍ଷମ, ତାହେଲେ ଦୁର୍ଗମ ଅଞ୍ଚଳରେ ସ୍ଥିତି ଏହାଠୁ ଖରାପ ଥିବ ନିଶ୍ଚୟ। ରାଜଧାନୀ ଡାକ୍ତରଖାନାରେ ପ୍ରସୂତି ଓ ମାତୃ ମଙ୍ଗଳ ବିଭାଗର ଅବ୍ୟବସ୍ଥାକୁ ନେଇ ଆଗରୁ ଅନେକ ରିପୋର୍ଟ ବାହାରିଛି। ଅନେକ ସମୟରେ ଡାକ୍ତର ଓ ଡାକ୍ତରଖାନା କର୍ମଚାରୀଙ୍କ ଅପବ୍ୟବହାରକୁ ନେଇ ଅଭିଯୋଗ ମଧ୍ୟ ଆସିଛି। ହେଲେ ଏହାର ସମାଧାନ ସମ୍ଭବ ହୋଇ ପାରୁନାହିଁ।
ତେବେ ଏକଥା ମଧ୍ୟ ସତ୍ୟ ଯେ ଡାକ୍ତରଖାନା ଗୁଡିକରେ ଆବଶ୍ୟକୀୟ ଭିତ୍ତିଭୂମି ଓ ଲୋକ ବଳର ଅଭାବ ରହିଛି। ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ପାରା ମେଡିକାଲ କର୍ମଚାରୀ ନଥିବାରୁ ଅଳ୍ପ କେତେଜଣ ଡାକ୍ତରଙ୍କ ଉପରେ ପ୍ରବଳ ମାନସିକ ବୋଝ ବଢୁଛି। ଏହାର ପ୍ରଭାବ ଡାକ୍ତରଙ୍କ ଆଚରଣ ଓ ବ୍ୟବହାର ଉପରେ ପଡୁଛି। ହେଲେ ଏହା ମୌଳିକ ସ୍ୱାସ୍ଥ୍ୟ ସେବାରୁ ଲୋକଙ୍କୁ ବଞ୍ଚିତ କରିବାର ଏକ କାରଣ ହୋଇ ନପାରେ। ଯେତିକି ଭିତ୍ତିଭୂମି ଓ ଲୋକବଳ ଅଛି ତାର ସଠିକ ପରିଚାଳନା ହୋଇ ପାରିଲେ ଅନେକ ସମସ୍ୟାର ସମାଧାନ ହୋଇଯିବ।
ତେବେ ଏହାର ସଠିକ ପରିଚାଳନା ଓ ସରକାରୀ ଅନୁଷ୍ଠାନଗୁଡିକରେ ଲୋକଙ୍କୁ ମାନବୀୟ ବ୍ୟବହାର ଦେଖାଇବାର ଦାୟିତ୍ଵ ସଚିବାଳୟରୁ ତୁଲାଇହେବ କି? ଥାନା, ଡାକ୍ତରଖାନା, ବ୍ଲକ ଓ ତହସିଲ ଅଫିସ ଭଳି ଲୋକଙ୍କ ଗତାଗତ ରହୁଥିବା ଅଫିସ ଗୁଡିକରେ କର୍ମଚାରୀମାନେ ଲୋକଙ୍କ ପ୍ରତି ସମ୍ମାନଜନକ ବ୍ୟବହାର ପ୍ରଦର୍ଶନ କରୁଛନ୍ତି କି? ଏହାର ସିଧା ଉତ୍ତର ହେବ-ନା। ଏବେ ମଧ୍ୟ ସରକାରୀ ଅଫିସ ଗୁଡିକ “ଜୀ ହଜୁର” ଅମଳର ମାନସିକତା ନେଇ ଚାଲିଛନ୍ତି। ଏହାକୁ ବଦଳାଇବା “ମୋ ସରକାର”ପାଇଁ ସବୁଠୁ ବଡ ଆହ୍ଵାନ। ଲୋକଙ୍କୁ ଭଲ ବ୍ୟବହାର ଦେଖାଇବା ଫାଇବ ଟି ଆଧାରରେ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ଲାଗି, ତଳସ୍ତରରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଛି।
କୌଣସି ଅଧିକାରୀ ବା ସରକାରୀ ଅନୁଷ୍ଠାନ ଚାହିଁଲେ ରାତାରାତି ଶାସନ ବ୍ୟବସ୍ଥା ବଦଳି ଯିବନାହିଁ। ଏଥି ପାଇଁ ଦୃଶ୍ୟ ଓ ଅଦୃଶ୍ୟ- ଦୁଇ ସ୍ତରରେ ସତର୍କତାର ଆବଶ୍ୟକତା ରହିଛି। ଉପରସ୍ତରର ଅଧିକାରୀଙ୍କ ଗସ୍ତ ସହିତ ସ୍ଵାଧୀନ ଭାବରେ କାମ କରୁଥିବା ନାଗରିକମାନଙ୍କ ଠାରୁ ଏ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାର ଆବଶ୍ୟକତା ରହିଛି। “ମୋ ସରକାର” ବ୍ୟବସ୍ଥାରେ ସ୍ଵାଧୀନ ଓ ନିରପେକ୍ଷ ପ୍ରସ୍ତାବ ପାଇବାକୁ ରାଜ୍ୟ ସରକାର ଏକ “ନାଗରିକ କମିଶନ ବା କମିଟି” କଥା ଚିନ୍ତା କରି ପାରନ୍ତି। ସେହିପରି ସୋସିଆଲ ମିଡିଆ ଓ ଗଣମାଧ୍ୟମ ଜରିଆରେ ବାସ୍ତବ ସ୍ଥିତି ପରଖିବାକୁ ଏକ ସ୍ଵତନ୍ତ୍ର ବୈଷୟିକ ବ୍ୟବସ୍ଥା ତିଆରି କରିବା ଜରୁରୀ।
ହୁଏତ ଅଧିକାରୀଙ୍କୁ ଦେଖି ଲୋକେ ସବୁ ଠିକ ଚାଲିଛି ବୋଲି କହି ଦେବେ, କିନ୍ତୁ ତାହା ଏକମାତ୍ର ସତ୍ୟ ନ ହୋଇ ନ ପାରେ। ତେଣୁ ଭିନ୍ନ ସ୍ତରରୁ ଓ ବିବିଧ ଗୋଷ୍ଠୀରୁ ଏ ସଙ୍କ୍ରାନ୍ତରେ ମତାମତ ନେଇ କାମ କରିବା ଜରୁରୀ। ସରକାର ଯେତେ ଭଲ କାମ କଲେ ମଧ୍ୟ ଯଦି ରାଜଧାନୀ ଡାକ୍ତରଖାନାରେ ଗତ ଶୁକ୍ରବାର ଭଳି ଘଟନା ଘଟେ, ତାହେଲେ ସବୁ ତପସ୍ୟା ଶୁଖୁଆ ପୋଡାରେ ହିଁ ଯିବ!!
ପଢନ୍ତୁ- ଓଡିଶା ଶାସନରେ ‘ଫାଇଭ-ଟି’ ଓ ‘ୱାନ-ପି’ ର ପ୍ରଭାବ