Categories
ଆଜିର ଖବର

ପ୍ରଥମ ପର୍ଯ୍ୟାୟ ନିର୍ବାଚନ : ୪ ଲୋକସଭା ଏବଂ ୨୮ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଶାନ୍ତିପୂର୍ଣ୍ଣ ଭାବେ ମତଦାନ ପାଇଁ ପୁଲିସ ଏବଂ ପ୍ରଶାସନ ପକ୍ଷରୁ ବୁଥ୍‌ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଥମ ପର୍ୟ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି। ଏଥିସହ କଳାହାଣ୍ଡି ଲୋକସଭା ଅନ୍ତର୍ଗତ ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଓ ନର୍ଲା ବିଧାନସଭା ଆସନ, ନବରଙ୍ଗପୁର ଲୋକସଭା ଅନ୍ତର୍ଗତ ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା ବିଧାନସଭା, ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି ଏବଂ କୋରାପୁଟ ଲୋକସଭା ଅନ୍ତର୍ଗତ ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ ଓ ପଟାଙ୍ଗୀ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ଲୋକସଭା ପାଇଁ ୨୬ ଏବଂ ବିଧାନସଭା ପାଇଁ ୧୯୧ ଜଣ ପ୍ରାର୍ଥୀ ନିର୍ବାଚନମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଏହି ସମସ୍ତ ନିର୍ବାଚନମଣ୍ଡଳୀର ଭୋଟରମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ନକ୍ସଲ ପ୍ରଭାବିତ ଏବଂ ଦୁର୍ଗମ ଅଞ୍ଚଳରେ ସକାଳ ୭ଟାରୁ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ୬୦ଲକ୍ଷ ୩ ହଜାର ୭୦୭ ଭୋଟର ମତଦାନ କରିବେ। ସେମାନଙ୍କ ମଧ୍ୟରେ ୨୯ଲକ୍ଷ ୭୨ହଜାର ୯୨୫ଜଣ ପୁରୁଷ ଭୋଟର ଥିବା ବେଳେ ୩୦ଲକ୍ଷ ୩୦ହଜାର୨୨୨ ମହିଳା ଓ ୫୬୦ ଜଣ ତୃତୀୟ ଲିଙ୍ଗର ଭୋଟର ଅଛନ୍ତି। ମତଦାନ ପାଇଁ ୭୨୩୩ ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି। ସେଥିମଧ୍ୟରୁ ୨୩୭୫ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି।