Categories
ଆଜିର ଖବର

୯୧ ଲୋକସଭା ଆସନ ପାଇଁ ଭୋଟଗ୍ରହଣ : ରେକର୍ଡ ସଂଖ୍ୟାରେ ଭୋଟଦାନ ପାଇଁ ମୋଦିଙ୍କ ଆହ୍ବାନ

ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୨୦ଟି ରାଜ୍ୟର ୯୧ ଲୋକସଭା ଆସନରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି। ଏହି ରାଜ୍ୟଗୁଡ଼ିକ ମଧ୍ୟରୁ ଆନ୍ଧ୍ରପ୍ରଦେଶ, ସିକ୍କିମ ଏବଂ ଓଡ଼ିଶାରେ ଲୋକସଭା ସମେତ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଉଛି। ପ୍ରଥମ ପର୍ଯ୍ୟାୟରେ ଦେଶରେ ମୋଟ ୧୪ କୋଟି ୨୦ ଲକ୍ଷ ଭୋଟର ମତଦାନ କରିବା ସହ ୧୨୭୯ ଲୋକସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ଭୋଟଗ୍ରହଣ ପାଇଁ ୧ ଲକ୍ଷ ୭୦ ହଜାର ୬୬୪ ବୁଥ କରାଯାଇଛି। ମତଦାନ ଆରମ୍ଭ ହେବା କ୍ଷଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବହୁ ସଂଖ୍ୟାରେ ଭୋଟର ବିଶେଷ କରି ନୂଆ ଭୋଟର ମାନଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି। ଟ୍ବିଟ୍‌ କରି ମୋଦି କହିଛନ୍ତି, ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଲୋକମାନେ ରେକର୍ଡ ସଂଖ୍ୟକ ଭୋଟଦାନ କରନ୍ତୁ। ନାଗପୁରର ବୁଥ୍‌ ନଂ ୨୧୬ରେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଏବଂ ବିଜେପିର ବରିଷ୍ଠ କର୍ମୀ ସୁରେଶ ଯୋଶୀ ପ୍ରଥମେ ଭୋଟ ଦେଇଛନ୍ତି। ସେହିପରି ଭାଗବତ ଭୋଟରଙ୍କୁ ନୋଟାରୁ ଦୂରେଇ ରହିବା ପାଇଁ ନିବେଦନ କରିଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ତାଙ୍କ ପରିବାର, ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀ, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଏବଂ ରମେଶ ପୋଖରିୟାଲ ମଧ୍ୟ ସକାଳୁ ସକାଳୁ ମତଦାନ କରିଥିବା ଦେଖାଯାଇଛି। ବିଭିନ୍ନ ଅଞ୍ଚଳରେ ସକାଳୁ ଭୋଟରମାନେ ପୋଲିଂ ବୁଥ ନିକଟରେ ଧାଡ଼ିବାନ୍ଧି ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।