ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆଜି ସକାଳୁ ଆରମ୍ଭ ହୋଇଛି। ସକାଳ ୫.୩୦ ରେ ମକ୍ ପୋଲ ପରେ ୭ ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି। ଏହି ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଏବଂ ଏହି ସମସ୍ତ ଲୋକସଭା ଅନ୍ତର୍ଗତ ୩୫ ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ସମୁଦାୟ ୭୬ ଲକ୍ଷ ୯୩ ହଜାର ୧୨୩ ମତଦାତା ନିଜର ମତ ସାବ୍ୟସ୍ତ କରିବେ। ୯୧୧୭ ଟି ବୁଥରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଭୋଟରଙ୍କ ମଧ୍ୟରେ ୩୯ ଲକ୍ଷ ୪୫ ହଜାର ୦୨୫ ଗଣ ପୁରୁଷ ରହିଥିବା ବେଳେ ୩୭ ଲକ୍ଷ ୪୭ ହଜାର ୪୯୩ ଜଣ ମହିଳା ଭୋଟର ରହିଛନ୍ତି। ୬୦୫ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି। ୩୫ ବିଧାନସଭା ପାଇଁ ୨୪୪ ଜଣ ପ୍ରାର୍ଥୀ ରହିଥିବା ବେଳେ ୫ଟି ଲୋକସଭା ଆସନ ପାଇଁ ୩୫ ଜଣ ପ୍ରାର୍ଥୀ ରହିଛନ୍ତି। ବରଗଡ଼,ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଏବଂ ଆସ୍କାରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଉଛି।
Tag: voting
କେଦାର ମିଶ୍ର
ଓଡିଶାରେ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଛି। କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ତଥା ଏହାର ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ଭୋଟର ମାନେ ନିଜର ମନପସନ୍ଦ ପ୍ରତିନିଧି ବାଛି ସାରିଛନ୍ତି। ଏବେ ପରୀକ୍ଷା ସରିଛି, ମଇ ୨୩ ତାରିଖରେ ଫଳ ବାହାରିବ। ତେବେ ନିର୍ବାଚନ ପରେ ପରେ ରାଜନୈତିକ ଦଳ ଗୁଡିକ ନିଜ ନିଜର ସଫଳତାର କାହାଣୀ କହିବା ଆରମ୍ଭ କରନ୍ତି। ପ୍ରଥମ ପର୍ଯ୍ୟାୟର ଫଳାଫଳ ବିଜେଡି, କଂଗ୍ରେସ ଓ ବିଜେଡି ନିଜ ନିଜ ପକ୍ଷରେ ଘୋଷଣା କରି ସାରିଛନ୍ତି। ବିଜୁ ଜନତା ଦଳ ୪ ଟି ଯାକ ଲୋକସଭା ଓ ୨୫ ଟି ବିଧାନସଭା ଆସନ ଜିଣିବ ବୋଲି କହିଛି। କଂଗ୍ରେସ ତିନୋଟି ଲୋକସଭା ଓ ୨୦ ବିଧାନସଭାର ଆକଳନ ନିଜ ପକ୍ଷରେ ରଖିଛି। ସବୁଠୁ ବିଚିତ୍ର ଗଣିତ ରଖିଛି ଭାରତୀୟ ଜନତା ପାର୍ଟି। ଦଳର ଉପ ସଭାପତି ସମୀର ମହାନ୍ତି କହିଛନ୍ତି, ଲୋକସଭାର ଚାରୋଟି ଯାକ ଆସନ ଆମେ ଜିତିବୁ ଓ ବିଧାନସଭାରେ ପ୍ରାୟ ଅଧା ଆସନ ଜିଣିବୁ। ତା ଅର୍ଥ ହେଉଛି ବିଧାନସଭାରେ ବିଜେପି ୨୮ ରୁ ୧୪/୧୫ ଆସନ ଆଶା କରୁଛି। ଏଥିରୁ ଆମେ ବୁଝିବା ଉଚିତ ହେବ ଯେ ବିଜେପି ଏବେ ଆଉ ନିଜର ମିଶନ ୧୨୦+ କୁ ଭୁଲି ଯାଇଛି ? ସେହିପରି ବିଧାନସଭା ଆସନରେ ହାରିଲେ ଲୋକସଭାରେ ଜିତିବାର ସମ୍ଭାବନା ବହୁତ କମ ଥାଏ ବୋଲି ବିଜେପି ଜାଣିଥିବ ନିଶ୍ଚୟ!
ନିର୍ବାଚନ ପରେ ହାର ଜିତ କୁ ନେଇ ରାଜନୈତିକ ଦଳମାନେ ଯେଉଁ ଆକଳନ ପ୍ରସ୍ତୁତ କରିଥାନ୍ତି, ତାହା ଉପରେ କେହି ବିଶ୍ଵାସ କରନ୍ତି ନାଇଁ। ଚାରୋଟି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନରେ ବିଭିନ୍ନ ଦଳର ଆକଳନ ପରବର୍ତ୍ତୀ ପର୍ଯ୍ୟାୟଗୁଡିକ ଉପରେ ବେଶ ପ୍ରଭାବ ପକାଇବ। ହାର ଜିତ ର ସତ୍ୟତା ଅପେକ୍ଷା ତାକୁ ନେଇ କଲ୍ପନା ଜଳ୍ପନା ଗୋଟେ ବଡ ଭୂମିକା ନେଇଥାଏ। ପ୍ରଥମ ପର୍ଯ୍ୟାୟର ମାନସିକ ଚାପ ଦ୍ଵିତୀୟ ପର୍ଯ୍ୟାୟକୁ ସମ୍ପ୍ରସାରିତ ହୋଇଥାଏ। ତେଣୁ ବିଜୟର ଅଙ୍କ ପ୍ରସ୍ତୁତ କଲାବେଳେ ରାଜନୈତିକ ଦଳ ଗୁଡିକ ନିଜ ଅଙ୍କକୁ ସଠିକ ଭାବରେ ପରଖିନେବା ଉଚିତ। ରାଜନୈତିକ ଦଳ ଗୁଡିକ ଯାହା ଆକଳନ କରନ୍ତି, ତାର ସତ୍ୟାସତ୍ୟ ଜାଣିବାକୁ ଆମେ ସାମ୍ବାଦିକମାନେ ଆହୁରି ଅନ୍ୟାନ୍ୟ ସୂତ୍ର ଉପରେ ଭରସା ରଖିଥାଉ। ଯଦିଓ ଫଳ ବାହାରିବା ପର୍ୟନ୍ତ କୌଣସି ବି ଭବିଷ୍ୟତବାଣୀ କରିବା ଠିକ ନୁହଁ, ତଥାପି ଏ ସମ୍ପର୍କରେ ଏକ ମୋଟାମୋଟି ଧାରଣା ଆମକୁ ମିଳିସାରିଛି।
ବିଭିନ୍ନ ଦଳର ନିଜସ୍ଵ ଘୋଷଣା, ସେମାନଙ୍କ କହିବାରେ ରହିଥିବା ଆତ୍ମବିଶ୍ଵାସ ଓ ଅନ୍ୟାନ୍ୟ ସୂତ୍ରର ସୂଚନାକୁ ମିଶେଇ ଆମେ ଭବିଷ୍ୟତର ଏକ ସଙ୍କେତ ପାଇ ଯାଇପାରିବା। ଏଠି ଗୋଟେ କାଳ୍ପନିକ ସ୍ଥିତି କଥା ବିଚାର କରନ୍ତୁ- ଯଦି ବିଜେପି ଚାରୋଟି ଲୋକସଭା ଆସନରେ ଜିତିବାର ଆତ୍ମବିଶ୍ଵାସ ରଖିଥାନ୍ତା, ତାହେଲେ ଦଳର ସୋସିଆଲ ମିଡିଆ ଓ ଟ୍ରୋଲ ଆଉ କାହାକୁ ବସେଇ ଉଠେଇ ଦିଅନ୍ତେ ନାହିଁ। ପ୍ରଥମ ପର୍ୟାୟ ଭୋଟ ଗ୍ରହଣ ପରେ ବିଜେପି ଅଧିକ କିଛି ଲୋକସଭା ଆସନ ପାଇବ ବୋଲି ଭାବୁଛି। ବିଧାନସଭାରେ ବିଜେପିର ବିଜୟକୁ ନେଇ ଦଳର ଦମ୍ଭ ସେତେ ବେଶୀ ଦିଶୁନାହିଁ।“ ରାଜ୍ୟରେ ଶଙ୍ଖ ଓ କେନ୍ଦ୍ରରେ ପଦ୍ମ” ବୋଲି କେତୋଟି ସ୍ଥାନରେ ଯେଉଁ ଜନରବ ଶୁଣାଯାଉଛି, ତାହା ବିଜେପିକୁ ବିଧାନସଭା କ୍ଷେତ୍ରରେ ଏକ ପ୍ରକାର ସଚେତନ କରି ଦେଇଛି। ସେଥିଲାଗି ବୋଧେ ବିଜେପି କହୁଛି ସେମାନେ ୨୮ ରୁ ୧୪ ବିଧାନସଭା ଆସନ ପାଇ ପାରନ୍ତି।
ଅପର ପକ୍ଷରେ ବିଜେଡି ନିଜ ଆକଳନକୁ ନେଇ ଅଧିକ ଆକ୍ରାମକ ଲାଗୁଛି। ପାରମ୍ପାରିକ ଭାବରେ ଏହି ଚାରୋଟି ଆସନରେ ବିଜେଡି ଓ କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା ହେବା କଥା। କିନ୍ତୁ କୋରାପୁଟ, ବ୍ରହ୍ମପୁର ଓ କଳାହାଣ୍ଡି ତିନୋଟି ଯାକ ଆସନରେ ଏବେ କଂଗ୍ରେସ ତୃତୀୟ ସ୍ଥାନକୁ ଖସିଆସିଥିବାର ସୂଚନା ମିଳୁଛି। କେବଳ ନବରଙ୍ଗପୁର ଆସନରେ ଏହାର ପ୍ରାର୍ଥୀ ପ୍ରଦୀପ ମାଝୀ କିଛିଟା ସମ୍ଭାବନା ବଜାୟ ରଖିଛନ୍ତି। କଳାହାଣ୍ଡିରେ ବିଜେପି ଓ ବିଜେଡି ମଧ୍ୟରେ କଡା ମୁକାବିଲାର ସଙ୍କେତ ରହିଛି। କଳାହାଣ୍ଡିର ବିଧାନସଭା ଆସନ ଗୁଡିକର ସ୍ଥିତି ଏତେ ବିଭାଜିତ ଯେ ସେଥିରେ ଯିଏ ବି ବିଜୟୀ ହେବ ତାଙ୍କର ଭୋଟ ବ୍ୟବଧାନ କମ ରହିବା ସ୍ଵାଭାବିକ।
ଗତ ନିର୍ବାଚନ ପରି ଏଥର ମଧ୍ୟ ମହିଳା ଭୋଟର ବହୁ ସଂଖ୍ୟାରେ ନିଜର ମତ ସାବ୍ୟସ୍ତ କରିଛନ୍ତି। ଅଧକ ସଂଖ୍ୟକ ଭୋଟଦାନ ହେବା ଓ ମହିଳା ଭୋଟର ଅଧିକ ଆସିବା, ବିଜେଡି କୁ ସୁହାଇପାରେ। ତେଣୁ ଦଳ ତରଫରୁ ୨୮ ରୁ ୨୫ ର ଦାବୀ ପ୍ରସ୍ତୁତ କରାଯାଉଛି। ତେବେ ଗତ ଥର ବିଜେଡି ଏ ସବୁ କ୍ଷେତ୍ରରେ ଯେତିକି ଆସନ ପାଇଥିଲା, ଏଥର ମଧ୍ୟ ସ୍ଥିତାବସ୍ଥା ବଜାୟ ରହିପାରେ। ତେବେ ଲୋକସଭା ଆସନରେ କଳାହାଣ୍ଡି ଓ ନବରଙ୍ଗପୁର ବିଜେଡି ଲାଗି ସହଜ ମନେ ହେଉନାହିଁ।
ସନ୍ଧ୍ୟା ୫ଟା ସୁଦ୍ଧା ୬୬ ପ୍ରତିଶତ ମତଦାନ
ଆଜି ସପ୍ତଦଶ ଲୋକସଭାର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଅବସରରେ ଓଡ଼ିଶାର ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଓ ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍ଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ସନ୍ଧ୍ୟା ୫ଟା ସୁଦ୍ଧା ପ୍ରାୟ ୬୬ ପ୍ରତିଶତ ମତଦାନ ହୋଇଛି। ମାତ୍ର ପୋଲିଂ ପାର୍ଟି ଫେରିବା ପରେ ପ୍ରକୃତ ତଥ୍ୟ ମିଳି ପାରିବ ବୋଲି ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୪ଟି ଲୋକସଭା ଆସନ କୋରାପୁଟ, ନବରଂଗପୁର, ବ୍ରହ୍ମପୁର ଏବଂ କଳାହାଣ୍ଡି ଲୋକସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆଜି ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସମ, ବିହାର, ଛତିଶଗଡ, ଜାମ୍ମୁ ଏବଂ କାଶ୍ମୀର, ମହାରାଷ୍ଟ୍ର, ମଣିପୁର, ମେଘାଲୟ, ମିଜୋରମ, ନାଗଲାଣ୍ଡ, ସିକିମ, ତେଲେଙ୍ଗାନା, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଆଣ୍ଡାମାନ ଓ ନିକୋବର ଦୀପପୁଂଜ ଏବଂ ଲାକ୍ଷାଦୀପରେ ମତଦାନ ଗ୍ରହଣ ହୋଇଛି।
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ ଜାରି ରହିଚି। ପୂର୍ବାହ୍ନ ୩ଟା ସୁଦ୍ଧା ୩୦ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ୫୭ ପ୍ରତିଶତ ମତଦାନ ହୋଇଛି। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଆଜି ୪ଟି ଲୋକସଭାରେ ୨୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ୨୮ ଟି ବିଧାନସଭା ଆସନରେ ୧୭୧ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ୨୪ ପୁରୁଷ ଓ ୨ ମହିଳା ପ୍ରାର୍ଥୀ ରହିଛନ୍ତି। ସେହିପରି ବିଧାନସଭା ଆସନରେ ୧୯୧ ପ୍ରାର୍ଥୀଙ୍କ ମଧ୍ୟରୁ ୧୭୫ ପୁରୁଷ ଓ ୧୬ ମହିଳା ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୬୦ ଲକ୍ଷ ୩ ହଜାର ୭୦୭ ଜଣ ମତଦାତା ନିଜର ମତ ସାବ୍ୟସ୍ତ କରିବେ। ସେଥି ମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୨୯ ଲକ୍ଷ ୭୨ ହଜାର ୯୨୫ ଏବଂ ମହିଳା ଭୋଟର ସଂଖ୍ୟା ୩୦ ଲକ୍ଷ ୩୦ ହଜାର ୨୨୨ ଅଛି। ତେବେ କେତେକ ସ୍ଥାନରେ ସାମାଜିକ ସମସ୍ୟାକୁ ନେଇ ଭୋଟ୍ ବର୍ଜନ କରାଯାଇଥିବାବେଳେ ଆଉ କେତେକ ସ୍ଥାନରେ ମାଓ ଧମକ ପାଇଁ ଭୋଟ୍ ଗ୍ରହଣ କରାଯାଇପାରୁନାହିଁ। ସେହିଭଳି ଭିଭିପାଟ୍ ସମସ୍ୟା ଜନିତ କେତେକ ସ୍ଥାନରେ ଭୋଟ୍ ଗ୍ରହଣରେ ମଧ୍ୟ ଅସୁବିଧା ହୋଇଥିଲା ବୋଲି ସୂଚନା ରହିଥିଲା।