Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ବଲିଉଡ୍‌ର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଓ୍ବାଜିଦ୍‌ ଖାନ୍‌ଙ୍କ ପରଲୋକ, କରୋନାରେ ଥିଲେ ସଂକ୍ରମିତ

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଓ୍ବାଜିଦ୍‌ ଖାନ୍‌ଙ୍କ ପରଲୋକ ହୋଇଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୋଲି ସୂଚନା ରହିଛି । ମୃତ୍ୟୁ ବେଳକୁ ତାଙ୍କୁ 42 ବର୍ଷ ବୟସ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି।  କୀଡିନ୍‌ ସଂକ୍ରମଣ ସହ ଏକାଧିକ ରୋଗରେ ପୀଡ଼ିତ ଥିଲେ ଓ୍ବାଜିଦ୍‌ । କିଛି ଦିନ ପୂର୍ବରୁ ଓ୍ବାଜିଦ୍‌ କରୋନାରେ ସଂକ୍ରମିତ ହୋଇଥିଲେ ବୋଲି ସୂଚନା ରହିଥିଲା । ତେବେ କରୋନା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥାଇପାରେ ବୋଲି ଚର୍ଚ୍ଚା ହେଉଥିବାବେଳେ କେଉଁ କାରଣ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି, ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଓ୍ବାଜିଦ୍‌ଙ୍କ ବିୟୋଗରେ ବଲିଉଡ୍‌ରେ ଶୋକର ଛାୟା ଖେଳି ଯାଇଛି।

ସାଜିଦ୍-ଓ୍ବାଜିଦ୍ ଯୋଡ଼ି ୧୯୯୮ରେ ବଲିଉଡ୍‌ ଅଭିନେତା ସଲ୍‌ମାନ୍‌ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ପ୍ୟାର୍‌ କିୟା ତୋ ଡର୍‌ନା କ୍ୟା’ରୁ କ୍ୟାରିୟର ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଏହି ଯୋଡି ‘ଚୋରି ଚୋରି’, ‘ହ୍ୟାଲୋ ବ୍ରର୍ଦର’, ମୁଝ୍‌ସେ ସାଦି କରୋଗୀ, ପାର୍ଟନର୍‌, ‘ଗର୍ବ ’ ‘ତେରେ ନାମ’, ‘ଦବଙ୍ଗ (ଓ୍ବାନ ଆଣ୍ଡ୍‌ ଟୁ)’, ‘ଓ୍ବାଣ୍ଟେଡ୍‌‌’, ‘ଏକ ଥା ଟାଇଗର୍’, ଦ କିଲର୍, ‘ଆୱାର୍’ ଭଳି ଅନେକ ଫିଲ୍ମରେ ହିଟ୍ ଗୀତ ଦେଇଛନ୍ତି ଏହି ଯୋଡ଼ି। ଶେଷଥର ପାଇଁ ଓ୍ବାଜିଦ୍‌ ସଲମାନ ଖାନ୍‌ଙ୍କ ‘ଭାଇ –ଭାଇ’ ଗୀତଟିକୁ ମଧ୍ୟ କମ୍ପୋଜ୍‌ କରିଥିଲ । ଓ୍ବାଜିଦ୍‌ ଖାନ୍‌ 2008ରେ ସଲମାନଙ୍କ ଫିଲ୍ମ ‘ପାର୍ଟନର୍‌’ରେ ଗୀତ ଗାଇବା ସହିତ ହୁଡ୍‌ ହୁଡ୍‌ ଦବଙ୍ଗ, ଚିନ୍‌ତା ତା ତା ଚିନ୍‌ତା ଓ ଫେଭିକଲ୍‌ ପରି ଲୋକପ୍ରିୟ ଆଇଟମ୍‌ ଗୀତ ଗାଇଥିଲେ ।

ବଲିଉଡ୍‌ର ଜଣେ ଲୋକପ୍ରିୟ ଗାୟକଙ୍କ ବିୟୋଗ ଯୋଗୁଁ ବଲିଉଡ୍‌ ସ୍ତବ୍ଧ ହୋଇଛନ୍ତି । ଓ୍ବାଜିଦ୍‌ଙ୍କ ବିୟୋଗରେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ହର୍ଷଦୀପ କୌର୍‌,  ସଙ୍ଗୀତକାର ସଲିମ୍‌ ମର୍ଚ୍ଚାଣ୍ଟ, ବରୁଣ ଧଓ୍ବନ, କୁମାର ସାନୁ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି । (ଏଜେନ୍ସି)