Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଣିପୁର ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ୩ ହଜାର କୋଟି ଟଙ୍କା ବ୍ୟୟ ବରାଦ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ମଣିପୁର ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ସେ କହିଛନ୍ତି ଯେ ସାରା ଦେଶ ଏବେ କୋଭିଡ-୧୯ ବିରୋଧରେ ନିରନ୍ତର ଲଢେଇ ଜାରି ରଖିଥିବାବେଳେ ପୂର୍ବ ଏବଂ ଉତ୍ତରପୂର୍ବ ଭାରତ ଦ୍ୱୈତ ଆହ୍ୱାନର ସମ୍ମୁଖୀନ ହୋଇଛି । କରୋନା ସହିତ ଏବେ ଏ ଅଞ୍ଚଳରେ ବର୍ଷା ଓ ବନ୍ୟା ବିତ୍ପାତ ଦେଖାଦେଇଛି । ବନ୍ୟା ଓ ବର୍ଷା ଫଳରେ ଅନେକ ଲୋକ ବାସହୀନ ହେଉଥିବାବେଳେ ବିଭିନ୍ନ ସ୍ଥାନରେ ଜୀବନହାନୀ ମଧ୍ୟ ଘଟୁଛି ।

ଜଳଯୋଗାଣ ପ୍ରକଳ୍ପ ସଂପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୩ ହଜାର କୋଟି ଟଙ୍କା ବ୍ୟୟରେ କାଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟର ଜଳସଂକଟ ଦୂର ହେବ । ଏହାଦ୍ୱାରା ମହିଳାମାନେ ବିଶେଷଭାବେ ଉପକୃତ ହେବେ ଏବଂ ସେମାନଙ୍କୁ ଜଳ ଚିନ୍ତାରୁ ବଡ ଆଶ୍ୱସ୍ତି ମିଳିବ। ମୋଦୀ କହିଛନ୍ତି ଯେ ଗ୍ରେଟର ଇମ୍ଫାଲ ସହରକୁ ଜଳଯୋଗାଣ ସହିତ ଏହି ଯୋଜନାରେ ରାଜ୍ୟର ୨୫ଟି କ୍ଷୁଦ୍ର ସହର ଏବଂ ୧୭୦୦ ଗ୍ରାମକୁ ପାନୀୟ ଜଳଯୋଗାଣ ସୁବିଧା ଯୋଗାଇ ଦିଆଯିବ । ଆସନ୍ତା ୨୦ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପର ଡିଜାଇନ ପ୍ରସ୍ତୁତ କରାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ନିୟୁତ ନିୟୁତ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳର ସୁବିଧା ନିଜ ଘରେ ମିଳିବ ଏବଂ ଏହାଦ୍ୱାରା ହଜାର ହଜାର ଲୋକ ନିଯୁକ୍ତି ସୁବିଧା ପାଇବେ ।