Categories
ଜାତୀୟ ଖବର ବିଶେଷ ଖବର

ଶେଷ ହେଲା ସଂସଦର ଶୀତ ଅଧିବେଶନ: ଲୋକସଭାର ୨୦ଟି ଓ ରାଜ୍ୟସଭାର ୧୯ଟି ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ୨୦୨୪, ଯାହାକି ୨୫ ନଭେମ୍ବର ୨୦୨୪ରେ ଆରମ୍ଭ ହୋଇଥିଲା, ଶୁକ୍ରବାର ୨୦ ଡିସେମ୍ବର ୨୦୨୪ରେ ସମାପ୍ତ ହୋଇଛି । ମୋଟ ୨୬ ଦିନବ୍ୟାପୀ ଚାଲିଥିବା ଏହି ଅଧିବେଶନରେ ଲୋକସଭାରେ ମୋଟ ୨୦ଟି ବୈଠକ ଅନୁଷ୍ଠିତ ଥିବାବେଳେ ରାଜ୍ୟସଭାରେ ୧୯ଟି ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ଅଧିବେଶନରେ ଲୋକସଭାରେ ୦୫ଟି ବିଧେୟକ ଆଗତ ହୋଇଥିବାବେଳେ , ଲୋକସଭାରେ ୦୪ଟି ଏବଂ ରାଜ୍ୟସଭାରେ ୦୩ଟି ବିଧେୟକ ଗୃହୀତ ହୋଇଥିଲା। ଏହି ଅଧିବେଶନରେ ‘ଭାରତୀୟ ବାୟୁଯାନ ବିଧେୟକ, ୨୦୨୪’ ନାମକ ଏକ ବିଧେୟକ ଉଭୟ ଗୃହରେ ଗୃହୀତ ହୋଇଥିଲା। ଏୟାରକ୍ରାଫ୍ଟ ଆକ୍ଟ, ୧୯୩୪ରେ ବିଭିନ୍ନ ସମୟରେ ହୋଇଥିବା ସଂଶୋଧନ ମାଧ୍ୟମରେ କରାଯାଇଥିବା ସାମିଲ / ବାଦ / ବିଲୋପ ଯୋଗୁଁ ସୃଷ୍ଟି ହୋଇଥିବା ଅସ୍ପଷ୍ଟତା ଦୂର କରିବା ପାଇଁ ଏୟାରକ୍ରାଫ୍ଟ ଆକ୍ଟକୁ ପୁନଃ ପ୍ରଣୟନ କରିବାକୁ ଏହି ବିଧେୟକର ଲକ୍ଷ୍ୟ ରହିଛି।

ଆମ ଦେଶ ୨୬ ନଭେମ୍ବର, ୨୦୨୪ରେ ଏକ ଐତିହାସିକ ମାଇଲଖୁଣ୍ଟ ପାଳନ କରିଥିଲା, ଯାହା ଥିଲ ଆମ ସମ୍ବିଧାନ ପ୍ରଣୟନର ୭୫ତମ ବାର୍ଷିକୀ ପାଳନ । ଏହି ଉପଲକ୍ଷେ ୪ଟି ବିଷୟରେ ଏକବର୍ଷ ବ୍ଯାପୀ ଉତ୍ସବ ପାଳନର ଶୁଭାରମ୍ଭ କରାଯାଇଥିଲା-ସମ୍ବିଧାନର ପ୍ରସ୍ତାବନା, ନିଜ ସମ୍ବିଧାନକୁ ଜାଣନ୍ତୁ, ସମ୍ବିଧାନର ନିର୍ମାଣ ଓ ଉକ୍ତ ଗୌରବମୟ ଦିନର ପାଳନ। ଏହି ଉପଲକ୍ଷେ ନଭେମ୍ବର ୨୬, ୨୦୨୪ରେ ସମ୍ବିଧାନ ଗୃହର ସେଣ୍ଟ୍ରାଲ ହଲରେ ଏକ ସ୍ୱତନ୍ତ୍ର ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଭାରତର ଉପରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା “ଭାରତର ସମ୍ବିଧାନର ନିର୍ମାଣ ଏବଂ ଏହାର ଗୌରବମୟ ଯାତ୍ରା” ଏବଂ “ଭାରତର ସମ୍ବିଧାନର ନିର୍ମାଣ: ଏକ ଝଲକ” ଶୀର୍ଷକ ଦୁଇଟି ପୁସ୍ତକ ଉନ୍ମୋଚନ କରାଯିବା ସହିତ ଏକ ସ୍ମାରକୀ ମୁଦ୍ରା ଏବଂ ଡାକ ଟିକଟ ଉନ୍ମୋଚନ କରାଯାଇଥିଲା ।  ପ୍ରଧାନମନ୍ତ୍ରୀ, ଲୋକସଭା ବାଚସ୍ପତି, କେନ୍ଦ୍ରମନ୍ତ୍ରୀ, ବିରୋଧୀ ଦଳ ନେତା, ଉଭୟ ଗୃହର ସାଂସଦ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ସମ୍ବିଧାନର ପ୍ରସ୍ତାବନା ପଢ଼ିବାରେ ସମଗ୍ର ବିଶ୍ୱରେ ଥିବା ଭାରତୀୟମାନେ ରାଷ୍ଟ୍ରପତିଙ୍କ ସହ ସାମିଲ ହୋଇଥିଲେ।

ସମ୍ବିଧାନ ଗୃହୀତ ହେବାର ୭୫ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଡିସେମ୍ବର ୧୩ ଓ ୧୪ ତାରିଖରେ ଲୋକସଭାରେ ଏବଂ ଡିସେମ୍ବର ୧୬ ଓ ୧୭ ତାରିଖରେ ରାଜ୍ୟସଭାରେ ‘ଭାରତୀୟ ସମ୍ବିଧାନର ୭୫ ବର୍ଷର ଗୌରବମୟ ଯାତ୍ରା’ ଶୀର୍ଷକ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଲୋକସଭାରେ ହୋଇଥିବା ଆଲୋଚନାଟି ୧୫ ଘଣ୍ଟା ୪୩ ମିନିଟ୍ ଧରି ଚାଲିଥିଲା, ଯେଉଁଥିରେ ୬୨ ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ଏହାର ଉତ୍ତର ରଖିଥିଲେ। ରାଜ୍ୟସଭାରେ ଏହି ଆଲୋଚନା ସମୁଦାୟ ୧୭ ଘଣ୍ଟା ୪୧ ମିନିଟ୍ ଧରି ଚାଲିଥିଲା, ଯେଉଁଥିରେ ୮୦ ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ ଏବଂ ଗୃହମନ୍ତ୍ରୀ ଏହାର ଉତ୍ତର ରଖିଥିଲେ।

୨୦୨୪-୨୫ ପାଇଁ ଅତିରିକ୍ତ ଅନୁଦାନ ଦାବିର ପ୍ରଥମ ବ୍ୟାଚ୍ ଉପରେ ଆଲୋଚନା କରାଯାଇ ସମ୍ପୂର୍ଣ୍ଣ ମତଦାନ କରାଯାଇଥିଲା ଏବଂ ୧୭.୧୨.୨୦୨୪ରେ ସଂପର୍କିତ ବିନିଯୋଗ ବିଧେୟକ ଲୋକସଭାରେ ଆଗତ ହୋଇ ପ୍ରାୟ ୦୭ ଘଣ୍ଟା ୨୧ ମିନିଟର ବିତର୍କ ପରେ ପାରିତ ହୋଇଥିଲା।

ଦୁଇଟି ଐତିହାସିକ ବିଧେୟକ ଯଥା (କ) ସମ୍ବିଧାନ (ଶହେ ଅଣତ୍ରିଶତମ) ସଂଶୋଧନ ବିଧେୟକ, ୨୦୨୪ ଏବଂ (ଖ) କେନ୍ଦ୍ରଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଧେୟକ, ୨୦୨୪, ଯାହାକି “ଏକ ରାଷ୍ଟ୍ର, ଗୋଟିଏ ନିର୍ବାଚନ” ପରିକଳ୍ପନାକୁ ସାକାର କରିବା ଉଦ୍ଦେଶ୍ୟରେ ଲୋକସଭା ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭାଗୁଡ଼ିକର ଏକକାଳୀନ ନିର୍ବାଚନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ, ୨୦୨୪ ଡିସେମ୍ବର ୧୭, ୨୦୨୪ ଲୋକସଭାରେ ଆଗତ କରାଯାଇଥିଲା ଓ ତାହାକୁ ଏବଂ ଡିସେମ୍ବର ୨୦, ୨୦୨୪ରେ ଯୁଗ୍ମ ସଂସଦୀୟ କମିଟିକୁ ପଠାଯାଇଥିଲା।

ଲୋକସଭାରେ ଉପସ୍ଥାପିତ ବିଧେୟକ, ଲୋକସଭା/ରାଜ୍ୟସଭାରେ ପାରିତ ବିଧେୟକ ଏବଂ ଉଭୟ ଗୃହରେ ପାରିତ ବିଧେୟକ ଗୁଡ଼ିକର ତାଲିକା ଅନୁବନ୍ଧରେ ଦିଆଯାଇଛି। ଏହି ଅଧିବେଶନରେ ଲୋକସଭାର ଉତ୍ପାଦକତା ପ୍ରାୟ ୫୪.୫ ପ୍ରତିଶତ ଥିବା ବେଳେ ରାଜ୍ୟସଭାରେ ଏହା ପ୍ରାୟ ୪୦ ପ୍ରତିଶତ ରହିଛି।

ଅଷ୍ଟାଦଶ ଲୋକସଭାର ତୃତୀୟ ଅଧିବେଶନ ରାଜ୍ୟସଭାର ୨୬୬ତମ ଅଧିବେଶନ ସମୟରେ ହୋଇଥିବା ବିଧାନ କାର୍ଯ୍ୟ :

 

ଲୋକସଭାରେ ଆଗତ ବିଧେୟକ

କ. ଉପକୂଳ ଜାହାଜ ଚଳାଚଳ ବିଧେୟକ, ୨୦୨୪

ଖ. ମର୍ଚଣ୍ଟ ସିପିଂ ବିଧେୟକ, ୨୦୨୪

ଗ. ସମ୍ବିଧାନ (ଶହେ ଅଣତ୍ରିଶତମ ସଂଶୋଧନ) ବିଧେୟକ, ୨୦୨୪

ଘ. କେନ୍ଦ୍ର ଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଧେୟକ, ୨୦୨୪

ଙ. ବିନିଯୋଗ (ନଂ.୩) ବିଧେୟକ, ୨୦୨୪

ସଂସଦୀୟ ଯୁଗ୍ମ କମିଟିକୁ ପଠାଯାଇଥିବା ବିଧେୟକ

କ. ସମ୍ବିଧାନ (ଶହେ ଅଣତ୍ରିଶତମ ସଂଶୋଧନ) ବିଧେୟକ, ୨୦୨୪

ଖ. କେନ୍ଦ୍ର ଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଧେୟକ, ୨୦୨୪

ଲୋକସଭାରେ ପାରିତ ହୋଇଥିବା ବିଧେୟକ

କ. ବ୍ୟାଙ୍କିଂ ଆଇନ (ସଂଶୋଧନ) ବିଧେୟକ, ୨୦୨୪

ଖ. ରେଳବାଇ (ସଂଶୋଧନ) ବିଧେୟକ, ୨୦୨୪

ଗ. ବିପର୍ଯ୍ୟୟ ପରିଚାଳନା (ସଂଶୋଧନ) ବିଧେୟକ, ୨୦୨୪

ଘ. ବିନିଯୋଗ (ନଂ.୩) ବିଧେୟକ, ୨୦୨୪

ରାଜ୍ୟସଭାରେ ପାରିତ ହୋଇଥିବା ବିଧେୟକ

କ. ତୈଳ କ୍ଷେତ୍ର (ନିୟନ୍ତ୍ରଣ ଏବଂ ବିକାଶ) ସଂଶୋଧନ ବିଧେୟକ, ୨୦୨୪

ଖ. ଭାରତୀୟ ବାୟୁଯାନ ବିଧେୟକ, ୨୦୨୪

ଗ. ବଏଲର୍ସ ବିଲ୍, ୨୦୨୪

ସଂସଦର ଉଭୟ ଗୃହରେ ପାରିତ ବିଧେୟକ

କ. ଭାରତୀୟ ବାୟୁଯାନ ବିଧେୟକ, ୨୦୨୪

Categories
ଆଜିର ଖବର ଜାତୀୟ ଖବର

ହ୍ଵିପ ସତ୍ତ୍ୱେ ଭୋଟିଂରେ ଅନୁପସ୍ଥିତ ରହିଲେ ୨୦ ରୁ ଅଧିକ ବିଜେପି ସାଂସଦ: ନୋଟିସ୍ ପଠାଇବ ଦଳ

ନୂଆଦିଲ୍ଲୀ: ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ ବିଲ୍ ଆଜି ସଂସଦରେ ଉପସ୍ଥାପିତ ହୋଇଛି। ଏହାପୂର୍ବରୁ ଭାରତୀୟ ଜନତା ପାର୍ଟି ଏହାର ସାଂସଦମାନଙ୍କୁ ହ୍ଵିପ ଜାରି କରି ସେମାନଙ୍କୁ ଉପସ୍ଥିତ ରହିବାକୁ କହିଥିଲା। ଏହା ସତ୍ତ୍ୱେ ୨୦ ରୁ ଅଧିକ ସାଂସଦ ଅନୁପସ୍ଥିତ ରହିଥିଲେ। ଏବେ ବିଜେପି ସେମାନଙ୍କଠାରୁ ଜବାବ ମାଗିବ। ହ୍ଵିପ ଜାରି କରାଯିବା ପରେ ମଧ୍ୟ ଅନୁପସ୍ଥିତିରେ ଦଳ ଅସନ୍ତୁଷ୍ଟ। ଭୋଟ୍ ଦେବା ସମୟରେ ସାଂସଦମାନେ ଉପସ୍ଥିତ ନଥିଲେ।

ଏହାପୂର୍ବରୁ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ପାଇଁ ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଥିଲେ। ଆଇନ ମନ୍ତ୍ରୀ ସମ୍ବିଧାନ ବିଲ୍, ୨୦୨୪ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଲ୍, ୨୦୨୪ ଲୋକସଭାରେ ଉପସ୍ଥାପନ କରିବାକୁ ପ୍ରସ୍ତାବ ଦେଇଥିଲେ। ୨୬୯ ​​ସଦସ୍ୟ ଏହାର ସପକ୍ଷରେ ଏବଂ ୧୯୮ ଜଣ ଏହା ବିରୋଧରେ ଭୋଟ ଦେଇଥିଲେ। ଏହି ବିଲ୍ ଆଗତ ହେବା ପରେ କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ତୃଣମୂଳ କଂଗ୍ରେସର ସାଂସଦମାନେ କଡା ଆକ୍ରମଣ କରିଥିଲେ।

ଉଭୟ ଶାସକ ଭାରତୀୟ ଜନତା ପାର୍ଟି ଏବଂ ମୁଖ୍ୟ ବିରୋଧୀ ଭାରତୀୟ ଜାତୀୟ କଂଗ୍ରେସ (INC) ଏହି ବିଲ୍ ଆଗତ ହେବା ପୂର୍ବରୁ ସେମାନଙ୍କ ସମସ୍ତ ସାଂସଦଙ୍କୁ ହ୍ଵିପ ଜାରି କରିଥିଲେ। ବିଜେପି ବ୍ୟତୀତ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏବଂ ଶିବସେନା (ସିନ୍ଦେ ଦଳ) ସମେତ ଏହାର ସହଯୋଗୀମାନେ ମଧ୍ୟ ସେମାନଙ୍କ ସାଂସଦମାନଙ୍କୁ ହ୍ଵିପ ଜାରି କରିଥିଲେ।

ସାଂସଦଙ୍କ ଉପସ୍ଥିତି କାହିଁକି ଆବଶ୍ୟକ ଥିଲା?:

ନିୟମ ଅନୁଯାୟୀ, ସମ୍ବିଧାନର ଏହି ସଂଶୋଧନଗୁଡ଼ିକରେ ଉପସ୍ଥିତ ଥିବା ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ଏବଂ ଲୋକସଭାରେ ଭୋଟ୍ ଗ୍ରହଣ କରାଯିବା ଆବଶ୍ୟକ। ଆଜିର ଦିନକୁ ଏକ ଉଦାହରଣ ଭାବେ ଗ୍ରହଣ କରି କଂଗ୍ରେସ କହିଛି ଯେ, ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିବା ପାଇଁ ୪୬୧ ସଦସ୍ୟ ମତଦାନରେ ଅଂଶଗ୍ରହଣ କରିଥିଲେ। ଯଦି ଏହି ବିଲ୍ ପାସ୍ କରିବାକୁ ଏକ ଭୋଟ୍ ହୋଇଥାଆନ୍ତା, ତେବେ ସେହି ୪୬୧ ଜଣଙ୍କ ମଧ୍ୟରୁ ୩୦୭ ଜଣ ଏହାକୁ ସପକ୍ଷରେ ଭୋଟ୍ ଦେବାକୁ ପଡିବ, ମାତ୍ର ୨୬୯ ଜଣ ଭୋଟ୍ ଦେଇଥିଲେ। ଯାହାକୁ ନେଇ କଂଗ୍ରେସ କହିଥଲା ଯେ, ଏହି ବିଲ୍ ସମର୍ଥନ ମିଳିନାହିଁ … ଅନେକ ଦଳ ଏହା ବିରୁଦ୍ଧରେ କହିଛନ୍ତି।”

Categories
ଜାତୀୟ ଖବର ବିଶେଷ ଖବର

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଧେୟକକୁ ମିଳିଲା ମଞ୍ଜୁରୀ, ଶେଷ ଥର କେବେ ହୋଇଥିଲା ଏକକାଳୀନ ନିର୍ବାଚନ?

ନୂଆଦିଲ୍ଲୀ: ଆଜି କେନ୍ଦ୍ର କ୍ୟାବିନେଟ୍ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍ କୁ ଅନୁମୋଦନ କରିଛି। ସଂସଦର ଏହି ଶୀତକାଳୀନ ଅଧିବେଶନରେ ଏହି ବିଲ୍ ଆଗତ ହେବାର ସମ୍ଭାବନା ରହିଛି। ବିସ୍ତୃତ ଆଲୋଚନା ପାଇଁ ଏହି ବିଲ୍ ମିଳିତ ସଂସଦୀୟ କମିଟି (ଜେପିସି) କୁ ପଠାଯିବାର ସମ୍ଭାବନା ରହିଛି।

ଏକକାଳୀନ ନିର୍ବାଚନ ଆୟୋଜନ ପ୍ରସ୍ତାବ ଭାରତୀୟ ଜନତା ପାର୍ଟିର ୨୦୨୪ ନିର୍ବାଚନର ଏକ ଅଂଶ ଥିଲା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମର୍ଥନ ମିଳିଛି, କିନ୍ତୁ ଏହା ଗଣତାନ୍ତ୍ରିକ ଉତ୍ତରଦାୟିତ୍ୱକୁ କ୍ଷତି ପହଞ୍ଚାଇବ ବୋଲି ଅନେକ ରାଜନୈତିକ ଦଳ ଏବଂ କାର୍ଯ୍ୟକର୍ତ୍ତା ଦୃଢ ବିରୋଧ କରିଛନ୍ତି।

ସେପ୍ଟେମ୍ବରରେ ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟିର ସୁପାରିଶକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଥିଲା ​​ଯାହା ସମଗ୍ର ଭାରତରେ ଏକକାଳୀନ ନିର୍ବାଚନ ପାଇଁ ଆହ୍ଵାନ ଦେଇଥିଲା। ୧୮,୦୦୦ ପୃଷ୍ଠାର କୋବିନ୍ଦ ରିପୋର୍ଟରେ ଏକକାଳୀନ ନିର୍ବାଚନ କରିବା ପାଇଁ ରୂପରେଖ ପ୍ରସ୍ତୁତ କରଯାଇଥିଲା। ଯାହାର ଆରମ୍ଭ ପ୍ରଥମେ ଲୋକସଭା ଏବଂ ବିଧାନସଭା ଠାରୁ ହେବାର ଥିଲା। ଏହାପରେ ୧୦୦ ଦିନ ମଧ୍ୟରେ ସ୍ଥାନୀୟ ନିର୍ବାଚନ କରାଯିବାରଥିଲା।

ଭାରତରେ ଶେଷଥର ପାଇଁ ଏକକାଳୀନ ନିର୍ବାଚନ କେବେ ଅନୁଷ୍ଠିତ ହୋଇଥିଲା?:

୧୯୫୦ ରେ ଏକ ଗଣତନ୍ତ୍ର ହେବା ପରେ ୧୯୫୧ ରୁ ୧୯୬୭ ପର୍ଯ୍ୟନ୍ତ ଲୋକସଭା ଏବଂ ବିଧାନସଭା ପ୍ରତି ପାଞ୍ଚ ବର୍ଷରେ ଏକକାଳୀନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୧୯୫୨, ୧୯୫୭, ୧୯୬୨ ଏବଂ ୧୯୬୭ ରେ ଦେଶର ଭୋଟରମାନେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ପାଇଁ ଏକକାଳୀନ ଭୋଟ୍ ଦେଇଥିଲେ। ଅବଶ୍ୟ, ଏହି ପ୍ରକ୍ରିୟା ୧୯୬୮–୬୯ ରେ କିଛି ପୁରୁଣା ରାଜ୍ୟର ପୁନର୍ଗଠନ ଏବଂ ନୂତନ ରାଜ୍ୟଗୁଡ଼ିକର ଆବିର୍ଭାବ ସହିତ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା।

୧୯୮୩ ମସିହାରେ, ନିର୍ବାଚନ ଆୟୋଗ ଏହାର ବାର୍ଷିକ ରିପୋର୍ଟରେ ଏକକାଳୀନ ନିର୍ବାଚନ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ। ୧୯୯୯ ରେ ଆଇନ ଆୟୋଗର ରିପୋର୍ଟରେ ମଧ୍ୟ ଏହି ଅଭ୍ୟାସ ଉଲ୍ଲେଖ କରାଯାଇଥିଲା। ସୂଚନା ଅନୁଯାୟୀ, ଦକ୍ଷିଣ ଆଫ୍ରିକା, ସ୍ୱିଡେନ, ବେଲଜିୟମ, ଜର୍ମାନୀ, ଜାପାନ, ଇଣ୍ଡୋନେସିଆ ଏବଂ ଫିଲିପାଇନ୍ସ ଭଳି ଅନେକ ଦେଶରେ ଏକକାଳୀନ ନିର୍ବାଚନ ଅନୁଷ୍ଠିତ ହୁଏ।

Categories
ଆଜିର ଖବର ଜାତୀୟ ଖବର

ରାଜ୍ୟସଭାରୁ ଉଦ୍ଧାର ହେଲା “ନୋଟ୍ ବିଡ଼ା”: ବିରୋଧୀଙ୍କ ଉପରେ ବର୍ଷିଲେ ଜେପି ନଡ୍ଡା, ତଦନ୍ତ ଜାରି

ନୂଆଦିଲ୍ଲୀ: ଅଧ୍ୟକ୍ଷ ଜଗଦୀପ ଧନଖର ଗୃହକୁ ସୂଚନା ଦେଇଛନ୍ତି ଯେ, ଡିସେମ୍ବର ୨୦ ତାରିଖ ୨୦୨୪ ରେ ଗୃହ ମୁଲତବୀ ରଖିବା ପରେ ଚାମ୍ବରର ନିତ୍ୟ ବ୍ୟବହାର୍ଯ୍ୟ ଯାଞ୍ଚ ସମୟରେ ସଦସ୍ୟ ଅଭିଷେକ ମନୁ ସିଂଭିଙ୍କ ଆସନରେ ଏକ ନୋଟ ବିଡ଼ା ମିଳିଥିଲା। ଏହି ଘଟଣାର ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି। ଏହି ଘୋଷଣା ଗୃହରେ ହଙ୍ଗମା ଆରମ୍ଭ ହୋଇଯାଇଛି।

ପ୍ରଶ୍ନ ଉଠାଇଲେ ମଲ୍ଲିକାର୍ଜୁନ ଖଡଗେ:

ଏହି ପ୍ରସଙ୍ଗରେ ମଲ୍ଲିକାର୍ଜୁନ୍ ଖଡଗେ କହିଛନ୍ତି ଯେ, ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଆମେ କୌଣସି ସଦସ୍ୟଙ୍କ ନାମ ନେବା ଉଚିତ୍ ନୁହେଁ। ଏହା ଉପରେ ଚେୟାରମ୍ୟାନ୍ କହିଛନ୍ତି ଯେ, ସେ ଏହି ଭାବନାକୁ ପ୍ରଶଂସା କରୁଛନ୍ତି। କିନ୍ତୁ ଗୃହରେ ବିତର୍କ ସମୟରେ ପ୍ରାୟ ପ୍ରତିଦିନ ଏହାକୁ ଉଲ୍ଲଂଘନ କରାଯାଏ।

ଏହି ପ୍ରସଙ୍ଗରେ ବିଜେପି ସାଂସଦ ଜେପି ନଡ୍ଡା କହିଛନ୍ତି ଯେ, ବିରୋଧୀ ଦଳ ଭଲ ଭାବନା ଦେଖାଇବା ଉଚିତ। ସେ କହିଛନ୍ତି ଯେ, “ଏହି ଘଟଣା ଅସ୍ଵଭାବିକ ଏବଂ ଅତ୍ୟନ୍ତ ଗମ୍ଭୀର। ଏହା ଏକ ଘଟଣା ଯାହା ଗୃହର ସମ୍ମାନକୁ କ୍ଷତି ପହଞ୍ଚାଇଥାଏ। ଏହା ଗୃହର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଥାଏ। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି, ଏହା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ ହେବ ଏବଂ ଶୀଘ୍ର ଆମ ସାମ୍ନାକୁ ସ୍ପଷ୍ଟ ଚିତ୍ର ଆସିବ।

Categories
ଫଟୋ ଖବର

ନାଗରିକତ୍ବ ସଂଶୋଧନ ବିଲ୍‌ ସମ୍ବନ୍ଧରେ ଆଲୋଚନା ସମୟରେ ସଂସଦ ଭବନର ଏକ ଦୃଶ୍ୟ

New Delhi: A view of Parliament house during the discussion on Citizenship (Amendment) Bill 2019 that was tabled in the Rajya Sabha during the Winter Session of Parliament, in New Delhi on Dec 11, 2019. Voting on the bill is now underway in the Rajya Sabha. (Photo: IANS)