Categories
ଆଜିର ଖବର ଖେଳ

ଫାଇନାଲ୍‌ରେ ଝୁଣ୍ଟିଲା ଭାରତ : ପଞ୍ଚମ ଥର ପାଇଁ ଅଷ୍ଟ୍ରେଲିଆ ବିଶ୍ବବିଜେତା

ମେଲବୋର୍ଣ୍ଣ : ଡିଫେଣ୍ଡିଂ ଚାମ୍ପିୟନ୍‌ ଅଷ୍ଟ୍ରେଲିଆ ପୁନର୍ବାର ବିଶ୍ବବିଜେତା ହୋଇଛି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଫାଇନାଲ୍‌ ମ୍ୟାଚ୍‌ରେ ଭାରତକୁ ଏକତରଫା ଭାବରେ ପରାସ୍ତ କରି ପଞ୍ଚମ ଥର ପାଇଁ ଟାଇଟଲ୍‌ ହାସଲ କରିଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି 184 ରନ୍‌ ସଂଗ୍ରହ କରିଥିବା ବେଳେ ଭାରତ 99 ରନ୍‌ରେ ସମସ୍ତ ଓ୍ବିକେଟ୍‌ ହରାଇ ପରାଜୟ ବରଣ କରିଥିଲା । ଭାରତ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ 30 ରନ୍‌ କରିଥିଲେ । ଅଷ୍ଟ୍ରେଲିଆ ଚମତ୍କାର ବୋଲିଂ ଏବଂ ଫିଲ୍‌ଡିଂ କରିଥିଲା, ଫଳସ୍ବରୂପ ଭାରତର 7 ଜଣ ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମେଗାନ୍‌ ସ୍ଚୁଟ୍‌ 18 ରନ୍‌ ବିନିମୟରେ 4ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଜେସ୍‌ ଜନ୍‌ସନ୍‌ 3ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଅନ୍ୟ ତିନି ବୋଲର ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପକ୍ଷରୁ ଦୁଇ ଓପ୍‌ନର ଆଲିସା ହିଲି ଏବଂ ବେଥ୍‌ ମୁନି ଅର୍ଦ୍ଧଶତକ ହାସଲ କରିବାରୁ ଦଳ 4 ଓ୍ବିକେଟ ହରାଇ 183 ରନ୍‌ ସଂଗ୍ରହ କରିଥିଲା । ଭାରତୀୟ ଫିଲ୍‌ଡରଙ୍କ ଦୁର୍ବଳ କ୍ଷେତ୍ରରକ୍ଷଣ କାରଣରୁ ହିଲି ଦୁଇଟି ଜୀବନଦାନ ପାଇବା ସହିତ 39ଟି ବଲ୍‌ରୁ 7ଟି ଚୌକା ଏବଂ 5ଟି ଛକ୍କା ସହାୟତାରେ 75 ରନ୍‌ ସଂଗ୍ରହ କରିଥିଲେ । ଅନ୍ୟତମ ଓପ୍‌ନର ବେଥ୍‌ ମୁନି 54 ଟି ବଲ୍‌ର ସମ୍ମୁଖୀନ ହୋଇ 10ଟି ଚୌକା ସହିତ 78 ରନ୍‌ ସଂଗ୍ରହ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଆଲିସଦା ହିଲିଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଏବଂ ବେଥ୍‌ ମୁନିଙ୍କୁ ପ୍ଲେୟର୍‌ ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ ଘୋଷଣା କରାଯାଇଥିଲା ।