ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଚଳିତ କ୍ରିକେଟ ବିଶ୍ବକପ୍ର ୨୮ ତମ ମ୍ୟାଚ୍ ଅନୁଷ୍ଠିତ ହେଉଛି। ସାଉଥାମ୍ପଟନ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଭାରତ ପକ୍ଷରୁ ଏହି ମ୍ୟାଚ୍ରେ ଚଳିତ ବିଶ୍ବକପ୍ରେ ନିଜର ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି ମହମ୍ମଦ ସାମି। ଭାରତ ପକ୍ଷରୁ ପୂର୍ବ ମ୍ୟାଚ୍ର ସମସ୍ତ ଖେଳାଳି ଟିମ୍ରେ ରହିଛନ୍ତି।
Tag: worldcup
ଇଂଲଣ୍ଡରେ ଅନୁଷ୍ଠିତ କ୍ରିକେଟ ବିଶ୍ବକପ୍ର ୨୮ ତମ ମ୍ୟାଚ୍ରେ ଭାରତର ମୁକାବିଲା ଆଫଗାନିସ୍ତାନ ସହିତ ହେବାକୁ ଯାଉଛି। ଏହି ମ୍ୟାଚ୍ରେ ଭାରତ ବିଜୟୀ ହେବାର ଆଶା ରଖିଛି। ଦଳ ବର୍ତ୍ତମାନ ସୁଦ୍ଧା ୪ଟି ମ୍ୟାଚ୍ ଖେଳି ୩ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଛି। ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ପାକିସ୍ତାନ ଦଳକୁ ପରାସ୍ତ କରିଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା। ଭାରତ ନିକଟରେ ମୋଟ୍ ୭ ପଏଣ୍ଟ ରହିଛି। ଦଳ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟ୍ରେ ପରାସ୍ତ କରିଥିବା ବେଳେ ଅଷ୍ଟ୍ରେଲିଆକୁ ୩୬ ଓ ପାକିସ୍ତାନକୁ ୮୯ ରନ୍ରେ ପରାସ୍ତ କରିଛି। ଭାରତୀୟ ଦଳର ବ୍ୟାଟସମ୍ୟାନ୍ ଓ ବୋଲର ବେଶ୍ ଭଲ ଫର୍ମରେ ଥିବାରୁ ଦୁର୍ବଳ ଆଫଗାନିସ୍ତାନକୁ ପରାସ୍ତ କରିବାରେ ବିଶେଷ ଅସୁବିଧା ହେବ ନାହିଁ ବୋଲି ଆଶା କରାଯାଉଛି। ରୋହିତ ଶର୍ମା ଚମତ୍କାର ଫର୍ମରେ ଅଛନ୍ତି। ଶିଖର ଧାୱନ୍ଙ୍କ ସ୍ଥାନରେ ପାକିସ୍ତାନ ବିପକ୍ଷରେ ବ୍ୟାଟିଂ ଓପନ୍ କରିଥିବା କେଏଲ୍ ରାହୁଲ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ଅନ୍ୟପକ୍ଷରେ କୋହଲି, ପାଣ୍ଡ୍ୟା ଓ ଧୋନି ମଧ୍ୟ ଭଲ ପ୍ରଦର୍ଶନ କରିବା ଆଶା ରହିଛି। ଅଭ୍ୟାସ ସମୟରେ ବିଜୟ ଶଙ୍କର ଆହତ ହୋଇଥିବାରୁ ଶଙ୍କରଙ୍କ ସ୍ଥାନରେ ପନ୍ତ କିମ୍ବା କାର୍ତ୍ତିକ ଖେଳିବାର ସମ୍ଭାବନା ରହିଛି।
ମ୍ୟାଚ୍ ସମୟ : ଅପରାହ୍ନ ୩:୦୦
ସ୍ଥାନ : ଏଜ୍ ବାଉଲ୍ସ, ସାଉଥାମ୍ପଟନ୍
ଇଂଲଣ୍ଡ ଅଧିନାୟକ ଇୟୋନ୍ ମୋର୍ଗାନ୍ ଗୋଟିଏ ମ୍ୟାଚ୍ରେ ସର୍ବାଧିକ ଛକ୍କା ମାରିବାର ବିଶ୍ବ ରେକର୍ଡ କରିଛନ୍ତି। ଗତକାଲି ଆଫଗାନିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ମୋର୍ଗାନ ୧୭ଟି ଛକ୍କା ମାରିଥିଲେ। ମୋର୍ଗାନଙ୍କ ଏହି ଇନିଂସ ବଳରେ ଇଂଲଣ୍ଡ ୩୯୭/୬ର ବିଶାଳ ସ୍କୋର ହାସଲ କରିଥିଲା। ପୂର୍ବରୁ ଗୋଟିଏ ଇନିଂସରେ ୧୬ଟି ଲେଖାଏଁ ଛକ୍କା ମାରିଥିବା ରୋହିତ ଶର୍ମା, ଏବି ଡିଭିଲିୟର୍ସ ଏବଂ କ୍ରିସ୍ ଗେଲଙ୍କୁ ଏହି ଇିନଂସ ବଳରେ ଅତିକ୍ରମ କରିଥିଲେ ଇୟୋନ୍ ମୋର୍ଗାନ। ରୋହିତ ଏବଂ ଡିଭିଲିୟର୍ସ ଦିନିକିଆ ମ୍ୟାଚ୍ରେ ଏହି ରେକର୍ଡ ହାସଲ କରିଥିବା ବେଳେ ଜିମ୍ବାଓ୍ବେ ବିପକ୍ଷ ବିଶ୍ବକପ୍ ମ୍ୟାଚ୍ରେ ଏହି ମାଇଲଖୁଣ୍ଟ ହାସଲ କରିଥିଲେ ଗେଲ୍। ଏହି ମ୍ୟାଚ୍ରେ ୨୫ଟି ଛକ୍କା ସହିତ ଦିନିକିଆରେ ୨୪ଟି ଛକ୍କାର ନିଜ ରେକର୍ଡକୁ ଭାଙ୍ଗିଛି ଇଂଲଣ୍ଡ।
ସମୀକ୍ଷା ବ୍ୟୁରୋ
ଭାରତ 89 ରନରେ ଜିତି ବିଶ୍ୱକପରେ ଆଉ ଏକ ବିଜୟ ସହ ପାକିସ୍ତାନକୁ ମୋଟ 7 ଟି ମ୍ୟାଚରୁ ସମସ୍ତ 7ଟି ମ୍ୟାଚ ଜିତି ଇତିହାସ ସୃଷ୍ଟି କରିଛି। ମାଞ୍ଚେଷ୍ଟରର ଓଲ୍ଡଟ୍ରାଫୋର୍ଡରେ ଖେଳାଯାଇଥିବା ବିଶ୍ବକପରେ ଭାରତ ପକ୍ଷରୁ ରୋହିତ ଶର୍ମା ଶତକ ହାସଲ କରିଥିବା ବେଳେ କେ ଏଲ୍ ରାହୁଲ ଏବଂ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରିଥିଲେ । ନିର୍ଦ୍ଧାରିତ ଓଭରରେ ଭାରତର ସ୍କୋର 5 ଓ୍ବିକେଟ ହରାଇ 336 ରନ୍ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ 140 ରନ୍ ସଂଗ୍ରହ କରିଥିଲେ । ରୋହିତ 113 ବଲ୍ରୁ 14ଟି ଚୌକା 3ଟି ଛକ୍କା ସହିତ 140 ରନ୍ ସଂଗ୍ରହ କରିଥିଲେ । ଲୋକେଶ ରାହୁଲ୍ 57 ରନ୍ ସଂଗ୍ରହ କରିଥିବା ବେଳେ କୋହଲି 77 ରନ୍ ସଂଗ୍ରହ କରି ଅପରାଜିତ ରହିଥିଲେ । ଟସ୍ ଜିତି ପାକିସ୍ତାନ ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା । ପ୍ରଥମ ଓ୍ବିକେଟ୍ ପାଇଁ ରାହୁଲ -ରୋହିତ 136 ରନ୍ ଯୋଡିଥିଲେ । ରାହୁଲ୍ 78 ବଲ୍ର ସମ୍ମୁଖୀନ ହୋଇ 57 ରନ୍ କରିଥିଲେ । ତୃତୀୟ ଓ୍ବିକେଟ୍ ପାଇଁ କୋହଲି(71, 62 ବଲ୍) ଏବଂ ରୋହିତ 98 ରନ୍ର ଭାଗିଦାରୀ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା 19 ବଲ୍ରୁ 26 ରନ୍ ସଂଗ୍ରହ କରିଥିବା ବେଳେ ଦ୍ରୁତ ରନ୍ ସଂଗ୍ରହ କରିବା ପାଇଁ ଆଉଟ ହୋଇଥିଲେ । ଏହାପରେ ଧୋନୀ ଅମିରଙ୍କ ଦ୍ବିତୀୟ ଶିକାର ହୋଇଥିଲେ । ପାକିସ୍ତାନ ପକ୍ଷରୁ ମହମ୍ମଦ ଆମିର 10 ଓଭରରେ ଗୋଟିଏ ମେଡେନ୍ ସହିତ 47 ରନ୍ କରି 3 ଓ୍ବିକେଟ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହସନ ଅଲୀ ଏବଂ ଓ୍ବାହାବ ରିଆଜ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।
ଭାରତୀୟ ଦଳର ବିଶାଳ ଲକ୍ଷକୁ ପୂରଣ କରିବା ପାଇଁ ପାକିସ୍ତାନ ଦ୍ଵିତୀୟ ପାଳିରେ ତାହାର ବ୍ୟାଟିଂ ଆରମ୍ଭ କରିଥିଲା | ପାକିସ୍ତାନର ଦଳୀୟ ସ୍କୋର ମାତ୍ର 13 ରନ ଥିବାବେଳେ ଇମାମ ଉଲ ହକ 7ରନ କରି ବିଜୟ ଶଙ୍କରଙ୍କ ପ୍ରଥମ ବଲରେ ଏଲ ବି ଡ଼ବ୍ଲୁ ହୋଇ ପ୍ୟାବିଲିଅନ ଫେରିଥିଲେ | ତାଙ୍କ ପରେ ବାବର ଆଜମ ପଡିଆ ମଧ୍ୟକୁ ଆସିଥିଲେ | ବାବର ଏବଂ ଓପନର ଫକର ଜମାନଙ୍କ ଯୋଡି ଦଳୀୟ ଖାତାରେ 104ରନ ଯୋଡିଥିଲେ| ଦଳୀୟ ସ୍କୋର 117ରନ ଥିବାବେଳେ ପାକିସ୍ତାନର ଦ୍ଵିତୀୟ ଉଇକେଟର ପତନ ଘଟିଥିଲା| ଏହାପରେ ପାକିସ୍ତାନର କ୍ରମାଗତ ଭାବରେ ଉଇକେଟ ପତନ ଘଟିବାରେ ଲାଗିଲା | ଯେତେବେଳେ 33 ଓଭରରେ ଦଳର ସ୍କୋର 166ରନରେ 6 ଟି ଉଇକେଟ ହରାଇ ଦଳ ବିପଦରେ ଥିଲା ସେତେବେଳେ ବର୍ଷା ଆରମ୍ଭ ହୋଇ ଯାଇଥିଲା | ବର୍ଷା ଥମିବା ପରେ ପାକିସ୍ତାନ ଦଳକୁ 40 ଓଭରରେ 302 ରନର ଟାର୍ଗେଟ ପ୍ରଦାନ କରାଯାଇଥିଲା | କିନ୍ତୁ ଦଳ 40 ଓଭରରେ 6 ଉଇକେଟ ହରାଇ ମାତ୍ର 212 ରନ କରିପାରିଥିଲା|
ଭାରତୀୟ ଦଳ ପକ୍ଷରୁ ବିଜୟ ଶଙ୍କର 5.2 ଓଭରରେ 22 ରନ ବ୍ୟୟ କରି ଦୁଇଟି ଉଇକେଟ ଅକ୍ତିଆର କରିଥିଲେ| ସେହିପରି କୂଳଦୀପ ଯାଦବ 32 ରନ କରି ଦୁଇଟି ଉଇକେଟ ଅକ୍ତିଆର କରିଥିଲେ|
|
ଚଳିତ କ୍ରିକେଟ୍ ବିଶ୍ବକପ୍ରେ ମୁକାବିଲା କରିବାକୁ ଯାଉଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଏବଂ ପାକିସ୍ତାନ। ମାଞ୍ଚେଷ୍ଟରରେ ଅନୁଷ୍ଠିତ ହେବାକୁ ଥିବା ଏହି ମୁକାବିଲାରୁ ଦର୍ଶକ ଏକ ପ୍ରତିଦ୍ବନ୍ଦିତାପୂର୍ଣ୍ଣ ମୁକାବିଲା ଆଶା କରୁଛନ୍ତି। ଦୁଇ ଦେଶର ମୁକାବିଲାରେ ଭାରତ ଆଗୁଆ ରହିଥିବା ବେଳେ ଏହି ମୁକାବିଲାରେ ବିଜୟୀ ହେବାକୁ ଚେଷ୍ଟା କରିବ ବିରାଟ କୋହଲିଙ୍କ ଭାରତୀୟ ଦଳ। ପୂର୍ବରୁ ଉଭୟ ଦଳ ପରସ୍ପର ସହିତ ବିଶ୍ବକପ୍ରେ ୬ଥର ସାମ୍ନାସାମ୍ନି ହୋଇଥିବା ବେଳେ ଭାରତ ସମସ୍ତ ଥର ବାଜି ମାରି ନେଇଛି। ଏହି ମୁକାବିଲାରେ ବିଜୟୀ ହୋଇ ଭାରତ ୭-୦ ର ଲକ୍ଷ୍ୟ ରଖିଛି। ପାକିସ୍ତାନ ପକ୍ଷରୁ ଭେଟେରାନ୍ ସୋଏବ ମଲ୍ଳିକ, ଫକର ଜମାନ ଏବଂ ମହମ୍ମଦ ଆମିରଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ଭାରତ ପକ୍ଷରୁ ରୋହିତ ଶର୍ମା, ବିରାଟ କୋହଲି ଏବଂ ଜଶପ୍ରୀତ ବୁମ୍ରାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ସେହିପରି ମାଞ୍ଚେଷ୍ଟର ପିଚ୍ ସର୍ବଦା ପେସ୍ ବୋଲରଙ୍କୁ ସୁହାଉଥିବାରୁ ଭାରତ ପକ୍ଷରୁ କୁଲ୍ଦୀପ ଯାଦବଙ୍କ ସ୍ଥାନରେ ମହମ୍ମଦ ଶାମିଙ୍କୁ ଖେଳାଇପାରେ ଭାରତ।
ସ୍ଥାନ : ମାଞ୍ଚେଷ୍ଟର, ଓଲ୍ଡ ଟ୍ରାଫୋର୍ଡ
ସମୟ : ଅପରାହ୍ନ ୩:୦୦ଟା
ବିଶ୍ବକପ୍ର ୧୮ ତମ ମ୍ୟାଚ୍ରେ ପରସ୍ପରର ମୁକାବିଲା କରିବାକୁ ଯାଉଛନ୍ତି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ। ଚଳିତ ଟୁର୍ଣ୍ଣାମେଣ୍ଟରେ ଏହି ଦୁଇ ଦଳ ଅପରାଜେୟ ରହିଥିବାରୁ ନିଜର ଅପରାଜେୟ ଧାରା ବଜାୟ ରଖିବାକୁ ଦୁଇ ଦଳ ଉଦ୍ୟମ କରିବେ। ଆଜି(ଗୁରୁବାର) ଟ୍ରେଣ୍ଟବ୍ରିଜ୍ର ନଟିଂହାମ୍ରେ ଅପରାହ୍ନ ୨.୩୦ରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ପୂର୍ବରୁ ହୋଇଥିବା ବିଶ୍ବକପ୍ ମୁକାବିଲାରେ ଭାରତ ୪-୩ରେ ପଛୁଆ ରହିଥିବା ବେଳେ ଏହି ମୁକାବିଲାରେ ବିଜୟୀ ହୋଇ ଏହାକୁ ୪-୪ରେ ପହଞ୍ଚାଇବାକୁ ଚେଷ୍ଟା କରିବ ଭାରତୀୟ ଦଳ। ଭାରତୀୟ ଓପ୍ନର ଶିଖର ଧଓ୍ବନ୍ ଆହତ ହୋଇ ବାଦ ପଡିଥିବାରୁ କେ ଏଲ୍ ରାହୁଲ ଇନିଂସ ଓପନ୍ କରିବେ। ଏହା ସହିତ ଚାରି ନମ୍ବର ସ୍ଥାନରେ କିଏ ବ୍ୟାଟିଂ କରିବ ତାକୁ ନେଇ ମଧ୍ୟ ଦ୍ବନ୍ଦରେ ରହିଛି ଭାରତୀୟ ମ୍ୟାନେଜମେଣ୍ଟ। ଅଭ୍ୟାସ ମ୍ୟାଚ୍ରେ ଭାରତକୁ ନ୍ୟୁଜିଲ୍ୟାଣ୍ଡ ଶୋଚନୀୟ ଭାବରେ ପରାସ୍ତ କରିଥିବା ବେଳେ ଏହି ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡର ପଲ୍ଳା ଭାରି ରହିବ। ମ୍ୟାଚ୍ରେ ବିଜୟୀ ହେବାକୁ ହେଲେ ଟ୍ରେଣ୍ଟ ବୋଲ୍ଟଙ୍କ ନିକଟରୁ ଭାରତକୁ ସତର୍କ ରହିବାକୁ ପଡିବ।
ମ୍ୟାଚ୍ ସ୍ଥାନ : ନଟିଂହାମ୍, ଟ୍ରେଣ୍ଟବ୍ରିଜ୍
ସମୟ : ଅପରାହ୍ନ ୨.୩୦
ଆଜି କ୍ରିକେଟ ବିଶ୍ବକପ୍ ୨୦୧୯ରେ ଦୁଇଟି ମ୍ୟାଚ୍ ଦେଖିବାକୁ ମିଳିବ। ଘରୋଇ ଇଂଲଣ୍ଡ ବାଂଲାଦେଶର ସମ୍ମୁଖୀନ ହେଉଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ଦଳ ଆଫଗାନିସ୍ତାନର ମୁକାବିଲା କରିବ। ପ୍ରଥମ ମ୍ୟାଚ୍ରେ ଘରୋଇ ଇଂଲଣ୍ଡ ବାଂଲାଦେଶର ମୁକାବିଲା କରିବ। ପୂର୍ବରୁ ଦୁଇଟି ବିଶ୍ବକପ୍ ମ୍ୟାଚ୍ରେ ବାଂଲାଦେଶ ଠାରୁ ପରାଜିତ ହୋଇଥିବା ଇଂଲଣ୍ଡ ଏହି ମ୍ୟାଚ୍ରେ ଅଲୋଡା ହ୍ୟାଟ୍ରିକ୍ରୁ ବଞ୍ଚିବାକୁ ଚେଷ୍ଟା କରିବ। ବାଂଲାଦେଶ ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିବା ବେଳେ ଦ୍ବିତୀୟ ମ୍ୟାଚ୍ରେ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଥିଲା। ଇଂଲଣ୍ଡର ବ୍ୟାଟିଂ ଉଭୟ ମ୍ୟାଚ୍ରେ ସଫଳ ହୋଇଥିଲେ ମଧ୍ୟ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଏହାର ଦୁର୍ବଳ ବୋଲିଂ ଦଳର ପରାଜୟର କାରଣ ସାଜିଥିଲା। ଘରୋଇ ପରିବେଶରେ ଇଂଲଣ୍ଡ ଫେବ୍ରିଟ୍ ରହିଥିବା ବେଳେ ଇଂଲଣ୍ଡର ପ୍ରଦର୍ଶନ ଜାସନ୍ ରୟ, ବଟଲର, ରୁଟ୍ ଏବଂ ଜୋଫ୍ରା ଆର୍ଚରଙ୍କ ଉପରେ ନିର୍ଭରଶୀଳ ରହିବ। ସେହିପରି ବାଂଲାଦେଶ ଖେଳାଳି ମହମ୍ମଦୁଲ୍ଳା, ସାକିବ୍ ଏବଂ ତାମିମ୍ ଇକ୍ବାଲ୍ଙ୍କ ଉପରେ ସମସ୍ତଙ୍କ ନଜର ରହିବ। କାର୍ଡିଫ୍ର ସୋଫିଆ ଗାର୍ଡେନ୍ରେ ଏହି ମ୍ୟାଚ୍ ଅପରାହ୍ନ ୨.୩୦ରେ ଅନୁଷ୍ଠିତ ହେବ। ଅନ୍ୟ ଏକ ମ୍ୟାଚ୍ରେ ପରସ୍ପରର ମୁକାବିଲା କରିବେ ନ୍ୟୁଜିଲ୍ୟାଣ୍ଡ ଏବଂ ଆଫଗାନିସ୍ତାନ। ଟଣ୍ଟନର କଣ୍ଟ୍ରି ଗାର୍ଡେନ୍ରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଉଭୟ ଦଳ ଯଥାକ୍ରମେ ଦୁଇଟି ଲେଖାଏଁ ବିଜୟ ଏବଂ ପରାଜୟ ହାସଲ କରିଛନ୍ତି। ଆଫଗାନିସ୍ତାନ ନିଜ ପରାଜୟ ଧାରା ଭାଙ୍ଗିବାର ଚେଷ୍ଟା କରିବ ଏବଂ ନ୍ୟୁଜିଲ୍ୟାଣ୍ଡ ନିଜର ବିଜୟ ଧାରା ବଜାୟ ରଖିବାକୁ ଚାହିଁବ। ମ୍ୟାଚ୍ଟି ସନ୍ଧ୍ୟା ୬ ଟା ସମୟରେ ଅନୁଷ୍ଠିତ ହେବ।
ଚଳିତ ବିଶ୍ବକପ୍ରେ ଅନ୍ୟ ସମସ୍ତ ପ୍ରତିଯୋଗୀ ଦଳ ମ୍ୟାଚ୍ ଖେଳି ସାରିଥିବା ବେଳେ ଭାରତ ଟୁର୍ଣ୍ଣାମେଣ୍ଟର ସପ୍ତମ ଦିନରେ ଆଜି ପ୍ରଥମେ ପଡ଼ିଆକୁ ଓହ୍ଲାଇବ। ସାଉଥାମ୍ପଟନ୍ରେ ଦଳ ଅପରାହ୍ନ ୨.୩୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ତା’ର ପ୍ରଥମ ମ୍ୟାଚ୍ ଖେଳିବ। ତେବେ ଦକ୍ଷିଣ ଆଫ୍ରିକା ତା’ର ପ୍ରଥମ ଦୁଇଟି ଯାକ ମ୍ୟାଚ୍ରେ ପରାସ୍ତ ହୋଇଛି। ପ୍ରଥମ ମ୍ୟାଚ୍ରେ ଆୟୋଜକ ଇଂଲଣ୍ଡଠାରୁ ଶତାଧିକ ରନ୍ରେ ହାରିବା ପରେ ଆଇସିସି ଦିନିକିଆ ମାନ୍ୟତାରେ ସପ୍ତମ ସ୍ଥାନରେ ଥିବା ବାଂଲାଦେଶଠାରୁ ଦକ୍ଷିଣ ଆଫ୍ରିକା ପରାସ୍ତ ହୋଇଛି। ତେଣୁ ଭାରତ ବିପକ୍ଷ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। ବିଜୟଧାରାକୁ ଫେରିବା ପାଇଁ ଏହା ବ୍ୟଗ୍ର। ଅନ୍ୟପକ୍ଷରେ ବିଜୟ ସହ ତା’ର ବିଶ୍ବକପ୍ ଅଭିଯାନ ଆରମ୍ଭ କରିବାକୁ ଭାରତୀୟ ଦଳ ନିଶ୍ଚୟ ଲକ୍ଷ୍ୟରଖିଛି। ଆଇସିସି ଦିନିକିଆ ମାନ୍ୟତାରେ କୋହଲିଙ୍କ ଦଳ ଦୁଇ ନମ୍ବର ସ୍ଥାନରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା ତୃତୀୟ ସ୍ଥାନରେ ରହିଛି। କ୍ରମାଗତ ୨ଟି ମ୍ୟାଚ୍ ହାରି ଦକ୍ଷିଣ ଆଫ୍ରିକା ଏବେ ଆତ୍ମବିଶ୍ବାସ ହରାଇ ସାରିଛି। ଏହାସହ ଦଳର ଦୁଇ ପ୍ରମୁଖ ଫାଷ୍ଟବୋଲର ଆହତହେବା ଦକ୍ଷିଣ ଆଫ୍ରିକା ପାଇଁ ବୋଝ ଉପରେ ନଳିତା ବିଡ଼ା ପରି ହୋଇଛି। ଲୁଙ୍ଗି ଏନ୍ଗିଡି ଆହତ ହୋଇ ଭାରତ ବିପକ୍ଷ ମ୍ୟାଚ୍ରୁ ବାଦ୍ ପଡ଼ିଥିବା ବେଳେ ଅଭିଜ୍ଞ ଡେଲ୍ ଷ୍ଟେନ୍ ପୂରା ବିଶ୍ବକପ୍ରୁ ବାଦ୍ ପଡ଼ିଛନ୍ତି। ହେଲ୍ମେଟରେ ବଲ୍ ବାଜିବା ପରେ ହାସିମ୍ ଆମ୍ଲା ଆହତ ହୋଇଥିଲେ ହେଁ ତାଙ୍କୁ ଖେଳାଇବା କଥା ଦକ୍ଷିଣ ଆଫ୍ରିକା ବିଚାର କରିପାରେ। ତେବେ ଦକ୍ଷିଣ ଆଫ୍ରିକା ପରି ଦଳକୁ ଦୁର୍ବଳ ମନେକରିବା ଆତ୍ମଘାତୀ ହୋଇପାରେ ବୋଲି ପ୍ରଶିକ୍ଷକ ରବି ଶାସ୍ତ୍ରୀ ଖେଳାଳିଙ୍କୁ ଚେତାବନୀ ଦେଇଛନ୍ତି। ସାଉଥାମ୍ପ୍ଟନର ପିଚ୍ ବ୍ୟାଟିଂ ସହାୟକ ହେବ। ତେବେ ପାଗ ମେଘୁଆ ରହିବା ସହ ମଝିରେ ମଝିରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରା ଯାଇଥିବାରୁ ଚୂଡ଼ାନ୍ତ ଏକାଦଶ ବାଛିବା ଭାରତ ପାଇଁ ସହଜ ହେବନାହିଁ। ଜଣେ ସ୍ପିନରଙ୍କୁ ବସାଇ ୩ୟ ପେସ୍ ବୋଲର ଭାବେ ଭୁବନେଶ୍ବର କୁମାରଙ୍କୁ ଖେଳାଇବା କଥା କୋହଲି ବିଚାର କରୁଛନ୍ତି। ପୁଣି ବ୍ୟାଟିଂକୁ ମଜ୍ଭୁତ କରିବା ପାଇଁ ରବୀନ୍ଦ୍ର ଜାଡ଼େଜାଙ୍କୁ ଖେଳାଇବା କଥା ମଧ୍ୟ ଭାରତ ଚିନ୍ତା କରିପାରେ। ପୁଣି କୋହଲିଙ୍କୁ କେଦାର ଯାଦବ ଓ ବିଜୟ ଶଙ୍କରଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ ହେବ। କାରଣ ଚାରି ନମ୍ବର ସ୍ଥାନରେ କେ.ଏଲ୍. ରାହୁଲ ଖେଳିବା ଆପାତତଃ ନିଶ୍ଚିତ। ଚଳିତ ବିଶ୍ବକପ୍ରେ ଓପନିଂ ଭାଗିଦାରୀ ଭଲ ରହିଲେ ହିଁ ମ୍ୟାଚ୍ର ଫଳାଫଳ ଦଳ ସପକ୍ଷରେ ଯାଉଥିବା ଦେଖା ଦେଇଛି। ତେଣୁ ରୋହିତ-ଧଓ୍ବନ୍ ଯୋଡି ଉପରେ ଅନେକ କିଛି ନିର୍ଭର କରିବ।
ଦକ୍ଷିଣ ଆଫ୍ରିକା ସ୍ପିଡଷ୍ଟାର ଡେଲ ଷ୍ଟେନ୍ ଚଳିତ କ୍ରିକେଟ ବିଶ୍ବକପ୍ରୁ ବାଦ ପଡିଛନ୍ତି। କାନ୍ଧ ଆଘାତ ଯୋଗୁଁ ଷ୍ଟେନ୍ ବିଶ୍ବକପ୍ରୁ ବାଦ ପଡିଥିବା ବେଳେ ବ୍ୟୁରାନ୍ ହେଣ୍ଡ୍ରିକ୍ସଙ୍କୁ ବଦଳ ଖେଳାଳି ଭାବରେ ଘୋଷଣା କରାଯାଇଛି। ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ମାତ୍ର ୬୦ ପ୍ରତିଶତ ଫିଟ୍ ଥିବା ଷ୍ଟେନ୍ ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍ ପରେ ଆଘାତ ସମସ୍ୟା ବଢି ଯାଇଥିଲା। ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ଅଭ୍ୟାସ କରୁଥିବା ସମୟରେ ଆହତ ହେବା ସହିତ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି। ଦକ୍ଷିଣ ଆଫ୍ରିକା ପକ୍ଷରୁ ବଦଳ ଖେଳାଳି ଘୋଷଣା କରାଯାଇଥିଲେ ମଧ୍ୟ ତାଙ୍କୁ ବିଶ୍ବକପ୍ର ବୈଷୟିକ କମିଟିର ଅନୁମତି ନେବାକୁ ପଡିବ। ଜିଓଫ୍ ଆଲେଡ୍ରିସ୍, କ୍ୟାମ୍ପବେଲ୍ ଜାମିଏସନ୍, ଆଲାନ ଫୋରଧମ, ହର୍ଷ ଭୋଗଲେ ଏବଂ କୁମାର ସାଙ୍ଗାକାରା ଏହି ବୈଷୟିକ ଟିମ୍ର ସଦସ୍ୟ ରହିଛନ୍ତି।
ଚଳିତ ବିଶ୍ବକପ୍ରେ ନିଜର ପ୍ରଥମ ମ୍ୟାଚ୍ରେ ପରାଜିତ ହୋଇଥିବା ଦୁଇ ଏସୀୟ ରାଷ୍ଟ୍ର ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ସମ୍ମାନ ରକ୍ଷା ପାଇଁ କାର୍ଡିଫ୍ରେ ପରସ୍ପରର ମୁକାବିଲା କରିବେ। ମଙ୍ଗଳବାର ଦିନ ତିନିଟା ସମୟରେ କାର୍ଡିଫ୍ର ସୋଫିଆ ଗାର୍ଡେନ୍ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ରେ ଶ୍ରୀଲଙ୍କା ନ୍ୟୁଜିଲ୍ୟାଣ୍ଡ ନିକଟରୁ ଶୋଚନୀୟ ଭାବରେ ପରାସ୍ତ ହୋଇଥିବା ବେଳେ ଟପ୍ ଅର୍ଡର ଏବଂ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଥିଲେ। ନ୍ୟୁଜିଲ୍ୟାଣ୍ଡ ବୋଲିଂ ନିକଟରେ କରୁଣାରତ୍ନେଙ୍କ ବ୍ୟତିତ ସମସ୍ତ ଶ୍ରୀଲଙ୍କା ଖେଳାଳି ଆତ୍ମ ସମର୍ପଣ କରିଥିଲେ। ଶ୍ରୀଲଙ୍କା ଏହି ମ୍ୟାଚ୍ରେ ପ୍ରତ୍ୟାବର୍ତ୍ତନର ଆାଶ ରଖିଛି। ଅନ୍ୟ ପକ୍ଷରେ ଆଫଗାନ ବୋଲିଂ ଆକ୍ରମଣ ଠିକ୍ ଥିଲେ ମଧ୍ୟ ଏହାର ଟପ୍ ଏବଂ ଲୋୟର ଅର୍ଡର ଖେଳାଳିଙ୍କୁ ଏହି ମ୍ୟାଚ୍ରେ ରନ୍ ସଂଗ୍ରହ କରିବାକୁ ପଡିବ। ପୂର୍ବ ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରିଥିବା ଦୁଇ ଦଳର ଅଧିନାୟକ ଗୁଲବଦିନ୍ ନାଏବ ଏବଂ ଦିମୁଥ କରୁଣାରତ୍ନେଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ରଶିଦ୍ ଖାନ୍ ଏବଂ ମହମ୍ମଦ ନବିଙ୍କ ପ୍ରଦର୍ଶନ ମଧ୍ୟ ଦୁଇ ଦଳ ମଧ୍ୟରେ ପ୍ରଭେଦ ସୃଷ୍ଟି କରିବ।
ମ୍ୟାଚ୍ ସମୟ : ଅପରାହ୍ନ ୩.୦୦
ସ୍ଥାନ : ସୋଫିଆ ଗାର୍ଡେନ୍, କାର୍ଡିଫ୍
ଆଜିଠୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟର ମହାକୁମ୍ଭ କ୍ରିକେଟ ବିଶ୍ବକପ୍। ୪୫ ଦିନ ବ୍ୟାପୀ ଆଇସିସିର ଏହି ମେଗା ଇଭେଣ୍ଟରେ ୧୦ ଟି ଟିମ୍ ଭାଗ ନେବାକୁ ଯାଉଛନ୍ତି। ଓଭାଲ୍ରେ ଉଦ୍ଘାଟନୀ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି। ମ୍ୟାଚ୍ ପୂର୍ବରୁ ଡେଲ୍ ଷ୍ଟେନ୍ ଆହତ ହୋଇ ବାଦ୍ ପଡିବା ଦକ୍ଷିଣଆଫ୍ରିକା ପାଇଁ ସମସ୍ୟା ସୃଷ୍ଟି କରିଛି। ବିଶ୍ବ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିଥିବା ଆୟୋଜକ ଇଂଲଣ୍ଡ ସହଜ ବିଜୟ ସହିତ ଅଭିଯାନ ଆରମ୍ଭ କରିବାର ଲକ୍ଷ୍ୟ ରଖିଛି। ଭାରତୀୟ ସମୟ ୩.୦୦ ରେ ମ୍ୟାଚ୍ ଆରମ୍ଭ ହେବ। କେଭିନ୍ ପିଟରସନ୍, ଶିବାନୀ ଦାଣ୍ଡେକର ଏବଂ ପ୍ୟାଡ୍ଡି ମେକ୍ଗନିସେସ୍ ଉଦ୍ଘାଟନୀ କାର୍ଯ୍ୟକ୍ରମ ପରିଚାଳନା କରିବେ।
ସ୍ଥାନ : ଦ ଓଭାଲ , ଲଣ୍ଡନ
ସମୟ- ଅପରାହ୍ନ ୩.୦୦
ବିଶ୍ବକପ୍ ପାଇଁ ଭାରତ ଫେବ୍ରିଟ୍ : ଲାରା
ଭାରତ ବିଶ୍ବକପ୍ ପାଇଁ ଫେବ୍ରିଟ୍ ବୋଲି ମତବ୍ୟକ୍ତ କରିଛନ୍ତି ଓ୍ବେଷ୍ଟ ଇଣ୍ଡିଜ୍ର ମହାନ ଖେଳାଳି ବ୍ରାଏନ୍ ଲାରା। ବିଗତ କିଛି ବର୍ଷ ମଧ୍ୟରେ ଭାରତ ବିରାଟ କୋହଲିଙ୍କ ନେତୃତ୍ବରେ ଅତ୍ୟନ୍ତ ଭଲ ପ୍ରଦର୍ଶନ କରିଛି ଏବଂ ଭାରତ ଇଂଲଣ୍ଡ ଏବଂ ଓ୍ବେଲ୍ସରେ ଟ୍ରଫି ହାସଲ କଲେ ମୁଁ ଆଦୌ ବିସ୍ମିତ ହେବି ନାହିଁ ବୋଲି କହିଛନ୍ତି ଲାରା। ୨୦୧୭ରେ ଚାମ୍ପିୟନ୍ସ ଟ୍ରଫିରେ ଭାରତ ଉପ ବିଜେତା ହୋଇଥିବା ବେଳେ ୨୦୧୫ରେ ଚାମ୍ପିୟନ୍ ରହିଥିଲା। ବର୍ତ୍ତମାନର ଭାରତୀୟ ଦଳ ଅଭିଜ୍ଞତା ଏବଂ ଯୁବ ଖେଳାଳିଙ୍କର ଏକ ସଠିକ୍ ମିଶ୍ରଣ। ଦଳରେ କେ ଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଜସ୍ପ୍ରୀତ୍ ବୁମ୍ରାଙ୍କ ପରି ଯୁବ ଖେଳାଳି ରହିଥିବା ବେଳେ ଭୁବନେଶ୍ବର କୁମାର, ମହେନ୍ଦ୍ର ସିଂ ଧୋନୀ, ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପରି ଅଭିଜ୍ଞ ଖେଳାଳି ରହିଛନ୍ତି। ଭାରତ ପାଖରେ ଏକ ବଢିଆ ବୋଲିଂ ଆକ୍ରମଣ ରହିଛି ଯାହାକି ଦଳକୁ ବିଜୟୀ ହେବାରେ ସହାୟତା କରିବ। ଭାରତ ପାଖରେ ଜସ୍ପ୍ରୀତ୍ ବୁମ୍ରା, ମହମ୍ମଦ ଶାମି ଏବଂ ଭୁବନେଶ୍ବର କୁମାରଙ୍କ ପେସ୍ ତ୍ରୀମୁର୍ତ୍ତି ରହିଛନ୍ତି ଯେଉଁମାନେ କି ଉଭୟ ସୁଇଁ ପରିବେଶରେ ଘାତକ ହେବା ସହିତ ଅନ୍ତିମ ଓଭରରେ ଭଲ ୟର୍କର ପକାଇବାର କ୍ଷମତା ରଖନ୍ତି। ସ୍ପିନ୍ ବିଭାଗରେ କୁଲ୍ଦୀପ ଯାଦବ, ୟୁଜବେନ୍ଦ୍ର ଚହଲ ଏବଂ ରବୀନ୍ଦ୍ର ଜାଡେଜା ରହିଥିବା ବେଳେ ହାର୍ଦ୍ଦିକ୍ ପାଣ୍ଡ୍ୟା ଏବଂ ବିଜୟ ଶଙ୍କର ଅଲରାଉଣ୍ଡର ଦାୟିତ୍ବ ନିଭାଇବେ।
ସରୋଜ ଜେନା
କ୍ରିକେଟ୍ ବିଶ୍ବକପ୍ର ଚତୁର୍ଥ ସଂସ୍କରଣ ୧୯୮୭ ମସିହାରେ ଅନୁଷ୍ଠିତ ହୋଇଥିଲା। ରିଲାଏନ୍ସ କପ୍ ନାମରେ ପରିଚିତ ଏହି ଟାଇଟଲ୍କୁ ପ୍ରଥମ ଥର ପାଇଁ ହାସଲ କରିଥିଲା ଅଷ୍ଟ୍ରେଲିଆ। ପ୍ରଥମଥର ପାଇଁ କ୍ରିକେଟ୍ ବିଶ୍ବକପ୍ ଇଂଲଣ୍ଡ ବାହାରେ ଅନୁଷ୍ଠିତ ହେଉଥିବା ବେଳେ ଭାରତ ଏବଂ ପାକିସ୍ତାନ ମିଳିତ ଭାବରେ ଏହାର ଆୟୋଜନ କରିଥିଲେ। ୮ ଅକ୍ଟୋବରରୁ ୮ ନଭେମ୍ବର ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା। ପ୍ରଥମ ଥର ପାଇଁ ବିଶ୍ବକପ୍ରେ ଓଭର ସଂଖ୍ୟା ୬୦ ରୁ ୫୦କୁ ହ୍ରାସ କରାଯାଇଥିଲା। ଟୁର୍ଣ୍ଣାମେଣ୍ଟରେ ୭ଟି ଟେଷ୍ଟ ଖେଳୁଥିବା ରାଷ୍ଟ୍ରଙ୍କ ସହିତ ଆଇସିସି ଟ୍ରଫି ବିଜେତା ଜିମ୍ବାଓ୍ବେ ସ୍ଥାନ ପାଇଥିଲା। ୧୯୮୩ ପରି ଏହି ଟୁର୍ଣ୍ଣାମେଣ୍ଟଟି ଡବଲ ରାଉଣ୍ଡ ରବିନ୍ ଲିଗ୍ ଏବଂ ନକ୍ଆଉଟ ଫର୍ମାଟରେ ଖେଳାଯାଇଥିଲା। ଭାରତର ୧୪ଟି ଷ୍ଟାଡିୟମ୍ରେ ଏବଂ ପାକିସ୍ତାନର ୭ଟି ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯାଇଥିଲା।
ଲିଗ୍ ପର୍ଯ୍ୟାୟ :
ଗ୍ରୁପ୍ ଏ ରେ ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଜିମ୍ବାଓ୍ବେ ରହିଥିବା ବେଳେ ଗ୍ରୁପ୍ ବିରେ ପାକିସ୍ତାନ, ଇଂଲଣ୍ଡ, ଓ୍ବେଷ୍ଟଇଣ୍ଡିଜ୍ ଏବଂ ଶ୍ରୀଲଙ୍କା ସ୍ଥାନ ପାଇଥିଲେ। ଭାରତ , ଅଷ୍ଟ୍ରେଲିଆ, ପାକିସ୍ତାନ ଏବଂ ଇଂଲଣ୍ଡ ସେମି ଫାଇନାଲ୍କୁ ଉନ୍ନୀତ ହୋଇଥିଲେ। ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ଗ୍ରୁପ୍ ଏରେ ପରସ୍ପରକୁ ଥରେ ଲେଖାଏଁ ପରାସ୍ତ କରିବା ସହିତ ସେମିକୁ ଉନ୍ନୀତ ହୋଇଥିଲା। ଉନ୍ନତ ରନ୍ରେଟ୍ ହାରରେ ଭାରତ ଗ୍ରୁପ୍ ଟପ୍ପର ରହିଥିଲା। ଅଷ୍ଟ୍ରେଲିଆ ପ୍ରଥମ ଲିଗ୍ ମ୍ୟାଚ୍ରେ ଭାରତକୁ ୧ରନ୍ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲା। ଏହାପରେ ନ୍ୟୁଜିଲ୍ୟାଣ୍ଡକୁ ୯୬ ରନ୍, ଜିମ୍ବାଓ୍ବେକୁ ୩ରନ୍, ନ୍ୟୁଜିଲ୍ୟାଣ୍ଡକୁ ୧୭ ରନ୍, ଏବଂ ଜିମ୍ବାଓ୍ବେକୁ ୭୦ ରନ୍ରେ ପରାସ୍ତ କରିଥିଲା। ଭାରତ ନିକଟରୁ ଏକମାତ୍ର ମ୍ୟାଚ୍ରେ ୫୬ ରନ୍ରେ ପରାସ୍ତ ହୋଇଥିଲା ଅଷ୍ଟ୍ରେଲିଆ। ଗ୍ରୁପ୍ ବିରୁ ପାକିସ୍ତାନ ୫ଟି ବିଜୟ ସହିତ ପ୍ରଥମ ଏବଂ ଇଂଲଣ୍ଡ ୪ଟିବିଜୟ ସହ ଦ୍ବିତୀୟ ସ୍ଥାନରେ ରହି ସେମିକୁ ଉନ୍ନୀତ ହୋଇଥିଲେ।
ଚେତନଙ୍କ ହ୍ୟାଟ୍ରିକ୍ :
ଭାରତୀୟ ପେସ୍ ବୋଲର ଚେତନ ଶର୍ମା ପ୍ରଥମ ଖେଳାଳି ଭାବରେ ଏକ ବିଶ୍ବକପ୍ ହାଟ୍ରିକ୍ ହାସଲ କରିବାରେ ସକ୍ଷମ ହୋଇଥିଲେ। ଭାରତର ଶେଷ ଲିଗ୍ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏହି ମାଇଲଖୁଣ୍ଟ ହାସଲ କରିଥିଲେ ଚେତନ। କେନ୍ ରଦରଫୋର୍ଡ, ଇଆନ୍ ସ୍ମିଥ୍ ଏବଂ ଏଓ୍ବେନ୍ ଚାଟଫେଲ୍ଡଙ୍କୁ ଲଗାତାର ବଲ୍ରେ ଆଉଟ କରି ସେ ଏହି ସଫଳତା ହାସଲ କରିଥିଲେ।
ସେମି ଫାଇନାଲ :
ସେମିଫାଇନାଲ୍ର ଦୁଇଟି ମ୍ୟାଚ୍ ମଧ୍ୟରୁ ଗୋଟିଏ ଲାହୋର ଏବଂ ଅନ୍ୟଟି ବମ୍ବେରେ ଅନୁଷ୍ଠିତ ହୋଇଥିଲା। ୪ନଭେମ୍ବରରେ ଲାହୋରରେ ଖେଳାଯାଇଥିବା ମ୍ୟାଚ୍ରେ ଅଷ୍ଟ୍ରେଲିଆ ୧୮ ରନ୍ରେ ପାକିସ୍ତାନକୁ ପରାସ୍ତ କରିଥିଲା। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୬୭/୮ସଂଗ୍ରହ କରିଥିବା ବେଳେ ପାକିସ୍ତାନ ବିଜୟ ଠାରୁ ୧୮ ରନ୍ ଦୂରରେ ରହି ଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ୍ ବୁନ୍ ସର୍ବାଧିକ ୬୫ ରନ୍ ସଂଗ୍ରହ କରିଥିଲେ। ଏମ୍ ଭେଲେଟ୍ଟା ୪୮ ରନ୍ର ଉପଯୋଗୀ ଇନିଂସ ଖେଳିଥିଲେ। ଇମ୍ରାନ୍ ଖାନ୍ ୩୬/୩ର ଫିଗର ହାସଲ କରିଥିଲେ। ଜବାବରେ ପାକିସ୍ତାନ ପକ୍ଷରୁ ଜାଭେଦ୍ ମିଆଁଦାଦ୍(୭୦) ଏବଂ ଇମ୍ରାନ ଖାନ୍(୫୮)ଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ବେ ଦଳ ୧୮ରନ୍ ପଛୁଆ ରହିଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ସିଜି ମ୍ୟାକ୍ଡେର୍ମଟ୍ ୪୪ ରନ୍ ଦେଇ ୫ଟି ଓ୍ବିକେଟ୍ ଅକ୍ତିଆର କରିଥିଲେ। କ୍ରେଗ୍ ମ୍ୟାକ୍ଡେର୍ମଟ୍ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। ଅନ୍ୟ ଏକ ସେମିରେ ଭାରତକୁ ୩୫ରନ୍ରେ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଥିଲା ଇଂଲଣ୍ଡ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଗ୍ରାହାମ ଗୁଚ୍(୧୧୫) ଏବଂ ମାଇକ୍ ଗ୍ୟାଟିଂ (୫୬) ବଳରେ ୨୫୪/୬ ସଂଗ୍ରହ କରିଥିଲା। ଜବାବରେ ଭାରତ ପକ୍ଷରୁ କେବଳ ମହମ୍ମଦ ଆଜାରୁଦ୍ଦିନ୍(୬୪) ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଦଳ ବିଜୟରୁ ୩୫ରନ୍ ଦୂରରେ ରହିଥିଲା।
ଫାଇନାଲ୍ :
କୋଲକାତାର ଇଡେନ୍ରେ ଅନୁଷ୍ଠିତ ଫାଇନାଲ୍ରେ ଅଷ୍ଟ୍ରେଲିଆ ଡେଭିଡ୍ ବୁନ୍ (୭୫) ଏବଂ ମାଇକ୍ ଭେଲେଟ୍ଟା(୪୫)ଙ୍କ ସହାୟତାରେ ୫ଓ୍ବିକେଟ୍ରେ ୨୫୩ ରନ୍ ସଂଗ୍ରହ କରିଥିଲା। ଜବାବରେ ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୨୪୬/୮ରେ ସୀମିତ ରହିଥିଲା। ଇଂଲଣ୍ଡ ପକ୍ଷରୁ ସି ଆଥେ(୫୮), ମାଇକ୍ ଗ୍ୟାଟିଂ(୪୧) ଏବଂ ଆଲାନ୍ ଲାମ୍ବ(୪୫)ଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ବେ ଦଳ ବିଜୟ ଠାରୁ ୭ରନ୍ ଦୂରରେ ରହି ଯାଇଥିଲା। ଡେଭିଡ୍ ବୁନ୍ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା।
ରେକର୍ଡ :
ବିଶ୍ବକପ୍ ଇତିହାସର ପ୍ରଥମ ହ୍ୟାଟ୍ରିକ୍ ନେଇଥିଲେ ଭାରତୀୟ ଦ୍ରୁତ ବୋଲର ଚେତନ ଶର୍ମା। ଟୁର୍ଣ୍ଣାମେଣ୍ଟରେ ୯ଟି ଛକ୍କା ମାରିଥିଲେ ନଭଜୋତ୍ ସିଦ୍ଧୁ। ଏହା ସହିତ କ୍ରମାଗତ ୪ଟି ଅର୍ଦ୍ଧଶତକ ହାସଲ କରିଥିଲେ ସିଦ୍ଧୁ। ଗ୍ରାହମ ଗୁଚ୍ ୮ଟି ମ୍ୟାଚ୍ରୁ ସର୍ବାଧିକ ୪୭୧ ରନ୍ ସଂଗ୍ରହ କରିଥିବା ବେଳେ କ୍ରେଗ୍ ମ୍ୟାକ୍ଡେର୍ମଟ୍ ସର୍ବାଧିକ ୧୮ଟି ଓ୍ବିକେଟ୍ ଅକ୍ତିଆର କରିଥିଲେ।
ସରୋଜ ଜେନା
୧୯୮୩ରେ ଅନୁଷ୍ଠିତ କ୍ରିକେଟ୍ ବିଶ୍ବକପ୍ରେ ଇତିହାସ ରଚିଥିଲା କପିଳ ଦେବଙ୍କ ଭାରତୀୟ ଦଳ। ବିଶ୍ବକପ୍ର ଏହି ତୃତୀୟ ସଂସ୍କରଣରେ ଦୁଇ ଦୁଇ ଥର ବିଶ୍ବ ଚାମ୍ପିୟନ୍ ଓ୍ବେଷ୍ଟ ଇଣ୍ଡିଜ୍କୁ ପରାସ୍ତ କରି ଭାରତ ଇତିହାସ ରଚିଥିଲା। ବିଶ୍ବକପ୍ ଇତିହାସରେ ନିଜର ପ୍ରଥମ ଟ୍ରଫି ହାତେଇଥିଲା କପିଳ ଦେବଙ୍କ ଏହି ଦଳ। ପ୍ରଥମ ଦୁଇ ବିଶ୍ବକପ୍ ପରି ଏହି ବିଶ୍ବକପ୍ ମଧ୍ୟ ଇଂଲଣ୍ଡରେ ଅନୁଷ୍ଠିତ ହୋଇଥିଲା। ଜୁନ୍ ୯ରୁ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ଏହି ବିଶ୍ବକପ୍। ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଡାର୍କହର୍ସର ମାନ୍ୟତା ପାଇଥିବା ଭାରତୀୟ ଦଳର ନେତୃତ୍ବ ନେଉଥିଲେ ଯୁବ କପିଳ ଦେବ। ମାତ୍ର ସମସ୍ତଙ୍କୁ ଆଚମ୍ବିତ କରି ଦୁର୍ଦ୍ଦଷ ଇଣ୍ଡିଜ୍କୁ ପରାସ୍ତ କରି କୌଣସି ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଦଳକୁ ପ୍ରଥମ ଟ୍ରଫି ଜିତାଇଥିଲେ ହରିୟାଣା ହରିକେନ୍ କପିଳ ଦେବ। ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ୭ଟି ଟେଷ୍ଟ ଖେଳୁଥିବା ରାଷ୍ଟ୍ର ଏବଂ ଜିମ୍ବାଓ୍ବେ ଏକମାତ୍ର ଦଳ ଭାବରେ ଆଇସିସି ଟ୍ରଫି ବିଜୟୀ ହୋଇ ଅଂଶଗ୍ରହଣ କରିଥିଲା। ଟୁର୍ଣ୍ଣାମେଣ୍ଟଟି ଡବଲ ରାଉଣ୍ଡ ରବିନ୍ ଲିଗ୍ ଏବଂ ନକ୍ଆଉଟ୍ ଫର୍ମାଟରେ ଖେଳାଯାଇଥିଲା। ସମୁଦାୟ ୨୭ଟି ମ୍ୟାଚ୍ ଏହି ଟୁର୍ଣ୍ଣାମେଣ୍ଟରେ ଖେଳା ଯାଇଥିଲା। ଇଂଲଣ୍ଡ, ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ଗୋଟିଏ ଗ୍ରୁପ୍ ‘ଏ’ ରେ ରହିଥିବାବେଳେ ଭାରତ, ଓ୍ବେଷ୍ଟ ଇଣ୍ଡିଜ, ଅଷ୍ଟ୍ରେଲିଆ ଏବଂ ଜିମ୍ବାଓ୍ବେ ଗ୍ରୁପ୍ ‘ବି’ରେ ସ୍ଥାନ ପାଇଥିଲେ।
ଲିଗ୍ ପର୍ଯ୍ୟାୟ :
ଲିଗ୍ ପର୍ଯ୍ୟାୟରେ ଭାରତ ୬ଟିରୁ ୪ଟି ମ୍ୟାଚ୍ରେ ବିଜୟୀ ହୋଇଥିଲା। ଭାରତ ଦୁଇଥର ଚାମ୍ପିୟନ୍ ଇଣ୍ଡିଜ୍ ବିପକ୍ଷରୁ ନିଜର ଅଭିଯାନ ଆରମ୍ଭ କରିଥିଲା। ଅପ୍ରତ୍ୟାଶିତ ଭାବରେ ଏହି ମ୍ୟାଚ୍ରେ ଭାରତ ଇଣ୍ଡିଜ୍କୁ ପରାସ୍ତ କରିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୟଶପାଲ ଶର୍ମାଙ୍କ ୮୯ ରନ୍ ସହାୟତାରେ ନିର୍ଦ୍ଧାରିତ ୬୦ ଓଭରରେ ୨୬୨ ରନ୍ କରିଥିଲା। ଜବାବରେ ରୋଜର ବିନ୍ନୀ ଏବଂ ରବି ଶାସ୍ତ୍ରୀ ୩ଟି ଲେଖାଏଁ ଓ୍ବିକେଟ ହାସଲ କରିବାରୁ ଇଣ୍ଡିଜ୍ ୨୨୧ରନ୍ରେ ଅଲ୍ଆଉଟ୍ ହେବା ସହିତ ଭାରତ ୪୧ରନ୍ରେ ବିଜୟୀ ହୋଇଥିଲା। ଦ୍ବିତୀୟ ମ୍ୟାଚ୍ରେ ଜିମ୍ବାଓ୍ବେ ବିପକ୍ଷରେ ୫ ଓ୍ବିକେଟ୍ରେ ବିଜୟୀ ହୋଇଥିଲା ଭାରତ। ଜିମ୍ବାଓ୍ବେ ୧୫୫ ରନ୍ରେ ଅଲ୍ଆଉଟ୍ ହୋଇଥିବା ବେଳେ ଭାରତ ସନ୍ଦୀପ ପାଟିଲଙ୍କ ୫୦ ରନ୍ ବଳର ୫ ଓ୍ବିକେଟ ହରାଇ ବିଜୟୀ ହୋଇଥିଲା। ଲିଗ୍ ପର୍ଯ୍ୟାୟର ତୃତୀୟ ମ୍ୟାଚ୍ରେ ଭାରତକୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ମ୍ୟାଚ୍ରେ ଦଳ ଅଷ୍ଟ୍ରେଲିଆ ନିକଟରୁ ୧୬୨ ରନ୍ ବ୍ୟବଧାନରେ ପରାଜିତ ହୋଇଥିଲା। ପରବର୍ତ୍ତୀ ମ୍ୟାଚ୍ରେ ମଧ୍ୟ ଇଣ୍ଡିଜ୍ ନିକଟରୁ ୬୬ ରନ୍ରେ ପରାଜିତ ହୋଇଥିଲା ଭାରତ।
କପିଳଙ୍କ ଧୂଆଁଧାର ୧୭୫ :
ଏହାର ପରବର୍ତ୍ତୀ ମ୍ୟାଚ୍ରେ ଭାରତ ବିଶ୍ବକପ୍ରେ ନିଜର ସ୍ଥାନ ସଂରକ୍ଷଣ ପାଇଁ ଖେଳୁଥିଲା। ନିଶ୍ଚିତ ବିଜୟ ହାସଲ କରୁଥିବା ଭାରତ ବିନା କୌଣସି ରନ୍ରେ ଗାଭାସ୍କର ଏବଂ ୬ ରନ୍ ମଧ୍ୟରେ ଦୁଇ ଓପ୍ନରଙ୍କୁ ହରାଇଥିଲା। ମାତ୍ର୧୭ ରନ୍ରେ ଦଳ ୫ ଓ୍ବିକେଟ୍ ହରାଇ ସଂଘର୍ଷ କରୁଥିବା ସମୟରେ କପିଳ ଦେବ କ୍ରିଜଙ୍କୁ ଆସିଥିଲେ। ବିଶ୍ବ କ୍ରିକେଟର ଅନ୍ୟତମ ବିସ୍ଫୋରକ ଇନିଂସ୍ ଖେଳିଥିବା କପିଳ ଏକାକୀ ୧୭୫ ରନ୍ ସଂଗ୍ରହ କରିବା ସହିତ ମ୍ୟାଚ୍ରେ ଭାରତକୁ ବିଜୟୀ କରାଇଥିଲେ। ଏହି ୧୭୫ ରନ୍ର ଇନିଂସରେ କପିଳ ୧୬ ଟି ଚୌକା ଏବଂ ୬ଟି ବିଶାଳ ଛକ୍କା ମାରିଥିଲେ। ରୋଜର ବିନ୍ନୀ (୨୨)ଙ୍କ ସହିତ ୬୧ ଏବଂ ମଦନ ଲାଲ(୧୭)ଙ୍କ ସହ ୬୨ ରନ୍ ଯୋଡିବା ପରେ ୧୪୦ ରନ୍ରେ ଅଷ୍ଟମ ଓ୍ବିକେଟର ପତନ ଘଟିଥିଲା। ଅଷ୍ଟମ ଓ୍ବିକେଟର ପତନ ପରେ ଜିମ୍ବାଓ୍ବେ ବୋଲରଙ୍କୁ ଆକ୍ରମଣ ଆରମ୍ଭ କରିଥିଲେ କପିଳ। ହରିୟାଣା ହରିକେନ କପିଳ ସୟଦ କୀରମାନୀ(୨୪)ଙ୍କ ସହିତ ୧୨୬ ରନ୍ର ଭାଗିଦାରୀ କରିଥିଲେ ଯେଉଁଥିରୁ କପିଳ ଏକାକୀ ୧୦୨ ରନ୍ ସଂଗ୍ରହ କରିଥିଲେ। ଭାରତ ନିର୍ଦ୍ଧାରିତ ଓଭରରେ ଭାରତ ୮/୨୬୬ ସଂଗ୍ରହ କରିଥିଲା। ଜବାବରେ ମଦନ ଲାଲଙ୍କ ୩/୪୫ ଏବଂ ବିନ୍ନିଙ୍କ ୨/୪୫ ଫଳରେ ଜିମ୍ବାଓ୍ବେ ୨୩୫ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ପରବର୍ତ୍ତୀ ମ୍ୟାଚ୍ରେ ଭାରତ ଅଷ୍ଟ୍ରେଲିଆକୁ ୧୧୮ ରନ୍ରେ ପରାଜିତ କରି ସେମିରେ ସ୍ଥାନ ସୁରକ୍ଷିତ କରିଥିଲା। ଭାରତ ପକ୍ଷରୁ ବ୍ୟାଟିଂରେ ୟଶପାଲ ଶର୍ମା(୪୦) କରିଥିବା ବେଳେ ଭାରତ ୨୪୭ ରନ୍ ସଂଗ୍ରହ କରିଥିଲା। ଜବାବରେ ରୋଜର ବିନ୍ନୀ (୪/୨୦) ଏବଂ ମଦନ ଲାଲ(୪/୨୯)ଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ମାତ୍ର ୧୨୯ ରନ୍ରେ ଅଲ୍ଆଉଟ୍ ହୋଇଥିଲା।
ସେମି ଫାଇନାଲ୍ :
ଭାରତ ପ୍ରଥମ ଥର ପାଇଁ ସେମିରେ ପ୍ରବେଶ କରିଥିବା ବେଳେ ପଡୋଶୀ ରାଷ୍ଟ୍ର ପାକିସ୍ତାନ ଦ୍ବିତୀୟ ଥର ପାଇଁ ସେମିରେ ପ୍ରବେଶ କରିଥିଲା । ଆୟୋଜକ ତଥା ପୂର୍ବ ସଂସ୍କରଣର ଉପ ବିଜେତା ଇଂଲଣ୍ଡର ମୁକାବିଲା କରିଥିଲା ଭାରତ। ମୁକାବିଲାକୁ ୬ ଓ୍ବିକେଟରେ ଜିତିନେବା ସହିତ ପ୍ରଥମ ଥର ଫାଇନାଲ୍ରେ ପ୍ରବେଶ କରିଥିଲା ଭାରତ। ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ଗ୍ରୀମ ଫ୍ଲାଓ୍ବାରଙ୍କ ୩୩ ରନ୍ ବଳରେ ୨୧୩ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ କପିଳ ଦେବ ୩୫ ରନ୍ରେ ତିନୋଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ ବିନ୍ନି ଏବଂ ମହିନ୍ଦର ଅମରନାଥ ଦୁଇଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ। ଜବାବରେ ଭାରତ ମହିନ୍ଦର ଅମରନାଥ(୪୬), ୟଶପାଲ ଶର୍ମା (୬୧) ଏବଂ ସନ୍ଦୀପ ପାଟିଲ (୫୧)ଙ୍କ ବ୍ୟାଟିଂ ସହାୟତାରେ ଫାଇନାଲରେ ପହଞ୍ଚିଥିଲା। ଅନ୍ୟ ସେମି ଫାଇନାଲ୍ରେ ପାକିସ୍ତାନ ବିପକ୍ଷରେ ୮ ଓ୍ବିକେଟର ସହଜ ବିଜୟ ସହିତ ଫାଇନାଲ୍ରେ ପହଞ୍ଚିଥିଲା ଇଣ୍ଡିଜ୍। ଫାଇନାଲ୍ରେ ଇଣ୍ଡିଜ୍ର ଏହା କ୍ରମାଗତ ତୃତୀୟ ପ୍ରବେଶ ଥିଲା।
ଟାଇଟଲ୍ ମୁକାବିଲା :
ଫାଇନାଲ୍ରେ ଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଭାରତ ପକ୍ଷରୁ କ୍ରିଷ୍ଣମଚାରୀ ଶ୍ରୀକାନ୍ତ ସର୍ବାଧିକ ୩୮ ରନ୍ ସଂଗ୍ରହ କରିଥିବା ବେଳେ ମହିନ୍ଦର ଅମରନାଥ(୨୬) ଏବଂ ସନ୍ଦୀପ ପାଟିଲ ଉପଯୋଗୀ ପାଳି ଖେଳିଥିଲେ। ଭାରତ ମାତ୍ର ୧୮୩ ରନ୍ରେ ଅଲ୍ଆଉଟ୍ ହେବା ପରେ ସମସ୍ତେ ଆପାତତଃ ଇଣ୍ଡିଜ ବିଜୟୀ ହେବା ନେଇ ଅନୁମାନ ଲଗାଇଥିଲେ । ମାତ୍ର ଭାରତୀୟ ବୋଲରଙ୍କ ଚମତ୍କାର ବୋଲିଂ ଫଳରେ ୭ଜଣ ଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କରେ ପହଞ୍ଚି ପାରିନଥିଲେ ଏବଂ ଦଳ ମାତ୍ର ୧୪୦ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ମହିନ୍ଦର ଅମରନାଥ ଏବଂ ମଦନ ଲାଲ ୩ଟି ଲେଖାଏଁ ଓ୍ବିକେଟ ହାସଲ କରିଥିବା ବେଳେ ବଲବିନ୍ଦର ସାନ୍ଧୁ ୨ଟି ଏବଂ କପିଳ ଓ ବିନ୍ନି ଗୋଟିଏ ଲେଖାଏଁ ଓ୍ବିକେଟ ହାସଲ କରିଥିଲେ। ଅଧିନାୟକ କପିଳ ଦେବ ଭିଭ୍ ରିଚାର୍ଡସଙ୍କ କ୍ୟାଚ୍ ନେଇ ଦଳର ବିଜୟରେ ମୁଣ୍ଡି ମାରିଥିଲେ। ପ୍ରଥମ ଥର ପାଇଁ ଭାରତ ବିଶ୍ବକପ୍ ହାସଲ କରିଥିଲା । ମହିନ୍ଦର ଅମରନାଥଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା।
ରେକର୍ଡ :
ଏହି ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡର ଡେଭିଡ୍ ଗାଓ୍ବାର ସର୍ବାଧିକ ୩୮୪ ରନ୍ ସଂଗ୍ରହ କରିଥିଲେ। ଭାରତୀୟ ଅଧିନାୟକ କପିଳ ଦେବ ବ୍ୟାଟିଂ ତାଲିକାରେ ପଞ୍ଚମ ସ୍ଥାନରେ ରହିଥିଲେ। ସମୁଦାୟ ୩୦୩ରନ୍ ସଂଗ୍ରହ କରିଥିଲେ କପିଳ। ସେହିପରି ବୋଲିଂରେ ରୋଜର ବିନ୍ନି ସର୍ବାଧିକ ୧୮ଟି ଓ୍ବିକେଟ ନେଇଥିବା ବେଳେ ମଦନ ଲାଲ ୧୭ ଓ୍ବିକେଟ୍ ସହ ତୃତୀୟ ଏବଂ ୧୨ ଓ୍ବିକେଟ ସହ କପିଳ ଦେବ ଅଷ୍ଟମ ସ୍ଥାନରେ ରହିଥିଲେ। ଜେଫ୍ ଡୁଜୋନ୍ ସର୍ବାଧିକ ୧୬ଟି କ୍ୟାଚ୍ ଏବଂ ଷ୍ଟମ୍ପିଂ କରିଥିବା ବେଳେ ୧୪ଟି କ୍ୟାଚ୍ ଏବଂ ଷ୍ଟମ୍ପିଂ ସହ ସୟଦ କିର୍ମାନୀ ଦ୍ବିତୀୟ ସ୍ଥାନରେ ରହିଥିଲେ। ଭାରତର କପିଳ ଦେବ ସର୍ବାଧିକ କ୍ୟାଚ୍(୮)ର ରେକର୍ଡ ହାସଲ କରିଥିଲେ।
ଆଇଏସ୍ଏସ୍ଏଫ୍ ସ୍ବର୍ଣ୍ଣ ପଦକ ସହିତ ଅଲମ୍ପିକ୍ସ ଯୋଗ୍ୟତା ହାସଲରେ ସଫଳ ହୋଇଛନ୍ତି ଭାରତୀୟ ସୁଟର୍ ଅଭିଷେକ ବର୍ମା। ଶନିବାର ୧୦ ମି. ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିବା ସହିତ ପଞ୍ଚମ ଭାରତୀୟ ଭାବରେ ଟୋକିଓ ପାଇଁ ନିଜର ଟିକେଟ ପକ୍କା କରିଛନ୍ତି ଅଭିଷେକ। ଫାଇନାଲ୍ରେ ୨୪୨.୭ ପଏଣ୍ଟ ସହିତ ବର୍ମା ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଋଷିଆର ଆର୍ଟେମ୍ ଚେର୍ଣ୍ଣୋସେଭ୍୨୪୦.୪ ପଏଣ୍ଟ ସହିତ ରୌପ୍ୟ ପଦକ ଏବଂ ୨୨୦ ପଏଣ୍ଟ ସହିତ କୋରିଆର ସଓଙ୍ଗଉ ହାନ୍ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ନିଜର ପ୍ରଥମ ଆନ୍ତର୍ଜାତୀୟ ମୁକାବିଲାରେ ସ୍ବର୍ଣ୍ଣ ପଦକ ହାସଲର ଉପଲବ୍ଧି ହାସଲ କରିଛନ୍ତି ବର୍ମା। ଫାଇନାଲ୍ ଯୋଗ୍ୟତା ପର୍ଯ୍ୟାୟରେ ସମୁଦାୟ ୫୮୫ ପଏଣ୍ଟ ଚତୁର୍ଥ ସ୍ଥାନରେ ରହିଥିଲେ ଅଭିଷେକ ବର୍ମା। ପୂର୍ବରୁ ଏସିଆନ୍ ଗେମ୍ସରେ ପଦାର୍ପଣରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ବର୍ମା।
ଭାରତୀୟ ୧୭ ବର୍ଷୀୟ ସୁଟର ଦିବ୍ୟାଂଶ ସିଂ ପନଓ୍ବର ଶୁକ୍ରବାର ଚତୁର୍ଥ ଭାରତୀୟ ଭାବରେ ଅଲମ୍ପିକ୍ସରେ ନିଜର ସ୍ଥାନ ସୁରକ୍ଷିତ କରିଛନ୍ତି। ରାଜସ୍ଥାନର ଏହି ୧୭ ବର୍ଷୀୟ ବାଳକ ଆଇଏସ୍ଏସ୍ଏଫ୍ ବିଶ୍ବକପ୍ରେ ରୌପ୍ୟ ପଦକ ସହିତ ଏହି କୃତିତ୍ବ ହାସଲ କରିଛନ୍ତି। ମାତ୍ର ୦.୪ ପଏଣ୍ଟ ପାଇଁ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ ପନଓ୍ବର। ୧୦ ମି ଏୟାର ରାଇଫଲ ବିଭାଗରେ ପନଓ୍ବର ୨୪୯ ପଏଣ୍ଟ ସ୍କୋର କରିଥିବା ବେଳେ ଚୀନ୍ର ଜାଇଚେଙ୍ଗ ହୁଇ ୨୪୯.୪ ପଏଣ୍ଟ ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୨୭.୫ ପଏଣ୍ଟ ସହିତ ଋଷିଆର ଗ୍ରୀଗୋରୀ ସିମ୍କୋଭ୍ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏହା ସହିତ ଚତୁର୍ଥ ଭାରତୀୟ ଖେଳାଳି ଭାବରେ ୨୦୨୦ ଟୋକିଓ ଅଲମ୍ପିକ୍ସରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ୧୦ମି. ଏୟାର ରାଇଫଲ୍ ମହିଳା ବିଭାଗରେ ଅଞ୍ଜୁମ ମୌଦଗିଲ୍ ଓ ଅପୂର୍ବୀ ଚାଣ୍ଡେଲା, ୧୦ମି. ଏୟାର ପିସ୍ତଲରେ ସୌରଭ ଚୌଧୁରୀ ପୂର୍ବରୁ ଏହି ସ୍ଥାନ ସୁରକ୍ଷିତ କରି ନେଇଛନ୍ତି।
ଶୁକ୍ରବାର ଆଇସିସି ପକ୍ଷରୁ ୨୨ ଜଣିଆ ଅମ୍ପାୟାର ଏବଂ ମ୍ୟାଚ୍ ରେଫରୀଙ୍କ ତାଲିକା ଘୋଷଣା କରାଯାଇଛି। ଏହି ତାଲିକାରେ ଏକମାତ୍ର ଭାରତୀୟ ଭାବରେ ଅମ୍ପାୟାର ଏସ୍ ରବି ସ୍ଥାନ ପାଇଛନ୍ତି। ଆସନ୍ତା ମେ ୩୦ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୧୬ ଜଣ ଅମ୍ପାୟାର ନିଯୁକ୍ତ କରା ଯାଇଥିବା ବେଳେ ୬ ଜଣ ମ୍ୟାଚ୍ ରେଫରୀ ନିଯୁକ୍ତ କରାଯାଇଛି। ନିକଟରେ ନିଜର ଏକ ଖରାପ ନିଷ୍ପତ୍ତି ପାଇଁ ଭାରତୀୟ ଅଧିନାୟକ ବିରାଟ କୋହଲି ରବିଙ୍କୁ ସମାଲୋଚନା କରିଥିଲେ। ବେଙ୍ଗାଲୁରୁ ଏବଂ ମୁମ୍ବାଇ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ଏକ ନୋ ବଲ୍ ଦେଖି ପାରିନଥିଲେ ରବି। ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୪୮ଟି ମ୍ୟାଚ୍ ଖେଳାଯିବ। ମ୍ୟାଚ୍ ରେଫରୀଙ୍କ ମଧ୍ୟରେ ରଞ୍ଜନ ମୁଦୁଗଲେଙ୍କ ଏହା ଷଷ୍ଠ ବିଶ୍ବକପ୍ ହୋଇଥିବା ବେଳେ କ୍ରିସ୍ ବ୍ରଡ୍ ଏବଂ ମାର୍ଟିନ୍ କ୍ରୋଙ୍କ ଏହା ଚତୁର୍ଥ ବିଶ୍ବକପ୍। ସେହିପରି ଅମ୍ପାୟାରଙ୍କ ମଧ୍ୟରେ ଅଲିମ୍ ଦରଙ୍କ ଏହା ପଞ୍ଚମ ବିଶ୍ବକପ୍ ହୋଇଥିବା ବେଳେ ଇଆନ୍ ଗୁଲ୍ଡଙ୍କ ଏହା ଚତୁର୍ଥ ତଥା ଅନ୍ତିମ ବିଶ୍ବକପ୍ ହେବ।
ବିଶ୍ବକପ୍ ପାଇଁ ଆଫଗାନିସ୍ତାନ ଦଳ ଘୋଷଣା
୨୦୧୯ ବିଶ୍ବକପ୍ ପାଇଁ ଆଫଗାନିସ୍ତାନ ଏହାର ଦଳ ଘୋଷଣା କରିଛି। ଗୁଲବଦିନ୍ ନାଏବ ଦଳର ଅଧିନାୟକ ରହିଥିବା ବେଳେ ୩୧ ବର୍ଷୀୟ ଦ୍ରୁତ ବୋଲର ହମିଦ୍ ହସନ୍ ଦଳକୁ ୪ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନିକଟରେ ଅଧିନାୟକ ପଦରୁ ହଟା ଯାଇଥିବା ଅସଘର ଆଫଗାନ ନିଜର ସ୍ଥାନ ବଜାୟ ରଖିଛନ୍ତି। ରଶିଦ ଖାନ ଏବଂ ମହମ୍ମଦ ନବି ମଧ୍ୟ ନିଜର ସ୍ଥାନ ବଜାୟ ରଖିଛନ୍ତି।
ଦଳ : ଗୁଲବାଦିନ ନାଏବ (ଅଧିନାୟକ), ମହମ୍ମଦ ଶେହଜାଦ, ନୁର୍ ଅଲୀ ଜାର୍ଡାନ, ହଜରତ୍ ଉଲ୍ଲା ଜଜାଇ, ରେହମତ ଶାହ, ଅସଘର ଆଫଗାନ, ହସମତୁଲ୍ଲା ଶାହିଦି, ନଜିବୁଲ୍ଲା ଜାର୍ଡାନ, ସମିଉଲ୍ଲା ସେନାଓ୍ବାରୀ, ମହମ୍ମଦ ନବି, ରଶିଦ ଖାନ, ଦଓ୍ବଲତ୍ ଜାର୍ଦାନ, ଆଫତାବ ଆଲାମ, ହମିଦ ହାସାନ, ମୁଜିବ ଉର ରେହମାନ ।
ଆଇସିସି କ୍ରିକେଟ ବିଶ୍ୱକପ୍ ପାଇଁ ୧୫ ଜଣିଆ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି। ବିରାଟ କୋହଲି ଅଧିନାୟକ ଏବଂ ରୋହିତ ଶର୍ମା ଉପ-ଅଧିନାୟକ ରୂପେ ନିଜର ସ୍ଥାନ ସଂରକ୍ଷିତ କରିଥିବାବେଳେ, ଅଭିଜ୍ଞ ଖେଳାଳି ମହେନ୍ଦ୍ର ସିଂହ ଧୋନୀଙ୍କୁ ଚୟନକମିଟି ୱିକେଟକିପର-ବ୍ୟାଟ୍ସମ୍ୟାନ ରୂପେ ମନୋନୀତ କରିଛନ୍ତି। ରୋହିତ ଏବଂ ଶିଖରଙ୍କ ଯୋଡି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୂପେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇବା ସମ୍ଭାବନା ଥିବାବେଳେ, ଚତୁର୍ଥ ସ୍ଥାନରେ କେଉଁ ଖେଳାଳି ଖେଳିବ ତାକୁ ନେଇ ଦଳ ଚିନ୍ତାରେ ରହିଛି। ଭଲ ଫର୍ମରେ ଥିବା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଚତୁର୍ଥ ସ୍ଥାନରେ ବିଫଳ ହେଉଥିବାବେଳେ, ତାଙ୍କୁ ଦଳ କେଉଁ ସ୍ଥାନରେ ଖେଳାଇବ ତାକୁ ନେଇ ଖେଳପ୍ରେମୀଙ୍କ ମନରେ ପ୍ରଶ୍ନ ଉଠୁଛି। ୨୦୧୯ ବିଶ୍ଵକପ ଖେଳାଳି ତାଲିକାରେ ଚାରିଜଣ ସ୍ପେଶାଲ ବ୍ୟାଟ୍ସମ୍ୟାନ, ଦୁଇଜଣ ୱିକେଟକିପର-ବ୍ୟାଟ୍ସମ୍ୟାନ, ଚାରିଜଣ ଅଲରାଉଣ୍ଡର, ଦୁଇଜଣ ସ୍ପିନର ଏବଂ ତିନିଜଣ ଦ୍ରୁତବୋଲର ସ୍ଥାନ ପାଇଛନ୍ତି।
ଭାରତୀୟ କ୍ରିକେଟ ବିଶ୍ଵକପ ଖେଳାଳୀଙ୍କ ନାମ-
୧-ବିରାଟ କୋହଲି (ଅଧିନାୟକ)
୨-ରୋହିତ ଶର୍ମା (ଉପଅଧିନାୟକ)
୩-ଶିଖର ଧୱନ୍
୪-ଲୋକେଶ ରାହୁଲ୍
୫-ମହେନ୍ଦ୍ର ସିଂହ ଧୋନି (ୱିକେଟକିପର)
୬-ଦିନେଶ କାର୍ତ୍ତିକ (ୱିକେଟକିପର)
୭-ହାର୍ଦ୍ଦିକ ପାଣ୍ଡ୍ୟା
୮-ବିଜୟ ଶଙ୍କର
୯-କେଦାର ଯାଦବ
୧୦-ରବୀନ୍ଦ୍ର ଜାଡେଜା
୧୧-ୟୁଜବେନ୍ଦ୍ର ଚହଲ
୧୨-କୁଲଦୀପ ଯାଦବ
୧୩-ଭୁବନେଶ୍ୱର କୁମାର
୧୪-ଜସପ୍ରୀତ ବୁମ୍ରା
୧୫-ମହମ୍ମଦ ଶାମି
ବିଶ୍ବକପ୍ ନିମନ୍ତେ ଭାରତୀୟ ଦଳ ଆସନ୍ତା ଏପ୍ରିଲ୍ ୧୫ ତାରିଖରେ ମୁମ୍ବାଇରେ ଅନୁଷ୍ଠିତ ହେବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ମେ ୩୦ରୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ବକପ୍ ନିମନ୍ତେ ଭାରତୀୟ ଦଳ ବିରାଟ କୋହଲିଙ୍କ ନେତୃତ୍ବରେ ଖେଳିବ। ବିଶ୍ବକପ୍ର ଅନ୍ୟତମ ଦାବିଦାର ରହିଥିବା ଭାରତୀୟ ଦଳର ଖେଳାଳିମାନେ ବର୍ତ୍ତମାନ ଆଇପିଏଲ୍ରେ ବ୍ୟସ୍ତ ରହିଥିବା ବେଳେ ଆଇପିଏଲ୍ର ଦ୍ବିତୀୟ ଚରଣ ପରେ କିଛି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯିବ ବୋଲି କୁହାଯାଇଛି। ଭାରତୀୟ ଦଳରେ ବିଭିନ୍ନ ଖେଳାଳିଙ୍କ ସ୍ଥାନ ଆପାତତଃ ସ୍ଥିର ରହିଥିବା ବେଳେ କେବଳ ୪ ନମ୍ବର ସ୍ଥାନ ପାଇଁ ଦଳ ଦ୍ବନ୍ଦରେ ରହିଛି। ଏହି ସ୍ଥାନ ପାଇଁ ଅମ୍ବାତି ରାୟୁଡୁ, ବିଜୟ ଶଙ୍କର, ଋଷଭ ପନ୍ତ ଏବଂ ଦୀନେଶ କାର୍ତ୍ତିକ ମୁଖ୍ୟ ଦାବିଦାର ରହିଛନ୍ତି। ଆଇପିଏଲ୍ ପ୍ରଦର୍ଶନ ଭାରତୀୟ ଦଳ ଚୟନ ନିମନ୍ତେ ବିଚାରକୁ ନିଆଯିବ ନାହିଁ ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି।
ଫେବୃଆରୀ ୧୪ ତାରିଖରେ ଭାରତରେ ଘଟାଇଥିବା ଜୈଶ୍-ଏ-ମହମ୍ମଦ ଦ୍ଵାରା ଆତ୍ମଘାତୀ ଆତଙ୍କୀ ଆକ୍ରମଣରେ ଭାରତର ୪୦ ଜଣ ଯବାନ୍ଙ୍କ ଶହୀଦ୍ ହେବା ପରେ ଭାରତ ପକ୍ଷରୁ ପାକିସ୍ତାନକୁ କଡ଼ା ନିନ୍ଦା କରାଯାଇଥିଲା । ଦେଶର ପୁରୁଖା ଖେଳାଳି, ଖେଳପ୍ରେମୀ ଏବଂ ବୁଦ୍ଧିଜୀବୀମାନେ ଏହି ଦୁଃଖଦ ଘଟଣାକୁ କଡା ନିନ୍ଦା କରିବା ସହ ପାକିସ୍ତାନ ସହ ଆଗାମୀ ବିଶ୍ଵକପରେ ହେବାକୁ ଥିବା ମ୍ୟାଚକୁ ସମ୍ପୂର୍ଣ ଭାବରେ ବର୍ଜ୍ଜନ କରିବାପାଇଁ ଦାବି କରିଥିଲେ। ତେଣୁ ବିସିସିଆଇ ମଧ୍ୟ ସାଧାରଣ ଜନତାଙ୍କ କ୍ରୋଧକୁ ବୁଝି ପାକିସ୍ତାନକୁ ବ୍ୟାନ୍ କରିବା ଲାଗି ଆଇସିସି ପାଖରେ ଦାବି ଜଣାଇଥିଲା । ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଭାରତ ପକ୍ଷରୁ ପାକିସ୍ତାନକୁ ଏକଘରକିଆ କରିବା ପାଇଁ ସବୁପ୍ରକାର ଉଦ୍ୟମ ଜାରି ରହିଥିବାବେଳେ କ୍ରିକେଟ୍ ଖେଳିବା ଉପରେ ମଧ୍ୟ ପାକିସ୍ତାନକୁ ପ୍ରତିବନ୍ଧକ ଲଗାଇବାକୁ ବିସିସିଆଇ ଚେଷ୍ଟା ଜାରି ରଖିଥିଲା । କିନ୍ତୁ ଆଇସିସି ପାକିସ୍ତାନକୁ ବିଶ୍ଵକପ୍ରୁ ବାସନ୍ଦ ନ କରିବା ପାଇଁ ନିଷ୍ପତ୍ତି ନେଇଛି । ତେବେ ବିସିସିଆଇ ତରଫରୁ ଏନେଇ କୌଣସି ଘୋଷଣା ଏଯାବତ୍ ହୋଇନାହିଁ ।