Categories
ଆଜିର ଖବର ଖେଳ

ଜୟସ୍ବାଲଙ୍କ ପଞ୍ଚମ ଅର୍ଦ୍ଧଶତକ: ବାଂଲାଦେଶ ସମ୍ମୁଖରେ 178 ରନ୍‌ର ବିଜୟ ଲକ୍ଷ୍ୟ

ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ 19 ବର୍ଷରୁ କମ୍‌ ବିଶ୍ବକପ୍‌ ଫାଇନାଲ୍‌ରେ ବାଂଲାଦେଶ ସମ୍ମୁଖରେ 178 ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ। ଭାରତ ପକ୍ଷରୁ ଓପ୍ନର ଯଶସ୍ବୀ ଜୟସ୍ବାଲ ଟୁର୍ଣ୍ଣାମେଣ୍ଟରେ ନିଜର ପଞ୍ଚମ ଅର୍ଦ୍ଧଶତକ ହାସଲ କରିବା ସହିତ 88 ରନ୍‌ ସଂଗ୍ରହ କରିଥିଲେ ମଧ୍ୟ ଦଳ ମାତ୍ର 177 ରନ୍‌ରେ ସମସ୍ତ ଓ୍ବିକେଟ୍‌ ହରାଇଥିଲା। 9 ରନ୍‌ରେ ପ୍ରଥମ ଓ୍ବିକେଟ୍‌ ହରାଇଥିଲେ ମଧ୍ୟ ତିଲକ ବର୍ମା(38) ଜୟସ୍ବାଲଙ୍କ ସହିତ 94 ରନ୍‌ର ଭାଗିଦାରୀ କରିଥିଲେ। ମାତ୍ର ତିଲକଙ୍କ ଓ୍ବିକେଟ୍‌ ପତନ ପରେ ଅଧିନାୟକ ପ୍ରିୟମ୍‌ ଗର୍ଗ(7) ଶସ୍ତାରେ ଆଉଟ ହୋଇଥିଲେ। ଏହାପରେ ଧ୍ରୁବ ଜୁରେଲ୍‌(22)ଙ୍କ ସହିତ ଜୟସ୍ବାଲ 42 ରନ୍‌ର ଭାଗିଦାରୀ କରିଥିଲେ। ମାତ୍ର ଜୟସ୍ବାଲଙ୍କ ଓ୍ବିକେଟ୍‌ର ପତନ ପରେ ଭାରତୀୟ ଇନିଂସ ତାସ ପତା ପରି ଭୁଷୁଡି ପଡିଥିଲା। 156 ରନ୍‌ରେ ଚତୁର୍ଥ ଓ୍ବିକେଟ୍‌ ଭାବରେ ଜୟସ୍ବାଲ ଆଉଟ ହେବା ପରେ ପରବର୍ତ୍ତୀ 21 ରନ୍‌ ମଧ୍ୟରେ 6 ଓ୍ବିକେଟ ହରାଇଥିଲା ଭାରତ। ଜୟସ୍ବାଲ 121ଟି ବଲ୍‌ର ସମ୍ମୁଖୀନ ହୋଇ 8 ଚୌକା ଏବଂ 1 ଛକ୍କା ସହାୟତାରେ 88 ରନ୍‌ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତିଲକ ବର୍ମା (38) ଏବଂ ଧ୍ରୁବ ଜୁରେଲ୍‌(22) ଉପଯୋଗୀ ଇନିଂସ ଖେଳିଥିଲେ। ବାଂଲାଦେଶ ପକ୍ଷରୁ ଅଭିଷେକ ଦାସ ସର୍ବାଧିକ 3ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ ସୋରିଫୁଲ୍‌ ଇସଲାମ୍‌ ଏବଂ ତାଞ୍ଜିମ୍‌ ହସନ୍‌ ସାକିବ୍‌ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, 8 ଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଦୁଇଅଙ୍କ ଛୁଇଁ ପାରିନଥିଲେ। (ଏଜେନ୍ସି)

Categories
ଆଜିର ଖବର ଖେଳ

ଯଶସ୍ବୀଙ୍କ ଶତକ: ପାକକୁ ପରାସ୍ତ କରି ବିଶ୍ଵକପ ଫାଇନାଲରେ ଭାରତ

ପୋଚେଫ୍‌ଷ୍ଟ୍ରୁମ୍‌ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ସେମି ଫାଇନାଲରେ ଏକପାଖିଆ ବିଜୟ ହାସଲ କରିଛି ଭାରତ। ଭାରତ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ଶତକ ହାସଲ କରିଥିବା ବେଳେ ଭାରତ ୧୦ ଓ୍ବିକେଟ୍‌ରେ ବିଜୟୀ ହୋଇଥିଲା। ପ୍ରଥମେ ଭାରତୀୟ ବୋଲରଙ୍କ ସଫଳତା କାରଣରୁ ପାକିସ୍ତାନ ମାତ୍ର ୧୭୨ ରନ୍‌ରେ ଅଲଆଉଟ ହୋଇଥିଲା। ପାକିସ୍ତାନ ପକ୍ଷରୁ ଅଧିନାୟକ ରୋହେଲ ନାଜିର ୬୨ ସର୍ବାଧିକ ସ୍କୋର କରିଥିବା ବେଳେ ଓପ୍‌ନର ହାଇଦର ଅଲୀ ୫୬ ରନ୍‌ ସଂଗ୍ରହ କରିଥିଲେ। ଜବାବରେ ଦୁଇ ଭାରତୀୟ ଓପ୍‌ନର ଯଶସ୍ବୀ ଏବଂ ଦିବ୍ୟାଂଶ ପାକିସ୍ତାନୀ ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ। ୩୫.୨ ଓଭରରେ ଉଭୟ ୧୭୬ରନ୍‌ ଯୋଗ କରି ଭାରତକୁ ଫାଇନାଲରେ ପହଞ୍ଚାଇଥିଲେ। ଜୟସ୍ବାଲ ୧୧୩ଟି ବଲ୍‌ର ସମ୍ମୁଖୀନ ହୋଇ ୮ଟି ଚୌକା ଏବଂ ୪ଟି ଛକ୍କା ସହାୟତାରେ ୧୦୫ ରନ୍‌ ସଂଗ୍ରହ କରିଥିବା ବେଳେ ଦିବ୍ୟାଂଶ ସକ୍ସେନା ୯୯ଟି ବଲ୍‌ରୁ ୬ଟି ଚୌକା ବଳରେ ୫୯ ରନ୍‌ ସଂଗ୍ରହ କରିଥିଲେ। ଯଶସ୍ବୀ ଜୟସ୍ବାଲଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା। (ଏଜେନ୍ସି)