Categories
ଆଜିର ଖବର ଜାତୀୟ ଖବର

ପୋଲିସ ଷ୍ଟେସନରେ କନେଷ୍ଟବଳଙ୍କ କାନକୁ କାଟିଲେ ଯୁବକ

ମଧ୍ୟପ୍ରଦେଶ : କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ସରକାର ତରଫରୁ ଲଗାତାର ମାସ୍କପିନ୍ଧିବା ସହିତ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଉଛି ।  ଘରୁ ବାହାରିବା ପୂର୍ବରୁ ମୁହଁରେ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ରହିଛି । କରୋନା ସହ ଲଢେଇ ପାଇଁ ପୋଲିସ୍‌ କର୍ମୀମାନେ ସଜାଗ ରହିଥିବାବେଳେ ସେବା ଯୋଗାଇ ଆସୁଛନ୍ତି । ତେବେ କିଛି ଅମାନିଆ ଏହାକୁ ନ ମାନି କରୋନା ଯୋଦ୍ଧାଙ୍କ ଉପରେ ଆକ୍ରମଣ କରୁଥିବାର ଘଟଣା ସାମ୍ନାକୁ ଆସୁଛି।

ଗୁରୁବାର ଦିନ ମଧ୍ୟପ୍ରଦେଶରେ ଅଶୋକ ନଗର ବାହାଦୂରପୁର ଥାନାଠାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ବିନା ମାସ୍କରେ ପୋଲିସ୍‌ ଥାନାକୁ ଆସିଥିବାରୁ ତାକୁ ଥାନା ଭିତରକୁ ପ୍ରବେଶ କରିବାକୁ ଦିଆଗଲା ନାହିଁ । ଯୁବକଟି ସାଙ୍ଗେ ସାଙ୍ଗେ ଫେରିଯାଇଥିବାବେଳେ କିଛି ସମୟରେ ଥାନାକୁ ଆସି ହଠାତ୍‌ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ଆରମ୍ଭ କରିଦେଇଥିଲା। ଏହାକୁ ନେଇ ଥାନାରେ ଥିବା କନେଷ୍ଟବଳ ତାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ । ଯୁବକ ଜଣକ କନେଷ୍ଟବଳଙ୍କ ନିକଟତର ହେବାକୁ ପ୍ରୟାସ କରୁଥିବା ସମୟରେ ସେ ଯୁବକକୁ ମାସ୍କ ନ ପିନ୍ଧିଥିବାରୁ ଦୂରରୁ ଛିଡା ହୋଇ କଥା କହିବାକୁ କହିଥିଲେ। ଏହାରେ ଯୁବକ ଜଣକ ନିଜ ପାଖରେ ରଖିଥିବା ଛୁରୀ ଦ୍ବାରା କନେଷ୍ଟବଳଙ୍କ ଉପରେ ଆକ୍ରମଣ କରିଥିଲା । ଏହାପରେ କନେଷ୍ଟବଳଙ୍କ ବେକକୁ ଧରି ବାମ କାନକୁ କାଟି ଦେଇଥିଲେ।

ସେହିପରି ଆଉ ଜଣେ ପୋଲିସ କନେଷ୍ଟବଳ ତାକୁ ରୋକିବାକୁ ଚେଷ୍ଟ କରିବାକୁ ପ୍ରୟାସ କରିବାରୁ ତାଙ୍କ ଉପରେ ଆକ୍ରମଣ କରି ତାଙ୍କ ଆଙ୍ଗୁଠି କାଟି ଦେଇଛନ୍ତି ଯୁବକ ଜଣକ । ଏହା ପରେ ଅଭିଯୁକ୍ତ ଜଣକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ୍‌ ତତ୍‌କ୍ଷଣାତ୍‌ ଚାରିଆଡେ ଯୁବକଙ୍କୁ ଖୋଜି ଗିରଫ କରି ମାମଲା ଦାଏର କରିଛି।