Categories
ଜାତୀୟ ଖବର ବିଶେଷ ଖବର

ପଞ୍ଜୀକୃତ ଅଣ ସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ବୃଦ୍ଧ ବୟସରେ ପେନ୍‍ସନ୍‍ ନିଶ୍ଚିତ କରିବ ପିଏମ୍‍-ଏସ୍‍ଓ୍ୱାଇଏମ୍‍

ନୂଆଦିଲ୍ଲୀ: ଆମ ଦେଶର ବିଭିନ୍ନ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ଅବଦାନ ଦେଶର ସମୁଦାୟ ଉତ୍ପାଦନରେ ୫୦ପ୍ରତିଶତଠୁ ଅଧିକ। ହେଲେ ସ୍ୱାଧୀନତା ର ୭୮ ବର୍ଷ ପରେ ମଧ୍ୟ ସେମାନଙ୍କ ସାମାଜିକ ସୁରକ୍ଷା ଲାଗି କୌଣସି ପଦକ୍ଷେପ ନିଆଖଯାଇ ନଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ପ୍ରଥମଥର ପାଇଁ ସେମାନଙ୍କ ଅବସର ବୟସକୁ ସହଜ କରିବା ପାଇଁ ସ୍ୱତନ୍ତ୍ର ପେନ୍‍ସନ୍‍ ଯୋଜନା ଆରମ୍ଭ କରିଛନ୍ତି। ପିଏମ୍‍-ଏସ୍‍ଓ୍ୱାଇଏମ୍‍ ଯୋଜନା ନାମରେ ପରିଚିତ ଏହି ନୂଆ ଯୋଜନା ୬୦ ବର୍ଷ ପରେ ଶ୍ରମିକଙ୍କୁ ମାସିକ ଅତିକମରେ ତିନି ହଜାର ଟଙ୍କା ନିଶ୍ଚିତ କରିବା ଲାଗି ଲକ୍ଷ୍ୟ ରଖିଛି।

ସରକାରଙ୍କ ଦ୍ୱାରା ଚାଲିଥିବା ଅଣ ସଂଗଠିତ କ୍ଷେତ୍ରର ଶ୍ରମିକ ଚିହ୍ନଟ ଅଭିଯାନରେ  ଏବେ ସୁଦ୍ଧା ୩୦ କୋଟି ୫୧ ଲକ୍ଷ ଶ୍ରମିକ ପଞ୍ଜିକୃତ ହୋଇଛନ୍ତିବ। ଏମାନେ ମୁଖ୍ୟତଃ  ଘରୋଇ  ସହାୟକ, ରାସ୍ତା କଡ଼ର ବ୍ୟବସାୟୀ, ମଧ୍ୟାହ୍ନ ଭୋଜନ କର୍ମଚାରୀ, ମୁଣ୍ଡରେ ଭାର ଉଠାଉଥିବା ଶ୍ରମିକ, ଇଟା ଭାଟି ଶ୍ରମିକ, ମୋଚି, ଲୁହା କାରିଗର, ଧୋବା, ରିକ୍ସା ଚାଳକ, ଭୂମିହୀନ ଶ୍ରମିକ, କୃଷି ଶ୍ରମିକ, ନିର୍ମାଣ ଶ୍ରମିକ, ବିଡ଼ି ଶ୍ରମିକ, ହସ୍ତତନ୍ତ ଶ୍ରମିକ, ଚମଡ଼ା ଶ୍ରମିକ, ଅଡିଓ-ଭିଜୁଆଲ୍ ଶ୍ରମିକ ବର୍ଗର।  ଇ-ଶ୍ରମ ପୋର୍ଟାଲ୍ ରେ ଏମାନେ ସ୍ୱତଃ ପଞ୍ଜିକୃତ ହୋଇଛନ୍ତି। ୩୧ ଡିସେମ୍ବର ୨୦୨୪ ସୁଦ୍ଧା ୩୦କୋଟି ୫୧ କୋଟିରୁ ଅଧିକ ଅଣସଂଗଠିତ ଶ୍ରମିକ ପଞ୍ଜିକୃତ ହୋଇଥିବା ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ, ୨୦୧୯ ମସିହାର ମଧ୍ୟବର୍ତ୍ତୀକାଳୀନ ବଜେଟରେ ପ୍ରଧାନମନ୍ତ୍ରୀ-ଏସୱାଇଏମ୍ ପ୍ରଚଳନ ବାବଦରେ ଘୋଷଣା କରାଯାଇଥିଲା। ଏହାକୁ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ଦ୍ୱାରା ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ଏବଂ ସାଧାରଣ ସେବା କେନ୍ଦ୍ର ଇ-ଗଭର୍ଣ୍ଣାନ୍ସ ସର୍ଭିସେସ୍ ଇଣ୍ଡିଆ ଲିମିଟେଡ୍ (ସିଏସସି ଏସପିଭି) ସହଯୋଗରେ କାର୍ଯ୍ୟାନ୍ୱୟନ କରାଯାଉଛି।

ଏହା ଏକ ଅବଦାନ ଭିତ୍ତିକ ଯୋଜନା। ଅର୍ଥାତ୍‍ ପଞ୍ଜିକୃତ ଶ୍ରମିକ ଯେତିକି ଅର୍ଥ ବର୍ଷକୁ ଜମା ରଖନ୍ତି ସେହି ପରିମାଣରେ ଅର୍ଥ ତାଙ୍କ ନାଁରେ ଜମା କରନ୍ତି ଭାରତ ସରକାର। ବୟସ ଅନୁସାରେ ଏହିୀ ଅବଦାନ ରାଶି ସ୍ଥିର କରାଯାଇଥାଏ। ୬୦ ବର୍ଷ ବୟସ ଯାଏ ସମ୍ପୃକ୍ତ ଶ୍ରମିକଙ୍କୁ ଏହି ଅବଦାନ ଦେବାକୁ ହୋଇଥାଏ। ଏହାପରେ ତାଙ୍କୁ ମାସିକ ସର୍ବନିମ୍ନ ୩ ହଜାର ଟଙ୍କା  ପେନ୍‍ସନ୍‍ ଦେବା ଲାଗି ବ୍ୟବସ୍ଥା କରହିଛନ୍ତି ଭାରତ ସରକାର। ପୁଣି ଯଦି ପଞ୍ଜିକୃତ ହିତାଧିକାରୀଙ୍କ ମୃତ୍ୟୁ ହୁଏ, ତେବେ ତାଙ୍କ ପତି କିମ୍ବା ପତ୍ନୀଙ୍କୁ ପରିବାର ପେନ୍ସନ ଭାବରେ ମିଳୁଥିବା ବା ମିଳିବାକୁ ଥିବା ପେନ୍ସନ ପରିମାଣର ୫୦ ପ୍ରତିଶତ ମିଳିଥାଏ। ପରିବାର ପେନ୍ସନ କେବଳ ପତି କିମ୍ବା ପତ୍ନୀଙ୍କ ପାଇଁ ପ୍ରଯୁଜ୍ୟ ହୋଇଥାଆନ୍ତି। ଏହି ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ମଧ୍ୟ ସର୍ତ୍ତ ଅନୁସାରେ ପାଣ୍ଠିରୁ ପ୍ରସ୍ଥାନ କରିପାରିବେ। ଯଦି ଜଣେ ଶ୍ରମିକ ୧୦ ବର୍ଷ ପୂର୍ବରୁ ଯୋଜନାରୁ ପ୍ରସ୍ଥାନ କରନ୍ତି, ତେବେ ଅବଦାନ ରାଶି ସଞ୍ଚୟ ବ୍ୟାଙ୍କ ସୁଧ ହାର ସହିତ ଫେରସ୍ତ କରାଯିବାର ବ୍ୟବସ୍ଥା ରହିଛି। ସେହିପରି ୧୦ ବର୍ଷ ପରେ କିନ୍ତୁ ୬୦ ବର୍ଷ ପୂର୍ବରୁ ପ୍ରସ୍ଥାନକରୁଥିବା ହିତାଧିକାରୀଙ୍କୁ ତାଙ୍କ ଅବଦାନର ଅଂଶ ସହିତ ପାଣ୍ଠି ଦ୍ୱାରା ଅର୍ଜିତ ସୁଧ କିମ୍ବା ସଞ୍ଚୟ ବ୍ୟାଙ୍କ ସୁଧ ହାରରେ ସୁଧ ପ୍ରଦାନ ବ୍ୟବସ୍ଥା ରହିଛି। ୬୦ ବର୍ଷ ପୂର୍ବରୁ ମୃତ୍ୟୁ କିମ୍ବା ଦୁର୍ଘଟଣା ଯୋଗୁଁ ସ୍ଥାୟୀ ଅକ୍ଷମତା ହେଲା ପତି କିମ୍ବା ପତ୍ନୀ ଯୋଜନା ଜାରି ରଖିପାରିବେ କିମ୍ବା ପାଣ୍ଠି ଦ୍ୱାରା ପ୍ରକୃତରେ ଅର୍ଜିତ ସୁଧ ସହିତ କିମ୍ବା ସଞ୍ଚୟ ବ୍ୟାଙ୍କ ସୁଧ ହାରରେ ଯାହା ଅଧିକ ହୁଏ ତାହା ଉଠାଇପାରିବେ। ୬୦ ବର୍ଷ ପରେ ମୃତ୍ୟୁ ହେଲେ ହିତାଧିକାରୀଙ୍କ ପତି କିମ୍ବା ପତ୍ନୀଙ୍କ ପରିବାର ପେନସନ ଭାବରେ ୫୦ ପ୍ରତିଶତ ପେନସନ  ମିଳିବ।  ଗ୍ରାହକ ଏବଂ ତାଙ୍କ ପତି କିମ୍ବା ପତ୍ନୀଙ୍କ ମୃତ୍ୟୁ ପରେ, ସମ୍ପୂର୍ଣ୍ଣ କର୍ପସ ପାଣ୍ଠିକୁ ଫେରସ୍ତ କରାଯିବା ବ୍ୟବସ୍ଥା ରହିଛି। ପୁଣି ଯଦି ଜଣେ ଗ୍ରାହକ ନିରନ୍ତର ଅବଦାନ ଦେଇନାହାଁନ୍ତି, ତେବେ ତାଙ୍କୁ ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ସମ୍ପୂର୍ଣ୍ଣ ବକେୟା ଦେୟ, ଜରିମାନା ଶୁଳ୍କ ସହିତ, ଯଦି କିଛି ଥାଏ, ପରିଶୋଧ କରି ତାଙ୍କର ଅବଦାନକୁ ନିୟମିତ କରିବାକୁ ଅନୁମତି ଦିଆଯିବାର ବ୍ୟବସ୍ଥା ରହିଛି।

୧୮ ରୁ ୪୦ ବର୍ଷ ବୟସର ଯୋକୌଣସି ଅଣ ଆୟକର ଦାତା ଅଣ ସଂଗଠିତ ଶ୍ରମିକ ଯୋଜନାର ଲାଭ ଉଠାଇ ପାରିବେ। ଏଥିଲାଗି ତାଙ୍କର  ଆୟ ସୀମା ମାସିକ ଆୟ ୧୫,୦୦୦ ଟଙ୍କା ବା ତା’ଠାରୁ କମ୍ ହେବା ଉଚିତ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି କର୍ମଚାରୀ ରାଜ୍ୟ ବୀମା ନିଗମ କିମ୍ବା ଜାତୀୟ ପେନସନ ଯୋଜନା   ଅଧୀନରେ ଅନ୍ତର୍ଭୁକ୍ତ  ହୋଇଥିବା ହିତାଧିକାରୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ନାହିଁ। ପୁଣି  ହିତାଧିକାରୀ  ଅନ୍ୟ କୌଣସି ସରକାରୀ ପେନସନ ଯୋଜନାରୁ ଲାଭ ଗ୍ରହଣ କରିବା ଉଚିତ ନୁହେଁ।

ଏହି ଯୋଜନାରେ ପଞ୍ଜିକୃତ ହେବା ଲାଗି ହିତାଧିକାରୀଙ୍କ ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଓ ମୋବାଇଲ ନମ୍ବର ଆବଶ୍ୟକ। https://labour.gov.in/list-professions-occupations-covered କିମ୍ବା https://maandhan.in  ପୋର୍ଟାଲ୍‍ ମାଧ୍ୟମରେ କୌଣସି ଶ୍ରମିକ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ।

ପୁଣି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସମସ୍ତ ଶ୍ରମ କାର୍ଯ୍ୟାଳୟ, ଏଲଆଇସିର ସମସ୍ତ ଶାଖା କାର୍ଯ୍ୟାଳୟ, ଇଏସ୍‍ଆଇସିର କାର୍ଯ୍ୟାଳୟଗୁଡ଼ିକରେ ଏହି ଯୋଜନା ବାବଦରେ ସୂଚନା ଦେବା ପାଇଁ ସୁବିଧା କେନ୍ଦ୍ର ଖୋଲାଯାଇଛି।  ଗ୍ରାହକ ସେବା ନମ୍ବର ୧୮୦୦ ୨୬୭୬ ୮୮୮ ରେ ଅଭିଯୋଗ ପଞ୍ଜିକରଣ କରିବାର ସୁବିଧା ରହିଛି।

ଯୋଜନାର ଲାଭ ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଖରେ ପହଞ୍ଚିବା ସୁନିଶ୍ଚିତ କରିବା ପାଇଁ  ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ପ୍ରତିନିଧିଙ୍କ ସହିତ ସାମୟିକ ସମୀକ୍ଷା ବୈଠକ କରାଯାଉଛି। ରାଜ୍ୟ ସାଧାରଣ ସେବା କେନ୍ଦ୍ର ମୁଖ୍ୟଙ୍କ ସହିତ ନିୟମିତ ବୈଠକ ସହ  ସ୍ୱେଚ୍ଛାକୃତ ପ୍ରସ୍ଥାନ, ପୁନରୁଦ୍ଧାର ମଡ୍ୟୁଲ୍, ଦାବି ସ୍ଥିତି ଏବଂ ଆକାଉଣ୍ଟ ଷ୍ଟେଟମେଣ୍ଟ ଭଳି ନୂତନ ବୈଶିଷ୍ଟ୍ୟଗୁଡ଼ିକର ଶୁଭାରମ୍ଭ କରାଯାଇଛି। ଏହାସହ  ନିଷ୍କ୍ରିୟ ଆକାଉଣ୍ଟଗୁଡ଼ିକର ପୁନରୁଦ୍ଧାର ସମୟ ସୀମାକୁ ୧ ବର୍ଷରୁ ୩ ବର୍ଷକୁ ବଢ଼ାଯାଇଛି, ଏହା ପରୋକ୍ଷା ଭାବେ ଏ କ୍ଷେତ୍ରର ଶ୍ରମିକଙ୍କୁ ସହଯୋଗୀ ହେବ।

Categories
ବିଶେଷ ଖବର ରାଜ୍ୟ ଖବର

କ୍ରାନ୍ତି ଦିବସରେ ଅଣ ସଂଗଠିତ ଶ୍ରମିକମାନଙ୍କ ସମସ୍ୟାକୁ ନେଇ ରାଜ୍ୟ କଂଗ୍ରେସର ବିଧାନସଭା ଘେରାଉ

ଭୁବନେଶ୍ୱର, ଅଖିଳ ଭାରତୀୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ପକ୍ଷରୁ କ୍ରାନ୍ତି ଦିବସ ପରିପ୍ରେକ୍ଷୀରେ ସଂସଦ ଘେରାଉ ହେଉଥିବା ବେଳେ ଅଣ ସଂଗଠିତ ମାନଙ୍କର ମୌଳିକ ଅଧିକାର କୁ ନେଇ ଆଜି କଂଗ୍ରେସ ଭବନ ଠାରୁ ଏକ ଶୋଭାଯାତ୍ରା ପ୍ରଦେଶ ଅଣ ସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ୱରେ ଏକତ୍ରିତ ହୋଇ ରାଜ୍ୟର ସମସ୍ତ ଜିଲ୍ଲା କମିଟି ନେତୃବୃନ୍ଦ ବିଧାନସଭା ଘେରାଓ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏଥିରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନଗୋ, ସୁରେଶ କୁମାର ରାଉତରାୟ, ବିଧାୟକ ଜଟଣୀ, ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଡ. ଆର‌୍ୟ୍ୟ କୁମାର ଜ୍ଞାନେନ୍ଦ୍ର, ଶିବାନନ୍ଦ ରାୟ, ଏ.ଆଇ.ୟୁ.ଡବ୍ଲୁ.ସି ର ରାଜ୍ୟ ଉପଧ୍ୟକ୍ଷା ଜ୍ୟୋତ୍ସନା ସେନାପତି, ରାଜ୍ୟ ସଂପାଦକ କୈଳାସ ଚନ୍ଦ୍ର ସାହୁ ପ୍ରମୁଖ ଏହି ବିକ୍ଷୋଭରେ ଉପସ୍ଥିତ ଥିଲେ।

ନିର୍ମାଣ ଶ୍ରମିକ, କୃଷି, ମନରେଗା, ଉଠା ଦୋକାନୀ, ଘରୋଇ ଶ୍ରମିକ ଭାବେ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ୧.୬୨ କୋଟି ଅଣସଂଗଠିତ ଶ୍ରମିକ କାର‌୍ୟ୍ୟ କରୁଥିଲେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାଁ ଭାଁ ୮୦ଲକ୍ଷ ଅଣ ସଂଗଠିତ ଶ୍ରମିକଙ୍କ ନାମ ପଞ୍ଜିକୃତକରି ଧର୍ମକୁ ଆଖିଠାର ମାରିଥିବା ପ୍ରତିବାଦରେ ରାଜ୍ୟ ଅଣସଂଗଠିତ ଶ୍ରମିକ କଂଗ୍ରେସ ମନରେଗାରେ ଚାଲିଥିବା ମାଫିଆରାଜ ବନ୍ଦ କରିବା, ସମସ୍ତ ନିର୍ମାଣ ଶ୍ରମିକ ମାନଙ୍କ ନାମ ପଞ୍ଜିକୃତ କରିବା ସହିତ ପଞ୍ଜିକୃତ ଅଣସଂଗଠିତ ଶ୍ରମିକ, ନିର୍ମାଣ ଶ୍ରମିକ, କୃଷି ଶ୍ରମିକ ଓ ମନରେଗାରେ କାର‌୍ୟ୍ୟକରୁଥିବା ଶ୍ରମିକଙ୍କୁ ୧୦୦ ଦିନର କାମ ଯୋଗାଇ ଦେବା ଓ ସେମାନଙ୍କୁ କୋଭିଡ ସହାୟତା ରାଶି ଯୋଗାଇ ଦେବା, ପ୍ରବାସୀ ଶ୍ରମିକ ମାନଙ୍କୁ ରାଜ୍ୟ ସରକାର ସାମାଜିକ ସୁରକ୍ଷା ଦେବା ସହିତ ସେମାନଙ୍କୁ ଦୁର୍ଘଟଣା ଓ ମୃତ୍ୟୁକାଳୀନ କ୍ଷତିପୂରଣ ଯୋଗାଇଦେବା ରାଜ୍ୟରେ ସମସ୍ତ ପଞ୍ଜିକୃତ ନିର୍ମାଣ ଓ ଅଣସଂଗଠିତ ଶ୍ରମିକମାନଙ୍କୁ କୋଭିଡ ମହାମାରୀରେ ଆର୍ଥିକ ସହାୟତା ଯୋଗାଇଦେବା ସମେତ ୯ ଦଫା ଦାବିକୁ ନେଇ ବିଧାନସଭା ଘେରାଓ ସହିତ ମାନ୍ୟବର ରାଜ୍ୟପାଳ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ଏକ ପ୍ରତିବାଦ ସଭା ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିବାଦ ସଭାରେ ପ୍ରଦେଶ ଅଣସଂଗଠିତ ଶ୍ରମିକ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟ ସଂଯୋଜକ ବିଜୟ କୁମାର ବୋଇତାଇ, କୃଷ୍ଣ ଚନ୍ଦ୍ର ସାହୁ, ଭବାନୀ ଶଙ୍କର ଜେନା, ସଂଯୋଜିକା ନିରୁପମା ଦାସ, ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ, ଜିଲ୍ଲା ଅଧ୍ୟକ୍ଷ ସର୍ବଶ୍ରୀ ବିକାଶ କୁମାର ଦାସ, ନିରଞ୍ଜନ ଲେଙ୍କା, ଦୀପ୍ତିରଞ୍ଜନ ପଣ୍ଡା, ଜେମସ ବାହାଲା, ଗଣେଶ ଚନ୍ଦ୍ର ମଲ୍ଲିକ, ରାଜେଶ କୁମାର ସାହିସ, ଫିଲିପ କୁମାର, ରଞ୍ଜନ ତରାଇ, ମୀରା ମୁରସିଦ, ସୁଦର୍ଶନ ପଲାଇ, ଶିବପ୍ରସାଦ ନାଥ, ବନମାଳୀ ମହାରଣା, ସୁବାଶିଷ ନାୟକ, ସ୍ୱର୍ଣ୍ଣଲତା ବଳ ପ୍ରମୁଖ କେନ୍ଦ୍ର ଓ ରାଜ୍ୟ ସରକାର ଅଣସଂଗଠିତ ଶ୍ରମିକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଆଇନ ୧୯୯୬, ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ଆଇନ ୨୦୦୮ ଓ ୨୦୧୪କୁ ଗୁରୁତ୍ୱ ନଦେଇ ବଡ଼ ବଡ଼ ଶିଳ୍ପପତି ମାନଙ୍କ ସୁରକ୍ଷା କବଚ ସାଜିବା ସହିତ ଆକାଶଛୁଆଁ ଦରଦାମ ବୃଦ୍ଧି ବିଶେଷକରି ଡିଜେଲ, ପେଟ୍ରୋଲ, ଓ ରନ୍ଧନଗ୍ୟାସ ଉପରେ ଅହେତୁକ ଟିକସ ବୃଦ୍ଧି କରି ଦରଦାମ ବୃଦ୍ଧି ନିୟନ୍ତ୍ରଣରେ ସରକାରଙ୍କ ବିଫଳତାକୁ ଦୃଢ଼ ସମାଲୋଚନା କରିଥିଲେ ।

ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅଣସଂଗଠିତ ପ୍ରମୁଖ ବିଭିନ୍ନ ଜିଲ୍ଲାରେ ଦେଖା ଦେଇଥିବା ଶ୍ରମିକମାନଙ୍କ ସମସ୍ୟା ଉପରେ ଆଲୋକପାତ କରିବା ସହିତ ଶତାଧିକ ଅଣସଂଗଠିତ ଶ୍ରମିକମାନେ ବିଧାନସଭା ଘେରାଉ କାର‌୍ୟ୍ୟକ୍ରମରେ ଯୋଗଦେଇଥିଲେ ।