Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଅସୁସ୍ଥ ଅନୁଭବ କଲେ ନକଲି ଟୀକା ନେଇଥିବା ସାଂସଦ ମିମୀ ଚକ୍ରବର୍ତ୍ତୀ: ଅଭିଯୁକ୍ତ ଉପରେ ଲାଗିପାରେ ହତ୍ୟା ଉଦ୍ୟମ କେସ୍

କଲିକତା: କଲିକତାରେ ପାଖାପାଖି ତିନୋଟି ଟୀକାକରଣ ଶିବିର ଆୟୋଜନ କରି ନକଲି ଟୀକା ଦେଇଥିବା ଦେବଞ୍ଜନ ଦେବଙ୍କ ଉପରେ ଏବେ ହତ୍ୟା ଉଦ୍ୟମ ଅଭିଯୋଗ ଲାଗିପାରେ। ଅଭିଯୁକ୍ତଙ୍କ ନାମରେ ଧାରା ୩୦୭ ଯୋଡିବା ପାଇଁ ଅଦାଲତରେ କଲିକତା ପୋଲିସ ଅପିଲ କରିଛି।

ପୋଲିସ କହିବା ଅନୁଯାୟୀ, କରୋନା ଟୀକା ବଦଳରେ ଦେବଞ୍ଜନ ଦେବ ଆଣ୍ଟିବାୟୋଟିକ ଆମୀକାସିନର ଇଂଜେକସନ ଲୋକଙ୍କୁ ଲଗାଇଦେଇଥିଲେ। ଏହି ଇଂଜେକସନ ଲଗାଇବା ପୂର୍ବରୁ ଲୋକଙ୍କର ଏଲର୍ଜୀ ଅଛି କି ନାହିଁ, ତାହା ସେ ଯାଞ୍ଚ କରିନଥିଲେ। ଏହା ଲୋକଙ୍କ ପାଇଁ ବିପଦଜନକ ହୋଇପାରେ। ଅଭିନେତ୍ରୀରୁ ସାଂସଦ ହୋଇଥିବା ମିମୀ ଚକ୍ରବର୍ତ୍ତୀ ମଧ୍ୟ ଏଭଳି ନକଲି ଟୀକାର ଶିକାର ହୋଇଥିଲେ। ସେ ଏହି ନକଲି ଟୀକାକରଣ ଶିବିର ବିଷୟରେ ପ୍ରଥମେ ଲୋକଙ୍କ ସାମ୍ନାକୁ ଆଣିଥିଲେ।

ବର୍ତ୍ତମାନ ସୂଚନା ଅନୁଯାୟୀ, ଏହି ଇଂଜେକସନ ନେବା ପରେ ତୃଣମୂଳ ସାଂସଦ ମିମୀ ଚକ୍ରବର୍ତ୍ତୀ ଅସୁସ୍ଥ ଅନୁଭବ କରୁଛନ୍ତି। ସାଂସଦଙ୍କ ଗ୍ଲାଡ ବ୍ଳାଡରର ସମସ୍ୟା ହୋଇପାରେ ବୋଲି ପ୍ରାରମ୍ଭିକ ତଦନ୍ତରୁ ଡାକ୍ତର ସୂଚନା ଦେଇଛନ୍ତି। କିନ୍ତୁ ନକଲି ଟୀକା ଯୋଗୁଁ ତାଙ୍କର ଏହି ସମସ୍ୟା ଉପୁଜିଥିବା କହିବା ନିଶ୍ଚିତ ନୁହେଁ। ସ୍ୱାସ୍ଥ୍ୟ ପରୀକ୍ଷା ପରେ କାରଣ ସ୍ପଷ୍ଟ ହେବ ବୋଲି ମିମୀଙ୍କ କାର୍ଯ୍ଯାଳୟର ଡାକ୍ତର କହିଛନ୍ତି।