Categories
ଆଞ୍ଚଳିକ ରାଜ୍ୟ ଖବର

ସ୍ବୟଂ ସହାୟକ ଗୋଷ୍ଠୀକୁ ସ୍ବାବଲମ୍ବୀ କରିବା ପାଇଁ ଜେଏସ୍‌ଡବ୍ଲୁର ପ୍ରୟାସ ଆରମ୍ଭ

ସମୀକ୍ଷା ବ୍ୟୁରୋ

କୁଜଙ୍ଗ: ରାଜ୍ୟ ସରକାର ମହିଳାମାନଙ୍କୁ ସଶକ୍ତିକରଣ ଓ ଆର୍ଥିକ ସ୍ବାବଲମ୍ବୀଶୀଳ କରିବା ପାଇଁ ବିଭିନ୍ନ ଯୋଜନାର ରୂପାୟନ କରି ଏହାକୁ ସୂଚାରୁରୂପେ ପରିଚାଳନା କରୁଛନ୍ତି। ଯାହାଫଳରେ ଗ୍ରାମାଞ୍ଚଳରେ ଥିବା ବହୁ ଗରିବ ନିମ୍ନମଧ୍ୟବିତ୍ତ ମହିଳାମାନେ ସ୍ବୟଂସହାୟକ ଗୋଷ୍ଠୀ ମାଧ୍ୟମରେ ବହୁ ସୁବିଧା ସୁଯୋଗର ଲାଭ ଉଠାଇ ପାରୁଛନ୍ତି ଓ ନିଜର ନିଜର ପରିବାର ଆର୍ଥିକ ସମସ୍ୟାକୁ ବହୁ ପରିମାଣରେ ହ୍ରାସ କରିପାରୁଛନ୍ତି। ରାଜ୍ୟ ସରକାରଙ୍କ ଏହି ଜନହିତକର ଯୋଜନାକୁ ଆଉ ପାଦେ ଆଗେଇ ନେବା ପାଇଁ ଜେ.ଏସ୍‌.ଡବ୍ଲୁ ଉତ୍କଳ ଷ୍ଟିଲ୍‌ ତରଫରୁ ପ୍ରୟାସ ଆରମ୍ଭ କରିଛି। ଏହିକ୍ରମରେ ଜେ.ଏସ୍‌.ଡବ୍ଲୁ ପକ୍ଷରୁ ଏରସମା ବ୍ଲକର ଢିଙ୍କିଆ, ଗଡକୁଜଙ୍ଗ ଓ ନୂଆଗାଁ ପଞ୍ଚାୟତର ୫୦ରୁ ୬୦ ଜଣ ଗୋଷ୍ଠୀ ସହାୟିକା (ସିଆରପି) ଓ ଦକ୍ଷନଥି ପତ୍ର ସହାୟିକା (ଏମ୍‌ବିକେ)ମାନଙ୍କୁ ରାଜ୍ୟ ସରକାରଙ୍କ ଓରମାସ୍‌ ଦ୍ବାରା ଆୟୋଜିତ ‘ଶିଶିର ସରସ ମେଳା ୨୦୨୦’କୁ ନିଆଯାଇ, କୁଶଳୀ ଅଧିକାରୀମାନଙ୍କ ଦ୍ବାରା କିଭଳି ମେସିନ୍‌ ସାହାଯ୍ୟରେ ଅଧିକ ଉତ୍ତମ ଗୁଣବତ୍ତା ଥିବା ଧୂପକାଠି ତିଆରି କରାଯାଇପାରିବ ଓ ଏହାର ବିକ୍ରୟ ପାଇଁ ଆବଶ୍ୟକ ଜ୍ଞାନକୌଶଳ ସମ୍ପର୍କରେ ଶିକ୍ଷା ଦିଆଯାଇଛି। ଯାହାଫଳରେ ସେମାନେ ନିଜ ନିଜର ପଞ୍ଚାୟତର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ତାଲିମ ଦେଇପାରିବେ। ଯାହାଫଳରେ ସ୍ବୟଂସହାୟକ ଗୋଷ୍ଠୀରେ ଥିବା ଗରିବ ନିମ୍ନମଧ୍ୟବିତ୍ତ ମହିଳାମାନେ ସ୍ବାବଲମ୍ବୀ ହୋଇପାରିବେ।

ଏହାକୁ ସେହି ଅଞ୍ଚଳର ବୁଦ୍ଧିଜୀବୀମାନେ ସ୍ବାଗତ କରିଛନ୍ତି। ଉକ୍ତ ଅଞ୍ଚଳର ବିକାଶ, ଜନସାଧାରଣଙ୍କ ଜୀବନ ଜୀବିକାରେ ଉନ୍ନତି ଓ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାର ପ୍ରୟାସ ଜାରି ରହିବ ବୋଲି କମ୍ପାନୀ ତରଫରୁ ବିଭିନ୍ନ ସମୟ ଏହିଭଳି କାର୍ଯ୍ୟ ହାତକୁ ନିଆଯିବ ବୋଲି ସୂଚନା ଦିଆଯାଇଛି।