Categories
ଆଜିର ଖବର ରାଜ୍ୟ ଖବର

ପାରାଦୀପରେ ହେବ ନୂଆ ଏୟାରପୋର୍ଟ: ପୁରୀ ବିମାନବନ୍ଦର ପ୍ରାକ-ପ୍ରସ୍ତୁତି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ବିମାନ ଚଳାଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ “ବିମାନ ଚଳାଚଳ ଏବଂ ନେଟୱାର୍କ ନିର୍ମାଣ ପରିଚାଳନା” ସମ୍ବନ୍ଧରେ ଆଲୋଚନା କରିଛନ୍ତି।

ଏହି ବୈଠକରେ, ପାରାଦୀପରେ ଏକ ଗ୍ରୀନଫିଲ୍ଡ ବିମାନବନ୍ଦର ପାଇଁ ଯୋଜନା ସମେତ ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର (SJIA) ବିକାଶ ଏବଂ ରାଉରକେଲା ବିମାନ ବନ୍ଦରର ଉନ୍ନୀତକରଣ ଉପରେ ଆଲୋଚନା ହୋଇଥିବା ବେଳେ ଆଞ୍ଚଳିକ ସଂଯୋଗୀକରଣକୁ ବୃଦ୍ଧି କରିବା ପାଇଁ, ଜୟପୁର, ଦାଣ୍ଡବୋଷ, ରଙ୍ଗେଇଲୁଣ୍ଡା, ଗୋତମା, ସତୀଭତା, ରାଇସୁଆଁ, ତୁଷରା, ଜମାଦାରପାଲୀ, ମାଲକାନଗିରି, ଅମର୍ଦ୍ଦା ରୋଡ୍ ଏବଂ ଉତ୍କେଲା ସମେତ ରାଜ୍ୟର ପ୍ରମୁଖ ବିମାନବନ୍ଦର ଗୁଡ଼ିକର ଉନ୍ନତିକରଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ଏଥିସହିତ ରାଜ୍ୟର ୧୫ ଟି ଜିଲ୍ଲାରେ ହେଲିପୋର୍ଟ ନିର୍ମାଣ ଏବଂ ଢେଙ୍କାନାଳର ବିରାଶୋଳ ସ୍ଥିତ ଏୟାରଷ୍ଟ୍ରିପରେ ବିଜୁ ପଟ୍ଟନାୟକ ବିମାନ ଚଳାଚଳ କେନ୍ଦ୍ର (BPAC)ର ବିକାଶ ସମ୍ବନ୍ଧରେ ଏହି ବୈଠକରେ ଆଲୋଚନା ହୋଇଥିଲା। ନୋଡାଲ ଏଜେନ୍ସି ଭାବରେ ଏହି ବିକାଶ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ପୂର୍ତ୍ତ ବିଭାଗକୁ ଦାୟିତ୍ୱ ଦିଆଯାଇଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିମାନବନ୍ଦର, ହେଲିପ୍ୟାଡ୍ ଏବଂ ଡ୍ରୋନ୍ ହବ୍ ସମେତ ରାଜ୍ୟରେ ବିଶ୍ୱସ୍ତରୀୟ ବିମାନ ଚଳାଚଳ ଭିତ୍ତିଭୂମି ପ୍ରତିଷ୍ଠା ସମ୍ବନ୍ଧରେ ଆଲୋଚନା କରିଥିଲେ। ଏଥିସହିତ ରାଜ୍ୟରେ ବର୍ତ୍ତମାନ ଚାଲୁଥିବା ବିମାନବନ୍ଦର ଗୁଡିକର କାର୍ଯ୍ୟ ଦକ୍ଷତାକୁ ଆହୁରି ବିକାଶ କରିବା ଏବଂ ଏହାର ଆଧୁନିକୀକରଣ କରିବା ବିଷୟରେ ସେ ଗୁରୁତ୍ୱାରୋପ କରିଥିଲେ।

ରାଷ୍ଟ୍ରାୟତ୍ତ ବିମାନବନ୍ଦରଗୁଡ଼ିକର ଉନ୍ନତିକରଣ, ବିମାନ ସଂଯୋଗ ବୃଦ୍ଧି, ବିମାନ ଚଳାଚଳ ୟୁନିଟ୍‌ର ଦକ୍ଷତା ବୃଦ୍ଧି ସହିତ ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ରାଜ୍ୟର ବୃଦ୍ଧି ପାଉଥିବା ବିମାନ ଚଳାଚଳ କ୍ଷେତ୍ରକୁ ସୁଦୃଢ କରିବା ପାଇଁ ଆଧୁନିକ ଭିତ୍ତିଭୂମି ଏବଂ ଉନ୍ନତ ମାନବ ସମ୍ବଳର ପ୍ରସ୍ତାବ ସହିତ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ପୁନର୍ଗଠନ ବିଷୟରେ ଏହି ବୈଠକରେ ଆଲୋଚନା ହୋଇଥିଲା।

ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ସମେତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ଇପିକଲ୍‌ର ଏମ୍‌.ଡି ଭୂପିନ୍ଦର ସିଂ ପୁନିଆ, ଡାଇରେକ୍‌ଟର, ସିଭିଲ ଆଭିଏସନ୍ ଦେବଦତ୍ତା ସୁରଞ୍ଜିତା ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

‘‘ବିପଦ ରହିଥିବା’’ ଦେଶରୁ ଆସିଥିବା ୬ ଟି ପଜିଟିଭ୍ କେସ୍, ଜେନୋମିକ୍ ସିକୁଏନ୍‌ସିଂ ପାଇଁ ପଠାଗଲା ନମୁନା

ନୂଆଦିଲ୍ଲୀ: କୋଭିଡ୍-୧୯ ର ନୂତନ ଭାବରେ ଚିହ୍ନଟ ହୋଇଥିବା ଭାରିଆଣ୍ଟର ନିୟନ୍ତ୍ରଣ ଏବଂ ପରିଚାଳନା ପାଇଁ ଜନସ୍ୱାସ୍ଥ୍ୟ ପଦକ୍ଷେପ ଭାବରେ, କେନ୍ଦ୍ର ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁସାରେ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯିବାର ପ୍ରଥମ ଦିନରେ ଛଅ ଜଣ ଯାତ୍ରୀ କୋଭିଡ୍‌ ପଜିଟିଭ୍ ଥିବା ଜଣାଯାଇଛି। ଏହି ନୂତନ ଭାରିଆଣ୍ଟକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ବାରା ଭାରିଆଣ୍ଟ ଅଫ୍ କନ୍‌ସର୍ଣ୍ଣ (ଭିଓସି) ଭାବରେ ବିବେଚିତ କରାଯାଇଛି।

‘‘ବିପଦ ରହିଥିବା’’ ଦେଶରୁ ଆଜି ମଧ୍ୟ ରାତ୍ରରୁ ଅପରାହ୍ନ ୪ ଘଟିକା ମଧ୍ୟରେ ଲକ୍ଷ୍ମୌକୁ ଛାଡ଼ି ବିଭିନ୍ନ ଏୟାରପୋର୍ଟରେ ୧୧ ଟି ଆନ୍ତର୍ଜାତିକ ବିମାନ ପହଞ୍ଚିଛି। ଏଥିରେ ସମୁଦାୟ ୩୪୭୬ ଜଣ ଯାତ୍ରୀ ରହିଛନ୍ତି।

ସମସ୍ତ ୩୪୭୬ ଜଣ ଯାତ୍ରୀଙ୍କର ଆରଟି ପିସିଆର ପରୀକ୍ଷା କରାଯାଇଛି ଏବଂ ମାତ୍ର ୦୬ ଜଣ ଯାତ୍ରୀଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍ ଥିବା ଜଣାଯାଇଛି।

କୋଭିଡ୍-୧୯ ପଜିଟିଭ୍ ଯାତ୍ରୀଙ୍କର ନମୁନାକୁ ଆଇଏନଏସଏସିଓଜି ଲ୍ୟାବକୁ ସମ୍ପୂର୍ଣ୍ଣ ଜେନୋମିକ୍ ସିକୁଏନ୍‌ସିଂ ପାଇଁ ପଠାଯାଇଛି। ଭାରତ ସରକାର ପରିବର୍ତ୍ତିତ ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି ଓ ଏହି ମହାମାରୀ ବିପକ୍ଷରେ ସଂଗ୍ରାମରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରୁଛନ୍ତି।