Categories
ଆଜିର ଖବର ରାଜ୍ୟ ଖବର

୧୪ ଦିନରେ ଓଡ଼ିଶା କର୍ମଚାରୀଙ୍କ ଡିଜିଟାଲ୍ ଆନ୍ଦୋଳନ: କ୍ୟାସ୍‌ଲେସ୍ ହେଲ୍‌ଥ୍ କାର୍ଡ ଦାବି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ କ୍ୟାସ୍‌ଲେସ୍ ହେଲଥ୍‌କାର୍ଡ ପାଇଁ ବିଭିନ୍ନ ପର୍ଯ୍ୟାୟରେ ଅନୁରୋଧ କରିଥିଲେ ବି, ସବୁ ବର୍ଗର କର୍ମଚାରୀଙ୍କୁ କ୍ୟାସ୍‌ଲେସ୍ ହେଲଥ୍ କାର୍ଡ ଯୋଗାଇ ଦେବାପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଉନାହାଁନ୍ତି। ନିକଟରେ ରାଜ୍ୟ ସରକାର ଯୁଗାନ୍ତକାରୀ ନିଷ୍ପତ୍ତିକ୍ରମେ ଆୟୁଷ୍ମାନ୍ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତଭାବେ ଲାଗୁ କରିଛନ୍ତି। ଏଥିରେ ରାଜ୍ୟର ୩ କୋଟି ୪୬ ଲକ୍ଷ ଲୋକ ଦେଶର ୨୯ ହଜାର ଘରୋଇ ଓ ସରକାରୀ ହସ୍ପିଟାଲ୍‌ରେ ଚିକିତ୍ସା ଉପକୃତ ହେବେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଓଡ଼ିଶାରେ ୪୨ଟି ବିଭାଗରେ କାମ କରୁଥିବା ହଜାର ହଜାର ସରକାରୀ କର୍ମଚାରୀ ଏହି ଯୋଜନାରୁ ସାମିଲ୍ ହୋଇନାହାଁନ୍ତି।

ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ଆନୁକୂଲ୍ୟରେ କ୍ୟାସ୍‌ଲେସ୍ ହେଲ୍‌ଥ୍ କାର୍ଡ ବା ସ୍ୱାସ୍ଥ୍ୟବୀମା ସବୁ ସରକାରୀ କର୍ମଚାରୀମାନଙ୍କ କ୍ଷେତ୍ରରେ ଲାଗୁ ନ ହୋଇଥିବାରୁ ପଞ୍ଚାୟତରୁ ଲୋକସେବା ଭବନ ଯାଏଁ ସବୁ ବର୍ଗର କର୍ମଚାରୀ ହାତରେ ପ୍ଲାକାର୍ଡ ଧରି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦୁଃଖ ଓ ଅସନ୍ତୋଷ ଫେସ୍‌ବୁକ୍ ଓ ସୋସିଆଲ୍ ମିଡ଼ିଆରେ ଜାହିର କରିଥିଲେ। କେନ୍ଦ୍ର ସରକାର ତାଙ୍କ କର୍ମଚାରୀମାନଙ୍କ ପାଇଁ କ୍ୟାସ୍‌ଲେସ୍ ହେଲଥ୍ କାର୍ଡ ପ୍ରଦାନ କରୁଛନ୍ତି ତା’ସହିତ ସମସ୍ତ ଭାରତୀୟ ପ୍ରଶାସନ ସେବା ଅଧିକାରୀମାନେ (ଆଇ.ଏ.ଏସ୍‌.) ସୁବିଧା ପାଉଥିବା ବେଳେ ଓଡ଼ିଶାର କର୍ମଚାରୀମାନେ ବାଦ୍ ପଡୁଛନ୍ତି। ନିକଟରେ ଝାଡ଼ଖଣ୍ଡ ସରକାର ତାଙ୍କ ଅଧିନସ୍ଥ କର୍ମଚାରୀଙ୍କ ପାଇଁ କ୍ୟାସ୍‌ଲେସ୍ ହେଲଥ୍ କାର୍ଡ ଘୋଷଣା କରିଛନ୍ତି।

ପୂର୍ବରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲ୍‌ନାଡୁ, ହିମାଚଳ ପ୍ରଦେଶ, କେରଳ ରାଜ୍ୟ କର୍ମଚାରୀଙ୍କ ପାଇଁ କ୍ୟାସ୍‌ଲେସ୍ ହେଲ୍‌ଥ କାର୍ଡ ଘୋଷଣା କରିସାରିଛନ୍ତି। ସରକାରଙ୍କ ପ୍ରଚଳିତ ଆର.ସି.ଏମ୍‌. ଯୋଜନା ଉଚ୍ଛେଦ କରି କ୍ୟାସ୍‌ଲେସ୍ ହେଲଥ୍‌କାର୍ଡ ଲାଗୁ ପାଇଁ ସବୁଆଡ଼େ ଆଲୋଚନା ଚାଲିଛି। ସରକାରଙ୍କର ସବୁ ଯୋଜନାକୁ ସଫଳ ରୂପାୟନ କରୁଥିବା ଓ ବିକଶିତ ଓଡ଼ିଶାକୁ ଆଗକୁ ନେଉଥିବା ଏହି ଅସହାୟ କର୍ମଚାରୀଙ୍କ ପାଇଁ ଏହି ସଫଳ ଯୋଜନାକୁ ଲାଗୁ କରିବା ପାଇଁ ଆଜି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଓଡ଼ିଶାର ପାଞ୍ଚଲକ୍ଷ ସରକାରୀ କର୍ମଚାରୀ ଓ ସାଢେ ତିନି ଲକ୍ଷ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏବଂ ସେମାନଙ୍କ ପରିବାର ତରଫରୁ ଅନୁରୋଧ କରୁଛୁ।

ପ୍ରକାଶଥାଉକି, ମାନ୍ୟବର ମୁଖ୍ୟମନ୍ତ୍ର, ସ୍ୱାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ ସରକାର କୌଣସି ନିଷ୍ପତ୍ତି ନେଇନାହାଁନ୍ତି । ବିଭିନ୍ନ ରାଜ୍ୟ ଓ ରାଷ୍ଟ୍ରୀୟ ଉଦ୍ୟୋଗରେ କର୍ମଚାରୀମାନଙ୍କୁ ସ୍ୱାସ୍ଥ୍ୟବୀମା ଯୋଗାଇ ଦେଉଥିବା ବେଳେ ଓଡ଼ିଶାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ସଂଘର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏହି ପ୍ଲାକାର୍ଡ  ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ, ତା’ ପରବର୍ତ୍ତୀ କାର୍ଯ୍ୟକ୍ରମ ସମସ୍ତ ମନ୍ତ୍ରୀ, ବିଧାୟକ, ସଚିବ ଓ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବେ। ଯଦି ସରକାର ନ ଶୁଣନ୍ତି କଳାବ୍ୟାଚ ପିନ୍ଧି କର୍ମଚାରୀମାନେ କାମ କରିବେ।

ଯଦି ରାଜ୍ୟ ସରକାର ଏକ ମାସ ଭିତରେ କ୍ୟାସ୍‌ଲେସ୍ ହେଲଥ୍‌କାର୍ଡ କର୍ମଚାରୀମାନଙ୍କ କ୍ଷେତ୍ରରେ ଲାଗୁ ନ କରନ୍ତି, ଏକ ବୃହତ୍ ଆନ୍ଦୋଳନ ଭୁବନେଶ୍ୱରସ୍ଥ ଗାନ୍ଧୀମାର୍ଗରେ ୨୫୦ରୁ ଊର୍ଦ୍ଧ୍ୱ ସଙ୍ଗଠନ ମିଳିତ ଭାବେ ଆନ୍ଦୋଳନ କରିବେ ବୋଲି ମହାସଂଘର ସଭାପତି ବିଜୟ ମଲ୍ଲ, ଅଶ୍ୱିନୀ ମିଶ୍ର, ପ୍ରଭାତ ମହାନ୍ତି, ପ୍ରଦୀପ ପ୍ରଧାନ, ଶୁଭ୍ରଜିତ୍ ପ୍ରତିହାରୀ, ପ୍ରଶାନ୍ତ ରାଉତରାୟ, ରାଜେନ୍ଦ୍ର ମଲ୍ଲିକ, ଅନ୍ତର୍ଯ୍ୟାମୀ ଲେଙ୍କା, କ୍ଷୀତିଶ ପଣ୍ଡା, ସୁଧାଂଶୁ ପାତ୍ର, ରଶ୍ମି ପାଢୀ, ତୁଷାରକାନ୍ତି ରାଉତ, ପ୍ରଭାତ ତିୱାରୀ, ଗୁରୁଗୋବିନ୍ଦ ଦଳାଇ, ଆଦିତ୍ୟନାରାୟଣ ସ୍ୱାଇଁ, ଅନୀତା ବେହେରା, ଶିବ ଶଙ୍କର ସାହୁ, ବିପିନ୍ ବିହାରୀ ପରିଡ଼ା ପ୍ରମୁଖ ପ୍ରେସ୍ ବିବୃତ୍ତିରେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସାମିଲ ହେଲେ ଓଡିଶାର ରିଲାଏନ୍ସ ଜିଓ କର୍ମଚାରୀ

ଭୁବନେଶ୍ୱର: ସ୍ୱଚ୍ଛ ଭାରତ ମିଶନର ଦଶମ ବାର୍ଷିକୀ ପାଳନ ଅବସରରେ ଓଡ଼ିଶାର ୩୦ ରୁ ଅଧିକ ସହରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ସ୍ୱଚ୍ଛତା କାର୍ଯ୍ୟକ୍ରମ ଏବଂ ସ୍ୱଚ୍ଛତା ସଚେତନତା ଅଭିଯାନକୁ ଆଗକୁ ବଢ଼ାଇଛନ୍ତି ରିଲାଏନ୍ସ ଜିଓ କର୍ମଚାରୀ। ମଙ୍ଗଳବାର ସକାଳରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓଡିଶାର ୩୦ ରୁ ଅଧିକ ସହରରେ ସ୍ୱତନ୍ତ୍ର ସ୍ୱଚ୍ଛତା ଡ୍ରାଇଭ ଏବଂ ସ୍ୱଚ୍ଛତା ହିଁ ସେବା ଅଭିଯାନ ଆୟୋଜନ କରାଯାଇଥିଲା। ସାରା ଓଡିଶାର ୬୦୦ ରୁ ଅଧିକ ଜିଓ କର୍ମଚାରୀ ଏହି ଅଭିଯାନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ତଥା ସମାଜରେ ସ୍ୱଚ୍ଛତା ଏବଂ ସଠିକ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଗୁରୁତ୍ୱ ଦେଇଥିଲେ।

ପ୍ରମୁଖ ସର୍ବସାଧାରଣ ସ୍ଥାନଗୁଡିକରେ ସ୍ୱଚ୍ଛତା ଡ୍ରାଇଭ ଜରିଆରେ ଜିଓ କର୍ମଚାରୀମାନେ ସଫେଇ ଅଭିଯାନ ସହିତ ସ୍ୱଚ୍ଛତା, ସଠିକ୍ ବର୍ଜ୍ୟବସ୍ତୁ ନିଷ୍କାସନ ଏବଂ ଉଭୟ ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ପରିଷ୍କାର ପରିଚ୍ଛନ୍ନତା ଉପରେ ସଚେତନତା ସୃଷ୍ଟି କରିବାକୁ ଉଦ୍ୟମ କରିଥିଲ। ସ୍ଥାନୀୟ ସମୁଦାୟ ସହିତ ସାମିଲ ହୋଇ ସର୍ବସାଧାରଣ ସ୍ଥାନଗୁଡିକୁ ସ୍ୱଚ୍ଛ ଓ ସୁନ୍ଦର କରିବାର ଏହି ଉଦ୍ୟମର ଉଦ୍ଦେଶ୍ୟ ଥିଲା ନାଗରିକମାନଙ୍କୁ ସ୍ୱଚ୍ଛତା ପ୍ରତି ରହିଥିବା ସେମାନଙ୍କର ଦାୟିତ୍ୱ ନେଇ ସଚେତନ କରିବା ଏବଂ ଏକ ସ୍ୱଚ୍ଛ ଓଡିଶା ଦିଗରେ ସହଯୋଗ କରିବାକୁ ପ୍ରେରଣା ଯୋଗାଇବା।

ଏହି ଅଭିଯାନ ସ୍ୱଚ୍ଛ ଭାରତ ମିଶନର ମୂଳ ଉଦ୍ଦେଶ୍ୟ ଅନୁରୂପ ରହିଛି, ଯାହା ଗତ ଦଶନ୍ଧି ମଧ୍ରେ ସମଗ୍ର ଭାରତରେ ପରିମଳ ଏବଂ ପରିଷ୍କାର ପରିଚ୍ଛନ୍ନତା କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଆଣିଛି। ସ୍ୱଚ୍ଛ ଭାରତ ମିଶନ ଅଧୀନରେ ରାଷ୍ଟ୍ର ଏକ ଦଶନ୍ଧିର ପ୍ରଗତି ଉତ୍ସବ ପାଳନ କରୁଥିବାବେଳେ ରିଲାଏନ୍ସ ଜିଓ ଭାରତ ପାଇଁ ଏକ ସ୍ୱଚ୍ଛ ଏବଂ ଦୀର୍ଘସ୍ଥାୟୀ ଭବିଷ୍ୟତ ନେଇ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି।