Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଟିଟିଲାଗଡ଼ ପ୍ରଚାରରେ ପାଣ୍ଡିଆନ କହିଲେ ଛତିଶଗଡ଼ରୁ ମନ୍ତ୍ରୀମାନେ ଆସୁଛନ୍ତି ଟଙ୍କା ବାଣ୍ଟୁଛନ୍ତି

ଭୁବନେଶ୍ବର: ଆଜି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ମାରଥନ ପ୍ରଚାରରେ ଟିଟିଲାଗଡରେ ବିଜେପିକୁ କଡା ସମାଲୋଚନା କରିଛନ୍ତି।  ସେ କହିଛନ୍ତି ଯେ, ଛତିଶଗଡରୁ ମନ୍ତ୍ରୀମାନେ ଆସୁଛନ୍ତି ଟଙ୍କା ବାଣ୍ଟୁଛନ୍ତି। ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଭାଷାରେ ଗାଳି କରୁଛନ୍ତି।  ଏପଟେ ଓଡ଼ିଆ ଅସ୍ମିତାର କଥା କହୁଛନ୍ତି, ସେପଟେ ଓଡ଼ିଶାର ସବୁଠାରୁ ଜନପ୍ରିୟ ନେତା ତଥା ମହାନାୟକଙ୍କୁ ଗାଳି ଦେଉଛନ୍ତି, ଆପଣମାନେ ଏହାର ଉଚିତ ଜବାବ୍‍ ଦେବେ ବୋଲି ପାଣ୍ଡିଆନ କହିଥିଲେ।

ସେ କହିଥିଲେ ଯେ, ବିଜେପୁର ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ମାଡ଼ କଲେ, ୪୫ ହଜାର ଭୋଟରେ ହାରିଲେ। ପୁରୀ ପରିକ୍ରମା ପ୍ରକଳ୍ପବେଳେ ଅଣ୍ଡାମାଡ଼ କଲେ, ୩୦ରୁ ୩୦ ଜିଲ୍ଲା ପରିଷଦରେ ହାରିଲେ। ଯଦି ଆଉ କିଏ ଏଠାରେ ଜିତିବେ ନିର୍ବାଚନ ମଣ୍ଡଳୀ ୨୫ ବର୍ଷ ତଳକୁ ଫେରିଯିବ ବୋଲି ପାଣ୍ଡିଆନ ସତର୍କ କରାଇଥିଲେ।

ସେ ଟିଟିଲାଗଡର ବିକାଶ ନକ୍ସା ଅଙ୍କନ କରି କହିଥିଲେ ଯେ, ସଏଁତଳାକୁ ଏନ୍‍.ଏ.ସି. ମାନ୍ୟତା ଦିଆଯାଇଛି, ୨.୫୦ କୋଟି ଟଙ୍କା ବିନିଯୋଗରେ ତୁଷୁରା ସମଲେଇ ମନ୍ଦିର ବିକାଶ କାର୍ଯ୍ୟ ଜାରି ରହିଛି। ଜଳସେଚନର ବିକାଶ ପାଇଁ ବହୁତ ବଡ଼ ବଡ଼ ପ୍ରକଳ୍ପ ନିର୍ମାଣ କରାଯାଇଛି ଏବଂ ଆଗକୁ ମଧ୍ୟ ହେବ ବୋଲି ପାଣ୍ଡିଆନ କହିଥିଲେ।

ସେ କହିଥିଲେ ଯେ, ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପ୍ରଥମ ଦସ୍ତଖତ ହେବ, ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ ବନ୍ଦ, ବିଜେପି କହୁଛି ସୋଲାର ପ୍ୟାନେଲ ମାଧ୍ୟମରେ ମାଗଣା ବିଜୁଳି ଦେବ, ଏଥିପାଇଁ ଆପଣ ୫୦ ହଜାର ଟଙ୍କା ଖର୍ଚ୍ଚ କରିବେ, ଦିନରେ ଲଣ୍ଠନ ଦେଖାଉଛନ୍ତି ବିଜେପି ଦଳ

ସେହିପରି ଦ୍ୱିତୀୟ ଦସ୍ତଖତ ହେବ, ସମସ୍ତେ ବି.ଏସ୍‍.କେ.ୱାଇରେ ସାମିଲ ହେବେ। ତୃତୀୟ ଦସ୍ତଖତ, ୬୦ ବର୍ଷ ପରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ପେନସନ୍‍ ବ୍ୟବସ୍ଥା ବୋଲି ସେଠାରେ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ପ୍ରଚାର ପାଇଁ ଓଡିଶା ଆସିବେ ଅଭିନେତ୍ରୀ ହେମାମାଳିନୀ, କରିବେ ରୋଡ ସୋ

ଭୁବନେଶ୍ବର: ଆସନ୍ତାକାଲି ଓଡିଶା ପ୍ରଚାରରେ ଆସିବେ ଅଭିନେତ୍ରୀ ତଥା ସାଂସଦ ହେମାମାଳିନୀ। ଏ ନେଇ ଦଳ ତରଫରୁ ବେଶ ପ୍ରସ୍ତୁତି ଚାଲିଛି। ଚଳିତ ନିର୍ବାଚନରେ ବିଜେପି ବିଜେଡିକୁ କଡା ଟକ୍କର ଦେବା ପାଇଁ ଜୋରଦାର ପ୍ରୟାସ ଜାରୀ ରଖିଛି। ଫଳରେ କେନ୍ଦ୍ରରୁ ଗଣ୍ଡାଗଣ୍ଡା ନେତା ଓଡିଶା ପ୍ରଚାରରେ ଆସିବାରେ ଲାଗିଛନ୍ତି। ଖୋଦ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରମୁଖ ଆସି ପ୍ରଚାରରେ ଆସିସାରିଛନ୍ତି।

ସେହି ପରିପ୍ରେକ୍ଷୀରେ ଓଡିଶା ଆସୁଛନ୍ତି ଡ୍ରିମ ଗାର୍ଲ ହେମାମାଳିନୀ। ସେ ଆସନ୍ତାକାଲି ଶୁକ୍ରବାର ଦିନ ଭୁବନେଶ୍ବରରେ ପହଞ୍ଚିବେ। ସେ ଭୁବନେଶ୍ବର ଓ କଟକରେ ବିଶାଳ ଜନସଭାକୁ ସେ ଉଦବୋଧନ ଦେବେ। ଏଥିରେ ଉଭୟ ଲୋକସଭା ନିର୍ବାଚନ ମଣ୍ଡଳିର ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ସେହିପରି ସେ ପିପିଲିରେ ଏକ ରୋଡ ସୋ କରିବେ ବୋଲି ଜଣାପଡିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂ

ଭୁବନେଶ୍ବର: ଭୋଟ ଗ୍ରହଣର ଅଳ୍ପ କିଛିଦିନ ପୂର୍ବରୁ ବିଜେପିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂ। ସେ ନିଜ ଇସ୍ତଫା ପତ୍ର ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ୨୦୦୪ ମସିହାରେ ସତ୍ୟବାଦୀରୁ ବିଜେଡି ବିଧାୟକ ଥିଲେ। ଏହାପରେ ସେ ବିଜେଡି ଛାଡି ବିଜେପିରେ ଯୋଗଦେଇଥିଲେ। ହେଲେ ବିଜେପିରେ ତାଙ୍କ ରାଜନୈତିକ କ୍ୟାରିୟରର କୌଣସି ଉନ୍ନତି ହେଲା ନାହିଁ।

ରମାରଞ୍ଜନ ଏଥର ବିଜେପି ତାଙ୍କ ସତ୍ୟବାଦୀ ଆସନରେ ପ୍ରାର୍ଥୀ କରିବ ବୋଲି ଆଶା କରିଥିଲେ। ହେଲେ ତାହା ହେଲା ନାହିଁ। ସତ୍ୟବାଦୀରେ 10 ଦିନ ପରେ ନିର୍ବାଚନ ହେବ। ହେଲେ ତାପୂର୍ବରୁ ରମାରଞ୍ଜନଙ୍କ ଇସ୍ତଫା ସ୍ଥାନୀୟ ନିର୍ବାଚନ ମଣ୍ଡଳୀରେ ପ୍ରଭାବ ପକାଇବ। ବର୍ତ୍ତମାନ ରମାରଞ୍ଜନଙ୍କ ବୋହୂ ବର୍ଷା ସିଂ ବରିହା ପଦ୍ମପୁର ନିର୍ବାଚନରେ ବିଜେଡିର ପ୍ରାର୍ଥୀ ହୋଇଛନ୍ତି। ସେ ମଧ୍ୟ ଉପନିର୍ବାଚନରେ ଜିତି ବର୍ତ୍ତମାନ ପଦ୍ମପୁର ବିଧାୟିକା ଅଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି କମ୍ପିବ ଓଡିଶାର ନିର୍ବାଚନ ପ୍ରଚାର, ମୁହାଁମୁହିଁ ହେବେ ରାହୁଳ ଗାନ୍ଧୀ, ଅମିତ ଶାହ, ଜେପି ନଡ୍ଡା

ଭୁବନେଶ୍ବର: ଆଜି ଓଡିଶା ନିର୍ବାଚନ ପ୍ରଚାର କମ୍ପମାନ ହେବ। କାରଣ ଆଜି ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସର ତୁଙ୍ଗ ନେତାମାନେ ଓଡିଶା ପ୍ରଚାରରେ ଆସୁଛନ୍ତି। ଫଳରେ ଉଭୟ ଶିବିରରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ଦିନରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଏବଂ ବିଜେପି ନେତା ଅମିତ ଶାହା ଆସୁଥିବା ବେଳେ ସଂଧ୍ୟାରେ ଆସୁଛନ୍ତି ନଡ୍ଡା।

କଂଗ୍ରେସ କାର୍ଯ୍ୟାଳୟ ଅନୁସାରେ ରାହୁଳ ଆଜି ଦିନ ୧୧ ଟା ବେଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ବଲାଙ୍ଗିର ଯିବେ। ସେଠାରୁ ସେ ଏକ ରୋଡ ସୋ କରି ବିଶାଳ ଜନସମାଗମକୁ ଉଦବୋଧନ ଦେବେ। ପ୍ରଚାର ଶେଷ ହେବା ପରେ ଭୁବନେଶ୍ବର ଆସି ନୂଆଦିଲ୍ଲୀ ଫେରିଯିବେ। ସେହିପରି ଗୁରୁବାର ଦିନ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଓଡିଶା ପ୍ରଚାରରେ ଆସିବେ। ସେ କନ୍ଧମାଳରେ ଦଳ ପାଇଁ ପ୍ରଚାର କରିବେ।

ସେହିପରି ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଓଡିଶା ଆସୁଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟ ଅନୁସାରେ ଅମିତ ଶାହ ଆଜି ଦିନ ୧୨ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସ୍ୱତନ୍ତ୍ର ବିମାନ ଯୋଗେ ସୋରଡା ଯିବେ । ଦିନ ୧.୩୦ରେ ସେ ସୋରଡାରେ ଜନସଭାରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ। ଏହା ପରେ ସେ ସନ୍ଧ୍ୟା ୫ଟା ୩୦ରେ କଟକ ଆସି ଏକ ରୋଡ୍ ସୋ ରେ ଯୋଗଦେବେ।

ସେ ଯିବା ପରେ ସଂଧ୍ୟାରେ ଓଡିଶା ଆସିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ସେ ଭୁବନେଶ୍ବର ବିଜେପି କାର୍ଯ୍ୟାଳୟରେ ଦଳୀୟ ନେତାଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗଦେବେ। ସେ ଭୁବନେଶ୍ବରରେ ରାତ୍ରୀ ଯାପନ କରିବା ପରେ ସକାଳୁ ବରଗଡ ଜିଲ୍ଲା ପଦ୍ମପୁର ଏବଂ ସୁନ୍ଦରରଗଡଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅପେକ୍ଷା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବେଶ ସରଗରମ ହେବାରେ ଲାଗିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆସନ୍ତାକାଲି ଓଡିଶା ପ୍ରଚାରରେ ଆସୁଛନ୍ତି ରାହୁଳ ଗାନ୍ଧୀ, ଗୁରୁବାରରେ ଖଡଗେ

ଭୁବନେଶ୍ବର: ଆସନ୍ତାକାଲି ଓଡିଶା ପ୍ରଚାରରେ ଆସୁଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ। ସେ ପ୍ରଥମ ପର୍ଯ୍ୟାୟରେ ନବରଂଗପୁର ଆସିବାର ଥିଲା। ହେଲେ ନାମାଙ୍କନ ଦାଖଲ ପାଇଁ ସେ ଆସିପାରି ନ ଥିଲେ। ବର୍ତ୍ତମାନ ବୁଧବାର ଦିନ ସେ ଆସିବେ ବୋଲି ପ୍ରଦେଶ କଂଗ୍ରେସ ତରଫରୁ କୁହାଯାଇଛି। ସେ ବଲାଙ୍ଗିର ରୋଡ ସୋ କରିବା ସହିତ ଏକ ବିଶାଳ ଜନସମାବେଶକୁ ଉଦବୋଧନ ଦେବେ। ବଲାଙ୍ଗିର ଲୋକସଭା ପ୍ରାର୍ଥୀ ଅଭିନେତା ମନୋଜ ମିଶ୍ରଙ୍କ ପାଇଁ ସେ ପ୍ରଚାର କରିବେ।

ସୂଚନା ଅନୁସାରେ ରାହୁଳ ମଙ୍ଗଳବାର ଦିନ 11 ଟା ବେଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ବଲାଙ୍ଗିର ଯିବେ। ସେଠାରୁ ପ୍ରଚାର ଶେଷ ହେବା ପରେ ଭୁବନେଶ୍ବର ଆସି ନୂଆଦିଲ୍ଲୀ ଫେରିଯିବେ। ସେହିପରି ଗୁରୁବାର ଦିନ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଓଡିଶା ପ୍ରଚାରରେ ଆସିବେ। ସେ କନ୍ଧମାଳରେ ଦଳ ପାଇଁ ପ୍ରଚାର କରିବେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ମହାପ୍ରଭୃ ସଦବୁଦ୍ଧି ଦିଅନ୍ତୁ: ବୈଜୟନ୍ତ ପଣ୍ଡାଙ୍କୁ ଏମିତି କାହିଁକି କହିଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର: ଆଜି କେନ୍ଦ୍ରାପଡାରେ ଧୂମଧଡାକ ପ୍ରଚାର କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେ ସେଠାରେ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ସିଧା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦେହ ଖରାପ ବୋଲି ଏକ ଗୁଜବ ସୃଷ୍ଟି କରି ରାଜନୀତି କରୁଛନ୍ତି ବୈଜୟନ୍ତ ପଣ୍ଡା। ହେଲେ ରାଜନୀତିରେ ତାହାକୁ କେବେ ଲୋକେ ପସନ୍ଦ କରିବେ ନାହିଁ। ଏପରି ଗୁଜବ ପ୍ରଚାରରୁ ଦୂରେଇ ରହିବା ପାଇଁ ମହାପ୍ରଭୃ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ପାଣ୍ଡିଆନ କହିଛନ୍ତି।

ସେ କହିଛନ୍ତି ଯେ, ଗତଥର କେନ୍ଦ୍ରାପଡାବାସୀ ବୈଜୟନ୍ତଙ୍କୁ ଲକ୍ଷାଧିକ ଭୋଟରେ ପରାସ୍ତ କରିଥିଲେ। ଏଥର ମଧ୍ୟ ତାଙ୍କୁ ତାହାଠାରୁ ଆହୁରି ଅଧିକ ଭୋଟରେ ପରାସ୍ତ କରିବେ ବୋଲି ପାଣ୍ଡିଆନ ଲୋକଙ୍କୁ ନିବେଦନ କରିଥିଲେ। ସେ କହିଥିଲେ ଯେ, ଶ୍ରୀ ପଣ୍ଡା ଏକଦା ମୁଖ୍ୟମନ୍ତ୍ରୀଙ୍କ ବେଶ ପାଖଲୋକ ଥିଲେ। ଏପରି କ୍ଷେତ୍ରରେ ଆପଣ କିପରି ମୁଖ୍ୟମନ୍ତ୍ରୀଙ୍କ ନାମରେ ଗୁଜବ କରିପାରୁଛନ୍ତି ବୋଲି ପାଣ୍ଡିଆନ ପ୍ରଶ୍ନ କରିଥିଲେ। ଏହାର ଯବାବ କେନ୍ଦ୍ରାପଡାବାସୀ ଦେବେ ବୋଲି ପାଣ୍ଡିଆନ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଘୋଷଣା ହେଲା ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଚୁଡାନ୍ତ ମତଦାନ ହାର, ଜାଣନ୍ତୁ କେଉଁଠି କେତେ

ଭୁବନେଶ୍ୱର: ରାଜ୍ୟରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଚୁଡାନ୍ତ ମତଦାନ ହାର ଘୋଷଣା ହୋଇଛି। ଓଡିଶା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଏହା ଘୋଷଣା କରାଯାଇଛି। ସେହି ଅନୁସାରେ ରାଜ୍ୟର ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହାର ହେଉଛି ୭୩.୯୭ ପ୍ରତିଶତ। ସେହିପରି ଅନ୍ୟାନ୍ୟ ସ୍ଥାନରେ ମତଦାନ ହାର ହେଲା..

ନବରଙ୍ଗପୁରରେ ୮୦.୨୨ ପ୍ରତିଶତ
କୋରାପୁଟରେ ୭୬.୯୮ପ୍ରତିଶତ
କଳାହାଣ୍ଡିରେ ୭୫.୭୧ ପ୍ରତିଶତ
ବ୍ରହ୍ମପୁରରେ ୬୩.୩୪ ପ୍ରତିଶତ
ନୂଆପଡ଼ାରେ ୭୩.୮୭ ପ୍ରତିଶତ
ଭବାନୀପାଟଣାରେ ୭୩.୮୦ ପ୍ରତିଶତ
ବିଷମକଟକରେ ୭୭.୯୩ ପ୍ରତିଶତ
ଛତ୍ରପୁରରେ ୬୩.୨୦ ପ୍ରତିଶତ
ଚିକିଟିରେ ୬୩.୨୧ ପ୍ରତିଶତ
ଚିତ୍ରକୋଣ୍ଡାରେ ୭୪.୦୮ ପ୍ରତିଶତ
ଡାବୁଗାଁରେ ୮୫.୨୦ ପ୍ରତିଶତ
ଧର୍ମଗଡ଼ରେ ୭୮.୮୫ ପ୍ରତିଶତ
ଦିଗପହଣ୍ଡିରେ ୬୨.୭୩ ପ୍ରତିଶତ
ଗୋପାଳପୁରରେ ୬୦.୪୧ପ୍ରତିଶତ
ଗୁଣପୁରରେ ୭୨.୫୩ ପ୍ରତିଶତ
ଜୟପୁରରେ ୭୭.୪୮ ପ୍ରତିଶତ
ଝରିଗାଁରେ ୮୪.୨୨ ପ୍ରତିଶତ
ଜୁନାଗଡ଼ରେ ୭୮.୯୦ ପ୍ରତିଶତ
ଖରିଆରରେ ୭୬ ପ୍ରତିଶତ
କୋରାପୁଟରେ ୭୬.୨୮ ପ୍ରତିଶତ
କୋଟପାଡ଼ରେ ୮୩.୯୨ ପ୍ରତିଶତ
ଲକ୍ଷ୍ମୀପୁରରେ ୮୧.୭୧ ପ୍ରତିଶତ
ମାଲକାନଗିରିରେ ୬୬.୬୦ ପ୍ରତିଶତ ଭୋଟିଂ ହୋଇଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଲା ପାଣ୍ଡିଆନଙ୍କ ଫଳାଫଳ, ବିଜେଡିକୁ ମିଳିବ ଏତିକି ଆସନ

ଭୁବନେଶ୍ବର: ଗତକାଲି ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିରେ 4ଟି ଲୋକସଭା ଏବଂ 28ଟି ବିଧାନସଭାରେ ନିର୍ବାଚନ ହୋଇଛି। ତେବେ ଭୋଟ ଗ୍ରହଣ ପରେ କେଉଁ ଦଳ କେତେ ଆସନ ପାଇବ ସେ ନେଇ ଚାଲିଛି ଅଙ୍କକଷା। ଏହା ଭିତରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଫଳାଫଳକୁ ନେଇ ଆସିଛି ଏକ ତଥ୍ୟ। ଏଥିରେ ସେ ଲୋକସଭା ଏବଂ ବିଧାନସଭାରେ ବିଜେଡି କେତେ ସିଟ ପାଇବ ତାହା କହିଛନ୍ତି।

ପାଣ୍ଡିଆନଙ୍କ ତଥ୍ୟ ଅନୁସାରେ ଓଡିଶାରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମୋଟ 4ଟି ଲୋକସଭା ଆସନରୁ ବିଜେଡି ସବୁ ଆସନରେ ବିଜୟଲାଭ କରିବ। ସେହିପରି 28ଟି ବିଧାନସଭା ଆସନ ମଧ୍ୟରୁ ବିଜେଡି 24 ଆସନରେ ବିଜୟଲାଭ କରିବ ବୋଲି ସେ କହିଛନ୍ତି। ବାକି ଚାରିଟି ଆସନ ମଧ୍ୟରୁ ବିଜେପି 2 ଏବଂ କଂଗ୍ରେସ 2 ଟି ଆସନ ପାଇବ ବୋଲି କୁହାଯାଇଛି।

ସେ କହିଛନ୍ତି ଯେ, ଗତ ନିର୍ବାଚନରେ ଆମେ ଏହି ୨୮ ଆସନରୁ ୨୦ ଆସନ ଜିତିଥିଲୁ କିନ୍ତୁ ଏଥର ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଲହରି ଅଛି, ତେଣୁ ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ ହିଁ ଚୟନ କରିବେ । ଏଣୁ ଏଥର ୨୮ ଆସନରୁ ୨୪ରୁ ଅଧିକ ଆସନ ବିଜେଡି ଜିତିବ। ଲୋକସଭା ନିର୍ବାଚନରେ ଆମେ ଗତ ଥର ଅପେକ୍ଷା ବହୁ ଭଲ କରିବୁ ବୋଲି ପାଣ୍ଡିଆନ କହିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପି ଘୋଷଣା କଲା ନୂଆ କର୍ମକର୍ତ୍ତାଙ୍କ ନାମ, ଏହିମାନଙ୍କୁ ଦିଆଗଲା ଦାୟିତ୍ବ

ଭୁବନେଶ୍ୱର : ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ବିଜେପିର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ସେହି ଅନୁସାରେ

ଶ୍ରୀ କାହ୍ନୁ ଚରଣ ଦାସଙ୍କୁ ଯାଜପୁର ଲୋକସଭା ସଂଯୋଜକ
ଶ୍ରୀ ନିର୍ମଳ କୁମାର ଦାସଙ୍କୁ ବାଙ୍କୀ ବିଧାନସଭା ପ୍ରଭାରୀ
ସରୋଜ ମତଗଜସିଂହଙ୍କୁ ବାଙ୍କୀ ବିଧାନସଭା ସଂଯୋଜକ
ଶ୍ରୀ ସିକନ୍ଦର ଅଲ୍ଲିଙ୍କୁ ଆଠଗଡ ବିଧାନସଭା ପ୍ରଭାରୀ
ପ୍ରକାଶ ବଡଜେନାଙ୍କୁ ବଡମ୍ବା ବିଧାନସଭା ପ୍ରଭାରୀ
ସରୋଜ ରାଣାଙ୍କୁ ବଡମ୍ବା ବିଧାନସଭା ସଂଯୋଜକ
ସତ୍ୟଜିତ୍ ମଲ୍ଲିକ କଟକ ସଦର ବିଧାନସଭା ପ୍ରଭାରୀ
ଲିଙ୍ଗରାଜ ମଲ୍ଲିକଙ୍କୁ ସାଲେପୁର ବିଧାନସଭା ପ୍ରଭାରୀ
ଚୌଧୁରୀ ହେମନ୍ତ ସାହୁଙ୍କୁ ସାଲେପୁର ବିଧାନସଭା ସଂଯୋଜକ
ଅଶିତ୍ ମହାନ୍ତିଙ୍କୁ ମାହାଙ୍ଗା ବିଧାନସଭା ପ୍ରଭାରୀ
ସୁବାଷ ମହାନ୍ତିଙ୍କୁ ବାରବାଟୀ ବିଧାନସଭା ସହପ୍ରଭାରୀ
ସୁଶାନ୍ତ ସ୍ୱାଇଁଙ୍କୁ ନିମାପଡା ବିଧାନସଭା ସଂଯୋଜକ

ମଣ୍ଡଳ ସଭାପତି

ଅରୁଣ ମହାପାତ୍ର କଟକ ଜିଲ୍ଲା ବସନ୍ତପୁର ମଣ୍ଡଳ ସଭାପତି
ପ୍ରଦୀପ କୁମାର ମହାନ୍ତିଙ୍କୁ କଟକ ଜିଲ୍ଲା ନରସିଂହପୁର ମଣ୍ଡଳ ସଭାପତି
ସୁନୀଲ କୁମାର ପାଣି କଟକ ଜିଲ୍ଲା ନୁଖାପଡା ମଣ୍ଡଳ ସଭାପତି
ସଞ୍ଜୁଲତା ନାୟକ କଟକ ଜିଲ୍ଲା ଚମ୍ପେଶ୍ୱର ମଣ୍ଡଳ ସଭାପତି
ଅମୀୟ କୁମାର ମହାନ୍ତି କଟକ ଜିଲ୍ଲା ବଡମ୍ବା ମଣ୍ଡଳ ସଭାପତି
ନିରଞ୍ଜନ ଶତପଥୀ କଟକ ଜିଲ୍ଲା ଗୋପିନାଥପୁର ମଣ୍ଡଳ ସଭାପତି
ମହେଶ୍ୱର ସ୍ୱାଇଁ କଟକ ଜିଲ୍ଲା ମାଣିଆବନ୍ଧ ମଣ୍ଡଳ ସଭାପତି
ବିଷ୍ଣୁ ରଥ ଯାଜପୁର ବୈତରଣୀ ମଣ୍ଡଳ ସଭାପତି
ରଞ୍ଜନ ଦେଓ ଯାଜପୁର ଜିଲ୍ଲା କୋରେଇ ହେଙ୍ଗୁଳା ମଣ୍ଡଳ ସଭାପତି
ଶ୍ୟାମ ସୁନ୍ଦର ରାମ ନୟାଗଡ ଜିଲ୍ଲା ଖଣ୍ଡପଡା ଏନଏସି ମଣ୍ଡଳ ସଭାପତି
ସସ୍ମିତା ତ୍ରିପାଠୀ ନୟାଗଡ ଜିଲ୍ଲା ବନମାଳୀପୁର ମଣ୍ଡଳ ସଭାପତି

ଏହି ନୂଆ ଦାୟୀତ୍ୱ ପ୍ରଦାନ କରାଗଲା ବୋଲି ବିଜେପି ତରଫରୁ ଏକ ପ୍ରେସ ଇସ୍ତାହାର ଜରିଆରେ କୁହାଯାଇଛି ।

 

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଫଳାଫଳ ନେଇ ବିଜେଡି କରିଲା ଏକ ବଡ ଆକଳନ

ଭୁବନେଶ୍ୱର: ଶଙ୍ଖ ଭବନ ଠାରେ ବିଜେଡି ତରଫରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜୁ ଜନତା ଦଳର ଜାତୀୟ ମୁଖପାତ୍ର ଡ଼ଃ ସସ୍ମିତ ପାତ୍ର ସମ୍ବୋଧନ କରି କହିଥିଲେ, ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରାୟ ଶେଷ ହେବା ପରେ ଯେଉଁ ଫିଡବ୍ୟାକ୍ ଆସୁଛି, ତାହା ଅନୁଯାୟୀ ଗୋଟିଏ କଥା ସ୍ପଷ୍ଟ, ବିଜୁ ଜନତା ଦଳ ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଉଲ୍ଲେଖନୀୟ ସଫଳତା ହାସଲ କରୁଛି ।

୨୦୧୯ ନିର୍ବାଚନ ତୁଳନାରେ ୨୦୨୪ରେ ପ୍ରଦର୍ଶନ ଆହୁରି ଭଲ ରହୁଛି। ପ୍ରଥମ ପର୍ଯ୍ୟାୟରେ ଦଳ ୯୦ ପ୍ରତିଶତରୁ ଅଧିକ ଆସନରେ ବାଜିମାତ୍ କରୁଛି। ଏଥିପାଇଁ ଆମେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛୁ। ଏହାହିଁ ଦର୍ଶାଉଛି ଯେ ଆଗାମୀ ସମସ୍ତ ପର୍ଯ୍ୟାୟରେ ବିଜୁ ଜନତା ଦଳ ଉଲ୍ଲେଖନୀୟ ସଫଳତା ପାଇବ ଓ ସାଢେ ୪ କୋଟି ଓଡିଶାବାସୀଙ୍କ ସେବାରେ ନିୟୋଜିତ ରହିବ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପିର ପାଞ୍ଚ ମହାରଥୀଙ୍କ ଆକ୍ରମଣ ପରେ ଜବାବ ରଖିଲେ ବିଜେଡିର ତିନି ନେତା, କଲେ କଟାକ୍ଷ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜୁ ଜନତା ଦଳ ୪ରୁ ୪ ଲୋକସଭା ଆସନ ଏବଂ ୨୮ଟି ବିଧାନସଭା ଆସନରୁ ୯୦ ପ୍ରତିଶତ ଆସନରେ ବାଜିମାତ୍ କରିବାକୁ ଯାଉଛି । ଏକଥା ଜାଣିଲା ପରେ ଓଡିଶା ବିଜେପି ନେତା ବିଚଳିତ ଆଉ ବିବ୍ରତ ହୋଇ ପଡିଛନ୍ତି । ବ୍ୟତିବ୍ୟସ୍ତ ହୋଇ, ହତୋତ୍ସାହିତ କର୍ମୀଙ୍କ ମନୋବଳ ବଢାଇବାକୁ ୫ ନେତା ଏକାଠି ହୋଇ ସାମ୍ବାଦିକ ସମ୍ମିଳନୀ କରିଥିଲେ।

ହେଲେ ସେମାନଙ୍କର ମୁହଁ ଶୁଖିଯାଇଥିଲା, ଏଥିରୁ ଜଣାପଡୁଥିଲା, ତାଙ୍କର ମନୋବଳ କେତେ ତଳେ ରହିଛି ବୋଲି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ, ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର ।

ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ପଟ୍ଟନାୟକ କହିଥିଲେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଏକାମ୍ର ପ୍ରକଳ୍ପକୁ ବନ୍ଦ କରିବା ପାଇଁ ସାଢେ ୪ କୋଟି ଓଡିଶାବାସୀଙ୍କ ସାମ୍ନାରେ ଯେଉଁ ଡ୍ରାମା ଉଭୟ ଅପରାଜିତା ଷଡଙ୍ଗୀ ଏବଂ ଧର୍ମେନ୍ଦ୍ର ପ୍ରଧାନ କରିଥିଲେ, ସେକଥା କେହି ଭୁଲିନାହାନ୍ତି । ଉଭୟେ ପ୍ରକଳ୍ପକୁ ସବୁ ସ୍ତରରେ ବିରୋଧ କରିଥିଲେ। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେକ୍ଷଣ ସଂସ୍ଥା ବା ଏଏସଆଇ, ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ ବା ଏନଏମଏ ପାଖରେ କାମକୁ ଅଟକାଇବା ପାଇଁ ସମସ୍ତ ପ୍ରକାରର ଚକ୍ରାନ୍ତ ଓ ଷଡଯନ୍ତ୍ର କରିଥିଲେ।

ପରବର୍ତ୍ତୀ ସମୟରେ ନିଜର କିଛି ଅନୁଗତଙ୍କ ଜରିଆରେ ମାମଲାକୁ ସୁପ୍ରିମକୋର୍ଟ ନେଇଥିଲେ। ନାମୀଦାମୀ ଓକିଲ ଲଗାଇଥିଲେ। ହେଲେ ସବୁ ବାଧାବିଘ୍ନ ପରେ ବି ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢିଥିଲା। ସେ ଆହୁରି ମଧ୍ୟ କହିଥିଲେ, ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ସେ ଏହି ପ୍ରକଳ୍ପକୁ ବିରୋଧ କରୁଥିଲେ। ପ୍ରକଳ୍ପ କାର୍ଯ୍ୟ କରିବାର ନଥିଲା ବୋଲି ସେ ସ୍ପଷ୍ଟ ମତ ରଖିଥିଲେ। ବିଜେଡି ଯେତେବେଳେ ଆହ୍ୱାନ ଦେଲା, ନିର୍ବାଚନ ଇସ୍ତାହାରରେ ରଖନ୍ତୁ ଯେ ସେମାନେ ପରିକ୍ରମା ପ୍ରକଳ୍ପ ବନ୍ଦ କରିଦେବେ, ତାପରେ ଓଡିଶା ବିଜେପିର ନେତା କଥା ବଦଳାଇବା ଆରମ୍ଭ କରିଛନ୍ତି । ଆଉ ସେକଥା ଉଠାଉନାହାନ୍ତି ବୋଲି ବିଜେଡି କହିଛି।

ଏବେ ସାମ୍ବାଦିକ ସମ୍ମିଳନୀ କରି କହୁଛନ୍ତି, ସେମାନେ ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରୁଥିଲେ। ଏଭଳି ଦୋମୁହାଁ ଚରିତ୍ର ଦେଖି ଓଡିଶାବାସୀ ହସିବା ଆରମ୍ଭ କଲେଣି । ପ୍ରତି ୧୫ ଦିନରେ ମତ ବଦଳାଇ ସେମାନେ ନିଜର ସୁବିଧା ଅନୁସାରେ କଥା କହୁଛନ୍ତି । ଭୁଲି ଯାଉଛନ୍ତି, ତାଙ୍କର ପ୍ରତିଟି ବୟାନ ଗଣମାଧ୍ୟମରେ ପ୍ରଦର୍ଶିତ ହୋଇଛି । ଦୟାକରି ମିଛ କହି ଲୋକଙ୍କୁ ବିଭ୍ରାନ୍ତି କରିବାରୁ ଦୂରେଇ ରୁହନ୍ତୁ ।

ପରିକ୍ରମା ପ୍ରକଳ୍ପ ପାଇଁ ଯେଉଁଦିନ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରି ଫେରୁଥିଲେ, ସେଦିନ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଣ୍ଡାମାଡ କରାଇଥିଲେ। ଯାହା ସାଢେ ୪ କୋଟି ଓଡିଆଙ୍କୁ ଉତକ୍ଷୀପ୍ତ କରିଥିଲା। ଏହାର ଜବାବ ଓଡିଶାବାସୀ ଭୋଟରେ ଦେଇଥିଲେ । ୩୦ରୁ ୩୦ ଜିଲ୍ଲା ପରିଷଦରେ ବିଜେଡିକୁ ଜିତାଇଥିଲେ। ସେହିଭଳି ୨୦୧୮ରେ ବିଜେପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ମାଡ କରାଇଥିଲେ ଧର୍ମେନ୍ଦ୍ର ପ୍ରଧାନ। ଜନତା ମଧ୍ୟ ଏହାର ଉଚିତ ଜବାବ ନିର୍ବାଚନରେ ଦେଇଥିଲେ।

ଚଳିତ ନିର୍ବାଚନରେ ମଧ୍ୟ ଅନେକ ଅଶାଳୀନ ଟିପ୍ପଣୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଓଡିଶା ବିଜେପି ନେତାଏଁ ଖାସ କରି ଧମେନ୍ଦ୍ର ପ୍ରଧାନ କରୁଛନ୍ତି। ଯାହାକୁ ନେଇ ଓଡିଶାବାସୀ ପ୍ରତିକ୍ରିୟାଶୀଳ ହେଲେଣି। ଚଳିତ ନିର୍ବାଚନରେ ପୁଣି ବୁଦ୍ଧି ଶିଖାଇବାକୁ ନିଷ୍ପତ୍ତି ନେଇସାରିଲେଣି। ଯାହାର ଅୟମାରମ୍ଭ ଆଜିଠାରୁ ହୋଇସାରିଲାଣି ବୋଲି ଡକ୍ଟର ପଟ୍ଟନାୟକ କହିଥିଲେ।

ଡକ୍ଟର ପଟ୍ଟନାୟକ ଆହୁରି ମଧ୍ୟ କହିଥିଲେ, କେବଳ ଗୋଟିଏ ରାଜ୍ୟସଭା ସିଟ୍ ପାଇଁ ମହାନଦୀକୁ ମାରିବା ପାଇଁ ଛତିଶଗଡ ସହ ହାତ ମିଳାଇ ଷଡଯନ୍ତ୍ର କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଏକଥା କାହାକୁ ଅଛପା ନାହିଁ। ଏବେ ଛତିଶଗଡର ୪୦ରୁ ୫୦ ନେତାଙ୍କୁ ଆଣି ପ୍ରଚାର କାର୍ଯ୍ୟରେ ଲଗାଉଛନ୍ତି ଶ୍ରୀଯୁକ୍ତ ପ୍ରଧାନ। ଏହା କ’ଣ ମିଛ କି? ଛତିଶଗଡ ପାଇଁ ଓକିଲାତି କରିଥିବେ ଶ୍ରୀଯୁକ୍ତ ପ୍ରଧାନ, ଏବେ କେବଳ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ଓଡିଶା ପ୍ରୀତି ଦେଖାଉଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ସୁଲତା ଦେଓ କହିଥିଲେ, ଆମେ ଶୁଣିବାକୁ ପାଉଥିଲୁ, ଓଡିଶା ବିଜେପି ତାଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବେ, ହେଲେ ଏହାପରେ ସେମାନଙ୍କର ଆଶାୟୀଙ୍କ ମଧ୍ୟରେ ଏତେ ଯୁକ୍ତିତର୍କ ଏବଂ ଗଣ୍ଡଗୋଳ ଘଟିଲା ଯେ, ସେମାନେ ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରିଲେ ନାହିଁ। ସେମାନେ ଭଲ ଭାବେ ଜାଣିଛନ୍ତି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ଦଳ ଚାରି ଭାଗ ହୋଇଯିବ।

ମନମୋହନ ସାମଲଙ୍କ ଅବସ୍ଥା ଦେଖିଲେ ଆମକୁ ଦୟା ଲାଗୁଛି, ତାଙ୍କ କଥାକୁ କେହି ଗୁରୁତ୍ୱ ଦେଉନାହାନ୍ତି । ଓଡିଶା ନିବାସ ଘଟଣା ପରେ ସେ ନିଜର ଗୁରୁତ୍ୱ ହରାଇ ବସିଛନ୍ତି । ଓଡିଶା ବିଜେପିର ସଭାପତି ଭାବେ ସେ ଦଳର ମହିଳା ଭୋଟ୍‌କୁ ପ୍ରଭାବିତ କରୁଛନ୍ତି। ଓଡିଶା ବିଜେପି ଏଭଳି ଏକ ଦୟନୀୟ ସ୍ଥିତି ଦେଇ ଯାଉଛି, ଏଠି କାହା କଥା କେହି ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି, ଯାହା ଫଳରେ ସେମାନେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାଁ ଘୋଷଣା କରିପାରୁନାହାନ୍ତି।

ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସ୍ୱୟଂପ୍ରକାଶ ମହାପାତ୍ର କହିଥିଲେ, ଓଡିଶା ବିଜେପିର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବୈଜୟନ୍ତ ପଣ୍ଡାଙ୍କ ବକ୍ତବ୍ୟ ଶୁଣି ଲାଗୁଥିଲା, ସେ ସଂପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ତାଙ୍କର ଆଖି ସିନା ଅପରେସନ୍ ହୋଇଛି, ହେଲେ ଲାଗୁଛି ତାଙ୍କର ମୁଣ୍ଡରେ କିଛି ଗୋଳମାଳ ହୋଇଯାଇଛି। ସେଥିପାଇଁ ଅବାସ୍ତବ ଏବଂ ଅବାନ୍ତର କଥା ଗପି ଚାଲୁଥିଲେ। ଆମେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛୁ ବୋଲି କଟାକ୍ଷ କରିଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କାର୍ତ୍ତିକ ପାଣ୍ଡିଆନଙ୍କୁ ଘେରିଲେ ବିଜେପିର ପାଞ୍ଚ ମହାରଥୀ, ମିଳିତ ସାମ୍ବାଦିକ ସମ୍ମିଳନୀ କରି କଲେ ଆକ୍ରମଣ

ଭୁବନେଶ୍ବର: ଆଜି ରାଜ୍ୟ ବିଜେପିରେ ଦେଖିବାକୁ ମିଳିଛି ଏକ ଅପୂର୍ବ ଦୃଶ୍ୟ। ତାହା ହେଲା ଯେ, ପ୍ରଥମ ଥର ପାଇଁ ଦଳର ପାଞ୍ଚ ଜଣ ତୁଙ୍ଗ ନେତା ଏକାଠି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଆଉ ତାହା ହେଉଛି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ବିରୋଧରେ। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ପ୍ରମୁଖ ପାଣ୍ଡିଆନଙ୍କୁ ଟାର୍ଗେଟ କରିସାରିଲେଣି। ସେଥିରେ ମଧ୍ୟ ସନ୍ତୁଷ୍ଠ ନ ହୋଇ ଆଜି ପାଞ୍ଚ ମହାରଥୀ ଏକାଠି ସାମ୍ବାଦିକ ସମ୍ମିଳନୀ କରି ପୁଣି ପାଣ୍ଡିଆନଙ୍କୁ ଆକ୍ରମଣ କରିଛନ୍ତି।

ଆଜିର ସାମ୍ବାଦିକ ସମ୍ମିଳନୀରେ ଯେଉଁ ପାଞ୍ଚ ରଥୀ ଥିଲେ, ସେମାନେ ହେଲେ ପ୍ରତାପ ଷଡଙ୍ଗୀ, ବୈଜୟନ୍ତ ପଣ୍ଡା, ମନମୋହନ ସାମଲ, ଧର୍ମେନ୍ଦ୍ର ପ୍ରଧାନ ଏବଂ ଅପରାଜିତା ଷଡଙ୍ଗୀ। ତେବେ ଆଶ୍ଚର୍ଯ୍ୟର କଥା ଏହି ସାମ୍ବାଦିକ ସମ୍ମିଳନୀ ରାଜ୍ୟ କାର୍ଯ୍ୟାଳୟରେ କରାଯାଇ ନ ଥିଲା। ବରଂ ଏକ ତାରକା ହୋଟେଲରେ ଏହାର ବଡ ଆୟୋଜନ କରାଯାଇଥିଲା। ଏପରିକି ଏହି ମିଳିତ ଆକ୍ରମଣରେ ସାଥ ଦେବା ପାଇଁ ସୂଦୂର ସମ୍ବଲପୁରରୁ ଧର୍ମେନ୍ଦ୍ରଙ୍କୁ ରାଜଧାନୀକୁ ଡକାଯାଇଥିଲା।

ଏହି ସାମ୍ବାଦିକ ସମ୍ମିଳନୀ ଏକ ସୁଚିନ୍ତିତ ତଥା ପୂର୍ବ ପ୍ରସ୍ତୁତି କରି କରାଯାଇଥିଲା ବୋଲି ସ୍ପଷ୍ଟ ହୋଇଛି। ସେଥିପାଇଁ କେଉଁ ନେତା କଣ କହିବେ ସେ ସଂପର୍କରେ ସମସ୍ତଙ୍କୁ ବିଷୟ ବସ୍ତୁ ବଣ୍ଟାଯାଇଥିଲା। ସେହି ବିଷୟ ବ୍ୟତିତ ଅନ୍ୟ କିଛି କହିବେ ନାହିଁ ବୋଲି ବୋଧହୁଏ ଉପରୁ ନିର୍ଦ୍ଦେଶ ରହିଥିଲା। ନହେଲେ ଧର୍ମେନ୍ଦ୍ର, ବୈଜୟନ୍ତ ଅପରାଜିତାଙ୍କ ପରି ନେତାମାନେ ହାତରେ ଟିପା କାଗଜ ଦେଖି ସାମ୍ବାଦିକ ସମ୍ମିଳନୀ କରି ନ ଥାଆନ୍ତେ। ଲାଗୁ ଥିଲା ସତେ ଯେପରି କେଉଁଠି କିଛି ଭୁଲ ହୋଇଗଲେ ଉପରୁ ମାଡ ହେବ। ତାହାକୁ ଧ୍ୟାନ ରଖି ଏମାନେ  ନିର୍ଦ୍ଧିଷ୍ଠ ସୀମା ଭିତରେ ରହି କଥା କହୁଥିଲେ।

ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରତାପ ଷଡଙ୍ଗୀ କନ୍ଧମାଳ ଦଙ୍ଗା ଏବଂ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ହତ୍ୟା ଉପରେ କହିଥିଲେ। ସେତେବେଳେ ହତ୍ୟା ପୂର୍ବରୁ ଲକ୍ଷ୍ଣଣାନନ୍ଦ ସରସ୍ବତୀଙ୍କର ସରକାର କିପରି ସୁରକ୍ଷା ପ୍ରତ୍ୟାହାର କରିଥିଲେ ତା ଉପରେ କହିଥିଲେ। ସରକାର ଜାଣିଶୁଣି ତାଙ୍କ ସୁରକ୍ଷା ହଟାଇଥିଲେ ବୋଲି କହି ସେ ବିଜେଡି ସରକାରଙ୍କୁ ଟାର୍ଗେଟ କରିଥିଲେ।

ସେହିପରି ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ କିପରି ଘେରିବନ୍ଦି କରି ରଖିଛନ୍ତି ସେ ସଂପର୍କରେ ବୈଜୟନ୍ତ ପଣ୍ଡା କହିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ କାହା ସହିତ ଭେଟାଇ ନ ଦେବା, ତାଙ୍କୁ ଯାହା ଲେଖିକି ଦେବେ ତାହା ସେ ପଢିବା ସଂପର୍କରେ ବୈଜୟନ୍ତ କହିଥିଲେ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଡିପ୍ ଫେକ ଭିଡିଓ କରି ଗଣମାଧ୍ୟମରେ ଛଡାଯାଉଛି ବୋଲି ସେ କହିଥିଲେ। ସେହିପରି ଅପରାଜିତା ଷଡଙ୍ଗୀ ମଧ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ କହିଥିଲେ। ସେ ପ୍ରକଳ୍ପକୁ ସେ ବିରୋଧ ନୁହେଁ ବଂର ସହଯୋଗ କରିଥିଲେ ବୋଲି କହିଥିଲେ।

ଧର୍ମେନ୍ଦ୍ର ପ୍ରଧାନ ପାଣ୍ଡିଆନଙ୍କ ନାମ ନ ନେଇ ତାଙ୍କୁ କିପରି ନିଚା କରିବା ପାଇଁ ବିଭିନ୍ନ କଥା ସେ କହୁଛନ୍ତି ତା ଉପରେ ଧର୍ମେନ୍ଦ୍ର ଗଣମାଧ୍ୟମ ଆଗରେ କହିଥିଲେ। ସେ ଚାରିଆଡେ ବୁଲିବୁଲି ମୋର ଅପ୍ରଚାର କରୁଛନ୍ତି ବୋଲି ସେ ଉଦାହରଣ ଦେଇ କହିଥିଲେ। ତେବେ ସେଥିରେ ତାଙ୍କର କିଛି ହେବ ନାହିଁ ବୋଲି ଧର୍ମେନ୍ଦ୍ର ଉତ୍ତର ରଖିଥିଲେ। ସେହିପରି ମନମୋହନ ସାମଲ ଏଥର ଓଡିଶାରେ ବିଜେପି ସରକାର କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ।

ଆଜି ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ସେଥିରେ ଧ୍ୟାନ ନ ଦେଇ ବିଜେପି ଏପରି ମିଳିତ ସାମ୍ବାଦିକ ସମ୍ମିଳନୀ କରିବା କାରଣ କଣ ତାହା ଚର୍ଚ୍ଚାର ବିଷୟ ପାଲଟିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ସକାଳ ୯ଟା ସୁଦ୍ଧା ଓଡିଶାରେ ୯.୨୫ ପ୍ରତିଶତ ମତଦାନ, କୋରାପୁଟରେ ସର୍ବାଧିକ

ଭୁବନେଶ୍ବର: ଓଡିଶାରେ ଚାଲିଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କେତେ ପ୍ରତିଶତ ଭୋଟ ହୋଇଛି ତାହାର ତଥ୍ୟ ଆସିଛି। ସେହି ଅନୁସାରେ ସକାଳ ୯ଟା ସୁଦ୍ଧା ଓଡ଼ିଶାରେ ୯.୨୫ ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି। ଏଥିରେ କୋରାପୁଟରେ ସର୍ବାଧିକ ୧୩.୧୪ ପ୍ରତିଶତ ମତଦାନ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୬.୮୧ ପ୍ରତିଶତ ଭୋଟଗ୍ରହଣ ହୋଇଛି।

ନିର୍ବାଚନ କମିଶନରଙ୍କ ତଥ୍ୟ ଅନୁସାରେ ବିଭିନ୍ନ ସ୍ଥାନରେ ଯେଉଁ ମତଦାନ ହାର ରହିଛି ତାହା ହେଲା

କୋରାପୁଟରେ ୧୩.୧୪ ପ୍ରତିଶତ

ଗଜପତିରେ ୧୦.୨୦ ପ୍ରତିଶତ

କଳାହାଣ୍ଡିରେ ୬.୮୧ ପ୍ରତିଶତ

ମାଲକାନିଗିରିରେ ୯.୧୫ ପ୍ରତିଶତ

ନବରଙ୍ଗପୁରରେ ୮.୮୭ ପ୍ରତିଶତ

ନୂଆପଡାରେ ୯.୯୮ ପ୍ରତିଶତ

ରାୟଗଡାରେ ୭.୫୨ ପ୍ରତିଶତ

ଗଞ୍ଜାମରେ  ୬.୮୧ ପ୍ରତିଶତ ମତଦାନ ହୋଇଛି

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଶାନ୍ତି ଶୃଙ୍ଖଳାର ସହ ଓଡିଶାରେ ଚାଲିଛି ମତଦାନ

ଭୁବନେଶ୍ବର: ଶାନ୍ତି ଶୃଙ୍ଖଳାର ସହିତ ଓଡିଶାରେ ଚାଲିଛି ମତଦାନ ପକ୍ରିୟା। ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅଧିନରେ ଥିବା ୨୮ଟି ବିଧାନସଭା ପାଇଁ ମତଦାନ ଚାଲିଛି।

ଏଥର ଏହି ଚାରୋଟି ସଂସଦୀୟ କ୍ଷେତ୍ରରେ ମୋଟ ୩୭ ଜଣ ପ୍ରାର୍ଥୀ ରହିଛନ୍ତି ।ସେହିପରି ଆଜି ଭୋଟ ହେଉଥିବା୨୮ଟି ବିଧାନସଭା କ୍ଷେତ୍ର ପାଇଁ ମୋଟ ୨୪୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆସନ୍ତାକାଲି ଓଡିଶାର ପ୍ରଥମ ନିର୍ବାଚନ, ୭୩୦୦ ଟି ମତଦାନ କେନ୍ଦ୍ରରେ ପହଞ୍ଚିଲେଣି ପୁଲିଂ ଅଧିକାରୀ

ଭୁବନେଶ୍ବର: ଆସନ୍ତାକାଲି ଓଡିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିରେ ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ପାଇଁ ନିର୍ବାଚନ ହେବ। ଯେଉଁ ୪ଟି ଲୋକସଭାରେ ନିର୍ବାଚନ ହେବ ସେଗୁଡିକ ହେଲା କୋରାପୁଟ, ନବରଂଗପୁର, କଳାହାଣ୍ଡି ଏବଂ ବ୍ରହ୍ମପୁର।

ରାଜ୍ୟରେ ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଅତିରିକ୍ତ କେନ୍ଦ୍ରକୁ ମିଶାଇ ମୋଟି ୭୩୦୩ ମତଦାନ କେନ୍ଦ୍ର କରାଯାଇଛି। ସେଥି ମଧ୍ୟରୁ ୭୪୮ଟି ସହରାଞ୍ଚଳ ଓ ୬୫୫୫ଟି ଗ୍ରାମାଞ୍ଚଳରେ ରହିଛି । ଏହା ମଧ୍ୟରେ ‘ସଂପୂର୍ଣ୍ଣ ରୂପେ ମହିଳା କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’, ‘ସଂପୂର୍ଣ୍ଣ ରୂପେ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’ ଏବଂ ‘ସଂପୂର୍ଣ୍ଣ ରୂପେ ଯୁବ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ମତଦାନ କେନ୍ଦ୍ର’ ରହିଛି ।

ଏହି ପର୍ଯ୍ୟାୟରେ ମୋଟ ୬୬୨ଟି ଆଦର୍ଶ ମତଦାନ କେନ୍ଦ୍ର (ମଡ଼େଲ୍‌ ବୁଥ୍‌) ରହିଛି। ଏହି ପର୍ଯ୍ୟାୟରେ ପ୍ରାୟ ୫୩୦୦୦ ଜଣ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସର୍ବମୋଟ ୭୩୦୩ଟି ବୁଥ୍‌ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ବୁଥ୍‌ରେ ୱେବ୍‌କାଷ୍ଟିଂ କରାଯିବ। ଏହି ମତଦାନ କେନ୍ଦ୍ରଗୁଡିକରେ ବର୍ତ୍ତମାନ ପୁଲିଂ ଅଧିକାରୀ ପହଞ୍ଚିବାରେ ଲାଗିଛନ୍ତି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କଲେ ନବୀନ, ୨୫ ବର୍ଷ ମୁଖ୍ୟମନ୍ତ୍ରୀ କାଳରେ କେବେ ଏମିତି କହି ନ ଥିଲେ

ଭୁବନେଶ୍ବର: ଶନିବାର ଦିନ ପ୍ରଧାନମନ୍ତ୍ରୀ ଓଡିଶାର ତିନୋଟି ସ୍ଥାନରେ ପ୍ରଚାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୀବ୍ର ସମାଲୋଚନା କରିଛନ୍ତି। କେଉଁଠି ବିଜେଡିର ଏକ୍ସପାୟାର ଡେଟ ଜୁନ ୪ ବୋଲି କହିଛନ୍ତି। ଆଉ କେଉଁଠି ନବୀନ ଓଡିଶାର ଜିଲ୍ଲାର ନାମ କହିପାରିବେ ନାହିଁ ବୋଲି କହି କଟାକ୍ଷ କରିଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରଧାନମନ୍ତ୍ରୀ ପରି ପଦରେ ଥିବା ବ୍ୟକ୍ତି ଏପରି କହିବା ଠିକ ନୁହେଁ ବୋଲି କୁହାଯାଉଛି।

ହେଲେ ପ୍ରଧାନମନ୍ତ୍ରୀଙ୍କ ସମସ୍ତ ସମାଲୋଚନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜାରୀ କରି ତାହାକ କଡା ହିସାବ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ମୋର କଣ ମନେ ଅଛି କି ନାହିଁ ତାହା ଓଡିଶାବାସୀ ୨୫ ବର୍ଷ ଧରି ଜାଣିଛନ୍ତି। ପ୍ରଧାନମନ୍ତ୍ରୀ ତାହା ଜଣାଇବା କିଛି ଆବଶ୍ୟକ ନାହିଁ। ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କଲେ। ହେଲେ ତାହାର ବିକାଶ ପାଇଁ ଆପଣ କେତେ ଟଙ୍କା ଦେଇଛନ୍ତି ବୋଲି ନବୀନ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ସଂସ୍କୃତ ଭାଷାକୁ ହଜାରେ କୋଟି ଦେଲେ ହେଲେ ଓଡିଆକୁ ଶୂନ ମିଳିଲା।

ସେହିପରି ନବୀନ କହିଛନ୍ତି ଯେ, ଆପଣ ଓଡିଶୀ ସଂଗୀତକୁ ଭୁଲିଗଲେ। ଏହାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା ପାଇଁ ମୁଁ ଦୁଇଥର ଚିଠି ଲେଖିଛି। ହେଲେ ଆପଣ ତାହାକୁ ରିଜେକ୍ଟ କରିଦେଲେ। ସେହିପରି ନବୀନ କହିଥିଲେ ଯେ, ଓଡିଶାରେ ବହୁ ବୀରପୁତ୍ର ଅଛନ୍ତି। ସେମାନଙ୍କ ନାମ ଆପଣ ନେଉଛନ୍ତି। ହେଲେ ସେମାନେ କଣ ଭାରତ ରତ୍ନ ପାଇବା ପାଇଁ ଯୋଗ୍ୟ ହେଲେ ନାହିଁ କି ବୋଲି ନବୀନ କହିଛନ୍ତି। ଏପରିକି ଆପଣ ଭାରତ ରତ୍ନ ବାଣ୍ଟିଲା ବେଳେ ବିଜୁ ପଟ୍ଟନାୟକଙ୍କୁ ମଧ୍ୟ ମଧ୍ୟ ଆପଣ ଭୁଲିଗଲେ।

ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଗୋଟିଏ କଟାକ୍ଷକୁ ନବୀନ କଡା ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ଓଡିଶାର ଚାଷୀଙ୍କ ଧାନର ସହାୟକ ମୂଲ୍ୟ ଦୁଇଗୁଣ କରିବେ ବୋଲି କହିଥିଲେ। ତାହା ଆପଣ କଲେ କି। ଓଡିଶାରେ କୋଷ୍ଟାଲ ହାଇଏ ୱେ ମଧ୍ୟ କରିବାକୁ କହିଥିଲେ ତାହା କଲେ କି ବୋଲି ନବୀନ ପ୍ରଶ୍ନ କରିଛନ୍ତି। ସେହିପରି କୋଇଲା ରାୟାଲିଟ ମଧ୍ୟ ଆପଣ ୧୦ ବର୍ଷ ହେଲା ଭୁଲିଗଲେ କି। କେବଳ ନିର୍ବାଚନ ସମୟରେ ଆପଣ ଓଡିଶା କଥା ମନେପକାଇଲେ କିଛି ଲାଭ ନାହିଁ ବୋଲି ନବୀନ କହିଥିଲେ।

ପ୍ରଧାନମନ୍ତ୍ରୀଙ୍କୁ ଇଙ୍ଗିତ କରି ନବୀନ କହିଥିଲେ ଯେ ଆପଣ ୨୦୧୪ ଏବଂ ୨୦୧୯ ରେ ଯାହା ପ୍ରତିଶୃତି ଦେଇଥିଲେ ତାହା ପାଳନ କରିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି। ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିପାରିଲେ କି, ଗ୍ୟାସ, ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ପାଇଲା କି ବୋଲି କହିଛନ୍ତି। ଓଡିଶାବାସୀ ଜିଏସଟି ଛାଡ କରିବା, ନିଯୁକ୍ତି ଦେବା ପରି ସମସ୍ତ କଥାକୁ ମନେ ରଖିଛନ୍ତି ବୋଲି ନବୀନ କହିଥିଲେ।

ତେବେ ଶେଷରେ ନବୀନ ଯାହା କହିଥିଲେ ତାହା ହେଲା ଯେ, ଜୁନ ୧୦ ତାରିଖରେ କଣ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ବିଜେପି ଓଡିଶାବାସୀଙ୍କ ହୃଦୟ ଜିତିପାରିବେ ନାହିଁ। ପ୍ରଭୃ ଜଗନ୍ନାଥଙ୍କ ଆର୍ଶିବାଦ ଏବଂ ଓଡିଶାବାସୀଙ୍କ ଭଲପାଇବା ଯୋଗୁଁ ବିଜେଡି ଷଷ୍ଠ ଥର ପାଇଁ ସରକାର ଗଠନ କରିବ। ତେବେ ନବୀନ ତାଙ୍କ ୨୫ ବର୍ଷ ଶାସନ କାଳରେ ସେ କେବେ ଏପରି ଶାଣିତ ଭାବେ ସମାଲୋଚନା କରିଥିଲେ। ବର୍ତ୍ତମାନ ନବୀନ ଏପରି ଆକ୍ରମଣ କରିବା ନେଇ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଚାଲିଛି। ନବୀନଙ୍କ ପ୍ରଧାନମନ୍ତ୍ରୀଙ୍କୁ ଉଚିତ ଜବାବ ବୋଲି କୁହାଯାଉଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର, 13 ତାରିଖରେ ଭୋଟଗ୍ରହଣ

ଭୁବନେଶ୍ବର: ଆଉ ଗୋଟିଏ ଦିନ ପରେ ବହୁ ପ୍ରତୀକ୍ଷିତ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା 13 ତାରିଖ ସୋମବାର ଦିନ ହେବ। ସେଦିନ ସକାଳ 7 ଟାରୁ ଭୋଟ ଗ୍ରହଣ ଆରମ୍ଭ ହେବ। ଏଥିପାଇଁ ଶନିବାର ସଂଧ୍ୟା 6 ଟା ବେଳେ ପ୍ରଚାର ଶେଷ ହେବ। ଭୋଟ ଗ୍ରହଣ ପାଇଁ ନିର୍ବାଚନ କମିଶନରଙ୍କ ତରଫରୁ ସମସ୍ତ ବନ୍ଦୋବସ୍ତ ଶେଷ ହୋଇଛି।

ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଚାରିଟି ଲୋକସଭା ଏବି 28ଟି ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଯେଉଁ ଚାରିଟି ଲୋକସଭା ପାଇଁ ନିର୍ବାଚନ ହେବ ସେଗୁଡିକ ହେଲା କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ ବ୍ରହ୍ମପୁର। ଏଥିସହିତ ଏହା ଅଧିନରେ ଥିବା 28ଟି ବିଧାନସଭା ପାଇଁ ମଧ୍ୟ ନିର୍ବାଚନ ହେବ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଅକ୍ଷୟ ତୃତୀୟାରେ ଧାନ ବୁଣିଲେ, ହଳ କଲେ ଖୋର୍ଦ୍ଧା କଂଗ୍ରେସ ପ୍ରାର୍ଥୀ ସୋନାଲୀ ସାହୁ

ଖୋର୍ଦ୍ଧା: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ଚାଷୀ ପୁଅ ଅକ୍ଷୀ ମୁଠି ଅନୁକୂଳ କରିଥାଏ। ଅର୍ଥାତ ବର୍ଷା ଋତୁ ଆସୁଥିବାରୁ ଅକ୍ଷୟ ତୃତୀୟା ଦିନ ବୁଣାବୁଣି କାମ ଆରମ୍ଭ ହୋଇଥାଏ। ଏହା ଓଡିଶାରେ ବେଶ ପ୍ରାଚୀନ ପରଂପରା। ଏହିଦିନ ଚଷା ପୁଅ ନୂଆ ବସ୍ତ୍ର ପରିଧାନ କରି ବିଲରେ ପୂଜାପାଠ କରି ଲିପାପୋଛା ହୋଇଥିବା ଗଉଣୀରେ ଧାନ ବୁଣିଥାଏ। ହଳ ମଧ୍ୟ କରିଥାଏ।

ତେବେ ଏଥର ଏହି ପବିତ୍ର ଦିନଟି ନିର୍ବାଚନ ଋତୁରେ ପଡଥିବାରୁ ରାଜନୈତିକ ନେତାମାନେ ଏହାକୁ ହାତ ଛଡା କରି ନାହାଁନ୍ତି। ସେମାନେ ମଧ୍ୟ ସେମାନଙ୍କର ସମର୍ଥକଙ୍କ ଗହଣରେ ବିଲକୁ ଯାଇ ମୁଠି ଅନୁକୂଳ କରିଛନ୍ତି। ଠିକ ସେହିପରି ଖୋର୍ଦ୍ଧା ବିଧାନସଭା ପାଇଁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ସୋନାଲୀ ସାହୁ ମଧ୍ୟ ଚାଷୀଙ୍କ ପରି ମୁଠି ଅନୁକୂଳ କରିଛନ୍ତି।

ଆଜି ସକାଳୁ ଖୋର୍ଦ୍ଧାର ଲେଣ୍ଡୁ ପଞ୍ଚାୟତରେ ସେ ନିଜ ସମର୍ଥକଙ୍କ ଗହଣରେ ମୁଠି ଅନୁକୂଳ କରିଛନ୍ତି। ସୋନାଲି ବିଲରେ ପୂଜାପାଠ ପରେ ଗଉଣୀ ଧରି ଧାନ ବୁଣିଛନ୍ତି। ସେହିପରି ସେ ସାଥୀମାନଙ୍କ ସହିତ ହଳ କରିବା ଏବଂ ଟ୍ରାକ୍ଟର ଚଳାଇ ଏହି ମହାନ ପରଂପରାକୁ ପାଳନ କରିଛନ୍ତି। ଝିଅ ହୋଇ ସୋନାଲିଙ୍କର ଏହି ଉଦ୍ୟମକୁ ସେଠାକାର ଲୋକେ ବେଶ ପସନ୍ଦ କରିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବେଗୁନିଆ ଓ ଟାଙ୍ଗୀରେ ପାଣ୍ଡିଆନଙ୍କ ଦମଦାର ପ୍ରଚାର, ଅପରାଜିତା ଷଡଙ୍ଗୀଙ୍କୁ କଲେ ଟାର୍ଗେଟ

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବେଗୁନିଆ ଓ ଟାଙ୍ଗୀ ଠାରେ ନିର୍ବାଚନ ପ୍ରଚାର କରି ବିରୋଧୀଙ୍କୁ ଶାଣିତ ଆକ୍ରମଣ କରିଛନ୍ତି।

ବେଗୁନିଆ ଏବଂ ଟାଙ୍ଗୀ ଠାରେ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ସାହୁ, ରାଜେନ୍ଦ୍ର ସାହୁ ଓ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରି ସେ କହିଥିଲେ ଯେ ସମ୍ବିଧାନରେ ସମସ୍ତଙ୍କ କ୍ଷମତା ଅଛି। ଆପଣମାନେ ୫ ବର୍ଷ ଆଗରୁ ଯାହାଙ୍କୁ ସାଂସଦ ଭାବରେ ପଠାଇଥିଲେ, ସେ ଆପଣଙ୍କ ପାଇଁ କିଛି କରିଛନ୍ତି କି? ସେ ଲୋକଙ୍କ ପାଇଁ କାମ ନ କରି ସରପଞ୍ଚ, ୱାର୍ଡମେମ୍ବର ଓ ବିଧାୟକଙ୍କ କାମରେ ମୁଣ୍ଡ ଖେଳାଇଥିଲେ। ନିଜ କାମ ଭୁଲି ଗଲେ।

ଏବେ ନିର୍ବାଚନ ଆସିଲା, ଆପଣଙ୍କ କଥା ମନେ ପଡିଲା। ଭୁବନେଶ୍ୱର ଭଳି ଗୋଟେ ସମ୍ମାନଜନକ କ୍ଷେତ୍ରର ସାଂସଦ ଭାବେ ତାଙ୍କର ପ୍ରଥମ କର୍ତ୍ତବ୍ୟ ଥିଲା, ଭାରତ ସରକାରଙ୍କ ଯେଉଁ ବି ଭଲ ଭଲ ଯୋଜନା ରହିଛି, ତାକୁ ଏଠାରେ କାର୍ଯ୍ୟକାରୀ କରାଇଥାନ୍ତେ। ସେ ଚାହିଁଥିଲେ ଏଠାରେ ଶିଳ୍ପ ପାର୍କ, ସେମିକଣ୍ଡକ୍ଟର ପାର୍କ, ଏସଏମଇ ପାର୍କ ଇତ୍ୟାଦି ଆଣିବା ପାଇଁ ଚେଷ୍ଟା କରି ପାରିଥାନ୍ତେ। ଏସବୁ ଆସିଥିଲେ, ଯୁବପୀଢି ରୋଜଗାର ପାଇଥାନ୍ତେ। କିନ୍ତୁ ସେ କିଛି ବି କଲେ ନାହିଁ।

ଖୋର୍ଦ୍ଧାର ଐତିହାସିକ ପାଇକ ବିଦ୍ରୋହ ଏବଂ ପାଇକମାନଙ୍କ ତ୍ୟାଗକୁ ମନେ ପକାଇ ସେ କହିଥିଲେ ଯେ, ଏ ମାଟି ହେଉଛି, ବୀର ପାଇକ ମାଟି। ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ବହୁବାର କେନ୍ଦ୍ରକୁ ଲେଖିଛନ୍ତି। କିନ୍ତୁ ସାଂସଦଙ୍କ ଏ ଦିଗରେ କୌଣସି ଅବଦାନ ନାହିଁ । ଆପଣମାନେ ତାଙ୍କୁ କ୍ଷମତା ଦେଲେ । ସେ କ୍ଷମତାର ଦୂରୁପଯୋଗ କଲେ। ଲୋକଙ୍କୁ ଠକିଲେ। ଏ ମାଟିକୁ ଠକିଲେ। ଆପଣ ତାଙ୍କୁ କେବେ କ୍ଷମା କରିବେ ନାହିଁ।

ବେଗୁନିଆ, ବୋଲଗଡ ଓ ଟାଙ୍ଗୀକୁ ଏନ୍‌ଏସି ମାନ୍ୟତା, ବେଗୁନିଆରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଭଳି ଅଞ୍ଚଳରେ ହୋଇଥିବା ଅନେକ ବିକାଶମୂଳକ କାର୍ଯ୍ୟର ହିସାବ ଦେଇ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆମକୁ ନିର୍ଦ୍ଦେଶ ଦେଇଛନ୍ତି, ଲୋକଙ୍କ କାମର ହିସାବ ଦେବା ପାଇଁ। ମୁଁ ପୁଣି ଆସିବି, ଆପଣମାନଙ୍କୁ କାମର ହିସାବ ଦେବି। କିନ୍ତୁ ଏବେର ସାଂସଦ ରାଜନୀତିରେ ବ୍ୟସ୍ତ। ଲୋକଙ୍କୁ କେବେ ବି ହିସାବ ଦେବେ ନାହିଁ।

ସେ ପୁଣି କହିଥିଲେ ଯେ ଆମ ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଇଁ ଦିନରାତି କଠିନ ପରିଶ୍ରମ କରୁଛନ୍ତି। ୫ ବର୍ଷରେ ଥରେ ଆପଣମାନଙ୍କ ପାଖକୁ ସୁଯୋଗ ଆସିଛି ତାଙ୍କୁ ଆଶୀର୍ବାଦ କରିବା ପାଇଁ । ବିଜୁ ଜନତା ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଯୋଡି ଶଙ୍ଖରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ସେ ନିବେଦନ କରିଥିଲେ। କାର୍ଯ୍ୟକ୍ରମରେ ସାଂସଦ ପ୍ରାର୍ଥୀ ମନ୍ନଥ ରାଉତରାୟ, ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ସାହୁ ଓ ରାଜେନ୍ଦ୍ର ସାହୁ ନିଜର ଅଭିଭାଷଣ ମାଧ୍ୟମରେ ଭୋଟ ଭିକ୍ଷା କରିଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ବିଜେଡିର ଇସ୍ତାହାର, ଯୁବକଙ୍କ ପାଇଁ ଏକ ଲକ୍ଷ କୋଟି, ମାଗଣା ବିଜୁଳି ପ୍ରତିଶୃତି

ଭୁବନେଶ୍ବର: ପ୍ରକାଶ ପାଇଛି ବିଜେଡିର ନିର୍ବାଚନ ଇସ୍ତାହାର ବା ଘୋଷଣା ପତ୍ର। ଏହାକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନମୋଚନ କରିଛନ୍ତି। ତାଙ୍କ ସହିତ ବିଜେଡି ନେତା କାର୍ତ୍ତିକ ପଟ୍ଟନାୟକ, ଇସ୍ତାହାର କମିଟ ଅଧ୍ୟକ୍ଷ ଚନ୍ଦ୍ରଶେଖର ସାହୁ, ସାଂସଦ ଅମର ପଟ୍ଟନାୟକ, ସାଂସଦ ସସ୍ମିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେେ ନବୀନ ୯ ଟି ଗ୍ୟାରେଣ୍ଟି ପ୍ରଦାନ କରିଛନ୍ତି।

ଏହି ଘୋଷଣା ପତ୍ରରେ ଉପସ୍ଥାପିତ ହୋଇଥିବା ଗ୍ୟାରେଣ୍ଟିଗୁଡିକ ୫ଟି ଗଭର୍ନାନ୍ସ ମାଧ୍ୟମରେ କାର୍ଯ୍ୟକାରୀ ହେବ ଏବଂ ଓଡିଶା ଗଠନର ଶହେ ବର୍ଷ ପାଳନ କରିବାର ୨ ବର୍ଷ ପୂର୍ବରୁ ୨୦୩୪ ସୁଦ୍ଧା ଓଡିଶାକୁ ସମସ୍ତଙ୍କ ସହଯୋଗ ଓ ଦୃଢ ନେତୃତ୍ୱ ବଳରେ ସମସ୍ତ କ୍ଷେତ୍ରରେ ଅଭିବୃଦ୍ଧି ଏବଂ ବିକାଶରେ ଏକ ନମ୍ବର ରାଜ୍ୟର ମାନ୍ୟତା ପ୍ରଦାନ କରିବ। ଏଥିରେ ଯାହା ରହିଛି ତାହା ହେଲା..

୧. ଓଡିଶାର ଯୁବକମାନଙ୍କ ନିମନ୍ତେ ୧୦ ବର୍ଷ ପାଇଁ ଏକ ଲକ୍ଷ କୋଟି ଅଲଗା ବଜେଟ୍ ରଖାଯିବ। ଏହି ଯୁବ ବଜେଟ୍ ଜଳବାୟୁ ଏବଂ ଜେଣ୍ଡର ବଜେଟ୍ ଭଳି ବିଧାନସଭାରେ ଉପସ୍ଥାପିତ ହେବ। ଯୁବକମାନଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ ଆଧାର କରି ପ୍ରତିବର୍ଷ ଏଥିରୁ ହଜାରେ କୋଟି ଟଙ୍କା ଖର୍ଚ୍ଚ ହେବ। ବିଶ୍ୱରେ ଏହା ପ୍ରଥମ ପ୍ରକାରର ପ୍ରୟାସ ହେବ ଯେଉଁଠାରେ ଯୁବକମାନେ ନିଜ ପରିଚୟ ଏବଂ ଓଡିଶାର ପରିଚୟ ସୃଷ୍ଟି କରିପାରିବେ । ନୂଆ ଓ ମ୍ୟାଜିକ୍ କାର୍ଡ ଦ୍ୱାରା ଏକାଧିକ ସୁବିଧା ସୁଯୋଗ ସହିତ ପରିସର ବିସ୍ତାର ହେବ। ନୂଆ ଓ ଛାତ୍ରବୃତ୍ତି ବାଳିକାମାନଙ୍କ ପାଇଁ ବାର୍ଷିକ ୧୪,୦୦୦ ଏବଂ ପୁଅମାନଙ୍କ ପାଇଁ ବାର୍ଷିକ ୧୨,୦୦୦ କୁ ବୃଦ୍ଧି କରାଯିବ। ସରକାରୀ ପ୍ରବେଶ ପ୍ରକ୍ରିୟା ମାଧ୍ୟମରେ ଯୋଗ୍ୟତା ହାସଲ କରିବା ପରେ ଡିପ୍ଲୋମା ଏବଂ ଡିଗ୍ରୀ ପାଠ୍ୟକ୍ରମ କରୁଥିବା କଲେଜରେ ପଢୁ ଥିବା ସମସ୍ତ ଯୋଗ୍ୟ ଛାତ୍ରଙ୍କୁ ଏହା ପ୍ରଦାନ କରାଯିବ।

ଆସନ୍ତା ପାଞ୍ଚ ବର୍ଷରେ ୨ ଲକ୍ଷ ସରକାରୀ ଚାକିରି ଯୋଗାଇ ଦିଆଯିବ। ସ୍ୱୟମ୍ ଉଦ୍ୟୋଗୀ ରୁଣକୁ ବ୍ୟାପକ କଭରେଜ୍ ସହିତ ଏକ ଲକ୍ଷରୁ ୨ ଲକ୍ଷକୁ ବୃଦ୍ଧି କରାଯିବ। ଓଡିଶାରେ ଏକ ନୂତନ କୌଶଳ ଓ ଉଦ୍ୟୋଗୀ ବିଶ୍ୱବିଦ୍ୟାଳୟ, ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ଏବଂ ଏଆଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଏହି ସମସ୍ତ ପଦକ୍ଷେପ ଯୁବକମାନଙ୍କୁ ସଶକ୍ତ କରିବା ଏବଂ ଓଡିଶାକୁ ଏକ ବୃହତ ଅଭିବୃଦ୍ଧି ପଥରେ ଆଗେଇ ନେବାକୁ ସକ୍ଷମ କରିବ।

୨. ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସମଗ୍ର ଇକୋସିଷ୍ଟମକୁ ଶକ୍ତିଶାଳୀ କରାଯିବ ଯାହା ଓଡିଶାକୁ ଦେଶର ଶ୍ରେଷ୍ଠ ତିନୋଟି ଅର୍ଥନୈତିକ ବିକଶିତ ରାଜ୍ୟରେ ପରିଣତ କରିବ। ଖଣିଜ ଭିତ୍ତିକ ଶିଳ୍ପ ବ୍ୟତୀତ ସେମିକଣ୍ଡକ୍ଟର, ଆଇଟି ଶିଳ୍ପ, କୃତ୍ରିମ ବୁଦ୍ଧିମତା ଇତ୍ୟାଦି ସହିତ ନୂତନ ଯୁଗ, ବୈଷୟିକ ଏବଂ ନୂତନ ଅର୍ଥନୀତି ଉପରେ ଧ୍ୟାନ ଦିଆଯିବ। ଓଡ଼ିଶା ପୂର୍ବ ଭାରତର ଆଇଟି ରାଜଧାନୀ ହେବ। ଉତ୍ପାଦନ ନିବେଶକୁ ଆକର୍ଷିତ କରିବାରେ ଆମେ ଆଗେଇ ଆସିବା। ପରିବେଶ ଅନୁକୂଳ ପର‌୍ୟ୍ୟଟନ ପାଇଁ ୧୦୦ ଟି ସ୍ଥାନ ଉପରେ ଧ୍ୟାନ ଦିଆଯିବ। ଖ୍ୟାତି ସମ୍ପନ୍ନ ବୈଷୟିକ ଏବଂ ପରିଚାଳନା ସଂସ୍ଥାଗୁଡ଼ିକ ଓଡ଼ିଶାରେ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଉତ୍ସାହିତ ହେବେ। ଏହି ସବୁ ଓଡ଼ିଶାର ଯୁବକମାନଙ୍କ ଦ୍ୱାରା ସଶକ୍ତ ହେବ। ଯୋଜନାବଦ୍ଧ ସହରୀକରଣ ଅଭିବୃଦ୍ଧି, ଉତ୍ପାଦକତା ସୃଜନାତ୍ମକ ଏବଂ ପରିବର୍ତ୍ତନ ବୃଦ୍ଧି କରିବ। ଆଗାମୀ ୧୦ ବର୍ଷରେ ଆମେ ସହରୀ ଜନସଂଖ୍ୟାକୁ ଦ୍ୱିଗୁଣିତ କରିବୁ।

ଉତ୍ତମ ଗୁଣବତ୍ତା ସମ୍ପର୍ଣ ସୁବିଧା ସୁଯୋଗ ନିମ୍ନଲିଖିତ ଅଞ୍ଚଳଗୁଡିକ ପାଇଁ ଯୋଗାଇ ଦିଆଯିବ ଚାରୋଟି ମେଗା ସହରୀ କ୍ଲଷ୍ଟର ଯୋଜନା କରାଯାଇଛି , ସେମାନଙ୍କ ମଧ୍ୟରେ ଭୁବନେଶ୍ୱର – କଟକ – ଖୋର୍ଦ୍ଧା – ପୁରୀ କ୍ଲଷ୍ଟର , ସମ୍ବଲପୁର- ଝାରସୁଗୁଡା – ରାଉରକେଲା କ୍ଲଷ୍ଟର , ବାରିପଦା – ବାଲେଶ୍ୱର – ଭଦ୍ରକ କ୍ଲଷ୍ଟର ଏବଂ ବ୍ରହ୍ମପୁର -ଛତ୍ରପୁର – ଗୋପାଳପୁର କ୍ଲଷ୍ଟର। ଆମେ ମଧ୍ୟ ୨୦ ଟି ପ୍ରମୁଖ ସହର ବଲାଙ୍ଗୀର, କୋରାପୁଟ-ଜୟପୁର, ବରଗଡ, ରାୟଗଡା, ଭବାନୀପାଟନା, ପାରାଦୀପ, ଢେଙ୍କାନାଳ , ଯୋଡା-ବଡ଼ବିଲ , କେନ୍ଦୁଝର, ଅନଗୁଳ , ମାଲକାନଗିରି, ନବରଙ୍ଗପୁର, ପାରଳାଖେମୁଣ୍ଡି, ଫୁଲବାଣୀ, ବୌଦ୍ଧ , ସୋନପୁର, ଦେବଗଡ, କେନ୍ଦ୍ରାପଡା ଓ ନୟାଗଡ଼ କୁ ବିକଶିତ କରିବୁ। ଏହି ସହରୀ କ୍ଲଷ୍ଟରଗୁଡ଼ିକ ଚାହିଦା ସୃଷ୍ଟି କରିବ ଏବଂ ଅର୍ଥନୈତିକ ଅଭିବୃଦ୍ଧିର କେନ୍ଦ୍ର ହେବ।

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଅନ୍ୟାନ୍ୟ ସୁବିଧା ସହିତ ଏକ ଆନ୍ତର୍ଜାତୀୟ ସହର ଭାବରେ ବିକଶିତ ହେବ। ବିମାନ ବନ୍ଦର ସହିତ ୨୦ଟି ସମସ୍ତ ପ୍ରମୁଖ ସହର ସହିତ ଲକ୍ଷ୍ମୀ ବସ୍ ସଂଯୋଗ ରହିବ। ମେଟ୍ରୋ ଦ୍ୱାରା ଭୁବନେଶ୍ୱର, ଖୋର୍ଦ୍ଧା , ପୁରୀ ଏବଂ କଟକକୁ ସଂଯୋଗ କରିବ ଏବଂ ପର୍ଯ୍ୟାୟ କ୍ରମେ ସମ୍ପ୍ରସାରିତ ହେବ। ବିଜୁ ଅର୍ଥନୈତିକ କରିଡର ମାଧ୍ୟମରେ ପଶ୍ଚିମ ଏବଂ ଦକ୍ଷିଣ ଓଡିଶାର ବିକାଶ ଉପରେ ଆମର ବିଶେଷ ଧ୍ୟାନ ରହିବ।

୩. ସ୍ଥିରତା ସହିତ ଅଭିବୃଦ୍ଧି ଉପରେ ଆମର ଧ୍ୟାନ ରହିବ – ଆମର ବର୍ତ୍ତମାନର ତଥା ଭବିଷ୍ୟତ ପିଢ଼ିର ଆବଶ୍ୟକତା ପୂରଣ କରିବ। ଅଭିବୃଦ୍ଧି ଏବଂ ଦାରିଦ୍ର‌୍ୟ ହ୍ରାସ କରିବାରେ ଶକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଓଡିଶାର ୭୫ ପ୍ରତିଶତ ପରିବାରର ୧୦୦ ୟୁନିଟ୍ କମ୍ ବ୍ୟବହାର ଏବଂ ଅନ୍ୟ ଦଶ ପ୍ରତିଶତ ୧୦୦ ରୁ ୧୫୦ ୟୁନିଟ୍ ବ୍ୟବହାର କରୁଛନ୍ତି। ଶକ୍ତି ସୁରକ୍ଷା ସହିତ ଏହି ୮୫ -୯୦% ଜନସଂଖ୍ୟାକୁ ଆଚ୍ଛାଦନ କରିବା ପାଇଁ, ଶହେ ୟୁନିଟ୍ ପର‌୍ୟ୍ୟନ୍ତ ଗ୍ରାହକମାନେ ଶୂନ ବିଲ୍ ପାଇବେ ଏବଂ ୧୦୦ ରୁ ୧୫୦ ପର‌୍ୟ୍ୟନ୍ତ ପଚାଶ ୟୁନିଟ୍ ପାଇଁ ରିହାତି ପାଇବେ। ଏହା କେବଳ ରାଜ୍ୟରେ ଶକ୍ତି ସୁରକ୍ଷା ବୃଦ୍ଧି କରିବ ନାହିଁ ବରଂ ବିଦ୍ୟୁତର ଦାୟିତ୍ବପୂର୍ଣ୍ଣ ବ୍ୟବହାରକୁ ମଧ୍ୟ ଉତ୍ସାହିତ କରିବ – ଏହା ସ୍ଥାୟୀ ଅଭିବୃଦ୍ଧି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ହେବ।

୪. ଓଡ଼ିଶାର ଅଭିବୃଦ୍ଧି କାହାଣୀରେ ମଧ୍ୟବିତ୍ତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନଙ୍କୁ BSKY କଭରେଜ୍, ୨୦ ଲକ୍ଷ ପର୍ଯ୍ୟନ୍ତ ଗୃହ ରୁଣ ଉପରେ ସୁଧ ସବଭେନ୍ସନ୍, ଏବଂ ପିଲାମାନଙ୍କ ପାଇଁ ଛାତ୍ରବୃତ୍ତି ଓ ଉଚ୍ଚଶିକ୍ଷା ତଥା ସୁଲଭ ପରିବହନ ପାଇଁ ଋଣ ଉପରେ ସୁଧ ସବଭେନ୍ସନ୍ ପ୍ରଦାନ କରି ସେମାନଙ୍କୁ ସଶକ୍ତ କରାଯିବ। ବିଦ୍ୟୁତ ସବସିଡି ମଧ୍ୟବିତ୍ତ ପରିବାର ପାଇଁ ମଧ୍ୟ ଲାଗୁ ହେବ। ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଉପରେ ପକେଟ ଖର୍ଚ୍ଚ ହ୍ରାସ ହେଲେ ସଞ୍ଚୟ ବୃଦ୍ଧି ପାଇବ। ଉଭୟ ଗ୍ରାମୀଣ ଏବଂ ସହରାଞ୍ଚଳରେ ଶିଳ୍ପାୟନ ଏବଂ ନିଯୁକ୍ତି ସୃଷ୍ଟି ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଭିତରେ ନୂତନ ଆଶା ସଂଚାର କରିବ।

୫. ଓଡିଶାର ଅଭିବୃଦ୍ଧି କାହାଣୀରେ ମହିଳାମାନେ ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ସେମାନେ ଏହା ଜାରି ରଖିବେ। ବିନା ସୁଧରେ ୧୫ ଲକ୍ଷ ପର‌୍ୟ୍ୟନ୍ତ ଋଣ ଯୋଗାଇଦେବାରେ ଏହା ଦେଶରେ ପ୍ରଥମ ରାଜ୍ୟ ହେବ। ଆସନ୍ତା ୫ ବର୍ଷ ମଧ୍ୟରେ ଆମର SHG ଗୁଡ଼ିକୁ ୧.୫ ଲକ୍ଷ କୋଟି ଟଙ୍କାର ଆର୍ଥିକ ଲିଙ୍କେଜ୍ ହାସଲ କରି ୨୫୦୦ କୋଟି ଟଙ୍କାର ସୁଧ ସେମାନଙ୍କ ନିକଟକୁ ଫେରାଇ ଦିଆଯିବ। ଏହା ସେମାନଙ୍କୁ ସେମାନଙ୍କର ବ୍ୟବସାୟକୁ ଇନ୍ଧନ ଦେବାରେ ସାହାଯ୍ୟ କରିବ ଏବଂ SHGରୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ରୂପାନ୍ତର ତ୍ୱରାନ୍ୱିତ କରିବ। SHG କୁ ଆଗାମୀ ୧୦ ବର୍ଷରେ ୨୦,୦୦୦ କୋଟିର ସରକାରୀ ବ୍ୟବସାୟ ଯୋଗାଇ ଦିଆଯିବ। ବ୍ୟକ୍ତିଗତ ମହିଳା ଉଦ୍ୟୋଗୀମାନଙ୍କୁ ସେମାନଙ୍କ ବ୍ୟବସାୟ ଆରମ୍ଭ ଏବଂ ବୃଦ୍ଧି ପାଇଁ ୧୦ ଲକ୍ଷ ପର‌୍ୟ୍ୟନ୍ତ ସବସିଡିଯୁକ୍ତ ଋଣ ଯୋଗାଇବା ପାଇଁ ଶହେ କୋଟି ଟଙ୍କାର କର୍ପସ ପାଣ୍ଠି ସହିତ ସହାୟତା କରାଯିବ। ମିଶନ୍ ଶକ୍ତି ମହିଳାଙ୍କ ପାଇଁ ପେନସନ ରହିବ। ସମସ୍ତ ତୃଣମୂଳ ସ୍ତରର ମହିଳା କର୍ମୀ, ସମ୍ପ୍ରଦାୟର ସହାୟତା କର୍ମଚାରୀ, ଅଙ୍ଗନୱାଡି କର୍ମୀ, ଏବଂ ଆଶା ଗୁଡିକ ଈଝକଣ କଭରେଜ୍ ଏବଂ ସାମାଜିକ ସୁରକ୍ଷା ପେନସନ ମଧ୍ୟ ପାଇବେ।

୬. ସ୍ୱାସ୍ଥ୍ୟ ଉପରେ ପକେଟ ଖର୍ଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ଏବଂ ମୌଳିକ ମାନବିକ ଅଧିକାର ପାଇଁ ବାଧା ସୃଷ୍ଟି କରେ। ଆମର ପ୍ରମୁଖ ସ୍କିମ୍ ଈଝକଣ ନଵୀନ କାର୍ଡ ପ୍ରବର୍ତ୍ତନ ପ୍ରାୟ ସମସ୍ତ ବର୍ଗଙ୍କୁ କଭରେଜ୍ କରିବ। ଏଥିରେ ମଧ୍ୟବିତ୍ତ, ସରକାରୀ କର୍ମଚାରୀ, ଚୁକ୍ତିଭିତ୍ତିକ ଶ୍ରମିକମାନେ ପର୍ଯ୍ୟାୟ କ୍ରମେ ଅନ୍ତର୍ଭୁକ୍ତ ହେବେ। ଆମେ ଆସନ୍ତା ୧୦ ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ ପାଇଁ ସର୍ବନିମ୍ନ ଖର୍ଚ୍ଚର ରାଜ୍ୟ ହୋଇପାରିବା। ଏହି ସ୍ୱାସ୍ଥ୍ୟ ନିଶ୍ଚିତତା ଆମ ଜନସଂଖ୍ୟାକୁ ସଶକ୍ତ କରିବ ଏବଂ ଆମ ରାଜ୍ୟକୁ ଆଗକୁ ବଢ଼ାଇବ।

୭. ଅଭିବୃଦ୍ଧି ସହିତ ଅନ୍ତର୍ଭୁକ୍ତ ସର୍ବଦା ଆମର ଉଦ୍ଦେଶ୍ୟ।  ଆଦିବାସୀ, ଜନଜାତି, ଓବିସି ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ସଶକ୍ତିକରଣ ସର୍ବାଧିକ ପ୍ରାଥମିକତା ଅଟେ। ସ୍ଵୟମ ନିଯୁକ୍ତି ଦିଗରେ ପ୍ରତିବର୍ଷ ୧୦,୦୦୦ ST, SC ଏବଂ OBC ଯୁବକମାନଙ୍କ ପାଇଁ୧,୦୦,୦୦୦ଟଙ୍କାର ଅନୁଦାନ ପ୍ରଦାନ କରିବାକୁ ଆମେ ୧୦ ବର୍ଷ ମଧ୍ୟରେ ୧୦୦୦ କୋଟି ପାଣ୍ଠି ପ୍ରଦାନ କରିବୁ। ସେହିଭଳି, ଏସଟି, ଏସସି ଏବଂ ଓବିସିର ଯୁବକମାନଙ୍କ ମଧ୍ୟରେ ଉଦ୍ୟୋଗୀତା ୧୦,୦୦,୦୦୦ ଟଙ୍କା ପର‌୍ୟ୍ୟନ୍ତ ସୁଧ ଛାଡ ହେବ। ସ୍ଵୟମ ଋଣ ଅନୁଦାନରେ ପ୍ରାଥମିକତା ରହିବ। ଓବିସି, ସଂଖ୍ୟାଲଘୁ, ଏସସି ଏବଂ ଆଦିବାସୀ ଛାତ୍ରମାନଙ୍କ ପାଇଁ ଅଧିକ ହଷ୍ଟେଲ ବ୍ୟବସ୍ଥା ସହିତ ଶିକ୍ଷା ଏବଂ ଅଧିକ ନିଯୁକ୍ତି ଆଗକୁ ବଢାଇବ। ଲାଭ ଯୋଜନା ଦ୍ୱାରା ଛୋଟ ଜଙ୍ଗଲ ଉତ୍ପାଦନ ସଂଗ୍ରହରୁ ଆୟକୁ ତ୍ଵରାନିତ୍ଵ କରିବ, ମୁଖ୍ୟତ ଆଦିବାସୀଙ୍କୁ ଉତ୍ସାହିତ କରିବ। ଗ୍ରାମୀଣ ଗୃହ ଯୋଜନା ଅଧୀନରେ ସମସ୍ତ ଯୋଗ୍ୟ ପରିବାରକୁ ୧୦ ଲକ୍ଷ ଘର ଯୋଗାଇ ଦିଆଯିବ।

୮. ଖାଦ୍ୟ ସୁରକ୍ଷା ସର୍ବଦା ବିଜେଡି ସରକାରଙ୍କ ଏକ ଗ୍ୟାରେଣ୍ଟି ଅଟେ। ସମସ୍ତ ଯୋଗ୍ୟ ପରିବାରକୁ ରେସନ କାର୍ଡ ଯୋଗ୍ୟତା ଭିତ୍ତିରେ ନିଶ୍ଚିତ ଯୋଗାଇ ଦିଆଯିବ, ଯାହା ସମସ୍ତ ପରିବାରଙ୍କୁ ଅନ୍ତର୍ଭୁକ୍ତ ନିଶ୍ଚିତ କରିବ। କୃଷକମାନେ ରାଜ୍ୟର ଖାଦ୍ୟ ନିରାପତ୍ତାର ମେରୁଦଣ୍ଡ ଅଟନ୍ତି। କୃଷିର ସମଗ୍ର ଇକୋସିଷ୍ଟମ୍ ମଜବୁତ ହେବ। କୃଷି ଉଦ୍ଦେଶ୍ୟରେ ମାଗଣା ବିଦ୍ୟୁତ୍ ପ୍ରଦାନ କରାଯିବ, ଯାହା ସାରା ରାଜ୍ୟରେ କୃଷକମାନଙ୍କୁ ଉପକୃତ କରିବ। ଏହା ଉତ୍ପାଦନ ବୃଦ୍ଧି ଏବଂ ସେମାନଙ୍କର ଭାର ହ୍ରାସ କରିବାରେ ସାହାଯ୍ୟ କରିବ। ପିଲାମାନଙ୍କର ଶିକ୍ଷା ପାଇଁ ଛାତ୍ରବୃତ୍ତି ଏବଂ ନିର୍ଭରଶୀଳ ଝିଅ ବିବାହ ପାଇଁ ୨୫.୦୦୦ ସହାୟତା ସହିତ କାଳିଆ ଅନୁଦାନ ଜାରି ରହିବ ଏବଂ ବିସ୍ତାର କରାଯିବ। ୧.୫ ଲକ୍ଷ ପର‌୍ୟ୍ୟନ୍ତ ଫସଲ ଋଣ ସୁଧମୁକ୍ତ ହେବ। ମୌସୁମୀ ଅନିଶ୍ଚିତତାକୁ ଦୂର କରିବା ପାଇଁ ମତ୍ସ୍ୟଯିବି ସମ୍ପ୍ରଦାୟକୁ ବାର୍ଷିକ ୧୫,୦୦୦ ପ୍ରଦାନ କରାଯିବ।

୯. ଆମର ସମୃଦ୍ଧ ସଂସ୍କୃତି ଏବଂ ଭାଷାର ପ୍ରୋତ୍ସାହନ ଏବଂ ସଂରକ୍ଷଣ ଅର୍ଥନୈତିକ ଅଭିବୃଦ୍ଧି ସହିତ ହାତ ମିଳାଇଥାଏ। ଆମର ଉପାସନା ସ୍ଥାନ, ଐତିହ୍ୟ ସ୍ଥଳ ଏବଂ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ସହିତ ଜଡିତ ସ୍ଥାନଗୁଡିକ ସଂରକ୍ଷଣ କରିବା ପାଇଁ ଏକ ହେରିଟେଜ୍ ବିକାଶ ପାଣ୍ଠି ଭାବରେ ୧୦୦୦ କୋଟିର ଏକ କର୍ପସକୁ ପୃଥକ କରାଯିବ। ଶାସ୍ତ୍ରୀୟ ଭାଷା ଭାବରେ ଓଡିଆର ବିକାଶ ଏବଂ ପ୍ରୋତ୍ସାହନ ପାଇଁ ୧୦୦ କୋଟି ରଖାଯାଇଛି। ଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ଠାରୁ ଶାସ୍ତ୍ରୀୟ ଭାଷା ଭାବରେ ଓଡିଆର ପ୍ରଚାର ,ପ୍ରସାର ଓ ଗବେଷଣା ପାଇଁ ଜିରୋ ପାଣ୍ଠି ଗ୍ରହଣ କରାଯାଇଛି। ଆମେ ପୁଣିଥରେ କେନ୍ଦ୍ରକୁ ଅନୁରୋଧ କରିବୁ ଯେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ଏବଂ ହୋ, ମୁଣ୍ଡାରି ଏବଂ ଭୁମିଜଙ୍କୁ ଅଷ୍ଟମ କାର‌୍ୟ୍ୟସୂଚୀରେ ଅନ୍ତର୍ଭୁକ୍ତ କରାଯାଉ।

ପଶ୍ଚିମ ଓଡିଶାର ଭାଷାର ବିକାଶ ତଥା ଗବେଷଣା , ଅଧ୍ୟୟନ ଏବଂ ଅନୁସନ୍ଧାନ ପାଇଁ ୨୫ କୋଟି ଟଙ୍କାର କର୍ପସ୍ ଫଣ୍ଡ ସହିତ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବୁ। ଓଡିଶାର ପ୍ରସିଦ୍ଧ ବ୍ୟକ୍ତିତ୍ୱ ସହିତ ସଂଯୁକ୍ତ ଶହେ ଗୋଟି ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟ ଭାବରେ ବିକଶିତ କରାଯିବ। ପଦ୍ମଶ୍ରୀ ଏବଂ ପଦ୍ମ ଭୂଷଣ ଭଳି ପ୍ରତିବର୍ଷ କଳିଙ୍ଗଶ୍ରୀ ଏବଂ କଳିଙ୍ଗଭୂଷଣ ପୁରସ୍କାର ପ୍ରଦାନ କରାଯିବ। ସମଗ୍ର ରାଜ୍ୟରେ ଭଗବଦ୍ ଟୁଙ୍ଗିର ସଂରକ୍ଷଣ ପାଇଁ ଅର୍ଥ ଯୋଗାଇଦିଆଯିବ।ଏହା ଆମ ଯୁବକମାନଙ୍କୁ ସେମାନଙ୍କର ସଂସ୍କୃତି, ଐତିହ୍ୟ ଏବଂ ଭାଷାରେ ଗର୍ବ ଅନୁଭବ କରିବାକୁ ସଶକ୍ତ କରିବ ଏବଂ ଆତ୍ମବିଶ୍ୱାସ ସହିତ ଭବିଷ୍ୟତକୁ ଆଗକୁ ବଢାଇବାକୁ ସକ୍ଷମ କରିବଯିବ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନୂଆ ଆଇପିଏସ ଅଧିକାରୀମାନଙ୍କୁ ନିର୍ବାଚନ ପରିଚାଳନା ସମ୍ବନ୍ଧରେ ଅବଗତ କରାଇଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଭାରତୀୟ ପୋଲିସ ସେବା (ଆର୍‌. ଆର୍‌.-୨୦୨୩)ର ୫୭ ଜଣ ଶିକ୍ଷାନବିସ ଅଧିକାରୀ ଆଜି ମୁଖ୍ୟ ନିର୍ବାଚନ ଅଧିକାର, ଓଡ଼ିଶାଙ୍କ କାର୍ଯ୍ୟାଳୟକୁ ଆସି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳଙ୍କ ଠାରୁ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ପରିଚାଳନା ସମ୍ବନ୍ଧରେ ଅବଗତ ହୋଇଛନ୍ତି। ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶିକ୍ଷାନବିସ ଅଧିକାରୀମାନଙ୍କୁ ନିର୍ବାଚନ ପରିଚାଳନାର ବିଭିନ୍ନ ଦିଗ ବିଷୟରେ ଅବଗତ କରାଇଥିଲେ।

ଭାରତୀୟ ପୋଲିସ ସେବା (ଆର୍‌.ଆର୍‌-୨୦୨୩)ର ୫୭ ଜଣ ଶିକ୍ଷାନବିସ ଅଧିକାରୀ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଗସ୍ତ କରି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ଶିକ୍ଷାନବିସ ଅଧିକାରୀମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ସ୍ୱାଗତ କରାଯାଇଥିଲା । ଏହାପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟସ୍ଥ ମିଡ଼ିଆ ସେଣ୍ଟରରେ ଅନୁଷ୍ଠିତ ହୋଇଥିବା ସଭାରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ସମସ୍ତ ଶିକ୍ଷାନବିସ ଅଧିକାରୀମାନଙ୍କୁ ସମ୍ବୋଧିତ କରିଥିଲେ ।

ଶ୍ରୀ ଧଳ ନିର୍ବାଚନ ପ୍ରକ୍ରିୟାର ତୃଣମୂଳ ସ୍ତରରୁ ଆଲୋଚନା କରି ମତଦାତା ତାଲିକାରେ କିପରି ସମସ୍ତ ବର୍ଗ ଓ ଅଞ୍ଚଳର ମତଦାତାମାନଙ୍କୁ ସାମିଲ କରି ଏକ ସମାବେଶୀ ମତଦାତା ତାଲିକା ପ୍ରସ୍ତୁତ କରାଯାଇଛି ତାହା ଦର୍ଶାଇଥିଲେ। ସାଧାରଣ ନିର୍ବାଚନ-୨୦୨୪ ପାଇଁ ପ୍ରଥମ ଥର ମତଦାତା (୧୮ଣ୍ଟ), ଯୁବ ମତଦାତା, ମହିଳା, ତୃତୀୟ ଲିଙ୍ଗ ଓ ଅନ୍ୟାନ୍ୟ ସମସ୍ତ ବର୍ଗର ମତଦାତାମାନଙ୍କୁ ମିଶାଇ ୩.୩୬ କୋଟି ମତଦାତାଙ୍କର ଏକ ସମ୍ମିଳିତ ତାଲିକା ପ୍ରସ୍ତୁତ କରାଯାଇଛି ।

ବିଏଲ୍‌ଓ ମାସ୍‌କଟ୍‌ ‘ମିତାଦିଦି’ ବିଷୟରେ ଆଲୋଚନା କରି ଶ୍ରୀ ଧଳ ସେମାନଙ୍କୁ ‘ବୁଥ୍‌ସ୍ତରର ଅଧିକାରୀ: ଗଣତନ୍ତ୍ରର ପ୍ରହରୀ’ ରୂପେ ଅଭିହିତ କରିଥିଲେ। ଏହି ଅବସରରେ ଓଡ଼ିଶାର ମତଦାତା ଲିଙ୍ଗ ଅନୁପାତ ୯୭୪କୁ ବୃଦ୍ଧି ପାଇଁ କରାଯାଇଥିବା ପ୍ରୟାସକୁ ଶିକ୍ଷାନବିସ ଅଧିକାରୀମାନେ ଭୂୟସୀ ପ୍ରଶଂସା କରିଥିଲେ।

ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ସୁରକ୍ଷା ବ୍ୟବସ୍ଥା ବିଷୟରେ ଆଲୋଚନା କରି ମୁଖ୍ୟ ନିର୍ବାଚନ ଅଧିକାରୀ ସାଧାରଣ ପ୍ରଶାସନ ଓ ପୋଲିସ ପ୍ରଶାସନ କିଭଳି ଭାବରେ ସମସ୍ତ ସ୍ତରରେ ଏକ ଟିମ୍‌ ଭଳି କାର୍ଯ୍ୟ କରୁଛନ୍ତି, ତାହା ଅବଗତ କରାଇଥିଲେ । ମାଓପ୍ରବଣ ଅଞ୍ଚଳରେ ନିର୍ବାଚନ ପାଇଁ କେଉଁସବୁ ବିଶେଷ ବ୍ୟବସ୍ଥା କରାଯାଇଛି, ତାହା ଆଲୋଚନା ହୋଇଥିଲା।

ଏବେ ଯେହେତୁ ସମସ୍ତ ଶିକ୍ଷାନବିସ ପୋଲିସ ଅଧିକାରୀ ଗଞ୍ଜାମ, ଗଜପତି, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା, ମାଲକାନଗିରି, ନବରଙ୍ଗପୁର ଆଦି ୮ଟି ଜିଲ୍ଲାରେ ଟ୍ରେନିଂ ପ୍ରାପ୍ତ ହେବେ, ସେମାନଙ୍କୁ ତୃଣମୂଳ ସ୍ତରରୁ ପ୍ରତିଟି ବିଷୟକୁ ଭଲ ଭାବରେ ବୁଝି ତା’ର କି୍ରୟାନ୍ୱୟନ ସମ୍ପର୍କରେ ଅଭିଜ୍ଞତା ପ୍ରାପ୍ତ କରିବାକୁ ଶ୍ରୀ ଧଳ ସମସ୍ତଙ୍କୁ ପ୍ରୋତ୍ସାହିତ କରିଥିଲେ।

ଭାରତ ନିର୍ବାଚନ ଆୟୋଗଙ୍କ ନିର୍ବାଚନ ପରିଚାଳନା ବ୍ୟବସ୍ଥା ବିଷୟରେ ଆଲୋଚନା କରି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଦେଶରେ ନିର୍ବାଚନକୁ ମୁକ୍ତ, ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ଗ୍ରହଣ କରାଯାଉଥିବା ସମସ୍ତ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ । ଏଥିରେ ପୋଲିସ ଅଧିକାରୀମାନଙ୍କ ବିଶେଷ ଭୂମିକା ବିଷୟରେ ଆଲୋଚନା କରି ଲୋକଙ୍କ ବିଶ୍ୱାସକୁ ବଜାୟ ରଖି କାର୍ଯ୍ୟ କରିବାର ଗୁରୁତ୍ୱ ବିଷୟରେ ସୂଚିତ କରିଥିଲେ ।

ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟରେ ମେ ୧୩ରେ କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସମସ୍ତ ବିଧାନସଭା କ୍ଷେତ୍ରରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ବିଷୟରେ ଶ୍ରୀ ଧଳ ସବିଶେଷ ଆଲୋଚନା କରିଥିଲେ । ଆଦର୍ଶ ଆଚରଣ ବିଧି, ଏମ୍‌ସିଏମ୍‌ସି, ଜବତ ବ୍ୟବସ୍ଥା, ପ୍ରବର୍ତ୍ତନ ସଂସ୍ଥା, ଏଫ୍‌ଏସ୍‌ଟି, ଏସ୍‌ଏସ୍‌ଟି, ବୋର୍ଡର ଚେକ୍‌ ପୋଷ୍ଟ, ଡିସ୍‌ପର୍‌ସାଲ୍‌ ବ୍ୟବସ୍ଥା, ସାଇଲେନ୍ସ ପିରିୟଡ଼୍‌ ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା ।

ପ୍ରବଳ ରୌଦ୍ରତାପ ମଧ୍ୟରେ ନିର୍ବାଚନ ପରିଚାଳନାର ଆହ୍ୱାନ ବିଷୟରେ ଆଲୋଚନା କରି ଶ୍ରୀ ଧଳ ବୁଥ୍‌ସ୍ତରରେ ତା’ର ମୁକାବିଲା ପାଇଁ କରାଯାଉଥିବା ବ୍ୟବସ୍ଥା ଯଥା-ପାନୀୟ ଜଳ, ଛାଇ ବ୍ୟବସ୍ଥା, ଓଆର୍‌ଏସ୍‌ ପାଉଡ଼ର, ଅଂଶୁଘାତ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା, ସ୍ୱାସ୍ଥ୍ୟକର୍ମୀ, ଭ୍ରାମ୍ୟମାଣ ହେଲଥ୍‌ ୟୁନିଟ୍‌ ଆଦି ବିଷୟରେ ସୂଚିତ କରିଥିଲେ । ଏହି ସମସ୍ତ ଆଲୋଚନା ପରେ ଭାରତୀୟ ପୋଲିସ ସେବାର ଶିକ୍ଷାନବିସ ଅଧିକାରୀମାନେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ । ଏହି ଅବସରରେ ସେଠାରେ ହୋମ୍‌ ଭୋଟିଙ୍ଗ୍‌, ମତଦାତା ସଚେତନତା ସମ୍ବନ୍ଧୀୟ ବିଭିନ୍ନ ଭିଡିଓ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା ।

ଏହି ସଭାରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ଏନ୍‌. ତିରୁମାଲା ନାୟକ, ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶିକା ଶ୍ରୀମତୀ ସାଏନି ଏସ୍‌, ଜାତୀୟ ପୋଲିସ ଏକାଡେମୀର ଉପନିର୍ଦ୍ଦେଶକ ଶ୍ରୀ ଅଜିତ ପ୍ରତାପ ସିଂ ଓ ଅନ୍ୟତମ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶତ୍ରୁଘ୍ନ କର ଉପସ୍ଥିତ ରହି ଶିକ୍ଷାନବିସ ପୋଲିସ ଅଧିକାରୀମାନଙ୍କୁ ଉତ୍ସାହିତ କରିଥିଲେ ।