Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜାତୀୟ ବାୟୋଏନର୍ଜୀ ପ୍ରୋଗ୍ରାମରେ ଓଡ଼ିଶାରେ ୯୬୦ ଛୋଟ ବାୟୋଗ୍ୟାସ୍ ପ୍ଲାଣ୍ଟ୍‌

ଭୁବନେଶ୍ଵର: ନୂତନ ଓ ନବୀକରଣ ଯୋଗ୍ୟ ଶକ୍ତି ଏବଂ ଶକ୍ତି ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ୧.୦୪.୨୦୨୧ରୁ ୩୧.୦୩.୨୦୨୬ ଅବଧି ପାଇଁ ୨୦୨୨ ନଭେମ୍ବରରେ ଜାତୀୟ ବାୟୋଏନର୍ଜୀ ପ୍ରୋଗ୍ରାମ (ଏନବିପି)କୁ ଅଧିସୂଚନା ଜାରି କରିଛି। ୧,୭୧୫ କୋଟି ଟଙ୍କାର ବଜେଟ ସହିତ ଏହି ପ୍ରୋଗ୍ରାମ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ। ପ୍ରଥମ ପର୍ଯ୍ୟାୟରେ ୮୫୮ କୋଟି ଟଙ୍କାର ବଜେଟ ରହିଛି। ବାୟୋଏନର୍ଜୀ ପ୍ଲାଟ୍ ସ୍ଥାପନ ପାଇଁ ଏହି କାର୍ଯ୍ୟକ୍ରମ କେନ୍ଦ୍ରୀୟ ଆର୍ଥିକ ସହାୟତା (ସିଏଫଏ) ପ୍ରଦାନ କରେ।

୩୧.୦୭.୨୦୨୩ ସୁଦ୍ଧା ୬ଟି ବାୟୋସିଏନଜି ପ୍ଲାଣ୍ଟ ଏବଂ ୧୧,୧୪୩ ଛୋଟ ବାୟୋଗ୍ୟାସ୍ ପ୍ଲାଣ୍ଟକୁ କାର୍ଯ୍ୟକ୍ଷମ କରାଯାଇଛି, ଯାହା ପାଇଁ ଏନବିପି ମାର୍ଗଦର୍ଶିକା ଅଧୀନରେ ୦୨.୧୧.୨୦୨୨ରେ ମଞ୍ଜୁରି ନିମନ୍ତେ ଅଧିସୂଚନା ଜାରି ହୋଇଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଏହି ପ୍ଲାଣ୍ଟ ବାବଦ ବିବରଣୀ ନିମ୍ନରେ ଦିଆଯାଇଛି।

କ୍ରମିକ ସଂଖ୍ୟା ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳ ଏନବିପି ଗାଇଡଲାଇନ ଅନୁସାରେ ୨.୧୧.୨୦୨୨ରେ ଜାରି ହୋଇଥିବା ଅଧିସୂଚନା ଅନୁସାରେ କାର୍ଯ୍ୟକ୍ଷମ ଏବଂ ମଞ୍ଜୁରି ପାଇଥିବା ପ୍ଲାଣ୍ଟ୍ ସଂଖ୍ୟା

ଛୋଟ ବାୟୋଗ୍ୟାସ୍ ପ୍ଲାଣ୍ଟ ସଂଖ୍ୟା ବାୟୋସିଏନଜି ପ୍ଲାଣ୍ଟ ସଂଖ୍ୟା

୧. ଆନ୍ଧ୍ର ପ୍ରଦେଶ ୩୦ ୦

୨. ବିହାର ୯ ୦

୩. ଛତିଶଗଡ଼ ୧୧୮ ୦

୪. ଗୋଆ ୧୧ ୦

୫. ଗୁଜରାଟ ୨୨୪ ୦

୬. ହରିୟାଣା ୪୩ ୦

୭. କର୍ଣ୍ଣାଟକ ୨୪୮୮ ୦

୮. କେରଳ ୬୮୩ ୦

୯. ମଧ୍ୟପ୍ରଦେଶ ୨୦୮୩ ୦

୧୦. ମହାରାଷ୍ଟ୍ର ୪୧୬୭ ୩

୧୧. ଓଡ଼ିଶା ୯୬ ୦

୧୨. ପଞ୍ଜାବ ୮୩୫ ୧

୧୩. ରାଜସ୍ଥାନ ୨୦ ୦

୧୪. ତାମିଲନାଡ଼ୁ ୪୬ ୧

୧୫.ଉତ୍ତରପ୍ରଦେଶ ୧୨୬ ୧

୧୬. ଉତ୍ତରାଖଣ୍ଡ ୧୬୪ ୦

ମୋଟ ୧୧୧୪୩ ୬

ଜାତୀୟ ଜୈବଶକ୍ତି କାର୍ଯ୍ୟକ୍ରମ, ଶକ୍ତି ଉତ୍ପାଦନ ପାଇଁ ବାୟୋମାସର ଉପଯୋଗକୁ ପ୍ରୋତ୍ସାହିତ କରେ, ଯେପରିକି ଅତିରିକ୍ତ କୃଷି ଅବଶିଷ୍ଟାଂଶ, କୃଷିଭିତ୍ତିକ ଶିଳ୍ପ ଅବଶିଷ୍ଟାଂଶ, କାଠ ଶିଳ୍ପ ଆବର୍ଜନା, ଜଙ୍ଗଲ ଆବର୍ଜନା, ଏନର୍ଜୀ ପ୍ଲାଣ୍ଟେସନ ଆବର୍ଜନା ଆଦି ଏବଂ ଏଥିଯୋଗୁ ଜଙ୍ଗଲ ନଷ୍ଟର ଆଶଙ୍କା କମିଥାଏ ।

ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ୨୦୨୩ ଅଗଷ୍ଟ ୧୦ରେ କେନ୍ଦ୍ର ନୂତନ ତଥା ନବୀକରଣ ଯୋଗ୍ୟ ଶକ୍ତି ଏବଂ ଶକ୍ତି ମନ୍ତ୍ରୀ ଆର.କେ ସିଂ ଏହି ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

‘କଞ୍ଚା ଲଙ୍କା ସିନେମା ହଲ୍’ ର ଶୁଭାରମ୍ଭ: ପ୍ରଥମ ଥର ପାଇଁ ମୁକ୍ତିଲାଭ କଲା ବହୁ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଟି’

ଭୁବନେଶ୍ଵର: ଓଡ଼ିଶାର ଅଗ୍ରଣୀ ଓଟିଟି ପ୍ଲାଟଫର୍ମ ‘କଞ୍ଚା ଲଙ୍କା’ ପାରମ୍ପରିକ ସିନେମା ହଲ୍ ରୁ ଆଉ ପାଦେ ଆଗେଇ ନିଜର ନୂଆ ଟି.ଭି.ଓ.ଡି. ସର୍ଭିସ୍ ‘କଞ୍ଚା ଲଙ୍କା ସିନେମା ହଲ୍’ କୁ ସିନେମା ଦୁନିଆରେ ଉପସ୍ଥାପନ କରିଛି।

ଓଡ଼ିଶାର ଚଳଚ୍ଚିତ୍ର ନିର୍ମାତା ପାରମ୍ପରିକ ସିନେମା ହଲ୍ ସହ କଞ୍ଚା ‘ଲଙ୍କା ସିନେମା ହଲ୍’ ରେ ନିଜ ଫିଲ୍ମ ରିଲିଜ୍ କରିପାରିବେ। କେବଳ ଓଡ଼ିଶାରୁ ନୁହେଁ ଦେଶ ବିଦେଶରୁ ଦର୍ଶକ କଞ୍ଚା ଲଙ୍କାରେ ଶୋ ବୁକ୍ କରି ଓଡ଼ିଆ ସିନେମା ଦେଖିପାରିବେ। ଏଥିରୁ ଅର୍ଜିତ ଆୟ (ଟିକସ,ଗେଟୱେ ଚାର୍ଜ ଓ ପ୍ଲେ ଷ୍ଟୋର୍ ଚାର୍ଜକୁ ବାଦ ଦେଲା ପରେ) ରେ ‘କଞ୍ଚା ଲଙ୍କା’ ଓ ଫିଲ୍ମ ନିର୍ମାତା ସମାନ ଭାଗୀଦାର ରହିବେ। ସମସ୍ତ ବ୍ୟବସାୟ ସ୍ବଚ୍ଛ ଢଙ୍ଗରେ ହେବ ଓ ନିର୍ମାତା ୩ ଦିନ ଭିତରେ ନିଜ ଆୟ ନେଇପାରିବେ ବୋଲି ‘କଞ୍ଚା ଲଙ୍କା’ କର୍ତ୍ତୃପକ୍ଷ ଜଣାଇଛନ୍ତି।

‘କଞ୍ଚା ଲଙ୍କା ସିନେମା ହଲ୍’ ର ଶୁଭାରମ୍ଭ କରି ଆମେ ବହୁତ ଖୁସି। ଏହା ଓଡ଼ିଆ ଚଳଚ୍ଚିତ୍ରକୁ ଓଡ଼ିଶା, ଦେଶ ତଥା ବିଦେଶରେ ଦର୍ଶକଙ୍କ ପାଖରେ ପହଞ୍ଚାଇ ପାରିବ ଏବଂ ସିଧାସଳଖ ଦର୍ଶକଙ୍କ ଠାରୁ ଫିଲ୍ମ ନିର୍ମାତା ମାନେ ଅଧିକ ଆଯ ଉପାର୍ଜନ କରି ପାରିବେ। ପାରମ୍ପରିକ ବିତରଣ ମଡେଲଗୁଡିକର ଅସୁବିଧା ତଥା ଥିଏଟର୍ ର ଅଭାବ ଟି.ଭି.ଓ.ଡ଼ି. ମାଧ୍ୟମରେ ସମାଧାନ ହୋଇପାରିବ ବୋଲି ‘କଞ୍ଚା ଲଙ୍କା’ର କୋ-ଫାଉଣ୍ଡର ତଥା ଚେୟାରମ୍ୟାନ୍ ଅକ୍ଷୟ କୁମାର ପରିଜା କହିଛନ୍ତି।

‘କଞ୍ଚା ଲଙ୍କା’ ଓଟିଟି ପ୍ଲାଟଫର୍ମ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ ଏହି ଡିଜିଟାଲ ମିଶନ୍ ରେ ଯୋଗ ଦେଇ ଓଡ଼ିଆ ଚଳଚ୍ଚିତ୍ରକୁ ଅଗଣିତ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ବାନ କରିଛନ୍ତି। ସାରା ଭାରତ ତଥା ଦେଶ ବିଦେଶରେ ଥିବା ଓଡ଼ିଆ ଦର୍ଶକ ଏବଂ ରୋଜଗାରକୁ ବଢାଇବା ପାଇଁ ଏହା ଏକ ସୁଯୋଗ।

‘କଞ୍ଚା ଲଙ୍କା’ ସିନେମା ହଲ୍ ୱେବସାଇଟ୍, ମୋବାଇଲ୍ ଆପ୍(ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍), ଆଣ୍ଡ୍ରଏଡ୍ ଟିଭି, ଫାୟାର ଟିଭି, ଆପଲ୍ ଟିଭି ସହ ଭାରତ ଏବଂ ଅନ୍ୟାନ୍ୟ ୧୬ଟି ଦେଶରେ ଉପଲବ୍ଧ। ଆପ୍ ଭିତରେ ବିଜ୍ଞପ୍ତି (ପ୍ରାୟ ୧୦ ଲକ୍ଷ ଆପ୍ ଇନଷ୍ଟଲ୍), ୟୁ ଟ୍ୟୁବ୍ ପୋଷ୍ଟ (୧ ଲକ୍ଷରୁ ଉର୍ଦ୍ଧ୍ବ ସବସ୍କ୍ରାଇବର୍), ଫେସ୍ ବୁକ୍ ପୋଷ୍ଟ (ପ୍ରାୟ ୫୦ ହଜାର ଫଲୋଅର), ଟ୍ୱିଟର୍, ଇନଷ୍ଟାଗ୍ରାମ୍ ଏବଂ ଅନ୍ୟାନ୍ୟ ମାଧ୍ୟମରେ ‘କଞ୍ଚା ଲଙ୍କା’ ଫିଲ୍ମକୁ ମାର୍କେଟିଂ ସହାୟତା ପ୍ରଦାନ କରିବ। ଫିଲ୍ମ ନିର୍ମାତାମାନେ ମଧ୍ୟ ମାର୍କେଟିଂ କରିବେ ଯାହା ଦ୍ବାରା ଅଧିକରୁ ଅଧିକ ଗ୍ରାହକ ଟି.ଭି.ଓ.ଡ଼ି. ବିଷୟରେ ଜାଣିପାରିବେ।

ଫିଲ୍ମ ରିଲିଜ୍ ସମୟରେ ଏହି ସର୍ଭିସ ପାଇଁ ଓଡ଼ିଶାର ଅନେକ ଚଳଚ୍ଚିତ୍ର ନିର୍ମାତାଙ୍କ ସହ ‘କଞ୍ଚା ଲଙ୍କା’ କର୍ତ୍ତୃପକ୍ଷ ଏହି ବ୍ୟବସାୟ ମଡେଲ ବିଷୟରେ ଆଲୋଚନା କରିଛନ୍ତି ଏବଂ ସୂଚନା ଦେଇଛନ୍ତି ଯେ ଅନେକ ଚଳଚ୍ଚିତ୍ର ନିର୍ମାତା ‘କଞ୍ଚା ଲଙ୍କା ସିନେମା ହଲ୍’ ରେ ନିଜ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ରାଜି ହୋଇଛନ୍ତି।

ଦର୍ଶକଙ୍କ ମତାମତ ନେଇ ‘କଞ୍ଚା ଲଙ୍କା ସିନେମା ହଲ୍’ କୁ ସମ୍ପୂର୍ଣ୍ଣ ରୂପେ ଯାନ୍ତ୍ରିକ ତ୍ରୁଟିମୁକ୍ତ କରାଯାଇଛି ଏବଂ ‘ଟି’ ଚଳଚ୍ଚିତ୍ରକୁ ୧୧ ଅଗଷ୍ଟ ୨୦୨୩ ଠାରୁ ପୁନଃ ପ୍ରସାରଣ କରାଯାଇଛି। କଞ୍ଚା ଲଙ୍କା ସିନେମା ହଲ୍ ମାଧ୍ୟମରେ ଏହି ଚଳଚ୍ଚିତ୍ର ବହୁ ଦର୍ଶକଙ୍କ ପାଖରେ ପହଁଚିପାରିବ ତଥା ଏହା ଏକ ସଫଳ ବ୍ଯବସାୟିକ ଚଳଚ୍ଚିତ୍ର ହେବ ବୋଲି ପ୍ରଯୋଜକ ଓ ନିର୍ଦ୍ଦେଶକ ଜିତେଶ କୁମାର ଆଶା ପ୍ରକଟ କରିଛନ୍ତି ଏବଂ କଞ୍ଚା ଲଙ୍କା ଓଟିଟି ପ୍ଲାଟଫର୍ମ କୁ ଧନ୍ୟବାଦ ଦେଇଛନ୍ତି।

‘କଞ୍ଚା ଲଙ୍କା ସିନେମା ହଲ୍’ ରେ ପ୍ରଥମ ଥର ପାଇଁ ବହୁ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଟି’ ମୁକ୍ତିଲାଭ କରିଛି। ଜିତେଶ କୁମାର ପରିଡାଙ୍କ ଦ୍ୱାରା ନିର୍ମିତ ଓ ନିର୍ଦ୍ଦେଶିତ ‘ଟି’ ଟ୍ରାନ୍ସଜେଣ୍ଡରଙ୍କ ଜୀବନ ସଂଗ୍ରାମର କାହାଣୀ। ଏହି ଚଳଚ୍ଚିତ୍ରରେ ଟ୍ରାନ୍ସଜେଣ୍ଡରଙ୍କ ଜୀବନ ପଛର ଦୁଃଖ ଏବଂ ସଂଘର୍ଷ ଖୁବ ସୁନ୍ଦର ଭାବରେ ଦର୍ଶାଯାଇଛି। ଏହି କାହାଣୀ ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର୍ କ୍ୟାବ୍ ଡ୍ରାଇଭର୍ ଶ୍ରୀମତୀ ମେଘନା ସାହୁଙ୍କ ଜୀବନୀ ଉପରେ ଆଧାରିତ।

ଏହା ଉପରେ ଅଧିକ ସୂଚନା ଦେଇ ‘ଟି’ ନିର୍ଦ୍ଦେଶକ ଜିତେଶ କୁମାର ପରିଡ଼ା କହିଛନ୍ତି ଯେ, ‘ଓଡିଶାରେ ଏହି ମହତ୍ତ୍ୱପୂର୍ଣ୍ଣ ଡିଜିଟାଲ୍ ମିଶନ୍ ରେ ଅଂଶ ଗ୍ରହଣ କରି ମୁଁ ବହୁତ ଖୁସି। ମୁଁ ଆଶା କରୁଛି ଯେ ଅଧିକରୁ ଅଧିକ ଚଳଚ୍ଚିତ୍ର ନିର୍ମାତା ଏହି ମିଶନରେ ଯୋଗଦେବେ ଯାହା କେବଳ ଓଡିଶାର ସିନେମା ହଲ୍ ଅଭାବର ସମସ୍ୟାର ସମାଧାନ ପାଇଁ ଏକ ନିର୍ଦ୍ଦିଷ୍ଟ ପଦକ୍ଷେପ ନୁହେଁ ବରଂ ଆମକୁ ଓଡ଼ିଆ ସଂସ୍କୃତିକୁ ଚଳଚ୍ଚିତ୍ର ମାଧ୍ୟମରେ ଦେଶ ବିଦେଶରେ ପହଞ୍ଚାଇବାରେ ସାହାଯ୍ୟ କରିବ’।

ଦର୍ଶକଙ୍କ ପ୍ରଶଂସା ସାଉଁଟିଥିବା ଆଉ ଏକ ଚଳଚ୍ଚିତ୍ର ‘ଡେଲିଭରି ବଏ’ ‘କଞ୍ଚା ଲଙ୍କା ସିନେମା ହଲ୍’ ରେ ରିଲିଜ୍ ହେବାକୁ ଯାଉଛି। ଏହା ଜ୍ୟୋତିରଞ୍ଜନ ମହାନ୍ତିଙ୍କ ଦ୍ବାରା ପ୍ରଯୋଜିତ ଓ ଅଶ୍ଵିନୀ ତ୍ରିପାଠୀଙ୍କ ଦ୍ବାରା ନିର୍ଦ୍ଦେଶିତ। ବୁଦ୍ଧାଦିତ୍ୟ, ଶୈଳେନ୍ଦ୍ର ଓ ସୁର୍ୟମୟୀଙ୍କ ଦ୍ବାରା ନିଖୁଣ ଭାବେ ଉପସ୍ଥାପନା କରାଯାଇଥିବା ଏହି ଚଳଚ୍ଚିତ୍ର ଜଣେ ତରୁଣ ଯିଏ ନିଜ ପେଟ ପାଟଣା ପାଇଁ ଓ ଆମ ଜୀବନ ଶୈଳୀକୁ ଆଉ ଟିକେ ସହଜ କରିବା ପାଇଁ କେଉଁ କେଉଁ ପରିସ୍ଥିତି ଦେଇ ଗତି କରିଥାଏ ତାହା ଉପରେ ଆଧାରିତ। ଓଡ଼ିଶା ସରକାରଙ୍କ ଠାରୁ ପ୍ରଶଂସା ପାଇଥିବା ଏହି ଚଳଚ୍ଚିତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଓଡ଼ିଶାରେ ସମ୍ପୂର୍ଣ ଟିକସ ମୁକ୍ତ। ଯାହା ଦ୍ବାରା ସଡ଼କ ଦୁର୍ଘଟଣା ଏବଂ ଓଡ଼ିଶା ପର୍ଯ୍ୟଟନ ଶିଳ୍ପକୁ ନେଇ ସଚେତନତା ସୃଷ୍ଟି କରିବ।

ଖୁବ୍ ଶୀଘ୍ର ‘କଞ୍ଚା ଲଙ୍କା ସିନେମା ହଲ୍’ ରେ ‘ଡେଲିଭରି ବଏ’ ଚଳଚ୍ଚିତ୍ରର ରିଲିଜ୍ ହେବାକୁ ନେଇ ମୁଁ ବହୁତ ଖୁସି ଏବଂ ଏହା ବିଶ୍ବର କୋଣ ଅନୁକୋଣରେ ଥିବା ଓଡ଼ିଆଙ୍କ ପାଖରେ ପହଞ୍ଚିପାରିବ ବୋଲି ପ୍ରଯୋଜକ ଜ୍ୟୋତିରଞ୍ଜନ ମହାନ୍ତି କହିଛନ୍ତି। ସମାଜର ଗୁରୁତ୍ବପୂର୍ଣ୍ଣ ଘଟଣାକୁ ଲୋକଲୋଚନରେ ପହଞ୍ଚାଇବା ପାଇଁ ଆମେ ସମ୍ପୂର୍ଣ୍ଣ ଚେଷ୍ଟିତ ଏବଂ ଏହା ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା କରୁଛୁ।

Categories
ଆଜିର ଖବର ଜାତୀୟ ଖବର

୨୦୨୨ – ୨୩ରେ ଓଡିଶାରେ ଦୁଇଟି ଇକୋ – ପାର୍କ ସ୍ଥାପନ କରିଛି ଏମ୍‌ସିଏଲ୍

ନୂଆଦିଲ୍ଲୀ: କୋଇଲା / ଲିଗ୍‌ନାଇଟ୍ ପିଏସ୍‌ୟୁଗୁଡ଼ିକ ଗତ ୫ ବର୍ଷ ମଧ୍ୟରେ ୧୫ଟି ଇକୋ- ପାର୍କ ସ୍ଥାପନ କରିଛନ୍ତି । ଇକୋ ପାର୍କ ପାଇଁ ସରକାର କୌଣସି ପାଣ୍ଠି ଆବଣ୍ଟନ କରି ନାହାନ୍ତି। ଇକୋ- ପାର୍କର ପ୍ରତିଷ୍ଠା, ରକ୍ଷଣାବେକ୍ଷଣ ଏବଂ ଯତ୍ନ ବାବଦରେ ସମ୍ପୃକ୍ତ କୋଇଲା / ଲିଗ୍‌ନାଇଟ୍ ପିଏସ୍‌ୟୁ ଗୁଡ଼ିକ ଅର୍ଥ ଯୋଗାଉଛନ୍ତି।

୨୦୨୨-୨୩ରେ ଓଡ଼ିଶା ଏମସିଏଲ୍ ପକ୍ଷରୁ ଦୁଇଟି ଇକୋ ପାର୍କକୁ ସମ୍ପୂର୍ଣ୍ଣ କରାଯାଇଥିଲା। ଚନ୍ଦ୍ରଶେଖର ଆଜାଦ ଇକୋ ପାର୍କକୁ  ୩୮୭ ଦିନରେ ସମ୍ପୂର୍ଣ୍ଣ କରାଯାଇଥିବା ବେଳେ ସେଥି ପାଇଁ ୨୭୮ ଲକ୍ଷ ଟଙ୍କା ଆବଂଟିତ ହୋଇଥିଲା।  ଉତ୍କଳ ଉପବନ ଇକୋ – ପାର୍କ ପାଇଁ  ଏମସିଏଲ ୧୬୮ ଲକ୍ଷ ଟଙ୍କା ଆବଂଟିତ କରିଥିବା ବେଳେ ଏହାକୁ  ୨୭୦ ଦିନରେ ସମ୍ପୂର୍ଣ୍ଣ କରିଥିଲା।  ଆଗକୁ ୬୦୦ ଲକ୍ଷ ଟଙ୍କାର ଆନୁମାନିକ ପାଣ୍ଠି ସହିତ ଏମ୍‌ସିଏଲ୍ ଜଗନ୍ନାଥ ବାଟିକା ଇକୋ – ପାର୍କ ସ୍ଥାପନ କରିବା ପାଇଁ ସ୍ଥିର କରିଛି।

ଇକୋ- ପାର୍କ ଗୁଡ଼ିକର ରାଜ୍ୟଭିତ୍ତିକ ଏବଂ ବର୍ଷ ଅନୁଯାୟୀ ବିବରଣୀ, ସମ୍ପୂର୍ଣ୍ଣ ସମୟର ବିବରଣୀ, କୋଇଲା / ଲିଗ୍‌ନାଇଟ୍ ପିଏସ୍‌ୟୁଗୁଡ଼ିକ ଦ୍ୱାରା ଆବଣ୍ଟିତ ପାଣ୍ଠିର ପ୍ରାରମ୍ଭିକ ପରିମାଣ ଏବଂ ଆବଶ୍ୟକ ଅତିରିକ୍ତ ପାଣ୍ଠି ସଂଲଗ୍ନ ପତ୍ର -୧ରେ ପ୍ରଦାନ କରାଯାଇଛି।

କୋଇଲା/ ଲିଗ୍‌ନାଇଟ୍ ପିଏସ୍‌ୟୁଗୁଡ଼ିକ ଦ୍ୱାରା ନୂତନ ଇକୋ- ପାର୍କ ପାଇଁ ଆନୁମାନିକ ପାଣ୍ଠିର ବିବରଣୀ ସଂଲଗ୍ନ ପତ୍ର -୨ରେ ପ୍ରଦାନ କରାଯାଇଛି।

ନିକଟସ୍ଥ ଅଞ୍ଚଳର ମନୋରଞ୍ଜନ ଉଦ୍ଦେଶ୍ୟରେ କୋଇଲା/ ଲିଗ୍‌ନାଇଟ୍ ପିଏସ୍‌ୟୁଗୁଡ଼ିକ ଦ୍ୱାରା ଇକୋ-ପାର୍କ ବିକଶିତ କରା ଯାଇଥିଲା ଏବଂ ଏହି ଇକୋ – ପାର୍କରୁ ଆୟ ହୋଇଥିବା କୌଣସି ରାଜସ୍ୱ ଖଣି ଅଞ୍ଚଳର ବିକାଶରେ ଖର୍ଚ୍ଚ କରାଯାଏ ନାହିଁ। ତେବେ ଖଣି ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ଛତିଶଗଡ଼ର ଏସଇସିଏଲର କେନାପଡ଼ା ଇକୋ ପାର୍କ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଓ ରକ୍ଷଣାବେକ୍ଷଣ କରାଯାଏ। ଏହି ସ୍ୱୟଂ ସହାୟକ ଗୋଷ୍ଠୀମାନେ ସେମାନଙ୍କ ଜୀବିକା ପାଇଁ କେନାପଡ଼ା ଇକୋ ପାର୍କର ଭାସମାନ ରେଷ୍ଟୁରାଣ୍ଟ,  ମତ୍ସ୍ୟ ଚାଷ  ଓ ବୋଟିଂ ସୁବିଧାରୁ ମଧ୍ୟ ଅର୍ଥ ରୋଜଗାର କରୁଛନ୍ତି।

କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବୁଧବାର ଦିନ ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାରେ ମେରୀ ମାଟି ମେରା ଦେଶ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାରେ ମେରୀ ମାଟି ମେରା ଦେଶ ଅଭିଯାନ ଆରମ୍ଭ ହୋଇଛି। ଏହା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ନେହରୁ ଯୁବ କେନ୍ଦ୍ର ସହଯୋଗରେ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଓଡିଶାରେ ସଂସ୍କୃତି ବିଭାଗର ନିର୍ଦ୍ଦେଶ କ୍ରମେ ସମଗ୍ର ରାଜ୍ୟର ପଞ୍ଚାୟତ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଯେଉଁଥିରେ ଓଡ଼ିଶାର କ୍ରୀଡ଼ା ଏବଂ ଯୁବ ସେବା ବିଭାଗ, ନେହରୁ ଯୁବ କେନ୍ଦ୍ର ସଂଗଠନ ଏବଂ ଜାତୀୟ ସେବା ଯୋଜନା ଆଦି ବିଭାଗ ଓ ସଂଗଠନ ସହଯୋଗ କରୁଛନ୍ତି। ଅଗଷ୍ଟ ୯ ତାରିଖରେ କାର୍ଯ୍ୟକ୍ରମ ଉଦ୍‌ଘାଟନ ପାଇଁ ସମସ୍ତ ଜିଲ୍ଲା ପୂର୍ବରୁ ଯୋଜନା ପ୍ରସ୍ତୁତ ହୋଇସାରିଛି। ଅଗଷ୍ଟ ୯ ତାରିଖରେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବାର ଏକ ଅର୍ଥ ହେଉଛି ଭାରତ ଛାଡ଼ ଆନ୍ଦୋଳନରେ ଆମର ସ୍ଵାଧୀନତା ସଂଗ୍ରାମୀଙ୍କ ଦ୍ୱାରା ଦିଆଯାଇଥିବା ବଳିଦାନକୁ ମନେ ରଖିବା ଏବଂ “ଭାରତ ଛାଡ” ଆନ୍ଦୋଳନର ୮୧ ବର୍ଷ ପୂର୍ତ୍ତି ପାଳନ କରିବା।

ଓଡିଶା ସରକାର ସମସ୍ତ ଜିଲ୍ଲା ପ୍ରଶାସନ ଅଧୀନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ଏବଂ ୧୫ ଅଗଷ୍ଟ ସୁଦ୍ଧା ସମସ୍ତ ୬୮୪୬ଟି ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ସମାପ୍ତ କରାଯିବ। ଅଭିଯାନର କାର୍ଯ୍ୟସୂଚୀ ଅନୁଯାୟୀ, ୯ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ପଞ୍ଚାୟତ ସ୍ତରରେ, ୧୬ରୁ ୨୦ ଅଗଷ୍ଟ ପର୍ଯ୍ୟନ୍ତ ବଡ଼ ପୌରାଞ୍ଚଳ ଓ ମହାନଗର ସ୍ତରରେ ଏବଂ ୧୬ରୁ ୨୫ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଶେଷରେ ୨୭ ଏବଂ ୨୮ ଅଗଷ୍ଟରେ ଦିଲ୍ଲୀରେ ଯୁବ ପ୍ରତିନିଧିମାନେ ଏକତ୍ରିତ ହେବେ ଏବଂ ୨୯ ଓ ୩୦ ଅଗଷ୍ଟରେ କର୍ତ୍ତବ୍ୟପଥରେ ସମାପନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ପଞ୍ଚ ପ୍ରାଣ ପ୍ରତିଶ୍ରୁତି, ବସୁଧା ବନ୍ଦନ, ବୀରଙ୍କୁ ବନ୍ଦନ, ଜାତୀୟ ପତାକା ଉତ୍ତୋଳନ ଏବଂ ରାଷ୍ଟ୍ରଗାନ ଆୟୋଜନ କରାଯିବ। ନୂଆଦିଲ୍ଲୀରେ “ଅମୃତ ବାଟିକା” ସୃଷ୍ଟି କରାଯିବାର ଲକ୍ଷ୍ୟ ରଖି ଦେଶର ପ୍ରତ୍ୟେକ ପଞ୍ଚାୟତରୁ କଳସରେ ମାଟି ସଂଗ୍ରହ କରାଯିବ। ଉକ୍ତ କଳସକୁ ଅମୃତ ବାଟିକାରେ ସ୍ଥାପନ କରାଯିବ। ପଞ୍ଚାୟତ ସ୍ତରରେ ୭୫ଟି ଚାରା ରୋପଣ କରାଯିବ ଯାହାକି ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିର ସ୍ମୃତିଚାରଣ କରିବ। ଏହାଛଡ଼ା ଦେଶବାସୀଙ୍କ ସେବାରେ ବଳିଦାନ ଦେଇଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ଏବଂ ବିଭିନ୍ନ ସଶସ୍ତ୍ର ବାହିନୀର ଶହୀଦମାନଙ୍କ ପରିବାରକୁ ସମ୍ମାନିତ କରାଯିବ।

ଓଡିଶାର ବିଭିନ୍ନ ଯୁବ ସଂଗଠନ, ଆମର ଜାତୀୟ ଯୁବ ସ୍ୱେଚ୍ଛାସେବୀ ଏବଂ ଯୁବ ନେତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନେହରୁ ଯୁବା କେନ୍ଦ୍ର ଓ ଏନଏସଏ ସ୍ୱେଚ୍ଛାସେବୀ ସେଲଫି ନେବା ସହିତ ପ୍ରୋଗ୍ରାମର ଭିଡିଓ ସୁଟ୍ କରିପାରିବେ। ଉକ୍ତ ଭିଡିଓକୁ ୱେବସାଇଟ୍ www.merimaatimeradesh.gov.in ରେ ଅପଲୋଡ୍ କରିପାରିବେ, ଯାହାକୁ ସମସ୍ତେ ଦେଖିପାରିବେ। ସେମାନେ “#merimaatimeradesh” ଏବଂ “#veeronkavandan” ହ୍ୟାଶଟ୍ୟାଗ୍ ସହିତ ସୋଶାଲ୍ ମିଡିଆ ଆକାଉଣ୍ଟରେ ପ୍ରୋଗ୍ରାମର ଫଟୋଗ୍ରାଫ୍ ଏବଂ ଭିଡିଓ ପୋଷ୍ଟ ମଧ୍ୟ କରିପାରିବ।

ସୂଚନାଯୋଗ୍ୟ ୩୦ ଜୁଲାଇ ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ”ର ୧୦୩ତମ ସଂସ୍କରଣରେ “ମେରୀ ମାଟି ମେରା ଦେଶ” କାର୍ଯ୍ୟକ୍ରମକୁ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମ ୯ ଅଗଷ୍ଟରୁ ୩୦ ଅଗଷ୍ଟ ମଧ୍ୟରେ ସମଗ୍ର ଭାରତରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। “ମେରୀ ମାଟି ମେରା ଦେଶ”ର ମୁଖ୍ୟ ଉପାଦାନ ହେଉଛି “ମାଟିକୁ ପ୍ରଣାମ, ବୀରଙ୍କୁ ବନ୍ଦନ”। ଏହି କାର୍ଯ୍ୟକ୍ରମ ପାଇଁ ଭାରତ ସରକାର ମଧ୍ୟ ଏକ ୱେବସାଇଟ୍ www.merimaatimeradesh.gov.in ଉତ୍ସର୍ଗୀକୃତ କରିଛନ୍ତି।

ଆଜିର ସାମ୍ବାଦିକ ସମ୍ମିଳନୀରେ ନେହରୁ ଯୁବ କେନ୍ଦ୍ରର ଉପ ନିର୍ଦ୍ଦେଶକ ବିମଳ ପାଟ୍ରିକ ଶାହା, ଆଞ୍ଚଳିକ ନିର୍ଦ୍ଦେଶକ ସରିତା ପଟେଲ, ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ସାରା‌ ଓଡିଶାରେ ମୁକ୍ତିଲାଭ କଲା ଓଡିଆ ଫିଲ୍ମ ‘ତୁ ସେଇ ନୀଳ ନୟନା’

ଭୁବନେଶ୍ଵର: ନୂଆ ଓଡିଆ ଫିଲ୍ମ ‘ତୁ ସେଇ ନୀଳ ନୟନା’ ଚଳଚ୍ଚିତ୍ର ଅଗଷ୍ଟ ୪ ରେ ୩୫ଟି ହଲ୍ ରେ ଶୁଭମୁକ୍ତି ହୋଇଛି। ବିନି ପଟ୍ଟନାୟକ ଫିଲ୍ମସ ନିଵେଦିତ ନୂଆ ଚଳଚ୍ଚିତ୍ର ନୀଳନୟନାର ପ୍ରଯୋଜକ ବିନି ପଟ୍ଟନାୟକ, ନିର୍ଦ୍ଦେଶକ ତ୍ରିପତୀ ସାହୁ, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ, ଗୀତିକାର ବସନ୍ତରାଜ ସାମଲ, ସଂଳାପକାର ଡ‍ଃ ରଜନୀ ରଞ୍ଜନ।

ଅଗଷ୍ଟ ୪ରେ ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ୍ ହେଲା ଭିନ୍ନ ଏକ ପ୍ରେମ କାହାଣୀ କୁ ନେଇ ଓଡିଆ ଫିଲ୍ମ ‘ତୁ ସେଇ ନୀଳ ନୟନା’। ଜୀବନରେ ପ୍ରେମର ରଙ୍ଗ ସବୁବେଳେ ସତେଜ ହୋଇ ରହିବା ଦରକାର ନହେଲେ ଜୀବନର ଅର୍ଥ ବଦଳି ଯାଏ। ଆଉ ଆପଣଙ୍କ ଜୀବନରେ ସେ ପ୍ରେମର ରଙ୍ଗ ବୋଳିବାକୁ ଆସୁଛି ‘ତୁ ସେଇ ନୀଳ ନୟନା’।

ଫିଲ୍ମରେ ଓଡିଆ ମନୋରଂଜନ ଜଗତର ଅଫେରା କିମ୍ବଦନ୍ତୀ କଳାକାର ପିଣ୍ଟୁ ନନ୍ଦଙ୍କୁ ଦେଖିବେ ଏକ ନୂଆ ଅବତାରରେ। ବିନି ପଟ୍ଟନାୟକ ପ୍ରଯୋଜିତ ଏହି ଫିଲ୍ମର ସହ ପ୍ରଯୋଜକ ହେଉଛନ୍ତି ମୋହିତ ପଟ୍ଟନାୟକ। ଫିଲ୍ମର ମୁଖ୍ୟ ଊପଦେଷ୍ଟା ତ୍ରିନାଥ ପଟ୍ଟନାୟକ ଓ ଆଶାଲତା ପଟ୍ଟନାୟକ ଥିବା ବେଳେ ଊପଦେଷ୍ଟା ଭାବରେ ମନସା ମୟୁରୀ, ବୃନ୍ଦାବନ ମିଶ୍ର, ସଞ୍ଜିତ ନାୟକ ଓ ମନୋଜ ସ୍ବାଇଁ ଅଛନ୍ତି ଓ ଏଥିରେ ବିଶେଷ ସହଯୋଗ କରିଛନ୍ତି ସଚ୍ଚିକାନ୍ତ ଜେନା।

ଦର୍ଶକଙ୍କୁ ନୂଆ ତଥା ଓଡିଆ ଛୁଙ୍କରେ ତିଆରି ପାରିବାରିକ ଫିଲ୍ମ ଦେବା ପାଇଁ ଆମେ ସମସ୍ତେ ଚେଷ୍ଟା କରିଛୁ। ଏକ ନିଆରା ଓ ଅଦ୍ଭୁତ କାହାଣୀ ଯାହାକୁ ନେଇ ନିର୍ମାଣ ହୋଇଛି ଫିଲ୍ମ “ତୁ ସେଇ ନୀଳନୟନା” ନିଶ୍ଚିତ ଭାବରେ ଓଡିଆ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଯୋର ଦେଇ କହିଛନ୍ତି ଫିଲ୍ମର ନିର୍ଦ୍ଦେଶକ ତ୍ରିପତୀ ସାହୁ। ଫିଲ୍ମର ଗୀତ ଲେଖିଛନ୍ତି ବସନ୍ତରାଜ ସାମଲ ଓ ଏହାକୁ ସଙ୍ଗୀତରେ ସଜାଇଛନ୍ତି ଓଡ଼ିଶାର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ଏବଂ ସ୍ବର ଦେଇଛନ୍ତି ହ୍ୟୁମାନ ସାଗର, ଦୀପ୍ତିରେଖା ପାଢୀ, ସ୍ୱୟଂ ପାଢୀ, ସୋହିନୀ ମିଶ୍ର, ଆଶୁତୋଷ ଓ ଅମ୍ରିତା ନାୟକ।

ପ୍ରେମ, ପ୍ରଣୟ ଓ ଭଲପାଇବାର ସ୍ପର୍ଶରେ ପଥର କିପରି କୋମଳ ଫୁଲରେ ପରିବର୍ତ୍ତନ ହୁଏ ତାହା ଏହି ଫିଲ୍ମରେ ଦର୍ଶକ ଦେଖିବେ ବୋଲି କହିଛନ୍ତି ଫିଲ୍ମର ପୁରା ଟିମ୍। ସ୍ବର୍ଗତଃ ପିଣ୍ଟୁ ନନ୍ଦଙ୍କ ବ୍ୟତୀତ ସମ୍ବିତ୍ ଆଚାର୍ଯ୍ୟ, ଲିପିକା ସେନାପତି, ପୃଥ୍ବୀରାଜ ନାୟକ, ପ୍ରତିଭା ପଣ୍ଡା, ଚୌଧୁରୀ ଜୟ ପ୍ରକାଶ ଦାସ, ବରଦା ତ୍ରିପାଠୀ, ନନସେନ୍ସ ମଣି, ଅମର ମହାପାତ୍ର, ଆଲିଶା, ଜ୍ୟୋତି ତ୍ରିପାଠୀ,ଜୀବନ ପଣ୍ଡା ଓ ଦେବଶ୍ରୀ ଏହି ଫିଲ୍ମରେ ଅଭିନୟ କରିଛନ୍ତି।

ଓଡ଼ିଶାର ଅଗଣିତ ଚଳଚ୍ଚିତ୍ର ପ୍ରେମୀ ମାନଙ୍କ ଚାହିଦା ପୂରଣ କରିବ ଫିଲ୍ମ ‘ତୁ ସେଇ ନୀଳ ନୟନା’ ବୋଲି ଚଳଚ୍ଚିତ୍ର ର ପ୍ରଚାର ଓ ପ୍ରସାର ଦାୟିତ୍ବ ରେ ଥିବା ମିଡ଼ିଆ ପ୍ଲାନର କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ସୂଚନା‌ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜୁଲାଇରେ 1,65,105 କୋଟିର ଜିଏସଟି ଆଦାୟ: ଓଡ଼ିଶାରେ 4245 କୋଟି ସଂଗ୍ରହ

ନୂଆଦିଲ୍ଲୀ: 2023 ଜୁଲାଇ ମାସରେ 1,65,105 କୋଟି ଟଙ୍କାର ସକଳ ବସ୍ତୁ ଓ ସେବା କର (ଜିଏସଟି) ରାଜସ୍ୱ ଆଦାୟ କରାଯାଇଛି। ଏଥିମଧ୍ୟରେ ସିଜିଏସଟି ପରିମାଣ 29,773 କୋଟି ଟଙ୍କା, ଏସଜିଏସଟି ପରିମାଣ 37,623 କୋଟି ଟଙ୍କା, ଆଇଜିଏସଟି ପରିମାଣ 85,930 କୋଟି ଟଙ୍କା (ବସ୍ତୁ ଆମଦାନୀରୁ ସଂଗୃହିତ 41,239 କୋଟି ଟଙ୍କା ସମେତ) ଏବଂ ସେସ୍‌ ପରିମାଣ 11,779 କୋଟି ଟଙ୍କା (ବସ୍ତୁ ଆମଦାନୀରୁ 840 କୋଟି ଟଙ୍କା ସମେତ) ରହିଛି।

ସରକାର ସିଜିଏସଟି ବାବଦରେ  39,785 କୋଟି ଟଙ୍କା ଏବଂ ଆଇଜିଏସଟିରୁ ଏସଜିଏସଟି ବାବଦରେ  33,188 ଟଙ୍କା ପରିଶୋଧ କରିଛନ୍ତି। ନିୟମିତ ପରିଶୋଧ ପରେ ଜୁଲାଇ 2023ରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିକଟରେ ମୋଟ୍‌ ରାଜସ୍ୱ ପରିମାଣ ସିଜିଏସଟି ବାବଦରେ 69,558 କୋଟି ଟଙ୍କା ଏବଂ ଏସଜିଏସଟି ବାବଦରେ 70,811 କୋଟି ଟଙ୍କା ରହିଛି।

ଚଳିତ ବର୍ଷ ଜୁଲାଇ ମାସରେ ଓଡ଼ିଶାରେ 4245 କୋଟି ଟଙ୍କାର ଜିଏସଟି ରାଜସ୍ୱ ଆଦାୟ କରାଯାଇଛି। ଏହା 2022 ଜୁଲାଇ ମାସରେ ସଂଗୃହିତ 3652 କୋଟି ଟଙ୍କାର ଜିଏସଟି ରାଜସ୍ୱ ତୁଳନାରେ 16 ପ୍ରତିଶତ ଅଧିକ।

ଜୁଲାଇ 2023ରେ ସଂଗୃହିତ ରାଜସ୍ୱ ଗତ ବର୍ଷର ସମାନ ମାସ ତୁଳନାରେ 11% ଅଧିକ ରହିଥିବା ଜଣାଯାଇଛି । ଚଳିତ ମାସରେ ଘରୋଇ କାରବାରରୁ ସଂଗୃହିତ ରାଜସ୍ୱ (ସେବା ଆମଦାନୀ ସମେତ) ଗତ ବର୍ଷର ସମାନ ମାସରେ ଏସବୁ ଉତ୍ସରୁ ସଂଗୃହିତ ରାଜସ୍ୱ ତୁଳନାରେ 15% ଅଧିକ ରହିଛି।  ଜିଏସଟି ପ୍ରଚଳନ ହେବା ପରେ ପଞ୍ଚମ ଥର ପାଇଁ ସକଳ ଜିଏସଟି ରାଜସ୍ୱ ସଂଗ୍ରହ 1 ଲକ୍ଷ 60 ହଜାର ଟଙ୍କା ଅତିକ୍ରମ କରିଛି।

ନିମ୍ନରେ ଦିଆଯାଇଥିବା ସାରଣୀରେ ଚଳିତ ବର୍ଷ ମାସିକ ଜିଏସଟି ରାଜସ୍ୱ ସଂଗ୍ରହର ଧାରା ପ୍ରଦର୍ଶିତ ହୋଇଛି। ପ୍ରଥମ ଟେବୁଲରେ ଜୁଲାଇ 2023ରେ ରାଜ୍ୟୱାରୀ ଜିଏସଟି ସଂଗ୍ରହ ପରିମାଣ ଉଲ୍ଲେଖ କରାଯାଇଥିବା ବେଳେ ଦ୍ୱିତୀୟ ଟେବୁଲରେ  ଜୁଲାଇ 2023 ମାସ ପାଇଁ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶକୁ ପ୍ରାପ୍ତ/ପରିଶୋଧ ହୋଇଥିବା ଆଇଜିଏସଟିର ଏସଜିଏସଟି ଓ ଏସଜିଏସଟି ଭାଗ ଦର୍ଶାଯାଇଛି।

ଜୁଲାଇ 2023ରେ ରାଜ୍ୟୱାରୀ ଜିଏସଟି ଆଦାୟ ପରିମାଣ (କୋଟି ଟଙ୍କାରେ)

ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ଜୁଲାଇ  22 ଜୁଲାଇ 23 ବୃଦ୍ଧି(%)
ଜାମ୍ମୁ କାଶ୍ମୀର 431 549 27
ହିମାଚଳ ପ୍ରଦେଶ 746 917 23
ପଞ୍ଜାବ 1733 2000 15
ଚଣ୍ଡିଗଡ଼ 176 217 23
ଉତ୍ତରାଖଣ୍ଡ 1390 1607 16
ହରିୟାଣା 6791 7953 17
ଦିଲ୍ଲୀ 4327 5405 25
ରାଜସ୍ଥାନ 3671 3988 9
ଉତ୍ତରପ୍ରଦେଶ 7074 8802 24
ବିହାର 1264 1488 18
ସିକ୍କିମ୍ 249 314 26
ଅରୁଣାଚଳ ପ୍ରଦେଶ 65 74 13
ନାଗାଲାଣ୍ଡ 42 43 3
ମଣିପୁର 45 42 -7
ମିଜୋରାମ 27 39 47
ତ୍ରିପୁରା 63 78 23
ମେଘାଳୟ 138 175 27
ଆସାମ 1040 1183 14
ପଶ୍ଚିମବଙ୍ଗ 4441 5128 15
ଝାଡଖଣ୍ଡ 2514 2859 14
ଓଡ଼ିଶା 3652 4245 16
ଛତିଶଗଡ 2695 2805 4
ମଧ୍ୟପ୍ରଦେଶ 2966 3325 12
ଗୁଜରାଟ 9183 9787 7
ଡାମନ୍ ଏବଂ ଡିୟୁ 313 354 13
ଦାଦ୍ରା ଏବଂ ନାଗର ହାଭେଳୀ
ମହାରାଷ୍ଟ୍ର 22129 26064 18
କର୍ଣ୍ଣାଟକ 9795 11505 17
ଗୋଆ 433 528 22
ଲକ୍ଷାଦୀପ 2 2 45
କେରଳ 2161 2381 10
ତାମିଲନାଡୁ 8449 10022 19
ପଣ୍ଡିଚେରୀ 198 216 9
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ 23 31 32
ତେଲଙ୍ଗାନା 4547 4849 7
ଆନ୍ଧ୍ରପ୍ରଦେଶ 3409 3593 5
ଲଦାଖ 20 23 13
ଅନ୍ୟାନ୍ୟ କ୍ଷେତ୍ର 216 226 4
କେନ୍ଦ୍ର ସରକାରଙ୍କ ଅଧିକାର କ୍ଷେତ୍ର 162 209 29
ସର୍ବମୋଟ 106580 123026 15

[1] ବସ୍ତୁ ଆମଦାନୀ ଉପରେ ଲାଗୁ ଜିଏସଟି ସାମିଲ ନାହିଁ

ଜୁଲାଇ 2023 ମାସ ପାଇଁ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶକୁ ପ୍ରାପ୍ତ/ପରିଶୋଧ ହୋଇଥିବା ଆଇଜିଏସଟିର ଏସଜିଏସଟି ଓ ଏସଜିଏସଟି ଭାଗ (କୋଟି ଟଙ୍କାରେ)

ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ଏସଜିଏସଟି ସଂଗ୍ରହ ଆଇଜିଏସଟିର ଏସଜିଏସଟି ଭାଗ ମୋଟ୍‌
ଜାମ୍ମୁ କାଶ୍ମୀର 234 429 663
ହିମାଚଳ ପ୍ରଦେଶ 233 285 518
ପଞ୍ଜାବ 727 1138 1865
ଚଣ୍ଡିଗଡ଼ 57 133 190
ଉତ୍ତରାଖଣ୍ଡ 415 210 625
ହରିୟାଣା 1610 1256 2866
ଦିଲ୍ଲୀ 1221 1606 2827
ରାଜସ୍ଥାନ 1380 1819 3199
ଉତ୍ତରପ୍ରଦେଶ 2751 3426 6176
ବିହାର 718 1469 2187
ସିକ୍କିମ୍ 30 53 83
ଅରୁଣାଚଳ ପ୍ରଦେଶ 37 113 150
ନାଗାଲାଣ୍ଡ 18 70 88
ମଣିପୁର 23 58 80
ମିଜୋରାମ | 22 57 79
ତ୍ରିପୁରା 40 86 125
ମେଘାଳୟ 50 99 149
ଆସାମ 451 696 1146
ପଶ୍ଚିମବଙ୍ଗ 1953 1531 3483
ଝାଡଖଣ୍ଡ 721 330 1051
ଓଡ଼ିଶା 1300 416 1716
ଛତିଶଗଡ 627 382 1009
ମଧ୍ୟପ୍ରଦେଶ 1045 1581 2626
ଗୁଜରାଟ 3293 1917 5210
ଦାଦ୍ରା ଏବଂ ନାଗର ହାଭେଳୀ ଏବଂ ଦାମନ ଏବଂ ଡିୟୁ 56 29 85
ମହାରାଷ୍ଟ୍ର 7958 4167 12124
କର୍ଣ୍ଣାଟକ 3181 2650 5831
ଗୋଆ 173 146 320
ଲାକ୍ଷାଦୀପ 2 13 14
କେରଳ 1093 1441 2534
ତାମିଲନାଡୁ 3300 2119 5419
ପଣ୍ଡିଚେରୀ 41 57 99
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ 11 25 37
ତେଲଙ୍ଗାନା 1623 1722 3345
ଆନ୍ଧ୍ରପ୍ରଦେଶ 1199 1556 2755
ଲଦାଖ 11 47 58
ଅନ୍ୟାନ୍ୟ କ୍ଷେତ୍ର 19 55 75
ସର୍ବମୋଟ 37623 33188 70811

 

Categories
ଆଜିର ଖବର ଜାତୀୟ ଖବର

ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅଧୀନରେ ଚଳିତ ବର୍ଷ ଜୁନ୍‌ ୩୦ ସୁଦ୍ଧା ଓଡ଼ିଶାକୁ ମିଳିଛି ୨୩,୧୨୦ କୋଟି

ଭୁବନେଶ୍ଵର: ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠି ଅଧୀନରେ ଚଳିତ ବର୍ଷ ଜୁନ୍‌ ୩୦ ତାରିଖ ସୁଦ୍ଧା ଓଡ଼ିଶାକୁ ୨୩,୧୨୦ କୋଟି ଟଙ୍କା ମିଳିଛି। ଏଥିମଧ୍ୟରୁ ୧୭,୭୫୫.୨୦ କୋଟି ଟଙ୍କା ପ୍ରମୁଖ ଖଣିଜ ଦ୍ରବ୍ୟରୁ ମିଳିଥିବା ବେଳେ କୋଇଲା ଓ ଲିଗନାଇଟରୁ ୫୨୩୭.୫୮ କୋଟି ଟଙ୍କା ମିଳିଛି। ସେହିପରି ଲଘୁ ଖଣିଜ ଦ୍ରବ୍ୟରୁ ୧୨୭.୨୧ କୋଟି ଟଙ୍କା ମିଳିଛି।

ଓଡ଼ିଶା ରାଜ୍ୟର ଡିଏମଏଫ ନିୟମ ଅନୁଯାୟୀ, ଅତିକମରେ ୬୦% ପାଣ୍ଠି ଉଚ୍ଚ ପ୍ରାଥମିକତା କ୍ଷେତ୍ରରେ ଖର୍ଚ୍ଚ ହୋଇଥାଏ ଏବଂ ୪୦% ପାଣ୍ଠି ଅନ୍ୟାନ୍ୟ ପ୍ରାଥମିକତା କାର୍ଯ୍ୟରେ ଖର୍ଚ୍ଚ କରାଯାଏ। ଓଡ଼ିଶାରେ, ବିଶେଷ କରି ମୟୂରଭଞ୍ଜ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା (ପିଏମକେକେକେୱାଇ) ଅଧୀନରେ ଉପଯୋଗ ହୋଇଥିବା ପାଣ୍ଠିର ବିବରଣୀ ନିମ୍ନରେ ଦିଆଯାଇଛି।

ଖଣି ମନ୍ତ୍ରଣାଳୟକୁ ମିଳିଥିବା ସୂଚନା ଅନୁଯାୟୀ, ନୂଆ ପ୍ରକଳ୍ପଗୁଡ଼ିକର ତାଲିକା ପ୍ରସ୍ତୁତ କରିବା ଏବଂ ବର୍ତ୍ତମାନର ପ୍ରକଳ୍ପଗୁଡ଼ିକରେ ଡିଏମଏଫ ପାଣ୍ଠିର ଉପଯୋଗକୁ ତ୍ୱରାନ୍ୱିତ କରିବା ଜରିଆରେ ପାଣ୍ଠି ଆବଣ୍ଟନକୁ ବଢ଼ାଇବା ଲାଗି ଓଡ଼ିଶା ସରକାର ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ରାଜ୍ୟ ସଭାରେ ଏହି ସୂଚନା ଦେଇଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଭୁବନେଶ୍ୱରରେ ଜିଇଏମ ସମ୍ମିଳନୀ ଆୟୋଜିତ: ଓଡ଼ିଶାର ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କୁ ପ୍ରୋତ୍ସାହନ

ଭୁବନେଶ୍ୱର: ସରକାରୀ ସେବା ଓ ସାମଗ୍ରୀ କ୍ରୟ ପ୍ରକ୍ରିୟାରେ ଓଡ଼ିଶାରେ କାରବାର କରୁଥିବା ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଆରମ୍ଭ ହୋଇଛି। ଏହି କ୍ରମରେ ଗତକାଲି ଭୁବନେଶ୍ୱର ଠାରେ ସରକାରୀ ଇ ମାର୍କେଟପ୍ଲେସ୍‌ ବା ଜିଇଏମ ସମ୍ମିଳନୀ ସଫଳତାପୂର୍ବକ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଜିଇଏମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ସିଂ, ଓଡ଼ିଶା ସରକାରଙ୍କ ଏମଏସଏମଇ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଓଡ଼ିଶା ରାଜ୍ୟ ଚିକିତ୍ସା ନିଗମ ଲିଃର ପରିଚାଳନା ନିର୍ଦ୍ଦେଶିକା ପୋମା ଟୁଡୁ, ଓଡ଼ିଶା ପୁଲିସ ମହାନିରୀକ୍ଷକ (ବ୍ୟବସ୍ଥା) ୱାଇ କୋୟଲ ପ୍ରମୁଖ ବିଶିଷ୍ଟ ଅତିଥିମାନେ ଯୋଗ ଦେଇଥିଲେ। ଏଥିସହିତ ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ, ଦକ୍ଷତା ବିକାଶ ବିଭାଗ, ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର ଆଦି ବିଭିନ୍ନ ବିଭାଗର ଅଧିକାରୀ ଓ ପ୍ରତିନିଧିଗଣ ଉପସ୍ଥିତ ଥିଲେ।

ଉତ୍କଳ ଚାମ୍ବର ଅଫ୍‌ କମର୍ସର ସଚିବ, ଡବ୍ଲୁଟିସିର ପ୍ରତିନିଧି, ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଘର ମହାସଚିବ ଏବଂ ଓଡ଼ିଶା କ୍ଷୁଦ୍ର ଶିଳ୍ପ ସଂଘ (ଓଏସଏସଆଇଏ)ର ସଭାପତିଙ୍କ ଉପସ୍ଥିତିରେ ଜିଇଏମ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ବୁଝାମଣାପତ୍ର ଦ୍ୱାରା ଘରୋଇ ଉଦ୍ୟୋଗ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଯିବା ସହିତ ଓଡ଼ିଶାରେ ଉଦ୍ୟମିତାକୁ ପ୍ରୋତ୍ସାହନ ମିଳିବ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜିଇଏମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଥିଲେ ଯେ, ଜିଇଏମ ପୋର୍ଟାଲ ସ୍ୱଚ୍ଛତା, ଦକ୍ଷତା ଓ ସମାବେଶିତା ସୁନିଶ୍ଚିତ କରୁଛି। ବିକ୍ରେତା ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକରୁ ଅଧିକ ସରଳ କରିବା ପାଇଁ ପ୍ରୟାସ କରାଯାଇଛି। ଓଡ଼ିଶାର ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କ ସଫଳତାକୁ ସେ ପ୍ରଶଂସା କରିଥିଲେ ଏବଂ ଜିଇଏମକୁ ଏକ ପସନ୍ଦଯୋଗ୍ୟ ସରକାରୀ କ୍ରୟ ପୋର୍ଟାଲରେ ପରିଣତ କରିବା ଲାଗି ଅର୍ଥ ବିଭାଗ, ଏମଏସଏମଇ ବିଭାଗ ଏବଂ ଅନ୍ୟ ରାଜ୍ୟ ସରକାରୀ ବିଭାଗର ନିରନ୍ତର ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ।

ଏମଏସଏମଇ ସଚିବ ଶାଶ୍ୱତ ଯୋଶୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଇଏମ ପୋର୍ଟାଲ ଜରିଆରେ ଓଡ଼ିଶା ସରକାର, କେନ୍ଦ୍ର ସରକାର ଏବଂ ଅନ୍ୟ ରାଜ୍ୟ ସରକାରଙ୍କ ଠାରୁ ଓଡ଼ିଶାରୁ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗମାନଙ୍କୁ ମିଳୁଥିବା ବ୍ୟବସାୟିକ ସୁଯୋଗକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। ଜିଇଏମ ପୋର୍ଟାଲରେ ପଞ୍ଜୀକରଣ କରିବା ଏବଂ ଏଥିରେ ପ୍ରକାଶ ପାଉଥିବା ଟେଣ୍ଡର ପ୍ରକ୍ରିୟାରେ ଭାଗ ନେବା ପାଇଁ ସେ ଓଡ଼ିଶାରେ କାରବାର କରୁଥିବା ବିକ୍ରେତା ଓ ସେବା ପ୍ରଦାନକାରୀଙ୍କୁ ଆହ୍ୱାନ କରିଥିଲେ। ସରକାରୀ କ୍ରୟ ପ୍ରକ୍ରିୟା ପାଇଁ ସମ୍ପୂର୍ଣ୍ଣ ଅନଲାଇନ କ୍ରୟ ସମାଧାନ ଯୋଗାଇ ଦେବା, ବ୍ୟବସ୍ଥାକୁ ସରଳ କରିବା ଓ ସ୍ୱଚ୍ଛତା ଆଣିବା କ୍ଷେତ୍ରରେ ଜିଇଏମର ପ୍ରୟାସକୁ ସେ ପ୍ରଶଂସା କରିଥିଲେ।

ସରକାରୀ କ୍ରୟ ପ୍ରକ୍ରିୟାରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଜିଇଏମ ପୋର୍ଟାଲ ପ୍ରତି ନିରନ୍ତର ସମର୍ଥନ ପାଇଁ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ, ସ୍ୱାସ୍ଥ୍ୟ ବିଭାଗ (ଏନଏଚଏମ ଏବଂ ଓଏସଏମସିଏଲ), ଓଡ଼ିଶା ପୁଲିସ, ଇଲେକ୍ଟ୍ରୋନିକ୍ସ ଓ ଆଇଟି (ଓକାକ୍‌) ଏବଂ ଦକ୍ଷତା ବିକାଶ ବିଭାଗକୁ ଜିଇଏମ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଅଧିକ ଅର୍ଡର ମୂଲ୍ୟ, ଏସସି/ଏସଟି ଉଦ୍ୟୋଗୀ, ଷ୍ଟାର୍ଟଅପ୍‌ ଓ ମହିଳା ଉଦ୍ୟୋଗୀଙ୍କ ଭଳି ବିଭିନ୍ନ ବର୍ଗରେ ଓଡ଼ିଶାର ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ସମ୍ମାନିତ କରାଯାଇଥିଲା।

ସମ୍ମିଳନୀ ଅବସରରେ ଶତାଧିକ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗ ମାଗଣାରେ ଜିଇଏମ ପୋର୍ଟାଲରେ ପଞ୍ଜୀକରଣ କରିଥିଲେ। ଓଡ଼ିଶାରେ ଜିଇଏମ ପାଇଁ ବ୍ୟବସାୟ ସୁବିଧା ପ୍ରଦାନକାରୀ ସୁଧାଂଶୁ ପ୍ରଧାନ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ପ୍ରଶିକ୍ଷଣ ଦେଇଥିଲେ। ଜିଇଏମ ପୋର୍ଟାଲରେ କିପରି ସେମାନଙ୍କ ସାମଗ୍ରୀ ଓ ସେବା ବିକ୍ରି କରାଯାଇପାରିବ ସେ ସମ୍ପର୍କରେ ସଚେତନ କରାଇଥିଲେ।

ଓଡ଼ିଶାର ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କୁ ପ୍ରୋତ୍ସାହନ ଦେବା ଏବଂ ସରକାରୀ କ୍ରୟ ପ୍ରକ୍ରିୟାରେ ସେମାନଙ୍କ ଅଂଶଗ୍ରହଣକୁ ସୁଦୃଢ଼ କରିବା ଦିଗରେ ଭୁବନେଶ୍ୱରରେ ଆୟୋଜିତ ଜିଇଏମ ସମ୍ମିଳନୀ ଏକ ଉଲ୍ଲେଖନୀୟ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ମାଗଣା ଯୋଜନାରୁ ବିକାଶ ଯୋଜନା ବାଧାପ୍ରାପ୍ତ; ଆନ୍ଧ୍ରପ୍ରଦେଶ ସବୁଠୁ ଆଗରେ

ନୂଆଦିଲ୍ଲୀ:କର୍ଣ୍ଣାଟକ ସରକାରଙ୍କ ପାଖରେ ବିକାଶ ପାଇଁ ଟଙ୍କା ନାହିଁ । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଏହି ବୟାନ ଏବେ ଚର୍ଚ୍ଚାରେ ରହିଛି । ଶିବକୁମାର କହିଛନ୍ତି ଯେ କଂଗ୍ରେସ ସରକାର ପାଖରେ ଅଧିକ ଅର୍ଥ ନ ଥିବାରୁ ଚଳିତ ବର୍ଷ ଅଧିକ ବିକାଶ କାମ କରିପାରିବ ନାହିଁ ।

ଉପମୁଖ୍ୟମନ୍ତ୍ରୀ ଶିବକୁମାର ବୁଧବାର କହିଛନ୍ତି ଯେ ଦଳ ପକ୍ଷରୁ ଦିଆଯାଇଥିବା ୫ଟି ନିର୍ବାଚନୀ ଗ୍ୟାରେଣ୍ଟି କାର୍ଯ୍ୟକାରୀ ହେବା କାରଣରୁ ଅର୍ଥନୈତିକ ପ୍ରତିବନ୍ଧକ ଯୋଗୁଁ ସରକାର ଚଳିତ ବର୍ଷ ବିକାଶ ପାଇଁ ବିଧାୟକ ପାଣ୍ଠି ପ୍ରଦାନ କରିପାରିବେ ନାହିଁ । ଶିବକୁମାର କହିଛନ୍ତି ଯେ ତାଙ୍କୁ ତାଙ୍କର ପାଞ୍ଚଟି ଗ୍ୟାରେଣ୍ଟି ସ୍କିମ୍ ପୂରଣ କରିବାକୁ ପଡ଼ିବ ଯାହା ପାଇଁ ତାଙ୍କୁ ଅଲଗା ଅଲଗା ଟଙ୍କା ରଖିବାକୁ ପଡ଼ିବ ।

୫ଟି ଗ୍ୟାରେଣ୍ଟି ସ୍କିମ୍ ପାଇଁ ୪୦ ହଜାର କୋଟି ଟଙ୍କା

ଶିବକୁମାର କହିଛନ୍ତି ଯେ ଏହି କାରଣରୁ ସେ ବିଧାୟକମାନଙ୍କୁ ଏକ ବର୍ଷ ପାଇଁ ଅନୁଦାନ ନ ମାଗିବାକୁ କହିଛନ୍ତି ଏବଂ ଏଥିରେ ଧୈର୍ଯ୍ୟ ରଖିବାକୁ ମଧ୍ୟ ନିବେଦନ କରିଛନ୍ତି । ଜଳ ସମ୍ପଦ ଓ ବେଙ୍ଗାଲୁରୁ ନଗର ଉନ୍ନୟନ ମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି, ଚଳିତ ବର୍ଷ ଆମର ପାଞ୍ଚଟି ପ୍ରି-ଗ୍ୟାରେଣ୍ଟି ସ୍କିମ୍ ପାଇଁ ଆମକୁ ୪୦,୦ କୋଟି ଟଙ୍କା ବ୍ୟୟ ବରାଦ କରିବାକୁ ପଡ଼ିବ । ଏଭଳି ସ୍ଥିତିରେ ଏହି ପାଞ୍ଚଟି ଗ୍ୟାରେଣ୍ଟି ସ୍କିମ୍ ଯୋଗୁଁ ଆପଣ ଅନ୍ୟାନ୍ୟ ଜନଉନ୍ନୟନ କାର୍ଯ୍ୟରେ ଖର୍ଚ୍ଚ କରିପାରିବେ ନାହିଁ ।

କ’ଣ ରହିଛି କଂଗ୍ରେସର ୫ଟି ଗ୍ୟାରେଣ୍ଟି ?

୧. ଗୃହ ଜ୍ୟୋତି ଅଧୀନରେ ଥିବା ସମସ୍ତ ପରିବାରକୁ ମାସକୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ।
୨. ଶକ୍ତି ଯୋଜନାଅଧୀନରେ ସରକାରୀ ବସରେ ସମସ୍ତ ମହିଳାଙ୍କ ପାଇଁ ମାଗଣା ଯାତ୍ରା ସୁବିଧା ।
୩. ଆନ୍ନା ଭାଗ୍ୟ ଅଧୀନରେ ବିପିଏଲ୍ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ପ୍ରତି ମାସରେ ୧୦ କେଜି ଚାଉଳ ମାଗଣାରେ ମିଳିବ ।
୪. ଗୃହ ଲକ୍ଷ୍ମୀ ଅଧୀନରେ ପ୍ରତି ପରିବାରର ମହିଳା ମୁଖିଆଙ୍କୁ ଦୁଇ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ ।
୫. ଯୁବ ନିଧି ଅଧୀନରେ ୧୮ରୁ ୨୫ ବର୍ଷ ବୟସର ବେକାର ସ୍ନାତକଙ୍କୁ ମାସିକ ୩,୦୦୦ ଟଙ୍କା ଏବଂ ଡିପ୍ଲୋମାଧାରୀ ବେକାରଙ୍କୁ ମାସିକ ୧,୫୦୦ ଟଙ୍କା ଆର୍ଥିକ ସହାୟତା ମିଳିବ ।

ମାଗଣା ଏବଂ ଅନାବଶ୍ୟକ ଖର୍ଚ୍ଚ ରାଜ୍ୟରେ ସ୍ଥିତିକୁ ଖରାପ କରିଥାଏ

ଚଳିତ ବର୍ଷ ଶେଷଆଡ଼କୁ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ଅନେକ ଲୋକପ୍ରିୟ ପ୍ରତିଶ୍ରୁତି ଦେବେ ବୋଲି ଆଶା କରାଯାଉଛି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳମାନେ ସେମାନଙ୍କ ଇସ୍ତାହାରରେ ମାଗଣା ବିଜୁଳି ଓ ରାସନ ଭଳି ଯୋଜନା ପ୍ରଦାନ କରିବେ । ନିକଟରେ ଶେଷ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ମଧ୍ୟ ସମାନ କିଛି ଦେଖିବାକୁ ମିଳିଥିଲା । ଋଣର ମୁଖ୍ୟ କାରଣ ହେଉଛି ମାଗଣା ଯୋଜନା ।

ମାଗଣା ଯୋଜନାରେ ଖର୍ଚ୍ଚ କରିବାରେ ଆନ୍ଧ୍ରପ୍ରଦେଶ ଆଗରେ

ଲୋକପ୍ରିୟ ଯୋଜନାରେ ଖର୍ଚ୍ଚ କରିବା ତାଲିକାରେ ଆନ୍ଧ୍ରପ୍ରଦେଶ ସବୁଠୁ ଆଗରେ ରହିଛି । ଆନ୍ଧ୍ରପ୍ରଦେଶ ୨୭,୫୪୧ କୋଟି ଟଙ୍କା ମାଗଣା ଯୋଜନାରେ ଖର୍ଚ୍ଚ କରିବାରେ ଶୀର୍ଷରେ ରହିଛି । ଏହି ଦିଗରେ ମଧ୍ୟପ୍ରଦେଶ ୨୧ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛି । ପଞ୍ଜାବରେ ୧୭ ହଜାର କୋଟି ଟଙ୍କାର ମାଗଣା ଯୋଜନା ଚାଲିଛି ।

ପଞ୍ଜାବ ହେଉଛି ସବୁଠାରୁ ବଡ଼ ଋଣ ନେଇଥିବା ରାଜ୍ୟ

ପଞ୍ଜାବ ଉପରେ ଦେଶର ସବୁଠାରୁ ଅଧିକ ଋଣ ରହିଛି । ପଞ୍ଜାବର ଜିଡିପିର ୫୩.୩% ପର୍ଯ୍ୟନ୍ତ ଋଣ ରହିଛି । ପଞ୍ଜାବ ଓ ହରିୟାଣା ରାଜ୍ୟ ସେମାନଙ୍କ ରାଜସ୍ୱ ଆୟର ୨୧ ପ୍ରତିଶତ ସୁଧରେ ଦେଉଛନ୍ତି, ଯାହା କି ଦେଶରେ ସର୍ବାଧିକ । ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଋଣ ବୃଦ୍ଧି ଏବଂ ଏକ ନିର୍ଦ୍ଦିଷ୍ଟ ସୀମା ସହିତ ମାଗଣା ପାଣି ଓ ବିଜୁଳି ଭଳି ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି । ରିଜର୍ଭ ବ୍ୟାଙ୍କ କହିଛି ଯେ କୌଣସି ରାଜ୍ୟର ଋଣ ଜିଡିପିର ୩୦ ପ୍ରତିଶତରୁ ଅଧିକ ହେବା ଉଚିତ ନୁହେଁ । ନଚେତ ରାଜ୍ୟଗୁଡ଼ିକର ଆୟର ଏକ ବଡ଼ ଅଂଶ ଋଣର ସୁଧ ପରିଶୋଧ ରେ ଖର୍ଚ୍ଚ ହୋଇଥାଏ ।

ହିମାଚଳ ପ୍ରଦେଶ ମଧ୍ୟ ଋଣଭାରରେ ବୁଡ଼ି ରହିଛି

ହିମାଚଳ ପ୍ରଦେଶର ଅର୍ଥନୀତି ମୁଖ୍ୟତଃ ପର୍ଯ୍ୟଟନ, ଉଦ୍ୟାନ କୃଷି ଏବଂ ଜଳବିଦ୍ୟୁତ ଉପରେ ନିର୍ଭରଶୀଳ । କିନ୍ତୁ ୭୫ ହଜାର କୋଟି ଟଙ୍କାର ଋଣ ରହିଛି। ପୂର୍ବ ସରକାରଙ୍କଠାରୁ କର୍ମଚାରୀ ଓ ପେନସନଭୋଗୀଙ୍କ ଦରମା ଓ ମହଙ୍ଗା ଭତ୍ତା କ୍ରମାଗତଭାବେ ବୃଦ୍ଧି ଆକାରରେ ଏହା ଉପରେ ପ୍ରାୟ ୧୧,୦ କୋଟି ଟଙ୍କାର ଦାୟିତ୍ୱ ରହିଛି । ପାହାଡ଼ିଆ ରାଜ୍ୟର ଋଣ ଭାର ବଢ଼ୁଥିବା ପୁରୁଣା ପେନସନ ଯୋଜନା (ଓପିଏସ୍) କାର୍ଯ୍ୟକାରୀ କରିବାକୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ୬ ମାସର କଂଗ୍ରେସ ସରକାର।

ମଧ୍ୟପ୍ରଦେଶ ଉପରେ ପ୍ରବଳ ଋଣ

ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମଧ୍ୟପ୍ରଦେଶ ସରକାର ଅନେକ ଲୋକପ୍ରିୟ ଯୋଜନା ଏବଂ ମାଗଣା ଉପହାର ଘୋଷଣା କରିଛନ୍ତି । ପୂର୍ବରୁ ରାଜ୍ୟ ଉପରେ ସାଢ଼େ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ରହିଛି । ମଧ୍ୟପ୍ରଦେଶରେ ରାଜ୍ୟ ସରକାର ୨୦୨୨-୨୦୨୩ରେ ବାର୍ଷିକ ୨.୭୯ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିବାବେଳେ ସରକାରଙ୍କ ଉପରେ ୩.୩୧ ଲକ୍ଷ କୋଟି ଟଙ୍କାର ଋଣ ରହିଛି।

Categories
ଆଜିର ଖବର ଜାତୀୟ ଖବର

ନୀତିନ-ଧର୍ମେନ୍ଦ୍ର ମଧ୍ୟରେ ବୈଠକ: ଓଡିଶାର ଅନେକ ପ୍ରକଳ୍ପ ବିଷୟରେ ହେଲା ଆଲୋଚନା

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଓଡ଼ିଶାରେ କ୍ରିୟାନ୍ୱୟନ ହେଉଥିବା ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ଏବଂ ନିର୍ମାଣ କାର୍ଯ୍ୟ ନେଇ ସମୀକ୍ଷା କରିବା ସହ ଆଲୋଚନା କରିଛନ୍ତି।

ଏହି ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କ ସହ କଟକ-ସମ୍ବଲପୁର ଜାତୀୟ ରାଜପଥର ଅଗ୍ରଗତି ନେଇ ଆଲୋଚନା ହୋଇଛି। କୋଷ୍ଟାଲ ହାଇଓ୍ୱେ, ସମ୍ବଲପୁର ରିଙ୍ଗ୍ ରୋଡ, କ୍ୟାପିଟାଲ ରିଙ୍ଗ୍ ରୋଡ୍ କାର୍ଯ୍ୟର ଅଗ୍ରଗତି ଏବଂ ନିର୍ମାଣ କାର୍ଯ୍ୟ ନେଇ ସମୀକ୍ଷା ହୋଇଛି। ସେହିପରି ଢେଙ୍କାନାଳ ଜିଲ୍ଲାର ଭୁବନ ଓ କାମାକ୍ଷାନଗର ଦେଇ ଯାଇଥିବା ଡୁବୁରିରୁ ବହ୍ଲର ଛକ ପର୍ଯ୍ୟନ୍ତ ୫୩ ନମ୍ବର ଜାତୀୟ ରାଜପଥ, ଗୋଡିବନ୍ଧରୁ ବଅଁରପାଳ ପର୍ଯ୍ୟନ୍ତ ରାଜପଥର ପ୍ରଶସ୍ତିକରଣ ସମେତ ଅନ୍ୟାନ୍ୟ ପ୍ରକଳ୍ପ ଉପରେ ମଧ୍ୟ ବୈଠକରେ ଚର୍ଚ୍ଚା କରାଯାଇଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ସବୁ ରାଜପଥ ପ୍ରକଳ୍ପ ଗୁଡ଼ିକର ପରିବେଶ ମଞ୍ଜୁରୀ, ଟେଣ୍ଡର ପ୍ରକ୍ରିୟା, ଆଲାଇନମେଣ୍ଟ ଏବଂ ଅନ୍ୟାନ୍ୟ ସମସ୍ୟା ବିଷୟରେ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ କଳ୍ପନାରେ ଓଡ଼ିଶାରେ ସଡକପଥ ଭିତ୍ତିଭୂମିକୁ ମଜଭୂତ୍ କରାଯାଉଛି । ଭାରତ ସରକାରଙ୍କ ଏନଏଚଏଆଇ ଦ୍ୱାରା ଓଡ଼ିଶାରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଆଲୋଚନା ହୋଇଥିବା ସବୁ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ଶ୍ରୀ ଗଡକରୀ ଆଶ୍ୱସ୍ତ କରିଥିବା ଶ୍ରୀ ପ୍ରଧାନ କହିଛନ୍ତି।

ଏହି ବୈଠକରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସମେତ ଏନଏଚଏଆଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶାର ସମାବର୍ତ୍ତନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ଜୁଲାଇ ୨୬, ୨୦୨୩ରେ) କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେଇ ଆଇନ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି।

ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଯୋଗ୍ୟ ଆଇନଜୀବୀମାନେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇଥିଲେ। ଏହା ଦର୍ଶାଉଛି ଯେ, ସେହି ପିଢ଼ିର ବହୁସଂଖ୍ୟକ ଆଇନଜୀବୀଙ୍କ ପାଖରେ ଦେଶ ପାଇଁ ବଳିଦାନର ଭାବନା ରହିଥିଲା। ମଧୁ-ବାରିଷ୍ଟର ନାମରେ ଖ୍ୟାତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ମୃତିଚାରଣ କରି ରାଷ୍ଟ୍ରପତି କହିଥିଲେ ଯେ, ତାଙ୍କର ଜୟନ୍ତୀକୁ ଓଡ଼ିଶାରେ ‘ଆଇନ ଦିବସ’ ଭାବେ ପାଳନ କରାଯାଉଛି । ସେ କହିଥିଲେ ଯେ, ଓଡ଼ିଶାବାସୀଙ୍କ ପାଇଁ ‘ମହାତ୍ମା ଗାନ୍ଧୀ’ ଏବଂ ‘ମଧୁ ବାରିଷ୍ଟର’ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଦୁଇଜଣ ସବୁଠୁ ସମ୍ମାନନୀୟ ବ୍ୟକ୍ତିତ୍ୱ। ସେମାନଙ୍କ ଭଳି ମହାନ ସ୍ୱାଧୀନତା ସଂଗ୍ରାମୀ ଓ ଆଇନଜୀବୀମାନେ ଏକ ପ୍ରଗତିଶୀଳ ଓ ପରସ୍ପର ସହ ଯୋଡ଼ି ହୋଇଥିବା ସମାଜ ଗଠନ ପାଇଁ ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭ୍ରାତୃତ୍ୱର ଆଦର୍ଶକୁ ବଜାୟ ରଖିଥିଲେ । ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ସାମ୍ବିଧାନିକ ଆଦର୍ଶ ପାଳନରେ ଦୃଢ଼ ରହିବା ପାଇଁ ପରାମର୍ଶ ଦେଇଥିଲେ । ରାଷ୍ଟ୍ରର ପ୍ରାଥମିକତା ପ୍ରତି ସମ୍ବେଦନଶୀଳ ହେବା ଲାଗି ରାଷ୍ଟ୍ରପତି ସେମାନଙ୍କୁ କହିଥିଲେ। ରାଷ୍ଟ୍ରୀୟ ପ୍ରାଥମିକତାରେ ଯୋଗଦାନ ଦେବା ନିମନ୍ତେ ସଚେତନ ପ୍ରୟାସ କରିବା ପାଇଁ ରାଷ୍ଟ୍ରପତି ସେମାନଙ୍କୁ ଆହ୍ୱାନ କରି କହିଥିଲେ।

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡ଼ିଶାର ଆଦର୍ଶ ବାକ୍ୟ ‘ସତ୍ୟେ ସ୍ଥିତୋ ଧର୍ମଃ’ ବିଷୟରେ ଉଲ୍ଲେଖ କରି ରାଷ୍ଟ୍ରପତି କହିଥିଲେ ଯେ ଏହାର ଅର୍ଥ ହେଉଛି, ଧର୍ମ ଦୃଢ଼ତାର ସହିତ ସତ୍ୟରେ ନିହୀତ ରହିଛି । ପ୍ରାଚୀନ ଭାରତରେ ନ୍ୟାୟାଳୟକୁ ପରିଭାଷିତ କରିବା ଲାଗି ମୁଖ୍ୟତଃ ବ୍ୟବହାର କରାଯାଉଥିବା ଦୁଇଟି ଶବ୍ଦ ହେଲା – ‘ଧର୍ମସଭା’ ଏବଂ ‘ଧର୍ମାଧିକରଣ’। ଆଜିର ଆଧୁନିକ ଭାରତରେ, ଆମର ଧର୍ମ ଭାରତର ସମ୍ବିଧାନରେ ରହିଛି, ଯାହାକି ଏ ଭୂଖଣ୍ଡର ସର୍ବୋଚ୍ଚ ଆଇନ । ସମ୍ପୂର୍ଣ୍ଣ ଆଇନ ଜଗତ, ବିଶେଷ କରି ଆଜି ଏଠାରୁ ଉତ୍ତୀର୍ଣ୍ଣ ହେଉଥିବା ଯୁବ ଛାତ୍ରଛାତ୍ରୀ ସମ୍ବିଧାନକୁ ସେମାନଙ୍କର ପବିତ୍ର ଗ୍ରନ୍ଥ ଭାବେ ମାନିବା ଉଚିତ୍‌ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ, ସାଥୀ ନାଗରିକମାନଙ୍କୁ ସହାୟତା କରିବା ସ୍ଥିତିରେ ଥିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଦେଶର ମହିଳାଙ୍କ ସମେତ ଆମ ଜନସଂଖ୍ୟାର ସବୁଠୁ ଦୁର୍ବଳ ବର୍ଗଙ୍କୁ ସମାନ ସୁଯୋଗ ଓ ସମ୍ମାନ ପ୍ରଦାନ କରିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ୍‌ । ଆମ ଦେଶର ବହୁସଂଖ୍ୟକ ପଛୁଆ ଓ ବଞ୍ଚିତ ନାଗରିକମାନେ ନିଜର ଅଧିକାର ଓ ହକ୍‌ ବିଷୟରେ ଅନଭିଜ୍ଞ ଅଛନ୍ତି । ସେମାନଙ୍କ ପାଖରେ ସହାୟତା କିମ୍ବା ନ୍ୟାୟ ପାଇବା ଲାଗି ଆବଶ୍ୟକ ସମ୍ବଳର ଅଭାବ ମଧ୍ୟ ରହିଛି । ଏଭଳି ବଞ୍ଚିତ ଓ ପଛୁଆ ବର୍ଗଙ୍କ ସେବାରେ ନିଜର କିଛି ବୃତ୍ତିଗତ ସମୟ ବିନିଯୋଗ କରିବା ଲାଗି ଆଇନ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ଆହ୍ୱାନ କରିଥିଲେ। ପ୍ରକୃତ କରୁଣା ଭାବନା ନେଇ ଗରିବ ଓ ଦୁର୍ବଳ ଲୋକଙ୍କୁ ସହାୟତା କରିବା ଲାଗି ନିଜ ବୃତ୍ତିଗତ କାର୍ଯ୍ୟର ଅଳ୍ପ କିଛି ସମୟ ବିନିଯୋଗ କରିବା ପାଇଁ ଶ୍ରୀମତୀ ମୁର୍ମୁ ସେମାନଙ୍କୁ ନିବେଦନ କରିଥିଲେ। ସେଥିପାଇଁ ବାସ୍ତବରେ କୁହାଯାଇଛି ଯେ, ଆଇନ କେବଳ ଏକ ପେସା ନୁହେଁ, ଏହା ଏକ ଆହ୍ୱାନ, ରାଷ୍ଟ୍ରପତି ଶେଷରେ କହିଥିଲେ।

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ: ଯୋଗ ଦେଲେନି ୭୦ ପ୍ରତିଶତ ଅତିଥି

ସିତରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ତଥା ଓଡ଼ିଶାର ଯୋଗଜନ୍ମା ମହାପୁରୁଷ ତଥା ପଞ୍ଚସଖାର ଅନ୍ୟତମ ବ୍ୟକ୍ତିତ୍ୱ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୬୭ ତମ ଶ୍ରାଦ୍ଧ ଦିବସ ଏବଂ ତାଙ୍କରି ନାମରେ ନାମିତ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟର ୬୦ ତମ ପ୍ରତିଷ୍ଠା ଦିବସ ତଥା ହୀରକ ଜୟନ୍ତୀ ଉତ୍ସବ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତେବେ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଜେନତେଣ ପ୍ରକାରରେ ସମ୍ପାଦନ କରାଯାଇଥିବାରୁ ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରକାଶ ଥାଉକି ହୀରକ ଜୟନ୍ତୀ ପାଳନ କରିବା ପୁରାତନ ଛାତ୍ର ସଂଘର କର୍ତ୍ତବ୍ୟ। ଏହାକୁ ଆଖି ଆଗରେ ରଖି ଅଧ୍ୟକ୍ଷ ପ୍ରଫେସର ବିନାୟକ ହୋତା ବହୁଦିନ ପୂର୍ବରୁ ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଘନ ଘନ ବୈଠକ ଡାକି କର୍ମକର୍ତ୍ତା ଚୟନ କାର୍ଯ୍ୟ ସାରିଥିଲେ।  ଯେଉଁଥିରେ ପୂର୍ବତନ ମନ୍ତ୍ରୀ ଡ଼ା ଦେବେନ୍ଦ୍ରନାଥ ମାନସିଂହଙ୍କୁ ସଭାପତି ଭାବରେ ଚୟନ କରାଯାଇଥିଲା। ଏବଂ ପୁରାତନ ଛାତ୍ରସଂଘର ବୈଠକରେ ହୀରକ ଜୟନ୍ତୀକୁ ଖୁବ ଧୂମଧାମରେ ପାଳିତ ହେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

କିନ୍ତୁ ଚଳିତ ଉତ୍ସବ ଶ୍ରୀ ମାନସିଂହଙ୍କ ସଭାପତିତ୍ୱରେ ନିର୍ବାହ ହୋଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ଏନସି ଅଧ୍ୟକ୍ଷ ମିଟୁ ନାୟକ, ଅବସରପ୍ରାପ୍ତ ଆଇଏଫଏସ ଅଧିକାରୀ ଆଶୁତୋଷ ସାମନ୍ତସିଂହାର, କଲେଜ ପରିଚାଳନା କମିଟି ସଭାପତି ବିଜୟା ବନ୍ଦନା ରାଉତରାୟ, ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ, ବିଡ଼ିଓ ଶୀତଲ ଅଗ୍ରୱାଲ, ଅତିରିକ୍ତ ତହସିଲଦାର ସାହୀନ ନାଜ, ପୂର୍ବତନ ଗୋଦାବରୀଶ ମହାବିଦ୍ୟାଳୟ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରାଧନ ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ବିନାୟକ ହୋତା ଯୋଗ ଦେଇଥିଲେ।

ମନ୍ତ୍ରୀ ଶ୍ରୀ ନାୟକ ଗୋଦାବରୀଶ ମିଶ୍ରଙ୍କ ଜୀବନୀ ଉପସ୍ଥାପନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ।

ତେବେ ହୀରକ ଜୟନ୍ତୀ ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ ଥିବା ସତୁରି ପ୍ରତିଶତ ଅତିଥି ମାନେ ଉକ୍ତ ଉତ୍ସବକୁ ଆସିନଥିବା ଦେଖିବାକୁ ମିଳିଛି ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି। ଅନୁରୂପ ଭାବେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଏବଂ ପୁରାତନ ଛାତ୍ରଛାତ୍ରୀମାନଙ୍କ ନିକଟରେ ମହାବିଦ୍ୟାଳୟ ପକ୍ଷରୁ ସଠିକ ନିମନ୍ତ୍ରଣ ପହଞ୍ଚିନଥିବାରୁ ସେମାନେ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇପାରିନଥିବା ଦୁଃଖର ସହ କହିଛନ୍ତି।

ଏପରିକି ମହାବିଦ୍ୟାଳୟ ହୀରକ ଜୟନ୍ତୀ ନିମନ୍ତ୍ରଣ ପତ୍ର ପୂର୍ବ ଦିନ ବିଳମ୍ବିତ ସନ୍ଧ୍ୟାରେ ଛପାଯାଇଥିବା ବେଳେ ଏକାଧିକ ବ୍ୟକ୍ତି ବିଶେଷଙ୍କ ପାଖେ ତାହା ପହଞ୍ଚିନଥିବା ଆଲୋଚନା ହେଉଛି।

ତେବେ ଆଜିର ଉକ୍ତ ସମାରୋହ ବହୁ ଅବ୍ୟବସ୍ଥା ଦେଇ ଗତି କରିଥିବା ବେଳେ ମହାବିଦ୍ୟାଳୟ ଆଲୁମିନି କମିଟି ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ସମ୍ପାଦନ କରିଛି। ତେବେ ମହାବିଦ୍ୟାଳୟ ପରିଚାଳନା କମିଟି ଓ ଆଲୁମିନି କମିଟି ମଧ୍ୟରେ ଉପୁଜିଥିବା ବିବାଦ ଯୋଗୁଁ ଏହିଭଳି ଅବସ୍ଥାରେ ଉକ୍ତ ହୀରକ ଜୟନ୍ତୀ ଉତ୍ସବ ପାଳିତ ହୋଇଥିବାର ଚର୍ଚ୍ଚା ହେଉଛି।

Categories
ବିଶେଷ ଖବର

ଓଡ଼ିଶା ହାଇକୋର୍ଟର ୭୫ତମ ବର୍ଷପୂର୍ତ୍ତି ସମାରୋହର ଉଦଯାପନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କଟକସ୍ଥିତ ଓଡ଼ିଶା ହାଇକୋର୍ଟର ୭୫ତମ ବର୍ଷ ପୂର୍ତ୍ତି ସମାରୋହର ଉଦଯାପନୀ କାର୍ଯ୍ୟକ୍ରମରେ ସାମିଲ ହୋଇ ଅଭିଭାଷଣ ରଖିଛନ୍ତି।

କାର୍ଗିଲ୍‌ ଯୁଦ୍ଧ ସମୟରେ ନିଜ ଜୀବନ ବଳିଦାନ ଦେଇଥିବା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ରାଷ୍ଟ୍ରପତି ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ଭାରତ ମା’ର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସହିଦ ଯବାନଙ୍କ ମଧ୍ୟରୁ ଅନେକ ଓଡ଼ିଶାର ଥିଲେ ବୋଲି ରାଷ୍ଟ୍ରପତି କହିଥିଲେ । ସେ ଆହୁରି କହିଥିଲେ, ମେଜର ପଦ୍ମପାଣି ଆଚାର୍ଯ୍ୟଙ୍କୁ ତାଙ୍କର ଯୋଗଦାନ ପାଇଁ ମହାବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଯବାନମାନଙ୍କ ସାହସିକତା ସବୁବେଳେ ଆମ ଦେଶର ନାଗରିକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ।

ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ସମାରୋହ ସମ୍ପର୍କରେ ବକ୍ତବ୍ୟ ରଖି ରାଷ୍ଟ୍ରପତି କହିଥିଲେ ଯେ, ୭୫ ବର୍ଷର ସମୃଦ୍ଧଶାଳୀ ଯାତ୍ରାରେ ଓଡ଼ିଶା ହାଇକୋର୍ଟ ଅନେକ ଉଚ୍ଚ ମାନକ ପ୍ରତିଷ୍ଠା କରିଛି। ଏହି ହାଇକୋର୍ଟର କିର୍ତ୍ତୀକୁ ଶୀର୍ଷରେ ପହଞ୍ଚାଇଥିବା ବିଶିଷ୍ଟ ବିଚାରପତିମାନଙ୍କ ମଧ୍ୟରେ ଜଷ୍ଟିସ ବାବୁ ଜଗନ୍ନାଥ ଦାସ, ରଙ୍ଗନାଥ ମିଶ୍ର, ରାଧାଚରଣ ପଟ୍ଟନାୟକ, ଦେବପ୍ରିୟ ମହାପାତ୍ର, ଗୋପାଳ ବଲ୍ଲଭ ପଟ୍ଟନାୟକ, ଅରିଜିତ ପଶାୟତ, ଅନଙ୍ଗ କୁମାର ପଟ୍ଟନାୟକ ଏବଂ ଦୀପକ ମିଶ୍ର ପ୍ରମୁଖ ରହିଛନ୍ତି। ଏମାନଙ୍କ ମଧ୍ୟରୁ କେତେ ଜଣ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଏବଂ ଆଉ କିଛି ଭାରତର ପ୍ରଧାନ ବିଚାରପତି ଭାବେ କାମ କରିଛନ୍ତି। ରାଷ୍ଟ୍ରପତି କହିଥିଲେ ଯେ, ପୂର୍ବର ଏବଂ ବର୍ତ୍ତମାନର ମୁଖ୍ୟ ବିଚାରପତି, ବିଚାରପତିଗଣ, ଆଇନଜୀବୀ ଓ କର୍ମଚାରୀ ମାନଙ୍କର ଅସାଧାରଣ ଜ୍ଞାନ ଏବଂ କାମ ପ୍ରତି ସେମାନଙ୍କର ଯୋଗଦାନ, ବିଶ୍ୱସ୍ତତା, ସମର୍ପଣ କାରଣରୁ ଆଜି ଏହି ହାଇକୋର୍ଟର ସମ୍ମାନ ବୃଦ୍ଧି ପାଇଛି।

ରାଷ୍ଟ୍ରପତି କହିଥିଲେ ଯେ, ସମୟ ସହ ତାଳ ଦେଇ ବଦଳି ପାରୁନଥିବା ଅନୁଷ୍ଠାନ ପଛରେ ପଡ଼ିଯାଏ। ଓଡ଼ିଶା ହାଇକୋର୍ଟ ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ଆଧୁନିକ ପ୍ରଯୁକ୍ତିକୁ କାର୍ଯ୍ୟକାରୀ କରିଥିବା ବିଷୟ ସେ ଉଲ୍ଲେଖ କରିଥିଲେ। ବିଭିନ୍ନ ଆଧୁନିକ, ଅଭିନବ ଓ ପ୍ରଯୁକ୍ତି ପରିଚାଳିତ ପରିବର୍ତ୍ତନ ଜରିଆରେ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ବ୍ୟବସ୍ଥିତ ଓ ତ୍ୱରାନ୍ୱିତ କରିବା ପାଇଁ ସେ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ ଯେ, ଭାରତରେ ଆଇନ ପେସା ନାଗରିକଙ୍କ ବିଶ୍ୱାସଭାଜନ ହୋଇପାରିଛି ଏବଂ ଏହା ଏକ ସମ୍ମାନଜନକ କାର୍ଯ୍ୟ ଭାବେ ବିବେଚିତ ହେଉଛି। ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ଏହା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବେ ନିଜର ସ୍ଥିତି ସୁଦୃଢ଼ କରିପାରିଛି। ଶୀଘ୍ର ଶୁଣାଣି ଏବଂ ତ୍ୱରିତ ନ୍ୟାୟ ପ୍ରଦାନ ଲାଗି କାର୍ଯ୍ୟ କରିବାକୁ ସେ ଆଇନ ପେସାଦାରମାନଙ୍କୁ ନିବେଦନ କରିଥିଲେ। ଛୋଟ-ମୋଟ ଅଭିଯୋଗରେ ଜେଲରେ ବନ୍ଦୀ ଥିବା ନିର୍ଦ୍ଦୋଷମାନଙ୍କୁ ମୁକ୍ତ କରି ଦେବା ଉଚିତ୍‌।

ରାଷ୍ଟ୍ରପତି କହିଥିଲେ, ଏପରି କିଛି ଉଦାହରଣ ରହିଛି ଯେଉଁଥିରେ ଲୋକମାନଙ୍କୁ ସେମାନଙ୍କ ଅପରାଧ ପାଇଁ ଉଦ୍ଦିଷ୍ଟ ଦଣ୍ଡ ଠାରୁ ଅଧିକ ଦିନ ପର୍ଯ୍ୟନ୍ତ ଜେଲ ଭୋଗିବାକୁ ପଡ଼ିଥାଏ। ଏହି କାରଣରୁ ନିରୀହ ଲୋକମାନେ ସେମାନଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ସମୟକୁ ହରାଇଥାନ୍ତି। ଅନ୍ୟପଟେ, ପ୍ରକୃତ ଦୋଷୀଙ୍କୁ ଆଇନ ଠାରୁ ଦଣ୍ଡ ମିଳୁନଥିବା ଦେଖି ପୀଡ଼ିତମାନେ ମଧ୍ୟ ନିରାଶ ହୋଇଥାନ୍ତି। ଏପରି ବିଳମ୍ବ ଏକ ବଡ଼ ଚିନ୍ତାର ବିଷୟ। ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟରତ ପେସାଦାରମାନେ ତ୍ୱରିତ ନ୍ୟାୟ ପ୍ରଦାନ ଦିଗରେ କାର୍ଯ୍ୟ କରିବା ସହିତ ସାରା ଦେଶ ପାଇଁ ଏକ ଉଦାହରଣ ପ୍ରସ୍ତୁତ କରିବା ଉଚିତ୍‌ ବୋଲି ଶ୍ରୀମତୀ ମୁର୍ମୁ କହିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ, ଆମର ସମ୍ବିଧାନ ନିର୍ମାତାମାନେ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ବଞ୍ଚିତ ଲୋକମାନଙ୍କୁ ନ୍ୟାୟ ପ୍ରଦାନ ଉପରେ ପ୍ରାଥମିକତା ଦେଇଛନ୍ତି। ସମାଜର ବଞ୍ଚିତ ବର୍ଗର ଲୋକମାନଙ୍କ ପାଖରେ ନ୍ୟାୟ ପାଇବା ପାଇଁ ଯଥେଷ୍ଟ ଜ୍ଞାନ କିମ୍ବା ସମ୍ବଳ ନଥାଏ। ତେଣୁ ‘ସେମାନେ କିପରି ନ୍ୟାୟ ପାଇବେ?’ ଏହା ଆମ ଆଗରେ ଏକ ପ୍ରଶ୍ନ ହୋଇ ରହିଛି। ଏହି ପ୍ରଶ୍ନ ଉପରେ ଆମକୁ ଗଭୀର ଭାବେ ବିଚାର କରିବାର ଆବଶ୍ୟକତା ରହିଛି।

ରାଷ୍ଟ୍ରପତି କହିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ମାନବତା ପାଇଁ ଏକ ଆହ୍ୱାନ ପାଲଟିଛି। ପ୍ରକୃତି ଅନୁକୂଳ ଜୀବନଯାପନ କରିବା ବର୍ତ୍ତମାନ ସମୟର ଆବଶ୍ୟକତା। କାର୍ଯ୍ୟପାଳିକା ଓ ବିଧାନପାଳିକା ଭଳି ନ୍ୟାୟପାଳିକା ମଧ୍ୟ ପରିବେଶ ଓ ବନ୍ୟପ୍ରାଣୀ ସୁରକ୍ଷା ପ୍ରତି ସର୍ବୋଚ୍ଚ ପ୍ରାଥମିକତା ଦେବା ଆବଶ୍ୟକ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

୬୯ ତମ ସଂସ୍କୃତି ଚର୍ଚ୍ଚା ସମାରୋହ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୬୯ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ଡ. ଜୟନ୍ତୀ ରଥ, ପୂର୍ବତନ ଅଧୀକ୍ଷକ, ରାଜ୍ୟ ସଂଗ୍ରହାଳୟ ଏବଂ ସଚିବ ସାହିତ୍ୟ ଏକାଡେମୀ, ମୁଖ୍ୟ ଅତିଥି ଭାବରେ ବିଭାଗୀୟ ଉପନିର୍ଦ୍ଦେଶିକା ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ଯୋଗଦାନ କରିଥିଲେ। ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ବେହେରା।

ଏହି ଅବସରରେ ମୁଖ୍ୟ ବକ୍ତା ଡ. ରଥ କହିଥିଲେ ଓଡ଼ିଶାର ସାଂସ୍କୃତିକ ଇତିହାସକୁ ରାଣୀ ଏବଂ ରାଜକନ୍ୟାମାନଙ୍କ ଅବଦାନ ଅତୁଳନୀୟ। ଆଜି ରାଜତନ୍ତ୍ର ନାହିଁ। ରାଣୀ, ରାଜକନ୍ୟା ଏ ଶବ୍ଦର ପ୍ରଚଳନ ନାହିଁ। ତେବେ ଓଡ଼ିଶାର ଇତିହାସକୁ ନିରୀକ୍ଷଣ କଲେ ଅତୀତ ଉତ୍କଳରେ ରାଜ ବଂଶୀୟ ରମଣୀଙ୍କର ଉଜ୍ୱଳ କୀର୍ତ୍ତିର ଅଜସ୍ର ଉଦାହରଣ ଆମେ ପାଇ ପାରିବା। ଅଷ୍ଟମ ଓ ନବମ ଶତାବ୍ଦୀରେ ଏକାଦିକ୍ରମେ ୬ ଜଣ ରାଣୀ ସର୍ବଭୌମ କ୍ଷମତାର ଅଧିକାରିଣୀ ହୋଇ ରାଜ୍ୟ ଶାସନ କରିଥିଲେ। ଏଭଳି ଦୃଷ୍ଟାନ୍ତ ସମଗ୍ର ବିଶ୍ୱରେ ବିରଳ।

ଭୁବନେଶ୍ୱର ଅନନ୍ତ ବାସୁଦେବ ମନ୍ଦିର, ବ୍ରହ୍ମେଶ୍ୱର ମନ୍ଦିର ଆଜି ବି ଉଦ୍‌ଘୋଷଣା କରୁଛି ଗଙ୍ଗବଂଶର ରାଜକନ୍ୟା ଚନ୍ଦ୍ରିକା ଦେବୀ ଓ ସୋମ ବଂଶର ମହାରାଣୀ କଳାବତୀ ଦେବୀଙ୍କ ନାମ। ଅଷ୍ଟମ ଶତାବ୍ଦୀରେ ସମ୍ବଳ ଦେଶର ରାଜକନ୍ୟା ଲକ୍ଷ୍ମୀକରା ସହଜଯାନର ପ୍ରବର୍ତ୍ତନ କରିଥିଲେ। ଜଗନ୍ନାଥ ମନ୍ଦିର ପରିଚାଳନା ଦାୟିତ୍ୱ ହସ୍ତାନ୍ତର ନକରିବା ପାଇଁ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ପ୍ରାଣପାତ ଉଦ୍ୟମ କରିଥିଲେ ସୂର୍ଯ୍ୟମଣୀ ପାଟମହାଦେଇ।

ଅନ୍ତଃପୁରରେ ଥାଇ, ବହୁ ରାଜଜେମା ଭଜନ, ଜଣାଣ, କାବ୍ୟ ରଚନାରେ ଅସାଧାରଣ ପରାକାଷ୍ଠା ପ୍ରଦର୍ଶନ କରିଥିଲେ। ତନ୍ମଧ୍ୟରେ ସୂର୍ଯ୍ୟମଣି ଜେମା, କଳ୍ପଲତା ଜେମା, କ୍ଷୀରୋଦମାଳୀ ଜେମା, ନିଃଶଙ୍କରାୟ ରାଣୀଙ୍କ ନାମ ଉଲ୍ଲେଖ ଯୋଗ୍ୟ।

ସୋନପୁର (ସୁବର୍ଣ୍ଣପୁର)ର ରାଣୀ ପାର୍ବତୀ ଦେବୀ (ବୀରମିତ୍ରୋଦୟ ସିଂହଦେଓଙ୍କ ପତ୍ନୀ) ସମାଜ ସେବା, ସାହିତ୍ୟ ଉଭୟ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିଲେ।

କୁଜଙ୍ଗର ରାଣୀ ଭାବବତୀ ପାଟମହାଦେଇ ଭାରତର ପ୍ରଥମ ରାଜ ବଂଶୀୟା ନାରୀ ଯିଏ ଲବଣ ସତ୍ୟାଗ୍ରହ ଆନ୍ଦୋଳନରେ ଭାଗ ନେଇଥିଲେ। ଦେଶ ସ୍ୱାଧୀନ ହେବା ପରେ ପ୍ରତ୍ୟକ୍ଷ ରାଜନୀତିରେ ଅବତୀର୍ଣ୍ଣ ହୋଇ ବହୁ ରାଣୀ ସୁନାମ ଅର୍ଜନ କରିଛନ୍ତି।

ରଣପୁରର ରାଣୀ ବସନ୍ତ ମଞ୍ଜରୀ ଦେବୀ, ଢ଼େଙ୍କାନାଳର ରାଣୀ ରତ୍ନପ୍ରଭା ଦେବୀ, ଆଳିର ରାଣୀ ସୁଶ୍ରୀ ଦେବୀ ଖଲିକୋଟର ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ନାମ ସ୍ମରଣ କରାଯାଇ ପାରେ। ଶୀଳାଲେଖ, ତାମ୍ରପାତ୍ର ଓ ଐତିହାସିକ ଦସ୍ତାବିଜ ଉପରେ ଆଧାରିତ ତାଙ୍କର ଆଲୋଚନା ବେଶ୍ ଭାବଗର୍ଭକ ଥିଲା।

ସମ୍ପାନର ମୁଖ୍ୟ ଅତିଥି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶିକା ଏବଂ ସଚିବ, ସାହିତ୍ୟ ଏକାଡେମୀ ଶୁଚିସ୍ମିତା ମନ୍ତ୍ରୀ ରାଜତନ୍ତ୍ର ସମୟରେ ନାରୀ ସଶକ୍ତି କରଣ ଥିବାର ସୂଚନା ଦେବା ସହ ବର୍ତ୍ତମାନ ସମୟରେ ନାରୀ ସଶକ୍ତି କରଣ ଏବଂ ନାରୀମାନଙ୍କର ସମାଜରେ ଭୂମିକା ଉପରେ ସମ୍ୟକ ଆଲୋକପାତ କରିଥିଲେ।

ପରିଶେଷରେ ଦର୍ଶକ ଏବଂ ବୁଦ୍ଧିଜୀବୀ ମାନଙ୍କର ମୁକ୍ତ ଆଲୋଚନା ହୋଇଥିଲା ଯେଉଁଥିରେ ଉପସ୍ଥିତ ଶ୍ରୋତାମଣ୍ଡଳୀ ମୁଖ୍ୟ ବକ୍ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଏବଂ ତାହାର ଉତ୍ତର ପାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଓଡ଼ିଶାରୁ ଏଫସିଆଇର ଚାଉଳ ସଂଗ୍ରହ ସମ୍ପର୍କରେ ତଥ୍ୟ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ୨୦୨୨-୨୩ ଖରିଫ ବିପଣନ ଋତୁରେ ୧୩ ଜୁଲାଇ, ୨୦୨୩ ସୁଦ୍ଧା ଓଡ଼ିଶାରୁ ୧୩ ଲକ୍ଷ ୫୩ ହଜାର ୨୩୯ ମେଟ୍ରିକ୍‌ ଟନ୍‌ ଚାଉଳ ସଂଗ୍ରହ କରିଥିବା କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ରାଷ୍ଟ୍ର ମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି ରାଜ୍ୟ ସଭାରେ ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨୦୨୧-୨୨ ଖରିଫ ବିପଣନ ଋତୁରେ  ଏଫସିଆଇ ୯ ଲକ୍ଷ ୧୭ ହଜାର ୬୫୧ ମେଟ୍ରିକ୍‌ ଟନ୍‌ରୁ ଅଧିକ ଚାଉଳ ସଂଗ୍ରହ କରିଥିଲା। ସେହିପରି ୨୦୨୦-୨୧ ଏବଂ ୨୦୧୯-୨୦ ଖରିଫ ବିପଣନ ଋତୁରେ ଯଥାକ୍ରମେ ୧୮ ଲକ୍ଷ ୯୯ ହଜାର ୪୯୦ ମେଟ୍ରିକ୍‌ ଟନ୍‌ ଏବଂ ୧୭ ଲକ୍ଷ ୧୫ ହଜାର ୧୦୮ ମେଟ୍ରିକ୍‌ ଟନ୍‌ ଚାଉଳ ସଂଗ୍ରହ କରିଥିଲା।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ବିକେନ୍ଦ୍ରିକୃତ କ୍ରୟ (ଡିସିପି) ରାଜ୍ୟ ମାନ୍ୟତା ଲାଭ କରିଛି ଯେଉଁଠାରେ ରାଜ୍ୟ ସରକାରଙ୍କ ସଂସ୍ଥାଗୁଡ଼ିକ ଧାନ କ୍ରୟ କରିଥାନ୍ତି ଏବଂ ରାଜ୍ୟର ଆବଶ୍ୟକତା ପୂରଣ ହୋଇସାରିବା ପରେ ବଳକା ଚାଉଳ ଭାରତୀୟ ଖାଦ୍ୟ ନିଗମର କେନ୍ଦ୍ରୀୟ ପୁଲ୍‌କୁ ଯାଇଥାଏ।

ଚାଉଳ କିଣିବା ବାବଦରେ ଏଫସିଆଇ ପକ୍ଷରୁ ମିଲରମାନଙ୍କୁ ଧାନ କୁଟିବା ବାବଦରେ ଅର୍ଥ ମଧ୍ୟ ପଇଠ କରାଯାଇଥାଏ। ୨୦୨୨-୨୩  ବର୍ଷକୁ ଛାଡ଼ି ଦେଲେ ବିଗତ ତିନି ବର୍ଷ ମଧ୍ୟରେ ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡର ମିଲରମାନଙ୍କୁ ଏଫସିଆଇ ପକ୍ଷରୁ ପଇଠ କରାଯାଇଥିବା ଅର୍ଥରାଶିର ବିବରଣୀ ନିମ୍ନରେ ଉଲ୍ଲେଖ କରାଗଲା :

ଖରିଫ ବିପଣନ ଋତୁ ମିଲରମାନଙ୍କୁ ପଇଠ କରାଯାଇଥିବା ମିଲିଂ ଶୁଳ୍କ
ଛତିଶଗଡ଼ ଝାଡ଼ଖଣ୍ଡ ଓଡ଼ିଶା
2019-20 399.47 4.49 260.09
2020-21 345.14 8.40 275.75
2021-22 404.01 11.54 130.18

 ଓଡ଼ିଶାରେ ଏଫସିଆଇକୁ ବିତରଣ କରାଯାଇଥିବା ଚାଉଳର ତଥ୍ୟ ନିମ୍ନରେ ଦିଆଗଲା

(ତଥ୍ୟ ମେଟ୍ରିକ୍ଟନ୍ରେ)

କ୍ରଂସଂ ରାଜସ୍ୱ ଜିଲ୍ଲା ନାମ କେଏମଏସ 2019-20 କେଏମଏସ 2020-21 କେଏମଏସ 2021-22 କେଏମଏସ 2022-23

(13.07.2023 ସୁଦ୍ଧା)

1. ବରଗଡ 684433.16 701432.96 330672.99 357933.0518
2. ସମ୍ବଲପୁର 190597.28 224132.39 55230.64 153453.6714
3. ଝାରସୁଗୁଡ଼ା 18464.95 15060.52 11261.09 19812.258
4. ଦେବଗଡ଼ 0.00 0.00 0.00 144.828
5. ସୁନ୍ଦରଗଡ 0.00 5330.35 0.00 12712.867
6. ବଲାଙ୍ଗୀର 154746.29 187622.99 49738.01 106312.7729
7. ସୋନପୁର 242548.79 284223.57 205628.16 202222.8538
8. କଳାହାଣ୍ଡି 293505.41 324298.87 180704.76 254656.1819
9. ନୂଆପଡା 54879.74 66677.55 44972.90 83382.8744
10. ଗଞ୍ଜାମ 42747.43 28206.23 18899.15 67238.6558
11. କୋରାପୁଟ 17540.13 31347.37 13766.47 24947.9996
12. ମାଲକାନଗିରି 5444.93 17075.47 4025.22 13030.4
13. ରାୟଗଡ଼ା 3996.83 6431.09 898.32 0
14. ନବରଙ୍ଗପୁର 6203.61 7651.00 1853.98 14890.1104
15. ବାଲେଶ୍ୱର 0.00 0.00 0.00 16182.8574
16. ଭଦ୍ରକ 0.00 0.00 0.00 16208.451
17. ନୟାଗଡ଼ 0.00 0.00 0.00 9473.5912
18. ଢେଙ୍କାନାଳ 0.00 0.00 0.00 636.3242
ମୋଟ୍ 1715108.55 1899490.36 917651.69 1353239.7488

 

Categories
ବିଶେଷ ଖବର

ଓଡ଼ିଶାରେ INDIA ସଫଳ ହେବ ତ!

ଭୁବନେଶ୍ୱର: ଦେଶରେ କ୍ଷମତାସୀନ ଏନଡିଏ ବିରୋଧରେ ନିକଟରେ ବେଙ୍ଗାଲୁରରେ ୨୬ଟି ବିରୋଧି ଦଳ ପକ୍ଷରୁ ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ ଆଲାଏନ୍ସ (INDIA) ଗଠିତ ହୋଇଛି। ଆଗାମୀ ସାଧାରଣ ନିର୍ବାଚନରେ INDIA ଦଳଭୁକ୍ତ ଦଳମାନେ ଶାସକ ବିଜେପିକୁ ପରାସ୍ତ କରିବେ ବୋଲି ସମସ୍ତ ବିରୋଧିଦଳଗୁଡ଼ିକ ଆଶା ବାନ୍ଧି ବସିଛନ୍ତି। ସର୍ବଭାରତୀୟ ସ୍ତରରେ ଏଭଳି ଏକ ମେଣ୍ଟ ହୋଇଥିବାବେଳେ ଓଡ଼ିଶାରେ ଏହା ସମ୍ଭ କି ନୁହେଁ ତାହା ଏବେ ଆଲୋଚନାର ବିଷୟ ହୋଇଛି।

କଂଗ୍ରେସ ବିରୋଧୀ ଜନମତକୁ ପାଥେୟ କରି ୨୦୦୦ ମସିହା ପରଠାରୁ ପ୍ରଥମେ ବିଜେପି ସହିତ ମେଣ୍ଟ କରି, ୨୦୦୯ ପରଠାରୁ ଏକାକୀ ଶାସନ କ୍ଷମତାରେ ରହିଛି ବିଜୁ ଜନତା ଦଳ (ବିଜେଡି)। ୨୦୦୯ ପରଠାରୁ କେନ୍ଦ୍ରରେ ଯେଉଁ ଦଳ ଶାସନକୁ ଆସୁନା କାହିଁକି ସେମାନଙ୍କ ସହିତ ଉତ୍ତମ ସମ୍ପର୍କ ରକ୍ଷାକରି ଶାସକ ବିଜେଡି କ୍ଷମତା ବଜାୟ ରଖିଛି। କିନ୍ତୁ କୌଣସି ସର୍ବଭାରତୀୟ ମେଣ୍ଟ ସହିତ ନାହିଁ ବିଜେଡି। ଏନଡିଏ କୁହ ବା ୟୁପିଏ, ଏପରକି ବର୍ତ୍ତମାନର ‘INDIA’ଠାରୁ ସମଦୂରତା ରକ୍ଷା କରି ଆସିଛି ଶାସକ ବିଜେଡି।

୨୦୦୦ ମସିହା ପରଠାରୁ କଂଗ୍ରେସ ଯେଉଁ ସବୁ ଦଳ ସହିତ ମେଣ୍ଟ କରି ନିର୍ବାଚନ ଲଢ଼ିଛି ସେମାନେ ପରବର୍ତ୍ତୀ ସମୟରେ ଶାସକ ବିଜେଡି ସହିତ ରହିବାକୁ ଶ୍ରେୟସ୍କର ମନେକରିଛନ୍ତି। ୨୦୦୦ ମସିହାର କଂଗ୍ରେସ ବାମପନ୍ଥୀ ଦଳ ସିପିଆଇ, ସିପିଏମ ବ୍ୟତୀତ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ସହିତ ମେଣ୍ଟ କରି ଆସିଛି। କଂଗ୍ରେସର ଏହି ସହଯୋଗୀ ଦଳର ସଦସ୍ୟମାନେ ବିଭିନ୍ନ ସମୟରେ କଂଗ୍ରେସକୁ ଛାଡ଼ି ବିଜେଡିକୁ ସମର୍ଥନ ଦେଇ ଆସିଛନ୍ତି।

ଏପରିକି ଜେଏମଏମ ଦଳର ୪ଜଣ ସଦସ୍ୟ ବିଧାନସଭାକୁ ନିର୍ବାଚିତ ହୋଇ ଆସିବା ପରେ ଶାସକ ବିଜେଡିରେ ବିଲୀନ ହୋଇଯାଇଥିଲେ। ୨୦୦୮ରେ ମେଣ୍ଟ ସରକାରରୁ ବିଜେପି ଓହରି ଯିବା ପରେ ଜେଏମଏମ, ସିପିଆଇ, ସିପିଏମ, ଓଡ଼ିଶା ଗଣ ପରିଷଦର  ସଦସ୍ୟମାନେ ବିଜେଡି ସରକାରକୁ ସମର୍ଥନ କରିଥିଲେ। ୨୦୦୯ରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ବିଜେଡି ସହିତ ମେଣ୍ଟ କରି ୪ଟି ଆସନରେ ବିଜୟୀ ହୋଇଥିଲା। ପରେ ଏହି ୪ଜଣ ବିଧାୟକ ବିଧାୟକ ବିଜେଡି ସହିତ ବିଲୀନ ହୋଇଯାଇଥିଲେ।

ବର୍ତ୍ତମାନ ଓଡ଼ିଶାର ରାଜନୈତିକ ଦୃଶ୍ୟପଟରେ ଶାସକ ବିଜେଡି, ବ୍ୟତୀତ ବିଜେପି, କଂଗ୍ରେସ, ବାମପନ୍ଥୀମାନେ ରହିଛନ୍ତି। ଏନସିପିର ଅସ୍ତିତ୍ୱ ରାଜ୍ୟରେ ନାହିଁ। ଏପରିକି ଜେଏମଏମ ନିଜର ସ୍ଥିତି ଜାହିର କରିବା ପାଇଁ ସଂଘର୍ଷ କରୁଛି। ରାଜ୍ୟରେ ଥିବା ଅନ୍ୟାନ୍ୟ ଦଳ ସମାଜବାଦୀ ପାର୍ଟି, ଆରଜେଡି କେବଳ ସାଇନବୋର୍ଡ଼ ପାର୍ଟି ଭାବରେ ସୀମିତ ରହିଛନ୍ତି।

ପ୍ରେସ ରିଲିଜ ମାଧ୍ୟରେ ନିଜର ଉପସ୍ଥିତି ଜାହିର କରୁଥିବା ସମାଜବାଦୀ ପାର୍ଟି ବିଭିନ୍ନ ପ୍ରସଙ୍ଗରେ ସରକାରକୁ ଘେରୁଥିବାବେଳେ କୌଣସି ପ୍ରସଙ୍ଗରେ କଂଗ୍ରେସକୁ ସମର୍ଥନ କରୁଥିବା ପରିଲକ୍ଷିତ ହେଉନାହିଁ। ଏଭଳି ସ୍ଥିତିରେ ଓଡ଼ିଶାରେ INDIA ସଫଳ ହେବ ନାହିଁ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି। ଅପର ପକ୍ଷରେ NDA ମଧ୍ୟ ଓଡ଼ିଶାରେ ଏକାକୀ ରହିବ ବୋଲି ଜଣାପଡ଼ିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାର ଜାତୀୟ ରାଜପଥ ପ୍ରକଳ୍ପ କାମ ବିଳମ୍ବକୁ ନେଇ ଲୋକସଭାରେ ଉତ୍ତର ରଖିଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ଚାରିଟି ଜାତୀୟ ରାଜପଥ ପ୍ରକଳ୍ପ କାମରେ ବିଳମ୍ବକୁ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଆଜି ଲୋକସଭାରେ ଲିଖିତ ଉତ୍ତର ରଖିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମତି ମିଳିବାରେ ବିଳମ୍ବ ହେବା ଏବଂ କାମ ସାରିବାରେ ଠିକାଦାର ଡେରି କରିବା କାରଣରୁ ମୁଖ୍ୟତଃ ଏସବୁ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ହୋଇଛି। ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ମାର୍ଚ୍ଚ ୨୦୨୪ ସୁଦ୍ଧା ଏସବୁ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। କାମ ବିଳମ୍ବ ହେବା ଯୋଗୁ କେତେ ପରିମାଣରେ ଖର୍ଚ୍ଚ ବୃଦ୍ଧି ପାଇଛି ତାହାର ବର୍ତ୍ତମାନ ସୁଦ୍ଧା ଚୂଡ଼ାନ୍ତ ହିସାବ କରାଯାଇ ନାହିଁ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀ ଆହୁରି କହିଛନ୍ତି, ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ନିର୍ମାଣ କାମକୁ କେନ୍ଦ୍ର ସରକାର ଗୁରୁତ୍ୱର ଅନୁଧ୍ୟାନ କରୁଛନ୍ତି। କାମ ସାରିବାରେ ଦେଖା ଦେଉଥିବା ସମସ୍ୟାର ସମାଧାନ ଲାଗି ବିଭିନ୍ନ ସ୍ତରରେ ସମୟ ସମୟରେ ସମୀକ୍ଷା କରାଯାଉଛି ଏବଂ ସବୁ ଏନଏଚ ପ୍ରକଳ୍ପଗୁଡ଼ିକର କାମ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଢେଙ୍କାନାଳ ସମେତ ସବୁ ବିଳମ୍ବିତ ଜାତୀୟ ରାଜପଥ ପ୍ରକଳ୍ପ କାମକୁ କେନ୍ଦ୍ର ସରକାର ଅନୁଧ୍ୟାନ କରୁଛନ୍ତି।

ନୂଆ ଜାତୀୟ ରାଜପଥ ପ୍ରକଳ୍ପ କାମ ସାରିବା ପାଇଁ ସାଧାରଣତଃ ୨-୩ ବର୍ଷର ସମୟସୀମା ନିର୍ଦ୍ଧାରଣ କରାଯାଇଥାଏ। ତେବେ ଜମି ଅଧିଗ୍ରହଣ, ବିଭିନ୍ନ ମଞ୍ଜୁରି ଭଳି ସରକାରଙ୍କ ସର୍ତ୍ତ ପୂରଣ, ନିର୍ମାଣ ସାମଗ୍ରୀ ପରିବହନ, ଠିକାଦାରଙ୍କ ପକ୍ଷରୁ ବିଳମ୍ବ, ଟଙ୍କା ମିଳିବାରେ ବିଳମ୍ବ ଆଦି ବିଭିନ୍ନ କାରଣରୁ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହେବାରେ ଡେରି ହୋଇଥାଏ ବୋଲି ଶ୍ରୀ ଗଡ଼କରୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସିଙ୍ଗାପୁରରୁ ୬ ମାସିଆ ‘ପେଡ୍‌-ଇଣ୍ଟର୍ଣ୍ଣସିପ୍‌’ କରି ଓଡ଼ିଶା ଫେରିଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀ

ଭୁବନେଶ୍ୱର: ସିଙ୍ଗାପୁରର ବିଭିନ୍ନ କମ୍ପାନିରେ ସଫଳତାର ସହ ୬ ମାସିଆ ‘ପେଡ୍‌ ଇଣ୍ଟର୍ଣ୍ଣସିପ୍‌’ ଶେଷକରି ଓଡ଼ିଶା ଫେରିଛନ୍ତି ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀ। ଭୁବନେଶ୍ୱରରେ ପହଞ୍ଚିବା ପରେ ସେମାନଙ୍କୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ସ୍ୱାଗତ କରାଯାଇଥିଲା।

ଏହି ଛାତ୍ରଛାତ୍ରୀମାନେ ମଙ୍ଗଳବାର ଦିନ ସିଙ୍ଗାପୁର-ଭୁବନେଶ୍ୱର ସିଧାସଳଖ ବିମାନ ଯୋଗେ ଆସି ପହଞ୍ଚିଥିଲେ। ସେମାନଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱାଗତ କରାଯିବା ସହ ସ୍ୱତନ୍ତ୍ର ବସ୍‌ରେ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସେମାନଙ୍କୁ ପାରମ୍ପରିକ ଢାଞ୍ଚାରେ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା।

ଶିଳ୍ପ ତାଲିମ କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱ ଦକ୍ଷତା କେନ୍ଦ୍ର ବା ୱାର୍ଲ୍ଡ ସ୍କିଲ ସେଣ୍ଟରର ପ୍ରଥମ ବ୍ୟାଚର ଏହି ମେଧାବୀ ଛାତ୍ରଛାତ୍ରୀମାନେ ୬ ମାସ ବିଦେଶରେ ରହି ନିଜ ଜନ୍ମ ମାଟିକୁ ଫେରିଛନ୍ତି। ତେଣୁ ସେମାନଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଳକା ମିଶ୍ର ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ଅବସରରେ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସେଠାରେ ଛାତ୍ରଛାତ୍ରୀମାନେ ସିଙ୍ଗାପୁର ଇଣ୍ଟର୍ଣ୍ଣସିପ୍‌ ସମୟର ଅନୁଭୂତି ଓ ସେଠିକାର ପରିବେଶ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଅନ୍ତର୍ଜାତୀୟ ସ୍ତରର କମ୍ପାନିରେ କାମ କରି ଶିଖିବାର ଏଭଳି ସୁଯୋଗ ମିଳିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ତାଲିମ ନେଉଥିବା ବର୍ତ୍ତମାନର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ସେମାନେ ସିନିୟରମାନଙ୍କଠାରୁ ସିଙ୍ଗାପୁର ଇଣ୍ଟର୍ଣ୍ଣସିପ୍‌ ସମୟର ଅନୁଭୂତି ଶୁଣି ପ୍ରେରଣା ପାଇଥିଲେ।

‘‘ସିଙ୍ଗାପୁର ଯାଇ ସେଠାରେ ଏକ ବଡ଼ କମ୍ପାନିରେ ମୁଁ ଇଣ୍ଟର୍ଣ୍ଣସିପ୍‌ କରିବି ବୋଲି କେବେ ଭାବି ନଥିଲି। ୱାର୍ଲ୍ଡ ସ୍କିଲ ସେଣ୍ଟର ମତେ ଏହି ସୁଯୋଗ ଦେଇଛି। ତେଣୁ ଏଭଳି ଏକ ଅନୁଷ୍ଠାନରେ ତାଲିମ ନେଇ ମୁଁ ଗର୍ବିତ। ସେଠାରେ ଇଣ୍ଟର୍ଣ୍ଣସିପ୍‌ ବେଳେ ଯାହା ମୁଁ ଶିଖିପାରିଛି ତାହା ମୋ’ ଭବିଷ୍ୟତର କ୍ୟାରିୟରକୁ ଏକ  ନୂଆ ରାସ୍ତା ଦେଖାଇବାରେ ସାହାଯ୍ୟ କରିବ’’, କହନ୍ତି ମାନସ କୁମାର ଦାସ।

‘‘ସ୍କୁଲରେ ପାଠ ପଢ଼ିବା ବେଳୁ ମୁଁ ପ୍ରୋଜେକ୍ଟ ଇଞ୍ଜିନିୟର ହେବା ଲାଗି ସ୍ୱପ୍ନ ଦେଖିଥିଲି। ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ମୋର ଏହି ସ୍ୱପ୍ନକୁ ପୂରଣ କରିଛି। ବିଶେଷକରି ଇଞ୍ଜିନିୟରିଂ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସାରୋ ପୃଥିବୀରେ ପରଚିତ ସିଙ୍ଗପୁର ଭଳି ଏକ ବଡ଼ ସହରରେ ଇଣ୍ଟର୍ଣ୍ଣସିପ୍‌ କରିବା ଫଳରେ ମୋ’ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଅରଜି ପୃଥିବୀରେ ଯେକୌଣସି ସ୍ଥାନରେ ଯାଇ କାମ କରିବାକୁ ସାହସ କରିପାରିବି’’, କହନ୍ତି ଭାଗ୍ୟଶ୍ରୀ ରାଉତ।

ଏହି ସ୍ୱାଗତ କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକ, ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ସଙ୍ଗରଣ ଗୋପାଳ, ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ, ନିର୍ଦ୍ଦେଶକ (ପ୍ରଶାସନ) କେରୱିନ ହିଙ୍ଗ ପ୍ରମୁଖ ଯୋଗ ଦେଇଥିଲେ।

‘ସ୍କିଲ୍‌ଡ ଇନ୍‌ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି। ଏଠାରେ ଅନ୍ତର୍ଜାତୀୟ ମାନର ବିଭିନ୍ନ ଅତ୍ୟାଧୁନିକ ଦକ୍ଷତା ବିକାଶ ପାଠ୍ୟକ୍ରମ ରହିଛି।

ସିଙ୍ଗାପୁର ସରକାରଙ୍କ ସହ ଓଡ଼ିଶା ସରକାରଙ୍କ ବୁଝାମଣା ଅନୁଯାୟୀ ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ ଅଧୀନରେ ୱାର୍ଲ୍ଡ ସ୍କିଲ ସେଣ୍ଟରର ୪୦ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରତି ବର୍ଷ ଦୁଇ ସପ୍ତାହ ଲାଗି ସିଙ୍ଗାପୁର ପଠାଯାଉଛି। ସେହିପରି ପ୍ରତି ବର୍ଷ କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀଙ୍କୁ ବାଛି ସିଙ୍ଗାପୁରର ବିଭିନ୍ନ କମ୍ପାନିରେ ୬ ମାସିଆ ‘ପେଡ୍‌-ଇଣ୍ଟର୍ଣ୍ଣସିପ୍‌’ର ସୁଯୋଗ ଦିଆଯାଉଛି।

 

 

 

Categories
ଆଞ୍ଚଳିକ

ଓଡ଼ିଶା ଯୁବ ବୈଜ୍ଞାନିକ ପୁରସ୍କାରରେ ସମ୍ମାନିତ ହେଲେ ବାଣପୁରର ଯୁବ ବୈଜ୍ଞାନିକ ଶଶାଙ୍କ

ସୀତାରାମ ଅଗ୍ରୱାଲ

ବାଣପୁର: ଓଡ଼ିଶା ବିଜ୍ଞାନ ଏକଡେମୀ ପକ୍ଷରୁ ‘ବୈଜ୍ଞାନିକ ସମ୍ବଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ-୨୦୨୦’ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏକାଡେମୀର ସଭାପତି ପ୍ରଫେସର ବିଭୂତି ଭୂଷଣ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଜ୍ଞାନିକମାନଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରିଥିଲେ।

ବିଜ୍ଞାନ ଓ କାରିଗରୀ ବିଭାଗ ଉଦ୍ଭାବନ, ଷ୍ଟାର୍ଟ ଅପ୍ ଓ ଇକୋ-ସିଷ୍ଟମ୍‌ ବିକାଶ କ୍ଷେତ୍ରରେ ସଫଳ ପଦକ୍ଷେପ ନେଇଛି ବୋଲି ଶ୍ରୀ ପଣ୍ଡା କହିଥିଲେ। ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍ ସମ୍ମାନିତ ଅତିଥୁ ରୂପେ ଯୋଗଦେଇଏକଡେମୀ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ପତ୍ରର ଅଡିଓ ସଂସ୍କରଣ ଜାରି କରିବା ପାଇଁ ପ୍ରସ୍ତାବ ଦେଇଥିଲେ।

ଏହି ଅବସରରେ ଓଡ଼ିଶାରେ କାର୍ଯ୍ୟରତ ଯୁବ- ବୈଜ୍ଞାନିକ ଡ. ଶଶାଙ୍କ ଶେଖର ସ୍ଵାଇଁଙ୍କୁ ଜୀବ ଓ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ପାଇଁ “ଓଡ଼ିଶା ଯୁବ ବୈଜ୍ଞାନିକ” ପୁରସ୍କାର ସହ ୨୫ ହଜାର ଅର୍ଥରାଶି ପ୍ରଦାନ କରାଯାଇଥିଲା।

ସୂଚନା ଥାଉକି ଡକ୍ଟର ଶଶାଙ୍କ ଶେଖର ସ୍ୱାଇଁ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ‘ଏକଡାଳିଆ’ ଗ୍ରାମର ବ୍ରଜକିଶୋର ସ୍ୱାଇଁଙ୍କ ପୁତ୍ର। ସେ ୧୯୯୦ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ୱୟଂଶାସିତ କଲେଜରୁ ‘ଜୈବପ୍ରଯୁକ୍ତିତଥ୍ୟବିଦ୍ୟା’ ରେ ସ୍ନାତକ ୨୦୧୦ ଏବଂ ସ୍ନାତକୋତ୍ତର ୨୦୧୨ ରେ ସମାପ୍ତ କରିଛନ୍ତି। ସେ ଶିକ୍ଷା ‘ଓ’ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରୁ ‘ଜୈବପ୍ରଯୁକ୍ତିବିଦ୍ୟା’ ରେ ପି.ଏଚଡି. (ଡ଼କ୍ଟରେଟ) ୨୦୧୯ ମସିହାରେ ରେ ହାସଲ କରିଛନ୍ତି। ବର୍ତ୍ତମାନ, ସେ ଆଧୁନିକ ବିଜ୍ଞାନ ପାଇଁ ନାନୋମେଡିସିନ୍ ପ୍ରୟୋଗ କ୍ଷେତ୍ରରେ ଭୁବନେଶ୍ୱର ସ୍ଥିତ ‘ଡିବିଟି-ଜୀବ ବିଜ୍ଞାନ ସଂସ୍ଥାନ’ ର ନାନୋମେଡିସିନ୍ ଲାବୋରେଟୋରୀରେ ‘ପୋଷ୍ଟଡକ୍ଟରାଲ୍ ଫେଲୋ’ ଭାବରେ କାର୍ଯ୍ୟ କରିଆସୁଅଛନ୍ତି।

ସେ ଗବେଷଣା କ୍ଷେତ୍ରରେ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପାଇଥିବା ବେଳେ ସେ ଅନେକ ଖ୍ୟାତିସମ୍ପର୍ଣ ଆନ୍ତର୍ଜାତୀୟ ଅନୁସନ୍ଧାନ ଅନୁଷ୍ଠାନ ରେ ଜଣେ ସକ୍ରିୟ ଏବଂ ଖ୍ୟାତିସମ୍ପନ୍ନ ପତ୍ରିକାର ସମ୍ପାଦକୀୟ ବୋର୍ଡ ସଦସ୍ୟ ସହିତ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କୁ ବ୍ୟବହାର କରି ପ୍ରାକୃତିକ ଉତ୍ପାଦ ଭିତ୍ତିକ ଔଷଧ ମାଧ୍ୟମରେ ଏକ ସୁସ୍ଥ, ସଂକ୍ରମଣ ବିହୀନ ରାଷ୍ଟ୍ର ଗଠନ ଦିଗ ରେ କାର୍ଯ୍ୟରତ ଅଛନ୍ତି।

Categories
ଆଜିର ଖବର ଖେଳ ମନୋରଂଜନ ରାଜ୍ୟ ଖବର

ଜୀସାର୍ଥକ ‘ରଜ କୁଇନ୍‌ ୨୦୨୩’ ଗ୍ରାଣ୍ଡ ଗ୍ରାଣ୍ଡ ଫିନାଲେ ରେ ସିଦ୍ଧାନ୍ତ,ଶ୍ରୀତମ ଓ ଏଲିନା

ଭୁବନେଶ୍ଵର: ଓଡ଼ିଶା ଟେଲି ଦୁନିଆର ସବୁଠାରୁ ଲୋକପ୍ରିୟ ରିଏଲିଟି ସୋ ହୋଇଛି ଜୀ ସାର୍ଥକର ‘ରଜ କୁଇନ୍‌–ଉଡ଼ିଯା…ଆକାଶଟା ତୋ’ର’। ରାଜ୍ୟର ସଂସ୍କୃତି ଓ ପରମ୍ପରାକୁ ନେଇ ଏହି ଲୋକପ୍ରିୟ ରିଏଲିଟି ସୋ ଏପ୍ରିଲ୍ ୨୨ ରୁ ଆରମ୍ଭ ହୋଇ ଓଡିଶାର ମନୋରଂଜନ ଚ୍ୟାନେଲ ଜୀ-ସାର୍ଥକରେ ପ୍ରତ୍ୟେକ ଶନିବାର ଓ ରବିବାର ରାତି ୯.୩୦ମିନିଟ୍ ରେ ପ୍ରସାରିତ ହୋଇ ଆସୁଛି। ୧୧ ବର୍ଷରେ ପଦାର୍ପଣ କରୁଥିବା ଜୀ-ସାର୍ଥକର ଏହି ରିଏଲିଟି ଶୋ ଆଗରୁ ବହୁ ବିଜେତା ଓ ପ୍ରତିଯୋଗୀଙ୍କ ଭବିଷ୍ୟତ ଗଢିବାରେ ଏକ ପ୍ରମୁଖ ମାଧ୍ୟମ ହୋଇପାରିଛି। ବିଜେତାମାନେ ଚଳଚ୍ଚିତ୍ର ଓ ଧାରାବାହିକ ରେ ଅଭିନୟ ସୁଯୋଗ ପାଇବା ସହ ନିଜର ଭବିଷ୍ୟତକୁ ସ୍ୱର୍ଣ୍ଣିମ କରିପାରିବେ।

ଏଥର ମଧ୍ୟ ବହୁତ ବଡ଼ ଆକାରରେ ଆରମ୍ଭ ହୋଇଥିବା “ରଜ କୁଇନ୍ ୨୦୨୩” ରିଏଲିଟି ସୋ ପହଞ୍ଚିଛି ତାର ଶେଷ ପାହଚରେ। ପ୍ରତିଯୋଗୀ ମାନେ ଉଚ୍ଚହସ୍ତରର ପ୍ରଦର୍ଶନ ଜାରି ରଖିଛନ୍ତି ହେଲେ ଏହି ପ୍ରତିଯୋଗିତା ପହଞ୍ଚିଛି ତାର ଶେଷ ପର୍ଯ୍ୟାୟରେ, ଆସନ୍ତା ରବିବାର ସନ୍ଧ୍ୟା ୬:୩୦ ରେ ଦେଖିବେ ଓଡ଼ିଶା ଟେଲି ଦୁନିଆର ସବୁଠାରୁ ଲୋକପ୍ରିୟ ରିଏଲିଟି ସୋ ‘ରଜ କୁଇନ୍‌–ଉଡ଼ିଯା…ଆକାଶଟା ତୋ’ର’ ଗ୍ରାଣ୍ଡ ଗ୍ରାଣ୍ଡ ଫିନାଲେ କେବଳ ଜୀ-ସାର୍ଥକରେ।  ବହୁ ପ୍ରତିଭାବାନ ପ୍ରତିଯୋଗୀ ମାନଙ୍କୁ ନେଇ ଏହି ରିଏଲିଟି ସୋ ବିଭିନ୍ନ ପ୍ରତିଯୋଗିତା ମୂଳକ ରାଉଣ୍ଡ ଦେଇ ଗତି କରିବା ସହ ଏଲିମିନେସନ ରାଉଣ୍ଡ ଶେଷରେ ୧୨ ଜଣ ପ୍ରତିଯୋଗୀଙ୍କୁ ନେଇ ତାର ଗ୍ରାଣ୍ଡ ଗ୍ରାଣ୍ଡ ଫିନାଲେରେ ପହଞ୍ଚିଛି। ଆଉ ଗ୍ରାଣ୍ଡ ଗ୍ରାଣ୍ଡ ଫିନାଲେର କାରଣ ହେଉଛି ଫିନାଲେରେ ରହିବ ୩୦ ରୁ ଅଧିକ ପ୍ରଦର୍ଶନ।

ତେବେ ଦର୍ଶକ ମାନେ କେବଳ ପ୍ରତିଯୋଗୀ ମାନଙ୍କର ପ୍ରଦର୍ଶନ ନୁହେଁ, ଅନ୍ୟ କଳାକାର ମାନଙ୍କର ପ୍ରଦର୍ଶନ ମଧ୍ୟ ଦେଖିବାକୁ ପାଇବେ। ଯେପରିକି ଜୀ-ସାର୍ଥକର ମେଗା ଧାରାବାହିକ ‘ଖୁସିର ଛୁଙ୍କ’ ର ଖୁସି , ‘ମୁଁ ବି ବିଜୟିନୀ’ ର ସ୍ତୁତି , ‘ଝିଲ୍ଲୀ’ର ଝିଲ୍ଲୀ ଓ ‘ସାଥିରେ’ ର ଧାରାଙ୍କ ଛଡ଼ା ଲୋକପ୍ରିୟ କଳାକାର ଦିବ୍ୟା, ଶୀତଲ, ତମନ୍ନା, ଶୈଳେନ୍ଦ୍ର, ସ୍ଵରାଜ, ଓ ପୂନମ ଙ୍କ ସହିତ ଲୋକପ୍ରିୟ ଗାୟକ ଓ ଗାୟିକା ଯେପରିକି ଅସୀମା ପଣ୍ଡା, ଗୁଡଲି ରଥ (ସଙ୍ଗୀତ ନିର୍ଦେଶକ), କୁଲଦୀପ, ତାରିକ ଅଜିଜ୍, ଗୌରବ ଓ ପ୍ରଜ୍ଞା ଙ୍କ ଗୀତ ମଧ୍ୟ ଶୁଣିବାକୁ ପାଇବେ।

“ଦର୍ଶକଙ୍କୁ ଭରପୁର ମନୋରଂଜନ ଦେଇ ‘ରଜ କୁଇନ୍‌’ ଏଥର ବହୁଳ ଭାବରେ ଲୋକାଦୃତ ହୋଇଛି। ଏହି ରିଏଲିଟି ସୋ ର ବିଜେତା ନିଶ୍ଚୟ ଭାବରେ ଓଡିଆ ମନୋରଂଜନ ଦୁନିଆରେ ବହୁ ସୁଯୋଗର ହକଦାର ହେବେ। ଏହି ରିଏଲିଟି ସୋ’ ର ପ୍ରମୁଖ ଆକର୍ଷଣ ସାଜିଥିବା ଓଡିଆ ସିନେମା ଜଗତର ତିନି ଲୋକପ୍ରିୟ କଳାକାର ସିଦ୍ଧାନ୍ତ ମହାପାତ୍ର, ଏଲିନା ସାମନ୍ତରାୟ ଓ ଶ୍ରୀତମ ଦାସଙ୍କ ପରି ଜଜ୍ ମାନେ ପ୍ରତିଯୋଗୀଙ୍କୁ ତାଙ୍କ ଦକ୍ଷତା ଅନୁଯାୟୀ ପରଖିବେ। ଏହି ପ୍ରତିଯୋଗିତାର ଗ୍ରାଣ୍ଡ ଗ୍ରାଣ୍ଡ ଫିନାଲେ ବହୁତ ଦର୍ଶନୀୟ ହେବ ଓ ଆପଣମାନେ ଦେଖିପାରିବେ ଏହି ଫିନାଲେରେ ବିଭିନ୍ନ ପ୍ରଦର୍ଶନ। ତେଣୁ ଯୋଡି ହୋଇ ରୁହନ୍ତୁ ଜୀ ସାର୍ଥକ ସହ,” କହିଛନ୍ତି ଜୀ-ସାର୍ଥକର ଚିଫ କ୍ଲଷ୍ଟର ହେଡ୍ ସମ୍ରାଟ ଘୋଷ ଏବଂ ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ।

Categories
ଆଜିର ଖବର ରାଜ୍ୟ ଖବର

ଜୁଲାଇ ତୃତୀୟ ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶାରେ ଯଦିଓ ମୌସୁମୀ ଦୁର୍ବଳ ରହିଛି ବଙ୍ଗୋପସାଗରରୁ ଉପକୂଳ ଆଡକୁ ଦକ୍ଷିଣ-ପୂର୍ବ ପବନର ପ୍ରବାହ ଯୋଗୁଁ ଜୁଲାଇ ୧୧ ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଆଜି ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ଏକ ବୁଲେଟିନ୍‌ରେ କୁହାଯାଇଛି।

ପରିବେଶରେ ପର୍ଯ୍ୟାପ୍ତ ପରିମାଣର ଜଳୀୟ ବାଷ୍ପ ରହିଥିବାରୁ ଏବଂ ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ଗୁଳୁଗୁଳି ଯୋଗୁଁ ମୌସୁମୀ ଦୁର୍ବଳ ହୋଇ ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେଉଛି ବୋଲି ଏଥିରେ କୁହାଯାଇଛି।

ତେବେ ଜୁଲାଇ ୧୮ରେ ଉତର-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ଯୋଗୁଁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ଏବଂ ସେହି ଦିନ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ଧୀରେ ଧୀରେ ଘନୀଭୂତ ହୋଇ ଜୁଲାଇ ୨୦ ତାରିଖ ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ ବୋଲି ବୁଲେଟିନ୍‌ରେ କୁହାଯାଇଛି।
ଏହାର ପ୍ରଭାବରେ ଜୁଲାଇ ୨୧ ରୁ ୨୩ ତାରିଖ ମଧ୍ୟରେ ଉତର-ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କୁହାଯାଇଛି।