Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସଂସ୍କୃତି

ଅକ୍ଷୟ ତୃତୀୟାରେ କୃଷକ ଦେବତାଙ୍କ ପୂଜା

ପ୍ରତାପ ସାହୁ

ଭାରତ ହେଉଛି ଏକ କୃଷିପ୍ରଧାନ ଦେଶ। ଓଡ଼ିଶାରେ ଶତକଡ଼ା ୮୫ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ । ଓଡ଼ିଶାରେ ସାଧାରଣତଃ ଧାନ, ବିରି, ମୁଗ, କୋଳଥ, ହରଡ଼, ନଳିତା, ଚିନାବାଦାମ ଓ ସୂର୍ଯ୍ୟମୁଖୀ ଠାରୁ ଆରମ୍ଭ କରି ବିଭିନ୍ନ କିସମର ଚାଷ କରାଯାଇଥାଏ।

ସେତେବେଳେ ଲାଲାବାହାଦୂର ଶାସ୍ତ୍ରୀ ପ୍ରଥମ କରି ‘ଜୟ ଜବାନ-ଜୟ କିଷାନ’ର ସ୍ଲୋଗାନ ଦେଇ କୃଷକମାନଙ୍କୁ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। କୃଷକମାନେ ହେଉଛନ୍ତି ଦେଶର ଅନ୍ନଦାତା। କିନ୍ତୁ କୃଷକଟିଏ ଖାଲି ପରିଚୟ ପାଇଗଲେ, ତାର ଯେ ସବୁ ଦୁଃଖ ଦୂର ହୋଇଯିବ, ଏକଥା ଭାବିବା ଭୁଲ। କୃଷକମାନଙ୍କୁ ବିନା ସୁଧରେ ଋଣ, ଠିକ୍ ସମୟରେ ସାର, ବିହନ ଓ କୀଟନାଶକ ଔଷଧ ଯୋଗାଇଦେବା ସହ କୃଷକର ଉତ୍ପାଦିତ ଫସଲକୁ ବଜାରରେ କିପରି ବିକ୍ରୟ କରାଯାଇପାରିବ ସେଥିପ୍ରତି ଧ୍ୟାନ ଦେବା ସହ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ଦୁର୍ବିପାକରେ ଚାଷୀର ଯେଉଁ କ୍ଷତି ଘଟୁୁଛି, ସେ କ୍ଷତିକୁ ଭରଣା କରାଯାଇ ପାରିଲେ ଚାଷୀ ତାର ଉପଯୁକ୍ତ ପ୍ରାପ୍ୟ ପାଇପାରିବ।

କୃଷକମାନଙ୍କୁ ସମ୍ମାନ ଦେବାକୁ ଯାଇ ୨୦୦୫ ମସିହାରେ ସମାଜସେବୀ ତଥା ଉଦୀୟମାନ ଯୁବକ ପ୍ରତାପ କୁମାର ସାହୁ ନିଜ ଗ୍ରାମ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ବରାହିଁପୁର ପଞ୍ଚାୟତର ମଣିଜୋରୀ ଗ୍ରାମରେ ଭାରତର ସର୍ବପ୍ରଥମ କୃଷକ ମନ୍ଦିର ପ୍ରତିଷ୍ଠା କରିଥିଲେ।

ସେହିଦିନ ଠାରୁ ପ୍ରତିବର୍ଷ କୃଷକମାନଙ୍କର ପବିତ୍ର ଉତ୍ସବ ‘ଅକ୍ଷୟ ତୃତୀୟ’ ଦିନ ଉକ୍ତ କୃଷକ ମନ୍ଦିରରେ ହୋମଯଜ୍ଞ କରାଯିବା ସହ ହଳ ପ୍ରତିଯୋଗିତା, ଗାଈ ଗୋରୁମାନଙ୍କ ପାଇଁ ସ୍ୱାସ୍ଥ୍ୟସେବା ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଥାଏ। ସେଠାରେ କୃଷକମାନଙ୍କୁ ଉତ୍ସାହିତ କରିବା ପାଇଁ ହଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ପିତଳ ବାଲଟି, ଘଣ୍ଟି, ପଘା, ପାଞ୍ଚଣ ଏବଂ ଭିଟାମିନ ଖାଦ୍ୟ ପ୍ରଦାନ କରାଯିବା ସହ ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥାଏ। ସେଠାକୁ ଆସୁଥିବା ସବୁ ପଶୁମାନଙ୍କୁ ଉତ୍ତମ ଓ ଭିଟାମିନଯୁକ୍ତ ଖାଦ୍ୟ, ସାର୍ଟିଫିକେଟ, ଘଣ୍ଟି, ପଘା, ପାଞ୍ଚଣ ପ୍ରଦାନ କରାଯାଇଥାଏ।

ଏତଦ୍‌ବ୍ୟତୀତ ସେଠାରେ ସୁନ୍ଦର ଗାଈ ପ୍ରତିଯୋଗିତା ମଧ୍ୟ କରାଯାଏ। ଉକ୍ତ ଗାଈ ଗୁଡ଼ିକୁ ଭିଟାମିନ, ପିତଳ ବାଲଟି, ସାର୍ଟିଫିକେଟ ପ୍ରଦାନ କରାଯାଇଥାଏ। ଏଥିସହିତ ମାହାଙ୍ଗା ବ୍ଲକର ଶ୍ରେଷ୍ଠଚାଷୀ ଯଥା ମୁଗ, ଧାନ, ନଳିତା, ଚିନାବାଦାମ, ବିରି ଓ କୋଳଥ ଚାଷୀମାନଙ୍କୁ ଫୁଲତୋଡ଼ା, ଉତ୍ତରୀୟ, ମାନପତ୍ର ପ୍ରଦାନ କରାଯିବା ସହିତ ସମ୍ମାନିତ କରାଯାଇଥାଏ।

ଏଠାରେ ସୂଚନାଯୋଗ୍ୟ ଯେ, ଦିନରାତି, ଶୀତକାକର, ଖରାବର୍ଷାକୁ ଖାତିର ନକରି ନିଜର ଲୁହ ଲହୁ ଢାଳି ଦେଶବାସୀଙ୍କୁ ଖାଦ୍ୟ ବସ୍ତ୍ର ଯୋଗାଉଥିବା ଅନ୍ନଦାତା କୃଷକମାନଙ୍କୁ ସ୍ମରଣୀୟ କରିବା ପାଇଁ କୃଷକ ମନ୍ଦିରଟିଏ ପ୍ରତିଷ୍ଠା କରାଯାଇଛି। ଏଠାରେ ପ୍ରତ୍ୟେକ ଦିନ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ସହ ସନ୍ଧ୍ୟା ସମୟରେ ମଧ୍ୟ ଧୂପଦୀପ ଦେଇ ପୂଜାର୍ଚ୍ଚନା କରାଯାଇଥାଏ।

ଏହି ମନ୍ଦିରଟି ୨୦୦୫ ମସିହାରେ ପ୍ରତିଷ୍ଠା କରାଯାଇଥିଲେ ମଧ୍ୟ ଦୀର୍ଘ ୨୦ ବର୍ଷ ଧରି ମନ୍ଦିରଟି ସଦାସର୍ବଦା ନୂତନ ମନ୍ଦିର ନିର୍ମିତ ଭଳି ଦେଖାଯାଇଥାଏ। ଏହି ମନ୍ଦିରରେ ପବିତ୍ର ଅକ୍ଷୟ ତୃତୀୟ ଦିନ ହଜାର ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଉଥିବା ବେଳେ ଦୂରଦୂରାନ୍ତରରୁ ବହୁ ବ୍ୟକ୍ତି ମନ୍ଦିର ଦର୍ଶନ କରିବାକୁ ଏଠାକୁ ଆସିଥାନ୍ତି। ସ୍ଥାନୀୟ ଜନସାଧାରଣଙ୍କ କହିବା ଅନୁସାରେ ଯେତେବେଳେ ପ୍ରାକୃତିକ ଦୁର୍ବିପାକରେ ଚାଷୀଙ୍କ ଫସଲ ଉଜୁଡ଼ିଯାଏ କିମ୍ବା ଚାଷୀମାନେ ଚାଷକାର୍ଯ୍ୟକୁ ଯାଆନ୍ତି, ସେତେବେଳେ ଏହି କୃଷକ ମନ୍ଦିରରେ ପ୍ରାର୍ଥନା କରି ବିଲକୁ ଗଲେ, ଭଲ ଫସଲ ଅମଳ ହୁଏ ବୋଲି ଏଠାକାର ଚାଷୀଙ୍କର ବିଶ୍ୱାସ ରହିଛି। ଏହି ମନ୍ଦିରରେ କୃଷକ ଦେବତାଙ୍କ ଡ଼ାହାଣ ହାତରେ ପାଞ୍ଚଣ, ବାମ କାନ୍ଧରେ ଲଙ୍ଗଳ, ମୁଣ୍ଡରେ ତଲେଇ, ଅଣ୍ଟାରେ ଗାମୁଛା ଭିଡ଼ି କ୍ଷେତକୁ କାମ କରିବାକୁ ଯାଉଥିବାର ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଅଛି।

ଏହି ମନ୍ଦିରକୁ ପୂଜାର୍ଚ୍ଚନା କରୁଥିବା ଝୁମ୍ପେଇ ମାଉସୀ, ମୁରଲୀ ନନା ଦେହତ୍ୟାଗ କରିଥିବା ବେଳେ ମନ୍ଦିରକୁ ଉଦ୍‌ଘାଟନ କରିଥିବା ବିପ୍ଲବୀ କବି ରବି ସିଂ ଓ ପ୍ରାକ୍ତନ ସାଂସଦ ମୋହନ ଜେନା ମଧ୍ୟ ଦେହତ୍ୟାଗ କରିସାରିଛନ୍ତି। ସ୍ଥାନୀୟ ଚାଷୀମାନଙ୍କ କହିବା ଅନୁସାରେ ଯେତେଦିନ ପର୍ଯ୍ୟନ୍ତ ଆମେ ଏଠାରେ ବଞ୍ôଚରହିଛୁ, ସେତେଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଏହି କୃଷକ ମନ୍ଦିରରେ ଅକ୍ଷୟ ତୃତୀୟା ଉତ୍ସବ ମହାଆଡ଼ମ୍ବରରେ ପାଳନ କରିବୁ। ଏଥିସହିତ ସେମାନେ କୃଷକ ମନ୍ଦିରର ପ୍ରତିଷ୍ଠାତା ପ୍ରତାପ କୁମାର ସାହୁଙ୍କୁ ସାଧୁବାଦ ଜଣାଇଛନ୍ତି। କୃଷକ ମନ୍ଦିରର ପ୍ରତିଷ୍ଠାତା ପ୍ରତାପ କୁମାର ସାହୁ ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ଯେ, ଅକ୍ଷୟ ତୃତୀୟା ଦିନଟିକୁ ସରକାରୀ ଛୁଟି ଘୋଷଣା କରାଯାଉ ଏବଂ ଓଡ଼ିଶାର ପ୍ରତ୍ୟେକ ବ୍ଲକ ମୁଖ୍ୟାଳୟରେ ଗୋଟିଏ ଗୋଟିଏ କୃଷକ ମନ୍ଦିର ପ୍ରତିଷ୍ଠା କରାଯାଉ।

ବିଧାନସଭାରେ ମୃତ କୃଷକମାନଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରାଯାଉ। ବର୍ତ୍ତମାନ ନିରୂପମା ସାହୁ ମନ୍ଦିରର ରକ୍ଷଣାବେକ୍ଷଣ ଓ ପୂଜାର୍ଚ୍ଚାନ ଦାୟିତ୍ୱ ନେଇଛନ୍ତି। ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କ ଭଳି ଦେଶବାସୀଙ୍କୁ ଅନ୍ନ ଯୋଗାଉଥିବା କୃଷକମାନଙ୍କୁ ପେନସନ ଦେବାର ବ୍ୟବସ୍ଥା କରନ୍ତୁ, ପ୍ରତ୍ୟେକ ଜିଲ୍ଲାରେ କୃଷକ ସଂଗ୍ରାହଳୟ ପ୍ରତିଷ୍ଠା କରାଯାଉ। ଯଦି କୌଣସି ବ୍ୟକ୍ତି କୃଷକ ମନ୍ଦିର ଦର୍ଶନ କରିବାକୁ ଚାହାଁନ୍ତି, ତେବେ ସେମାନେ ଭୁବନେଶ୍ୱରରୁ କଟକ, କଟକରୁ ସାଲେପୁର, ସାଲେପୁରରୁ କୁଆଁପାଳ ରାସ୍ତାରେ ଗଲେ ଛତରତୋଟା ଏବଂ ଛତରତୋଟାରୁ ୫ କି.ମି ଡ଼ାହାଣକୁ ଗଲେ ମାହାଙ୍ଗା ଥାନା, ବରାହିପୁର ପଞ୍ଚାୟତର ମଣିଜୋରି ଗ୍ରାମକୁ ଯାଇ ଏହି କୃଷକ ମନ୍ଦିର ଦର୍ଶନ ଓ ପୂଜାର୍ଚ୍ଚନା କରିପାରିବେ।

ମଣିଜୋରି, ଗୋକନ ମାହାଙ୍ଗା, କଟକ
ମୋ : ୯୪୩୮୧୮୨୭୭୫

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ଏପିଡା ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ମିଳିତ କ୍ଷମତା ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ଵର: କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ବିକାଶ ପ୍ରାଧିକରଣ (ଏପିଡା) ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ମିଳିତ ଭାବେ ଭୁବନେଶ୍ୱରର ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ର ଡ. ଏମ୍. ଏସ୍. ସ୍ୱାମୀନାଥନ କକ୍ଷରେ ଓଡ଼ିଶାର କୃଷି ଉତ୍ପାଦ ରପ୍ତାନୀକୁ ପ୍ରୋତ୍ସାହନ ଦେବା ଲାଗି ଏକ କର୍ମଶାଳା ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ କୃଷକ ଉତ୍ପାଦକ ସଂଗଠନ (ଏଫପିଓ)/କୃଷକ ଉତ୍ପାଦକ କମ୍ପାନୀ, ମହିଳା କୃଷି ଉଦ୍ୟୋଗୀ, ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ଏବଂ ସମଗ୍ର ଓଡ଼ିଶାର ରପ୍ତାନିକାରୀଙ୍କ ପ୍ରତିନିଧିତ୍ୱରେ ୧୦ରୁ ଅଧିକ ଷ୍ଟଲ ପ୍ରଦର୍ଶିତ ହୋଇଥିଲା। ଏହି ବିଶ୍ୱବିଦ୍ୟାଳୟରେ କୋରାପୁଟ କଳାଜିରା ଚାଉଳ, ନୟାଗଡ କଣ୍ଟେଇମୁଣ୍ଡି ବାଇଗଣ, ଗଞ୍ଜାମ କିଆ ଫୁଲ ଉତ୍ପାଦ, କୋରାପୁଟ କଫି ଏବଂ କନ୍ଧମାଳ ହଳଦୀ ଭଳି ଜିଆଇ ଉତ୍ପାଦ, କେନ୍ଦ୍ରାପଡ଼ା ରସାବଳୀ, ସାଲେପୁର ରସଗୋଲା, ଖଜୁରୀ ଗୁଡ, ଢେଙ୍କାନାଳ ମଗଜୀ ଲଡ଼ୁ ଏବଂ ମୟୂରଭଞ୍ଜ କାଇ ଚଟଣୀ ଭଳି ରାଜ୍ୟର ଅନେକ ଜିଆଇ ଟ୍ୟାଗ୍ ଏବଂ କୃଷି ଉତ୍ପାଦ ପ୍ରଦର୍ଶିତ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ତାଙ୍କ ଅଭିଭାଷଣରେ ରାଜ୍ୟରୁ କୃଷି ରପ୍ତାନୀ, ବିଶେଷ କରି ଜୈବିକ ସାମଗ୍ରୀର ରପ୍ତାନୀ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ବିଶ୍ୱ ବଜାରରେ ପ୍ରୋତ୍ସାହନ ପାଇଁ ରାଜ୍ୟରୁ ଜିଆଇ ଉତ୍ପାଦ ସମେତ ଉତ୍ପାଦଗୁଡ଼ିକର ଅନୁସନ୍ଧାନ କରିବାକୁ ସେ ରପ୍ତାନିକାରୀମାନଙ୍କୁ ଉତ୍ସାହିତ କରିଥିଲେ। ରାଜ୍ୟରୁ କୃଷି ରପ୍ତାନୀ ବୃଦ୍ଧି ଦିଗରେ ରାଜ୍ୟ ସରକାରଙ୍କ ସହ ଏପିଡାର ସକ୍ରିୟ ସହଯୋଗକୁ ସେ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର କୃଷି ରପ୍ତାନୀ ବୃଦ୍ଧି ପାଇଁ ପ୍ରମୁଖ କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରି ତିନୋଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଅଧିବେଶନରେ ସଂଶୋଧିତ ଜାତୀୟ ଜୈବିକ ଉତ୍ପାଦନ କାର୍ଯ୍ୟକ୍ରମ (ଏନପିଓପି) ଅଧୀନରେ ଜୈବିକ ରପ୍ତାନୀର ପ୍ରୋତ୍ସାହନ, ଜୈବିକ ପ୍ରମାଣୀକରଣ, ମୂଲ୍ୟ ଶୃଙ୍ଖଳା ବିକାଶ ଏବଂ ବଜାର ପ୍ରବେଶ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଦ୍ୱିତୀୟ ଅଧିବେଶନରେ ଅନନ୍ୟ କିସମର ଲାଭ ଉଠାଇବା, ଲଜିଷ୍ଟିକ୍ସରେ ଉନ୍ନତି ଆଣିବା ଏବଂ ରପ୍ତାନି ଆହ୍ୱାନର ମୁକାବିଲା କରି ଓଡ଼ିଶାରୁ ଚାଉଳ ରପ୍ତାନୀ ବୃଦ୍ଧି କରିବାର ରଣନୀତି ଉପରେ ଆଲୋଚନା କରାଯାଇଥିଲା। ତୃତୀୟ ଅଧିବେଶନରେ ଲଜିଷ୍ଟିକ୍ସ, କୋଲ୍ଡ ଚେନ୍ ଭିତ୍ତିଭୂମି ଏବଂ ବଜାର ସଂଯୋଗକୁ ମଜବୁତ କରିବା ଉପରେ ଧ୍ୟାନ ଦେଇ କୃଷି-ପ୍ରକ୍ରିୟାକୃତ ଏବଂ ଜିଆଇ-ଟ୍ୟାଗ୍ ହୋଇଥିବା ଉତ୍ପାଦଗୁଡ଼ିକର ମୂଲ୍ୟ ବୃଦ୍ଧି ଏବଂ ରପ୍ତାନି ପ୍ରୋତ୍ସାହନ ପାଇଁ ସୁଯୋଗ ଉପରେ ଆଲୋକପାତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟ, ଏଫପିଓ, ଏଫପିସି ଏବଂ ପ୍ରଗତିଶୀଳ କୃଷକଙ୍କ ସମେତ ୪୦୦ରୁ ଅଧିକ ଅଂଶୀଦାର ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମ ଅବସରରେ, ଜାତୀୟ ଜୈବିକ ଉତ୍ପାଦନ କାର୍ଯ୍ୟକ୍ରମ (ଏନପିଓପି) ର ସଚିବାଳୟ ଭାବେ ଏପିଡା ରାଜ୍ୟର ୩୦ରୁ ଅଧିକ ଜୈବିକ ଉତ୍ପାଦକ ଗୋଷ୍ଠୀ ଏବଂ ଓଡ଼ିଶାରେ କାର୍ଯ୍ୟ କରୁଥିବା ଜୈବିକ ପ୍ରମାଣନ ସଂସ୍ଥାଗୁଡ଼ିକ ସହିତ ଏକ ସହଭାଗୀ ବାର୍ତ୍ତାଳାପ ଆୟୋଜନ କରିଥିଲା। ନିକଟରେ ୯ ଜାନୁଆରୀ, ୨୦୨୫ରେ ଆରମ୍ଭ ହୋଇଥିବା ଏନପିଓପି (ଅଷ୍ଟମ ସଂସ୍କରଣ)ର ସଂଶୋଧନ ଏବଂ ନୂତନ ବ୍ୟବସ୍ଥା ସମ୍ବନ୍ଧରେ କୃଷକମାନଙ୍କ ସନ୍ଦେହ ଓ ପ୍ରଶ୍ନଗୁଡ଼ିକର ସମାଧାନ ଉପରେ ଆଲୋଚନା ହୋଇଥିଲା।

ସାଂସଦ ତଥା କୃଷି, ପ୍ରାଣୀସମ୍ପଦ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ସଂସଦୀୟ ସ୍ଥାୟୀ କମିଟିର ସଦସ୍ୟ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରହୀ ତାଙ୍କ ଅଭିଭାଷଣରେ ଓଡ଼ିଶାରୁ କୃଷି ରପ୍ତାନୀକୁ ସହାୟତା କରିବା ପାଇଁ ଏଗ୍ରୀ-ଇନଫ୍ରା ପାଣ୍ଠିର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି କହିଥିଲେ, ୨୦୪୭ ମସିହା ସୁଦ୍ଧା ସମଗ୍ର କୃଷି ରପ୍ତାନୀ ଇକୋସିଷ୍ଟମର ବିକାଶ ଦ୍ୱାରା ‘ବିକଶିତ ଭାରତ’ର ସ୍ୱପ୍ନ ସାକାର ହୋଇପାରିବ । ଏହା ପ୍ରତିଦ୍ୱନ୍ଦ୍ୱିତାମୂଳକ ଲାଭ ହାସଲ କରିବାରେ, ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ, ଉନ୍ନତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏବଂ ବୈଦେଶିକ ମୁଦ୍ରା ଆୟ ସୃଷ୍ଟି କରିବାରେ ସହାୟକ ହେବ।

ଏପିଡାର ଅଧ୍ୟକ୍ଷ ଶ୍ରୀ ଅଭିଷେକ ଦେବ ତାଙ୍କ ସ୍ୱାଗତ ଭାଷଣରେ ଜୈବିକ ଉତ୍ପାଦ ଉପରେ ବିଶେଷ ଗୁରୁତ୍ୱ ଦେଇ କୃଷି ଉତ୍ପାଦ ପାଇଁ ରପ୍ତାନୀ ଭିତ୍ତିକ ରଣନୀତି ଉପରେ ଆଲୋକପାତ କରିଥିଲେ। ବିପୁଳ ବିବିଧତା ଏବଂ ଉତ୍ପାଦନର ପରିମାଣ କାରଣରୁ କୃଷି ରପ୍ତାନୀ କ୍ଷେତ୍ରରେ, ବିଶେଷ କରି ଜୈବିକ ଉତ୍ପାଦ କ୍ଷେତ୍ରରେ, ରାଜ୍ୟର ଅବ୍ୟବହୃତ ସମ୍ଭାବନା ଉପରେ ସେ ଜୋର ଦେଇଥିଲେ। ଭବିଷ୍ୟତରେ ଏହିପରି ଅଧିକ କାର୍ଯ୍ୟକ୍ରମ ଏବଂ ରପ୍ତାନି ସମ୍ମିଳନୀ ଆୟୋଜନ କରାଯିବ ଯାହା କୃଷି ରପ୍ତାନୀ ବୃଦ୍ଧି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ସେ ରାଜ୍ୟର ଏଫପିଓ ଏବଂ ଏଫପିସିଗୁଡ଼ିକୁ ପ୍ରମୁଖ ଜାତୀୟ ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଭାଗ ନେବା ପାଇଁ ପ୍ରୋତ୍ସାହିତ କରିଥିଲେ, ଯାହାଫଳରେ ବଜାର ପ୍ରବେଶ, ପ୍ରୋତ୍ସାହନ ଏବଂ ପ୍ରସାର ହୋଇପାରିବ।

ଏହି କର୍ମଶାଳା ତଥା କ୍ଷମତା ନିର୍ମାଣ କାର୍ଯ୍ୟକ୍ରମ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପ୍ରମୁଖ ନୀତି ନିର୍ଦ୍ଧାରକ ଏବଂ ବିଶେଷଜ୍ଞମାନଙ୍କୁ ଏକାଠି କରିଥିଲା। ଶିଳ୍ପ ଏବଂ ଶିକ୍ଷା କ୍ଷେତ୍ରର ନୀତି ନିର୍ଦ୍ଧାରକମାନେ ଆଗାମୀ ଦିନରେ ରାଜ୍ୟରେ ଏକ ଦୃଢ ରପ୍ତାନି ଇକୋସିଷ୍ଟମ ନିର୍ମାଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଦେଶ ଯୁବ କଂଗ୍ରେସର ନୂତନ କର୍ମକର୍ତ୍ତା ଘୋଷିତ

ଭୁବନେଶ୍ଵର: ରଣଜିତ ପାତ୍ରଙ୍କୁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ନୂତନ ସଭାପତି ଭାବେ ଅତ୍କଳ ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଉଦୟ ଭାନୁଚିବ ନିଯୁକ୍ତି ଦେଇଛନ୍ତି। ସେହିଭଳି କାର୍ଯ୍ୟକାରୀ ସଭାପତି ଭାବେ କୃଷ୍ଣ ଚନ୍ଦ୍ର ମହାନ୍ତି ଏବଂ ଗଣେଶ କୁମାର ସାହୁ ନିଯୁକ୍ତି ପାଇଛନ୍ତି। ଉପସଭାପତି ଭାବରେ ରୁକ୍‌ମଣୀ ମଙ୍ଗରାଜ ଏବଂ ନାରାୟଣ ବାରିକ ନିଯୁକ୍ତି ପାଇଛନ୍ତି।

ସେହିଭଳି ସାଧାରଣ ସମ୍ପାଦକ ଭାବେ ନିହାର ରଞ୍ଜନ ବେହେରା, ଅଙ୍କିତ ସଂଘାଇ, ନଳିନୀକାନ୍ତ ନାୟକ, ଗୋପନ ମାର୍ଥା, ଅଭିଜିତ ଜେନା, ଚିନ୍ମୟ କୁମାର ହୋତା, ରାକେଶ କୁମାର ସାହୁ, ମନ୍ଦାକିନୀ ବଣୁଆ, ଶିବ କୁମାର ଅଗ୍ରୱାଲ, ଜ୍ଞାନ ରଞ୍ଜନ ରାଉତ, ସୁଦୀପ ସାମଲ, ସୁରଜ କୁମାର ବେହେରା, ସ୍ମୃତି ରଞ୍ଜନ ମହାନ୍ତି, ବେଣୁପାଣି ଦୁର୍ଗା, ଜୟପ୍ରକାଶ ବାଦୀ, ସତ୍ୟବ୍ରତ ଜେନା, କେଦାର ଦଳାଇ, କାର୍ତିକ ଘଡ଼ାଇ, ସୁବ୍ରତ କୁମାର ବେହେରା, ଅମିତ କୁମାର କୁଅଁର, ସୃଜନିକା ରାଉତ, ରିନା ରାୟ, ରୋଶ୍ମି ଦୀପକ, ବନିତା ଦାସ, ଝିଲ୍ଲି ପ୍ରଧାନ, ସୋନୁ ଶ୍ରୀବାସ୍ତବ, ସେକ ଜାଭେଦ ଅକ୍ତର, ଇମତାଜ ଖାନ ନିଯୁକ୍ତି ପାଇଛନ୍ତି।

ସେହିପରି ସମ୍ପାଦକ ଭାବେ ପ୍ରେମଜିତ ମହାନ୍ତି, ନିଳକିଶୋର ଲେଙ୍କା, ହିଂମାଶୁ ଭୂଷଣ ନାୟକ, ସାହାରୁଖ ଖାନ, ପିନାକୀ ନାରାୟଣ ଦାସ, ନିଳାଚଳ ମହାନନ୍ଦ, ବିଶ୍ଵଜିତ ଲେଙ୍କା, ଅଲେଖ କୁମାର ବେଉରା, ପ୍ରତିକ ମହାପାତ୍ର ନିଯୁକ୍ତ ପାଇଛନ୍ତି। ରାଜ୍ୟ ଲିଗାଲ ସେଲର ଅଧ୍ୟକ୍ଷ ଭାବରେ ପ୍ରଦୀପ କୁମାର ସାହୁ ନିଯୁକ୍ତି ପାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ତମାଖୁ ଚାଷୀଙ୍କୁ ଆଶ୍ୱସ୍ତି: ଚାଷୀ ପଞ୍ଜୀକରଣ ଏବଂ ବାର୍ଣ୍ଣ ଲାଇସେନ୍ସ ପାଇଁ ବୈଧତା ୩ବର୍ଷ ବଢ଼ାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭାରତ ସରକାର ଭର୍ଜିନିଆ ତମାଖୁ ଚାଷୀଙ୍କ ପାଇଁ ପଞ୍ଜୀକରଣ ଏବଂ ବାର୍ଣ୍ଣ ପରିଚାଳନା ଲାଇସେନ୍ସର ଅବଧିକୁ ୧ ରୁ ୩ ବର୍ଷ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ପୂର୍ବରୁ ଏହାକୁ ପ୍ରତି ଏକ ବର୍ଷରେ ଥରେ ନବୀକରଣ କରିବାକୁ ପଡ଼ୁଥିଲା। ବ୍ୟବସାୟିକ ସୁଗମତାକୁ ବଢ଼ାଇବା ଲାଗି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା ଭର୍ଜିନିଆ ତମାଖୁ ଚାଷୀ ଏବଂ ବାର୍ଣ୍ଣ ପରିଚାଳନା ଲାଇସେନ୍ସଧାରୀଙ୍କ ଉପରେ ନବୀକରଣ ବୋଝ ହ୍ରାସ ପାଇବ। ପ୍ରତ୍ୟେକ ବର୍ଷ ପରିବର୍ତ୍ତେ ସେମାନେ ୩ ବର୍ଷରେ ଥରେ ସେମାନଙ୍କ ପଞ୍ଜୀକରଣ ଓ ଲାଇସେନ୍ସକୁ ନବୀକରଣ କରିବେ।

କୃଷକମାନଙ୍କୁ ୩ ବର୍ଷରେ ଥରେ ଏହି ପଞ୍ଜୀକରଣ/ଲାଇସେନ୍ସ ନବୀକରଣ କରିବାର ସୁବିଧା ଦେବା ପାଇଁ ଭାରତ ସରକାର ତମାଖୁ ବୋର୍ଡ ନିୟମ, ୧୯୬ର ନିୟମ ୩୩ର ଉପ-ନିୟମ (୫), (୬) ଏବଂ (୭) ଏବଂ ନିୟମ ୩୪ ଏନ୍ ର ଉପ-ନିୟମ (୨) ଏବଂ ୩) ରେ ସଂଶୋଧନ କରିଛନ୍ତି। ଉପରୋକ୍ତ ତମାଖୁ ବୋର୍ଡ ନିୟମ, ୧୯୭୬ ରେ ସଂଶୋଧନ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ, ବାଣିଜ୍ୟ ବିଭାଗ, ଭାରତ ସରକାରଙ୍କ ଦ୍ୱାରା ଭାରତର ଗେଜେଟରେ ପ୍ରକାଶିତ ହୋଇଥିଲା। ଆନ୍ଧ୍ର ପ୍ରଦେଶରେ ୨୦୨୫-୨୬ ଫସଲ ଋତୁରୁ ଏହା କାର୍ଯ୍ୟକାରୀ ହେବ।

ନବୀକରଣ ଅବଧିକୁ ଏକ ବର୍ଷରୁ ତିନି ବର୍ଷକୁ ବୃଦ୍ଧି କରିବା ଲାଗି ଏହି ସଂଶୋଧନ ଦ୍ୱାରା ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତେଲଙ୍ଗାନାର ପ୍ରାୟ ୯୧,୦୦୦ ବାର୍ଣ୍ଣ ବା ଶସ୍ୟଭଣ୍ଡାର ଅନ୍ତର୍ଭୁକ୍ତ କରୁଥିବା ପ୍ରାୟ ୮୩,୫୦୦ ଚାଷୀ ଉପକୃତ ହୋଇପାରିବେ। କୃଷକଙ୍କୁ ସେମାନଙ୍କ ପଞ୍ଜୀକରଣ/ଲାଇସେନ୍ସ ନବୀକରଣ କରିବାରେ ବିଶେଷ ସହାୟତା ମିଳିପାରିବ।

ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ସର୍ବବୃହତ ଭର୍ଜିନିଆ ତମାଖୁ ଉତ୍ପାଦନକାରୀ ଏବଂ ଚତୁର୍ଥ ସର୍ବବୃହତ ଅଣନିର୍ମିତ ତମାଖୁ ରପ୍ତାନିକାରୀ (୨୦୨୩ ମସିହାରେ ମୂଲ୍ୟ ଦୃଷ୍ଟିରୁ) ଏବଂ ଭାରତୀୟ ରାଜକୋଷକୁ ଉତ୍ପାଦନ କରୁଛି। ୨୦୨୪-୨୫ ଆର୍ଥିକ ବର୍ଷରେ, ତମାଖୁ ରପ୍ତାନୀ ଭାରତୀୟ ରାଜକୋଷକୁ ୧୯୭୯ ନିୟୁତ ଆମେରିକୀୟ ଡଲାର (୧୬,୭୨୮ କୋଟି ଟଙ୍କା) ପ୍ରଦାନ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

‘ପୂର୍ବୋଦୟ’ ଯୋଜନାରେ ଓଡ଼ିଶାର ଯୋଗାଯୋଗ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ରାଜ୍ୟରେ ପ୍ରାୟ ୪ ହଜାର ୧୩୭ କୋଟି ଟଙ୍କାର ୧୯ଟି ଜାତୀୟ ରାଜପଥ ପ୍ରକଳ୍ପ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଲୋକାର୍ପଣ ଓ ଶିଳାନ୍ୟାସ ହୋଇଛି। ଗୁରୁବାର ଲୋକାର୍ପଣ ଏବଂ ଶିଳାନ୍ୟାସ ହୋଇଥିବା ରାଜପଥ ପ୍ରକଳ୍ପ ‘ପୂର୍ବୋଦୟ’ ଯୋଜନାରେ ଓଡ଼ିଶାର ଯୋଗାଯୋଗ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଏକ ଭିଡିଓ ମେସେଜ୍ ଜରିଆରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ପୂର୍ବୋଦୟ ମିଶନ’ରେ ଶୁଭାରମ୍ଭ ହୋଇଥିବା ଏହି ପ୍ରକଳ୍ପଗୁଡିକ ଓଡ଼ିଶାରେ ସଡ଼କ ଭିତ୍ତିଭୂମିକୁ ମଜଭୂତ୍ କରିବ । ଲୋକଙ୍କ ଯାତାୟତ ସହଜ ହେବ । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ସୃଷ୍ଟି ହେବ । ଆମର ସ୍ଥାନୀୟ ଓ ରାଜ୍ୟ ଅର୍ଥନୀତି ଅଧିକ ମଜଭୂତ୍ ହେବ । ଆମ ସରକାର ସବକା ସାଥ୍-ସବକା ବିକାଶର ସରକାର । ଲୋକାର୍ପିତ ହୋଇଥିବା  ପ୍ରକଳ୍ପ ଗୁଡିକ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଶିଳ୍ପ ଓ ପର୍ଯ୍ୟଟନ  କ୍ଷେତ୍ରର ବିକାଶ ହେବା ସହ ସାମାଜିକ ଓ ଆର୍ଥିକ ବିକାଶରେ ମଧ୍ୟ ଅଭିବୃଦ୍ଧି ଘଟିବ । ଏହି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଗଡକରୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ଧନ୍ୟବାଦ ଜଣାଉଛି ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ସାଢେ ୪ କୋଟି ଓଡ଼ିଆ ଲୋକଙ୍କ ଇଚ୍ଛାଶକ୍ତି କାରଣରୁ ଆଜି ରାଜ୍ୟରେ ଡବଲ ଇଞ୍ଜିନ ସରକାର ହୋଇଛି । ଆମ ସରକାରରେ ଜାତୀୟ ରାଜପଥ, ରେଳ, ବିମାନସେବା ଏବଂ ଯୋଗାଯୋଗ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଉପରେ ପ୍ରାଥମିକତା ଦିଆଯାଉଛି । ଜନଜାତୀୟ ଗୌରବ କରିଡର, ଶକ୍ତି କରିଡର, ବନ୍ଦର ଓ ଶିଳ୍ପ କରିଡର ମଧ୍ୟ ବିକଶିତ ହେଉଛି । ମୋଦୀ ସରକାରରେ ଓଡ଼ିଶାରେ ୪୦୦୦ରୁ ଅଧିକ କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରାଯାଇଛି । କୋଷ୍ଟାଲ ହାଇଓ୍ୱେ, କ୍ୟାପିଟାଲ ରିଜିୟନ୍ ରିଙ୍ଗ୍ ରୋଡ୍, ସମ୍ବଲପୁର ରିଙ୍ଗ୍ ରୋଡ୍ ପ୍ରକଳ୍ପ ଓଡ଼ିଶାର ଅର୍ଥନୀତିକୁ ତ୍ୱରାନ୍ୱିତ କରିବ । ମାନ୍ୟବର ମୋଦିଜୀ ଭାରତର ସାମଗ୍ରିକ ବିକାଶକୁ ଆଖି ଆଗରେ ରଖି ପୂର୍ବୋଦୟ ମିଶନର କଳ୍ପନା କରିଛନ୍ତି, ଯାହାର କେନ୍ଦ୍ରବିନ୍ଦୁରେ ଓଡ଼ିଶା ରହିଛି ।

୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ଓ ୨୦୪୭ରେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ ହେବ । ୨୦୪୭ ସୁଦ୍ଧା ଆମ ଦେଶ ଭାରତ ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବାର ଲକ୍ଷ୍ୟ ରଖିଛି । ସେହିପରି ଓଡ଼ିଶା ୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାର ଅର୍ଥନୀତି ହାସଲ କରିବାର ଲକ୍ଷ୍ୟ ରଖିଛି । ବର୍ତ୍ତମାନ ସମୟରେ ରାଜପଥ, ଯୋଗାଯୋଗ ଏବଂ ଆନୁଷଙ୍ଗିକ ଭିତ୍ତିଭୂମିକୁ ତ୍ୱରାନ୍ୱିତ କରିପାରିଲେ ହିଁ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ର ସ୍ୱପ୍ନ ସାକାର ହୋଇପାରିବ।

ସଡ଼କ ସୁରକ୍ଷା ସଚେତନତା ନେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତ୍ତମାନ ସମୟରେ ବିଶ୍ୱରେ ରୋଡ ସେଫଟି ବା ସଡ଼କ ସୁରକ୍ଷା କେତେ ଜରୁରୀ ହୋଇ ପଡିଛି। ଏଭଳି ସମୟରେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ନେତୃତ୍ୱରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦେଶର ସମସ୍ତ ସ୍କୁଲରେ ସଚେତନତା ସୃଷ୍ଟି କରିବା ପାଇଁ ‘ସଡକ ସୁରକ୍ଷା ଅଭିଯାନ’ରେ ସାମିଲ ହୋଇଛି। ସ୍କୁଲ ଶିକ୍ଷା ବ୍ୟବସ୍ଥାରୁ ସବୁ କ୍ଷେତ୍ରରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନକୁ ଏକ ବ୍ୟାପକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାରେ ୩ ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ନେଇ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ରାଜ୍ୟରେ ତିନୋଟି ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ପୁଲିସ, କାରାଗାର, ଅଦାଲତ, ଦଣ୍ଡବିଧାନ ଏବଂ ଫରେନ୍ସିକ୍ ସମ୍ବନ୍ଧୀୟ ବିଭିନ୍ନ ନୂତନ ବ୍ୟବସ୍ଥାର କାର୍ଯ୍ୟକାରିତା ଏବଂ ବର୍ତ୍ତମାନର ସ୍ଥିତି ସମୀକ୍ଷା କରାଯାଇଥିଲା।

ବୈଠକରେ କେନ୍ଦ୍ର ଗୃହ ସଚିବ, ଓଡ଼ିଶାର ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ, ପୁଲିସ ଗବେଷଣା ଓ ବିକାଶ ବ୍ୟୁରୋର ମହାନିର୍ଦ୍ଦେଶକ, ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକଙ୍କ ସମେତ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ସରକାର ଆଗାମୀ ଛଅ ମାସ ମଧ୍ୟରେ ପ୍ରଶାସନର ସମସ୍ତ ସ୍ତରରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ପ୍ରାଥମିକତା ଦେବା ଉଚିତ।

ଅମିତ ଶାହ କହିଥିଲେ, ଓଡ଼ିଶାର ବିକାଶ ପାଇଁ ଆଗାମୀ ଦଶନ୍ଧି ଗୁରୁତ୍ୱପୂର୍ଣ୍ଣ। ଭବିଷ୍ୟତରେ ରାଜ୍ୟର ଶିଳ୍ପ ଏବଂ ବୈଷୟିକ ବିକାଶକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ସୁଦୃଢ଼ କରିବାରେ ନୂତନ ଅପରାଧିକ ଆଇନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ, ରାଜ୍ୟ ଗୃହ ସଚିବ ସ୍ତରରେ ସପ୍ତାହକୁ ଗୋଟିଏ ଥର ଏବଂ ମୁଖ୍ୟ ସଚିବ ଓ ପୁଲିସ ମହାନିର୍ଦ୍ଦେଶକ ସ୍ତରରେ ପ୍ରତ୍ୟେକ ୧୫ ଦିନ ଏବଂ ମୁଖ୍ୟମନ୍ତ୍ରୀ ମାସରେ ଗୋଟିଏ ଥର ରାଜ୍ୟରେ ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ସମୀକ୍ଷା କରିବା ଆବଶ୍ୟକ। ରାଜ୍ୟରେ ଏହି ଆଇନଗୁଡ଼ିକର କାର୍ଯ୍ୟକାରିତା ପାଇଁ ଏକ ସମୟସୀମା ସ୍ଥିର କରିବା ଆବଶ୍ୟକ ବୋଲି ଶ୍ରୀ ଶାହ ପରାମର୍ଶ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାରେ ହେବ ଶକ୍ତି କରିଡ଼ର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ଵର: ଓଡ଼ିଶାରେ ହେବ ଶକ୍ତି କରିଡ଼ର। ଏହା ମାଧ୍ୟମରେ ରାଜ୍ୟରେ ରହିଥିବା ସମସ୍ତ ଶକ୍ତି ପୀଠକୁ ଯୋଡାଯିବ। ଏହି ଶକ୍ତି କରିଡ଼ର ସମ୍ପର୍କରେ ଖୁବଶିଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଚୈତ୍ର ମାସର ଶେଷ ମଙ୍ଗଳବାରରେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ଦର୍ଶନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଅପରାହ୍ନ ୧୧ଟା ସମୟରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ମାଁ ତାରାତାରିଣୀଙ୍କ ପୀଠରେ ପହଞ୍ଚିଥିଲେ। ଉପ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ଗଞ୍ଜାମ ଜିଲ୍ଲାର ବହୁ ବିଧାୟକ ମାନେ ସ୍ବାଗତ କରିଥିଲେ। ଏହାପରେ ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ଆଇନ ମନ୍ତ୍ରୀ, ପରିବହନ ମନ୍ତ୍ରୀ, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ମାଁ ତାରାତାରିଣୀଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ମନ୍ଦିରର ସେବାୟତ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇଥିଲା।

ଚୈତ୍ର ମାସର ଶେଷ ମଙ୍ଗଳବାରରେ ମା’ଙ୍କୁ ଦୁର୍ଗାଙ୍କ ରୂପରେ ଦେଖି ଖୁସି ପ୍ରକାଶ କରିଥିଲେ ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀ। ମା’ଙ୍କୁ ଦର୍ଶନ କରିବା ପରେ ବେଢ଼ା ପରିକ୍ରମା କରିବା ସହ ମନ୍ଦିରରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ବୁଲି ଦେଖିଥିଲେ। ମା’ଙ୍କ ନିକଟରେ ମୁଣ୍ଡିଆ ମାରି ଜଗତର କଲ୍ୟାଣ ନିମନ୍ତେ ସମସ୍ତେ ପ୍ରାର୍ଥନା କରିଥିଲେ। ଓଡ଼ିଶାରେ ଏକ ଶକ୍ତି କରିଡ଼ର କରାଯିବ। ଏଥିମଧ୍ୟରେ ରହିବେ ଗଞ୍ଜାମର ମାଁ ତାରାତାରିଣୀ, ମାଁ ବିରଜା, ମାଁ ଉଗ୍ରତାରା, ମାଁ ଭଗବତୀ, ମାଁ ମଙ୍ଗଳା, ମାଁ କାଳିଜାଇ, ମାଁ ଭୈରବୀଙ୍କୁ ଯୋଡ଼ି ଏକ ଶକ୍ତି କରିଡ଼ର ଘୋଷଣା କରିବୁ। ଜିଲ୍ଲା ସ୍ତରରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ମାଁ ତାରାତାରିଣୀ ପୀଠର ଉନ୍ନତି ପାଇଁ ୮ କୋଟି ଟଙ୍କା, ତପ୍ତପାଣିର ବିକାଶ ପାଇଁ ୧୧ କୋଟି ଟଙ୍କା ସହ ମାଁ ନାରାୟଣୀଙ୍କ ପୀଠର ଉନ୍ନତି ନିମନ୍ତେ ମଧ୍ୟ ଟଙ୍କା ପ୍ରଦାନ କରାଯାଇଛି। ସେହିକ୍ରମରେ ଜିଲ୍ଲାରେ ରହିଥିବା ସମସ୍ତ ପୀଠର ଉନ୍ନତି ନେଇ ଚଳିତ ବର୍ଷ ୬୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ପର୍ଯ୍ୟଟନ ବିଭାଗ ଏହି ଜିଲ୍ଲାକୁ ପ୍ରଦାନ କରାଯାଇଛି।

ଏହାବ୍ୟତୀତ ଶକ୍ତି କରିଡ଼ର ପାଇଁ ପର୍ଯ୍ୟଟନ ବିଭାଗ ଓ ପୂର୍ତ୍ତ ବିଭାଗ ମିଳିତ ଭାବେ ଏହି ଶକ୍ତି କରିଡ଼ରର ବିକାଶ କରିବ। ପୂଜା, ବରଦାନ ଓ ତପସ୍ୟା ପାଇଁ ଯଦି ଓଡ଼ିଶାର କେଉଁ କ୍ଷେତ୍ରକୁ ଲୋକେ ଆସିବେ ତେବେ ଏହି ଶକ୍ତି କରିଡ଼ରକୁ ଆସିବେ। ତେଣୁ ପର୍ଯ୍ୟଟକ ମାନଙ୍କ ଓ ସନାତନ ଧର୍ମର ଭକ୍ତ ମାନଙ୍କ ନିମନ୍ତେ ଏହି ଶକ୍ତି କରିଡ଼ରର ବଡ଼ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଏହି ଶକ୍ତି କରିଡ଼ର ମାଧ୍ୟମରେ ଯେଉଁ ମାନେ ବାହାର ରାଜ୍ୟ ତଥା ଦେଶରୁ ଆସୁଥିବା ଶକ୍ତି ଆରାଧକ ମାନେ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ସମ୍ପର୍କରେ ଜାଣିବା ସହ ତପସ୍ୟା ଠାରୁ ପୂଜା ଓ ଆରାଧନା କରିବାର ସୁଯୋଗ ପାଇପାରିବେ। ଏନେଇ ପର୍ଯ୍ୟଟନ ବିଭାଗ ନିଜର ଯୋଜନା ଆରମ୍ଭ କରିସାରିଛି। ଏହି ଅନୁସାରେ ପୂର୍ତ୍ତ ବିଭାଗ ମଧ୍ୟ ଐତିହ୍ୟର ବିକାଶ ପାଇଁ ବ୍ୟବସ୍ଥା କରୁଛି। ଏହି ସମସ୍ତ ଶକ୍ତି ପୀଠ ଗୁଡ଼ିକୁ ଆବଶ୍ୟକସ୍ଥଳେ ହେଲିକେପ୍ଟର ଯୋଗେ ସଂଯୋଗୀକରଣ ନେଇ ଯୋଜନା କରାଯିବ।

ଆସନ୍ତା ଦୁଇ ବର୍ଷ ମଧ୍ୟ ଏହି ଶକ୍ତି କରିଡ଼ରକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ। ଉପ ମୁଖ୍ୟମନ୍ତ୍ରୀ ଓ ତିନି ମନ୍ତ୍ରୀଙ୍କ ସମେତ ଏହି ଗଞ୍ଜାମ ଜିଲ୍ଲାର ବହୁ ବିଧାୟକ ଓ ବିଧାୟିକା ମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶାରେ ଜିଓର ଜୟଯାତ୍ରା ଜାରି, ଡିସେମ୍ବରରେ ଯୋଡ଼ିଛି ୧.୫ ଲକ୍ଷରୁ ଅଧିକ ନୂଆ ଗ୍ରାହକ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ରାଜ୍ୟରେ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ଏହାର ଜୟଯାତ୍ରା ଜାରି ରଖି, ରିଲାଏନ୍ସ ଜିଓ ଡିସେମ୍ବର ୨୦୨୪ ରେ ଓଡ଼ିଶାରେ ଦେଢ଼ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଏବଂ ୱାୟାରଲାଇନ୍ ଗ୍ରାହକ ଯୋଡିଛି। ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ଡିସେମ୍ବର ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ୧.୩୪ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଉପଭୋକ୍ତା ଏବଂ ୧୬୬୦୦ ରୁ ଅଧିକ ନୂତନ ଜିଓଫାଇବର / ଜିଓ ଏୟାରଫାଇବର ଗ୍ରାହକ ଯୋଡିଛି। ଏଥିସହିତ, ଓଡ଼ିଶାରେ ଜିଓ ନେଟୱାର୍କରେ ମୋଟ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୧.୫୬ କୋଟି ଅତିକ୍ରମ କରିଛି।

ଜିଓ ବ୍ୟତୀତ, ଡିସେମ୍ବରରେ ଏୟାରଟେଲ୍ ଓଡ଼ିଶାରେ କେବଳ ୧୮୦୦୦ ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ବେଳେ ବିଏସଏନଏଲ ଏହି ମାସରେ ୯୦୦୦ ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ଟ୍ରାଇ ପ୍ରଦତ୍ତ ତଥ୍ୟରୁ ଜଣାପଡିଛି। ଭୋଡାଫୋନ ଆଇଡ଼ିଆ ଏହି ମାସରେ ହଜାର ହଜାର ମୋବାଇଲ୍ ଗ୍ରାହକ ହରାଇଛି। ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଡିସେମ୍ବରରେ ଓଡ଼ିଶାରେ ମୋଟ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୧.୫୮ ଲକ୍ଷ ବୃଦ୍ଧି ପାଇ ୩.୪୩ କୋଟିରେ ପହଞ୍ଚିଛି। ଜାତୀୟ ସ୍ତରରେ ମଧ୍ୟ, ଜିଓ ଡିସେମ୍ବରରେ ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଯୋଡ଼ିଛି ଏବଂ ଏହି ମାସରେ ୩୯ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଜିଓ ନେଟୱାର୍କରେ ଯୋଗ ଦେଇଛନ୍ତି।

ରିଲାଏନ୍ସ ଜିଓ ରାଜ୍ୟରେ ୪ ଲକ୍ଷ ୱାୟାରଲାଇନ୍ ବା ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ହାସଲ କରି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏହାର ଗ୍ରାହକ ସଂଖ୍ୟା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତୁଳନାରେ ତିନି ଗୁଣ ଅଧିକ ରହିଛି। ଏହା ସହିତ, ଜିଓ ଏବେ ଓଡ଼ିଶାରେ ୬୫% ୱାୟାରଲାଇନ୍ ଗ୍ରାହକ ବଜାର ଅଂଶ ହାସଲ କରିଛି ଏବଂ ୪ ଲକ୍ଷରୁ ଅଧିକ ଜିଓଫାଇବର ଓ ଜିଓ ଏୟାରଫାଇବର ଗ୍ରାହକ ସର୍ବାଧୁନିକ ବିଶ୍ୱସ୍ତରୀୟ ଘରୋଇ ମନୋରଞ୍ଜନ (ହୋମ ଏଣ୍ଟରଟେନମେଣ୍ଟ), ଅସୀମିତ ୱାଇଫାଇ ଏବଂ ନିରବଚ୍ଛିନ୍ନ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଉପଭୋଗ କରୁଛନ୍ତି।

ଏହାର ବିସ୍ତୃତ ୪ଜି ଏବଂ ୫ଜି ନେଟୱାର୍କ ଉପସ୍ଥିତି ବଳରେ ଜିଓ ଓଡ଼ିଶାର ସବୁଠାରୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ହୋଇଛି ଏବଂ ୪୫%ରୁ ଅଧିକ ମୋବାଇଲ୍ ଗ୍ରାହକ ବଜାର ଅଂଶ ଏବଂ ୫୨% ରାଜସ୍ୱ ବଜାର ଅଂଶ ହାସଲ କରିଛି।

ଉଲ୍ଲେଖଯୋଗ୍ୟ ଯେ, ଓକଲା ସ୍ପିଡଟେଷ୍ଟ ଇଣ୍ଟେଲିଜେନ୍ସ ତଥ୍ୟ ଅନୁଯାୟୀ ଜିଓ ଭାରତରେ ସବୁଠାରୁ ଦ୍ରୁତତମ ୫ଜି ସେବା ପ୍ରଦାନକାରୀ ରହିଛି ଏବଂ ଜୁଲାଇ-ଡିସେମ୍ବର ୨୦୨୪ ମଧ୍ୟରେ ଛଅ ମାସରେ ରିଲାଏନ୍ସ ଜିଓର ମେଡିଆନ ୫ଜି ଡାଉନଲୋଡ୍ ସ୍ପିଡ୍ ୨୫୮.୫୪ ଏମବିପିଏସ ରେକର୍ଡ କରାଯାଇଛି। ସ୍ପିଡଟେଷ୍ଟ ଇଣ୍ଟେଲିଜେନ୍ସ ତଥ୍ୟ ଅନୁଯାୟୀ ଜିଓ ସାରା ଦେଶରେ ସର୍ବାଧିକ ୫ଜି ଉପଲବ୍ଧତା ରେକର୍ଡ କରିଛି। ଜିଓର ୭୩.୭% ଉପଭୋକ୍ତା ଅଧିକାଂଶ ସମୟ ଜିଓର ୫ଜି ନେଟୱାର୍କ ବ୍ୟବହାର କରୁଛନ୍ତି, ଯାହା ଅନ୍ୟ ଯେକୌଣସି ଅପରେଟର ଅପେକ୍ଷା ବେଶ ଅଧିକ।

କ୍ରିକେଟ ସିଜିନ୍ ପାଇଁ ନିକଟରେ ଆରମ୍ଭ ହୋଇଥିବା ଅସୀମିତ ଅଫର ସହିତ, ଜିଓ ନୂତନ ଏବଂ ବର୍ତ୍ତମାନର ଜିଓ ସିମ୍ ବ୍ୟବହାରକାରୀଙ୍କ ପାଇଁ ଏକ ଅତୁଳନୀୟ ଅନୁଭୂତି ପ୍ରଦାନ କରୁଛି, ଯାହା ଦ୍ୱାରା ୪କେ ଗୁଣବତ୍ତାରେ ଟିଭି / ମୋବାଇଲରେ ୯୦ ଦିନର ମାଗଣା ଜିଓ ହଟଷ୍ଟାର ଉପଭୋଗ କରାଯାଇପାରିବ। ଏହି ଅଫରର ଅଂଶ ଭାବରେ ଜିଓ ଘରେ ୫୦ ଦିନର ମାଗଣା ଜିଓଫାଇବର / ଏୟାର ଫାଇବର ଟ୍ରାଏଲ୍ ସଂଯୋଗ ମଧ୍ୟ ପ୍ରଦାନ କରୁଛି, ଯେଉଁଥିରେ ଗ୍ରାହକମାନେ ୮୦୦+ ଟିଭି ଚ୍ୟାନେଲ୍, ୧୧+ ଓଟିଟି ଆପ୍, ଅସୀମିତ ୱାଇଫାଇ ଏବଂ ଆହୁରି ଅନେକ କିଛି ଅନାୟାସରେ ଉପଭୋଗ କରିପାରିବେ। କେବଳ ଏକ ଜିଓ ସିମ ଏବଂ ୧୫ ଏପ୍ରିଲ ୨୦୨୫ ପୂର୍ବରୁ ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ରିଚାର୍ଜ ସହିତ ଗ୍ରାହକମାନେ ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ପ୍ରତ୍ୟେକ ମ୍ୟାଚର ନିରନ୍ତର ଉଚ୍ଚ-ଗୁଣବତ୍ତା ଷ୍ଟ୍ରିମିଂର ମଜା ନେଇପାରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପିଏମ୍‌ ଜନମନ ଯୋଜନାରେ ଓଡ଼ିଶାର ୨୬ଟି ସଡ଼କ ଓ ୨ଟି ସେତୁ ପ୍ରକଳ୍ପକୁ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ (ପିଏମ ଜନମନ) ଅଧୀନରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଓଡ଼ିଶାର ୨୬ଟି ସଡ଼କ ଏବଂ ଦୁଇଟି ସେତୁ ପ୍ରକଳ୍ପକୁ ମଞ୍ଜୁର କରିଛି। ଏହି ଯୋଜନାରେ ରାଜ୍ୟରେ ୬୩.୨୭୧ କିଲୋମିଟର ରାସ୍ତା ନିର୍ମାଣ କରାଯିବ। ମନ୍ତ୍ରଣାଳୟ ଏଥିପାଇଁ ଓଡ଼ିଶାକୁ ୬୯ କୋଟି ୬୫ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେବ। ବର୍ତ୍ତମାନ ସୁଦ୍ଧା ପିଏମ ଜନମନ ଯୋଜନାରେ ଓଡ଼ିଶା ପାଇଁ ୨୧୧.୧୪ କିଲୋମିଟର ଲମ୍ବ ୬୬ଟି ସଡ଼କ ପ୍ରକଳ୍ପ ଏବଂ ୪ଟି ସେତୁ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ଏ ବାବଦରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ୨୧୯ କୋଟି ୪୦ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି।

ସୂଚନାଯୋଗ୍ୟ ପିଏମ୍‌ ଜନ ମନ ଯୋଜନାରେ, ଅତି ପଛୁଆ ଜନଜାତି ଗୋଷ୍ଠୀ (ପିଭିଟିଜି) ବସତିକୁ ସବୁଦିନିଆ ସଡ଼କ ଯୋଗାଯୋଗ ପ୍ରଦାନ କରାଯାଉଛି। ଏହାଦ୍ବାରା ପିଭିଟିଜି ସମ୍ପ୍ରଦାୟ ବହୁଳ କ୍ଷେତ୍ରରେ ସାମାଜିକ ଓ ଆର୍ଥିକ ଉନ୍ନତି ହୋଇପାରିବ। ଗ୍ରାମାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ଉନ୍ନତ ହେବ, ଉପାନ୍ତ ଗାଁ ଓ ସହରୀ କେନ୍ଦ୍ର ମଧ୍ୟରେ ବ୍ୟବଧାନ ଦୂର ହେବ। ସ୍ଥାନୀୟ ଅଞ୍ଚଳର ବିକାଶ ସହ ବାଣିଜ୍ୟ କାରବାର, ସ୍ୱାସ୍ଥ୍ୟ ସେବା, ଶିକ୍ଷା, ବଜାର ଭଳି ସୁବିଧାସୁଯୋଗ ପହଞ୍ଚି ପାରିବ। ଏହାଦ୍ୱାରା ରୋଜଗାର ସୃଷ୍ଟି ହେବା ସହିତ ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ମିଳିବ। ପିଏମ ଜନମନ ଯୋଜନାକୁ ବିକଶିତ ଭାରତ ଦୃଷ୍ଟିକୋଣ ନେଇ ପ୍ରସ୍ତୁତ କରାଯାଇଛି। ଏହା ଅଧୀନରେ ନିର୍ମାଣ କରାଯାଉଥିବା ପ୍ରକଳ୍ପଗୁଡ଼ିକର ପରିବର୍ତ୍ତନକାରୀ ପ୍ରଭାବ ଜନଜାତୀୟ ସମୁଦାୟର ବିକାଶ ଓ ସମୃଦ୍ଧିରେ ଯୋଗଦାନ କରିବା ସହିତ ସେମାନଙ୍କର ସମାବେଶୀ ବିକାଶ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ମଜଭୁତ ହେବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିହାର, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ମେଗା ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୀକ୍ଷା କଲା ପିଏମଜି

ନୂଆଦିଲ୍ଲୀ: ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି)ର ପ୍ରୋଜେକ୍ଟ ମନିଟରିଂ ଗ୍ରୁପ୍ (ପିଏମଜି) ବିହାର, ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଏକ ସବିଶେଷ ସମୀକ୍ଷା କରିଛି।

ପିଏମଜିର ଅଧିକାରୀମାନେ ୧୯ଟି ପ୍ରମୁଖ ପ୍ରକଳ୍ପର ୨୩ଟି ପ୍ରସଙ୍ଗ ଉପରେ ଯାଞ୍ଚ କରିଥିଲେ, ଯେଉଁଥିରେ ମୋଟ ୬୩,୮୫୮ କୋଟି ଟଙ୍କାରୁ ଅଧିକ ନିବେଶ ହୋଇଛି। ଏଥିରେ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ପାଞ୍ଚଟି ପ୍ରକଳ୍ପ ଅନ୍ତର୍ଭୁକ୍ତ, ବିଶେଷକରି ତିନୋଟି ରାଜ୍ୟର କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ହସ୍ପିଟାଲ ଉପରେ ଫୋକସ କରାଯାଇଥିଲା। ଏହି ହସ୍ପିଟାଲଗୁଡ଼ିକର ଉଦ୍ଦେଶ୍ୟ ହେଉଛି ବୀମାକୃତ ନାଗରିକ ଏବଂ ସେମାନଙ୍କ ପରିବାରକୁ ସ୍ୱତନ୍ତ୍ର ଚିକିତ୍ସା, ଔଷଧ ଏବଂ ହସ୍ପିଟାଲରେ ଭର୍ତ୍ତି ସମେତ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ସୁବିଧା ପ୍ରଦାନ କରିବା।

ଏହା ସହିତ, ଇସ୍ପାତ, କୋଇଲା, ସଡ଼କ ପରିବହନ ଏବଂ ରାଜପଥ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍, ରେଳ ଏବଂ ଶକ୍ତି ମନ୍ତ୍ରଣାଳୟ ସହ ଜଡିତ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରାଯାଇଥିଲା ଯାହାଦ୍ୱାରା ପ୍ରତିବନ୍ଧକଗୁଡ଼ିକୁ ଚିହ୍ନଟ କରି ଦୂର କରାଯାଇପାରିବ ଏବଂ ସେଗୁଡ଼ିକୁ ସୁଗମ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରାଯାଇପାରିବ। ଉଲ୍ଲେଖନୀୟ, ବିହାରର ବକ୍ସର ଥର୍ମାଲ ପାୱାର ପ୍ଲାଣ୍ଟ (୧୩୨୦ ମେଗାୱାଟ) ପ୍ରକଳ୍ପ, ଯାହାର ଆନୁମାନିକ ମୂଲ୍ୟ ୧୦,୪୩୯.୦୯ କୋଟି ଟଙ୍କା, ସମୀକ୍ଷାର ମୁଖ୍ୟ କେନ୍ଦ୍ର ଥିଲା।

ପ୍ରମୁଖ ଅର୍ଥନୈତିକ ପରାମର୍ଶଦାତା ଶ୍ରୀ ପ୍ରବୀଣ ମାହାତୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ପ୍ରକଳ୍ପ ସମ୍ବନ୍ଧୀୟ ସଂସ୍ଥାଗୁଡ଼ିକର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ଏବଂ ପ୍ରକଳ୍ପ କାର୍ଯ୍ୟାନ୍ୱୟନକୁ ପ୍ରଭାବିତ କରୁଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ଚିହ୍ନଟ ଏବଂ ଆଲୋଚନା କରିଥିଲେ। ଶ୍ରୀ ପ୍ରବୀଣ ମାହାତୋ ପ୍ରକଳ୍ପ ତଦାରଖ ପାଇଁ ସାଂସ୍ଥାଗତ ଢାଞ୍ଚାକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପୁନଃଦୋହରାଇଥିଲେ ଏବଂ ପଡ଼ି ରହିଥିବା ସମସ୍ୟାଗୁଡ଼ିକର ସମାଧାନରେ ତତ୍ପରତା ଦେଖାଇବାକୁ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ। ପ୍ରକଳ୍ପ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରକଳ୍ପ ମନିଟରିଂ ଗ୍ରୁପ୍ (ପିଏମଜି) ମେକାନିଜିମ୍ (https://pmg.dpiit.gov.in)କୁ ଉପଯୋଗ କରିବାରେ ସେ ଘରୋଇ ଅଂଶୀଦାରମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ଉଲ୍ଲେଖନୀୟ ଯେ ଏହି ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୟସୀମା ଏବଂ ଦକ୍ଷ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର, ରାଜ୍ୟ କର୍ତ୍ତୃପକ୍ଷ ଏବଂ ଘରୋଇ କ୍ଷେତ୍ର ମଧ୍ୟରେ ଉତ୍ତମ ସମନ୍ୱୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଡିପିଆଇଆଇଟି ଏହାର ପ୍ରକଳ୍ପ ମନିଟରିଂ ଗୋଷ୍ଠୀ ମାଧ୍ୟମରେ ଉଚ୍ଚ ପ୍ରଭାବଶାଳୀ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ସହଜ କରିବା ଜାରି ରଖିବ। ଏହା ସେମାନଙ୍କର ସମୟସୀମା ସମାପ୍ତିକୁ ସୁନିଶ୍ଚିତ କରିବ ଏବଂ ଭାରତର ଆର୍ଥିକ ଅଭିବୃଦ୍ଧିରେ ଯୋଗଦାନ ଦେବ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାରେ ବିଦ୍ୟୁତ କ୍ଷେତ୍ରର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ

ଭୁବନେଶ୍ଵର: କେନ୍ଦ୍ର ଶକ୍ତି, ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଆଜି ଭୁବନେଶ୍ୱରଠାରେ ଓଡ଼ିଶାର ଶକ୍ତି କ୍ଷେତ୍ରର ବିକାଶ ଉପରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି।

ଏହି ବୈଠକରେ ପାଉଁଶ (ଫ୍ଲାଏ ଆଶ୍) ର ଉପଯୋଗ, କ୍ଷମତା ବୃଦ୍ଧି, ସଞ୍ଚାରଣ ଭିତ୍ତିଭୂମି ଏବଂ ବିଦ୍ୟୁତ ଆବଣ୍ଟନ ଭଳି ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା।
ଫ୍ଲାଇ ଆଶ ଉପଯୋଗ ଲକ୍ଷ୍ୟ ପ୍ରାପ୍ତି ପ୍ରସଙ୍ଗରେ ମନୋହର ଲାଲ ଆଶ୍ୱାସନା ଦେଇଥିଲେ ଯେ, ଫ୍ଲାଇ ଆଶ ପରିବହନ ପାଇଁ ପର୍ଯ୍ୟାପ୍ତ ରେଳ ରେକ୍ ବ୍ୟବସ୍ଥା ସମେତ ଏହି ପ୍ରସଙ୍ଗର ବ୍ୟାପକ ସମାଧାନ ନିମନ୍ତେ କୋଇଲା, ପରିବେଶ ଏବଂ ରେଳ ମନ୍ତ୍ରଣାଳୟ ସହିତ ଏକ ମିଳିତ ବୈଠକ ଡକାଯିବ।

ବର୍ଦ୍ଧିତ ବିଦ୍ୟୁତ୍ ଚାହିଦା ପୂରଣ କରିବାର ଆବଶ୍ୟକତା ଉପରେ ଆଲୋକପାତ କରି ରାଜ୍ୟ ସରକାର ବୈଠକରେ ସୂଚନା ଦେଇଥିଲେ ଯେ, ଓଡ଼ିଶାରେ ବର୍ତ୍ତମାନ ୨୦ ଗିଗାୱାଟ କୋଇଲା ଭିତ୍ତିକ ତାପଜ ବିଦ୍ୟୁତ ଉତ୍ପାଦନ କ୍ଷମତା ରହିଛି ଏବଂ ୧୦ ଗିଗାୱାଟ ଅତିରିକ୍ତ କ୍ଷମତା ବିକାଶ ପାଇଁ ଯୋଜନା କରାଯାଇଛି ଯାହା ଆସନ୍ତା ୫ ରୁ ୬ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି। କେନ୍ଦ୍ର ମନ୍ତ୍ରୀ ଓଡ଼ିଶାରେ ଅଧିକ ପିଟ-ହେଡ୍ ତାପଜ ବିଦ୍ୟୁତ ପ୍ଲାଣ୍ଟର ବିକାଶକୁ ପ୍ରୋତ୍ସାହିତ କରିଥିଲେ, ଯେଉଁଥିରେ ଅନ୍ୟ ରାଜ୍ୟର ବିଦ୍ୟୁତ୍ ଉତ୍ପାଦନ କମ୍ପାନୀ ସହିତ ମିଳିତ ଉଦ୍ୟୋଗ ସାମିଲ ରହିଛି।

ସଞ୍ଚାରଣ କ୍ଷେତ୍ରରେ ଓଡ଼ିଶାର ରାଜ୍ୟବ୍ୟାପୀ ଯୋଜନା ରଣନୀତି ଏବଂ ଭୁବନେଶ୍ୱର ଓ କଟକ ଭଳି ସହରକୁ ବିଦ୍ୟୁତ ଯୋଗାଣ ସୁଦୃଢ଼ କରିବା ଲାଗି ନିକଟରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ବୈଠକରେ ସୂଚନା ଦିଆଯାଇଥିଲା। ରାଇଟ୍ ଅଫ୍ ୱେ (ଆରଓଡବ୍ଲ୍ୟୁ) ସମସ୍ୟାର ସମାଧାନ ପାଇଁ ଓଡ଼ିଶା ପାୱାର ଟ୍ରାନ୍ସମିସନ୍ କର୍ପୋରେସନ୍ ଲିମିଟେଡ୍ (ଓପିଟିସିଏଲ) ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ ମାନ୍ୟବର କେନ୍ଦ୍ର ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା।

ବୈଠକରେ କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ, ଓଡ଼ିଶାର ରାଜ୍ୟବ୍ୟାପୀ ସଞ୍ଚାରଣ ନେଟୱର୍କ ଅଧୀନରେ ଗ୍ରୀନ୍ ଏନର୍ଜି କରିଡର ପ୍ରତିଷ୍ଠା ପ୍ରସ୍ତାବକୁ ସଂକଳନ ପ୍ରକ୍ରିୟା ସମାପ୍ତ ହେବା ପରେ ୩୧ ମାର୍ଚ୍ଚ, ୨୦୨୫ ପରେ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମଏନଆରଇ) ଦ୍ୱାରା ଗ୍ରହଣ କରାଯିବ।

ପୁନର୍ବିକଶିତ ବିତରଣ କ୍ଷେତ୍ର ଯୋଜନା (ଆରଡିଏସଏସ) ର ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶାକୁ ସାମିଲ କରିବା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ଯେ ଏହି ପ୍ରସଙ୍ଗକୁ ଉପଯୁକ୍ତ ଢଙ୍ଗରେ ଗ୍ରହଣ କରାଯିବ। ବିଦ୍ୟୁତ ଆବଣ୍ଟନ ସମ୍ପର୍କରେ ସେ କହିଥିଲେ ଯେ ଶକ୍ତି ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ ଏନଏଲସିଆଇଏଲର ତଲାବିରା ତାପଜ ବିଦ୍ୟୁତ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରୁ ଓଡ଼ିଶାକୁ ପର୍ଯ୍ୟାପ୍ତ ବିଦ୍ୟୁତ ମିଳିବ।

କେନ୍ଦ୍ର ମନ୍ତ୍ରୀ ମନୋହର ଲାଲଙ୍କ ଏହି ଗସ୍ତ ଓଡ଼ିଶାର ଶକ୍ତି ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ରାଜ୍ୟରେ ଶକ୍ତି କ୍ଷେତ୍ରର ନିରନ୍ତର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ପାଳିତ ହେବ ବିହାର ଦିବସ

ଭୁବନେଶ୍ଵର: ଆଜି ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ବିହାର ଦିବସ ପାଳନ କରାଯିବ ବୋଲି ବିହାରର ପୂର୍ବତନ ବିଧାୟକ ମନୋଜ ଶର୍ମା କହିଛନ୍ତି। ଶୁକ୍ରବାର ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଶର୍ମା କହିଛନ୍ତି।

ଆଜି କଟକଠାରେ ଆୟୋଜିତ ହେବାକୁ ଥିବା ବିହାର ଦିବସ କାର୍ଯ୍ୟକ୍ରମରେ ଓଡିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବିହାରର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କ୍ରିଷ୍ଣା କୁମାର ମଟୁ ସାମିଲ ହେବେ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାର ମୁଖ୍ୟ ମହାଡାକପାଳ ଭାବେ ନିର୍ମଳଜିତ ସିଂଙ୍କ ନିଯୁକ୍ତି

ଭୁବନେଶ୍ୱର: ୧୯୯୭ ବ୍ୟାଚର ବରିଷ୍ଠ ଭାରତୀୟ ଡାକ ସେବା ଅଧିକାରୀ ନିର୍ମଳଜିତ ସିଂ ଓଡ଼ିଶା ଡାକ ପରିମଣ୍ଡଳର ମୁଖ୍ୟ ମହାଡାକପାଳ ଭାବେ ନିଯୁକ୍ତ ହୋଇଛନ୍ତି। ଶ୍ରୀ ସିଂଙ୍କର ଭାରତୀୟ ଡାକ ସେବା କ୍ଷେତ୍ରରେ ଜାଜ୍ଜୁଲ୍ୟମାନ କ୍ୟାରିଅର ରହିଛି। ସେ ଓଡ଼ିଶା ଡାକ ପରିମଣ୍ଡଳରେ ଅଭିନବ ନେତୃତ୍ୱ ଓ ପରିଚାଳନାଗତ ଉତ୍କର୍ଷତା ଆଣିପାରିବେ ବୋଲି ଆଶା କରାଯାଉଛି ।

ନୂତନ ଭୂମିକାରେ ଶ୍ରୀ ସିଂହ ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କୁ ଡାକ ସେବା ପ୍ରଦାନ କରୁଥିବା ଓଡ଼ିଶା ଡାକ ପରିମଣ୍ଡଳର ପ୍ରଶାସନ ଓ ପରିଚାଳନା କାର୍ଯ୍ୟ ଅନୁଧ୍ୟାନ କରିବେ। ଏହି ଦାୟିତ୍ୱକୁ ନେଇ ଶ୍ରୀ ସିଂ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଓଡ଼ିଶା ଡାକ ପରିମଣ୍ଡଳର ମୁଖ୍ୟ ମହାଡାକପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ତାଙ୍କ ପାଇଁ ସମ୍ମାନର ବିଷୟ। ଡାକ ବିଭାଗ ସବୁବେଳେ ଜନ ସେବାର ଆଧାର ହୋଇ ରହିଆସିଛି। ଓଡ଼ିଶାରେ ଏହାର ଅଭିବୃଦ୍ଧି ଓ ଆଧୁନିକୀକରଣ ପ୍ରତି ସେ ଧ୍ୟାନ ଦେବେ ବୋଲି କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାର ମାଲୁଦରୁ ଆନ୍ଧ୍ରପ୍ରଦେଶରେ ପହଞ୍ଚିଲା ସିଆଇଏସଏଫ୍ ଗ୍ରେଟ୍ ଇଣ୍ଡିଆନ କୋଷ୍ଟାଲ ସାଇକ୍ଲୋଥନ

ଭୁବନେଶ୍ଵର: ସିଆଇଏସଏଫ ଗ୍ରେଟ୍ ଇଣ୍ଡିଆନ କୋଷ୍ଟାଲ ସାଇକ୍ଲୋଥନ କୋଣାର୍କଠାରୁ ୧୨୫ କିଲୋମିଟର ଯାତ୍ରାକରି ମାର୍ଚ୍ଚ ୧୪, ୨୦୨୫ରେ ମାଲୁଦରେ ପହଞ୍ଚିଥିଲା। ସାଇକେଲ ଚାଳକମାନେ ସେଠାରେ ପହଞ୍ଚିବା ପରେ ସ୍ଥାନୀୟ ଲୋକମାନଙ୍କ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା, ଯେଉଁଥିରେ ସେମାନେ ସାମାଜିକ ସୁରକ୍ଷା, ପରିବେଶ ସଂରକ୍ଷଣ କ୍ଷେତ୍ରରେ ସାମୂହିକ ଯୋଗଦାନ ପାଇଁ ମିଳିତ ପ୍ରତିଶ୍ରୁତିକୁ ଦୋହରାଇଥିଲେ।

ଗତ କିଛି ଦିନ ଧରି ସାଇକେଲ ଚାଳକମାନେ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରେ ୮୦୦ କିଲୋମିଟର ଅତିକ୍ରମ କରି ସ୍ଥାନୀୟ ଲୋକମାନଙ୍କ ସହ ସକ୍ରିୟ ଭାବେ ମତବିନିମୟ କରିବା ସହ ସଚେତନତା ସୃଷ୍ଟି କରିଥିଲେ। ଏହି ଯାତ୍ରା ବଖାଲିରୁ ଆରମ୍ଭ ହୋଇଥିବା ବେଳେ ଏହା ପରେ ପଶ୍ଚିମବଙ୍ଗର ହଲଦିଆ ଓ ଦୀଘାରେ ପହଞ୍ଚିଥିଲା। ଓଡିଶାରେ ପ୍ରବେଶ କରିବା ପରେ ସେମାନେ ଚାନ୍ଦିପୁର, କୈଥକୋଲା, ପାରାଦୀପ, କୋଣାର୍କ ଓ ମାଲୁଦ ଦେଇ ଯାତ୍ରା କରିବା ସହ ଉପକୂଳବର୍ତ୍ତୀ ଜନସାଧାରଣଙ୍କଠାରୁ ଉଚ୍ଛସ୍ବିତ ସମ୍ବର୍ଦ୍ଧନା ଓ ସମର୍ଥନ ପାଇଥିଲେ। ଉପକୂଳ ସୁରକ୍ଷା, ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ପରିବେଶ ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ଏହି ମିଶନ ସହାୟକ ହୋଇଛି।

ମାଲୁଦଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବ୍ରହ୍ମପୁର ଏସପି ଡ. ସରବଣା ବିବେକ୍ ଏମ୍., ଅଲିମ୍ପିଆନ୍ ଭାରୋତ୍ତୋଳକ ତଥା ଅର୍ଜୁନ ପୁରସ୍କାରପ୍ରାପ୍ତ ରବି କୁମାର (ଡିଏସପି) ଓ ଭାରତୀୟ ସେନାର ପୂର୍ବତନ ହାବିଲଦାର ସୀମାଞ୍ଚଳ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

ସେମାନଙ୍କ ଉପସ୍ଥିତି ଜାତୀୟ ନିରାପତ୍ତା ଏବଂ ଗୋଷ୍ଠୀ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବାରେ ସାଇକ୍ଲୋଥନର ଗୁରୁତ୍ୱଉପରେ ଆଲୋକପାତ କରିଥିଲା। ୨୦୨୫ ମାର୍ଚ୍ଚ ୧୫ ତାରିଖରେ ସାଇକେଲ ଚାଳକମାନେ ମାଲୁଦରୁ ଆନ୍ଧ୍ରପ୍ରଦେଶର ସୋମପେଟା ଅଭିମୁଖେ ଯାତ୍ରା ଆରମ୍ଭ କରି ଅଭିଯାନର ତୃତୀୟ ରାଜ୍ୟରେ ପ୍ରବେଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍କୁଲ ପିଲାଙ୍କ ସମେତ ସ୍ଥାନୀୟ ସମୁଦାୟ ସକ୍ରିୟ ଅଂଶଗ୍ରହଣ କରିବା ସହ ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ସାମୁଦ୍ରିକ ନିରାପତ୍ତା, ଉପକୂଳ ସୁରକ୍ଷା ଏବଂ ବିପର୍ଯ୍ୟୟ ପ୍ରସ୍ତୁତିକୁ ପ୍ରୋତ୍ସାହିତ କରିବା ପାଇଁ ଏହି ସାଇକେଲ ଚାଳକମାନେ ହୁମା, ଗୋପାଳପୁର, ବ୍ରହ୍ମପୁର ଓ ସୋରଳା ଭଳି ପ୍ରମୁଖ ଅଞ୍ଚଳ ଅତିକ୍ରମ କରିବା ସମୟରେ ସ୍ଥାନୀୟ ଲୋକଙ୍କ ସହ ମତବିନିମୟ କରିଥିଲେ। ଏହା ପରେ ପ୍ରାୟ ୧୨୦ କିଲୋମିଟର ରାସ୍ତା ଅତିକ୍ରମ କରିବା ପରେ ଶେଷରେ ସେମାନେ ଆନ୍ଧ୍ରପ୍ରଦେଶର ସୋମପେଟାରେ ପହଞ୍ଚି ନିଜ ଯାତ୍ରାର ପଶ୍ଚିମବଙ୍ଗ ଓ ଓଡ଼ିଶା ପର୍ଯ୍ୟାୟକୁ ସଫଳତାର ସହ ଶେଷ କରିଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ମାର୍ଚ୍ଚ ୭, ୨୦୨୫ରେ ଉଦଘାଟିତ ହୋଇଥିବା ସିଆଇଏସଏଫ କୋଷ୍ଟାଲ ସାଇକ୍ଲୋଥନର ଲକ୍ଷ୍ୟ ହେଉଛି ଉପକୂଳବର୍ତ୍ତୀ ସମୁଦାୟଙ୍କୁ ସଚେତନ କରିବା ଏବଂ ଭାରତର ସାମୁଦ୍ରିକ ଭିତ୍ତିଭୂମିର ସୁରକ୍ଷାରେ ସିଆଇଏସଏଫର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା। ଏହା ମାଧ୍ୟମରେ ପଶ୍ଚିମ ଓ ପୂର୍ବ ଉପକୂଳରେ ଦୁଇଟି ଟିମ୍ ଯାତ୍ରା କରି ୧୧ଟି ରାଜ୍ୟ ପରିକ୍ରମା କରି ଗୁରୁତ୍ୱପୂର୍ଣ୍ଣ ଉପକୂଳ କେନ୍ଦ୍ର ଓ ଶିଳ୍ପାଞ୍ଚଳକୁ ଅନ୍ତର୍ଭୁକ୍ତ କରୁଛନ୍ତି। ଏହି ରାଲିରେ ସାଧାରଣ ଜନତାଙ୍କ ଯୋଗଦାନକୁ ପ୍ରେତ୍ସାହିତ କରାଯାଉଛି। ଏ ସଂପର୍କରେ ଅଧିକ ବିବରଣୀ ଓ ସୂଚନା ଓ ଅଂଶଗ୍ରହଣ ସୁଯୋଗ ପାଇଁ ସେମାନେ www.cisfcyclothon.com ଦେଖିପାରିବେ। ଏହି ଦଳ ଓଡ଼ିଶା ଦେଇ ଆଗକୁ ବଢ଼ୁଥିବା ବେଳେ ସେମାନଙ୍କ ବାର୍ତ୍ତା ସ୍ପଷ୍ଟ ରହିଛି: ‘ସୁରକ୍ଷିତ ଉପକୂଳ, ସମୃଦ୍ଧ ଭାରତ”।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବସନ୍ତ ଉତ୍ସବ ପାଳିତ

ଭୁବନେଶ୍ଵର: ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ରଙ୍ଗର ପର୍ବ ହୋଲିକୁ ବସନ୍ତ ଉତ୍ସବ ଭାବରେ ସୁନାବେଡାସ୍ଥିତ ବିଶ୍ୱବିଦ୍ୟାଳୟର କ୍ୟାମ୍ପସରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ କରିଛନ୍ତି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ DSW, ଡକ୍ଟର ରମେନ୍ଦ୍ର କୁମାର ପାଢୀ ଏବଂ ସାଂସ୍କୃତିକ କମିଟିର ସଂଯୋଜକ ଡକ୍ଟର କାକୋଲି ବାନାର୍ଜୀ ସ୍ୱାଗତ କରିଥିଲେ।

ବିଦ୍ୟାଳୟ ଓ ଗଣଶିକ୍ଷା ଟେକ୍ନୋଲୋଜିର ଡିନ୍, ପ୍ରଫେସର ଭରତ କୁମାର ପଣ୍ଡା ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ଡକ୍ଟର ବାନାର୍ଜୀ ତାଙ୍କ ସ୍ୱାଗତ ଭାଷଣରେ କାର୍ଯ୍ୟକ୍ରମର ପୃଷ୍ଠଭୂମି ଏବଂ ଋତୁ ପରିବର୍ତ୍ତନ ସହିତ ଦୋଳପୂର୍ଣ୍ଣିମା ପାଳନ କରିବାରେ ରବୀନ୍ଦ୍ରନାଥ ଟାଗୋରଙ୍କ ଭୂମିକା ବିଷୟରେ ପରିଚୟ ଦେଇଥିଲେ, ଯାହା ସେ ଶାନ୍ତି ନିକେତନରେ ବସନ୍ତ ଉତ୍ସବ ଭାବରେ ପରିଚିତ ଆନ୍ଦୋଳନ ଆରମ୍ଭ କରିଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ମାଣ୍ଡିଆ କ୍ଷୁଦ୍ର ଶସ୍ୟ ଉତ୍ପାଦନ କ୍ଷେତ୍ରରେ ନୂଆପଡ଼ା ଜିଲ୍ଲା ଓଡ଼ିଶାରେ ପ୍ରଥମ

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ଅଟେ। ଜିଲ୍ଲାରେ ଧାନ ମୁଖ୍ୟ ଫସଲ ହୋଇଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ କ୍ଷୁଦ୍ର ଶସ୍ୟ ଚାଷ ପାଇଁ ଅନେକ ପ୍ରୋତ୍ସାହନ ଦିଆଯାଉଛି। ତେଣୁ ଚଳିତ ବର୍ଷ ଜିଲ୍ଲାର ୨୬୩୪ ଜଣ ଚାଷୀଙ୍କ ଠାରୁ ୨୦ ହଜାର କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ ହୋଇଅଛି। ସମଗ୍ର ରାଜ୍ୟରେ ମାଣ୍ଡିଆ ଚାଷ ସଂଗ୍ରହ ତାଲିକାକୁ ଅନୁଧ୍ୟାନ କରା ଗଲେ ନୂଆପଡ଼ା ଜିଲ୍ଲା ସର୍ବାଧିକ ମାଣ୍ଡିଆ ସଂଗ୍ରହ ଜିଲ୍ଲା ରୂପେ ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଅଛି।

ଜିଲ୍ଲାରେ ଥିବା ଉଚ୍ଚ ଜମି ଏବଂ ଅଳ୍ପ ଜଳ ରେ ଜମି ସେଚିତ ହୋଇ ମାଣ୍ଡିଆ ଅମଳକ୍ଷମ ହୋଇଥିବା ବେଳେ ମାଣ୍ଡିଆ ସଂଗ୍ରହରେ ନୂଆପଡ଼ା ଜିଲ୍ଳା ସର୍ବାଧିକ ସଂଗ୍ରହ କରିପାରିଛି। ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି ମାଣ୍ଡିଆ ସଂଗ୍ରହ ମଣ୍ଡିକୁ ଉଦ୍ଘାଟନ କରିଥିବା ବେଳେ ଧାନ ର ବିକଳ୍ପ ଚାଷ କରିବାକୁ ପ୍ରୋତ୍ସାହନ ହେଉଛିନ୍ତି।

Categories
ଆଜିର ଖବର

ଓଡ଼ିଶାରେ ପହଞ୍ଚିଲା ସିଆଇଏସଏଫ୍ କୋଷ୍ଟାଲ୍ ସାଇକ୍ଲୋଥନ୍: ଚାନ୍ଦିପୁରରେ ମିଳିଲା ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ଵର: ଉପକୂଳ ସୁରକ୍ଷା ଏବଂ ପରିବେଶ ସଚେତନତାର ବାର୍ତ୍ତା ବାଣ୍ଟିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ସିଆଇଏସଏଫ୍ କୋଷ୍ଟାଲ୍ ସାଇକ୍ଲୋଥନ୍ ୨୦୨୫। ଏହି ସାଇକେଲ ଯାତ୍ରା ମାର୍ଚ୍ଚ ୯ ତାରିଖରେ ଓଡ଼ିଶାର ଚାନ୍ଦିପୁରରେ ପହଞ୍ଚିଛି, ଯାହା ଭାରତର ଉପକୂଳରେ ଏହାର ୬,୫୫୩ କିଲୋମିଟର ଦୀର୍ଘ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ପଶ୍ଚିମବଙ୍ଗର ବଖାଲି ବେଳାଭୂମିରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଦକ୍ଷିଣ ଦିଗକୁ ଗତି କରୁଥିବା ବେଳେ ସ୍ଥାନୀୟ ଲୋକ, ସରକାରୀ ଅଧିକାରୀ ଓ ସୁରକ୍ଷା ଏଜେନ୍ସିମାନଙ୍କ ପକ୍ଷରୁ ଏହା ପ୍ରତି ଉତ୍ସାହଜନକ ପ୍ରତିକ୍ରିୟା ମିଳିଛି।

୮ ଜଣ ମହିଳାଙ୍କ ସମେତ ମୋଟ ୫୦ ଜଣ ସାଇକେଲ ଚାଳକଙ୍କୁ ନେଇ ଗଠିତ ପୂର୍ବତଟ ଟିମ୍ ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ଦେଇ ମୋଟ ୨୭୭୮ କିଲୋମିଟର ଦୂରତା ଅତିକ୍ରମ କରିବ। ଏହି ଯାତ୍ରା ମାର୍ଚ୍ଚ ୩୧, ୨୦୨୫ରେ କନ୍ୟାକୁମାରୀସ୍ଥିତ ସ୍ୱାମୀ ବିବେକାନନ୍ଦ ସ୍ମାରକୀରେ  ଶେଷ ହେବ। ବାଟରେ ସେମାନେ ମତ୍ସ୍ୟଜୀବୀ, ସ୍ଥାନୀୟ ଯୁବକ ଓ ଶିଳ୍ପ ପ୍ରତିନିଧିଙ୍କ ସହ ଯୋଗାଯୋଗ କରି ଉପକୂଳ ସୁରକ୍ଷା ଓ ଜାତୀୟ ନିରାପତ୍ତା ସମ୍ପର୍କରେ ସଚେତନତା ସୃଷ୍ଟି କରୁଛନ୍ତି। ସେମାନଙ୍କ ଯାତ୍ରା ସଂକଳ୍ପ ଏବଂ ଦଳଗତ କାର୍ଯ୍ୟର ପ୍ରମାଣ, ଯାହା ଭାରତର ଉପକୂଳକୁ ସୁରକ୍ଷା ଦେବା ପାଇଁ ସିଆଇଏସଏଫର ପ୍ରତିବଦ୍ଧତାକୁ ଦୃଢ଼ କରିଛି ।

ସିଆଇଏସଏଫ ସାଇକେଲ ଚାଳକମାନେ ଚାନ୍ଦିପୁରରେ ପହଞ୍ଚିବା ପରେ ସ୍ଥାନୀୟ ଲୋକେ, ସ୍କୁଲ ଛାତ୍ରଛାତ୍ରୀ ଓ ବିଶିଷ୍ଟ ବ୍ୟକ୍ତିମାନେ ସେମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ସମୁଦ୍ର ଜଳ ପଛକୁ ଫେରିବା ଏବଂ ପ୍ରତିରକ୍ଷା ପରୀକ୍ଷଣ ସ୍ଥଳ ଭାବେ ଏହାର ଭୂମିକା ପାଇଁ ଜଣାଶୁଣା ଏହି ସହରରେ ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶିତ କରି ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସାଇକେଲ ଚାଳକ ଏବଂ ସେମାନଙ୍କ ମିଶନକୁ ସମ୍ମାନ ଦେବା ପାଇଁ ସ୍ଥାନୀୟ ବାସିନ୍ଦାମାନେ ଏକତ୍ରିତ ହୋଇଥିବାବେଳେ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ, ପାରମ୍ପରିକ ନୃତ୍ୟ ଏବଂ ଦେଶାତ୍ମବୋଧକ ଗୀତ ଉତ୍ସାହକୁ ଆହୁରି ବଢାଇ ଦେଇଥିଲା ।

୨୦୨୫ ମାର୍ଚ୍ଚ ୧୦ ତାରିଖରେ ବାଲେଶ୍ୱର ବାଲେଶ୍ୱର ଡିଆଇଜି (ପୂର୍ବାଞ୍ଚଳ ରେଞ୍ଜ) ଡକ୍ଟର ସତ୍ୟଜିତ ନାୟକ, ବାଲେଶ୍ୱର ଡିଏଫଓ ଶ୍ରୀ ଖୁଶୱନ୍ତ ସିଂହ ଏବଂ ସିଆଇଏସଏଫ କମାଣ୍ଡାଣ୍ଟ ସତ୍ୟବୀର ସିଂହ ଆସୱାଲଙ୍କ ଉପସ୍ଥିତିରେ ଏହି ଟିମ୍କୁ ଚାନ୍ଦିପୁରରୁ ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା। ସଭାକୁ ସମ୍ବୋଧିତ କରି ଏହି ଅଧିକାରୀମାନେ ଜାତୀୟ ନିରାପତ୍ତାକୁ ସୁଦୃଢ଼ କରିବାରେ ଉପକୂଳ ସତର୍କତା, ପରିବେଶ ସଂରକ୍ଷଣ ଏବଂ ସାମୂହିକ ଅଂଶଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି ସାଇକେଲ ଚାଳକମାନେ ଏବେ ୯୮ କିଲୋମିଟର ଦୂରତା ଅତିକ୍ରମ କରି କୈଥକୋଲା ଅଭିମୁଖେ ଯାଉଛନ୍ତି। ନିଜର ଯାତ୍ରା ମଧ୍ୟରେ ସେମାନେ ମତ୍ସ୍ୟଜୀବୀ, ସ୍ଥାନୀୟ ଯୁବକ ଏବଂ ଗୋଷ୍ଠୀ ପ୍ରତିନିଧିଙ୍କ ସହ ମତବିନିମୟ କରି ଉପକୂଳ ସୁରକ୍ଷା, ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଏକ ସୁରକ୍ଷିତ ସାମୁଦ୍ରିକ ପରିବେଶ ବଜାୟ ରଖିବାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବେ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ମାର୍ଚ୍ଚ ୭, ୨୦୨୫ରେ ଉଦଘାଟିତ ହୋଇଥିବା ସିଆଇଏସଏଫ କୋଷ୍ଟାଲ ସାଇକ୍ଲୋଥନର ଲକ୍ଷ୍ୟ ହେଉଛି ଉପକୂଳବର୍ତ୍ତୀ ସମୁଦାୟଙ୍କୁ ସଚେତନ କରିବା ଏବଂ ଭାରତର ସାମୁଦ୍ରିକ ଭିତ୍ତିଭୂମିର ସୁରକ୍ଷାରେ ସିଆଇଏସଏଫର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା। ଏହା ମାଧ୍ୟମରେ ପଶ୍ଚିମ ଓ ପୂର୍ବ ଉପକୂଳରେ ଦୁଇଟି ଟିମ୍ ଯାତ୍ରା କରି ୧୧ଟି ରାଜ୍ୟ ପରିକ୍ରମା କରି ଗୁରୁତ୍ୱପୂର୍ଣ୍ଣ ଉପକୂଳ କେନ୍ଦ୍ର ଓ ଶିଳ୍ପାଞ୍ଚଳକୁ ଅନ୍ତର୍ଭୁକ୍ତ କରୁଛନ୍ତି। ଏହି ରାଲିରେ ସାଧାରଣ ଜନତାଙ୍କ ଯୋଗଦାନକୁ ପ୍ରେତ୍ସାହିତ କରାଯାଉଛି। ଏ ସଂପର୍କରେ ଅଧିକ ବିବରଣୀ ଓ ସୂଚନା ଓ ଅଂଶଗ୍ରହଣ ସୁଯୋଗ ପାଇଁ ସେମାନେ www.cisfcyclothon.com ଦେଖିପାରିବେ । ଏହି ଦଳ ଓଡ଼ିଶା ଦେଇ ଆଗକୁ ବଢ଼ୁଥିବା ବେଳେ ସେମାନଙ୍କ ବାର୍ତ୍ତା ସ୍ପଷ୍ଟ ରହିଛି: ‘ସୁରକ୍ଷିତ ଉପକୂଳ, ସମୃଦ୍ଧ ଭାରତ”।

Categories
ଆଜିର ଖବର ରାଜ୍ୟ ଖବର

ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୧ କୋଟି ଅତିକ୍ରମ କରିବାକୁ ସ୍ୱାଗତ କଲେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ସଂଖ୍ୟା ୧ କୋଟି ଟପିବାକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଶ୍ରୀ ବୈଷ୍ଣବ କହିଛନ୍ତି, ‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଓଡ଼ିଶାର ମାଆ ଭଉଣୀମାନଙ୍କୁ ସଶକ୍ତ ଓ ଆତ୍ମନିର୍ଭର କରିବା ପାଇଁ ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୧ କୋଟିରୁ ଊର୍ଦ୍ଧ୍ୱ ହୋଇଛି। ଓଡିଶାରେ ମହିଳା ସଶକ୍ତିକରଣ ପ୍ରତି ରାଜ୍ୟ ସରକାର ନେଇଥିବା ସଂକଳ୍ପ ଏବେ ବାସ୍ତବତା ଦିଗକୁ ଅଗ୍ରସର ହେଉଛି।’’

କେନ୍ଦ୍ର ମନ୍ତ୍ରୀ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ ନିର୍ବାଚନ ପୂର୍ବର ପ୍ରତିଶ୍ରୁତି ପୂରଣ କରି ଓଡ଼ିଶା ସରକାର ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ପ୍ରତ୍ୟେକ କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ବାର୍ଷିକ ୨ଟି କିସ୍ତିରେ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯାଉଥିବା ବେଳେ ୫ ବର୍ଷ ମଧ୍ୟରେ ୫୦ ହଜାର ଟଙ୍କା ମିଳିବ।

୫ଟି ପର୍ଯ୍ୟାୟରେ ପ୍ରଥମ କିସ୍ତି ସୁଭଦ୍ରା ସହାୟତା ଯୋଗାଇ ଦିଆଯାଇଥିବା ବେଳେ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଦ୍ୱିତୀୟ କିସ୍ତି ସହାୟତା ବିତରଣ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏମ୍‌ସ ଭୁବନେଶ୍ୱରର ଐତିହାସିକ ସଫଳତା, ସବୁଠାରୁ କନିଷ୍ଠ ଅଙ୍ଗଦାତାଙ୍କ ଶରୀରରୁ ବହୁଅଙ୍ଗ ପୁନରୁଦ୍ଧାର

ଭୁବନେଶ୍ବର: ଜୀବନ କଣ ଜାଣିବା ପୂର୍ବରୁ ଶରୀରରେ ଆଉ ଜୀବନ ନଥିଲା। ମାତ୍ର ନିଜ କିଡ୍‌ନୀ(ବୃକକ୍‌) ଏବଂ ଲିଭର(ଯକୃତ) ଦାନ କରି ଅମର ହୋଇଯାଇଛନ୍ତି ୧୬ ମାସର ମାଷ୍ଟର ଜନ୍ମେଶ। ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଥିଲେ ସୁଦ୍ଧା ଦୁଇଜଣଙ୍କୁ ନୂତନ ପ୍ରାଣଦାନ କରିସବୁଦିନ ପାଇଁ ନିଜର ସତ୍ତା ଛାଡ଼ିଯାଇଛନ୍ତି ଜନ୍ମେଶ।

ପ୍ରତିରୋପଣ ସେବା କ୍ଷେତ୍ରରେ ନିଜର ପାରଦର୍ଶିତାକୁ ବଜାୟ ରଖିବା ସହିତ ମୃତକଙ୍କ ଶରୀରରୁ ଅଙ୍ଗ ପୁନରୁଦ୍ଧାର କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଏମ୍‌ସ ଭୁବନେଶ୍ବର। ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଓଡ଼ିଶାର ସବୁଠାରୁ କନିଷ୍ଠ ଅଙ୍ଗଦାତା, ମାଷ୍ଟର ଜନ୍ମେଶଙ୍କ ଶରୀରରୁ ବହୁଅଙ୍ଗ ପୁନରୁଦ୍ଧାର କରାଯାଇଛି। ଗତକାଲି ଅନୁଷ୍ଠିତ ଏହି ପ୍ରକ୍ରିୟା ମାଧ୍ୟମରେ ୧୬ ମାସର ମାଷ୍ଟର ଜନ୍ମେଶ କିଡ୍‌ନୀ(ବୃକକ୍‌) ଏବଂ ଲିଭର(ଯକୃତ) ଦାନ କରି ଦୁଇ ରୋଗୀଙ୍କୁ ନୂତନ ଜୀବନ ପ୍ରଦାନ କରିଛନ୍ତି। ଜନ୍ମେଶ ଲେଙ୍କାଙ୍କ ପିତାମାତାଙ୍କ ଏପରି ସାହସିକ ନିଷ୍ପତ୍ତି, ଯାହା ସେମାନଙ୍କର ବ୍ୟକ୍ତିଗତ ଦୁଃଖକୁ ଅନ୍ୟମାନଙ୍କ ପାଇଁ ଆଶାର ଆଲୋକରେ ପରିଣତ କରିଥିଲା।

ଗତ ମାସ ୧୨ ତାରିଖରେ ଏମ୍‌ସ ଭୁବନେଶ୍ୱରର ଶିଶୁ ବିଭାଗରେ ଭର୍ତ୍ତି ହୋଇଥିଲେ ଜନ୍ମେଶ। ଫରେନ୍‌ ବଡି ଆସ୍ପିରେସନ୍‌ ଏଣ୍ଡ୍‌ ଚୋକିଂ(ଶ୍ବାସକ୍ଳାନ୍ତ) ରୋଗରେ ପିଡ଼ୀତ ହୋଇ ମାଷ୍ଟର ଜନ୍ମେଶ ଡାକ୍ତର କୃଷ୍ଣ ମୋହନ ଗୁଲ୍ଲାଙ୍କ ତତ୍ତ୍ୱାବଧାନରେ ଚିକିତ୍ସାଧୀନ ଥିଲେ। ତୁରନ୍ତ କାର୍ଡିଓପଲମୋନାରୀ ରିସସିଟେସନ (ସିପିଆର) ଏବଂ ପରବର୍ତ୍ତୀ ଦୁଇ ସପ୍ତାହ ଧରି ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ମାତ୍ର ଅକ୍ଳାନ୍ତ ପ୍ରୟାସ ସତ୍ତ୍ୱେ, ଚଳିତ ମାସ ଏକ ତାରିଖରେ ଜନ୍ମେଶଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରାଯାଇଥିଲା।

ଅନ୍ୟମାନଙ୍କୁ ଜୀବନର ଉପହାର ଦେବାର ସମ୍ଭାବନାକୁ ସ୍ୱୀକାର କରି, ଏମ୍ସ ଭୁବନେଶ୍ୱରର ଡାକ୍ତରୀ ଦଳ ଅଙ୍ଗଦାନ ବିଷୟରେ ଶୋକାକୁଳ ପିତାମାତାଙ୍କୁ ପରାମର୍ଶ ଦେଇଥିଲେ। ଅପାର ଶକ୍ତି ଏବଂ କରୁଣା ସହିତ, ଜନ୍ମେଶଙ୍କ ପିତାମାତା ଅଙ୍ଗଦାନ ନିମନ୍ତେ ସମ୍ମତି ପ୍ରଦାନ କରିଥିଲେ। ତାଙ୍କ ଶିଶୁପୁତ୍ରର ଅଙ୍ଗଗୁଡ଼ିକୁ ଜୀବନ ରକ୍ଷାକାରୀ ପ୍ରତିରୋପଣ ପାଇଁ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ।

ସମ୍ମତି ପରେ, ଏମ୍‌ସର ସର୍ଜନ ଏବଂ ପ୍ରତିରୋପଣ ସଂଯୋଜକଙ୍କ ଏକ ବହୁମୁଖୀ ଦଳ ଶୀଘ୍ର ପୁନରୁଦ୍ଧାର ଏବଂ ପ୍ରତିରୋପଣ ପ୍ରକ୍ରିୟାକୁ ସହଜ କରିଥିଲେ।

ଡାକ୍ତର ବ୍ରହ୍ମଦତ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ଗ୍ୟାଷ୍ଟ୍ରୋ-ସର୍ଜରୀ ଦଳ ଦ୍ୱାରା ଯକୃତକୁ ସଫଳତାର ସହିତ ଉଦ୍ଧାର କରାଯାଇଥିଲା। ଗ୍ରୀନ୍‌ କରିଡର୍‌ରେ ନୂଆଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ୍ ବିଲିଆରି ସାଇନ୍ସେସ୍ (ଆଇଏଲ୍‌ବିଏସ)କୁ ପଠାଯାଇଥିଲା।

ଜନ୍ମେଶଙ୍କୁ ଦୁଇ କିଡ୍‌ନୀକୁ ପୁନରୁଦ୍ଧାର କରାଯାଇଥିଲା ଏବଂ ଏମ୍ସ ଭୁବନେଶ୍ୱରର ଜଣେ କିଶୋର ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ୟୁରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ପ୍ରଶାନ୍ତ ନାୟକଙ୍କ ନେତୃତ୍ୱରେ ଏହି ଜଟିଳ ଅସ୍ତ୍ରୋପଚାର ପ୍ରକ୍ରିୟା ସଫଳତାର ସହିତ ସମ୍ପାଦିତ ହୋଇଥିଲା।

ଏହି ମାମଲା ଐତିହାସିକ ଭାବରେ ଗୁରୁତ୍ୱପୂର୍ଣ୍ଣ କାରଣ ଜନ୍ମେଶ ଓଡ଼ିଶାର ସବୁଠାରୁ କନିଷ୍ଠ ଅଙ୍ଗ ଦାତା ହୋଇଥିଲେ। ଏହା ସହିତ, ରାଜ୍ୟରେ ଏନ-ବ୍ଲକ୍ କିଡନୀ ପ୍ରତିରୋପଣର କେବଳ ଦ୍ୱିତୀୟ ଘଟଣା ହେବାର ଗୌରବ ଲାଭ କରିଛି। ଏହା ଏକ ଉଚ୍ଚ ବିଶେଷଜ୍ଞ ଶଲ୍ୟଚିକିତ୍ସା ପଦ୍ଧତି ଥିଲା ଯେଉଁଠାରେ ଜଣେ ଶିଶୁ ଦାତାଙ୍କ ଉଭୟ ବୃକକକୁ ଏକାକୀ ଗ୍ରହଣକାରୀଙ୍କ ଶରୀରରେ ପ୍ରତିରୋପଣ କରାଯାଏ।

ଏମସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ, ଅଙ୍ଗ ପୁନରୁଦ୍ଧାର ଏବଂ ପ୍ରତିରୋପଣ ପ୍ରକ୍ରିୟାର ସଫଳ କାର୍ଯ୍ୟକାରୀତା ସୁନିଶ୍ଚିତ କରିବାରେ ସେମାନଙ୍କର ନିରନ୍ତର ପ୍ରୟାସ ଉପରେ ଆଲୋକପାତ କରି ପ୍ରତିରୋପଣ ସମନ୍ୱୟ ଦଳ ଏବଂ ସମ୍ପୃକ୍ତ ଡାକ୍ତରୀ ଦଳକୁ ପ୍ରଶଂସା କରିଥିଲେ। ଜନ୍ମେଶଙ୍କ ପିତାମାତାଙ୍କ ଅସାଧାରଣ ଉଦାରତା ପାଇଁ ମଧ୍ୟ ହୃଦୟରୁ କୃତଜ୍ଞତା ପ୍ରକାଶ କରିଥିଲେ ଡ. ବିଶ୍ବାସ।

ମାଷ୍ଟର ଜନ୍ମେଶ ଲେଙ୍କା ଏବଂ ତାଙ୍କ ପିତାମାତାଙ୍କ ନିଷ୍ପତ୍ତି ସମଗ୍ର ଭାରତରେ ଅଙ୍ଗଦାନ, ବିଶେଷକରି ଶିଶୁ ଅଙ୍ଗଦାନ କ୍ଷେତ୍ରରେ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।

ଏହି ଘଟଣା ଜନସଚେତନତା, ସମୟୋଚିତ ସମ୍ମତି ଏବଂ ଡାକ୍ତରୀ ସମନ୍ୱୟର ଗୁରୁତ୍ୱକୁ ପ୍ରତିପାଦିତ କରିବା ସହିତ ଏହା ନିଶ୍ଚିତ କରେ ଯେ ମସ୍ତିଷ୍କ ମୃତ ରୋଗୀଙ୍କ ଅଙ୍ଗ ଆବଶ୍ୟକ ଲୋକଙ୍କୁ ନୂତନ ଜୀବନ ଦେବା ପାଇଁ ବ୍ୟବହାର କରାଯାଇପାରିବ। ଏମ୍‌ସ ଭୁବନେଶ୍ୱର ଅଙ୍ଗ ପ୍ରତିରୋପଣରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ, ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ପଥ ପ୍ରଶସ୍ତ କରୁଛି।

ଅସହନୀୟ କ୍ଷତି ସତ୍ତ୍ୱେ, ଜନ୍ମେଶଙ୍କ ପିତାମାତାଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ମାନବିକତା ଏବଂ ସ୍ଥିରତାକୁ ପ୍ରତିପାଦିତ କରିଛି। ସେମାନଙ୍କର ନିଃସ୍ୱାର୍ଥପରତା ଅନ୍ୟମାନଙ୍କ ପାଇଁ ଆଶା, ସଚେତନତା ଏବଂ ଜୀବନ ରକ୍ଷାକାରୀ ସମ୍ଭାବନାର ପଥକୁ ଆଲୋକିତ କରିଛି। ଉଲ୍ଲେଖଯୋଗ୍ୟଯେ ମାଷ୍ଟର ଜନ୍ମେଶଙ୍କ ପିତା ଏମ୍‌ସ ଭୁବନେଶ୍ୱରରେ ହଷ୍ଟେଲ ୱାର୍ଡେନ ଭାବରେ କାର୍ଯ୍ୟ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୋଲଭରମ ପ୍ରକଳ୍ପ ବିରୋଧରେ ଜନ ସମ୍ମିଳନୀ

ଭୁବନେଶ୍ଵର: ପୋଲାଭରମ ପ୍ରକଳ୍ପ ଦ୍ବାରା ମାଲକାନଗିରି ଜିଲ୍ଲାର ଅନେକ ଗ୍ରାମ ଜଳମଗ୍ନ ହେବ ଓ ହଜାର ହଜାର ଆଦିବାସୀ ସେମାନଙ୍କ ଭିଟାମାଟି ହରାଇବେ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ପୋଲାଭରମ ପ୍ରକଳ୍ପ ବିରୁଦ୍ଧରେ ବିଜେଡି ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟ ଓଡିଶା ଓ ଛତିଶଗଡ଼ ସରକାରଙ୍କ ସହ ଆଲୋଚନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ନିର୍ଦେଶ ପାଳନ କରାଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି। ଏଥିପାଇଁ ବିଜେଡି ସର୍ବଦା ମାଲକାନଗିରିବାସୀଙ୍କ ସହ ରହିଛି ବୋଲି କରିଛନ୍ତି। ମାଲକାନଗିରି ଜିଲ୍ଲାର ମୋଟୁଠାରେ ଆଜି ଆୟୋଜିତ ପୋଲାଭରମ ପ୍ରତିବାଦ ମିଳିତ କ୍ରିୟାନୁଷ୍ଠାନ କମିଟିର ବିଶାଳ ଜନସମ୍ମିଳନୀରେ ଆଭାସି ମାଧ୍ୟମରେ ଯୋଗ ଦେଇ ସେ ଏହା ପ୍ରକାଶ କରିଛନ୍ତି।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ମୁନ୍ନା ଖାନ, ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା, ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ରମେଶ ଚନ୍ଦ୍ର ମାଝି, ବିଧାୟକ ମନୋହର ରନ୍ଧାରୀଙ୍କ ସମେତ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ନେତା ଓ ବିଭିନ୍ନ ଆଦିବାସୀ ସମାଜର କର୍ମକର୍ତା ଯୋଗ ଦେଇ ଏହି ପ୍ରକଳ୍ପକୁ ବିରୋଧ କରିଥିଲେ। ଏଥିପୂର୍ବରୁ ମୋଟୁର ମୁଗି ପଏଣ୍ଟରୁ ଜଳ ସଂଗ୍ରହ କରି ଏକ ସଂକଳ୍ପ କଳସ ଯାତ୍ରା ବାହାରି ମୋଟୁ ପଡ଼ିଆଠାରେ ପହଁଚିଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମହାକୁମ୍ଭ-୨୦୨୫: ୬୫ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ଅଂଶଗ୍ରହଣ ସହ ସନାତନ ଧର୍ମର ସବୁଠୁ ବଡ଼ ଆୟୋଜନ

ଭୁବନେଶ୍ୱର: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ପ୍ରୟାଗରାଜ ମହାକୁମ୍ଭ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଣମାଧ୍ୟମ ପ୍ରତିନିଧିମାନେ ଦିବ୍ୟ ଓ ଭବ୍ୟ ମହାକୁମ୍ଭ କ୍ଷେତ୍ର ବୁଲି ଦେଖିବା ସହିତ ସେଠାକାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିବେଶର ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିଛନ୍ତି। ବିଶେଷ କରି ମହାକୁମ୍ଭ ଭଳି ବିଶ୍ୱର ସର୍ବବୃହତ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନରେ ଉତ୍ତର ପ୍ରଦେଶ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ବ୍ୟାପକ ବ୍ୟବସ୍ଥା ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରଭାବିତ କରିଛି।

ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନେ ମହାକୁମ୍ଭ ନଗର ପରିସରରେ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ସ୍ଥାପିତ ମହାକୁମ୍ଭ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ପରିଦର୍ଶନ କରିଥିଲେ । ଏହି କେନ୍ଦ୍ରରେ ସେମାନେ କୁମ୍ଭ ମେଳା ପରିସରରେ ଭିଡ଼ ପରିଚାଳନା, ଟ୍ରାଫିକ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଥିଲେ। ସିସିଟିଭି କ୍ୟାମେରା, ଏଆଇ ଟେକ୍ନୋଲୋଜି ଓ ଡ୍ରୋନ୍ ସହାୟତାରେ ଏହି କେନ୍ଦ୍ରରୁ ସମ୍ପୂର୍ଣ୍ଣ ମହାକୁମ୍ଭ ଆୟୋଜନ କ୍ଷେତ୍ର ଉପରେ ନଜର ରଖାଯାଇଛି । ଏତେ ବଡ଼ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରଶାସନ ପକ୍ଷରୁ କିଭଳି ଆଧୁନିକ ପ୍ରଯୁକ୍ତିର ଉପଯୋଗ କରାଯାଇ ଶ୍ରଦ୍ଧାଳୁ, ସାଧୁସନ୍ଥ ଓ ଆଗନ୍ତୁକଙ୍କ ପାଇଁ ଉତ୍ତମ ବନ୍ଦୋବସ୍ତ କରାଯାଇଛି ସେ ବିଷୟରେ ଓଡ଼ିଆ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦିଆଯାଇଥିଲା।

ଓଡ଼ିଶାର ପ୍ରତିନିଧି ଦଳ ମହାକୁମ୍ଭ ପରିସରରେ ଶ୍ରଦ୍ଧାଳୁଙ୍କ ପାଇଁ ନିର୍ମିତ ଅସ୍ଥାୟୀ କେନ୍ଦ୍ରୀୟ ଚିକିତ୍ସାଳୟ ମଧ୍ୟ ବୁଲି ଦେଖିଥିଲେ । ୧୦୦ ଶଯ୍ୟା ବିଶିଷ୍ଟ ଏହି ଆଧୁନିକ ଚିକିତ୍ସାଳୟରେ ସମସ୍ତ ପ୍ରକାର ରୋଗର ଚିକିତ୍ସା ପାଇଁ ବିଶେଷ ସୁବିଧା କରାଯାଇଛି । ରୋଗ ପରୀକ୍ଷା ଠାରୁ ଆରମ୍ଭ କରି ଗୁରୁତର ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଏଠାରେ ବିଶେଷଜ୍ଞ ଡାକ୍ତରମାନଙ୍କୁ ନିଯୁକ୍ତ କରାଯାଇଛି । ପ୍ରାୟତଃ ସବୁ ବିଭାଗର ବିଶେଷଜ୍ଞ ଡାକ୍ତର ଏଠାରେ ନିୟୋଜିତ ରହିଛନ୍ତି । ରୋଗ ପରୀକ୍ଷା ଏବଂ ଚିକିତ୍ସା ପାଇଁ ଅତ୍ୟାଧୁନିକ ଚିକିତ୍ସା ଉପକରଣ ମଧ୍ୟ ଏଠାରେ ଖଞ୍ଜା ହୋଇଛି । ଗୋଟିଏ କେନ୍ଦ୍ରୀୟ ଚିକିତ୍ସାଳୟ ବ୍ୟତୀତ ମହାକୁମ୍ଭ ପରିସରରେ ଛୋଟ ଛୋଟ ପ୍ରାଥମିକ ଏବଂ ଆଶୁ ଚିକିତ୍ସା କେନ୍ଦ୍ର ମଧ୍ୟ ସ୍ଥାପନ କରାଯାଇଛି । ମେଳା ବୁଲିବାକୁ ଆସିଥିବା କୋଟି କୋଟି ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କୁ ତ୍ୱରିତ ଚିକିତ୍ସା ସୁବିଧା ଯୋଗାଇ ଦେବାରେ ଏଗୁଡ଼ିକ ସହାୟକ ହେଉଛି । ଆବଶ୍ୟକ ହେଲେ ରୋଗୀମାନଙ୍କୁ ଅନ୍ୟତ୍ର ଚିକିତ୍ସା ପାଇଁ ସ୍ଥାନାନ୍ତର କରିବା ଲାଗି ଆମ୍ବୁଲାନ୍ସ, ବୋଟ ଆମ୍ବୁଲାନ୍ସ ଏବଂ ଏୟାର ଆମ୍ବୁଲାନ୍ସ ସୁବିଧା ମଧ୍ୟ ମହାକୁମ୍ଭ ପରିସରରେ କରାଯାଇଛି ।

ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନେ ମହାକୁମ୍ଭ ପରିସରରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ଆୟୋଜିତ କଳାଗ୍ରାମ ବୁଲି ଦେଖିଛନ୍ତି । ଏହି କଳାଗ୍ରାମରେ ସବୁ ରାଜ୍ୟର କଳା ଓ ସଂସ୍କୃତିର ସଂଗମ ଦେଖିବାକୁ ମିଳିଛି । ମହାକୁମ୍ଭ କଳାଗ୍ରାମରେ ଭାରତର ଐତିହ୍ୟକୁ ନେଇ ମଧ୍ୟ ବିବିଧ ପ୍ରଦର୍ଶନୀ ଆୟୋଜନ କରାଯାଇଛି । ୧୦ ଏକର ପରିମିତ ନାଗବାସୁକୀ କ୍ଷେତ୍ରରେ ନିର୍ମିତ କଳାଗ୍ରାମରେ ଭାରତର ହସ୍ତଶିଳ୍ପ, ବ୍ୟଞ୍ଜନ ଓ ସଂସ୍କୃତିର ଅଦ୍ଭୂତ ସମନ୍ୱୟ ଦେଖିବାକୁ ମିଳିଛି । ଆଧୁନିକ ପ୍ରଯୁକ୍ତି ପ୍ରୟୋଗ କଳାଗ୍ରାମକୁ ଆହୁରି ଜୀବନ୍ତ କରିଛି । ଏଠାରେ ଦେଶ ବିଦେଶର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି । ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନେ  ଡିଜିଟାଲ ଅନୁଭୂତି କେନ୍ଦ୍ର ମଧ୍ୟ ବୁଲି ଦେଖିଥିଲେ।

ଅନ୍ୟପକ୍ଷରେ ମହାକୁମ୍ଭ ପରିସରସ୍ଥିତ ତ୍ରିବେଣୀ ମାର୍ଗରେ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ତରଫରୁ ଆୟୋଜିତ ପ୍ରଦର୍ଶନୀକୁ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନେ ବୁଲି ଦେଖିଛନ୍ତି। ଏହି ପ୍ରଦର୍ଶନୀ କ୍ଷେତ୍ରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ଏକ ଡିଜିଟାଲ ଫଟୋ ପ୍ରଦର୍ଶନୀ ଆୟୋଜନ କରାଯାଇଛି । ସେହିପରି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଆରଏଫ), ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ପ୍ରକାଶନ ବିଭାଗ ପକ୍ଷରୁ ମଧ୍ୟ ମଣ୍ଡପ କରାଯାଇଛି।

ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନେ ମହାକୁମ୍ଭ ପରିଦର୍ଶନ କରିବା ସହିତ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ସଂଗମ ସ୍ଥଳରେ ବୁଡ଼ ପକାଇବା ସହ ପୂଜାର୍ଚ୍ଚନା ମଧ୍ୟ କରିଥିଲେ। ପିଆଇବି ଭୁବନେଶ୍ୱରର ଗଣମାଧ୍ୟମ ଓ ସଂଚାର ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦଙ୍କ ତତ୍ତ୍ୱାବଧାନରେ ଏହି ମହାକୁମ୍ଭ ପରିଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବରିଷ୍ଠ ସାମ୍ବାଦିକ ସମରେନ୍ଦୁ ଦାସ, ଅନୁପମ ପ୍ରହରାଜ, ସରୋଜ କୁମାର ସାହୁ, କ୍ଷୀତିଶ ରାୟ ଏବଂ ସ୍ଥିତପ୍ରଜ୍ଞ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ।

ସୂଚନାଯୋଗ୍ୟ ବୁଧବାର ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ପ୍ରୟାଗରାଜ ମହାକୁମ୍ଭ ସମାପନ ହେଉଛି। ବର୍ତ୍ତମାନ ସୁଦ୍ଧା ମହାକୁମ୍ଭରେ ୬୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇସାରିଛନ୍ତି। ୧୪୪ ବର୍ଷ ପରେ ଆୟୋଜିତ ହେଉଥିବା ପ୍ରୟାଗରାଜ ମହାକୁମ୍ଭ ସନାତନ ଧର୍ମର ସବୁଠୁ ବଡ଼ କାର୍ଯ୍ୟକ୍ରମ ଭାବେ ପ୍ରମାଣିତ ହୋଇଥିବା ବେଳେ ଏହାର ଆୟୋଜନରେ ଉଭୟ ଉତ୍ତରପ୍ରଦେଶ ସରକାର ଏବଂ କେନ୍ଦ୍ର ସରକାରଙ୍କ ବ୍ୟାପକ ସୁବ୍ୟବସ୍ଥାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।