Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଧିନିୟମ, ୨୦୦୯ରେ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ ୨୦୧୪ (୨୦୧୪ର ନଂ ୬)ର ତ୍ରୟୋଦଶ ଅନୁସୂଚୀରେ ବ୍ୟବସ୍ଥା ଅନୁଯାୟୀ ତେଲଙ୍ଗାନା ରାଜ୍ୟର ମୁଲୁଗୁ ଜିଲ୍ଲାରେ ସାମ୍ମାକ୍କା ସାରକ୍କା କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆଇନ, ୨୦୦୯ରେ ସଂଶୋଧନ କରିବା ଲାଗି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସଂଶୋଧନ), ବିଲ୍, ୨୦୨୩ ନାମକ ଏକ ବିଲ୍ ସଂସଦରେ ଆଗତ କରିବାକୁ ଅନୁମୋଦନ ମିଳିଛି।

ଏଥିପାଇଁ ୮୮୯.୦୭ କୋଟି ଟଙ୍କାର ପାଣ୍ଠି ର ବ୍ୟବସ୍ଥା କରାଯିବ। ଏହି ନୂତନ ବିଶ୍ୱବିଦ୍ୟାଳୟ କେବଳ ରାଜ୍ୟରେ ଉଚ୍ଚଶିକ୍ଷାର ଉପଲବ୍ଧତା ଏବଂ ଗୁଣବତ୍ତା ବୃଦ୍ଧି କରିବ ନାହିଁ ବରଂ ରାଜ୍ୟର ଆଦିବାସୀ ଜନସାଧାରଣଙ୍କ ସୁବିଧା ପାଇଁ ଆଦିବାସୀ କଳା, ସଂସ୍କୃତି ଏବଂ ପାରମ୍ପରିକ ଜ୍ଞାନ ବ୍ୟବସ୍ଥାରେ ଶିକ୍ଷାଗତ ଏବଂ ଗବେଷଣା ସୁବିଧା ପ୍ରଦାନ କରି ଉଚ୍ଚଶିକ୍ଷା ଏବଂ ଜ୍ଞାନର ଉନ୍ନତ ମାର୍ଗକୁ ପ୍ରୋତ୍ସାହିତ କରିବ। ଏହି ନୂତନ ବିଶ୍ୱବିଦ୍ୟାଳୟ ଅତିରିକ୍ତ କ୍ଷମତା ସୃଷ୍ଟି କରିବ ଏବଂ ଆଞ୍ଚଳିକ ଅସନ୍ତୁଳନ ଦୂର କରିବାକୁ ଚେଷ୍ଟା କରିବ।

Categories
ଆଜିର ଖବର ଜାତୀୟ ଖବର

୧୩,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲଙ୍ଗାନାର ମହବୁବନଗରରେ ୧୩,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ସେସବୁକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। ସଡ଼କ, ରେଳ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ଏବଂ ଉଚ୍ଚ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଏହି ବିକାଶ ପ୍ରକଳ୍ପ ଗୁଡିକରେ ଅନ୍ତର୍ଭୁକ୍ତ ହୋଇଛି। ଏହି କାର୍ଯ୍ୟକ୍ରମ ଅବସରରେ , ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏକ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପାର୍ବଣ ଋତୁର ଆଗମନ ଉପରେ ଆଲୋକପାତ କରି କହିଥିଲେ ଯେ, ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାରିତ ହେବା ଦ୍ୱାରା ନବରାତ୍ରି ଆରମ୍ଭ ହେବା ପୂର୍ବରୁ ଶକ୍ତି ପୂଜାର ଭାବନା ପ୍ରତିଷ୍ଠା ହୋଇଛି।

ପ୍ରଧାନମନ୍ତ୍ରୀ ଆଜି ଅନେକ ସଡ଼କ ସଂଯୋଗ ପ୍ରକଳ୍ପର ଶିଳାନ୍ୟାସ କରି ଖୁସି ବ୍ୟକ୍ତ କରିଥିଲେ ଯାହା ଏହି ଅଞ୍ଚଳରେ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବ। ନାଗପୁର – ବିଜୟୱାଡା ଅର୍ଥନୈତିକ କରିଡର ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ପରିବହନ ଏବଂ ବ୍ୟବସାୟକୁ ସହଜ କରିବ, ଏହା ଏହି ରାଜ୍ୟ ଗୁଡିକରେ ବାଣିଜ୍ୟ, ପର୍ଯ୍ୟଟନ ଓ ଶିଳ୍ପକୁ ପ୍ରୋତ୍ସାହନ ଦେବ।

ଏହି କରିଡରରେ ୮ଟି ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍‌, ୫ଟି ବୃହତ ଖାଦ୍ୟ  ପାର୍କ, ୪ଟି ମାଛଧରା ସାମୁଦ୍ରିକ ଖାଦ୍ୟ କ୍ଲଷ୍ଟର, ୩ଟି ଔଷଧ ଓ ମେଡିକାଲ କ୍ଲଷ୍ଟର ଏବଂ ୧ଟି ବୟନ କ୍ଲଷ୍ଟର ସମେତ ପ୍ରମୁଖ ଅର୍ଥନୈତିକ କେନ୍ଦ୍ର ଚିହ୍ନଟ କରାଯାଇଛି। ଏହା ଦ୍ୱାରା ହନାମକୋଣ୍ଡା, ମହବୁବାବାଦ, ୱାରାଙ୍ଗଲ ଏବଂ ଖମ୍ମାମ ଜିଲ୍ଲାର ଯୁବକ ମାନଙ୍କ ପାଇଁ ଅନେକ ପଥ ଉନ୍ମୁକ୍ତ ହେବ।

ଏଠାରେ ଉତ୍ପାଦିତ ସାମଗ୍ରୀ ଗୁଡିକୁ ବନ୍ଦରକୁ ନେବା ପାଇଁ ତେଲଙ୍ଗାନା ଭଳି ସ୍ଥଳଭାଗ ଦ୍ୱାରା ଆବଦ୍ଧ ରାଜ୍ୟ ନିମନ୍ତେ ରେଳ ଓ ସଡ଼କ ଯୋଗାଯୋଗର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି ଯେ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ କରିଡର ତେଲଙ୍ଗାନା ଦେଇ ଗତି କରୁଛି । ଏସବୁ ପ୍ରକଳ୍ପ ଏହି ରାଜ୍ୟକୁ ପୂର୍ବ ଓ ପଶ୍ଚିମ ଉପକୂଳ ସହ ଯୋଡ଼ିବାର ମାଧ୍ୟମ ହେବ । ହାଇଦ୍ରାବାଦ ବିଶାଖାପାଟଣା କରିଡରର ସୂର୍ଯ୍ୟପେଟ – ଖମ୍ମାମ ବିଭାଗ ମଧ୍ୟ ଏଥିରେ ସାହାଯ୍ୟ କରିବ । ଏହା ପୂର୍ବତଟରେ ପହଞ୍ଚିବାରେ ସହାୟକ ହେବ । ଏହା ବ୍ୟତୀତ ଶିଳ୍ପ ଓ ବ୍ୟବସାୟର ଲଜିଷ୍ଟିକ୍ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ । ଜାକଲାଇର ଓ କ୍ରିଷ୍ଣା ସେକ୍ସନ ମଧ୍ୟରେ ନିର୍ମାଣ ହେବାକୁ ଥିବା ରେଳ ଲାଇନ୍ ମଧ୍ୟ ଏଠାକାର ଲୋକଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ।

ତେଲଙ୍ଗାନାର ହଳଦୀ ଚାଷୀ ମାନଙ୍କର ହିତ ପାଇଁ କେନ୍ଦ୍ର ସରକାର ଜାତୀୟ ହଳଦୀ ବୋର୍ଡ ଗଠନ କରିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଜାତୀୟ ହଳଦୀ ବୋର୍ଡ ଯୋଗାଣ ଶୃଙ୍ଖଳାର ମୂଲ୍ୟ ବୃଦ୍ଧି ଉପରେ ଗୁରୁତ୍ୱ ଦେବ ଏବଂ କୃଷକ ମାନଙ୍କ ପାଇଁ ଭିତ୍ତିଭୂମି ବିକାଶରେ ସାହାଯ୍ୟ କରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଜାତୀୟ ହଳଦୀ ବୋର୍ଡ ଗଠନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ତେଲଙ୍ଗାନା ଏବଂ ସମଗ୍ର ଦେଶର ସମସ୍ତ ହଳଦୀ ଚାଷ କରୁଥିବା କୃଷକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଶକ୍ତି ଏବଂ ଶକ୍ତି ନିରାପତ୍ତା କ୍ଷେତ୍ରରେ ସମଗ୍ର ବିଶ୍ୱରେ ସାମ୍ପ୍ରତିକ ବିକାଶ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହିତ ଏହା କହିଥିଲେ ଯେ ସରକାର କେବଳ ଶିଳ୍ପ ପାଇଁ ନୁହେଁ ବରଂ ପରିବାର ଗୁଡିକୁ ମଧ୍ୟ ଶକ୍ତି ସୁରକ୍ଷିତ କରିଛନ୍ତି । ୨୦୧୪ରେ ଏଲ୍‌ପିଜି ସିଲିଣ୍ଡର ସଂଖ୍ୟା ୧୪ କୋଟି ଥିବାବେଳେ ୨୦୨୩ ରେ ଏହା ୩୨ କୋଟିକୁ ବୃଦ୍ଧି ପାଇବାର ଉଦାହରଣ ଦେବା ସହ ନିକଟରେ ଗ୍ୟାସ ଦର ହ୍ରାସ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । “ସରକାର ଦେଶରେ ଏଲ୍‌ପିଜି ବିତରଣ ନେଟୱାର୍କର ସମ୍ପ୍ରସାରଣକୁ ପ୍ରୋତ୍ସାହନ ଦେଉଛନ୍ତି” ବୋଲି  ପ୍ରଧାନମନ୍ତ୍ରୀ କହିବା ସହିତ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ହାସନ – ଚେର୍ଲାପଲ୍ଲୀ ଏଲ୍‌ପିଜି ପାଇପଲାଇନ ପ୍ରକଳ୍ପ ଏହି ଅଞ୍ଚଳର ଲୋକ ମାନଙ୍କୁ ଶକ୍ତି ସୁରକ୍ଷା ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ସେ କୃଷ୍ଣପାଟନମରୁ ହାଇଦ୍ରାବାଦ ମଧ୍ୟରେ ମଲ୍ଟିପ୍ରଡକ୍ଟ ପେଟ୍ରୋଲିୟମ ପାଇପଲାଇନର ଶିଳାନ୍ୟାସ କରିବା ଉପରେ ମଧ୍ୟ ଆଲୋକପାତ କରିଥିଲେ ଯାହା ତେଲଙ୍ଗାନାରେ ହଜାର ହଜାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବାରେ ସାହାଯ୍ୟ କରିବ ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ଅନେକ କୋଠାକୁ ଉଦଘାଟନ କରିଥିଲେ । କେନ୍ଦ୍ର ସରକାର ହାଇଦ୍ରାବାଦ ବିଶ୍ୱ ବିଦ୍ୟାଳୟକୁ ‘ଇନଷ୍ଟିଚ୍ୟୁଟ୍ ଅଫ୍ ଏମିନେନ୍ସ’ ର ମାନ୍ୟତା ଦେବା ସହ ସ୍ୱତନ୍ତ୍ର ପାଣ୍ଠି ପ୍ରଦାନ କରିଛନ୍ତି । “ଭାରତ ସରକାର ମୁଲୁଗୁ ଜିଲ୍ଲାରେ ଏକ କେନ୍ଦ୍ରୀୟ ଆଦିବାସୀ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯାଉଛନ୍ତି  ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।

ଏହି ବିଶ୍ୱ ବିଦ୍ୟାଳୟର ନାମ ଶ୍ରଦ୍ଧାଳୁ ଆଦିବାସୀ ଦେବୀ ସାମ୍ମାକ୍କା – ସାରକ୍କାଙ୍କ ନାମରେ ରଖାଯିବ । ସାମ୍ମାକ୍କା – ସାରକ୍କା କେନ୍ଦ୍ରୀୟ ଆଦିବାସୀ ବିଶ୍ୱ ବିଦ୍ୟାଳୟ ପାଇଁ ପ୍ରାୟ ୯୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି କେନ୍ଦ୍ରୀୟ ଆଦିବାସୀ ବିଶ୍ୱ ବିଦ୍ୟାଳୟ ପାଇଁ ଶ୍ରୀ ମୋଦୀ ମଧ୍ୟ ତେଲଙ୍ଗାନାର ଅଧିବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ତେଲଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ ଏବଂ ସାଂସଦ ଶ୍ରୀ ବନ୍ଦୀ ସଞ୍ଜୟ କୁମାର ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ସମଗ୍ର ଦେଶରେ ଅତ୍ୟାଧୁନିକ ସଡ଼କ ଭିତ୍ତିଭୂମିର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମରେ ଏକାଧିକ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା ଓ ଏହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନାଗପୁର – ବିଜୟୱାଡା ଅର୍ଥନୈତିକ କରିଡରର ଅଂଶ ବିଶେଷ ପ୍ରମୁଖ ସଡ଼କ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିଥିଲେ ।

ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ଜାତୀୟ ରାଜପଥ – ୧୬୩ଜି’ ର ୱାରାଙ୍ଗଲରୁ ଖମ୍ମାମ ସେକ୍ସନ ପର୍ଯ୍ୟନ୍ତ ୧୦୮ କିଲୋମିଟର ଲମ୍ବର ‘ଚାରି ଲେନ୍ ଆକ୍ସେସ୍ ନିୟନ୍ତ୍ରିତ ଗ୍ରୀନଫିଲ୍ଡ ରାଜପଥ’ ଏବଂ ଜାତୀୟ ରାଜପଥ –  ୧୬୩ଜିର ଖମ୍ମାମରୁ ବିଜୟୱାଡ଼ା ସେକ୍ସନ ପର୍ଯ୍ୟନ୍ତ ୯୦ କିଲୋମିଟର ଲମ୍ବା ‘ଚାରି ଲେନ୍ ଆକ୍ସେସ୍ ନିୟନ୍ତ୍ରିତ ଗ୍ରୀନଫିଲ୍ଡ ରାଜପଥ’ । ପ୍ରାୟ ୬୪୦୦ କୋଟି ଟଙ୍କା ବ୍ୟୟରେ ଏହି ସଡ଼କ ପ୍ରକଳ୍ପ ଗୁଡ଼ିକର ବିକାଶ କରାଯିବ । ଏହି ପ୍ରକଳ୍ପ ଗୁଡ଼ିକ ୱାରାଙ୍ଗଲ ଏବଂ ଖମ୍ମାମ ମଧ୍ୟରେ ଯାତ୍ରା ଦୂରତା ପ୍ରାୟ ୧୪ କିଲୋମିଟର ହ୍ରାସ କରିବ; ଏବଂ ଖମ୍ମାମ ଏବଂ ବିଜୟୱାଡା ମଧ୍ୟରେ ପ୍ରାୟ ୨୭ କିଲୋମିଟର ଯାତ୍ରା ଦୂରତାକୁ କମ୍ କରିବ ।

ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ – ୩୬୫ବିବିର ୫୯ କିଲୋମିଟର ଦୀର୍ଘ  ସୂର୍ଯ୍ୟପେଟରୁ ଖମ୍ମାମ ସେକ୍ସନକୁ ଚାରି ଲେନ୍ କରିବା ପାଇଁ ଏକ ସଡ଼କ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ପାଖାପାଖି ୨୪୬୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ହାଇଦ୍ରାବାଦ- ବିଶାଖାପାଟଣା କରିଡରର ଏକ ଅଂଶ ଏବଂ ଭାରତମାଳା ପରିଯୋଜନା ଅଧୀନରେ ବିକଶିତ ହୋଇଛି । ଏହା ଦ୍ୱାରା ଆନ୍ଧ୍ରପ୍ରଦେଶର ଖମ୍ମାମ ଜିଲ୍ଲା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳକୁ ଉନ୍ନତ ସଂଯୋଗ ମିଳିବ ।

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ‘୩୭ କିଲୋମିଟର ଜାକଲାଇର- କ୍ରିଷ୍ଣା ନୂତନ ରେଳ ଲାଇନ’ କୁ ଲୋକାର୍ପଣ କରିଥିଲେ । ୫୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ନୂଆ ରେଳ ଲାଇନ୍ ସେକ୍ସନ ପ୍ରଥମ ଥର ପାଇଁ ପଛୁଆ ଜିଲ୍ଲା ନାରାୟଣପେଟା ଅଞ୍ଚଳକୁ ରେଳ ମାନଚିତ୍ରରେ ଆଣିଛି । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ କ୍ରିଷ୍ଣା ଷ୍ଟେସନରୁ ହାଇଦ୍ରାବାଦ (କାଚେଗୁଡା) – ରାଇଚୁର – ହାଇଦ୍ରାବାଦ (କାଚେଗୁଡା) ଉଦଘାଟନୀ ଟ୍ରେନ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଟ୍ରେନ୍ ସେବା ତେଲଙ୍ଗାନାର ହାଇଦ୍ରାବାଦ, ରଙ୍ଗାରେଡ୍ଡୀ, ମହବୁବନଗର ଏବଂ ନାରାୟଣପେଟା ଜିଲ୍ଲାକୁ କର୍ଣ୍ଣାଟକର ରାଇଚୁର ଜିଲ୍ଲା ସହ ସଂଯୋଗ କରିବ । ଏହି ସେବା ପଛୁଆ ଜିଲ୍ଲା ମହବୁବନଗର ଏବଂ ନାରାୟଣପେଟାର ଅନେକ ନୂତନ ଅଞ୍ଚଳକୁ ପ୍ରଥମ ଥର ପାଇଁ ରେଳ ସଂଯୋଗ ପ୍ରଦାନ କରିବ, ଯାହା ଦ୍ୱାରା ଛାତ୍ରଛାତ୍ରୀ, ଦୈନିକ ଯାତ୍ରୀ, ଶ୍ରମିକମାନେ ଉପକୃତ ହେବା ସହିତ  ଏହି ଅଞ୍ଚଳର ସ୍ଥାନୀୟ ହସ୍ତତନ୍ତ ଶିଳ୍ପ ମଧ୍ୟ ଲାଭାନ୍ୱିତ ହେବ ।

ଦେଶରେ ଲଜିଷ୍ଟିକ୍ ଦକ୍ଷତାରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱପୂର୍ଣ୍ଣ ତୈଳ ଏବଂ ଗ୍ୟାସ ପାଇପଲାଇନ ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା ଏବଂ ସମର୍ପଣ କରାଯାଇଥିଲା । ପ୍ରଧାନମନ୍ତ୍ରୀ ‘ହାସନ – ଚେର୍ଲାପଲ୍ଲୀ ଏଲ୍‌ପିଜି ପାଇପଲାଇନ  ପ୍ରକଳ୍ପ’ କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ପାଖାପାଖି ୨୧୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କର୍ଣ୍ଣାଟକର ହାସନରୁ ଚେର୍ଲାପଲ୍ଲୀ (ହାଇଦ୍ରାବାଦର ଉପନଗର) ପର୍ଯ୍ୟନ୍ତ ଏହି ଏଲ୍‌ପିଜି ପାଇପ୍‌ଲାଇନ ଏହି ଅଞ୍ଚଳରେ ଏଲ୍‌ପିଜି ପରିବହନ ଏବଂ ବିତରଣର ଏକ ସୁରକ୍ଷିତ, ସୁଲଭ ଏବଂ ପରିବେଶ ଅନୁକୂଳ ମାଧ୍ୟମ ପ୍ରଦାନ କରିଥାଏ । ସେ  କ୍ରିଷ୍ଣାପାଟନମ୍‌ରୁ ହାଇଦ୍ରାବାଦ (ମଲକାପୁର)’ ପର୍ଯ୍ୟନ୍ତ  ‘ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (ବିପିସିଏଲ୍‌)ର ମଲ୍ଟିପ୍ରଡକ୍ଟ ପେଟ୍ରୋଲିୟମ୍ ପାଇପଲାଇନ୍‌ର ଶିଳାନ୍ୟାସ କରିଥିଲେ ।

୧୯୪୦ କୋଟି ଟଙ୍କା ବ୍ୟୟରେ ୪୨୫ କିଲୋମିଟର ପାଇପଲାଇନ ନିର୍ମାଣ କରାଯିବ । ଏହି ପାଇପଲାଇନ ଏହି ଅଞ୍ଚଳରେ ପେଟ୍ରୋଲିୟମ ଉତ୍ପାଦର ଏକ ସୁରକ୍ଷିତ, ଦ୍ରୁତ, ଦକ୍ଷ ଏବଂ ପରିବେଶ ଅନୁକୂଳ ମାଧ୍ୟମ ପ୍ରଦାନ କରିବ ।

ହାଇଦ୍ରାବାଦ ବିଶ୍ୱ ବିଦ୍ୟାଳୟର ପାଞ୍ଚଟି ନୂତନ କୋଠା ଅର୍ଥାତ୍ ସ୍କୁଲ ଅଫ୍ ଇକୋନୋମିକ୍ସ ; ସ୍କୁଲ୍ ଅଫ୍ ମ୍ୟାଥେମେଟିକ୍ସ ଆଣ୍ଡ ଷ୍ଟାଟିଷ୍ଟକ୍ସ; ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ୍‌; ଲେକଚର ହଲ୍ କମ୍ପେ୍ଲକ୍ସ – ୩; ଏବଂ ସରୋଜିନୀ ନାଇଡୁ ସ୍କୁଲ ଅଫ୍ ଆର୍ଟସ ଆଣ୍ଡ କମ୍ୟୁନିକେସନ (ଆନେକ୍ସ) କୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଥିଲେ । ହାଇଦ୍ରାବାଦ ବିଶ୍ୱ ବିଦ୍ୟାଳୟରେ ଭିତ୍ତିଭୂମିର ଉନ୍ନତିକରଣ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ମାନଙ୍କୁ ଉନ୍ନତ ସୁବିଧା ଏବଂ ସୁଗମତା ପ୍ରଦାନ କରିବା ଦିଗରେ ଏକ ପଦକ୍ଷେପ ।

Categories
ବିଶେଷ ଖବର

ୱାରାଙ୍ଗଲରେ ପ୍ରାୟ ୬୧୦୦ ଟଙ୍କା ମୂଲ୍ୟର ବିକାଶ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲଙ୍ଗାନାର ୱାରାଙ୍ଗଲରେ ପ୍ରାୟ ୬୧୦୦ କୋଟି ଟଙ୍କା ମୂଲ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ବିକାଶ କାର୍ଯ୍ୟରେ ୫୫୫୦ କୋଟିରୁ ଅଧିକ ମୂଲ୍ୟର ୧୭୬ କିଲୋମିଟର ଦୈର୍ଘ୍ୟ ଜାତୀୟ ରାଜପଥ ପ୍ରକଳ୍ପ ଏବଂ ୫୦୦ କୋଟିରୁ ଅଧିକ ମୂଲ୍ୟରେ ବିକଶିତ ହେବାକୁ ଥିବା କାଜିପେଟରେ ଏକ ରେଳ ଉତ୍ପାଦନ ୟୁନିଟ୍ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ଭଦ୍ରକାଳୀ ମନ୍ଦିରରେ ଦର୍ଶନ ଏବଂ ପୂଜା ମଧ୍ୟ କରିଥିଲେ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଯଦିଓ ତେଲଙ୍ଗାନା ଏକ ନୂତନ ରାଜ୍ୟ ଏବଂ ଏହାର ଅସ୍ତିତ୍ୱର ମାତ୍ର ୯ ବର୍ଷ ପୂରଣ କରିଛି, ତଥାପି ଭାରତ ଇତିହାସରେ ତେଲଙ୍ଗାନା ଏବଂ ଏହାର ଲୋକଙ୍କ ଅବଦାନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ସେ କହିଛନ୍ତି ଯେ ତେଲୁଗୁ ଲୋକଙ୍କ ଦକ୍ଷତା ସବୁବେଳେ ଭାରତର ସାମର୍ଥ୍ୟ ବୃଦ୍ଧି କରିଛି। ଭାରତକୁ ବିଶ୍ୱର ୫ମ ବୃହତ୍ତମ ଅର୍ଥନୀତିରେ ପରିଣତ କରିବାରେ ତେଲଙ୍ଗାନାର ନାଗରିକମାନଙ୍କର ମହତ୍ୱପୂର୍ଣ୍ଣ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଏବଂ ପୁଞ୍ଜି ନିବେଶ ସ୍ଥଳ ଭାବରେ ବିଶ୍ୱକୁ ଆକର୍ଷିତ କରୁଥିବା ସୁଯୋଗ ବୃଦ୍ଧିରେ ଆତ୍ମବିଶ୍ୱାସ ପ୍ରକଟ କରିଥିଲେ । ସେ କହିଛନ୍ତି, “ବିକଶିତ ଭାରତ” ପାଇଁ ବହୁତ ଆଶା ଅଛି।

ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧିରେ ଏକ ସୁବର୍ଣ୍ଣ ସମୟର ଆଗମନକୁ ସ୍ୱୀକାର କରିବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ନୂତନ ଯୁବ ଭାରତ ଶକ୍ତି ସହିତ ଉଜ୍ଜ୍ୱଳ ହୋଇଛି। ଦ୍ରୁତ ଗତିରେ ବିକାଶ ଦୃଷ୍ଟିରୁ ଭାରତର କୌଣସି ଅଂଶକୁ ପଛରେ ପକାଇବା ଉଚିତ ନୁହେଁ ବୋଲି ଜୋର ଦେଇ ପ୍ରଧାନମନ୍ତ୍ରୀ ଗତ ୯ ବର୍ଷ ମଧ୍ୟରେ ତେଲେଙ୍ଗାନାର ଭିତ୍ତିଭୂମି ତଥା ଯୋଗାଯୋଗରେ ଉନ୍ନତି ଆଣିବା ଉପରେ ଆଲୋକପାତ କରିଛନ୍ତି। ୬୦୦୦ କୋଟିରୁ ଅଧିକ ମୂଲ୍ୟର ଆଜିର ପ୍ରକଳ୍ପ ପାଇଁ ସେ ତେଲେଙ୍ଗାନାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ନୂତନ ଲକ୍ଷ୍ୟ ହାସଲ କରିବା ପାଇଁ ନୂତନ ଉପାୟ ଖୋଜିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ ପୁରୁଣା ଭିତ୍ତିଭୂମି ସହିତ ଭାରତରେ ଦ୍ରୁତ ଗତିରେ ବିକାଶ ଅସମ୍ଭବ। ଦୁର୍ବଳ ଯୋଗାଯୋଗ ଏବଂ ମହଙ୍ଗା ଲଜିଷ୍ଟିକ୍ ଖର୍ଚ୍ଚ ବ୍ୟବସାୟର ଅଗ୍ରଗତିରେ ବାଧା ସୃଷ୍ଟି କରୁଥିବା ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ସରକାରଙ୍କ ବିକାଶର ଗତି ଏବଂ ମାପର ବହୁଗୁଣ ବୃଦ୍ଧି ଉପରେ ଆଲୋକପାତ କରିଥିଲେ। ସେ ଏକ ନେଟୱାର୍କ ସୃଷ୍ଟି କରୁଥିବା ରାଜପଥ, ଏକ୍ସପ୍ରେସୱେ, ଅର୍ଥନୈତିକ କରିଡର ଏବଂ ଶିଳ୍ପ କରିଡରର ଉଦାହରଣ ଦେଇଛନ୍ତି ଏବଂ ଦୁଇ ଲେନ ଏବଂ ଚାରି ଲେନ ବିଶିଷ୍ଟ ରାଜପଥକୁ ଯଥାକ୍ରମେ ଚାରି ଏବଂ ଛଅ ଲେନ ବିଶିଷ୍ଟ ରାଜପଥରେ ପରିଣତ କରାଯାଉଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ତେଲେଙ୍ଗାନାର ରାଜପଥ ନେଟୱାର୍କରେ ୨୫୦୦ କିଲୋମିଟରରୁ ୫୦୦୦ କିଲୋମିଟର ପର୍ଯ୍ୟନ୍ତ ଦୁଇଗୁଣ ବୃଦ୍ଧି ଘଟିଛି।

ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ୨୫୦୦ କିଲୋମିଟର ଜାତୀୟ ରାଜପଥ ର୍ନିମାଣ ବିକାଶର ବିଭିନ୍ନ ପର୍ଯ୍ୟାୟରେ ଅଛି। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଭାରତମାଳା ପ୍ରକଳ୍ପର ଏକ ଅଂଶ ଭାବରେ ତେଲେଙ୍ଗାନା ଦେଇ ଯାଇଥିବା ନିର୍ମାଣାଧିନ ହାଇଦ୍ରାବାଦ – ଇନ୍ଦୋର ଅର୍ଥନୈତିକ କରିଡର, ଚେନ୍ନାଇ – ସୁରଟ ଅର୍ଥନୈତିକ କରିଡର, ହାଇଦ୍ରାବାଦ – ପାନଜୀ ଅର୍ଥନୈତିକ କରିଡର ଏବଂ ହାଇଦ୍ରାବାଦ – ବିଶାଖାପାଟନମ୍ ଇଣ୍ଟର କରିଡରର ଉଦାହରଣ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ବକ୍ତବ୍ୟ ଜାରି ରଖି କହିଛନ୍ତି, ତେଲେଙ୍ଗାନା ଆଖପାଖର ଅର୍ଥନୈତିକ କେନ୍ଦ୍ରଗୁଡ଼ିକୁ ସଂଯୋଗ କରୁଛି ଏବଂ ଅର୍ଥନୈତିକ କାର୍ଯ୍ୟକଳାପର କେନ୍ଦ୍ର ପାଲଟିଛି।

ନାଗପୁର – ବିଜୟୱାଡା କରିଡରର ମାଞ୍ଚେରିଆଲ୍ – ୱାରଙ୍ଗାଲ୍ ସେକ୍ସନ ବିଷୟରେ ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶ ସହିତ ତେଲେଙ୍ଗାନାକୁ ଆଧୁନିକ ସଂଯୋଗ ଯୋଗାଇବ ଏବଂ ମାଞ୍ଚେରିଆଲ୍ ଏବଂ ୱାରଙ୍ଗଲ ମଧ୍ୟରେ ଦୂରତା ମଧ୍ୟ ହ୍ରାସ କରିବ ଏବଂ ଟ୍ରାଫିକ୍ ଭିଡ ହ୍ରାସ କରିବ ବୋଲି ସେ କହିଛନ୍ତି। ଏହି ଅଞ୍ଚଳରେ ଅନେକ ଆଦିବାସୀ ସମ୍ପ୍ରଦାୟ ବାସ କରନ୍ତି ଏବଂ ଦୀର୍ଘ ସମୟ ଧରି ଅବହେଳିତ ହୋଇ ଆସୁଛନ୍ତି।

ଶ୍ରୀ ମୋଦୀ କହିଛନ୍ତି ଯେ ଏହି କରିଡର ରାଜ୍ୟରେ ବହୁମୁଖୀ ଯୋଗାଯୋଗକୁ ଲକ୍ଷ୍ୟ ଦେବ ଏବଂ କରିମନଗର-ୱାରଙ୍ଗଲ ସେକ୍ସନର ଚାରି ଲେନ ହାଇଦ୍ରାବାଦ-ୱାରଙ୍ଗଲ ଶିଳ୍ପ କରିଡର, କାକଟିଆ ମେଗା ଟେକ୍ସଟାଇଲ ପାର୍କ ଏବଂ ୱାରଙ୍ଗଲ ଏସଇଜେଡ ସହିତ ସଂଯୋଗକୁ ମଜବୁତ କରିବ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ତେଲେଙ୍ଗାନାରେ ବୃଦ୍ଧି ହୋଇଥିବା ସଂଯୋଗ ରାଜ୍ୟ ଶିଳ୍ପ ତଥା ପର୍ଯ୍ୟଟନକୁ ସିଧାସଳଖ ଲାଭ ଦେଉଛି କାରଣ ତେଲେଙ୍ଗାନାର ଐତିହ୍ୟ କେନ୍ଦ୍ର ତଥା ବିଶ୍ୱାସ ସ୍ଥାନକୁ ଯାତ୍ରା କରିବା ବର୍ତ୍ତମାନ ଅଧିକ ସୁବିଧାଜନକ ହୋଇଛି। ସେ କରିମନଗରର କୃଷି ଶିଳ୍ପ ଏବଂ ଗ୍ରାନାଇଟ୍ ଶିଳ୍ପ ବିଷୟରେ ମଧ୍ୟ କହିଛନ୍ତି ଏବଂ ସରକାରଙ୍କ ଉଦ୍ୟମ ସେମାନଙ୍କୁ ସିଧାସଳଖ ସାହାଯ୍ୟ କରୁଛି ବୋଲି ସେ ଦର୍ଶାଇଛନ୍ତି। କୃଷକ ହେଉ କିମ୍ବା ଶ୍ରମିକ, ଛାତ୍ର କିମ୍ବା ବୃତ୍ତିଧାରୀ ହୁଅନ୍ତୁ, ସମସ୍ତେ ଉପକୃତ ହେଉଛନ୍ତି। ଯୁବକମାନେ ସେମାନଙ୍କ ଘର ନିକଟରେ ନୂତନ ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ସୁଯୋଗ ମଧ୍ୟ ପାଇଛନ୍ତି ବୋଲି ସେ କହିଛନ୍ତି।

ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଉପରେ ଆଲୋକପାତ କରି ଉତ୍ପାଦନ କ୍ଷେତ୍ର କିପରି ଦେଶର ଯୁବକମାନଙ୍କ ପାଇଁ ରୋଜଗାରର ଏକ ବଡ଼ ଉତ୍ସ ପାଲଟିଛି, ପ୍ରଧାନମନ୍ତ୍ରୀ ଦେଶରେ ଉତ୍ପାଦନକୁ ଉତ୍ସାହିତ କରିବା ପାଇଁ ପିଏଲଆଇ ଯୋଜନା ବିଷୟରେ ଉଲ୍ଲେଖ କରିଛନ୍ତି। ଯେଉଁମାନେ ଅଧିକ ଉତ୍ପାଦନ କରୁଛନ୍ତି ସେମାନେ ସରକାରଙ୍କଠାରୁ ବିଶେଷ ସହାୟତା ପାଇଛନ୍ତି ବୋଲି ଦର୍ଶାଇ ଶ୍ରୀ ମୋଦୀ କହିଛନ୍ତି ଯେ ଏହି ଯୋଜନା ଅନ୍ତର୍ଗତ ତେଲେଙ୍ଗାନାରେ ୫୦ ରୁ ଅଧିକ ବଡ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଚଳିତ ବର୍ଷ ପ୍ରତିରକ୍ଷା ରପ୍ତାନିରେ ଏକ ନୂତନ ରେକର୍ଡ ସୃଷ୍ଟି କରୁଥିବା ଭାରତ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ମତ ରଖିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ୯ ବର୍ଷ ପୂର୍ବେ ଭାରତର ପ୍ରତିରକ୍ଷା ରପ୍ତାନି ପ୍ରାୟ ୧୦୦୦ କୋଟି ଟଙ୍କା ଥିଲା, ଅ।ଜି ୧୬,୦୦୦ କୋଟି ଟଙ୍କା ଅତିକ୍ରମ କରିଛି। ସେ ହାଇଦ୍ରାବାଦରେ ଅବସ୍ଥିତ ଭରତ ଡାଇନାମିକ୍ସ ଲିମିଟେଡ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ଏହା ମଧ୍ୟ ଲାଭ କରୁଛି।

ପ୍ରଧାନମନ୍ତ୍ରୀ ଉତ୍ପାଦନ କ୍ଷେତ୍ରରେ ନୂତନ ରେକର୍ଡ ଏବଂ ନୂତନ ମାଇଲଖୁଣ୍ଟ ସ୍ଥାପନ କରୁଥିବା ଭାରତୀୟ ରେଳ ଉପରେ ମଧ୍ୟ ମତ ରଖିଛନ୍ତି। ସେ “ମେକ୍‍ ଇନ୍ ଇଣ୍ଡିଆ” ବନ୍ଦେ ଭାରତ ଟ୍ରେନ୍‌କୁ ନେଇ ଥିବା ଗୁଜବକୁ ଆଲୋକପାତ କରି କହିଛନ୍ତି ଯେ ଭାରତୀୟ ରେଳ ବର୍ଷ ବର୍ଷ ଧରି ହଜାର ହଜାର ଆଧୁନିକ କୋଚ୍ ଏବଂ ଲୋକୋମୋଟିଭ୍ ଉତ୍ପାଦନ କରିଛି। ରେଲୱେ ଉତ୍ପାଦନ ୟୁନିଟ୍‌, କାଜିପେଟଙ୍କ ବିଷୟରେ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଭାରତୀୟ ରେଳବାଇର ଏକ ନବୀକରଣ ଏବଂ କାଜିପେଟ ମେକ୍ ଇନ୍ ଇଣ୍ଡିଆର ନୂତନ ଶକ୍ତିର ଏକ ଅଂଶ ହେବ। ଏହି କାରଣରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି କ୍ଷେତ୍ରରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ପ୍ରତ୍ୟେକ ପରିବାର ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଉପକୃତ ହେବେ। ଏହି ସମ୍ବୋଧନକୁ ଶେଷ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ହେଉଛି “ସବକା ସାଥ, ସବକା ବିକାଶ” ବିକାଶର ଏହି ମନ୍ତ୍ର ସହିତ ତେଲେଙ୍ଗାନାକୁ ଆଗକୁ ନେବାପାଇଁ ସେ ଆହ୍ୱାନ ଦେଇଛନ୍ତି।

ଏହି ଉତ୍ସବରେ ତେଲେଙ୍ଗାନାର ରାଜ୍ୟପାଳ ଡକ୍ଟର ତାମିଲାଇସାଇ ସୁନ୍ଦରରାଜନ୍‌, କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି କିଶନ ରେଡ୍ଡୀ ଏବଂ ସାଂସଦ ସଞ୍ଜୟ ବନ୍ଦି ପ୍ରମୁଖ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ୫୫୫୦ କୋଟିରୁ ଅଧିକ ମୂଲ୍ୟର ୧୭୬ କିଲୋମିଟର ଦୈର୍ଘ୍ୟ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ପ୍ରକଳ୍ପଗୁଡ଼ିକରେ ନାଗପୁରର ୧୦୮ କିଲୋମିଟର ଦୈର୍ଘ୍ୟ ମାଞ୍ଚେରିଆଲ୍ – ୱାରଙ୍ଗଲ୍ ସେକ୍ସନ – ବିଜୟୱାଡା କରିଡର ଅନ୍ତର୍ଭୁକ୍ତ। ଏହି ସେକ୍ସନ ମଞ୍ଚେରିଆଲ୍ ଏବଂ ୱାରଙ୍ଗଲ୍ ମଧ୍ୟରେ ଦୂରତାକୁ ପ୍ରାୟ ୩୪ କିଲୋମିଟର ହ୍ରାସ କରିବ, ଯାହାଦ୍ୱାରା ଯାତ୍ରା ସମୟ ହ୍ରାସ ହେବ ଏବଂ ଏନଏଚ-୪୪ ଏବଂ ଏନଏଚ-୬୫ ରେ ଟ୍ରାଫିକ୍ ଭିଡ ହ୍ରାସ ପାଇବ। ଏନଏଚ-୫୬୩ ର ୬୮ କିଲୋମିଟର ଦୈର୍ଘ୍ୟ କରିମନଗର – ୱାରଙ୍ଗଲ୍ ସେକ୍ସନର ନବୀକରଣ ପାଇଁ ସେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ହାଇଦ୍ରାବାଦ-ୱାରଙ୍ଗଲ ଶିଳ୍ପ କରିଡର, କାକଟିଆ ମେଗା ଟେକ୍ସଟାଇଲ ପାର୍କ ଏବଂ ୱାରଙ୍ଗଲରେ ଏସଇଜେଡ ସହିତ ସଂଯୋଗକୁ ସୁଦୃଢ କରିବାରେ ସାହାଯ୍ୟ କରିବ।

ପ୍ରଧାନମନ୍ତ୍ରୀ କାଜିପେଟ ରେଳ ଉତ୍ପାଦନ ୟୁନିଟ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ୫୦୦ କୋଟିରୁ ଅଧିକ ମୂଲ୍ୟରେ ବିକଶିତ ହେବାକୁ ଥିବା ଆଧୁନିକ ଉତ୍ପାଦନ ୟୁନିଟ୍ ରୋଲିଂ ଷ୍ଟକ୍ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବ। ଏହା ଅତ୍ୟାଧୁନିକ ବୈଷୟିକ ମାନକ ଏବଂ ୱାଗନ୍ସର ରୋବୋଟିକ୍ ପେଣ୍ଟିଂ, ଅତ୍ୟାଧୁନିକ ଯନ୍ତ୍ରପାତି ଏବଂ ଆଧୁନିକ ସାମଗ୍ରୀ ସଂରକ୍ଷଣ ଏବଂ ପରିଚାଳନା ସହିତ ଏକ ପ୍ଲାଣ୍ଟ ସହିତ ସୁସଜ୍ଜିତ ହେବ। ଏହା ସ୍ଥାନୀୟ ରୋଜଗାର ସୃଷ୍ଟି ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ସହାୟକ ୟୁନିଟ୍‌ଗୁଡିକର ବିକାଶରେ ସାହାଯ୍ୟ କରିବ।