Categories
ଆଜିର ଖବର ରାଜ୍ୟ ଖବର

ଦେଶର ଚାଷୀମାନେ କେବଳ ଅନ୍ନଦାତା ନୁହନ୍ତି ସେମାନେ ଜୀବନଦାତା ମଧ୍ୟ: କେନ୍ଦ୍ର କୃଷି ମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପରିସରରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ, ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ବିଭାଗର ବରିଷ୍ଠ ଅଧିକାରୀ ଓ କୃଷି ବୈଜ୍ଞାନିକମାନେ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଲାଗି ଆଜି ଠାରୁ ସାରା ଦେଶରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ ହେଉଛି। ଦେଶର ୨ହଜାର ୧୭୦ଟି ସ୍ଥାନରେ କୃଷି ବୈଜ୍ଞାନିକ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଚାଷୀଙ୍କ ସହ ମତବିନିମୟ କରୁଛନ୍ତି । ସେମାନେ ଏହି କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଛନ୍ତି।

ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦର ଦେଶର କୃଷି କ୍ଷେତ୍ର ଅଧିକ ସମୃଦ୍ଧ ହେଉ ବୋଲି କାମନା କରି କେନ୍ଦ୍ର କୃଷି ମନ୍ତ୍ରୀ କହିଥିଲେ, ଦେଶର ଚାଷୀମାନେ କେବଳ ଅନ୍ନଦାତା ନୁହନ୍ତି ସେମାନେ ଜୀବନଦାତା ମଧ୍ୟ। ଚାଷୀମାନେ ଦେଶର ଖାଦ୍ୟାନ୍ନ ଭଣ୍ଡାର ଭରୁଛନ୍ତି। ଚାଷୀମାନଙ୍କ ଘର ମଧ୍ୟ ଯେପରି ଖାଲି ନରହିବ, କୃଷି ଲାଭଜନକ ବେଉସା ହେବ ଏବଂ ସେମାନେ ନିଜ ଫସଲର ଲାଭଜନକ ମୂଲ୍ୟ ପାଇପାରିବେ ସେଥିପାଇଁ ପଦକ୍ଷେପ ନିଆଯାଉଛି। ଆଜି ଦେଶରେ ରେକର୍ଡ ପରିମାଣର ଖାଦ୍ୟ ଶସ୍ୟ ଉତ୍ପାଦନ ହେଉଛି। ଧାନ, ଗହମ ହେଉ କିମ୍ବା ମକା, ସବୁ ଖାଦ୍ୟ ଶସ୍ୟ ଦେଶରେ ଯଥେଷ୍ଟ ପରିମାଣରେ ମହଜୁଦ ରହିଛି। ତେବେ ଏତିକିରେ ସୀମିତ ନରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ବିଶ୍ୱର ଖାଦ୍ୟ ଭଣ୍ଡାର ହେବା ଦିଗରେ ପ୍ରୟାସରତ ରହିଛି। ଦେଶର ୧୪୫ କୋଟିରୁ ଅଧିକ ଲୋକଙ୍କ ପେଟ ଭରିବା ସହିତ ବିଶ୍ୱର ଅନ୍ୟ ରାଷ୍ଟ୍ରକୁ ଖାଦ୍ୟଶସ୍ୟ ଓ ପନିପରିବା ପଠାଇବା ଲାଗି ଦେଶର ଚାଷୀଙ୍କୁ ସକ୍ଷମ କରିବାକୁ ହେବ ବୋଲି ଶ୍ରୀ ଚୌହାନ କହିଥିଲେ ।

କେନ୍ଦ୍ର କୃଷି ମନ୍ତ୍ରୀ ଆହୁରି କହିଥିଲେ, ଚାଷୀଙ୍କ ଉତ୍ପାଦନ ବଢ଼ାଇବା ସହିତ ଖର୍ଚ୍ଚ କମାଇବା ଲାଗି ମଧ୍ୟ ପଦକ୍ଷେପ ନିଆଯିବା ଜରୁରୀ। ସେଥିପାଇଁ କେନ୍ଦ୍ର ସରକାର କିଷାନ କ୍ରେଡିଟ୍‌ କାର୍ଡ ଜରିଆରେ କୃଷି ଋଣ ଉପରେ ୪ ପ୍ରତିଶତ ପର୍ଯ୍ୟନ୍ତ ସୁଧ ରିହାତି ଦେଉଛନ୍ତି । ରାଜ୍ୟ ସରକାରଙ୍କ ଭାଗ ମିଶିଲେ ଏହି ରିହାତି ଶୂନ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି। କୃଷି କ୍ଷେତ୍ର ପାଇଁ ଳସେଚନ ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ, ଓଡ଼ିଶା  ସରକାର ୧୫ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ପାଇଁ ଯୋଜନା ପ୍ରସ୍ତୁତ କରିବା ସ୍ୱାଗତଯୋଗ୍ୟ। ଶ୍ରୀ ଚୌହାନ କହିଥିଲେ, ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରଭାବିତ ହେଉଥିବା ଫସଲ ପାଇଁ କ୍ଷତିପୂରଣ ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରଣୟନ କରାଯାଇଛି। ଓଡ଼ିଶାରେ ଧାନ, ଆମ୍ବ, ଜୈବିକ ଚାଉଳ, ହଳଦୀ ଆଦିର ଗୁଣବତ୍ତାକୁ ସେ ପ୍ରଂଶସା କରିଥିଲେ।

ବିକଶିତ କୃଷି ସଂକଳ୍ପ ଅଭିଯାନରେ ସାମିଲ ହେବାକୁ ଚାଷୀମାନଙ୍କୁ ଆହ୍ୱାନ କରି ଶ୍ରୀ ଚୌହାନ କହିଥିଲେ, ପରୀକ୍ଷାଗାରରେ ବୈଜ୍ଞାନିକମାନଙ୍କୁ ଚାଷୀଙ୍କ ସହ ଯୋଡ଼ିବା ପାଇଁ ଅଭିଯାନ ଆରମ୍ଭ କରାଯାଇଛି। କେବଳ ଆଇସିଏଆର ନିକଟରେ ଥିବା ୧୬ହଜାରରୁ ଅଧିକ କୃଷି ବୈଜ୍ଞାନିକ ଚାଷୀଙ୍କ ସହ ମତବିନିମୟ କରିବା ଲାଗି ପ୍ରସ୍ତୁତ ରହିଛନ୍ତି। ବୈଜ୍ଞାନିକ ଓ ଚାଷୀଙ୍କ ମଧ୍ୟରେ ସଂଗମ ହୋଇପାରିଲେ କୃଷି କ୍ଷେତ୍ରରେ ଆହୁରି ସମୃଦ୍ଧି ଆସିପାରିବ। ଅଧିକ ଦ୍ରୁତ ଗତିରେ ଫସଲ ଉତ୍ପାଦନ ବୃଦ୍ଧି ହୋଇପାରିବ। ଏହି ଅଭିଯାନରେ ବୈଜ୍ଞାନିକମାନେ ପ୍ରତି ଗାଁକୁ ଯାଇ ସେଠାରେ ପ୍ରାକୃତିକ ଓ ଭୌଗଳିକ ସ୍ଥିତି ଅନୁଯାୟୀ କୃଷି ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେବେ ଏବଂ ସେମାନଙ୍କର ସମସ୍ୟା ବିଷୟରେ ତଥ୍ୟ ସଂଗ୍ରହ କରି ସେଗୁଡ଼ିକର ସମାଧାନ ଯୋଗାଇଦେବେ ବୋଲି ଶ୍ରୀ ଚୌହାନ କହିଥିଲେ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ବିକଶିତ କୃଷି ସଂକଳ୍ପ ଅଭିଯାନ ଓଡ଼ିଶାରୁ ଆରମ୍ଭ ହେବା ଗୌରବର ବିଷୟ। ସେ ଏହି ଅଭିଯାନର ସଫଳତା କାମନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ କୃଷି ଉତ୍ପାଦନ ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ବିକଶିତ ଭାରତ ସଂକଳ୍ପ ଅଭିଯାନ ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ।  ସେ ଆହୁରି କହିଥିଲେ, ଦିନକୁ ଦିନ ଚାଷ ଜମି ସଂକୁଚିତ ହେଉଥିବାରୁ ଚିରାଚରିତ ପଦ୍ଧତିରେ ଚାଷ କରି ଅଧିକ ଫସଲ ଅମଳ କରିବା ସମ୍ଭବ ନୁହେଁ। ନୂତନ କୃଷି ଜ୍ଞାନକୌଶଳ ସହାୟତାରେ କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରିବାକୁ ହେବ। ଭାରତ ଆଜି ଖାଦ୍ୟଶସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇପାରିଛି। ଓଡ଼ିଶା ମଧ୍ୟ ଧାନ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇଛି। କିନ୍ତୁ ପନିପରିବା, ଡାଲି, ତୈଳବୀଜ, ଅଣ୍ଡା ଇତ୍ୟାଦି ପାଇଁ ଓଡ଼ିଶାକୁ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ଏ ଦିଗରେ ଅଧିକ ପ୍ରୟାସ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ତାଙ୍କ ସରକାର ଚାଷୀଙ୍କ ଆୟ ବୃଦ୍ଧି ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି। ଧାନ କୁଇଣ୍ଟାଲ ପିଛା ୩୧ଶହ ଟଙ୍କା ଏମଏସପିରେ କିଣାଯାଉଛି। ରାଜ୍ୟ ସରକାର ଏଥିପାଇଁ ୮୦୦ ଟଙ୍କାର ଇନପୁଟ୍‌ ସହାୟତା ଦେଉଛନ୍ତି। ସେହିପରି ରାଜ୍ୟରେ ପିଏମ କିଷାନ ଏବଂ ସିଏମ କିଷାନ ଯୋଜନା କାର୍ଯ୍ୟକାରୀ କରାଯାଇ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହାଦ୍ୱାରା ରାଜ୍ୟର ୪୮ ଲକ୍ଷରୁ ଅଧିକ ଚାଷୀ ପରିବାର ଉପକୃତ ହୋଇପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେହିପରି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ର ଠାରେ ଏକ ଆମ୍ବ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ୧୨ ଜୁନ୍‌ ପର୍ଯ୍ୟନ୍ତ ଚାଲିବାକୁ ଥିବା ୧୫ ଦିନିଆ ବିକଶିତ କୃଷି ସଂକଳ୍ପ ଅଭିଯାନରେ ଦେଶର ୧୬ ହଜାର ବୈଜ୍ଞାନିକଙ୍କୁ ନେଇ ୨୧୭୦ଟି ଦଳ ଗଠନ କରାଯାଇଛି। ଏହି ବୈଜ୍ଞାନିକମାନେ ଗାଁକୁ ଗାଁ ଯାଇ ପ୍ରାୟ ଦେଢ଼ କୋଟି କୃଷକମାନଙ୍କ ସହ ଭାବ ବିନିମୟ କରିବେ। ଗୋଟିଏ ଦଳ ଗୋଟିଏ ଦିନରେ ୨ଟି ଗ୍ରାମ ପରିଦର୍ଶନ କରିବେ। ସ୍ଥାନୀୟ ଅଞ୍ଚଳର ଜଳବାୟୁ, ଜଳ, ମୃତ୍ତିକାର ପୋଷକ ତତ୍ତ୍ୱ ଏବଂ ଅନ୍ୟାନ୍ୟ କାରକ, କେଉଁ ଫସଲ ବୁଣାଯିବା ଉଚିତ, କେଉଁ ପ୍ରକାର ରହିବା ଉଚିତ, ସାରର କେତେ ସନ୍ତୁଳିତ ବ୍ୟବହାର କରାଯିବା ଉଚିତ, ପ୍ରାକୃତିକ ଚାଷ ସହିତ ଡାଲି ଏବଂ ତୈଳବୀଜ ଚାଷ ଉପରେ କୃଷକମାନଙ୍କ ସହ ଆଲୋଚନା କରାଯିବ। ବୈଜ୍ଞାନିକମାନେ ସିଧାସଳଖ ବାର୍ତ୍ତାଳାପ ମାଧ୍ୟମରେ କୃଷକମାନଙ୍କ ବ୍ୟବହାରିକ ସମସ୍ୟାର ସମାଧାନ କରିବେ। କୃଷି କ୍ଷେତ୍ରର ଆବଶ୍ୟକତା ଅନୁଯାୟୀ ଅଧିକ ଗବେଷଣାର ଦିଗ ମଧ୍ୟ ସ୍ଥିର କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଓୟୁଏଟିର‌ ଭିତ୍ତିଭୂମି ପ୍ରକଳ୍ପର ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ: ଯୋଗଦେଲେ ଉପ-ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ

ଭୁବନେଶ୍ବର: ଆଜି କୃଷିଭବନ ଠାରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ କାର୍ଯ୍ୟନିର୍ବାହୀ ସଂସ୍ଥା ସହିତ ଓୟୁଏଟିର‌ ଭିତ୍ତିଭୂମି ପ୍ରକଳ୍ପର ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ଏହି ବୈଠକରେ ଓୟୁଏଟି ପରିସରରେ ନିର୍ମାଣଧିନ ୫୦୦ ସିଟ୍ ବିଶିଷ୍ଟ ଛାତ୍ର ନିବାସ, ନିର୍ମାଣଧିନ ୨୦୦ ସିଟ୍ ବିଶିଷ୍ଟ ଶ୍ରମିକ ନିବାସ ନିର୍ମାଣ, ଛାତ୍ରୀ ନିବାସର ୧୦ ଟା କୋଠରୀର ନବୀକରଣ, ନିର୍ମାଣଧିନ ପ୍ରଶାସନିକ ଭବନ, ନିର୍ମାଣଧିନ ଚ଼ିପିଲିମା ଠାରେ କଲେଜ୍ ଅଫ୍ ଏଗ୍ରିକଲ୍ଟଚ଼ର ଠାରେ ହୋଇଥିବା ୫୦୦ ସିଟ୍ ବିଶିଷ୍ଟ ଅଡିଟୋରିୟମ ହଲ୍ ଆଦିର ସ୍ଥିତି ବିଷୟରେ କାର୍ଯ୍ୟନିର୍ବାହୀ ସଂସ୍ଥାର ଅଧିକାରୀ ମାନେ ଅବଗତ କରାଇଥିଲେ। ଚାଲୁଥିବା ସମସ୍ତ କାର୍ଯ୍ୟକୁ ସମାପ୍ତ କରି ଖୁବଶୀଘ୍ର ହସ୍ତାନ୍ତର କରିବାପାଇଁ କାର୍ଯ୍ୟନିର୍ବାହୀ ସଂସ୍ଥାକୁ ନିର୍ଦ୍ଦେଶ‌ ଦିଆଯାଇଥିଲା।

ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ, ଆରକ୍ଷୀ ମହାନିର୍ଦ୍ଦେଶକ (ଅତ୍ୟାଧୁନିକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ, ଓୟୁଏଟି କୁଳପତି ପ୍ରଫେସର ଡକ୍ଟର ପ୍ରଭାତ କୁମାର ରାଉଳଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଓୟୁଏଟି ପକ୍ଷରୁ ଆରମ୍ଭ ହେଲା ତିନିଦିନିଆ କୃଷି-ଶିକ୍ଷା ମେଳା

ଭୁବନେଶ୍ବର: ଚାଷୀର ଭାବାବେଗ ସହିତ ନିଜକୁ ସଂଶ୍ଳିଷ୍ଟ କରି ଚାଷୀ ଓ ଚାଷର ଉନ୍ନତି ନିମନ୍ତେ ଆମକୁ କାମ କରିବାକୁ ପଡ଼ିବ। ପ୍ରତିଦିନ ନୂତନ ଜ୍ଞାନର ବିସ୍ପୋରଣ ଓ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ କୃଷି ଉତ୍ପାଦନ ବୃଦ୍ଧି ନିମନ୍ତେ ସମୟୋପଯୋଗୀ ତଥା କୃଷି-ଉପଯୋଗୀ ଜ୍ଞାନକୌଶଳର ବିକାଶ ଆବଶ୍ୟକ।

ଏହି ପରିପ୍ରେକ୍ଷୀରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ତିନିଦିନିଆ କୃଷି-ଶିକ୍ଷା ମେଳାର ଅନ୍ତିମ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଗୋଟିଏ ଛାତତଳେ କୃଷି ଓ କୃଷକ ଏବଂ କୃଷି-ଗବେଷକଙ୍କ ସହିତ ଆଲୋଚନାର ଆୟୋଜନ ଏକ ଅଭିନବ ପ୍ରୟାସ। ଏହା ଦ୍ୱାରା ରାଜ୍ୟର କୃଷକ ତଥା କୃଷି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ନିଶ୍ଚିତ ଭାବେ ଉପକୃତ ହୋଇପାରିବେ।

ଉନ୍ନତ ମାନର ବିହନ ଓ ଚାଷ ପଦ୍ଧତିରେ ନୂତନ ଜ୍ଞାନକୌଶଳ ପ୍ରୟୋଗ ଏବଂ ରାଜ୍ୟ ସରକାରଙ୍କ ଦୂରଦର୍ଶୀ କୃଷି ନୀତି ଓ ଅଧିକ ପୁଂଜି ବିନିଯୋଗ ଯୋଗୁ ବିଗତ ଦୁଇ ଦଶନ୍ଧିରେ ରାଜ୍ୟରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି। ରାଜ୍ୟ ସରକାର କୃଷକମାନଙ୍କ ଆୟକୁ ବହୁଗୁଣିତ କରିବା ପାଇଁ ସର୍ବାଧିକ ଗୁରୁତ୍ୱାରୋପ କରୁଥିବାବେଳେ କୃଷି ସହିତ ଆନୁଷଙ୍ଗିକ କୃଷି, ମତ୍ସ୍ୟ ଓ ପ୍ରାଣୀପାଳନ ଆଦି କ୍ଷେତ୍ରକୁ ଚାଷୀଭାଇମାନେ ଆପଣାଇବା ପାଇଁ ପରାମର୍ଶ ଦେଇଛନ୍ତି।

ରାଜ୍ୟ ସରକାର କୃଷି କ୍ଷେତ୍ରରେ ଆଧୁନିକ ଯନ୍ତ୍ରପାତିର ବ୍ୟବହାର, ଅର୍ଥକରୀ ଫସଲ ଚାଷ, କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ଆଦିକୁ ଗୁରୁତ୍ୱ ଦେଇ କୃଷି କ୍ଷେତ୍ର ପ୍ରତି ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ଉତ୍ସବରେ ପୌରୋହିତ୍ୟ କରି କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଲେ ଯେ କୃଷି ଗ୍ରାମୀଣ ଅର୍ଥନୀତି ଓ ସଂସ୍କୃତିକୁ ପରିପୁଷ୍ଟ କରିଥାଏ। କୃଷି ପ୍ରକୃତି ଓ ପରିବେଶ ସହିତ ଜଡ଼ିତ। ଏହି ପରିପ୍ରେକ୍ଷୀରେ ପରିବେଶ ଅନୁକୂଳ କୃଷି କାର୍ଯ୍ୟ କରିବା ଦିଗରେ ବିଶେଷ ଧ୍ୟାନ ଦିଆଯାଉଛି।

ଉତ୍ସବରେ ଜଙ୍ଗଲ ବିଭାଗର ପିସିସିଏଫ୍‌, ଶ୍ରୀ ଦେବୀଦତ୍ତ ବିଶ୍ୱାଳ, ବିଶିଷ୍ଟ ଅତିଥି ଓ ନନ୍ଦନକାନନ ବାୟୋଲୋଜିକାଲ ପାର୍କର ନିର୍ଦ୍ଦେଶକ ଶ୍ରୀ ମନୋଜ ଭି. ନାୟାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ଅର୍ଥନୀତିରେ କୃଷିର ଗୁରୁତ୍ୱ ଏବଂ କୃଷକମାନଙ୍କ ବିକାଶ ଦିଗରେ ଯୁଗୋପଯୋଗୀ ପଦକ୍ଷେପ ନିଆଯିବା ଉପରେ ଆଲୋଚନା କରିଥିଲେ।

କୃଷିଶିକ୍ଷା ମେଳା ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହିତ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ରାଜ୍ୟର କୃଷକ ଉତ୍ପାଦକ ଗୋଷ୍ଠୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟର ଗବେଷଣା ବିଭାଗର ଡିନ୍‌ ଡ. ଏସ୍‌.କେ. ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଡିନ୍‌ ଡ. ପ୍ରସନ୍ନଜିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବ ଅବସରରେ ବିଶ୍ୱବିଦ୍ୟାଳୟର ପରିସରରେ ଆୟୋଜିତ ପ୍ରଦର୍ଶନୀକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବୁଲି ଦେଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ଭାବ୍ୟ ଲଘୁଚାପ ବର୍ଷା: ୮ ଜିଲ୍ଲାରେ ପଡିବ ପ୍ରଭାବ, ଚାଷୀଙ୍କୁ ସତର୍କ କଲା ଓୟୁଏଟି

ଭୁବନେଶ୍ବର: ସମ୍ଭାବ୍ୟ ଲଘୁଚାପ ବର୍ଷା ପାଇଁ ଚାଷୀଙ୍କୁ ସତର୍କ ସୂଚନା ଦିଆଯାଇଛି। ଏହି ଲଘୁଚାପ ଯୋଗୁଁ ୮ ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ତେଣୁ ଧାନ ଫସଲ କାଟି ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ଚାଷୀଙ୍କୁ ସତର୍କ କରାଯାଇଛି। ଧାନ ଫସଲ ୮୫ % ପାଚିଯାଇଥିଲେ ମଧ୍ୟ କାଟି ଆଣିବାକୁ ଓୟୁଏଟି ପରାମର୍ଶ ଦେଇଛି। ଧାନ କାଟିବା ପରେ ଅମଳ କରିବା ପୂର୍ବରୁ ଓ ଶସ୍ୟକୁ ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି। ଏହାସହିତ ଧାନ ଜମିରୁ ପାଣି କାଟିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

ତେବେ ଏହି ଲଘୁଚାପ ନେଇ ସବୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ସ୍ଵତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ନିଜ ନିଜ ଜିଲ୍ଲାରେ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ଏସଆରସି ପରାମର୍ଶ ଦେଇଛନ୍ତି। ଆସନ୍ତାକାଲି ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାପରେ ଏହି ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତିକରି ଅବପାତର ପରିଣତ ହୋଇପାରେ। ଏହାର ପ୍ରଭାବରେ ଦକ୍ଷିଣ ଉପକୂଳ ଓ ଉତ୍ତର ଉପକୂଳର ୮ ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗଜପତି, ଗଞ୍ଜାମ, ପୁରୀ, ରାୟଗଡା, ଢେଙ୍କାନାଳ, କନ୍ଧମାଳ, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡିକରେ ଆସନ୍ତା ୩ ତାରିଖ ଏବଂ ୪ ତାରିଖରେ ପ୍ରବଳ ବର୍ଷା ହେବା ନେଇ ସତର୍କ କରାଯାଇଛି। ତେଣୁ ଆସନ୍ତା ୨ ତାରିଖ ଠାରୁ ସମୁଦ୍ର ମଧ୍ୟକୁ ନଯିବା ଲାଗି ମତ୍ସ୍ୟଜୀବୀ ମାନଙ୍କୁ ପରାମର୍ଶ ଦିଆଯାଇଛି।