ସମ୍ଭାବ୍ୟ ଲଘୁଚାପ ବର୍ଷା: ୮ ଜିଲ୍ଲାରେ ପଡିବ ପ୍ରଭାବ, ଚାଷୀଙ୍କୁ ସତର୍କ କଲା ଓୟୁଏଟି

Published: Nov 29, 2021, 5:45 pm IST

ଭୁବନେଶ୍ବର: ସମ୍ଭାବ୍ୟ ଲଘୁଚାପ ବର୍ଷା ପାଇଁ ଚାଷୀଙ୍କୁ ସତର୍କ ସୂଚନା ଦିଆଯାଇଛି। ଏହି ଲଘୁଚାପ ଯୋଗୁଁ ୮ ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ତେଣୁ ଧାନ ଫସଲ କାଟି ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ଚାଷୀଙ୍କୁ ସତର୍କ କରାଯାଇଛି। ଧାନ ଫସଲ ୮୫ % ପାଚିଯାଇଥିଲେ ମଧ୍ୟ କାଟି ଆଣିବାକୁ ଓୟୁଏଟି ପରାମର୍ଶ ଦେଇଛି। ଧାନ କାଟିବା ପରେ ଅମଳ କରିବା ପୂର୍ବରୁ ଓ ଶସ୍ୟକୁ ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି। ଏହାସହିତ ଧାନ ଜମିରୁ ପାଣି କାଟିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

ତେବେ ଏହି ଲଘୁଚାପ ନେଇ ସବୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ସ୍ଵତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ନିଜ ନିଜ ଜିଲ୍ଲାରେ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ଏସଆରସି ପରାମର୍ଶ ଦେଇଛନ୍ତି। ଆସନ୍ତାକାଲି ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାପରେ ଏହି ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତିକରି ଅବପାତର ପରିଣତ ହୋଇପାରେ। ଏହାର ପ୍ରଭାବରେ ଦକ୍ଷିଣ ଉପକୂଳ ଓ ଉତ୍ତର ଉପକୂଳର ୮ ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗଜପତି, ଗଞ୍ଜାମ, ପୁରୀ, ରାୟଗଡା, ଢେଙ୍କାନାଳ, କନ୍ଧମାଳ, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡିକରେ ଆସନ୍ତା ୩ ତାରିଖ ଏବଂ ୪ ତାରିଖରେ ପ୍ରବଳ ବର୍ଷା ହେବା ନେଇ ସତର୍କ କରାଯାଇଛି। ତେଣୁ ଆସନ୍ତା ୨ ତାରିଖ ଠାରୁ ସମୁଦ୍ର ମଧ୍ୟକୁ ନଯିବା ଲାଗି ମତ୍ସ୍ୟଜୀବୀ ମାନଙ୍କୁ ପରାମର୍ଶ ଦିଆଯାଇଛି।

Related posts