Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବନ୍ୟା ସମୟରେ କିପରି ରହିବେ ସତର୍କ, ଭିଡିଓ ଦେଖି ଜାଣନ୍ତୁ କଣ କହିଲେ ଏସଆରସି

ଭୁବନେଶ୍ବର: ବର୍ତ୍ତମାନ ଓଡିଶାର ବିଭିନ୍ନ ଜିଲ୍ଲା ବନ୍ୟା ଘେରରେ ରହିଛି। ବିଶେଷ କରି ସୁବର୍ଣ୍ଣରେଖା ଅବବାହିକାରେ ଥିବା ଅଞ୍ଚଳ ବନ୍ୟା ଜଳରେ ଭରି ରହିଛି। ସେହିପରି ବାଲେଶ୍ବର ଜିଲ୍ଲାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବାର ଜଣାପଡିଛି। ତେବେ ଏହି ବନ୍ୟା ସମୟରେ କିପରି ସତର୍କତା ରହିବା ଆବଶ୍ୟକ ସେ ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ପ୍ରଦାନ କରିଛନ୍ତି।

ସେହି ଅନୁସାରେ ଲୋକମାନେ ବହିଯାଉଥିବା ଜଳ ମଧ୍ୟକୁ ପ୍ରବେଶ କରନ୍ତୁ ନାହିଁ ବୋଲି ସେ କହିଛନ୍ତି। କାରଣ ବହିଯାଉଥିବା ଜଳର ଉପରି ଭାଗ ସ୍ଥିର ଜଣାପଡୁଥିବା ବେଳେ ନିମ୍ନ ଭାଗରେ ସ୍ରୋତ ଅଧିକ ଥାଇପାରେ। ସେଥିପାଇଁ ସତର୍କ ରହିବାକୁ ଏସଆରସି କହିଛନ୍ତି।

Categories
PanchayatElection ବିଶେଷ ଖବର

ପଞ୍ଚାୟତ ନିର୍ବାଚନ ଲାଗି ନୂଆ କରୋନା ଗାଇଡଲାଇନ ଜାରି କଲେ ଏସଆରସି

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ଲାଗି କରୋନା ଗାଇଡଲାଇନ ଜାରି କରାଯାଇଛି। ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହାକୁ ନେଇ ସ୍ଵତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି।

ଗାଇଡଲାଇନ ଅନୁଯାୟୀ, ପ୍ରଚାରରେ ସାମାଜିକ ଗଣମାଧ୍ୟମ ଉପରେ ଅଧିକ ଗୁରୁତ୍ଵ ଦେବା ପାଇଁ ପରାମର୍ଶ ଦିଆଯାଇଛି। ଘରକୁ ଘର ପ୍ରଚାର ପାଇଁ ସର୍ବାଧିକ ୫ ଜଣଙ୍କୁ ଅନୁମତି ମିଳିଛି। କୋଭିଡ ପଜିଟିଭ ହୋଇଥିଲେ ପ୍ରଚାର ପାଇଁ ଅନୁମତି ନାହିଁ। ସାମାଜିକ ଗଣମାଧ୍ୟମରେ ଆକ୍ରାନ୍ତ ହୋଇଥିବା ପ୍ରାର୍ଥୀ ପ୍ରଚାର କରିପାରିବେ। ଶୋଭାଯାତ୍ରା, ବାଇକ ରାଲି, ସାଇକେଲ ରାଲି ଆଦିକୁ ସଂପୂର୍ଣ୍ଣ ବାରଣ କରାଯାଇଛି।

କୌଣସି ବଡ ସମାବେଶକୁ ବାରଣ କରାଯାଇଛି। କରୋନା କଟକଣା ଭିତରେ ପ୍ରଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏସବୁ ପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ମିଳିବା ଆବଶ୍ୟକ। ସେହିଭଳି ନାମାଙ୍କନ ସମୟରେ ପ୍ରାର୍ଥୀ ଏବଂ ଜଣେ ପ୍ରସ୍ତାବକଙ୍କୁ ଅନୁମତି ମିଳିବ। ଭୋଟ ଗଣତି ସମୟରେ କେନ୍ଦ୍ର ସମ୍ମୁଖରେ ଗହଳି କରାଯାଇପାରିବ ନାହିଁ। କୌଣସି ବିଜୟ ଶୋଭାଯାତ୍ରା ମଧ୍ୟ ହୋଇପାରିବ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ଭାବ୍ୟ ଲଘୁଚାପ ବର୍ଷା: ୮ ଜିଲ୍ଲାରେ ପଡିବ ପ୍ରଭାବ, ଚାଷୀଙ୍କୁ ସତର୍କ କଲା ଓୟୁଏଟି

ଭୁବନେଶ୍ବର: ସମ୍ଭାବ୍ୟ ଲଘୁଚାପ ବର୍ଷା ପାଇଁ ଚାଷୀଙ୍କୁ ସତର୍କ ସୂଚନା ଦିଆଯାଇଛି। ଏହି ଲଘୁଚାପ ଯୋଗୁଁ ୮ ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ତେଣୁ ଧାନ ଫସଲ କାଟି ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ଚାଷୀଙ୍କୁ ସତର୍କ କରାଯାଇଛି। ଧାନ ଫସଲ ୮୫ % ପାଚିଯାଇଥିଲେ ମଧ୍ୟ କାଟି ଆଣିବାକୁ ଓୟୁଏଟି ପରାମର୍ଶ ଦେଇଛି। ଧାନ କାଟିବା ପରେ ଅମଳ କରିବା ପୂର୍ବରୁ ଓ ଶସ୍ୟକୁ ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି। ଏହାସହିତ ଧାନ ଜମିରୁ ପାଣି କାଟିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

ତେବେ ଏହି ଲଘୁଚାପ ନେଇ ସବୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ସ୍ଵତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ନିଜ ନିଜ ଜିଲ୍ଲାରେ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ଏସଆରସି ପରାମର୍ଶ ଦେଇଛନ୍ତି। ଆସନ୍ତାକାଲି ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାପରେ ଏହି ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତିକରି ଅବପାତର ପରିଣତ ହୋଇପାରେ। ଏହାର ପ୍ରଭାବରେ ଦକ୍ଷିଣ ଉପକୂଳ ଓ ଉତ୍ତର ଉପକୂଳର ୮ ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗଜପତି, ଗଞ୍ଜାମ, ପୁରୀ, ରାୟଗଡା, ଢେଙ୍କାନାଳ, କନ୍ଧମାଳ, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡିକରେ ଆସନ୍ତା ୩ ତାରିଖ ଏବଂ ୪ ତାରିଖରେ ପ୍ରବଳ ବର୍ଷା ହେବା ନେଇ ସତର୍କ କରାଯାଇଛି। ତେଣୁ ଆସନ୍ତା ୨ ତାରିଖ ଠାରୁ ସମୁଦ୍ର ମଧ୍ୟକୁ ନଯିବା ଲାଗି ମତ୍ସ୍ୟଜୀବୀ ମାନଙ୍କୁ ପରାମର୍ଶ ଦିଆଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ଲଗାଣ ବର୍ଷା : ଚାଷ କ୍ଷୟକ୍ଷତି ରିପୋର୍ଟ ଦେବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦେଲେ ଏସଆରସି

ଭୁବନେଶ୍ବର: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଛି। ବିଶେଷ ଭାବେ ଚାଷୀମାନଙ୍କର କ୍ଷତି ଅଧିକ ହୋଇଛି। ତେବେ ଏହି କ୍ଷତିର ପରିମାଣ କେତେ ସେ ନେଇ ରିପୋର୍ଟ ଦେବା ପାଇଁ କୃଷି ବିଭାଗକୁ କୁହାଯାଇଛି। ଆଜି ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ତଥା ଡିସି ପ୍ରଦୀପ ଜେନା। ସେ କହିଛନ୍ତି ଯେ ୨୮ଜିଲ୍ଲାପାଳଙ୍କ ସହ ବ୍ୟକ୍ତିଗତ ଭାବେ କଥା ହୋଇଥିବା କହିଛନ୍ତି ।

ଏଥିସହ ସେ କହିଛନ୍ତି ଯେ, ଅଳ୍ପ କିଛି ଜାଗାରେ ଘର ଭାଙ୍ଗିବା ସହ ଆଜି ସୁଦ୍ଧା ୪ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି  ଲଗାଣ ବର୍ଷା ପାଇଁ ଜଳକା ନଦୀ ବିପଦ ସଂକେତ ଉପରେ ରହିଥିବା ବେଳେ ବୈତରଣୀକୁ ଆମେ ଆଲର୍ଟରେ ରଖିଛୁ ଏବଂ ବ୍ରାହ୍ମଣୀ ଉପରେ ବି ଆମେ ନଜର ରଖିଛୁ ବୋଲି ସେ କହିଛନ୍ତି । ଅନେକ ଅଞ୍ଚ‌ଳରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନଦୀର ଜଳସ୍ଥଳ ବଢ଼ିନଥିଲେ ମଧ୍ୟ ଏବେ ଖାଲୁଆ ଅଞ୍ଚଳରେ ଥିବା ଘର ଗୁଡ଼ିକରେ ପାଣି ଜମି ରହିଛି।

ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି ଯେ, ୧୦ଟି ଜିଲ୍ଲାରେ ୨୦୦ମିଲି ମିଟର ବର୍ଷା ହୋଇଛି। ନବରଙ୍ଗପୁର ଜିଲ୍ଲାକୁ ଛାଡି ଦେଲେ ବାକି ସବୁ ଜିଲ୍ଲାରେ ସ୍ୱଭାବିକଠୁ ଅଧିକ ବର୍ଷା ହୋଇଛି । ସବୁଠୁ ଅଧିକ ଅସ୍ତରଙ୍ଗ, କାକଟପୁର, ବୀର ମହାରାଜପୁରରେ ୫୦୦ମିଲି ମିଟର ଉପରେ ବର୍ଷା ହୋଇଛି । ଏହା ସହ  ୬ଟି ବ୍ଲକରେ ୪୦୦ମିଲି ମିଟର ଉପରେ ବର୍ଷା ହେବା ସହ ୫୬ଟି ବ୍ଲକରେ ୨୦୦ରୁ ୩୦୦ମିଲି ମିଟର ବର୍ଷା ହୋଇଛି ।

ସେହିପରି ଛତିଶଗଡ଼ରେ ବର୍ଷା ହେବାର ଆଶଙ୍କା ଥିବାରୁ ହୀରାକୁଦରେ ଜଳସ୍ତର ବଢ଼ିପାରେ। ଏଭଳି ହେଲେ ହୀରାକୁଦର ୬ ରୁ ୭ଟି ଗେଟ ଖୋଲାଯିବ ବୋଲି ସେ କହିଛନ୍ତି। ଏସଆରସିଙ୍କ ଅନୁସାରେ ବର୍ତ୍ତମାନ କଟକ ମୁଣ୍ଡୁଳି ଦେଇ ୫ ଲକ୍ଷରୁ ୬ ଲକ୍ଷ କ୍ୟୁସେକ ପାଣି ପ୍ରବେଶ କରୁଛି। ଏହା ଦ୍ବାରା ବନ୍ୟା ସ୍ଥିତି ଉପଜିବ ନାହିଁ ବୋଲି ସେ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଳମ୍ବ ନ କରି ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତରିତ କର, ଜିଲ୍ଲାପାଳଙ୍କୁ ଜରୁରୀ ନିର୍ଦ୍ଦେଶ ଦେଲେ ଏସଆରସି

ଭୁବନେଶ୍ବର, ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ଶିଘ୍ର ସ୍ଥାନାନ୍ତରିତ କର। କୌଣସି ବିଳମ୍ବ ନ କରି ଏହି ନେଇ ପଦକ୍ଷେପ ନିଅ। ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏହିପରି ଏକ ଜରୁରୀ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ଏହି ଜରୁରୀ ବାର୍ତ୍ତାରେ ଏସଆରସି ତଥା ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ ଜେନା ଏହାକୁ ଗୁରୁତର ସହ ନେବାକୁ କହିଛନ୍ତି। ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଏହି ସ୍ଥାନାନ୍ତରିତ ପକ୍ରିୟା ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ମଙ୍ଗଳବାରରେ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ କୁହାଯାଇଥିଲା। ହେଲେ ବର୍ତ୍ତମାନ ବାତ୍ୟାର ପ୍ରଭାବକୁ ଦେଖି ଏହି ନିର୍ଦ୍ଦେଶରେ ପରିବର୍ତ୍ତନ କରାଯାଇଛି। ସେହି ପରିବର୍ତ୍ତନ ଅନୁସାରେ ଆଜି ତୁରନ୍ତ ସ୍ଥାନାନ୍ତରିତ ପକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟା ରୂପ ନେଇଛି। ଗତ ୬ ଘଣ୍ଟା ଯାଏଁ ସମୁଦ୍ର ଭିତରେ ଏହା ଗତି କରି ନ ଥିବା ବେଳେ ବର୍ତ୍ତମାନ ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି।

ତେବେ ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ୟସ୍ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି। ପାରାଦୀପ ଏବଂ ସାଗର ଦୀପ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବା ନେଇ ଅନୁମାନ କରାଯାଇଛି। ଏନେଇ ପାଣିପାଗ ବିଜ୍ଞାନୀ ରାଜେନ୍ଦ୍ର ଜେନାମଣି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟା ଯୋଗୁଁ ୧୦ଟି ଜିଲ୍ଲାରେ ଲକଡାଉନ କଟକଣାକୁ କୋହଳ କରାଯାଇଛି। ୧୦ ଟି ଜିଲ୍ଲାରେ କଟକଣାକୁ ୨ ଘଣ୍ଟା ପାଇଁ କୋହଳ କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ କଟକଣାକୁ କୋହଳ କରାଯାଇଛି।

ଆଜି ଏବଂ ଆସନ୍ତାକାଲି ପାଇଁ କଟକଣାକୁ କୋହଳ କରାଯାଇଛି। ସକାଳ ୭ ଟା ରୁ ଦିନ ୧ ଟା ପର୍ଯ୍ୟନ୍ତ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ। ପୂର୍ବରୁ ଏହି କଟକଣାକୁ ଦିନ ୧୧ ଟା ପର୍ଯ୍ୟନ୍ତ ରଖାଯାଇଥିଲା। ଏନେଇ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ଯାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ୟଶ୍ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ, କେହି ଭୟଭୀତ ହୁଅନ୍ତୁ ନାହିଁ: ଏସଆରସି ପ୍ରଦୀପ ଜେନା

ଭୁବନେଶ୍ୱର: ଆସନ୍ତାକାଲି ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଏବଂ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ୨୪ ତାରିଖରେ ଏହା ସାମୁଦ୍ରିକ ବାତ୍ୟାରେ ପରିଣତ ହେବ। ପରେ ଏହା ୨୬ ତାରିଖ ସକାଳ ସୁଦ୍ଧା ସ୍ଥଳ ଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଏହା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବ ବୋଲି ଅନୁମାନ କରାଯାଇଛି।

ଆସନ୍ତା ୨୬ ଅପରାହ୍ନରେ ଭଦ୍ରକ କିମ୍ବା ବାଲେଶ୍ୱର ଉପକୂଳ କିମ୍ବା ଏହାର ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳର ଦୀଘା ବା କଣ୍ଟାଇ ପାଖରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ। ସ୍ଥଳଭାଗ ଛୁଇଁବା ପରେ ଏହା ମୟୂରଭଞ୍ଜ, ଝାଡ଼ଖଣ୍ଡ ଦେଇ ବିହାର ଆଡ଼କୁ ଗତି କରିପାରେ। ବାତ୍ୟା ପ୍ରଭାବରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ। କଟକର ସାଲେପୁର, ନିଶ୍ଚିନ୍ତକୋଇଲି, ମାହାଙ୍ଗାରେ ବି ପ୍ରବଳ ବର୍ଷା ଆଶଙ୍କା ରହିଛି। ୨୪ ତାରିଖ ରାତିରୁ ବାଲେଶ୍ୱର ଓ ଆଖାପାଖ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇପାରେ। ୨୫ ଓ ୨୬ରେ ଉତ୍ତର ପୂର୍ବ ଓଡ଼ିଶାରେ ବର୍ଷା, ପବନ ଅଧିକ ରହିବ। ଏହି ସମ୍ଭାବ୍ୟ ବାତ୍ୟା ଅଧିକ ଘନୀଭୂତ ହେଲେ ଭୀଷଣ ବାତ୍ୟା (ଭେରି ସିଭିୟର) ରୂପ ନେଇପାରେ। ଏହା ବାତ୍ୟା ସ୍ଥିତିରେ ରହିଲେ ଘଣ୍ଟା ପ୍ରତି ୬୫ରୁ ୯୦ କିମି ଓ ଭୀଷଣ ବାତ୍ୟା ହେଲେ ୯୦ରୁ ୧୨୦ କିମି ବେଗରେ ପବନ ବହିବା ଆଶଙ୍କା ଅଛି।

ତେବେ ଏହାକୁ ନେଇ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ପ୍ରାକ ଆକଳନ କରିବା ସହ ସତର୍କ ରହିବାକୁ କହିଛନ୍ତି। ସେଥିପାଇଁ ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ଵତନ୍ତ୍ର ରିଲିଫ କମିଶନର ଏକ ପ୍ରସ୍ତୁତି ବୈଠକ କରିଛନ୍ତି। ଏହି ବୈଠକ ପରେ ଏସଆରସି ପୂର୍ବ ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି। ଏହି ସମୟରେ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଯେଉଁମାନେ ସମୁଦ୍ର ମଧ୍ୟରେ ରହିଯାଇଛନ୍ତି, ସେମାନଙ୍କୁ ଫେରାଇ ଅଣାଯାଉଛି। ଓଡ୍ରାଫ,  ଅଗ୍ନିଶମ  ଏବଂ ଏନଡିଆରଏଫ ଟିମକୁ ପଠାଯାଉଛି। ଗୁଜୁରାଟ ଯାଇଥିବା ୫ଟି ଏନଡିଆରଏଫର ଟିମ ଏଥିରେ ନିୟୋଜିତ ହେବେ। ସହରରେ ଲାଗିଥିବା ହାଇମାଷ୍ଟ ଲାଇଟ ତଳକୁ ଖସାଇ ଦିଆଯାଇଛି। ବିଜ୍ଞାପନ ଲାଗିଥିବା ବିଭିନ୍ନ ହୋର୍ଡିଂ, ବୋର୍ଡ ଖୋଲିବାକୁ କୁହାଯାଇଛି। କୋଭିଡ ସଙ୍କଟ ଥିବାରୁ ଅଧିକ ସଂଖ୍ୟାରେ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

ବାତ୍ୟା ଆଶ୍ରୟସ୍ଥଳୀକୁ ଯେପରି ଠିକ୍‌ ବ୍ୟବସ୍ଥାରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ, ସେ ଦିଗରେ ଗୁରୁତ୍ୱ ଦିଆଯାଇଛି। ବୟସ୍କ, ଅସୁସ୍ଥ, ଶିଶୁ, ଗର୍ଭବତୀ, ଭିନ୍ନକ୍ଷମଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ କୁହାଯାଇଛି। ଡାକ୍ତରଖାନାରେ ଜେନେରେଟର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଭାବିତ ଲୋକଙ୍କ ପାଖରେ ପିଇବା ପାଣି ପହଞ୍ଚାଇବା ପାଇଁ ନଗର ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପାଣି ଯୋଗାଣ ସ୍ୱାଭାବିକ ରହିବାକୁ ଆବଶ୍ୟକ ମୁତାବକ ଜେନେରୋଟ ମହଜୁଦ ରଖିବାକୁ କୁହାଯାଇଛି। ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତିର ତ୍ୱରିତ ପୁନରୁଦ୍ଧାର ପାଇଁ ପ୍ରସ୍ତୁତ ରହିବାକୁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସରକାର ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି। ତେଣୁ କେହି ଆତଙ୍କିତ ନ ହେବା ପାଇଁ ଶ୍ରୀ ଜେନା ଅନୁରୋଧ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କରୋନା ନେଇ ଆଜି ସଂଧ୍ୟା 7ଟାରେ ରାଜ୍ୟ ସରକାର କରିବେ ନୂଆ ଘୋଷଣା

ଭୁବନେଶ୍ବର, ଆଜି ସଂଧ୍ୟା 7 ଟାରେ କରୋନା ନେଇ ରାଜ୍ୟ ସରକରାଙ୍କ ତରଫରୁ କିଛି ନୂଆ ନିଷ୍ପତି ଘୋଷଣା କରାଯିବ। ଆଜି ସ୍ବତନ୍ତ୍ର ରିଲିଫ କମିଶନର ତଥା ଉନ୍ନୟନ କମିଶନର ପ୍ରଦୀପ ଜେନା ଏକ ଭିଡିଓ ବାର୍ତ୍ତା ଜାରୀ କରିବେ। ଏ ନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସୂଚନା ଦିଆଯାଇଛି। ତେବେ କେଉଁ ଉପରେ କହିବେ ସେ ନେଇ କିଛି କୁହାଯାଇ ନାହିଁ।

ତେବେ ବର୍ତ୍ତମାନ ରାଜ୍ୟରେ ଯେପରି ହୁହୁ ହୋଇ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି ସେଥିରେ ରାଜ୍ୟ ସରକାର କିଛି ନୂଆ ତଥ୍ୟ ରଖିପାରନ୍ତି। ପୂର୍ବରୁ ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଭିଡିଓ ବାର୍ତ୍ତା ମାଧ୍ୟମରେ ନାଇଟ କର୍ଫୁ ଘୋଷଣା କରିଥିଲେ। ସେହିପରି ଏସଆରସି ମଧ୍ୟ ଆଜି କିଛି କହିପାରନ୍ତି ବୋଲି ଆଶା କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ସତର୍କ ସୂଚନା: ଏହି ସବୁ ଜିଲ୍ଲାରେ ୨୧ ତାରିଖ ଯାଏଁ ସୃଷ୍ଟି ହେବ ଘନ କୁହୁଡି

ଭୁବନେଶ୍ବର: ୧୯ ତାରିଖ ରାତିରୁ ୨୧ ତାରିଖ ସକାଳ ଯାଏଁ ୧୦ ଟି ଜିଲ୍ଲାରେ ଘନ କୁହୁଡି ସୃଷ୍ଟି ହେବ। ୧୦ ଟି ଜିଲ୍ଲାରେ ଆସନ୍ତାକାଲି ଠାରୁ ଘନ କୁହୁଡି ସୃଷ୍ଟି ହେବା ନେଇ ସତର୍କ ସୂଚନା ମିଳିଛି। ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଏବଂ ନୟାଗଡ଼ ଜିଲ୍ଲାଗୁଡିକୁ ସତର୍କ ସୂଚନା ଦିଆଯାଇଛି।

ସେହିପରି ଆସନ୍ତା ୨୦ ତାରିଖ ରାତିରୁ ୨୧ ତାରିଖ ସକାଳ ୬ ଟା ଯାଏଁ ୬ ଟି ଜିଲ୍ଲାରେ ଘନ କୁହୁଡି ନେଇ ସତର୍କ ସୂଚନା ଦିଆଯାଇଛି। ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଏବଂ ବୌଦ୍ଧ  ଜିଲ୍ଲାରେ ଘନ କୁହିଡି ସୃଷ୍ଟି ହେବ। ଏନେଇ ଏସଆରସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଘନ କୁହୁଡି ଯୋଗୁଁ ଦୁର୍ଘଟଣା ସମ୍ଭାବନା ଥିବାରୁ ଜିଲ୍ଲାପାଳ ମାନଙ୍କୁ ଏସଆରସି ଚିଠି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦୁଇ ତାରିଖ ପର୍ଯ୍ୟନ୍ତ ପ୍ରବଳ ଶୀତରେ ଥରିବ ଓଡିଶା, ପାଞ୍ଚୋଟି ଜିଲ୍ଲା ପାଇଁ ସତର୍କ ସୂଚନା

ଭୁବନେଶ୍ବର, ସାରା ଓଡିଶାର ଶୀତରେ ଥରିବ। ଦିନେ କି ଦୁଇଦିନ ନୁହେଁ ଆସନ୍ତା ଡିସେମ୍ବର 30 ତାରିଖରୁ ଜାନୁୟାରୀ ଦୁଇ ତାରିଖ ପର୍ଯ୍ୟନ୍ତ ପ୍ରବଳ ଶୀତ ହେବ। ଏ ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ତେବେ ପାଞ୍ଚୋଟି ଜିଲ୍ଲାରେ ପ୍ରବଳରୁ ପ୍ରବଳ ଶୀତ ହେବ ବୋଲି ପାଣିପାଗ ବିଭାଗ କହିଛି। ସେହି ଜିଲ୍ଲାଗୁଡିକ ହେଲା ଝାରସୁଗୁଡା, ଅନୁଗୁଳ, ସୁନ୍ଦରଗଡ, ଦେଓଗଡ, ବୌଦ୍ଧ ଏବଂ କନ୍ଧମାଳ। ଏଗୁଡିକୁ ୟେଲୋ ୱାର୍ଣ୍ଣି ଜାରୀ କରାଯାଇଛି।

ଏହି ଜିଲ୍ଲାର ଜିଲ୍ଲାପାଳଙ୍କୁ ମଧ୍ୟ ସ୍ବତନ୍ତ୍ର ରିଲିଫ କମିଶନର ସତର୍କ କରାଇଛନ୍ତି। ପାଞ୍ଚୋଟି ଜିଲ୍ଲାରେ ପ୍ରବଳ ଶୀତର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାର ଜିଲ୍ଲାପାଳମାନେ ସତର୍କ ରହିବା ପାଇଁ କୁହାଯାଇଛି। କାରଣ ଏପରି ଶୀତରେ ବିଭିନ୍ନ ରୋଗ ସହିତ ପଶୁପକ୍ଷୀମାନେ ବିପଦରେ ପଡିପାରନ୍ତି ବୋଲି ସତର୍କ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବର୍ଷା ସମ୍ଭାବନା: ଜିଲ୍ଲାପାଳମାନଙ୍କୁ ଆଲର୍ଟ କଲେ ଏସଆରସି

ଭୁବନେଶ୍ବର : ଆସନ୍ତା 20 ତାରିଖରୁ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ପ୍ରାୟ ଅଞ୍ଚଳରେ ବର୍ଷା ହେବ । 19 ତାରିଖରୁ ନବରଙ୍ଗପୁର, କୋରାପୁଟ ଓ ରାୟଗଡ଼ାରେ ବର୍ଷା ହେବ । ପରେ ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି ।

ତେବେ ଲଘୁଚାପ କ୍ଷେତ୍ର ଯୋଗୁଁ ସମ୍ଭାବ୍ୟ ବର୍ଷାନେଇ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି । କିଛି ପରିସ୍ଥିତି ଉପୁଜିଲେ ମୁକାବିଲା କରିବା ପାଇଁ ସଜାଗ ରହିବାକୁ ଏସଆରସି ଶ୍ରୀ ଜେନା ନିଦେ୍ର୍ଧଶ ଦେଇଛନ୍ତି । ଲଘୁଚାପ କ୍ଷେତ୍ର ଯୋଗୁଁ ଆସନ୍ତା 20ରୁ 23 ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । କିଛି ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି । ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।