Categories
ଆଜିର ଖବର ରାଜ୍ୟ ଖବର

ବାଘ ଆକ୍ରମଣରେ ୨ ଗୁରୁତର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଭୁବନେଶ୍ଵର: କଲରାପତରିଆ ବାଘ ଆକ୍ରମଣରେ ଦୁଇଜଣ ଗୁରୁତର। ନୟାଗଡ଼ ବନଖଣ୍ଡ ମହିପୁର ବନାଞ୍ଚଳ ଗୁମି ସଂରକ୍ଷିତ ଜଙ୍ଗଲର କରଚୁଲି ଏବଂ ସୁଡ଼ଙ୍ଗି ଗାଁ ନିକଟରେ କରିଛି ଆକ୍ରମଣ। ଦୁଇ ଗୁରୁତର ନୟାଗଡ ମେଡିକାଲରେ ଭର୍ତ୍ତି। ଦୁଇ ଗୁରୁତର ହେଲେ କରଚୁଲି ଗାଁର ପ୍ରମୋଦ ଗୁରୁ ଏବଂ ସୁଡଙ୍ଗି ଗାଁର ସାଜୁ ନାୟକ। ପ୍ରମୋଦ ଜଙ୍ଗଲକୁ ଗାଇ ଚରାଇବାକୁ ଯାଇ ସନ୍ଧ୍ୟାରେ ଫେରି ଘରପାଖରେ ପହଞ୍ଚିବା ସମୟରେ ବାଘ ହଠାତ୍ ପଛପଟୁ ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କର ଦୁଇହାତ ଏବଂ ମୁଣ୍ଡକୁ ବାଘ ଆକ୍ରମଣ କରିଛି। ପ୍ରମୋଦଙ୍କ ପାଟି ଶୁଣି ଗ୍ରାମର ଲୋକମାନେ ଆସିଯିବାରୁ ବାଘ ସ୍ଥାନ ଛାଡି ପଳାଇଯାଇଥିଲା।

ସେହି ବାଘଟି କିଛି ସମୟ ପରେ ପାଖ ଗାଁ ସୁଡୁଙ୍ଗି ଗାଁର ସାଜୁ ଘର ସାମ୍ନାରେ ବସିଥିବାବେଳେ ତାଙ୍କୁ ଆକ୍ରମଣ କରିଥିଲା। ସାଜୁ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ପରିବାର ଲୋକେ ନୟାଗଡ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ବାଘ ଆକ୍ରମଣକୁ ଡିଏଫଓ ସ୍ବୀକାର କରିଥିବାବେଳେ ଆଖପାଖରେ ଲୋକମାନେ ସଜାଗ ରହିବାକୁ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ନୟାଗଡ଼ ବନଖଣ୍ଡରେ କଳା କଲରାପତରିଆ ବାଘ

ଭୁବନେଶ୍ଵର: ନୟାଗଡ଼ ବନଖଣ୍ଡ ଏବଂ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ମଧ୍ୟରେ ମୋଟ ୫ଟି ବାଘର ସନ୍ଧାନ ମିଳିଛି। ଏଥିମଧ୍ୟରୁ କଳା କଲରାପତରିଆ ବାଘ ନିଜ ଛୁଆକୁ ପାଟିରେ ଧରି ବୁଲୁଥିବାର ଏକ ଦୃଶ୍ୟ କଏଦ ହୋଇଛି। କ୍ୟାମେରା ଟ୍ରାପ ମାଧ୍ୟମରେ ଏହାର ପ୍ରମାଣ ମିଳିଥିବା ନୟାଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ କହିଛନ୍ତି।ଗତ ବର୍ଷ ବାଘ ଶାବକ ଜନ୍ମ ଦେଇଥିବାବେଳେ ଚଳିତବର୍ଷ ମଧ୍ୟ ଜନମ ଦେଇଥିବା ଜଣାପଡ଼ିଛି। ଏଣୁ ନୟାଗଡ଼ ଜିଲାରେ ବାଘ ବଂଶ ବୃଦ୍ଧି ପାଇଥିବା ନେଇ ସ୍ପଷ୍ଟ ହୋଇଛି। ଏନେଇ ପିସିସିଏଫ ସାମାଜିକ ଗଣମାଧ୍ୟମ ଏକ୍ସ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି। ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ କହିବା ଅନୁସାରେ ଗତବର୍ଷ ମଧ୍ୟ କଳା ବାଘଙ୍କ ସନ୍ଧାନ ମିଳିଥିଲା। ଚଳିତବର୍ଷ କ୍ୟାମେରା ଟ୍ରାପରେ ଏହା ଜଣାପଡ଼ିଛି। ଅନେକ ସ୍ଥାନରେ କ୍ୟାମେରା ଲଗାଯାଇପାରି ନାହିଁ। ଏଣୁ ଆହୁରି ଅଧିକ ବାଘ ରହିଥିବେ ବୋଲି ସେ ଅନୁମାନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରାପ କ୍ୟାମେରାରେ କଲରାପତରିଆ ବାଘ ଗଣନା

ଭୁବନେଶ୍ଵର: ଢେଙ୍କାନାଳ ଜ଼ିଲ୍ଲାରେ ବନ ବିଭାଗ ପକ୍ଷରୁ ଟ୍ରାପ କ୍ୟାମେରା ମାଧ୍ୟମରେ କଲରାପତରିଆ ବାଘ ଗଣନା ଆରମ୍ଭ ହୋଇଛି। ଗତ ଗଣନା ଅନୁଯାୟୀ ଅଧିକା କଲରାପତରିଆ ବାଘ ଥିବା ନେଇ ବିଭାଗୀୟ ସୂତ୍ର ରୁ ଜଣାପଡିଛି। ଗତ ଗଣନା ସମୟରେ ୧୨ ରୁ ୧୩ ଟି କଲରାପତରିଆ ବାଘ ରହିଥିବା ବେଳେ, ଏହା ପୂର୍ବରୁ ୭ ଟି କଲରାପତରିଆ ବାଘ ରହିଥିଲେ। ତେଣୁ ଏହି ବାଘ ସଂଖ୍ୟା ବଢ଼ୁଥିବାରୁ ନଜରରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ଏଥିପାଇଁ ଜ଼ିଲ୍ଲାରେ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ୪୦ ଟି ଟ୍ରାପ କ୍ୟାମେରା ଲଗାଯାଇଥିବା ବେଳେ ଆଉ ୧୦ ଟି ଲଗାଯିବ।

ଜ଼ିଲ୍ଲାର ହିନ୍ଦୋଳ ରେଞ୍ଜ କନ୍ଧରା, କନକା ଓ କୋଇ ସଂରକ୍ଷିତ ଜଙ୍ଗଲ, କାମାକ୍ଷାନଗର ପୂର୍ବାଞ୍ଚଳ, ଓ ପଶ୍ଚିମାଞ୍ଚଳ ରେଞ୍ଜ ମଧ୍ୟରେ ଥିବା ଅନନ୍ତପୁର ସଂରକ୍ଷିତ ଜଙ୍ଗଲ ସମେତ ଅନ୍ୟାନ୍ୟ ଜଙ୍ଗଲରେ ଏହି ବାଘ ଅଧିକା ଥିବା ଆଶଙ୍କା କରାଯାଉଛି।

ଏ ସଂକ୍ରାନ୍ତରେ ଜ଼ିଲ୍ଲା ବନଖଣ୍ଡ ଅଧିକାରୀ ସୁମିତ କୁମାର କର କହିଛନ୍ତି ଯେ, ଢେଙ୍କାନାଳ ଜ଼ିଲ୍ଲାରେ ପୂର୍ବ ଗଣନା ଅନୁଯାୟୀ ଅଧିକା କଲରାପତରିଆ ବାଘ ଥିବା ଆଶଙ୍କା କରି ପୁଣିଥରେ ଟ୍ରାପ କ୍ୟାମେରା ମାଧ୍ୟମରେ ଗଣନା ଆରମ୍ଭ ହୋଇଛି। ଜାନୁଆରୀ ୧୫ ତାରିଖ ପରେ ଜ଼ିଲ୍ଲାରେ କେତେ କଲରା ପତରିଆ ବାଘ ଅଛନ୍ତି ଜଣାପଡିବ।

Categories
ଆଜିର ଖବର ରାଜ୍ୟ ଖବର

ରେଢ଼ାଖୋଲରେ କଲରାପତରିଆ ବାଘ ଆତଙ୍କ, ଗାଈକୁ ମାରି ଖାଇଲା, ଭୟଭୀତ ଜନସାଧାରଣ

କନ୍ଦର୍ପ ବେହେରା
ରେଢ଼ାଖୋଲ: ରେଢ଼ାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ ଅଞ୍ଚଳରେ ବାଘ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

ସୂଚନାଯୋଗ୍ୟ ଯେ, ରେଢ଼ାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜର କଦଳୀଗଡ ପଞ୍ଚାୟତ ବଘାରପାଲି ଗ୍ରାମ ନିକଟରେ ଶନିବାର ସକାଳୁ ଏକ ଗାଈର ମୃତ ଦେହକୁ ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନକର୍ମଚାରୀ ଫରେଷ୍ଟର ସଞ୍ଜୟ କୁମାର ସାହୁ, ଫରେଷ୍ଟ ଗାର୍ଡ ବଳରାମ ପ୍ରଧାନ, ପ୍ରାଣିଧନ ଚିକିତ୍ସକ ଦେବଦତ୍ତ ବିଶ୍ବାଳ ଓ ଅନ୍ୟ ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଗାଈର ଖଣ୍ଡ ବିଖଣ୍ଡିତ ମୃତ ଦେହକୁ ଦେଖିବା ସହ ବାଘର ପାଦ ଚିହ୍ନରୁ ବନବିଭାଗ ଚିହ୍ନଟ କରି ପାରିଥିଲା। ଏହା କଲରା ପତରିଆ ବାଘ ବୋଲି ବନବିଭାଗ ଜାଣିପାରିଥିଲା।

ପ୍ରୀାଣୀଧନ ଡାକ୍ତର ଶବକୁ ଜବତ କରି ବ୍ୟବଚ୍ଛେଦ କରିଥିଲା। ସ୍ଥାନୀୟ ଅଂଚଳରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ବାଘ ଯେମିତି ସାଧାରଣ ଲୋକଙ୍କ କିଛି କ୍ଷତି ନ କରୁ ସେଥିପ୍ରତି ବନବିଭାଗ ପକ୍ଷରୁ ଦୃଢ ପଦକ୍ଷେପ ନେବାପାଇଁ ଅଞ୍ଚଳବାସୀ ଦାବୀ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୂଅରୁ କଲରାପତରିଆ ବାଘକୁ ଉଦ୍ଧାର କଲା ବନବିଭାଗ

କନ୍ଦର୍ପ ବେହେରା
ରେଢ଼ାଖୋଲ: ଚାରମାଳ ରେଞ୍ଜର ହେମନ୍ତଖୋଳ ଗ୍ରାମରୁ ଏକ କୂଅରେ ପଡ଼ିଯାଇଥିବା ଏକ କଲରାପତରିଆ ବାଘକୁ ଉଦ୍ଧାର କରିଛି ବନବିଭାଗ।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ରେଢ଼ାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ବଂସାଜାଲ ସେକସନ୍ ଅଧିନସ୍ଥ ହେମନ୍ତଖୋଳ ଗ୍ରାମ ନିକଟସ୍ଥ ଜମି ପାଖରେ ଥିବା ଏକ ପରିତ୍ୟକ୍ତ କୂପରୁ ବନବିଭାଗ ଏକ କଲରା ପତରିଆ ବାଘକୁ ଉଦ୍ଧାର କରି ତାକୁ ଜଙ୍ଗଲରେ ଛାଡ଼ି ଦେଇଥିବା ଜଣାପଡ଼ିଛି।

ବାଘଟି ଗତକାଲି ରାତିରେ କୂଅ ଭିତରେ ପଡ଼ିଯାଇଥିବା ଅନୁମାନ କରାଯାଉଛି। ଗ୍ରାମର କେହି ବ୍ୟକ୍ତି ବାଘଟି କୂପ ଭିତରେ ପଡ଼ିଥିବାର ବନ ବିଭାଗକୁ ସୂଚନା ଦେଇଥିଲେ।  ବନବିଭାଗ, ପୋଲିସ୍ ବିଭାଗ, ଦମକଳ ବାହିନୀ ସେଇ କୂପ ପାଖକୁ ଯାଇ ବାଘକୁ ଉଦ୍ଧାର କରି ତାକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ିଦେଇଥିବାର ସୂଚନା ମିଳିଛି।

ରେଢ଼ାଖୋଲ ଡିଏଫ୍ଓ ରମାକାନ୍ତ ନାଏକ, ରେଞ୍ଜର ପ୍ରଦୀପ ସେଠୀ, ଚାରମାଳ ଫରେଷ୍ଟର ପ୍ରବୀଣ କୁମାର ପ୍ରଧାନ, ବଂଶାଜାଲ ଫରେଷ୍ଟର ବିଜୟ କୁମାର ବିଶ୍ବାଳ ତଥା ଦମକଳ ବାହିନୀ ପ୍ରମୁଖ ବାଘ ଉଦ୍ଧାର କାମରେ ସାହାଯ୍ୟ କରିଥିଲେ।