Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲା ପୋଲିସକୁ ବଡ ସଫଳତା: ୮ ଡକାୟତି ଗ୍ୟାଙ୍ଗ ଗିରଫ, ୩ କୋଟି ୫୧ ଲକ୍ଷ ଜବତ

ଭୁବନେଶ୍ଵର: କଳାହାଣ୍ଡି ଜିଲ୍ଲା ପୋଲିସ ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ଧର୍ମଗଡ଼ ଥାନା ପୋଲିସ ଏକ ବଡ ଧରଣର ଡକାୟତି ଘଟଣାରେ ସମ୍ପୃକ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୩ କୋଟି ୫୧ ଲକ୍ଷ ଟଙ୍କା, ବନ୍ଧୁକ, ଗୁଳି, ଅପରାଧରେ ବ୍ୟବହୃତ ଗାଡି ଏବଂ ମରଣାସ୍ତ୍ର ଆଦି ଜବତ କରିଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟର ବୋଲି ସୂଚନା ମିଳିଛି। ଗିରଫ ଅଭିଯୁକ୍ତ ମାନେ ହେଲେ, ଝାଡଖଣ୍ଡ ରାଜ୍ୟ ରାଞ୍ଚି ଜିଲ୍ଲାର ତାହିର ଅନସାରୀ, ହୁସେନ୍ ଖାନ୍, ଜସିମ ଖାନ୍, ସାମିମ୍ ଅନସାରୀ, ବାସୁଦେବ ଗୋପେ, ପିଣ୍ଟୁ ଓରଫ ଆଲିମ୍,ଅନୁଜ କୁମାର ଏବଂ ସମିମ ଅନସାରୀ।

ଗତ ୩୦ ତାରିଖରେ ଧର୍ମଗଡ଼ ଠାରେ ଥିବା ଏକ ଦେଶୀ ମଦ ଭାଟିରେ ଏହି ଡକାୟତ ସଂଘଟିତ ହୋଇଥିଲା। ବିଳମ୍ବିତ ରାତିରେ ପ୍ରାୟ ୮ ଜଣ ଡକାୟତ ମାରଣାସ୍ତ୍ର ଧରି ଡକାୟତି କରିବା ଉଦ୍ଦେଶ୍ୟରେ ଏହି ଭାଟିରେ ପଶିଥିଲେ। ସେଠାରେ ବନ୍ଧୁକ ଏବଂ ମରଣାସ୍ତ୍ର ଦେଖାଇ ଧମକ ଦେଇ ବିପୁଳ ପରିମାଣର ଟଙ୍କା ଲୁଟି ନେଇଥିଲେ। ଏନେଇ ଧର୍ମଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଡକାୟତଙ୍କୁ ଧରିବାକୁ କଳାହାଣ୍ଡି ଏସପି ଅଭିଳାଷ ଜି.ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରାଯାଇଥିଲା। ଡକାୟତି କରିବା ପରେ ଅଭିଯୁକ୍ତମାନେ ଜେଏଚ ୧୦ଏପି ୪୮୧୭  ନମ୍ବର ବିଶିଷ୍ଟ ବୋଲେରୋ ଯୋଗେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପ୍ରାଥମିକ ତଦନ୍ତ ସମୟରେ ସ୍ଥାନୀୟ ପୁଲିସ ଦୁଇ ଅଭିଯୁକ୍ତ ସିରାଜ ଆନସାରୀ ଏବଂ କାମେଶ୍ୱର ଯାଦବକୁ ସଂଗେ ସଙ୍ଗେ ଗିରଫ କରିଥିଲା। ଅନୁସନ୍ଧାନ ସମୟରେ ଅପରାଧରେ ବ୍ୟବହୃତ ଗାଡିକୁ ଝାଡ଼ଖଣ୍ଡରେ ଚିହ୍ନଟ କରାଯାଇ ଠାବ କରାଯାଇଥିଲା। ଅନ୍ୟ ଅଭିଯୁକ୍ତ ମାନେ ଝାଡ଼ଖଣ୍ଡ ଅଭିମୁଖେ ଫେରାର ହୋଇଥିବା ସମ୍ପର୍କରେ ପୋଲିସ ସୂଚନା ପାଇଥିଲା। ବର୍ତ୍ତମାନ ସୁଦ୍ଧା ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଡକାୟତି ହେବା ପରେ ୧୧ ଟି ଜିଲ୍ଲାର ପୋଲିସ ତୁରନ୍ତ ଏଥିରେ ସାମିଲ ହୋଇଥିଲେ। କଳାହାଣ୍ଡି ବ୍ୟତୀତ ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ରାଉରକେଲା, ଗୁମଲା, ରାଞ୍ଚି, ଲୋହାର ଦାଗା, ୱେଷ୍ଟ ସିଂଭୁମ ଏବଂ ସିମଡେଗା ଜିଲ୍ଲା ପୋଲିସ ସାମିଲ ହୋଇଥିଲେ। ଉଭୟ ରାଜ୍ୟର ଜିଲ୍ଲା ପୋଲିସଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଯୋଗୁଁ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଗଲା ବୋଲି ଡିଜିପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତ ଯସୀମ ନାଁରେ ରାଞ୍ଚିର ବିଭିନ୍ନ ଥାନାରେ ୬ ରୁ ଅଧିକ ଧର୍ତ୍ତବ୍ୟ ମାମଲା ରହିଥିବା ବେଳେ ଅଲିମ ଅନସାରୀ ନାଁରେ ୨ଟି ଏବଂ ତାହିର ଅନସାରୀ ନାଁରେ ୩ ଟି ମାମଲା ରହିଛି।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଏବଂ ସଫଳତା ନିମନ୍ତେ କଳାହାଣ୍ଡି ଏସପି ଅଭିଳାଷ ଜି. ଏବଂ ତାଙ୍କ ଟିମକୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।

Categories
ଆଞ୍ଚଳିକ

ଭବାନୀପାଟଣା ଠାରେ କଳାହାଣ୍ଡି ଜିଲ୍ଲା ପୋଲିସ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି ଭବାନୀପାଟଣା ସ୍ଥିତ ଓଡ଼ିଶା ବ୍ଲଡ଼ ବ୍ୟାଙ୍କ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୋଲିସ ଏଡ୍-ପୋଷ୍ଟର ମହିଳା ଆରକ୍ଷୀ ଜାହ୍ନବୀ ସାହୁ, ୯ମ ଆଇ ଆର୍ ବି ଏନ୍ ର ହାବିଲଦାର ଅମିତ୍ ବିଶ୍ଵାଳ ତଥା ସ୍ଥାନୀୟ ସମାଜସେବୀ ପ୍ରମୁଖ ଉପସ୍ଥିତ ଥିଲେ ଓ ଶିବିରରେ କୋଭିଡ଼-୧୯ କଟକଣା ଦୃଷ୍ଟିରୁ ସାମାଜିକ ଦୂରତା ବଜାୟ ରଖାଯାଇ ଥିଲା।

ଏହି ରକ୍ତଦାନ ଶିବିରରେ ୬୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରରେ ସ୍ଥାନୀୟ ସମାଜସେବୀ ସରୋଜ ଭୋଇ, ଆଦିତ୍ୟ ସା, କୁନାଲ ଅଗସ୍ତି, ବିକାଶ ମୁଣ୍ଡ ସମେତ ଭବାନୀପାଟଣା ରକ୍ତ ଭଣ୍ଡାର କର୍ମଚାରୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଶିବିରରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ସ୍ୱେଚ୍ଛାସେବୀମାନେ ଯୋଗଦେଇ ରକ୍ତଦାନ କରିଥିଲେ।

ପ୍ରକାଶ ଥାଉକି ଗତବର୍ଷ ମାର୍ଚ୍ଚ ଶେଷ ସପ୍ତାହ ଠାରୁ ଜୁନମାସ ୧୮ ତାରିଖ ପର୍ଯ୍ୟନ୍ତ ପରିସ୍ଥିତି ସ୍ଵାଭାବିକ ଥିବା ସମୟରେ ବିଭିନ୍ନ ସଂଗଠନ ତରଫରୁ ଆଠଟି ରକ୍ତଦାନ ଶିବିର ଆୟୋଜନ କରାଯାଇ ମୋଟ ୩୦୭ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିବା ବେଳେ ଚଳିତ ବର୍ଷ କୋଭିଡ୍-୧୯ କଟକଣା ସତ୍ତ୍ବେ ଏହି ସମୟରେ ଜିଲ୍ଲା ପୋଲିସ ପକ୍ଷରୁ ୩୫ ଗୋଟି ରକ୍ତଦାନ ଶିବିର ଆୟୋଜନ କରାଯାଇ ରେକର୍ଡ ସଂଖ୍ୟକ ମୋଟ ୨୦୪୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି।

Categories
ଆଞ୍ଚଳିକ

ଶାନ୍ତପୁରଠାରେ କଳାହାଣ୍ଡି ଜିଲ୍ଲା ପୋଲିସ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି ନର୍ଲା ଥାନା ଅନ୍ତର୍ଗତ ଶାନ୍ତପୁର ପଞ୍ଚାୟତ ଅଫିସ୍ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, ନର୍ଲା ଥାନା ଏ ଏସ ଆଇ ସୁବାସ ଚନ୍ଦ୍ର ଗୁରୁ, ଥାନା କର୍ମଚାରୀ, ଶାନ୍ତପୁର ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସମେତ ସୋସିଆଲ ଅକ୍ଟିଭିଷ୍ଟ୍ ଅଫ କଳାହାଣ୍ଡିର ସ୍ଵେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ରକ୍ତଦାନ ଶିବିରରେ କୋଭିଡ଼-୧୯ କଟକଣା ଦୃଷ୍ଟିରୁ ସାମାଜିକ ଦୂରତା ବଜାୟ ରଖାଯାଇ ଥିଲା।

ଏହି ରକ୍ତଦାନ ଶିବିରରେ ୩୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରରେ ଶାନ୍ତପୁର ପଞ୍ଚାୟତ ସରପଞ୍ଚ ଟିକେଧର ସାହୁ, ସମିତି ସଭ୍ୟ ଗୋବିନ୍ଦ ତାଣ୍ଡି, ସୋସିଆଲ ଅକ୍ଟିଭିଷ୍ଟ ଅଫ କଳାହାଣ୍ଡିର ନର୍ଲା ବ୍ଲକ ସଭାପତି ମିଲନ ଭୋଇ ସମେତ ଭବାନୀପାଟଣା ରକ୍ତ ଭଣ୍ଡାର କର୍ମଚାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିବିରରେ ଉପରୋକ୍ତ ସଂଗଠନର ସ୍ଵେଚ୍ଛାସେବୀ ତଥା ନର୍ଲା ଥାନା ଅନ୍ତର୍ଗତ ଶାନ୍ତପୁର ଓ ବଡ଼ ଧାରପୁର ପଞ୍ଚାୟତ ତଥା ଆଖ ପାଖ ଅଂଚଳର ବାସିନ୍ଦା ମାନେ ଯୋଗଦେଇ ରକ୍ତଦାନ କରିଥିଲେ।

Categories
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲା ପୋଲିସ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି ଧର୍ମଗଡ଼ ଥାନା ଅନ୍ତର୍ଗତ ବଗାଡ ପଞ୍ଚାୟତ ଅଫିସ୍ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, ଧର୍ମଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା, ଧର୍ମଗଡ଼ ଥାନା ଅଧିକାରୀ ସତ୍ୟନାରାୟଣ ପ୍ରଧାନ ସମେତ ସ୍ଵେଚ୍ଛାସେବୀ ସଂଗଠନ ଏସ ଏ କେ, ସ୍ଥାନୀୟ ବଗାଡ ପଞ୍ଚାୟତର ସରପଞ୍ଚ ଏବଂ ପି ଇ ଓ ତଥା ଅନ୍ୟ ତିନି ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ ଓ ଶିବିରରେ କୋଭିଡ-୧୯ କଟକଣା ଦୃଷ୍ଟିରୁ ସାମାଜିକ ଦୂରତା ବଜାୟ ରଖାଯାଇ ଥିଲା।

ଏହି ରକ୍ତଦାନ ଶିବିରରେ ୩୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରରେ ଏସଏକେ ର ଜିଲ୍ଲା ଉପ ସଭାପତି ମହେଶ୍ୱର ସୁନାନି, ଜୀବନବିନ୍ଦୁ ସଂଗଠନର ବିବେକ ମିଶ୍ର, ବଗାଡ ପଞ୍ଚାୟତ ପି ଇ ଓ ରଶ୍ମିତା ଦାସ, ବଗାଡ ପଞ୍ଚାୟତର ସରପଞ୍ଚ ପ୍ରମିଳା ମାଝୀ, ବଡ଼ଫୁର୍ଲା ପଞ୍ଚାୟତର ସରପଞ୍ଚ ବନିତା ପାଲ, ନନ୍ଦଗାଁ ପଞ୍ଚାୟତର ସରପଞ୍ଚ ବିରଞ୍ଚି ବନିଆ, ବୋଡ଼େନ ପଞ୍ଚାୟତର ସରପଞ୍ଚ ହରିପ୍ରିୟା ନାଏକ ସମେତ ଧର୍ମଗଡ଼ ରକ୍ତ ଭଣ୍ଡାର କର୍ମଚାରୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଶିବିରରେ ଉପରୋକ୍ତ ସଂଗଠନର ସ୍ଵେଚ୍ଛାସେବୀ ତଥା ଧର୍ମଗଡ଼ ଥାନା ଅଞ୍ଚଳର ଉକ୍ତ ପାଞ୍ଚଟି ପଞ୍ଚାୟତର ବାସିନ୍ଦା ମାନେ ଯୋଗଦେଇ ରକ୍ତଦାନ କରିଥିଲେ।