କଳାହାଣ୍ଡି ଜିଲ୍ଲା ପୋଲିସ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

Published: May 23, 2020, 4:29 pm IST

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି ଧର୍ମଗଡ଼ ଥାନା ଅନ୍ତର୍ଗତ ବଗାଡ ପଞ୍ଚାୟତ ଅଫିସ୍ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, ଧର୍ମଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା, ଧର୍ମଗଡ଼ ଥାନା ଅଧିକାରୀ ସତ୍ୟନାରାୟଣ ପ୍ରଧାନ ସମେତ ସ୍ଵେଚ୍ଛାସେବୀ ସଂଗଠନ ଏସ ଏ କେ, ସ୍ଥାନୀୟ ବଗାଡ ପଞ୍ଚାୟତର ସରପଞ୍ଚ ଏବଂ ପି ଇ ଓ ତଥା ଅନ୍ୟ ତିନି ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ ଓ ଶିବିରରେ କୋଭିଡ-୧୯ କଟକଣା ଦୃଷ୍ଟିରୁ ସାମାଜିକ ଦୂରତା ବଜାୟ ରଖାଯାଇ ଥିଲା।

ଏହି ରକ୍ତଦାନ ଶିବିରରେ ୩୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରରେ ଏସଏକେ ର ଜିଲ୍ଲା ଉପ ସଭାପତି ମହେଶ୍ୱର ସୁନାନି, ଜୀବନବିନ୍ଦୁ ସଂଗଠନର ବିବେକ ମିଶ୍ର, ବଗାଡ ପଞ୍ଚାୟତ ପି ଇ ଓ ରଶ୍ମିତା ଦାସ, ବଗାଡ ପଞ୍ଚାୟତର ସରପଞ୍ଚ ପ୍ରମିଳା ମାଝୀ, ବଡ଼ଫୁର୍ଲା ପଞ୍ଚାୟତର ସରପଞ୍ଚ ବନିତା ପାଲ, ନନ୍ଦଗାଁ ପଞ୍ଚାୟତର ସରପଞ୍ଚ ବିରଞ୍ଚି ବନିଆ, ବୋଡ଼େନ ପଞ୍ଚାୟତର ସରପଞ୍ଚ ହରିପ୍ରିୟା ନାଏକ ସମେତ ଧର୍ମଗଡ଼ ରକ୍ତ ଭଣ୍ଡାର କର୍ମଚାରୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଶିବିରରେ ଉପରୋକ୍ତ ସଂଗଠନର ସ୍ଵେଚ୍ଛାସେବୀ ତଥା ଧର୍ମଗଡ଼ ଥାନା ଅଞ୍ଚଳର ଉକ୍ତ ପାଞ୍ଚଟି ପଞ୍ଚାୟତର ବାସିନ୍ଦା ମାନେ ଯୋଗଦେଇ ରକ୍ତଦାନ କରିଥିଲେ।

Related posts