Categories
ଆଜିର ଖବର ରାଜ୍ୟ ଖବର

‘ମୋ ସରକାର’ ପ୍ରକୋଷ୍ଠରୁ ମିଳିଥିବା ଅଭିଯୋଗର କାର୍ଯ୍ୟନୁଷ୍ଠାନ ପାଇଁ ଗଣଶିକ୍ଷା ପକ୍ଷରୁ ନିର୍ଦ୍ଦେଶ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ଦ୍ୱାରା ପରିଚାଳିତ ‘ମୋ ସରକାର’ ପ୍ରକୋଷ୍ଠରେ କେତେକ କର୍ମଚାରୀମାନଙ୍କ ବିରୁଦ୍ଧରେ ଅଭିଯୋଗ ହସ୍ତଗତ ହୋଇଥିଲା। ଉକ୍ତ ଅଭିଯୋଗଗୁଡ଼ିକୁ ଅନୁଧ୍ୟାନ କଲା ପରେ ଜଣାପଡ଼ିଲା ଯେ ଏଗୁଡ଼ିକ ମୁଖ୍ୟତଃ ଶିକ୍ଷକମାନଙ୍କର ପେନ୍‌ସନ୍‌, ଅବସରକାଳୀନ ପ୍ରାପ୍ୟ ଓ ସରକାରୀ କାର୍ଯ୍ୟରେ ଅବହେଳା ସମ୍ବନ୍ଧୀୟ ଅଟେ।

ଉକ୍ତ ଅଭିଯୋଗ ଆଧାରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ବିଭାଗୀୟ ଅଧିକାରୀଙ୍କୁ ସଂପୃକ୍ତ ଜିଲ୍ଲା କାର୍ଯ୍ୟାଳୟ (ଭଦ୍ରକ, କଳାହାଣ୍ଡି ଓ ଯାଜପୁର)ଗୁଡ଼ିକୁ ତଦନ୍ତ ନିମନ୍ତେ ପଠାଯାଇଥିଲା। ତଦନ୍ତରୁ ଜଣାପଡ଼ିଲା ଯେ ଅଭିଯୋଗଗୁଡ଼ିକର ସତ୍ୟତା ରହିଅଛି।

ଉକ୍ତ ତଦନ୍ତ ରିପୋର୍ଟ ଆଧାରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ସଂପୃକ୍ତ ବିଭାଗୀୟ ନିର୍ଦ୍ଦେଶକମାନଙ୍କୁ ଏହି କର୍ମଚାରୀମାନଙ୍କ ବିରୁଦ୍ଧରେ ନିୟମାନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ମୋ ସରକାର: ଲୋକଙ୍କ ମତକୁ ନେଇ କର୍ମଚାରୀଙ୍କୁ ପ୍ରଶଂସା ଓ ଦଣ୍ଡ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସଂଧ୍ୟାରେ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କରି ଅଧିକାରୀ ମାନଙ୍କୁ ନିୟମିତ ଫିଡବ୍ୟାକ ସଂଗ୍ରହ କରିବାକୁ ପରାମର୍ଶ ଦେବା ସହିତ ଭଲ ଫିଡ୍‌ବ୍ୟାକକୁ ଭିତ୍ତିକରି ଅଧିକାରୀ ମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିବା ସହିତ ଅବହେଳା ପାଇଁ ଦଣ୍ଡ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜିର ସମୀକ୍ଷାରେ ସ୍ବାସ୍ଥ୍ୟ, ରାଜସ୍ବ, ଗୃହ, କୃଷି ଓ ଅନ୍ୟାନ୍ୟ ବିଭାଗ ସେମାନଙ୍କ ମୋ ସରକାର କାର୍ଯ୍ୟକ୍ରମ ଉପରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନା ରଖିଥିଲେ।

ରାଜସ୍ବ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମ ଦ୍ବାରା କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଛି ବୋଲି ସମୀକ୍ଷାରୁ ଜଣାଯାଇଛି। ଲୋକଙ୍କୁ ବିଭିନ୍ନ ସେବା ଯୋଗାଇ ଦେବାର ସମୟ ସୀମା ବହୁତ କମିଯାଇଛି। ପୂର୍ବରୁ ମ୍ୟୁଟେସନ କେସ୍‌ ଗୁଡିକରେ ଫଇସଲା ପାଇଁ ୧୦୦ରୁ ୧୫୦ ଦିନ ଲାଗୁ ଥିବା ବେଳେ, ୨୦୨୩-୨୪ରେ ଏହା ୨୧ ଦିନରୁ କମ୍‌ ସମୟ ଲାଗୁଛି। ଏପରିକି ୩,୭୦,୦୦୦ ପଟ୍ଟା ୭ ଦିନ ମଧ୍ୟରେ ପ୍ରଦାନ କରାଯାଇଛି। ସେହିପରି ବିଭିନ୍ନ ସାର୍ଟିଫିକେଟ ପ୍ରଦାନ କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଉନ୍ନତି ଆସିଛି ବୋଲି ସୂଚନା ଦିଆଯାଇଥିଲା।

ରାଜସ୍ବ ବିଭାଗରେ ଫିଡବ୍ୟାକ ଭିତ୍ତିରେ ୬ ଜଣ ଓଏଏସ୍‌ ଅଧିକାରୀଙ୍କୁ ସମୟ ପୂର୍ବରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବାବେଳେ, ୩୨ ଜଣ ଓଏଏସ୍‌ ଅଧିକାରୀ ଓ ୧୪ ଜଣ ଓଆରଏସ୍‌ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ୪ ଜଣ ଓଏଏସ୍‌ ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି। ୧୧ ଜଣ ଓଏଏସ୍‌ ଅଧିକାରୀଙ୍କ ଗ୍ରାଚ୍ୟୁଇଟି ଓ ପେନ୍‌ସନ୍ ବନ୍ଦ କରାଯାଇଛି। ସେହିପରି ୬୭ ଜଣ ଓଏଏସ୍‌ ଅଧିକାରୀ ଓ ୩୦ ଜଣ ଓଆରଏସ୍‌ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ ପଦକ୍ଷେପ ଗ୍ରହଣ କରାଯାଇଛି।

ସ୍ବାସ୍ଥ୍ୟ ବିଭାଗର ୯୯ ପ୍ରତିଶତରୁ ଅଧିକ ଫିଡବ୍ୟାକ ଆଉଟଷ୍ଟାଣ୍ଡିଂ ବା ଅତି ଭଲ ଅଛି ବୋଲି ଜଣାଯାଇଛି। ସରକାରୀ ହସ୍‌ପିଟାଲରେ ମାଗଣା ଚିକିତ୍ସା ମିଳୁଥିବା ବେଳେ, ବେସରକାରୀ ହସ୍‌ପିଟାଲ ଗୁଡିକରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ରୂପାୟନ କ୍ଷେତ୍ରରେ ସାମାନ୍ୟ ଅବହେଳା ହେଲେ, ତୁରନ୍ତ ପଦକ୍ଷେପ ନିଆଯାଉଛି।

ପେନ୍‌ସନ ପ୍ରଦାନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସବୁ ବ୍ୟବସ୍ଥା ସତ୍ତ୍ବେ ଅବସରପ୍ରାପ୍ତ କର୍ମଚାରୀମାନେ ଠିକ୍‌ ସମୟରେ ପେନ୍‌ସନ୍‌ ପାଉନାହାନ୍ତି। ତେଣୁ ପ୍ରତ୍ୟେକ ବିଭାଗ ଏହାକୁ ସମୀକ୍ଷା କରି ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ପଦୋନ୍ନତି କ୍ଷେତ୍ରରେ ମଧ୍ୟ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ କହିଲେ ଯେଉଁସବୁ କ୍ଷେତ୍ରରେ ନିୟମିତ ଭାବରେ ଭଲ ଫିଡବ୍ୟାକ ମିଳୁନାହିଁ, ସେ ସବୁ କ୍ଷେତ୍ରରେ ଯୋଜନାର ବ୍ୟବସ୍ଥାକୁ ପରିବର୍ତ୍ତନ କରି ସେଥିରେ ଅଧିକ ଉନ୍ନତି ଆଣିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ରାଜ୍ୟ ସରକାରଙ୍କ ସବୁ କାର୍ଯ୍ୟକ୍ରମ ଓ ଯୋଜନାକୁ ଦକ୍ଷ ଭାବରେ କାର୍ଯ୍ୟକାରୀ କରିବାର ଉଦ୍ଦେଶ୍ୟ ନେଇ ମୋ ସରକାର ଫିଡ୍‌ବ୍ୟାକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସେ କହିଥିଲେ।

ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିଲେ।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ବି.ଏସ୍.କେ.ୱାଇ ର କ୍ଷେତ୍ରସ୍ତରୀୟ କାର୍ଯ୍ୟାୟନ ସମୀକ୍ଷା: ଅନୁବନ୍ଧିତ ହସ୍ପିଟାଲ୍ ସଂଖ୍ୟା ୬୨୬ କୁ ବୃଦ୍ଧି

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ)ର ଦୃତବର୍ଦ୍ଧିଷ୍ଣୁ ପ୍ରସାର ଓ ଲୋକପ୍ରିୟତାକୁ ଲକ୍ଷ୍ୟ କରି ଏହାର ସଠିକ କ୍ଷେତ୍ରସ୍ତରୀୟ କାର୍ଯ୍ୟାୟନ ଉପରେ ସରକାର ଗୁରୁତ୍ୱ ଆରୋପ କରିଛନ୍ତି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ ଇତି ମଧ୍ୟରେ ଯୋଜନାର କ୍ଷେତ୍ରସ୍ତରୀୟ ରୂପାୟନ ସମ୍ବନ୍ଧିତ ବିଷୟ ସମୀକ୍ଷା କରି ଅନୁବନ୍ଧିତ ହସ୍ପିଟାଲ୍ ଗୁଡିକର ଅଧିକାରୀ ଜିଲ୍ଲା ସଂଯୋଜକ ଓ ସ୍ୱାସ୍ଥ୍ୟମିତ୍ର ଆଦି ତୃଣମୂଳସ୍ତରୀୟ ଅଧିକାରୀମାନଙ୍କ ନିମନ୍ତେ ନିୟମିତ ତାଲିମ ଓ ଅନୁପ୍ରେରଣା ଶିବିରମାନ ଆୟୋଜନ କରିବା ପାଇଁ ରାଜ୍ୟସ୍ତରୀୟ ଟିମ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟସେବା ପ୍ରତିଶ୍ରୁତି ସୋସାଇଟି ସଭାଗୃହଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡାକ୍ତର ଡି. ବୃନ୍ଦା ଯୋଜନା କାର୍ଯ୍ୟାୟନର ପ୍ରଶାସନିକ ଓ ବୈଷୟିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ଜିଲ୍ଲାସ୍ତରରେ ଜିଲ୍ଲା ସଂଯୋଜକ କାର୍ଯ୍ୟାଳୟଗୁଡ଼ିକୁ ଅଧିକ ଦୃଢ଼ୀଭୂତ କରିବା ପାଇଁ ଶାସନ ସଚିବ ଶ୍ରୀମତୀ ପଣ୍ଡିତ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ସେମାନଙ୍କୁ ଆବଶ୍ୟକୀୟ ଭିତ୍ତିଭୂମି, କମ୍ପ୍ୟୁଟର୍, ଇଣ୍ଟରନେଟ୍ ସୁବିଧା ଆଦି ଯୋଗାଇ ଦିଆଯିବ। ସେ କହିଥିଲେ ଯେ ସ୍ୱାସ୍ଥ୍ୟମିତ୍ର ଏବଂ ଜିଲ୍ଲା ସଂଯୋଜକମାନଙ୍କ ଦକ୍ଷତା ବୃଦ୍ଧି କରାଗଲେ ତୃଣମୂଳ ସ୍ତରରେ ଲୋକମାନଙ୍କୁ ବାସ୍ତବ ସହାୟତା ଯୋଗାଯାଇ ପାରିବ; ଏବଂ ତାଲିକାଭୂକ୍ତ ହସ୍ପିଟାଲ ସ୍ତରରେ ଲୋକମାନଙ୍କର ଚିକିତ୍ସା ସମ୍ବନ୍ଧିତ ଅଭିଯୋଗର ଆଶୁ ସମାଧାନ ହୋଇପାରିବ।

ସମୀକ୍ଷାରୁ ଜଣାପଡ଼ିଥିଲା ଯେ, ବି.ଏସ୍.କେ.ୱାଇ ରେ ଉଚ୍ଚ ଗୁଣାତ୍ମକ ମାନର ଚିକିତ୍ସା ନିମନ୍ତେ ବର୍ତ୍ତମାନ ସୁଦ୍ଧା ଉଭୟ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରର ଥିବା ୬୨୬ ଟି ସୁପର ସ୍ପେସାଲିଟି ଘରୋଇ ହସ୍ପିଟାଲ୍କୁ ଅନୁବନ୍ଧିତ କରାଯାଇଛି। ‘ମୋ ସରକାର’ମାଧ୍ୟମରେ ସଂଗ୍ରହ ହେଉଥିବା ଲୋକମତ, ୧୦୪ କଲ୍ ସେଣ୍ଟର୍, ଅଭିଯୋଗ ଶୁଣାଣି, ଇ-ଅଭିଯୋଗ ଓ ଗଣମାଧ୍ୟମ ଆଦି ସୂତ୍ରରୁ ବର୍ତ୍ତମାନ ସୁଦ୍ଧା ମିଳିଥିବା ଅଭିଯୋଗ ଓ ମତାମତ ମଧ୍ୟରୁ ଶତକଡ଼ା ୯୫ ଭାଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ସେସବୁର ସମାଧାନ କରାଯାଇଛି। ଆଗାମି ବର୍ଷ ପାଇଁ ହସ୍ପିଟାଲ୍ମାନଙ୍କୁ ଅନୁବନ୍ଧିତ ବା ତାଲିକା-ଅନ୍ତର କଲାବେଳେ ସଂଗୃହୀତ ଲୋକମତ, ସଂପୃକ୍ତ ହସ୍ପିଟାଲ୍ରେ ଉପଲବ୍ଧ ରୋଗୀ-କୈନ୍ଦ୍ରିକ ସୁବିଧା ଓ ଆଧୁନିକ ଚିକିତ୍ସା ଉପକରଣ, ହସ୍ପିଟାଲ୍ର ନିଜସ୍ୱ ଅଭିଜ୍ଞ ଡାକ୍ତର ଆଦି ବିଷୟକୁ ବିଶେଷ ଗୁରୁତ୍ୱ ଦେବା ପାଇଁ ବୈଠକରେ ସ୍ଥିର ହୋଇଥିଲା।

କ୍ଷେତ୍ରସ୍ତରରେ ସୂଚନା, ଅନୁ ପ୍ରେରଣା ଓ ସଂଯୋଜନା କାର୍ଯ୍ୟକୁ ଅଧିକ ଦୃଢ଼ୀଭୂତ କରିବା ପାଇଁ ଲକ୍ଷ୍ୟଭେଦୀ କାର୍ଯ୍ୟକ୍ରମ ସ୍ଥିର କରିବା ନିମନ୍ତେ ଶ୍ରୀମତୀ ପଣ୍ଡିତ ନିର୍ଦ୍ଦେଶ ଦେଇଥିଲେ। ଅନୁବନ୍ଧିତ ହସ୍ପିଟାଲମାନଙ୍କରେ ସୁଦୃଶ୍ୟ ଭାବେ ବି.ଏସ୍.କେ.ୱାଇ ବୋର୍ଡ ଲଗାଇବା, ଲୋକମାନଙ୍କ ପାଇଁ ସୁବିଧା ଜନକ ସ୍ଥାନରେ କାଉଣ୍ଟର ଖୋଲିବା, ତ୍ୱରିତ ଆଡ୍ମିଶନ୍, ଡିସ୍ଚାର୍ଜ ଓ ବିଲ୍ ପୈଠ ପାଇଁ ସପ୍ଟୱେୟାର ନବୀକରଣ କରିବା, ଇଣ୍ଟରନେଟ୍ ସ୍ପିଡ୍ ବଢ଼ାଇବା ଆଦି ବଷୟରେ ସବିଶେଷ ସମୀକ୍ଷା ହୋଇଥିଲା।

ସୋସାଇଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ଡି. ବୃନ୍ଦା, ଅତିରିକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ର, ଯୁଗ୍ମ କାର୍ଯ୍ୟନିର୍ବାହୀ (ଅର୍ଥ) ଅରବିନ୍ଦ୍ ରାଉତରାୟ, ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ବିଷ୍ଣୁ ପ୍ରସାଦ ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ବିଶେଷ ଖବର

ମୋ ସରକାର ସମୀକ୍ଷା: ଜିଲ୍ଲାପାଳମାନେ ଅଧିକ ଫିଡ୍‌ବ୍ୟାକ ସଂଗ୍ରହ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସରକାରଙ୍କ ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା କରି ଜିଲ୍ଲାସ୍ତରରେ ଅଧିକ ଫିଡବ୍ୟାକ ସଂଗ୍ରହ କରିବାପାଇଁ ନିର୍ଦ୍ଦେଶ ଦେବା ସହିତ ମୁଖ୍ୟ ଶାସନ ସଚିବ ଏ ସଂପର୍କରେ ସମୀକ୍ଷା କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ବିଭିନ୍ନ ବିଭାଗ ସେମାନଙ୍କ ଡାଟାବେସ୍‌କୁ ସୁଦୃଢ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ମୋ ସରକାର କାର୍ଯ୍ୟକ୍ରମରେ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଫୋନକଲ୍‌ ଜରିଆରେ ସେମାନେ କିଭଳି ବ୍ୟବହାର ପାଇଲେ ବା ତାଙ୍କ ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉଛି କି ନାହିଁ, ସେ ସଂପର୍କରେ ଜାଣିବା ପାଇଁ ବ୍ୟବସ୍ଥା ରହିଛି। ୨୦୧୯ ଅକ୍ଟୋବର ୨ ତାରିଖରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଗତ ବର୍ଷ ମଇ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ଏହାର ସମୀକ୍ଷା କରିଥିଲେ। ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ମିଶନ ଶକ୍ତି ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା କରାଯାଇଥିଲା।

ବୈଠକରେ ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ୩୧ଟି ବିଭାଗର ୨୬୩ଟି ସେବା ମୋ ସରକାର ଅଧୀନକୁ ଆସିଛି। ଆଜି ପର୍ଯ୍ୟନ୍ତ ସମୁଦାୟ ୩.୭୭ କୋଟି ଫିଡବ୍ୟାକ ସଂଗ୍ରହ କରାଯାଇଛି। ମୋ ସରକାରର ୧୧ଟି ପାରାମିଟରରୁ ୯ଟି ପାରାମିଟରରେ ଉନ୍ନତି ଆସିଛି। ସମସ୍ତ ବିଭାଗର ସାମଗ୍ରିକ ପ୍ରଦର୍ଶନ ଦୃଷ୍ଟିରୁ ୯୪.୯ ପ୍ରତିଶତ ଫିଡବ୍ୟାକ ଆଉଟଷ୍ଟାଣ୍ଡିଂଙ୍ଗ ବା ସର୍ବୋତ୍ତମ ରହିଛି।

ସମୀକ୍ଷାରୁ ଜଣାଯାଇଥିଲା ଯେ ସ୍ବାସ୍ଥ୍ୟ ବିଭାଗର ପ୍ରଦର୍ଶନ ସର୍ବୋତ୍ତମ ରହିଛି। ବିଶେଷକରି ସରକାରୀ ଡାକ୍ତରଖାନା ମାନଙ୍କରେ ମିଳୁଥିବା ସେବା ସଂପର୍କରେ ଜନସାଧାରଣଙ୍କ ଫିଡବ୍ୟାକ ବହୁତ ଭଲ ରହିଛି। ୯୯ ପ୍ରତିଶତରୁ ଅଧିକ ମତ ଉତ୍ତମ ବୋଲି ଜଣାଯାଇଛି। ସେହିପରି ବେସରକାରୀ ଡାକ୍ତରଖାନା ଗୁଡିକରେ ୯୮ ପ୍ରତିଶତ ଫିଡବ୍ୟାକ ଉତ୍ତମ ରହିଛି। ବିଶେଷକରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ଫିଡବ୍ୟାକ ନିଆଯାଇଛି। ଗୃହ ନିର୍ମାଣ ଓ ନିଗର ଉନ୍ନୟନ ବିଭାଗ କାମରେ ମଧ୍ୟ ଉନ୍ନତି ଆସିଛି ବୋଲି ଜଣାଯାଇଛି।

ସମୀକ୍ଷାରୁ ଜଣାଯାଇଛି ଯେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ୯୬ ପ୍ରତିଶତ, ରାଜସ୍ବ ବିଭାଗର ୯୮ ପ୍ରତିଶତ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୯୨ ପ୍ରତିଶତ ଫିଡବ୍ୟାକ ଅତି ଉତ୍ତମ ରହିଛି। ମିଶନ ଶକ୍ତି ବିଭାଗ ଅପେକ୍ଷାକୃତ ନୂତନ ବିଭାଗ ହୋଇଥିବାରୁ ଏହାର ଫିଡବ୍ୟାକ ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି।

ସମୀକ୍ଷାରୁ ଜଣାଯାଇଥିଲା ଯେ ସବ୍‌ରେଜିଷ୍ଟର ଅଫିସ, ବିଲ୍‌ଡିଂ ପ୍ଲାନ ଅନୁମୋଦନ, ବିଲ୍‌ ପ୍ରଦାନ, ଜାତିଗତ ପ୍ରମାଣପତ୍ର ଆଦି ପ୍ରଦାନ କ୍ଷେତ୍ରରେ ସମସ୍ୟା ରହୁଛି ବୋଲି ଫିଡବ୍ୟାକରୁ ଜଣାଯାଇଛି। ଏସବୁ କ୍ଷେତ୍ରରେ ଅଧିକ ପାରଦର୍ଶିତାର ସହ କାମ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତ ବିଭାଗ ନିଜ ନିଜର ସେବା ପ୍ରଦାନ କାର୍ଯ୍ୟକ୍ରମ ଗୁଡିକୁ ଅତ୍ୟନ୍ତ ଦକ୍ଷତାର ସହ ତୁଲାଇବାର ଆବଶ୍ୟକତା ରହିଛି।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଲେ ଯେ ଗତ ସମୀକ୍ଷା ଠାରୁ ବର୍ତ୍ତମାନ ମଧ୍ୟରେ ଫିଡବ୍ୟାକ ବ୍ୟବସ୍ଥାରେ ଯଥେଷ୍ଟ ଉନ୍ନତି ଆସିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁଯାୟୀ ଜିଲ୍ଲାସ୍ତରରେ ଉତ୍ତମ ଫିଡବ୍ୟାକ ସଂଗ୍ରହ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।

ଉନ୍ନୟନ କମିଶନର ପି.କେ. ଜେନା କହିଲେ ଯେ ମୋ ସରକାର କାର୍ଯ୍ୟକ୍ରମ ଯୋଗୁ ବିଭିନ୍ନ ବିଭାଗର କ୍ଷେତ୍ରସ୍ତରୀୟ ପ୍ରଦର୍ଶନରେ ଯଥେଷ୍ଟ ଉନ୍ନତି ଆସିଛି। ସେଥିପାଇଁ ଅଭିଯୋଗର ପରିମାଣ ମଧ୍ୟ କମିଛି ବୋଲି ସେ କହିଥିଲେ।

ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କହିଲେ ଯେ ସରକାରୀ ସେବା ପାଉଥିବା ବିଭିନ୍ନ ଲୋକଙ୍କ ଠାରୁ ମତାମତ ଗ୍ରହଣ କରି ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ଓ ପ୍ରଶାସନିକ ବ୍ୟବସ୍ଥା ସଂପର୍କରେ ଜାଣିବା ଏବଂ ତଦ୍‌ନୁଯାୟୀ ପଦକ୍ଷେପ ନେବା ହେଉଛି ମୋ ସରକାରର ଲକ୍ଷ୍ୟ। ଏଥିରେ ଫିଡବ୍ୟାକ ବ୍ୟବସ୍ଥାକୁ ସୁଦୃଢ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଉଦାହରଣ ଦେଇ ସେ କହିଲେ ଯେ ଅବସର ଗ୍ରହଣ କରୁଥିବା କର୍ମଚାରୀମାନଙ୍କ ପେନ୍‌ସନ କ୍ଷେତ୍ରରେ ବ୍ୟବସ୍ଥାଗତ ସମସ୍ୟା ରହିଛି। ତେଣୁ ଏହାର ନିରାକରଣ ପାଇଁ ବ୍ୟବସ୍ଥାରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ବୈଠକରେ ନିଷ୍ପତ୍ତି ଅନୁଯାୟୀ ଆଗକୁ ଏ ସଂପର୍କରେ ଅଧିକ ଆଲୋଚନା କରାଯାଇ ବ୍ୟବସ୍ଥାଗତ ପରିବର୍ତ୍ତନ ପାଇଁ ପଦକ୍ଷେପ ନିଆଯିବ।

ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ, ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗର ପ୍ରମୁଖ ସଚିବ, ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ନିଜ ନିଜ ବିଭାଗର ମୋ ସରକାର ତଥ୍ୟ ଉପସ୍ଥାପନ କରିଥିଲେ। ଇଲେକ୍ଟଟ୍ରୋନିକ୍‌ସ ଓ ଆଇଟି ବିଭାଗର ପ୍ରମୁଖ ସଚିବ ମୋ ସରକାର କାର୍ଯ୍ୟକ୍ରମର ସାମଗ୍ରିକ ତଥ୍ୟ ଉପସ୍ଥାପନ କରିଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଶିଳ୍ପ ଅନୁନ୍ନତ ଜିଲ୍ଲାରେ ଅଧିକ ଏମ୍‌ଏସ୍‌ଏମ୍‌ଇ ଶିଳ୍ପ ପ୍ରତିଷ୍ଠା ଉପରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଶିଳ୍ପର ପ୍ରମୁଖ ଭୂମିକା ରହିଛି। ବୃହତ୍‌ଶିଳ୍ପ ପାଇଁ ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ଅନେକ ସମସ୍ୟା ଦେଖା ଦେଉଥିବାବେଳେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ଅପେକ୍ଷାକୃତ ସହଜ ଓ ସରଳ।

ଏହି ଶିଳ୍ପ ଅନେକ ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରଦାନ ସହ ସେମାନଙ୍କୁ ନିଜ ଅଞ୍ଚଳରେ ଆତ୍ମନିର୍ଭର ହେବାର ବାଟ ଦେଖାଇବ। ତେଣୁ ଶିଳ୍ପ ଅନୁନ୍ନତ ଜିଲ୍ଲାଗୁଡ଼ିକରେ ଅଧିକରୁ ଅଧିକ ଏମ୍‌ଏସ୍‌ଏମ୍‌ଇ ଶିଳ୍ପ ପ୍ରତିଷ୍ଠା କରି ଲୋକଙ୍କୁ ଆତ୍ମନିର୍ଭରଶୀଳ କରାଇବା ଉପରେ ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହ (ରାଷ୍ଟ୍ର) ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମତବ୍ୟକ୍ତ କରିଛନ୍ତି।

ବିଭାଗ ପକ୍ଷରୁ ଭର୍ଚୁଆଲ ଯୋଗେ ଅନୁଷ୍ଠିତ ୫-‘ଟି’ ବୈଠକରେ ଯୋଗଦେଇ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର କହିଲେ ଯେ ଏବେ ହୋଇଥିବା ପ୍ରତ୍ୟେକ ଯୋଜନାର ସୁଫଳ ଯେପରି ସାଧାରଣ ଲୋକେ ପାଇପାରିବେ ତାହା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ପ୍ରଧାନ ଆଭିମୁଖ୍ୟ। ତେଣୁ ଲୋକଙ୍କ ଆସ୍ଥାଭାଜନ ହେବା ଭଳି ଯୋଜନା ପ୍ରଣୟନ ସହ ବିଭିନ୍ନ ବିଭାଗ ସହିତ ଯୋଗସୂତ୍ରରେ ରହି ରାଜ୍ୟରେ ଅଧିକ ଏମ୍‌ଏସ୍‌ଏମ୍‌ଇ ଶିଳ୍ପ ପ୍ରତିଷ୍ଠା ପାଇଁ ନୂଆ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତି ନେଇ ମନ୍ତ୍ରୀ ବିଭାଗୀୟ ଅଧୀକାରୀଙ୍କୁ ପରାମର୍ଶ ଦେଇଥିଲେ।

ସେହିପରି ‘ମୋ ସରକାର’ ରେ କିପରି ଲୋକଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆଯିବ ସେଥିନେଇ ସମସ୍ତ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟ କରିବା ଆବଶ୍ୟକ ବୋଲି ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରାଙ୍କ ସମେତ ଅତିରିକ୍ତ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

କେବଳ ଜନସାଧାରଣଙ୍କ ସନ୍ତୋଷ ନୁହେଁ, ନିରନ୍ତର ଉତ୍ତମ ସେବା ହେଉଛି ଆମର ଲକ୍ଷ୍ୟ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: କେବଳ ଜନସାଧାରଣଙ୍କ ସନ୍ତୋଷ ନୁହେଁ, ନିରନ୍ତର ଉତ୍ତମ ସେବା ହେଉଛି ଆମର ଲକ୍ଷ୍ୟ। ତେଣୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଆମ ସମସ୍ତଙ୍କୁ କ୍ରମାଗତ ଭାବରେ ପରିବର୍ତ୍ତନ କରିବାକୁ ହେବ। ଆଜି ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନିକ ଅଧିକାରୀ ମାନଙ୍କୁ ଏହି ବାର୍ତ୍ତା ପ୍ରଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର କାର୍ଯ୍ୟକ୍ରମ ଦୁଇ ବର୍ଷ ଧରି ଆରମ୍ଭ ହୋଇଛି। ପ୍ରଶାସନିକ ସ୍ତରରେ ସରକାରଙ୍କ ଏହି ରୂପାନ୍ତର ଉଦ୍ୟମ ଜନସାଧାରଣଙ୍କ ମଧ୍ୟରେ ସରକାରଙ୍କ ସପକ୍ଷରେ ବିଶ୍ବାସ ସୃଷ୍ଟି କରିପାରିଛି। ଏହି ପ୍ରକ୍ରିୟା ବର୍ତ୍ତମାନ ରାଜ୍ୟ ସରକାରଙ୍କ ବିଭିନ୍ନ ପଦାଧିକାରୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ ବ୍ୟବହାରିକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛି।

ସରକାରୀ ଅଧିକାରୀଙ୍କ ମଧ୍ୟରେ ବୃତ୍ତିଗତ ବ୍ୟବହାର ଆଣିବା ପାଇଁ ରାଜ୍ୟ ସରକାରଙ୍କ କ୍ରମାଗତ ଉଦ୍ୟମ ସଫଳ ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ଖୁସିବ୍ୟକ୍ତ କରିଥିଲେ। ସରକାରୀ ଅଧିକାରୀମାନେ ଏବେ ଜନସାଧାରଣଙ୍କ ସହିତ ଅଧିକ ଦାୟିତ୍ବସମ୍ପନ୍ନ ତଥା ସହୃଦୟତାର ସହ ବ୍ୟବହାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୋ ସରକାରରୁ ମିଳିଥିବା ଫିଡ୍‌ବ୍ୟାକ୍‌ ଅନୁଯାୟୀ ସରକାରଙ୍କ ଅନେକ ବିଭାଗ ଭଲ ପ୍ରଦର୍ଶନ କରିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ସନ୍ତୋଷ ପ୍ରକାଶ କରିଥିଲେ।

ରାଜ୍ୟ ସରକାରଙ୍କ ସବୁ କାର୍ଯ୍ୟକ୍ରମ ଓ ସେବା ମୋ ସରକାର କାର୍ଯ୍ୟକ୍ରମର ଲକ୍ଷ୍ୟ ଅନୁଯାୟୀ ଯେପରି ସର୍ବୋତ୍ତମ ଭାବେ କାର୍ଯ୍ୟ କରିବ, ସେଥିପାଇଁ ଧ୍ୟାନ ଦେବା ପାଇଁ ସମୟ ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିପାଇଁ ନାଗରିକ ମାନଙ୍କ ଡାଟାବେସ୍‌କୁ ସବୁ ସମୟରେ ନବୀକୃତ କରିବା ଜରୁରୀ ବୋଲି ସେ କହିଥିଲେ। ଏହା ଆମର ଦୁର୍ନୀତି ପ୍ରତି ଶୂନ୍ୟ ସହିଷ୍ଣୁତା ନୀତିକୁ ସୁନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବୈଠକରୁ ଜଣାଯାଇଛି ଯେ ମୋ ସରକାର କାର୍ଯ୍ୟକ୍ରମରେ ୨୮ଟି ବିଭାଗର ୨୨୨ଟି ସେବା ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଏ ସଂପର୍କରେ ଲୋକମାନଙ୍କ ପାଖରୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ନିୟମିତ ତଥ୍ୟ ସଂଗ୍ରହ କରାଯାଇଛି।

ଆଜିର ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସ୍ବରଷ୍ଟ୍ର ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ଏବଂ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଉପସ୍ଥାପନା ଜରିଆରେ ସେମାନଙ୍କ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମର କାର୍ଯ୍ୟକାରୀତା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ଏହି ବିଭାଗର ସମୂହର ସେବା ପାଇଁ ମୋଟାମୋଟି ଭାବରେ ସନ୍ତୋଷଜନକ ପ୍ରତିକ୍ରିୟା ମିଳିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଆହୁରି ଅଧିକ ନିଷ୍ଠାର ସହ ସେବା ଯୋଗାଇ ଦେବାପାଇଁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଉପସ୍ଥାପିତ ତଥ୍ୟର ଅନୁଶୀଳନ କରି ଏହି କାର୍ଯ୍ୟକ୍ରମର କିପରି ଅଧିକ ଉନ୍ନତି ଆସିପାରିବ, ସେ ସଂପର୍କରେ ମତାମତ ରଖିଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୋଲିସ ମହାନିର୍ଦ୍ଦେଶକ ଅଭୟ, ଉନ୍ନୟନ କମିଶନର ପି.କେ. ଜେନା ଏବଂ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ।

ଇଲେକ୍ଟ୍ରୋନିକ୍‌ସ ଓ ଆଇଟି ବିଭାଗର ସଚିବ ଶ୍ରୀ ମନୋଜ ମିଶ୍ର ମୋ ସରକାର କାର୍ଯ୍ୟକ୍ରମ ସଂପର୍କରେ ଏକ ସାମଗ୍ରୀକ ଉପସ୍ଥାପନା ପ୍ରଦାନ କରିଥିଲେ।

Categories
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲା ପୋଲିସ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି ଧର୍ମଗଡ଼ ଥାନା ଅନ୍ତର୍ଗତ ବଗାଡ ପଞ୍ଚାୟତ ଅଫିସ୍ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, ଧର୍ମଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା, ଧର୍ମଗଡ଼ ଥାନା ଅଧିକାରୀ ସତ୍ୟନାରାୟଣ ପ୍ରଧାନ ସମେତ ସ୍ଵେଚ୍ଛାସେବୀ ସଂଗଠନ ଏସ ଏ କେ, ସ୍ଥାନୀୟ ବଗାଡ ପଞ୍ଚାୟତର ସରପଞ୍ଚ ଏବଂ ପି ଇ ଓ ତଥା ଅନ୍ୟ ତିନି ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ ଓ ଶିବିରରେ କୋଭିଡ-୧୯ କଟକଣା ଦୃଷ୍ଟିରୁ ସାମାଜିକ ଦୂରତା ବଜାୟ ରଖାଯାଇ ଥିଲା।

ଏହି ରକ୍ତଦାନ ଶିବିରରେ ୩୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରରେ ଏସଏକେ ର ଜିଲ୍ଲା ଉପ ସଭାପତି ମହେଶ୍ୱର ସୁନାନି, ଜୀବନବିନ୍ଦୁ ସଂଗଠନର ବିବେକ ମିଶ୍ର, ବଗାଡ ପଞ୍ଚାୟତ ପି ଇ ଓ ରଶ୍ମିତା ଦାସ, ବଗାଡ ପଞ୍ଚାୟତର ସରପଞ୍ଚ ପ୍ରମିଳା ମାଝୀ, ବଡ଼ଫୁର୍ଲା ପଞ୍ଚାୟତର ସରପଞ୍ଚ ବନିତା ପାଲ, ନନ୍ଦଗାଁ ପଞ୍ଚାୟତର ସରପଞ୍ଚ ବିରଞ୍ଚି ବନିଆ, ବୋଡ଼େନ ପଞ୍ଚାୟତର ସରପଞ୍ଚ ହରିପ୍ରିୟା ନାଏକ ସମେତ ଧର୍ମଗଡ଼ ରକ୍ତ ଭଣ୍ଡାର କର୍ମଚାରୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଶିବିରରେ ଉପରୋକ୍ତ ସଂଗଠନର ସ୍ଵେଚ୍ଛାସେବୀ ତଥା ଧର୍ମଗଡ଼ ଥାନା ଅଞ୍ଚଳର ଉକ୍ତ ପାଞ୍ଚଟି ପଞ୍ଚାୟତର ବାସିନ୍ଦା ମାନେ ଯୋଗଦେଇ ରକ୍ତଦାନ କରିଥିଲେ।

Categories
ଆଜିର ଖବର

‘ମୋ ସରକାର’ ଟିମ୍‌ର ରିପୋର୍ଟ ଆଧାରରେ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୭/୧୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇବା ଉଦ୍ଦେଶ୍ୟରେ ଆରମ୍ଭ କରିଛନ୍ତି ‘ମୋ ସରକାର’। ମୋ ସରକାର କାର୍ଯ୍ୟକ୍ରମକୁ ଅଧିକ ଦକ୍ଷ ଓ ଉତ୍ତରଦାୟୀ କରିବା ପାଇଁ କେତେକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ବରିଷ୍ଠ ଅଧିକାରୀମାନେ ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା, ବଲାଙ୍ଗୀର ଓ ସୋନପୁର ଜିଲ୍ଲା ଗ୍ରସ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ମୋ ସରକାର ଟିମ୍‌ର ଗସ୍ତ ପରେ ରୋଗୀମାନଙ୍କ ଫିଡ୍‌ବ୍ୟାକ୍‌ ଓ ଡାକ୍ତରମାନଙ୍କ ସହ ଆଲୋଚନାକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାକେଜ ଘୋଷଣା କରିଛନ୍ତି। ୬ଟି ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।

ଏହି ନିଷ୍ପତ୍ତି ଅନୁଯାୟୀ ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା ଓ ସୋନପୁର ଜିଲ୍ଲାର ସଦର ମହକୁମା ଚିକିତ୍ସାଳୟ ଓ ବଲାଙ୍ଗିର ସନ୍ଥ ଭୀମଭୋଇ ମେଡ଼ିକାଲ କଲେଜର ୬ଟି ରୋଗୀ କଲ୍ୟାଣ ସମିତିକୁ ପ୍ରତ୍ୟେକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ସହାୟତା ଦିଆଯିବା ଏହି ୬ଟି ଜିଲ୍ଲାର ପୋଲିସ୍‌ ଏସ୍‌.ପି. ମାନଙ୍କୁ ରକ୍ତଦାନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏ ସହାୟତା ଦିଆଯିବ ଏହିସବୁ ଜିଲ୍ଲାର ହସ୍ପିଟାଲ୍‌ମାନଙ୍କରେ ରୋଗୀମାନଙ୍କ ଆଟେଣ୍ଡାଣ୍ଟମାନଙ୍କ ପାଇ ବିଶ୍ରାମଗୃହ ନିର୍ମାଣ କରାଯିବ।

ସମ୍ବଲପୁର ଜିଲ୍ଲା ହସ୍ପିଟାଲରେ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ ୫୦ଟି ଅତିରିକ୍ତ ଶଯ୍ୟା ସହିତ କାଜୁଆଲିଟି ଓ ବର୍ହିବିଭାଗ ଚିକିତ୍ସା ବିଲ୍‌ଡିଂ ନିର୍ମାଣ କରାଯିବ। ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ମା ଗୃହ ପାଇଁ ନୂତନ ବିଲ୍‌ଡିଂ ନିର୍ମାଣ କରାଯିବ। ସେହିପରି ସଦର ମହକୁମା ହସ୍ପିଟାଲରେ ରୋଗୀ ପରୀକ୍ଷା ପାଇଁ ସମନ୍ବିତ ଲାବରେଟୋରୀର ଉନ୍ନତିକରଣ କରାଯିବ ଏବଂ ଡାୟେଲସିସି ୟୁନିଟ୍‌ ଓ ଆଇସିୟୁ ପ୍ରତିଷ୍ଠା କରାଯିବ। ସମ୍ବଲପୁର ଜିଲ୍ଲା ହସ୍ପିଟାଲକୁ ସ୍ବତନ୍ତ୍ର ଚିକିତ୍ସା ପାଇଃ ବୁର୍ଲାସ୍ଥିତ ଭୀମସାରର ଏକ ସାଟେଲାଇଟ୍‌ ସେଣ୍ଟର ଭାବେ ବିକଶିତ କରାଯିବ।

ଦେବଗଡ ଜିଲ୍ଲା ସଦର ମହାକୁମା ହସ୍ପିଟାଲର ଶଯ୍ୟା ସଂଖ୍ୟା ୬୦ରୁ ୨୦୦କୁ ବୃଦ୍ଧି କରାଯିବ। ସେହିପରି ଅନୁଗୁଳ ଜିଲ୍ଲା ସଦର ମହକୁମା ହସ୍‌ପିଟାଲର ଶର୍ଯ୍ୟା ସଂଖ୍ୟା ୧୯୨ରୁ ୩୦୦କୁ ବୃଦ୍ଧି କରାଯିବା ସହିତ ଏଥିପାଇଁ ସେହି କ୍ୟାମ୍ପସ୍‌ ମଧ୍ୟରେ ଏକ ନୂଆ ବିଲ୍ଡିଂ ମଧ୍ୟ ନିର୍ମାଣ କରାଯିବ। ଡାଏଲସିସି ୟୁନିଟି ସମ୍ପ୍ରସାରଣ ସହ ଅତିରିକ୍ତ ଇସିଜି ମେସିନ୍‌ ଯୋଗାଇଦିଆଯିବ।

କେନ୍ଦ୍ରାପଡ଼ା ହସ୍ପିଟାଲର ଶଯ୍ୟା ସଂଖ୍ୟା ୧୭୫ରୁ ୨୦୦କୁ ବୃଦ୍ଧି କରାଯିବ। କର୍ମଚାରୀ ବାସଗୃହ, ଆଧୁନିକ ଓପିଡି ଓ ଆଇସିୟୁ ସ୍ଥାପନ କରାଯିବ। ସୋନପୁର ଜିଲ୍‌ଲା ସଦର ମହକୁମା ହସ୍ପିଟାଲରେ ୨୦୦ ଶଯ୍ୟା ବିଶିଷ୍ଟ ନୂଆ ୭ ମହଲା ବିଲିଡିଂ ନିର୍ମାଣ ଏକ ମାସ ମଧ୍ୟରେ ଆରମ୍ଭ କରାଯିବର୍ର୍ ସେହିପରି ବଲାଙ୍ଗୀର ସନ୍ଥ ଭୀମଭୋଇ ମେଡ଼ିକାଲ କଲେଜର ଶିକ୍ଷାଦାନ ଓ ହସ୍ପିଟାଲ ନିର୍ମାଣ ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ। ମେଡ଼ିକାଲରେ ଏକ ଶବଗୃହ ମଧ୍ୟ ପ୍ରତିଷ୍ଠା କରାଯିବ। (ଏଜେନ୍ସି)

Categories
ବିଶେଷ ଖବର

ଓଡିଶା ଶାସନରେ ‘ଫାଇଭ-ଟି’ ଓ ‘ୱାନ-ପି’ ର ପ୍ରଭାବ; ଅନେକ କିଛି ବଦଳୁଛି, ଆହୁରି ଅନେକ ବଦଳିବା ବାକି ଅଛି 

ସମୀକ୍ଷା ବ୍ୟୁରୋ

ପ୍ରଥମେ ଯେତେବେଳେ ଓଡିଶା ସରକାର “ଫାଇଭ ଟି” ନାମରେ ଏକ ବିଭାଗ ସୃଷ୍ଟି କଲେ, ତାକୁ ନେଇ ଅନେକ ସ୍ଵାଭାବିକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ହୁଏତ ରାଜ୍ୟ ସରକାରଙ୍କ ଅନେକ ଫେସନେବଲ ଘୋଷଣା ଭଳି ଇଏ ବି ସେମିତି ଏକ ଯୋଜନା ମନେ ହେଉଥିଲା। ନୂଆ କର୍ପୋରେଟ ଶୈଳୀରେ ଏମିତି ସବୁ ଅକ୍ଷର ଯୋଡି ଯୋଜନା ତିଆରି କରିବା, ବେଳେ ବେଳେ ହାସ୍ୟାସ୍ପଦ ମନେ ହୋଇଥାଏ। ତେବେ ଗତ ୨ ମାସ ଭିତରେ “ଫାଇଭ ଟି” ବିଭାଗର ପ୍ରଭାବ ରାଜ୍ୟ ପ୍ରଶାସନ ଉପରେ ପ୍ରଚ୍ଛନ୍ନ ଭାବରେ ପଡିବା ଆରମ୍ଭ କଲାଣି। ପ୍ରଥମେ କିଛି ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଲେ। ଏହା ଯେ କେବଳ ଆରମ୍ଭ ଥିଲା, ସେକଥା ଏବେ ବୁଝା ପଡୁଛି।

ରାଜ୍ୟ ଶାସନରେ ରହିଥିବା ଅପାରଗ, ଅଳସୁଆ ଓ ଭ୍ରଷ୍ଟାଚାରୀଙ୍କୁ ବିଦା କରିବା ଲାଗି ଏକ ସୁଚିନ୍ତିତ ଯୋଜନା ଇତି ମଧ୍ୟରେ କାର୍ଯ୍ୟକାରୀ କରିବା ଆରମ୍ଭ ହେଲାଣି। ଯେଉଁମାନେ ରାଜ୍ୟ ଶାସନରେ ବୋଝ ହୋଇ ଅଛନ୍ତି ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦେବାର ପ୍ରକ୍ରିୟା ଆରମ୍ଭ ହୋଇଛି। ସେଥିରେ ଜଣେ ଆରଟିଓ, ଦୁଇ ଜଣ ଇଞ୍ଜିନିଅର ଏବଂ ଜଣେ ଡିଏଫଓ ସ୍ତରର ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆ ଯାଇଛି। ଏ ସଂଖ୍ୟା ଆଗାମୀ ଦିନରେ ବଢିବ। ଏହା କେବଳ କ୍ଷେତ୍ରରେ କାମ କରୁଥିବା ଅଧିକାରୀଙ୍କ ପାଇଁ ନୁହଁ, ବରଂ ନୀତି ନିର୍ଦ୍ଧାରଣ ସ୍ତରର ଅଧିକାରୀଙ୍କ ପାଇଁ ମଧ୍ୟ ଲାଗୁ ହୋଇପାରେ। ଇଂରାଜୀରେ ଗୋଟେ କଥା ଅଛି- ଡେଡ ଊଡ୍ସ ମଷ୍ଟ ଗୋ, ଅର୍ଥାତ ଶୁଖିଲା କାଠ ସବୁ ବିଦା ହେବା ଉଚିତ। ଏ ପ୍ରକାର ପଦକ୍ଷେପ ବହୁ ଆଗରୁ ହେବା ଉଚିତ ଥିଲା।

ଫାଇଭ ଟି ସହିତ “ମୋ ସରକାର’ ଯୋଜନାର ସମାବେଶ ପରେ ପ୍ରଶାସନର ତଳ ସ୍ତର ପର୍ଯ୍ୟନ୍ତ ଏହାର ପ୍ରଭାବ ବ୍ୟାପକ ହେଉଛି। ତେବେ ଆରମ୍ଭରୁ ଏହାକୁ ସମାଲୋଚନା ହେବା ମଧ୍ୟ ଜରୁରୀ। ଫାଇଭ ଟି ରେ ସମାଲୋଚନାର ଏକ ପ୍ରମୁଖ ଭୂମିକା ରହିଛି। ସମାଲୋଚନା ନହେଲେ ସରକାରଙ୍କ ଆଖି କାନ ବନ୍ଦ ହୋଇଯିବ। ଫାଇଭ ଟି ର ଏକ ପ୍ରମୁଖ ଦିଗ ଭାବରେ ମୁଖ୍ୟ ଧାରାର ଗଣମାଧ୍ୟମ ଓ ସୋସିଆଲ ମିଡିଆର ଆଲୋଚନାକୁ ମଧ୍ୟ ତର୍ଜମା କରାଯିବା ଉଚିତ। ଗଣମାଧ୍ୟମର ରିପୋର୍ଟ ଓ ସୋସିଆଲ ମିଡିଆରେ ନାଗରିକଙ୍କ ମତ ପ୍ରତି ସରକାର ସବୁବେଳେ ଦୃଷ୍ଟି ଦେବା ଦରକାର। ଅନେକ ସମୟରେ ଶାସନ ବ୍ୟବସ୍ଥାରେ ଅବାଞ୍ଛିତ ପ୍ରତିବନ୍ଧକ ସବୁ ରହିଥାନ୍ତି। ଫାଇଭ ଟି ମାଧ୍ୟମରେ ସେହି ପ୍ରତିବନ୍ଧକ ସବୁକୁ ଚିହ୍ନଟ କରିବା ପ୍ରାଥମିକ ଆବଶ୍ୟକତା ହେବା ଉଚିତ।

ସରକାରୀ ଯୋଜନା ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ନ ପହଞ୍ଚି ପାରିବାର ତିନୋଟି ମୁଖ୍ୟ କାରଣ ରହିଛି।

୧- ଏହାକୁ କାର୍ଯ୍ୟକାରୀ କରାଉଥିବା ଅମଲାତନ୍ତ୍ରର ଅପାରଗତା ଓ ଉଦାସୀନତା।

୨- ସ୍ଥାନୀୟ ସ୍ତରରେ ଅବାଞ୍ଛିତ ରାଜନୈତିକ ହସ୍ତକ୍ଷେପ

୩- ଉପର ସ୍ତରରୁ ଏହାକୁ ସମୀକ୍ଷା କରିବାର ଅନାଗ୍ରହ।

ସରକାରକୁ ଲୋକଙ୍କ ସେବାକାରୀ ଭାବେ ବାସ୍ତବରେ ଉପସ୍ଥାପନ କରିବାକୁ ହେଲେ, ଏଇ ତିନୋଟି ପ୍ରତିବନ୍ଧକ ଦୂର କରିବାକୁ ହେବ। ଯାହାର ପ୍ରଥମ ଉଦ୍ୟମ ଭାବେ ଅପାରଗ ଅଧିକାରୀମାନଙ୍କୁ ବିଦା କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏଥିପାଇଁ ଏକ ସ୍ପଷ୍ଟ ନୀତି ତିଆରି ହେବା ଜରୁରୀ। ଅନେକ ସମୟରେ ଅମଲାତାନ୍ତ୍ରିକ ଷଡଯନ୍ତ୍ରର ଶିକାର ହୋଇ କିଛି ଦକ୍ଷ ଅଧିକାରୀ ମଧ୍ୟ ଏହି ପ୍ରକ୍ରିୟାର ଶିକାର ହୋଇ ପାରନ୍ତି। ଦ୍ଵିତୀୟରେ ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ମାତ୍ରାଧିକ ରାଜନୈତିକ ପ୍ରଭାବକୁ ରୋକିବା ଦରକାର। ଅନେକ ସମୟରେ ଦଳୀୟ ଦୃଷ୍ଟିରୁ ଯୋଜନାକୁ ବାଟବଣା କରା ଯାଇଥାଏ। ଶାସକ ଦଳର ସ୍ଵାର୍ଥ ଅପେକ୍ଷା ନାଗରିକର ସ୍ଵାର୍ଥ ରକ୍ଷା ଉପରେ ଗୁରୁତ୍ଵ ଦେଇ ହବ କି?

ତୃତୀୟ ପ୍ରତିବନ୍ଧକ ବିଷୟରେ ରାଜ୍ୟ ସରକାର ଆଗରୁ ବହୁ ପଦକ୍ଷେପ ନେଇଥିଲେ ମଧ୍ୟ ଏହା ସହଜରେ କାମ କରିନାହିଁ। ଶାସନ ସଚିବମାନେ ଜିଲ୍ଲା କୁ ନିୟମିତ ଯାଇ ସମୀକ୍ଷା କରିବାକୁ ବାରମ୍ବାର ନିର୍ଦ୍ଦେଶ ଦିଅ ଯାଇଥିଲେ ମଧ୍ୟ, ତାର କିଛି ସୁଫଳ ମିଳିନାହିଁ। ଏବେ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ଫାଇଭ ଟି ବିଭାଗର ମୁଖ୍ୟ ଭି.କାର୍ତ୍ତିକେୟନ ପାଣ୍ଡିଆନ ନିଜେ ଏହି ଦାୟିତ୍ଵ ହାତକୁ ନେଇଛନ୍ତି। ରାଜଧାନୀଠୁ ସବୁଠୁ ଦୂରରେ ଥିବା ମାଲକାନଗିରି ଜିଲ୍ଲାରୁ ସେ ତାଙ୍କର ଅଭିଯାନ ଆରମ୍ଭ କରି ସୂଚନା ଦେଇଛନ୍ତି ଯେ, ଉପର ସ୍ତରରୁ ପ୍ରଶାସନ ସବୁବେଳେ ଦୃଷ୍ଟି ରଖିବ। ତେବେ ଏ ପ୍ରକାର ଗସ୍ତ ସରକାରୀ ପରମ୍ପରାରେ ସୀମିତ ନ ରହିଲେ ଭଲ। ଅନେକ ସମୟରେ ଉପରିସ୍ଥ ଅଧିକାରୀଙ୍କ ଗସ୍ତକୁ ରଖି ଅନେକ ଲୋକ ଦେଖାଣିଆ ସଫଳତା ତିଆରି କରିବାରେ ଆମର ଅମଲାତନ୍ତ୍ରର ପୁରୁଣା ଅଭ୍ୟାସ ରହିଛି। ପାଣ୍ଡିଆନ ନିଜେ ଗସ୍ତ କଲାବେଳେ ଲୋକଙ୍କ କଥା ଶୁଣିବା ସବୁଠୁ ବଡ ଆବଶ୍ୟକତା।

ଏହି ଯୋଜନାରେ ଫାଇଭ ଟି ଅପେକ୍ଷା “ୱାନ୍ ପି” ଙ୍କ ପ୍ରଭାବ ଉପରେ ସବୁକିଛି ନିର୍ଭର କରୁଛି। ପୂର୍ବରୁ ମୟୂରଭଞ୍ଜ ଓ ଗଞ୍ଜାମ ଜିଲାପାଳ ଥିବା ସମୟରେ ପାଣ୍ଡିଆନ ଲୋକଙ୍କ ସହିତ ମିଶି କାମ କରିବାର ଅଭିଜ୍ଞତା ପାଇଛନ୍ତି। ଫାଇଭ-ଟି କୁ କାର୍ଯ୍ୟକାରୀ କରାଇବାରେ ସେଇ ଅଭିଜ୍ଞତା ଏବେ କାମରେ ଲାଗିବ ବୋଲି ଆମେ ଆଶା କରିବା। ତେବେ ଟେକ୍ନୋଲୋଜି ର ପ୍ରୟୋଗ ମାଧ୍ୟମରେ ପ୍ରତି ପଞ୍ଚାୟତର ଡାଟା ବେସ ପ୍ରସ୍ତୁତ କରି ତାର ନିରନ୍ତର ସମୀକ୍ଷା କରିବାର ପ୍ରକ୍ରିୟା ରାଜ୍ୟ ପ୍ରଶାସନରେ ନୂଆ ପରିବର୍ତ୍ତନର  ସମ୍ଭାବନା ଆଣିପାରିବ।

ତେବେ ଏହା କେବଳ ଆରମ୍ଭ ମାତ୍ର। ଏବେ ଅଳ୍ପ କିଛି ବଦଳିଛି, ପ୍ରଶାସନର ଚେହେରା ଓ ଚରିତ୍ର ଅଧିକ ବଦଳିବା ଜରୁରୀ ବୋଲି ଆମେ ଆଶା ରଖୁଛୁ।

ପଢନ୍ତୁ-“ମୋ ସରକାର” ଯୋଜନାରେ ସ୍ପଷ୍ଟ ହୋଇ ଯାଇଛି ବିଜେଡି ସରକାରର ଅସଲ ଡୋରି ପାଣ୍ଡିଆନଙ୍କ ହାତରେ

Categories
ବିଶେଷ ଖବର

ନମସ୍କାର ମୁଁ ନବୀନ ପଟ୍ଟନାୟକ କହୁଛି, ଆପଣଙ୍କୁ ପୋଲିସ କିଛି ଅସୁବିଧା କରିଛି କି ? ଲୋକଙ୍କୁ ପଚାରିଲେ ମୁଖ୍ୟମନ୍ତ୍ରୀ

ସମୀକ୍ଷା ବ୍ୟୁରୋ

ଅପେକ୍ଷା କରନ୍ତୁ। ଆପଣଙ୍କ ପାଖକୁ ହଠାତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ କଲ ଆସିବ। ଆଉ ସେ ଆପଣଙ୍କୁ ପଚାରିବେ ଯେ, ଆପଣ ଥାନାକୁ ଯାଇଥିଲେ, ସେଠାରେ ଥାନାବାବୁ ଆପଣଙ୍କୁ ସାହାର୍ଯ୍ୟ କଲେ ନା ନାହିଁ। ହୁଏତ ଆପଣଙ୍କୁ ପଚାରିପାରନ୍ତି, ଆପଣ ହସପିଟାଲ ଯାଇଥିଲେ ଡାକ୍ତର ଠିକରେ ଚିକିତ୍ସା କଲେ ନା ନାହିଁ। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ ଆଜି ଗାନ୍ଧି ଜୟନ୍ତିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଆରମ୍ଭ କରିଛନ୍ତି “ମୋ ସରକାର” ଯୋଜନା। ଆଉ ଏହି ଯୋଜନା ମାଧ୍ୟମରେ ଲୋକଙ୍କୁ ସରକାରଙ୍କ ମୁଖିଆ ସବୁବେଳେ ଆପଣଙ୍କୁ ଫୋନ କରି ଭଲମନ୍ଦ ପଚାରି ବୁଝିବେ। ଉଦଘାଟନ ଅବସରରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଆଠଜଣ ବ୍ୟକ୍ତିଙ୍କୁ ଫୋନ କରି ସେମାନଙ୍କୁ ସରକାରୀ ଅଧିକାରୀମାନେ ଠିକରେ ସେବା ଯୋଗାଇଛନ୍ତି କି ନାହିଁ ପଚାରି ବୁଝିଛନ୍ତି।

ମୋ ସରକାର ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଅଭିନବ ଯୋଜନା କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଏହି ଯୋଜନା ମାଧ୍ୟମରେ ବିଭାଗୀୟ ମୁଖ୍ୟ ତାଙ୍କ ବିଭାଗର ଅଫିସର ଠିକରେ ସେବା ଦେଇଛନ୍ତି କି ନାହିଁ ପଚାରି ବୁଝିବେ। ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ହସପିଟାଲ ଏବଂ ଥାନାଗୁଡିକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ଉଦଘାଟନ ଅବସରରେ ପ୍ରଥମେ ସହିଦନଗର ଥାନାକୁ ଯାଇ ସେଠାରେ ସେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଏହାପରେ ସେ କ୍ୟାପିଟାଲ ହସପିଟାଲ ଯାଇ ସେଠାରେ ମଧ୍ୟ ହସପିଟାଲରେ ମୋ ସରକାର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ପରେ ଡାଟାବେସରେ ଥିବା ଫୋନରୁ ମୁଖ୍ୟମନ୍ତ୍ରୀ ମନଇଚ୍ଛା ଆଠଟି ନମ୍ବର ଆଣି ନବୀନ ନିବାସରୁ ଫୋନ କରିଥିଲେ।

ଏହି ଯୋଜନା ମାଧ୍ୟମରେ ଯେଉଁମାନେ ସରକାରୀ ଅଫିସକୁ ଆସିବେ ସେମାନଙ୍କ ଫୋନ ନମ୍ବର ରଖାଯାଇ ତାଲିକାଭୁକ୍ତ କରାଯିବ। ତାଲିକାଭୁକ୍ତ ହେଲା ବୋଲି ସଂପୃକ୍ତ ବ୍ୟକ୍ତିଙ୍କ ପାଖକୁ ଏକ ମେସେଜ ଯିବ। ଯଦି କୌଣସି କାରଣରୁ ମେସଜ ନ ଗଲା ତେବେ ସେମାନେ 14545 ନମ୍ବରକୁ ମିସ୍ କଲ କଲେ ସେମାନଙ୍କ ନାମ ରେଜେଷ୍ଟ୍ରିଭୁକ୍ତ ହେବ। ଏଥିପାଇଁ ମୋ ସରକାର ଯୋଜନାରେ ଏକ ଡାଟାବେସ କରାଯାଇଛି। ଏହି ଡାଟାବେସ ନମ୍ବରରୁ ପୋଲିସ ଡିଜି, ମନ୍ତ୍ରୀ, ସଚିବ କିମ୍ବା ଜିଲ୍ଲା ଅଧିକାରୀ ମନଇଚ୍ଛା ନମ୍ବର ବାହାର କରି ଲୋକଙ୍କୁ ଫୋନ କରିବେ। ସେମାନଙ୍କ କର୍ମଚାରୀମାନେ ଠିକ୍ ବ୍ୟବହାର କରିଛନ୍ତି କି ନାହିଁ ପଚାରି ବୁଝିବେ।

ବର୍ତ୍ତମାନ ପୋଲିସ ଓ ଡାକ୍ତରଖାନା ଦୁଇଟି ସେବାକୁ ଏହି ଯୋଜନାରେ ନିଆଯାଇଛି। 2020 ମସିହା ସୁଦ୍ଧା ସରକାରଙ୍କ ସମସ୍ତ ବିଭାଗକୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ନିଷ୍ପତି କରାଯାଇଛି। ତେବେ ଏହି ଫୋନ କଲରୁ ଯଦି କୌଣସି ଅଧିକାରୀ ଠିକରେ କାମ କରି ନାହିଁନ୍ତି ବୋଲି ଅଭିଯୋଗ ଆସେ ତେବେ ତାଙ୍କ ଉପରେ ବିଭାଗୀୟ ପଦକ୍ଷେପ ନିଆଯିବ। ସେମାନଙ୍କ ପ୍ରମୋଶନ ମଧ୍ୟ ସ୍ଥଗିତ କରାଯାଇପାରିବ। ଫଳରେ ବର୍ତ୍ତମାନ ପୋଲିସ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲ୍ଲା ଅଧିକାରୀ ପର୍ଯ୍ୟନ୍ତଙ୍କ ସମସ୍ତଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଗଲାଣି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି “ମୋ ସରକାର” ଯୋଜନା ହେଉଛି ଦେଶର ଏକ ଅଭିନବ ଯୋଜନା। ଯେଉଁଥିରେ ସରକାରଙ୍କ ସହିତ ସାଧାରଣ ଜନତା କିପରି ଯୋଡି ହେବେ ତାହା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ। ଅନ୍ୟପକ୍ଷରେ ସାଧାରଣ ଲୋକଟିଏ ଯେପରି ସରକାରୀ ସେବାରୁ ବଞ୍ଚିତ ନ ହୁଏ ସେଥିପାଇଁ ଏହି ଯୋଜନାର ରୂପରେଖ ମୁଖ୍ୟମନ୍ତ୍ରୀ ଖୋଦ ତିଆରି କରିଛନ୍ତି।