Categories
ଆଜିର ଖବର ଜାତୀୟ ଖବର

ଆଜି ଏନପିଏସ ବାତ୍ସଲ୍ୟ ଯୋଜନାର ଶୁଭାରମ୍ଭ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ ୨୦୨୪-୨୫ରେ ଘୋଷଣା ଅନୁଯାୟୀ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ଏନପିଏସ ବାତ୍ସଲ୍ୟ ଯୋଜନାର ଶୁଭାରମ୍ଭ କରିବେ। ଏଥିରେ ସ୍କୁଲ ପିଲାମାନେ ମଧ୍ୟ ସାମିଲ ହେବେ।

କେନ୍ଦ୍ର ଅର୍ଥମନ୍ତ୍ରୀ ଏନପିଏସ ବାତ୍ସଲ୍ୟକୁ ସବସ୍କ୍ରାଇବ୍‌ ବା ଗ୍ରାହକ ପଞ୍ଜୀକରଣ, ଯୋଜନା ପ୍ରଚାର ପୁସ୍ତିକା ଜାରି କରିବା ଏବଂ ନୂତନ ଅପ୍ରାପ୍ତ ବୟସ୍କ ଗ୍ରାହକଙ୍କୁ ସ୍ଥାୟୀ ଅବସର ଖାତା ନମ୍ବର (ପ୍ରାନ୍‌) କାର୍ଡ ବଣ୍ଟନ ପାଇଁ ଏକ ଅନଲାଇନ୍ ପ୍ଲାଟଫର୍ମର ଶୁଭାରମ୍ଭ କରିବେ।

ନୂଆଦିଲ୍ଲୀରେ ଏହାର ଶୁଭାରମ୍ଭ ଅବସରରେ ଦେଶର ପ୍ରାୟ ୭୫ଟି ସ୍ଥାନରେ ଏକକାଳୀନ ଏନପିଏସ୍ ବାତ୍ସଲ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଭିଡିଓ କନଫରେନ୍ସିଂ ଜରିଆରେ ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ ଏବଂ ସେହିସବୁ ସ୍ଥାନରେ ନୂତନ ଅପ୍ରାପ୍ତ ବୟସ୍କ ଉପଭୋକ୍ତାଙ୍କୁ ପ୍ରାନ୍‌ ସଦସ୍ୟତା ବିତରଣ କରାଯିବ।

ଏନପିଏସ ବାତ୍ସଲ୍ୟ ଦ୍ୱାରା ଅଭିଭାବକମାନେ ପେନସନ ଆକାଉଣ୍ଟରେ ନିବେଶ କରି ନିଜ ପିଲାଙ୍କ ଭବିଷ୍ୟତ ପାଇଁ ସଞ୍ଚୟ କରିପାରିବେ ଏବଂ ଚକ୍ରବୃଦ୍ଧି ସୁବିଧା ସହିତ ଦୀର୍ଘମିଆଦୀ ସମ୍ପତ୍ତି ସୁନିଶ୍ଚିତ କରିପାରିବେ। ଏନପିଏସ ବାତ୍ସଲ୍ୟ ନମନୀୟ ବିନିଯୋଗ ଏବଂ ନିବେଶ ବିକଳ୍ପ ପ୍ରଦାନ କରିଥାଏ, ଯାହା ପିତାମାତାଙ୍କୁ ପିଲାଙ୍କ ନାମରେ ବାର୍ଷିକ ୧,୦୦୦ ଟଙ୍କା ନିବେଶ କରିବାକୁ ଅନୁମତି ଦେଇଥାଏ, ଫଳରେ ଏହା ସମସ୍ତ ଆର୍ଥିକ ପୃଷ୍ଠଭୂମିର ପରିବାର ପାଇଁ ଉପଲବ୍ଧ ହୋଇଥାଏ।

ପିଲାଙ୍କ ଆର୍ଥିକ ଭବିଷ୍ୟତ ସୁରକ୍ଷିତ କରିବା ଦିଗରେ ଏହି ନୂତନ ପଦକ୍ଷେପ ଶୀଘ୍ର ଆରମ୍ଭ କରିବା ପାଇଁ ପ୍ରସ୍ତୁତ କରାଯାଇଛି, ଯାହା ଭାରତର ପେନସନ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପେନସନ ପାଣ୍ଠି ନିୟାମକ ଏବଂ ଉନ୍ନୟନ କର୍ତ୍ତୃପକ୍ଷ (ପିଏଫଆରଡିଏ) ଅଧୀନରେ ଏହି ଯୋଜନା ପରିଚାଳିତ ହେବ।

ଏନ୍‌ପିଏସ୍ ବାତ୍ସଲ୍ୟର ଶୁଭାରମ୍ଭ ସମସ୍ତଙ୍କ ପାଇଁ ଦୀର୍ଘମିଆଦୀ ଆର୍ଥିକ ଯୋଜନା ଏବଂ ନିରାପତ୍ତାକୁ ପ୍ରୋତ୍ସାହିତ କରିବା ଲାଗି ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଭାରତର ଭବିଷ୍ୟତ ପିଢ଼ିକୁ ଆର୍ଥିକ ଦୃଷ୍ଟିରୁ ଅଧିକ ସୁରକ୍ଷିତ ଓ ସ୍ୱାଧୀନ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ କେନ୍ଦ୍ର ବଜେଟକୁ ନେଇ ଆଲୋଚନାଚକ୍ର ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ଠାରେ କେନ୍ଦ୍ର ବଜେଟକୁ ନେଇ ସୋମବାର ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି।

ଦୈନିକ ଇଂରାଜୀ ସମ୍ବାଦପତ୍ର ବିଜନେସ୍ ଷ୍ଟାଣ୍ଡାର୍ଡ ଓ ଆଇବିସିଏସ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନ୍‌ଗୋ, ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ କିଶୋର ମହାପାତ୍ର, ନାଇଜର ଭୁବନେଶ୍ୱରର ଅର୍ଥ ବିଭାଗର ରିଡର୍ ଡକ୍ଟର ଅମରେନ୍ଦ୍ର ଦାସ ଏବଂ ଫିନ୍‌ଷ୍ଟ୍ରାଟେଜି କନ୍‌ସଲଟାନ୍ସିର ସିଇଓ ତଥା ମ୍ୟାନେଜିଂ ଡାଇରେକ୍ଟର ଓମ୍ ମହାପାତ୍ର ଯୋଗ ଦେଇ ଚଳିତ ବଜେଟର ବିଭିନ୍ନ ଦିଗକୁ ନେଇ ଆଲୋଚନା କରିଥିଲେ।

ଚଳିତ ବଜେଟର ଗୁଣବତା, ମଧ୍ୟବର୍ଗଙ୍କ ନିମନ୍ତେ ସୁବିଧା, ବଜେଟର ଅର୍ଥ ବ୍ୟବସ୍ଥା ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ପ୍ରଭାବକୁ ନେଇ ଏହି ବିଶେଷଜ୍ଞମାନେ ଆଲୋଚନା କରିଥିଲେ।

ଆଲୋଚନାଚକ୍ରରେ ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ ସାମନ୍ତରାୟ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ଅର୍ଥ ବିଭାଗର ପ୍ରଫେସର ପି.କେ. ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବିଜନେସ୍ ଷ୍ଟାଣ୍ଡାର୍ଡ ପକ୍ଷରୁ ମନୋଜ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।