Categories
ଆଜିର ଖବର ଜାତୀୟ ଖବର

ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ୨୦୩୧-୩୨ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୧୨୪୬୧ କୋଟିର ବ୍ୟୟବରାଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମୋଟ ୧୨୪୬୧ କୋଟି ଟଙ୍କା ବ୍ୟୟ ଅଟକଳରେ ଜଳ ବିଦ୍ୟୁତ ପ୍ରକଳ୍ପ (ଏଚଇପି) ପାଇଁ ସକ୍ଷମ ଭିତ୍ତିଭୂମି (ଏଚଇପି)ର ଖର୍ଚ୍ଚ ପାଇଁ ବଜେଟ୍ ସହାୟତା ଯୋଜନାରେ ସଂଶୋଧନ ପାଇଁ ଶକ୍ତି ମନ୍ତ୍ରଣାଳୟର ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ଯୋଜନା ୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୩୧-୩୨ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।

ଜଳ ବିଦ୍ୟୁତ୍ ବିକାଶରେ ବାଧା ସୃଷ୍ଟି କରୁଥିବା ସମସ୍ୟା ଯଥା ଦୁର୍ଗମ ସ୍ଥାନ, ପାହାଡ଼ିଆ ଅଞ୍ଚଳ, ଭିତ୍ତିଭୂମିର ଅଭାବ ଇତ୍ୟାଦିର ସମାଧାନ ପାଇଁ ଭାରତ ସରକାର ଅନେକ ନୀତିଗତ ପଦକ୍ଷେପ ନେଉଛନ୍ତି। ଜଳ ବିଦ୍ୟୁତ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଏବଂ ଏହାକୁ ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ କ୍ୟାବିନେଟ୍ ମାର୍ଚ୍ଚ, ୨୦୧୯ରେ ବୃହତ୍ ଜଳ ବିଦ୍ୟୁତ ପ୍ରକଳ୍ପଗୁଡ଼ିକୁ ଅକ୍ଷୟ ଶକ୍ତି ଉତ୍ସ ଭାବରେ ଘୋଷଣା କରିବା, ଜଳ ବିଦ୍ୟୁତ କ୍ରୟ ବାଧ୍ୟତାମୂଳକତା (ଏଚପିଓ), ଶୁଳ୍କ ବୃଦ୍ଧି ମାଧ୍ୟମରେ ଶୁଳ୍କ ଯୁକ୍ତିଯୁକ୍ତ ପଦକ୍ଷେପ, ଷ୍ଟୋରେଜ୍ ଏଚ୍ଇପିରେ ବନ୍ୟା ପରିଚାଳନା ପାଇଁ ବଜେଟ୍ ସହାୟତା ଏବଂ ରାସ୍ତା ଓ ପୋଲ ନିର୍ମାଣ ଭଳି ସକ୍ଷମ ଭିତ୍ତିଭୂମି ର ଖର୍ଚ୍ଚ ପାଇଁ ବଜେଟ୍ ସହାୟତା ଆଦି ପଦକ୍ଷେପଗୁଡ଼ିକୁ ଅନୁମୋଦନ କରିଥିଲା।

ଜଳ ବିଦ୍ୟୁତ ପ୍ରକଳ୍ପର ଦ୍ରୁତ ବିକାଶ ଏବଂ ଦୁର୍ଗମ ପ୍ରକଳ୍ପ ସ୍ଥାନରେ ଭିତ୍ତିଭୂମିର ଉନ୍ନତି ପାଇଁ, ପୂର୍ବ ଯୋଜନାରେ ନିମ୍ନଲିଖିତ ସଂଶୋଧନ କରାଯାଇଛି:

ସଡ଼କ ଓ ସେତୁ ନିର୍ମାଣ ବ୍ୟତୀତ ଆଉ ୪ଟି ଜିନିଷକୁ ଅନ୍ତର୍ଭୁକ୍ତ କରି ଭିତ୍ତିଭୂମିର ବ୍ୟୟ ବରାଦ ନିମନ୍ତେ ବଜେଟ୍ ସହାୟତାର ପରିସରକୁ ବ୍ୟାପକ କରିବା ଅର୍ଥାତ୍ ନିର୍ମାଣ ପାଇଁ ବ୍ୟୟ ବରାଦ: (୧) ରାଜ୍ୟ/କେନ୍ଦ୍ରୀୟ ଟ୍ରାନ୍ସମିସନ ୟୁଟିଲିଟିର ପୁଲିଂ ସବଷ୍ଟେସନର ଉନ୍ନତିକରଣ ସମେତ ପାୱାର ହାଉସରୁ ନିକଟସ୍ଥ ପୁଲିଂ ପଏଣ୍ଟକୁ ଟ୍ରାନ୍ସମିସନ ଲାଇନ (୨) ରୋପ୍ ୱେ (୩) ରେଳ ସାଇଡିଂ, ଏବଂ (୪) ଯୋଗାଯୋଗ ଭିତ୍ତିଭୂମି। ଏହି ପ୍ରକଳ୍ପକୁ ଆଗେଇ ନେଉଥିବା ବର୍ତ୍ତମାନର ରାସ୍ତା/ପୋଲଗୁଡ଼ିକର ସୁଦୃଢ଼ୀକରଣ ମଧ୍ୟ ଏହି ଯୋଜନା ଅଧୀନରେ କେନ୍ଦ୍ରୀୟ ସହାୟତା ପାଇବାକୁ ଯୋଗ୍ୟ ହେବ।

୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୩୧-୩୨ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ପ୍ରାୟ ୩୧୩୫୦ ମେଗାଓ୍ଵାଟ୍ ର ସମୁଦାୟ ଉତ୍ପାଦନ କ୍ଷମତା ପାଇଁ ଏହି ଯୋଜନାରେ ମୋଟ ୧୨,୪୬୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ସ୍ୱଚ୍ଛ ଭିତ୍ତିରେ ଆବଣ୍ଟନ କରାଯାଇଥିବା ଘରୋଇ କ୍ଷେତ୍ର ପ୍ରକଳ୍ପ ସମେତ ୨୫ ମେଗାୱାଟରୁ ଅଧିକ କ୍ଷମତା ବିଶିଷ୍ଟ ସମସ୍ତ ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ଏହି ଯୋଜନା ଲାଗୁ ହେବ। ଏହି ଯୋଜନା କ୍ୟାପ୍ଟିଭ୍ /ମର୍ଚେଣ୍ଟ ପିଏସପି ସମେତ ସମସ୍ତ ପମ୍ପେଡ୍ ଷ୍ଟୋରେଜ୍ ପ୍ରୋଜେକ୍ଟ (ପିଏସପି) ପାଇଁ ମଧ୍ୟ ଲାଗୁ ହେବ, ଯଦି ପ୍ରକଳ୍ପକୁ ସ୍ୱଚ୍ଛ ଭିତ୍ତିରେ ଆବଣ୍ଟନ କରାଯାଇଥିବ। ଏହି ଯୋଜନା ଅଧୀନରେ ପ୍ରାୟ ୧୫,୦୦୦ ମେଗାୱାଟ୍ ର ସମୁଦାୟ ପିଏସପି କ୍ଷମତାକୁ ସହାୟତା ଯୋଗାଇ ଦିଆଯିବ।

ଯେଉଁ ପ୍ରକଳ୍ପଗୁଡ଼ିକର ପ୍ରଥମ ବୃହତ୍ ପ୍ୟାକେଜ୍ ଲେଟର ଅଫ୍ ଆୱାର୍ଡ ୩୦.୦୬.୨୦୨୮ ପର୍ଯ୍ୟନ୍ତ ପ୍ରଦାନ କରାଯାଇଥିବ, ସେମାନଙ୍କୁ ଏହି ଯୋଜନା ଅଧୀନରେ ବିବେଚନା କରାଯିବ।

୨୦୦ ମେଗାୱାଟ ପର୍ଯ୍ୟନ୍ତ ପ୍ରକଳ୍ପ ପାଇଁ ମେଗାଓ୍ବାଟ ପିଛା ୧.୦ କୋଟି ଟଙ୍କା ଏବଂ ୨୦୦ ମେଗାୱାଟରୁ ଅଧିକ ପ୍ରକଳ୍ପ ପାଇଁ ବଜେଟ୍ ସହାୟତାର ସୀମାକୁ ୨୦୦ କୋଟି ଟଙ୍କା ସହିତ ମେଗାଓ୍ବାଟ ପିଛା ୦.୭୫ କୋଟି ଟଙ୍କାକୁ ଯୁକ୍ତିଯୁକ୍ତ କରାଯାଇଛି। ଯଦି ଯଥେଷ୍ଟ ଯଥାର୍ଥତା ରହିଥାଏ ତେବେ କ୍ଷେତ୍ର ବିଶେଷରେ ବଜେଟ୍ ସହାୟତାର ସୀମା ୧.୫ କୋଟି ଟଙ୍କା/ମେଗାୱାଟ୍ ପର୍ଯ୍ୟନ୍ତ ଯାଇପାରେ।

ଡିଆଇବି/ପିଆଇବି ଦ୍ୱାରା ସକ୍ଷମ ଭିତ୍ତିଭୂମିର ମୂଲ୍ୟର ମୂଲ୍ୟାଙ୍କନ ଏବଂ ପ୍ରଚଳିତ ନିର୍ଦ୍ଦେଶାବଳୀ ଅନୁଯାୟୀ ସକ୍ଷମ କର୍ତ୍ତୃପକ୍ଷଙ୍କ ଅନୁମୋଦନ ପରେ ସକ୍ଷମ ଭିତ୍ତିଭୂମିର ଖର୍ଚ୍ଚ ପାଇଁ ବଜେଟ୍ ସହାୟତା ପ୍ରଦାନ କରାଯିବ।

ଲାଭ:

ଏହି ସଂଶୋଧିତ ଯୋଜନା ଜଳ ବିଦ୍ୟୁତ ପ୍ରକଳ୍ପର ଦ୍ରୁତ ବିକାଶ, ଦୁର୍ଗମ ଏବଂ ପାହାଡ଼ିଆ ପ୍ରକଳ୍ପ ସ୍ଥାନରେ ଭିତ୍ତିଭୂମିରେ ଉନ୍ନତି ଆଣିବାରେ ସହାୟକ ହେବ ଏବଂ ପରିବହନ, ପର୍ଯ୍ୟଟନ, କ୍ଷୁଦ୍ର ବ୍ୟବସାୟ ମାଧ୍ୟମରେ ପରୋକ୍ଷ ନିଯୁକ୍ତି/ ଉଦ୍ୟୋଗୀ ସୁଯୋଗ ସହିତ ସ୍ଥାନୀୟ ଲୋକଙ୍କୁ ବିପୁଳ ସଂଖ୍ୟାରେ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରଦାନ କରିବ। ଏହା ଜଳ ବିଦ୍ୟୁତ କ୍ଷେତ୍ରରେ ନୂତନ ପୁଞ୍ଜିନିବେଶକୁ ଉତ୍ସାହିତ କରିବ ଏବଂ ନୂତନ ପ୍ରକଳ୍ପଗୁଡିକୁ ଠିକ୍ ସମୟରେ ଶେଷ କରିବାକୁ ପ୍ରୋତ୍ସାହିତ କରିବ।

Categories
ବିଶେଷ ଖବର

ଜାତୀୟ ଗବେଷଣା ଫାଉଣ୍ଡେସନ ବିଲ୍ କୁ ଉପସ୍ଥାପନ କରିବା ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସଂସଦରେ ଜାତୀୟ ଗବେଷଣା ଫାଉଣ୍ଡେସନ (ଏନ୍ଆର୍ଏଫ) ବିଲ-୨୦୨୩କୁ ଉପସ୍ଥାପନ କରିବା ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ବିଲ୍ ଗୃହୀତ ହେଲେ ଦେଶରେ ଏନ୍ଆର୍ଏଫ୍ ପ୍ରତିଷ୍ଠା ପାଇଁ ପଥ ପରିସ୍କାର ହେବ। ଏହା ଦେଶର ଗବେଷଣା ଓ ଉନ୍ନୟନ ପାଇଁ ପାଣ୍ଠି ଯୋଗାଣ ଓ ଏହାର ପ୍ରୋତ୍ସାହନ ଦିଗରେ କାମ କରିବ। ଏହା ମଧ୍ୟ ଦେଶରେ ଗବେଷଣା ଓ ଉନ୍ନୟନ ପରିବେଶକୁ ସୁଦୃଢ କରିବ। ଦେଶର ସବୁ ବିଶ୍ୱ ବିଦ୍ୟାଳୟ, ମହାବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ ଓ ଗବେଷଣା ଉନ୍ନୟନ ପରୀକ୍ଷାଗାର ଗୁଡିକରେ ଗବେଷଣା ଏବଂ ସହଭାଗିତାରା ଏକ ନୂଆ ସଂସ୍କତି ଓ ବାତାବରଣ ସୃଷ୍ଟି ହୋଇପାରିବ।

ବିଲ୍ ଟି ସାଂସଦର ଅନୁମୋଦନ ଲାଭ କରିବା ପରେ ଆଇନରେ ପରିଣତ ହେବ। ତଦନୁସାରେ ଦେଶରେ ଏକ ଜାତୀୟ ଗବେଷଣା ଫାଉଣ୍ଡେସନ ବା ଏନ୍ଆର୍ଏଫ୍ ପ୍ରତିଷ୍ଠା କରାଯିବ। ନୂଆ ଜାତୀୟ ଶିକ୍ଷାନୀତିର ସୁପାରିସ ଅନୁସାରେ ଏନ୍ଆର୍ଏଫ ଦେଶରେ ଗବେଷଣା ଓ ଉନ୍ନୟନ କ୍ଷେତ୍ରରେ ଶୀର୍ଷ ଅନୁଷ୍ଠାନ ଭାବେ କାମ କରିବ। ଦେଶରେ ବିଜ୍ଞାନଭିତ୍ତିକ ଗବେଷଣା କିପରି ହେବ ସେଥିପାଇଁ ଏହା ଉଚ୍ଚସ୍ତରୀୟ ରଣକୌଶଳାତ୍ମକ ନିର୍ଦ୍ଦେଶ ପ୍ରଦାନ କରିବ। ପାଞ୍ଚବର୍ଷ (୨୦୨୩-୨୮) ପାଇଁ ଏନ୍ଆର୍ଏଫ ମୋଟ ୫୦, ୦୦୦ କୋଟି ଟଙ୍କା ଏ ବାବଦରେ ଖର୍ଚ୍ଚ କରିବ ବୋଲି ହିସାବ କରାଯାଇଛି।

କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ପ୍ରଶାସନିକ ନିୟନ୍ତ୍ରଣରେ ଏନ୍ଆର୍ଏଫ୍ କାର୍ଯ୍ୟ କରିବ। ଏକ ପରିଚାଳନା ମଣ୍ଡଳୀ ଏହାର ଦାୟିତ୍ୱରେ ରହିବ। ଏହି ମଣ୍ଡଳୀ ଏହାର ଦୈନନ୍ଦିନ କାର୍ଯ୍ୟ ପରିଚାଳନା କରିବ । ଏଥିରେ ବିଭିନ୍ନ ବିଭାଗ ଓ କ୍ଷେତ୍ରର ପ୍ରଖ୍ୟାତ ପେସାଦାର ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସଦସ୍ୟଭାବେ ଗ୍ରହଣ କରାଯିବ। ଏନ୍ଆରଏଫର ପରିସର ବ୍ୟାପକ ହୋଇଥିବାରୁ ଏବଂ ଏଥିରେ ଦେଶର ସବୁ ମନ୍ତ୍ରଣାଳୟର ସମ୍ପୃକ୍ତି ରହୁଥିବାରୁ ପ୍ରଧାନମନ୍ତ୍ରୀ ଏହାର ପଦପ୍ରଯୁକ୍ତ (ଏକ୍ସ ଅଫିସିଓ) ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ସେହିଭଳି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହାର ଏକ୍ସ ଅଫିସଓ ଉପାଧ୍ୟକ୍ଷ ଦାୟିତ୍ୱରେ ରହିବେ। ଭାରତ ସରକାରଙ୍କ ବୈଜ୍ଞାନିକ ପରାମର୍ଶଦାତାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କାର୍ଯ୍ୟନିର୍ବାହୀ ପରିଷଦ ଏହାର ପରିଚାଳନା ଦାୟିତ୍ୱ ନିର୍ବାହ କରିବ।

ଏହି ସଂସ୍ଥା ଉଦ୍ୟୋଗ, ଶିକ୍ଷାବିତ୍, ଶିକ୍ଷାନୁଷ୍ଠାନ, ଉଦ୍ୟୋଗପତି, ଗବେଷଣା ପ୍ରତିଷ୍ଠାନ ଓ ବିଭିନ୍ନ ସରକାରୀ ବିଭାଗ ସହିତ ସମନ୍ୱୟ ରକ୍ଷା କରି କାମ କରିବ। ଏହା ମଧ୍ୟ ଗବେଷଣା ଓ ଉନ୍ନୟନ କାର୍ଯ୍ୟରେ ରାଜ୍ୟ ସରକାରଙ୍କୁ ଆବଶ୍ୟକ ପରାମର୍ଶ ଓ ଦିଗ୍ଦର୍ଶନ ଦେବ। ଏହା ମଧ୍ୟ ଗବେଷଣା ଓ ଉନ୍ନୟନ କ୍ଷେତ୍ରରେ ନିୟାମକ ଭୂମିକା ନିର୍ବାହ କରିବ।

ଏହି ବିଲ୍ ପାରିତ ହେଲେ ୨୦୦୮ରେ ପ୍ରତିଷ୍ଠା ହୋଇଥିବା ବିଜ୍ଞାନ ଓ ଇଞ୍ଜିନିୟିରିଂ ଗବେଷଣା (ଏସ୍ଇଆରବି) ବୋର୍ଡ ଅବସାନ ଘଟିବ ଏବଂ ସେହି ପୁରୁଣା ନିୟମ ଅଚଳ ହୋଇଯିବö ଏମ୍ଇଆରବିର ସମସ୍ତ କାର୍ଯ୍ୟ ଏନ୍ଆର୍ଏଫକୁ ହସ୍ତାନ୍ତରିତ ହେବ।

Categories
ଆଜିର ଖବର ଜାତୀୟ ଖବର

ଏକ ଜାତୀୟ ସ୍ତରର ବହୁ-ରାଜ୍ୟ ବିହନ ସୋସାଇଟି ଗଠନ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏକ ଜାତୀୟ ସ୍ତରର ବହୁ ରାଜ୍ୟ ସମବାୟ ବିହନ ସୋସାଇଟି ଗଠନ କରିବା ସଂକ୍ରାନ୍ତ ଏକ ଐତିହାସିକ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ସୋସାଇଟି ବହୁ ରାଜ୍ୟ ସମବାୟ ସମିତି ଆଇନ (ଏମ୍‌ଏସ୍‌ସିଏସ୍‌) -୨୦୦୨ ଅନୁସାରେ ଗଠିତ ହେବ ଏବଂ କେନ୍ଦ୍ର ସରକାର ଏହାକୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇଦେବେ। ଏହି ସୋସାଇଟି ଉନ୍ନତମାନର ବିହନ ଉତ୍ପାଦନ, ସଂଗ୍ରହ, ପ୍ରକ୍ରିୟାକରଣ,ବ୍ରାଣ୍ଡିଂ, ଲେବଲିଂ, ପ୍ୟାକେଜିଂ, ଭଣ୍ଡାରଣ, ଉତ୍ପାଦନ ପାଇଁ ଗବେଷଣା ଓ ଉନ୍ନୟନ କାମ କରିବା ସହିତ ଦେଶୀ ପ୍ରାକୃତିକ ବିହନର ସଂରକ୍ଷଣ ତଥା ପ୍ରୋତ୍ସାହନ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବ। ଏହି କାମରେ ଦେଶର ବିଭିନ୍ନ ସ୍ତରର ସମବାୟ ସମିତିଗୁଡିକୁ ଏହି ଶୀଷ ର୍ସଂଗଠନରେ ନିୟୋଜିତ କରିବ ଏବଂ କୃଷି ମନ୍ତ୍ରଣାଳୟ ସହିତ ଭାରତୀୟ କୃଷି ଗବେଷଣା ପରିଷଦ, ଜାତୀୟ ବିହନ ନିଗମ ଓ ଅନ୍ୟାନ୍ୟ ସମ୍ପୃକ୍ତ ସଂସ୍ଥା ଓ ସଂଗଠନ ନିଜ ନିଜର ଯୋଜନା ମାଧ୍ୟମରେ ଏଥିପାଇଁ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇବେ। ଏହି ସମସ୍ତ କାର୍ଯ୍ୟ ସାମଗ୍ରିକ ସରକାର ଆଭିମୁଖ୍ୟରେ କାର୍ଯ୍ୟକାରୀ ହେବ।

ପ୍ରଧାନମନ୍ତ୍ରୀ ଏହି ବୈଠକରେ ମତ ଦେଇଛନ୍ତି ଯେ ଦେଶର ଚାଷୀଙ୍କୁ ଓ ଦେଶକୁ ବିଭିନ୍ନ ପ୍ରକାର ଉତ୍କୃଷ୍ଟ ବିହନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ “ସହକାର ସେ ସମୃଦ୍ଧି” ଆଭିମୁଖ୍ୟରେ କାମ ହେବା ଉଚିତ। ଦେଶର ସମବାୟ ବ୍ୟବସ୍ଥାକୁ  ଏକ ସଫଳ ବ୍ୟାବସାୟିକ ଢାଞ୍ଚାରେ ପକାଇ କାମ କଲେ କୃଷି ଓ ତତ୍‌ସଂକ୍ରାନ୍ତ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିବ ଏବଂ ଗ୍ରାମ୍ୟ ଅର୍ଥନୀତି ସମୃଦ୍ଧ ହେବ।

ପ୍ୟାକ୍ସରୁ ଆପେକ୍ସ – ଏହା ପ୍ରାଥମିକ କୃଷିଋଣ ସୋସାଇଟି ବା ପାକ୍ସରୁ  ଆପେକ୍ସ ସଂସ୍ଥା/ଶୀର୍ଷ ସଂସ୍ଥା ସଂଗଠନ ଭାବେ କାର୍ଯ୍ୟ କରିବ। ଏଥିରେ ପ୍ରାଥମିକ  ସୋସାଇଟି, ଜିଲ୍ଲା, ରାଜ୍ୟ ଓ ଜାତୀୟସ୍ତର ମହାସଂଘ ତଥା ବହୁ ରାଜ୍ୟ ସମବାୟ ସମିତି ମାନ ମଧ୍ୟ ଏହାର ସଦସ୍ୟ ହେବାକୁ ଯୋଗ୍ୟ ହେବେ। ଏହି ସମସ୍ତ ସମବାୟ ସମିତିର ନିର୍ବାଚିତ ପ୍ରତିନିଧିମାନେ ସୋସାଇଟିର ବୋର୍ଡରେ ପ୍ରତିନିଧିତ୍ୱ ସୁଯୋଗ ବାଏ-ଲ (ନିୟମ) ଅନୁସାରେ ପାଇବେ।

ଏହି ଜାତୀୟ ବହୁରାଜ୍ୟ ସମବାୟ ବିହନ ନିଗମ ସିଡ୍ ରିପ୍ଲେସମେଣ୍ଟ ରେଟ୍‌(ବିହନ ପରିବର୍ତ୍ତନ ହାର) ଓ ଭେରାଇଟି ରିପ୍ଲେସମେଣ୍ଟ ରେଟ(ବିବିଧତା ପରିବର୍ତ୍ତନ ହାର)କୁ ପ୍ରୋତ୍ସାହିତ କରି ଉତ୍ପାଦନରେ ଥିବା ତାରତମ୍ୟ ଦୂର କରି ଉତ୍ପାଦକତା ବୃଦ୍ଧି ଦିଗରେ କାମ କରିବ। ଏହା ମଧ୍ୟ ସହକାର-ସେ-ସମୃଦ୍ଧି” ଲକ୍ଷ୍ୟ ପୂରଣ ପାଇଁ ସମବାୟ ଭିତ୍ତିକ ସମାବେଶୀ ଅଭିବୃଦ୍ଧି ମଡେଲକୁ କାମରେ ଲଗାଇବ। ଏହା ମଧ୍ୟ ସହଳ କିସମର ଅଧିକ ଅମଳକ୍ଷମ ବିହନ ଉତ୍ପାଦନ, ସଂଗ୍ରହ,  ବିକ୍ରିବଟା ଓ ଯୋଗାଣ କାମ ଦେଖିବା ସହିତ ଏହାର ମାନ ଉପରେ ନଜର ରଖି ଚାଷୀ ଯେପରି ଠିକ୍ ସମୟରେ ଆବଶ୍ୟକ ପରିମାଣର ଉତ୍କୃଷ୍ଟମାନର ବିହନ ଉଚିତ ମୂଲ୍ୟରେ ପାଆନ୍ତି ସେ କାର୍ଯ୍ୟ ମଧ୍ୟ  ଦେଖିବ। ବିହନ  ବ୍ୟାବସାୟରୁ ଯେଉଁ ଲାଭ ମିଳିବ ତାହାକୁ ସବୁ ସଦସ୍ୟ ସମିତି ମଧ୍ୟରେ ବଣ୍ଟାଯିବ।

ଏହାଫଳରେ ସମବାୟ ଓ କୃଷି କ୍ଷେତ୍ରରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବିହନରେ ଭାରତ ଆତ୍ମନିର୍ଭର ହେବା ସହିତ ବିଦେଶୀ ବଜାର ଉପରୁ ନିର୍ଭରଶୀଳତା କମିବ। ଏହି ପ୍ରୟାସ ଦ୍ୱାରା ଅର୍ଥନୀତିର ଉନ୍ନତି ଆସିବା ସହିତ “ମେକ୍ ଇନ୍ ଇଣ୍ଡିଆ” ଓ ‘ଆତ୍ମନିର୍ଭର ଭାରତ’ ଲକ୍ଷ୍ୟପୂରଣ ହୋଇପାରିବ।

Categories
ଆଜିର ଖବର ଜାତୀୟ ଖବର

ଜାତୀୟ ଲଜିଷ୍ଟିକ ନୀତିକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଦେଶର ଜାତୀୟ ଲଜିଷ୍ଟିକ୍ ନୀତିକୁ ଅନୁମୋଦନ ପ୍ରଦାନ କରାଯାଇଛି। ଲଜିଷ୍ଟିକ୍ ବା ସମ୍ଭାରତନ୍ତ୍ର ଏବଂ ଏହାର ପରିବେଶକୁ ଆନ୍ତଃ ବିଷୟକ, ବିଭିନ୍ନ କ୍ଷେତ୍ର ଭିତ୍ତିକ, ପୂର୍ଣ୍ଣାଙ୍ଗ ଏବଂ ସୁସଂହତ କରିବା ଏହି ନୀତିର ଲକ୍ଷ୍ୟ। ସାମଗ୍ରୀ ଓ ରସଦ ଯୋଗାଣ କ୍ଷେତ୍ରରେ ଲଜିଷ୍ଟିକ୍ ବ୍ୟବସ୍ଥାର ଗୁରୁତ୍ୱ ଅଧିକ। ଏହା ଯୁଗ ଉପଯୋଗୀ, ସୁଂସହତ ଏବଂ ପୂର୍ଣ୍ଣାଙ୍ଗ ନ ହେଲେ ବିକାଶ ପ୍ରକ୍ରିୟା ଆଗେଇ ପାରିବ ନାହିଁ। ସେ ଦୃଷ୍ଟିରୁ ନୂଆ ଲଜିଷ୍ଟିକ୍ ନୀତିର ପ୍ରଣୟନ ଓ ପ୍ରବର୍ତ୍ତନର ଆବଶ୍ୟକତା ରହିଛି।

ଏହି ନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାତୀୟ ଗତିଶକ୍ତି ମାଷ୍ଟର ପ୍ଲାନକୁ ପ୍ରଶଂସା କରାଯାଇ ତଦନୁସାରେ ବିଧିବ୍ୟବସ୍ଥା ପ୍ରସ୍ତୁତ ହୋଇଛି। ପ୍ରଧାନମନ୍ତ୍ରୀ ଜାତୀୟ ଗତିଶକ୍ତି ମାଷ୍ଟର ପ୍ଲାନରେ ସମନ୍ୱିତ ଭିତ୍ତିଭୂମି ବିକାଶ ଗୁରୁତ୍ୱ ପାଇଛି। ଅତଏବ ତାହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଥିବା ନୂଆ ଜାତୀୟ ଲଜିଷ୍ଟିକ ନୀତିରେ ଲଜିଷ୍ଟିକ୍ ସେବାରେ ଦକ୍ଷତା ବୃଦ୍ଧି, ମାନବ ସମ୍ବଳର ଉପଯୁକ୍ତ ବିକାଶ, ଉଚ୍ଚ ଶିକ୍ଷା କ୍ଷେତ୍ରରେ ଲଜିଷ୍ଟିକ୍ସକୁ ଅନ୍ତର୍ଭୁକ୍ତ କରିବା ଏବଂ ଉପଯୁକ୍ତ ଟେକ୍‌ନୋଲୋଜିର ପ୍ରୟୋଗ ଆଦିକୁ ଗୁରୁତ୍ୱ ପ୍ରଦାନ କରାଯାଇଛି।

ଏହି ନୀତିର ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ହେଲା-

୧) ଭାରତରେ ଲଜିଷ୍ଟିକର ମୂଲ୍ୟ ହ୍ରାସ କରି ୨୦୩୦ ସୁଦ୍ଧା ବିଶ୍ୱସ୍ତରୀୟ ମାନକ ପ୍ରସ୍ତୁତ କରିବା ,

୨) ଲଜିଷ୍ଟିକ୍ ପରର୍ଫମାନ୍ସ ଇଣ୍ଡେକ୍ସ ର‌୍ୟାଙ୍କିଙ୍ଗରେ ଉନ୍ନତି ଆଣି ୨୦୩୦ ସୁଦ୍ଧା ଏ କ୍ଷେତ୍ରରେ ବିଶ୍ୱର ଶ୍ରେଷ୍ଠ ୨୫ ରାଷ୍ଟ୍ର ମଧ୍ୟରେ ରହିବା ଏବଂ

୩) ଲଜିଷ୍ଟିକ ପରିତନ୍ତ୍ର ନିର୍ମାଣ ପାଇଁ ଏକ ଡାଟା ପରିଚାଳିତ ନିଷ୍ପତ୍ତି ଗ୍ରହଣ ବ୍ୟବସ୍ଥା ତିଆରି କରିବା।

ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ, ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ସହ ଏକାଧିକ ବାର ବିଚାର ଆଲୋଚନା ପରେ ଏହି ନୂଆ ଜାତୀୟ ଲଜିଷ୍ଟିକ୍ ନୀତି ପ୍ରସ୍ତୁତ ହୋଇଛି। ଏଥିରେ ଉଦ୍ୟୋଗ ଜଗତକୁ ସାମିଲ କରାଯାଇ ନୂଆ ନୀତିକୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଲଜିଷ୍ଟିକ୍ ନୀତିରେ ପରିଣତ କରିବାକୁ ବ୍ୟବସ୍ଥା କରାଯାଇଛି।

ଏକ ସମନ୍ୱିତ ପ୍ରୟାସ ମାଧ୍ୟମରେ ଏହି ନୂଆନୀତିକୁ କାର୍ଯ୍ୟକାରୀ କରାଯିବ। ନୂଆନୀତିରେ ବର୍ତ୍ତମାନର ଆନୁଷ୍ଠାନିକ ବ୍ୟବସ୍ଥାକୁ ଅନୁର୍ଭୁକ୍ତ କରାଯାଇଛି। ଏହାର ଅର୍ଥ ପିଏମ୍ ଗତିଶକ୍ତି ଯୋଜନାର କାର୍ଯ୍ୟକାରିତା ପାଇଁ ଗଠିତ କ୍ଷମତା ସମ୍ପନ୍ନ ସଚିବ ସ୍ତରୀୟ ଗୋଷ୍ଠୀ ନୂଆ ନୀତିରେ ତାହାର ଦାୟିତ୍ୱ ଓ କାର୍ଯ୍ୟ କରିବାର ସୁଯୋଗ ପାଇବ। ଏହି ଗୋଷ୍ଠୀ ଏକ ସେବା ବିକାଶ (ଉନ୍ନୟନ) ଗୋଷ୍ଠୀ ଗଠନ କରିବ। ଏହା ନେଟୱାର୍କ ପ୍ଲାନିଂ ଗ୍ରୁପ ଢାଞ୍ଚାରେ ଗଠିତ ହେବ ଏବଂ ନୀତିର ପ୍ରକ୍ରିୟା, ନିୟାମକ ବ୍ୟବସ୍ଥା, ଡିଜିଟାଲ ଉନ୍ନୟନ ଓ ତଦାରଖ କାର୍ଯ୍ୟ ଦେଖିବ। ଯେଉଁ ସବୁ କ୍ଷେତ୍ର ଓ ବିଭାଗ ଜାତୀୟ ଗତିଶକ୍ତି ଯୋଜନାରେ ଅନ୍ତର୍ଭୁକ୍ତ ହୋଇନାହିଁ,  ସେସବୁକୁ ଲଜିଷ୍ଟିକ୍ କ୍ଷେତ୍ରରେ ଅନ୍ତର୍ଭୁକ୍ତ କରିବା କାମ ଏହି ନୂଆ ଗୋଷ୍ଠୀ କରିବ।

ଏହି ନୂଆନୀତି କାର୍ଯ୍ୟକାରୀ ହେବା ଦ୍ୱାରା ଦେଶରେ ଲଜିଷ୍ଟିକ ଖର୍ଚ୍ଚ ହ୍ରାସ ପାଇବ। ସ୍ୱତନ୍ତ୍ର ଯୋଜନା ଦ୍ୱାରା ଦେଶରେ ପଣ୍ୟାଗାରଗୁଡିକର ବିକାଶ ସହିତ ନୂଆ ନୂଆ ପଣ୍ୟାଗାର ସ୍ଥାପନ କରାଯିବ। ଲଜିଷ୍ଟିକ୍‌ର ମାନ ନିର୍ଦ୍ଧାରଣ ଓ ଏହାର ବିକାଶ, ଡିଜିଟାଇଜେସନ, ଅଟୋମେସନ୍‌, ଉତ୍ତମ ଯୋଗାଣ ଶୃଙ୍ଖଳା ସୃଷ୍ଟି ତଥା ଟ୍ରାକ୍ ଓ ଟ୍ରେସ ବ୍ୟବସ୍ଥାକୁ ସୁସଂହତ କରିବା, ବିବାଦର ତ୍ୱରିତ ସମାଧାନ, ମାନବ ସମ୍ବଳର ବିକାଶ, ଦକ୍ଷତା ନିର୍ମାଣ, ବିଭିନ୍ନ ବିଭାଗ ଓ ସମ୍ପୃକ୍ତ ପକ୍ଷଙ୍କ ସହିତ ଉତ୍ତମ ସମନ୍ୱୟ ରକ୍ଷା ଉପରେ ନୂଆନୀତିରେ ଗୁରୁତ୍ୱ ଦିଆଯାଇଛି।

ନୂଆନୀତିରେ ତତ୍କାଳ କେତେକ ପଦକ୍ଷେପ କାର୍ଯ୍ୟକାରୀ କରିବାର  ବ୍ୟବସ୍ଥା ରହିଛି। ଏହା ଫଳରେ ଏବେ କ୍ଷେତ୍ର ବା ସ୍ଥଳ ବିଶେଷରେ ଯେଉଁ ସବୁ ଅସୁବିଧା ଲଜିଷ୍ଟିକ୍ସ ବାବଦରେ ରହିଛି ତାହାର ଆଶୁ ସମାଧାନ ହୋଇପାରିବ। ନୂଆନୀତିର ସୁଫଳ ଯେପରି ତୁରନ୍ତ ମିଳିପାରିବ  ସେଥିପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ତୁରନ୍ତ ଗ୍ରହଣ କରାଯିବ। ସେଥିମଧ୍ୟରେ ରହିଛି ଏକ ଏକୀକୃତ ଲଜିଷ୍ଟିକ୍ସ ଇଣ୍ଟରଫେସ୍  ପ୍ଲାଟଫର୍ମ ଗଠନ, ପଣ୍ୟାଗାର ଗୁଡିକ ନିମନ୍ତେ ଏକ ଇ-ଲ୍ୟାଣ୍ଡବୁକ୍ ପ୍ରସ୍ତୁତି, ଆଇ-ଗଟ୍ ପ୍ଲାଟଫର୍ମରେ ପିଏମ୍ ଗତିଶକ୍ତି ଓ ଲଜିଷ୍ଟିକ୍ସ ସମ୍ପର୍କରେ ତାଲିମ ପାଠ୍ୟକ୍ରମ ପ୍ରବର୍ତ୍ତନ। ଏସବୁକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ।

ଏହି ନୂଆନୀତିରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସାମିଲ କରାଯାଇଛି। ଜାତୀୟ ଲଜିଷ୍ଟିକ୍ ନୀତି ଅନୁସାରେ ଇତି ମଧ୍ୟରେ ୧୪ଟି ରାଜ୍ୟ ସେମାନଙ୍କର ଲଜିଷ୍ଟିକ୍ ନୀତି ପ୍ରସ୍ତୁତ କରିସାରିଛନ୍ତି। ଅନ୍ୟ ୧୩ଟି ରାଜ୍ୟର ନୀତି ଏବେ ଚିଠା ସ୍ତରରେ ରହିଛି। କେନ୍ଦ୍ରରେ ପିଏମ ଗତିଶକ୍ତି ଏହି ବ୍ୟବସ୍ଥାରେ ଆନୁଷ୍ଠାନିକଭାବେ ମୁଖ୍ୟ ଦାୟିତ୍ୱରେ ରହିବ। ରାଜ୍ୟମାନଙ୍କର ନୂଆ ନୀତିର କାର୍ଯ୍ୟକାରିତାକୁ ତଦାରଖ କରିବା ଦାୟିତ୍ୱ ଏହା ଉପରେ ନ୍ୟସ୍ତ। ଏହା ଦ୍ୱାରା ସମଗ୍ର ଦେଶରେ ସମ୍ପୃକ୍ତ ପକ୍ଷଙ୍କ ମଧ୍ୟରେ ସୁମନ୍ୱୟ ରହିବ ଏବଂ ଲଜିଷ୍ଟିକ୍ ନୀତିରେ କାର୍ଯ୍ୟକାରିତା ସୁଗମ ହୋଇପାରିବ।

ଗତିଶକ୍ତି ଯୋଜନାର ଲାଭ ଏମ୍‌ଏସ୍‌ଏମ୍‌ଇ ଓ ଚାଷୀମାନେ ଯେପରି ଅଧିକ ପାଇପାରିବେ ସେଥିପାଇଁ ନୂଆ ଲଜିଷ୍ଟିକ ନୀତିରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଆହୁରି ମଧ୍ୟ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଓ ନୂଆ କରି ଅଧିକ ବଜାର ଚାହିଦା ସୃଷ୍ଟି କରୁଥିବା ସାମଗ୍ରୀକୁ ଖାଉଟିଙ୍କ ପାଖରେ ଆବଶ୍ୟକ ପରିମାଣରେ ପହଞ୍ଚାଇବାକୁ ନୂଆ ଯୋଜନାର ବ୍ୟବସ୍ଥା ରହିଛି। ଯୋଗାଣ ଶୃଙ୍ଖଳାକୁ ସ୍ୱଚ୍ଛ, ଦକ୍ଷ, ତ୍ୱରିତ  ଓ ପାରଦର୍ଶୀ କରିବାକୁ ନୂଆନୀତିରେ ଗୁରୁତ୍ୱ ଦିଆଯାଇଛି। ଏହା ଫଳରେ ଭଣ୍ଡାରଣ ବ୍ୟବସ୍ଥାରେ ଉନ୍ନତି ଘଟିବ ଏବଂ ସାମଗ୍ରୀର ଅଭାବ ବା ଅପଚୟ ହେବ ନାହିଁ। ସର୍ବୋପରି ନୂଆ ବ୍ୟବସ୍ଥାରେ ସାମଗ୍ରୀର ମୂଲ୍ୟ ସୁଲଭ ହେବ। କୃୃତ୍ରିମ ଅଭାବର ଅବସାନ ଘଟିବା ଫଳରେ ଖାଉଟି ଅସୁବିଧାର ସମ୍ମୁଖୀନ ହେବେ ନାହିଁ।

ବିଶ୍ୱ ଯୋଗାଣ ଶୃଙ୍ଖଳାରେ ନିବିଡଭାବେ ସମନ୍ୱିତ ହେବା ପାଇଁ ନୂଆ ନୀତିରେ ଗୁରୁତ୍ୱ ଦିଆଯାଇଛି। ଏହାଫଳରେ ବିଶ୍ୱ ବାଣିଜ୍ୟ କାରବାରରେ ଭାରତର ଅଂଶ ବଢିବ ଏବଂ ଏହା ଦ୍ୱାରା ଭାରତର ଅର୍ଥନୀତିକ ପ୍ରକ୍ରିୟା ତ୍ୱରାନ୍ୱିତ ହେବ।

ଲଜିଷ୍ଟିକ ମୂଲ୍ୟ ହ୍ରାସ କରି ବୈଶ୍ୱିକ ମାନଦଣ୍ଡ ହାସଲ କରିବା ନୂଆ ନୀତିର ଲକ୍ଷ୍ୟ। ଏହା ସମ୍ଭବ ହେଲେ ଦେଶର ଲଜିଷ୍ଟିକ୍ସ ପରଫରମାନ୍ସ ଇଣ୍ଡେକ୍ସ  ର‌୍ୟାଙ୍କିଙ୍ଗ୍ ଓ ବୈଶ୍ୱିକ ସ୍ଥିତିରେ ଉନ୍ନତି ଘଟିବ। ଭାରତର ଲଜିଷ୍ଟିକ୍ସ କ୍ଷେତ୍ରର ଉନ୍ନୟନ, ଲଜିଷ୍ଟିକ୍ ଦକ୍ଷତା ବୃଦ୍ଧି, ଲଜିଷ୍ଟିକସ ମୂଲ୍ୟହ୍ରାସ ଓ ବୈଶ୍ୱିକ ପ୍ରଦର୍ଶନ ବୃଦ୍ଧି ଉପରେ ନୂଆ  ନୀତି ଗୁରୁତ୍ୱ ଦେଇଛି।

ସର୍ବୋପରି ଏହା ମାଧ୍ୟମରେ ଏବେ ସମନ୍ୱିତ, ତ୍ୱରାନ୍ୱିତ, ସମାବେଶୀ ଅଭିବୃଦ୍ଧି ହାସଲର ଲକ୍ଷ୍ୟ ରଖାଯାଇଛି। ଏଥିରେ ଟେକ୍‌ନୋଲୋଜିର ପ୍ରୟୋଗ, ଏକ ସୁଲଭ ମୂଲ୍ୟର ଦକ୍ଷ, ସ୍ଥିତିସ୍ଥାପକ ଓ ସହଣୀୟ ଲଜିଷ୍ଟିକ୍‌  ପରିତନ୍ତ୍ର ପ୍ରସ୍ତୁତି ପାଇଁ ଗୁରୁତ୍ୱ ପ୍ରଦାନ କରାଯାଇଛି।

Categories
ବିଶେଷ ଖବର

ପଥ ପ୍ରଦର୍ଶନକାରୀ ଆପ୍ ନିର୍ମାଣ ପାଇଁ ଭାରତ-ଜାତିସଂଘ ଚୁକ୍ତିକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ଜେନେଭାସ୍ଥିତ ଜାତିସଂଘର ଦପ୍ତର ପାଲେ ଦି ନେସନ(ପ୍ୟାଲେସ ଦି ନେସନ୍ସ)ରେ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ଏକ ପଥପ୍ରଦର୍ଶନକାରୀ (ୱେ ଫାଇଣ୍ଡିଂ ଆପ୍ଲିକେସନ) ପାଇଁ ଭାରତ ଏକ ମିଳିତ ଜାତିସଂଘ ମିଳିତ ଭାବେ କାମ କରିବେ। ଏହି ଆପ୍ଲିକେସନ ବା ଆପ୍ ଜାତିସଂଘର ଜେନେଭା ଦପ୍ତର (ୟୁଏନ୍‌ଓଜି)ରେ ଥିବା ପାଲେ ଦି ନେସନ୍ସରେ ବ୍ୟବହୃତ ହେବ। ଏଥିପାଇଁ ଦୁଇପକ୍ଷ ମଧ୍ୟରେହେବାକୁ ଥିବା ଚୁକ୍ତିକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି।

୧୯୪୫ରେ ସ୍ଥାପିତ ମିଳିତ ଜାତିସଂଗ ଏକ ଆନ୍ତର୍ଜାତିକ ପ୍ରତିଷ୍ଠାନ। ଏବେ ଏହାର ସଦସ୍ୟ ସଂଖ୍ୟା ୧୯୩ । ଭାରତ ମିଳିତ ଜାତିସଂଘର ଜଣେ ପ୍ରତିଷ୍ଠାତା ସଦସ୍ୟ।

ସୁଇଜରଲ୍ୟାଣ୍ଡର ଜେନେଭା ସହରରେ ଜାତିସଂଘର ଦପ୍ତର (ୟୁଏନ୍‌ଓଜି)ର ପାଂଚଟି ଅଟ୍ଟାଳିକା ରହିଛି। ଏଥିରେ ମୋଟ ୨୧ ତାଲା (ଫ୍ଲୋର) ଅଛି। ଏହା ଫରାସୀ ଭାଷାରେ ପାଲେ ଦି ନେସନ୍ସ ନାମରେ ପରିଚିତ। ଏହି ଦପ୍ତର ଜାତିସଂଘରର ଏକ ଐତିହାସିକ ଅଟ୍ଟାଳିକା। ଜାତିସଂଘର ବିଭିନ୍ନ ବୈଠକ, ସମାବେଶ ଆଦିରେ ଯୋଗ ଦେବାକୁ  ବହୁ ସଂଖ୍ୟକ ପ୍ରତିନିଧି, ନାଗରିକ ସମାଜର ସଦସ୍ୟ ଓ ସାଧାରଣ ଜନତା ଏହି ଦପ୍ତରକୁ ଯାଇଥାନ୍ତି।

ଭବନର ଜଟିଳତା ଏବଂ ଏହି ଦପ୍ତରର ବିଭିନ୍ନ କାର୍ଯ୍ୟକ୍ରମର ବିପୁଳ ଲୋକଙ୍କ ଅଂଶଗ୍ରହଣକୁ ଦୃଷ୍ଟିରେ ରଖି ପଥ ପ୍ରଦର୍ଶନ ବ୍ୟବସ୍ଥାକୁ ସୁଗମ କରିବାର ଆବଶ୍ୟକ ରହିଛି। ଏଥିପାଇଁ ଏକ ନାଭିଗେସନାଲ ଆପ୍ ବିକଶିତ କରି କାମରେ ଲଗାଇବା  ଜରୁରୀ। ପ୍ରତିନିଧି ଓ ଅନ୍ୟାନ୍ୟ ପରିଦର୍ଶକ ଏହି ଭବନ ମଧ୍ୟରେ ପଶିଲେ ସୁବିଧାରେ ଓ ସହଜରେ ବିଭିନ୍ନ ବିଭାଗ ଓ ଦପ୍ତରକୁ ଯିବା ପାଇଁ ଏକ ପଥପ୍ରଦର୍ଶନକାରୀ ଆପ୍‌ର ଆବଶ୍ୟକତା ଅପରିହାର୍ଯ୍ୟ।

ଖୋଲା ଯାଗାରେ ଜିପିଏସ୍ ଆପ୍ ପଥପ୍ରଦର୍ଶନରେ ବିଶେଷ ସଫଳ ହୋଇଥାଏ, କିନ୍ତୁ ବିରାଟ ଅଟ୍ଟାଳିକା ଓ ଭବନ ଭିତରେ ଏହା ବିଶେଷ କାମରେ ନାହିଁ। ଏଥିପାଇଁ ଅଟ୍ଟାଳିକା ଭିତରେ ମାର୍ଗ ଦର୍ଶନ କରିପାରୁଥିବା ଆପ୍‌ର ଆବଶ୍ୟକତା ରହିଛି। ଏହାର ସହାୟତାରେ ପ୍ରତିନିଧି ଓ ଅନ୍ୟାନ୍ୟ ଲୋକେ ଗୋଟିଏ ଅଟ୍ଟାଲିକାରୁ ଅନ୍ୟ ଅଟ୍ଟାଳିକା ଓ ବିଭିନ୍ନ ଦପ୍ତରକୁ ସହଜରେ ଯାଇପାରିବେ। ଭାରତ ଏହି ପଥ ପ୍ରଦର୍ଶନକାରୀ ଆପ୍ ବିକଶିତ କରିବ। ୨୦୨୦ରେ ଜାତିସଂଘର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ଭାରତ ଏଭଳି ଏକ ଯୋଜନା ପ୍ରସ୍ତୁତ କରି ବିଶ୍ୱର ଏହି ସର୍ବୋଚ୍ଚ ପ୍ରତିଷ୍ଠାନକୁ ଦାନ ଆକାରରେ ଏଭଳି ଏକ ଆପ୍ ଦେବାକୁ ନିଷ୍ପତ୍ତି ନେଇଥିଲା। ଏହି ଆପ୍‌ର ବିକାଶ, ମୁତୟନ ଓ ରକ୍ଷଣାବେକ୍ଷଣ ପାଇଁ ମୋଟ ୨ନିୟୁତ ଡଲାର ଖର୍ଚ୍ଚ ହେବ ବୋଲି ହିସାବ କରାଯାଇଛି। ଏଥି ନିମନ୍ତେ ଏକ ସଫ୍ଟଓୟାରଭିତ୍ତିକ ପଥ ପ୍ରଦର୍ଶନକାରୀ ଆପ୍ ବିକଶିତ ହେବ। ଏହା ପାଲେ ଦି ନେସନ ଦପ୍ତରରେ ମୁତୟନ ହେଲେ ଏହାର ବ୍ୟବହାରକାରୀ ଏହି ଆପ୍ ସହାୟତାରେ ପାଂଚଟି ଯାକ ଅଟ୍ଟାଳିକାର ମୋଟ ୨୧ ତାଲାରେ ଥିବା ବିଭିନ୍ନ ଦପ୍ତର /କାର୍ଯ୍ୟାଳୟକୁ ଅନାୟସରେ ଯାଇପାରିବେ।

ଏହି ଆପ୍ ଏକ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ଡିଭାଇସ୍ ମାଧ୍ୟମରେ କାର୍ଯ୍ୟ କରିବ। ଆପ୍‌ର ବିକାଶ କାମ ସି-ଡଟ୍ ଉପରେ ନ୍ୟସ୍ତ କରାଯାଇଛି। ସି-ଡଟ୍ ଏକ ସ୍ୱୟଂ ଶାସିତ ଟେଲିକମ୍ ଗବେଷଣା ଓ ବିକାଶ କେନ୍ଦ୍ର ଏବଂ ଏହା ଭାରତ ସରକାରଙ୍କ ଟେଲି ଯୋଗାଯୋଗ ବିଭାଗ ଅଧୀନରେ ରହିଛି। ଭାରତ ପାଇଁ ଏହା ଏକ ମର୍ଯ୍ୟାଦାଜନକ ବିଷୟ। ଜାତିସଂଘକୁ ଏହା ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଦାନ ହେବ। ଏହାଛଡା “ମେଡ୍ ଇନ ଇଣ୍ଡିଆ ଆପ ମାଧ୍ୟମରେ ଭାରତ ବିଶ୍ୱକୁ ତାହାର ସଫ୍ଟଓୟାର ବିଶେଷତ୍ୱ ଦକ୍ଷତା ଏବଂ କୋମଳଶକ୍ତିର ପରିଚୟ ଦେଇପାରିବ।

Categories
ବିଶେଷ ଖବର

କଲମ୍ବୋରେ ବିମ୍‌ଷ୍ଟେକ୍ ଟେକ୍‌ନୋଲୋଜି ଟ୍ରାନ୍ସଫର ସେଣ୍ଟର ପ୍ରତିଷ୍ଠା ସଂକ୍ରାନ୍ତ ସହଯୋଗ ବୁଝାମଣାକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ବଙ୍ଗୋପସାଗରୀୟ ରାଷ୍ଟ୍ର ସମୂହଙ୍କ ମିଳିତ ବହୁପାକ୍ଷିକ ବୈଷୟିକ ଓ ଅର୍ଥନୀତିକ ସହଯୋଗ (ବିମ୍‌ଷ୍ଟେକ୍‌)ପ୍ରୟାସ ମାଧ୍ୟମରେ ଟେକ୍‌ନୋଲୋଜିର ଟ୍ରାନ୍ସଫର ପାଇଁ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି। ଭାରତ ଏହି ସଂଗଠନର ସଦସ୍ୟ। ୨୦୨୨ ମାର୍ଚ୍ଚ ୩୦ରେ ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ବିମ୍‌ଷ୍ଟେକ ରାଷ୍ଟ୍ରମାନଙ୍କର ଏକ ବୈଠକ ଅବସରରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ସଭ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଟେକ୍‌ନୋଲୋଜିର ଆଦାନପ୍ରଦାନ ଓ ସହଯୋଗ ରକ୍ଷା ଏହି ଚୁକ୍ତିର ମୁଖ୍ୟ ଉଦ୍ଦେଶ୍ୟ। ଟେକ୍‌ନୋଲୋଜି ସହାୟତାରେ ସଦସ୍ୟ ରାଷ୍ଟ୍ରଙ୍କର ଦକ୍ଷତା ବୃଦ୍ଧି ଉପରେ ଏହା ଗୁରୁତ୍ୱ ଦେଉଛି। ତଦନୁସାରେ କଲମ୍ବୋରେ ଏକ ବିମ୍‌ଷ୍ଟେକ ଟେକ୍‌ନୋଲୋଜି ଟ୍ରାନ୍ସଫର କେନ୍ଦ୍ର ପ୍ରତିଷ୍ଠା କରାଯିବ।

ଏହି ଟେକ୍‌ନୋଲୋଜି ଟ୍ରାନ୍ସଫରରେ ବାୟୋ ଟେକ୍‌ନୋଲୋଜି, ନାନୋ ଟେକ୍‌ନୋଲୋଜି, ଆଇସିଟି, ମହାକାଶ ଟେକ୍‌ନୋଲୋଜି, କୃଷି,ଖାଦ୍ୟ ପ୍ରକ୍ରିୟାକରଣ, ଔଷଧପତ୍ର,  ଅଟୋମେସନ୍‌, ନୂଆ ଓ ଅକ୍ଷୟଶକ୍ତି, ମହାସାଗର ଓ ଆଣବିକ, ଇ-ୱେଷ୍ଟ, କଠିନ ବର୍ଜ୍ୟ, ସ୍ୱାସ୍ଥ୍ୟ, ବିପର୍ଯ୍ୟୟ ପରିଚାଳନା ଓ ଜଳବାୟୁ ପରିବର୍ତ୍ତନ  ଟେକ୍‌ନୋଲୋଜି ଅଗ୍ରାଧିକାର ପାଇଛି।

ଟେକ୍‌ନୋଲୋଜି ଟ୍ରାନ୍ସଫର ଫ୍ୟାସିଲିଟି ବା ଟିଟିଏଫ ପାଇଁ ଏକ ପରିଚାଳନା ମଣ୍ଡଳୀ କାର୍ଯ୍ୟ କରିବ ଏବଂ ଏ କ୍ଷେତ୍ରରେ ସମସ୍ତ କାର୍ଯ୍ୟ ଏହା ଦେଖିବ। ଏହି ପରିଚାଳନା ମଣ୍ଡଳୀରେ  ସବୁ ବିମ୍‌ଷ୍ଟେକ ଦେଶର ପ୍ରତିନିଧିତ୍ୱ ରହିବ। ଏଥିରେ ଟେକ୍‌ନୋଲୋଜି ଡାଟା ବ୍ୟାଙ୍କ, ଟେକ୍‌ନୋଲୋଜି ସଂକ୍ରାନ୍ତ ସୂଚନାର ସଂରକ୍ଷଣ ଓ ସରବରାହ, ଦକ୍ଷତା ନିର୍ମାଣ ଆଦିକୁ ଅଗ୍ରାଧିକାର ପାଇଛି। ସବୁ ସଦସ୍ୟ ରାଷ୍ଟ୍ର ଜନ କଲ୍ୟାଣକାରୀ ଅତ୍ୟାଧୁନିକ ଟେକ୍‌ନୋଲୋଜିର ଲାଭ ଯେପରି ପାଇବେ ସେ ଦିଗରେ ଟେକ୍‌ନୋଲୋଜି ଟ୍ରାନ୍ସଫର ସେଣ୍ଟର ଓ ଏହାର ପରିଚାଳନା ମଣ୍ଡଳୀ କାର୍ଯ୍ୟ କରିବ।

Categories
ବିଶେଷ ଖବର

ଯୁବ ସେବା କ୍ଷେତ୍ରରେ ସହଯୋଗ ପାଇଁ ଉଦ୍ଦିଷ୍ଟ ଚୁକ୍ତିକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ସାଂଘାଇ ସହଯୋଗ ପ୍ରତିଷ୍ଠାନ (ଏସ୍‌ସିଓ)ର ସଦସ୍ୟ ରାଷ୍ଟ୍ରମାନଙ୍କ ଅଧିକୃତ ସଂସ୍ଥାରେ ଯୁବ ବ୍ୟପାର କ୍ଷେତ୍ରରେ ସହଯୋଗ ପାଇଁ ଉଦ୍ଦିଷ୍ଟ ଚୁକ୍ତିକୁ କେନ୍ଦ୍ର କ୍ୟାବିନେଟ ଆଜି ଅନୁମୋଦନ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଜି ଏହି ଚୁକ୍ତିକୁ ଅନୁମୋଦନ ଲାଭ କରିଛି। ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଏହି ଚୁକ୍ତି ବିଷୟରେ ଅବଗତ କରାଯାଇଥିଲା। ସେ ସବୁକଥା ବୁଝିବା ପରେ ଚୁକ୍ତିକୁ ମଞ୍ଜୁରୀ ମିଳିଛି।

ସୂଚନାଯୋଗ୍ୟ ସେ ସାଂଘାଇ ସହଯୋଗ ପ୍ରତିଷ୍ଠାନର ସଦସ୍ୟମାନେ ନିଜ ନିଜର ଅଧିକୃତ ସଂସ୍ଥାରେ ଯୁବସେବା କ୍ଷେତ୍ରରେ ପାରସ୍ପରିକ ସହଯୋଗ ପ୍ରତିଷ୍ଠା କରିବାକୁ ୨୦୨୧ ସେପ୍ଟେମ୍ବର ୯ତାରିଖରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ଗୃହିତ କରିଥିଲେ। ତଦନୁସାରେ ଭାରତର କ୍ରୀଡା ଓ ଯୁବ ବ୍ୟାପାରମନ୍ତ୍ରୀ ଏ ସଂକ୍ରାନ୍ତ ଏକ ରାଜିନାମାରେ ଭାରତପକ୍ଷରୁ ସ୍ୱାକ୍ଷର କରିଥିଲେ। ଏସ୍‌ସିଓ ସଚିବାଳୟରେ ସରକାରୀ ଭାଷା ରସିଆନ ଓ ଚାଇନିଜ୍।

ଏହି ରାଜିନାମା ଅନୁସାରେ ଯେଉଁସବୁ କ୍ଷେତ୍ରରେ ସହଯୋଗ ପ୍ରତିଷ୍ଠା ହେବ ସେଗୁଡିକ ମଧ୍ୟରୁ ଯୁବ ଓ ସର୍ବସାଧାରଣ ଯୁବ ପ୍ରତିଷ୍ଠାନ ତଥା ସଂଗଠନ , ଦେଶର ଯୁବ ନୀତିର କାର୍ଯ୍ୟକାରିତା, ଆନ୍ତର୍ଜାତିକ ଯୁବ ସହଯୋଗ ବୃଦ୍ଧି ଆଦି ଅନ୍ୟତମ। ଚୁକ୍ତି ଅନୁସାରେ ସଦସ୍ୟ ରାଷ୍ଟ୍ରମାନେ ଯୁବ ଆଦାନପ୍ରଦାନ, ତାଲିମ, ପରିଦର୍ଶନ, ବୈଜ୍ଞାନିକ ବିନିମୟ, ମିଳିତ ଗବେଷଣା, ବିଜ୍ଞାନଭିତିକ ପ୍ରକାଶନ ଆଦି କ୍ଷେତ୍ରରେ ସହଯୋଗ ଭିତ୍ତିରେ କାମ କରିବେ। ଏସ୍‌ସିଓର ଯୁବ ପରିଷଦର କାର୍ଯ୍ୟକ୍ରମକୁ ସବୁ ସଦସ୍ୟ ରାଷ୍ଟ୍ର କାର୍ଯ୍ୟକାରୀ କରିବାକୁ ସହାୟତା ଓ ସହଯୋଗ ଯୋଗାଇବେ।

ଏହି ଚୁକ୍ତିର ଲକ୍ଷ୍ୟ ହେଲା ଏସସିଓର ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ପାରସ୍ପରିକ ବିଶ୍ୱାସକୁ ସୁଦୃଢ କରି ନିଜର ଯୁବବର୍ଗଙ୍କ ମଧ୍ୟର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ବଢାଇବ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ଓ ଆମେରିକା ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଭାରତ ଓ ଆମେରିକା ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ ଅନୁମୋଦନ କରାଯାଇଛି। ଭାରତର ବାୟୋ ଟେକ୍‌ନୋଲୋଜି ବିଭାଗ (ଡିବିଟି) ଓ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍‌ଆର), ଆମେରିକାରର ଆନ୍ତର୍ଜାତିକ ପେଡସ୍ ଭ୍ୟାକ୍ସିନ ଇନିସିଏଟିଭ (ଆଇଏଭିଆଇ) ସହିତ ଏହି ଚୁକ୍ତି ସ୍ୱାକ୍ଷର କରିଛି। ଏହି ବୁଝାମଣାପତ୍ରର ସର୍ତ୍ତ ଅନୁସାରେ ଉଭୟପକ୍ଷ ମିଳିତ ଉଦ୍ୟମରେ ନୂଆ, ଉନ୍ନତ ଓ ଅଭିନବ ବାୟୋ ମେଡିକାଲ ଟୁଲ୍ସ ଓ ଟେକ୍‌ନୋଲୋଜି ବିକଶିତ କରିବା ଦିଗରେ କାମ କରିବେ ଏବଂ ଏଚଆଇଭି, ଟିବି, କୋଭିଡ-୧୯ ସମେତ ଅନ୍ୟାନ୍ୟ ନୂଆ ନୂଆ ସଂକ୍ରାମକ ରୋଗର ପ୍ରତିରୋଧ ଏବଂ ଚିକିତ୍ସା ପାଇଁ ଉଦ୍ୟମ କରିବେ।

ଏହି ବୁଝାମଣାପତ୍ର ମଧ୍ୟ ଆନ୍ତର୍ଜାତିକ ବୈଜ୍ଞାନିକ ତଥା ଟେକ୍‌ନୋଲୋଜି ସହଯୋଗ ବ୍ୟବସ୍ଥା ମଧ୍ୟରେ ଭାରତ-ଆମେରିକା ପାରସ୍ପରିକ ସ୍ୱାର୍ଥରକ୍ଷା ସମ୍ପର୍କକୁ ଅଧିକ ସୁଦୃଢ କରିବ।

Categories
ବିଶେଷ ଖବର

ଭାରତ ଓ ଜାପାନ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଭାରତ ଓ ଜାପାନ ମଧ୍ୟରେ ସ୍ୱାକ୍ଷରିତ ଏକ ବୁଝାମଣାପତ୍ରକୁ ଅନୁମୋଦନ ଦିଆଯାଇଛି। ଏହି ବୁଝାମଣାପତ୍ରରେ ଜାପାନର ଜାତୀୟ ପରିବେଶ ଅଧ୍ୟୟନ ସଂସ୍ଥା (ଏନଆଇଇ) ଏବଂ ନୈନତାଲସ୍ଥିତ ଭାରତର ଆର୍ଯ୍ୟଭଟ୍ଟ ପର୍ଯ୍ୟବେକ୍ଷଣ ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ (ଏଆରଆଇଇଏସ) ସ୍ୱାକ୍ଷର କରିଛନ୍ତି। ଏଆର୍‌ଆଇଏଏa ଏକ ପେସାଦାର ସଂଗଠନ। ଏହି ଦୁଇ ସଂସ୍ଥା ମିଶି ବାୟୁର ମାନ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ମିଳିତ ଗବେଷଣା କରିବେ। ପ୍ରଧାନମନ୍ତ୍ରୀ ଏହି ବୁଝାମଣାପତ୍ରର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ ହେବା ପରେ କ୍ୟାବିନେଟ ଏହାକୁ ଅନୁମୋଦନ କରିଛି। ବିଦେଶୀ ସଂସ୍ଥା ସହିତ ମିଳିତ ଗବେଷଣା କରିବାରେ ନୈନିତାଲ ଏଆରଆଇଇଏସର ଏହା ପ୍ରଥମ ପଦକ୍ଷେପ।

ବୁଝାମଣାପତ୍ର ଅନୁସାରେ ଦୁଇପକ୍ଷ ଯେଉଁ ସବୁ କାମ କରିବେ ତାହାର ସମ୍ଭାବ୍ୟ ରୂପରେଖ ତଳେ ଦିଆଯାଇଛି।

କ) ବୈଜ୍ଞାନିକ ଉପକରଣର ମିଳିତ ବ୍ୟବହାର ଓ ପରିଚାଳନା।

ଖ) ପର୍ଯ୍ୟବେକ୍ଷଣ ପ୍ରଣାଳୀ ସମ୍ପର୍କରେ ବୈଜ୍ଞାନିକ ଓ ବୈଷୟିକ ତଥ୍ୟର ଆଦାନପ୍ରଦାନ।

ଗ) ପର୍ଯ୍ୟବେକ୍ଷଣ ଗତ ତଥ୍ୟର ମିଳିତ ଅନୁଶୀଳନ କରି ବିଜ୍ଞାନଭତ୍ତିକ ରିପୋର୍ଟ ପ୍ରସ୍ତୁତି।

ଘ) ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ମିଳିତ କାର୍ଯ୍ୟକ୍ରମ।

ଙ) ଭିଜିଟିଂ ସ୍କଲାରଙ୍କ ଆଦାନପ୍ରଦାନ। ଗବେଷଣାକାରୀ (ପିଏଚ୍‌ଡି) ଛାତ୍ରଛାତ୍ରୀଙ୍କୁ ଅଧିକ ଗବେଷଣାର ସୁଯୋଗ ଦେବା ପାଇଁ ଉଭୟ ପକ୍ଷ ଆବଶ୍ୟକ ସୁବିଧା ଯୋଗାଇବେ।

ଚ) ମିଳିତ ବୈଜ୍ଞାନିକ କର୍ମଶାଳା ଓ ଆଲୋଚନାଚକ୍ରମାନ ଆୟୋଜିତ ହେବ।

ଏଆରଆଇଇଏ ସମ୍ପର୍କରେ

ପର୍ଯ୍ୟବେକ୍ଷଣ ବିଜ୍ଞାନ ଆର୍ଯ୍ୟଭଟ୍ଟ ଗବେଷଣା ପ୍ରତିଷ୍ଠାନ (ଆର୍ଯ୍ୟଭଟ୍ଟ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ଅଫ ଅବଜରଭେସନାଲ ସାଇନସେସ୍ (ଏଆରଆଇଇଏସ) ଏକ ସ୍ୱୟଂ ଶାସିତ ପ୍ରତିଷ୍ଠାନ। ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଦ୍ୱାରା ଏହା ପ୍ରତିଷ୍ଠା ହୋଇଛି। ଏହି ସଂସ୍ଥା  ଆଷ୍ଟ୍ରୋନୋମି, ଆଷ୍ଟ୍ରୋଫିଜିକ୍ସ, ଓ ଆଟମସ୍‌ଫିଅରିକ ସାଇନ୍ସର ଏକ ଉତ୍କର୍ଷ ଗବେଷଣା କେନ୍ଦ୍ରଭାବେ କାର୍ଯ୍ୟ କରୁଛି। ଏହା ବାୟୁ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ସୂର୍ଯ୍ୟ, ନକ୍ଷତ୍ର, ତାରାମଣ୍ଡଳ ଆଦିର ଗଠନ ଓ ବିବର୍ତ୍ତନ ଆଦି କ୍ଷେତ୍ରରେ ଗବେଷଣାର ସୁଯୋଗ ଯୋଗାଉଛି। ଏଥିରେ ବହୁ ଗବେଷକ, ବୈଜ୍ଞାନିକ, ବିଦ୍ୱାନ କାର୍ଯ୍ୟରତ। ଏଠାକାର ଗବେଷକ ମଧ୍ୟ ବିଭିନ୍ନ ପ୍ରକାର ଉନ୍ନତ ବୈଜ୍ଞାନିକ ଉପକରଣ ବିକଶିତ କରୁଛନ୍ତି। ସେମାନଙ୍କୁ ସାହାଯ୍ୟ କରିବାକୁ ଇଞ୍ଜିନିୟର ଓ ଟେକନିକାଲ ବିଶେଷଜ୍ଞ ଦଳ ରହିଛି। ଏହି ପ୍ରତିଷ୍ଠାନର ଦୁଇଟି କ୍ୟାମ୍ପସ ଉତ୍ତରାଖଣ୍ଡର ନୈନିତାଲରେ ରହିଛି। ଗୋଟିଏ କ୍ୟାମ୍ପସ ମନେରା ପିକ୍‌ରେ ଥିବାବେଳେ ଅନ୍ୟଟି ଦେବସ୍ଥଳରେ କାର୍ଯ୍ୟ କରୁଛି।

ଏନଆଇଇଏଏ ସମ୍ପର୍କରେ

ଜାପାନରେ ଜାତୀୟ ପରିବେଶ ଅଧ୍ୟୟନ ପ୍ରତିଷ୍ଠାନ (ଏନ୍‌ଆଇଇଏସ) ସେ ଦେଶର ଏକମାତ୍ର ସଂସ୍ଥା ଯାହା ପରିବେଶର ବିଭିନ୍ନ କ୍ଷେତ୍ରରେ ଗବେଷଣା ଓ ଅଧ୍ୟୟନ ର ସୁଯୋଗ ଯୋଗାଉଛି। ସବୁ ଗବେଷଣା ଓ ଅଧ୍ୟୟନ କାର୍ଯ୍ୟ ଆନ୍ତଃବିଷୟକ ଏବଂ ପୂର୍ଣ୍ଣାଙ୍ଗ। ପରିବେଶରେ ସୁରକ୍ଷା ପାଇଁ ପ୍ରତିକାର ଅବସ୍ଥା ବାହାର କରିବାକୁ ଏହି ସଂସ୍ଥା ସ୍ୱତନ୍ତ୍ର ଭାବେ କାମ କରୁଛି। ଏହା ମଧ୍ୟ ତାହାର ବିଭିନ୍ନ ଅଧ୍ୟୟନ ରିପୋର୍ଟ ଓ ଗବେଷଣାଲବ୍ଧ ତଥ୍ୟ ବିଭିନ୍ନ ଦେଶର ବୈଜ୍ଞାନିକ ସମୁଦାୟଙ୍କୁ ଯୋଗାଉଛି। ବୈଜ୍ଞାନିକ ସମୁଦାୟ ଓ ସମାଜ ମଧ୍ୟରେ ଏକ ସେତୁଭାବେ ଏହା କାର୍ଯ୍ୟ କରୁଛି। ଜାପାନ ସମେତ ଅନ୍ୟ କେତେକ ଦେଶରେ ପରିବେଶଗତ ନୀତିର ବିକାଶ ଏବଂ ଏହାର କାର୍ଯ୍ୟ କାରିତାରେ ଏହି ସଂସ୍ଥା ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଆସୁଛି। ଏହା ପରିବେଶ ଗବେଷଣା କ୍ଷେତ୍ରରେ ବିଶ୍ୱର ଏକ ପ୍ରମୁଖ ତଥା ଅନ୍ୟତମ ପ୍ରତିଷ୍ଠିତ ଅନୁଷ୍ଠାନ।

Categories
ଜାତୀୟ ଖବର ବିଶେଷ ଖବର

2021-26 ବର୍ଷ ପାଇଁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାର କାର୍ଯ୍ୟକାରିତାକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ବୈଠକରେ ଆଜି 93,068 କୋଟି ଟଙ୍କା ବ୍ୟୟଅଟକଳ ସହିତ 2021-26 ବର୍ଷ ପାଇଁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (ପିଏମକେଏସୱାଇ)ର କାର୍ଯ୍ୟକାରିତାକୁ ଅନୁମୋଦନ କରାଯାଇଛି।

ରାଜ୍ୟମାନଙ୍କୁ 37,454 କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଏବଂ 2016-21 ବର୍ଷ ପାଇଁ ଭାରତ ସରକାରଙ୍କ ଦ୍ବାରା ଉପଲବ୍ଧ କରାଯାଇଥିବା 20,434.56 କୋଟି ଟଙ୍କାର ଋଣ ସେବାକୁ ମଧ୍ୟ ସିସିଇଏ ମଞ୍ଜୁରି ମିଳିଛି।

2021-26 ଅବଧିରେ ତ୍ବରାନ୍ବିତ ଜଳସେଚନ ଲାଭ କାର୍ଯ୍ୟକ୍ରମ (ଏଆଇବିପି), ହର ଖେତ କୋ ପାନି (ଏଚକେକେପି) ଏବଂ ଜଳଛାୟା ବିକାଶ ଉପାଦାନର କାର୍ଯ୍ୟକାରିତା ଜାରି ରଖିବାକୁ ମଧ୍ୟ ଅନୁମୋଦନ କରାଯାଇଛି।

ତ୍ବରାନ୍ବିତ ଜଳସେଚନ ଲାଭ କାର୍ଯ୍ୟକ୍ରମ – ଭାରତ ସରକାରଙ୍କର ଏକ ପ୍ରମୁଖ ଯୋଜନା ଯାହାର ଉଦ୍ଦେଶ୍ୟ ହେଉଛି ଜଳସେଚନ ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା। 2021-26 ଅବଧିରେ ଏଆଇବିପି ଅଧୀନରେ 13.88 ଲକ୍ଷ ହେକ୍ଟର ଜମିରେ ଅତିରିକ୍ତ ଜଳସେଚନ ସମ୍ଭାବନା ସୃଷ୍ଟି କରାଯିବ। 60ଟି ବର୍ତ୍ତମାନର ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରାଯିବା ପ୍ରତି ଧ୍ୟାନ ଦିଆଯିବା ବ୍ୟତୀତ 30.23 ଲକ୍ଷ ହେକ୍ଟର କମାଣ୍ଡ ଏରିଆ ବିକାଶ, ଅତିରିକ୍ତ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ହାତକୁ ନିଆଯାଇପାରିବ। ଜନଜାତି ଏବଂ ମରୁଡ଼ି ପ୍ରବଣ କ୍ଷେତ୍ରରେ ପ୍ରକଳ୍ପଗୁଡ଼ିକୁ ଯୋଜନାରେ ସାମିଲ କରାଯିବାର ସର୍ତ୍ତାବଳୀକୁ କୋହଳ କରାଯାଇଛି।

ଦୁଇଟି ଜାତୀୟ ପ୍ରକଳ୍ପ- ହିମାଚଳ ପ୍ରଦେଶର ରେଣୁକାଜି ନଦୀବନ୍ଧ ଏବଂ ଉତ୍ତରାଖଣ୍ଡର ଲଖୱାର ବହୁମୁଖି ପ୍ରକଳ୍ପ ପାଇଁ 90% କେନ୍ଦ୍ରୀୟ ପାଣ୍ଠି ବ୍ୟବସ୍ଥା କରାଯାଇଛି। ଏହି ଦୁଇଟି ପ୍ରକଳ୍ପ ଯମୁନା ବେସିନରେ ଭଣ୍ଡାରଣ ଆରମ୍ଭ କରିବ ଯାହା ଯମୁନା ନଦୀର ଉପର ମୁଣ୍ଡରେ ରହିଥିବା 6ଟି ରାଜ୍ୟକୁ ଲାଭାନ୍ବିତ କରିବ। ଦିଲ୍ଲୀ ସମେତ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ହରିୟାଣା ଓ ରାଜସ୍ଥାନକୁ ଜଳଯୋଗାଣ ସୁବିଧା କରିବା ସହିତ ଯମୁନା ନଦୀର ପୁନରୁଦ୍ଧାର ଦିଗରେ ଏକ ବୃହତ ପଦକ୍ଷେପ ହେବ।

ହର କ୍ଷେତ କୋ ପାନି (ଏଚକେକେପି)ର ଲକ୍ଷ୍ୟ ହେଉଛି ଚାଷ ଜମିକୁ ଜଳସେଚନ ସୁବିଧା ବଢ଼ାଇବା ଏବଂ ଅଧିକ ଚାଷ ଜମିକୁ ସୁନିଶ୍ଚିତ ଜଳସେଚନ ପରିଧି ମଧ୍ୟକୁ ଆଣିବା। ଏଚକେକେପି ଅଧୀନରେ, ଭୂପୃଷ୍ଠ କ୍ଷୁଦ୍ର ଜଳସେଚନ ଏବଂ ପିଏମକେଏସୱାଇର ଜଳାଶୟ ଉପାଦାନର ମରାମତି-ପୁନରୁଦ୍ଧାର-ପୁନଃକାର୍ଯ୍ୟକ୍ଷମ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହା 4.5 ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିବ।

ଜଳାଶୟ ପୁନରୁଦ୍ଧାରର ଗୁରୁତ୍ବକୁ ଦୃଷ୍ଟିରେ ରଖି ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ପାଣ୍ଠି ଯୋଗାଣରେ ପରିବର୍ତ୍ତନ ଆଣିବାର ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର କରିଛି। ଏଥିରେ ପ୍ରକଳ୍ପଗୁଡ଼ିକୁ ସାମିଲ କରିବାର ସର୍ତ୍ତାବଳୀରେ ଗୁରୁତ୍ବପୂର୍ଣ୍ଣ ସମ୍ପ୍ରସାରଣ କରାଯାଇଛି ଏବଂ ସାଧାରଣ କ୍ଷେତ୍ରରେ କେନ୍ଦ୍ରୀୟ ସହାୟତାକୁ 25%ରୁ 60% କରି ଦିଆଯାଇଛି। ଆହୁରି, ଏଚକେକେପିର ଭୂତଳ ଜଳ ଉପାଦାନକୁ 2021-22 ଆର୍ଥିକ ବର୍ଷ ପାଇଁ ଅନୁମୋଦନ କରାଯାଇଛି, ଏହା ମାଧ୍ୟମରେ 1.52 ଲକ୍ଷ ହେକ୍ଟର ଜମିକୁ ଜଳସେଚନ ନିମନ୍ତେ ଲକ୍ଷ୍ୟ ରଖାଯାଇଛି।

ଜଳଛାୟା ବିକାଶ ଉପାଦାନରେ ମୃତ୍ତିକା ଓ ଜଳ ସଂରକ୍ଷଣ ପାଇଁ ବର୍ଷା ଜଳସେଚିତ କ୍ଷେତ୍ରର ବିକାଶ, ଭୂତଳ ଜଳ ସୃଷ୍ଟି, ମାଟି ବୋହିଯିବାର ନିରାକରଣ ତଥା ଜଳ ସଂରକ୍ଷଣ ତଥା ପରିଚାଳନା ସମ୍ବନ୍ଧୀୟ ବିସ୍ତାର ଗତିବିଧିକୁ ପ୍ରୋତ୍ସାହିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଜମି ସମ୍ବଳର ବିକାଶ ପାଇଁ ମଞ୍ଜୁରିପ୍ରାପ୍ତ ଜଳଛାୟା ବିକାଶ ଉପାଦାନରେ 2021-26 ବର୍ଷ ପାଇଁ ସଂରକ୍ଷିତ ଜଳସେଚନ ଅଧୀନରେ, ଅତିରିକ୍ତ 2.5 ଲକ୍ଷ ହେକ୍ଟର ଜମି ସାମିଲ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। 49.5 ଲକ୍ଷ ହେକ୍ଟର ବର୍ଷା ଜଳସେଚିତ/ଅନୁର୍ବର ଜମିକୁ କଭର କରୁଥିବା ମଞ୍ଜୁରିପ୍ରାପ୍ତ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ଲାଗି ପରିକଳ୍ପନା କରାଯାଇଛି। ସ୍ମ୍ରିଙ୍ଗଶେଡ ବିକାଶ ପାଇଁ ଏକ ସ୍ବତନ୍ତ୍ର ବ୍ୟବସ୍ଥା ଏହି କାର୍ଯ୍ୟକ୍ରମରେ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣର ସମ୍ପ୍ରସାରଣକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମାର୍ଚ୍ଚ 2021 ଠାରୁ ମାର୍ଚ୍ଚ 2024 ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମଏୱାଇ-ଜି)ର ସମ୍ପ୍ରସାରଣ ଲାଗି ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ଯୋଜନାରେ ମୋଟ 2.95 କୋଟି ଆବାସ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏଥିମଧ୍ୟରୁ ଅବଶିଷ୍ଟ 155.75 ଲକ୍ଷ ଆବାସ ନିର୍ମାଣ ପାଇଁ କେନ୍ଦ୍ର ସରକାର ଆର୍ଥିକ ଅନୁଦାନ ଯୋଗାଇ ଦେବେ।

କ୍ୟାବିନେଟ ବୈଠକରେ ନିମ୍ନ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରାଯାଇଛି:

– ପ୍ରଚଳିତ ନିୟମ ଅନୁଯାୟୀ ମାର୍ଚ୍ଚ 2021 ଠାରୁ ମାର୍ଚ୍ଚ 2024 ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାକୁ ଜାରି ରଖାଯିବ। ଏହି ଯୋଜନାରେ95 କୋଟି ଆବାସ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ସେଥିମଧ୍ୟରୁ ଅବଶିଷ୍ଟ ଆବାସ ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

– ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ମୋଟ95 କୋଟି ଆବାସ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏଥିମଧ୍ୟରୁ ଅବଶିଷ୍ଟ 155.75 ଲକ୍ଷ ଆବାସ ନିର୍ମାଣ ପାଇଁ ମୋଟ 2,17,257  କୋଟି ଟଙ୍କା ଖର୍ଚ୍ଚ କରାଯିବ। କେନ୍ଦ୍ର ସରକାର 1,25,106 କୋଟି ଏବଂ ରାଜ୍ୟ ସରକାର 73,475 କୋଟି ଟଙ୍କା ଖର୍ଚ୍ଚ କରିବେ। ଏହାବ୍ୟତୀତ ନାବାର୍ଡକୁ ସୁଧ ପଇଠ କରିବା ଲାଗି ଅତିରିକ୍ତ 18,676 କୋଟି ଟଙ୍କାର ଆବଶ୍ୟକତା ପଡ଼ିବ।

– ଅର୍ଥ ମନ୍ତ୍ରଣାଳୟ ସହିତ ପରାମର୍ଶ କରି ମୋଟ ବଜେଟ ଆଧାରିତ ସହାୟତା (ଜିବିଏସ) ଜରିଆରେ ଇବିଆର ପର୍ଯ୍ୟାୟ ନିର୍ଦ୍ଧାରଣ ଏବଂ ସମ୍ପୂର୍ଣ୍ଣ ଯୋଜନା ପାଇଁ ପାଣ୍ଠି ଯୋଗାଣ ବ୍ୟବସ୍ଥା କରାଯିବ।

– ହିମାଚଳ ପ୍ରଦେଶ, ହରିୟାଣା, ଗୋଆ, ପଞ୍ଜାବ, ଉତ୍ତରାଖଣ୍ଡ ଭଳି ପ୍ରତ୍ୟେକ କ୍ଷୁଦ୍ର ରାଜ୍ୟ; ଆସାମ ଓ ତ୍ରିପୁରାକୁ ଛାଡ଼ି ସମସ୍ତ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଏବଂ ଜମ୍ମୁ ଓ କଶ୍ମୀରକୁ ଛାଡ଼ି ଅନ୍ୟ ସମସ୍ତ କେନ୍ଦ୍ର ଶାସିତ ପ୍ରଦେଶକୁ ପ୍ରଶାସନିକ ପାଣ୍ଠିର କେନ୍ଦ୍ରୀୟ ଅଂଶଧନରୁ ବାର୍ଷିକ 45 ଲକ୍ଷ ଟଙ୍କାର ଅତିରିକ୍ତ ପ୍ରଶାସନିକ ପାଣ୍ଠି ଜାରି କରାଯିବ। ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ଜାରି କରାଯାଉଥିବା70 ପ୍ରତିଶତ ପ୍ରଶାସନିକ ପାଣ୍ଠି ଠାରୁ ଅତିରିକ୍ତ ଏବଂ ଅଧିକ ଏହି ପାଣ୍ଠି ଯୋଗାଇ ଦିଆଯିବ।

– 2023-24 ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ପରିଚାଳନା ୟୁନିଟ (ପିଏମୟୁ) ଏବଂ ଜାତୀୟ ବୈଷୟିକ ସହାୟତା ଏଜେନ୍ସି (ଏନଟିଏସଏ) ଜାରି ରହିବ।

ଲାଭ:

ମାର୍ଚ୍ଚ 2024 ପର୍ଯ୍ୟନ୍ତ ଏହି ଯୋଜନା ଜାରି ରହିବା ଫଳରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ଧାର୍ଯ୍ୟ କରାଯାଇଥିବା ସର୍ବମୋଟ 2.95 କୋଟି ଆବାସ ନିର୍ମାଣ ଲକ୍ଷ୍ୟ ମଧ୍ୟରୁ ଅବଶିଷ୍ଟ 155.75 ଲକ୍ଷ ଆବାସ ନିର୍ମାଣ ସୁନିଶ୍ଚିତ ହେବ। ସମ୍ପ୍ରସାରିତ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ “ସମସ୍ତଙ୍କ ପାଇଁ ଆବାସ” ଲକ୍ଷ୍ୟ ହାସଲ କରିବା ଲାଗି ସମସ୍ତ ମୌଳିକ ସୁବିଧା ସୁଯୋଗ ଥିବା ପକ୍କା ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

29 ନଭେମ୍ବର 2021 ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ମୋଟ 2.95 କୋଟି ଆବାସ ଲକ୍ଷ୍ୟ ମଧ୍ୟରୁ 1.65 କୋଟି ଆବାସ ନିର୍ମାଣ କରାଯାଇସାରିଛି। 2022 ଅଗଷ୍ଟ 15 ତାରିଖ ସୁଦ୍ଧା ଧାର୍ଯ୍ୟ ସମୟସୀମା ମଧ୍ୟରେ 2.02 କୋଟି ଆବାସ ନିର୍ମାଣ କରାଯାଇପାରିବ ବୋଲି ଆକଳନ କରାଯାଇଛି, ଏହା ଏସଇସିସି 2011 ଡାଟାବେସ ଉପରେ ଆଧାରିତ ସ୍ଥାୟୀ ପ୍ରତୀକ୍ଷା ସୂଚୀ ସହ ପ୍ରାୟତଃ ସମାନ। ତେଣୁ 2.95 କୋଟି ପକ୍କା ଆବାସ ଲକ୍ଷ୍ୟ ହାସଲ କରିବା ଲାଗି ଏହି ଯୋଜନା ମାର୍ଚ୍ଚ 2024 ପର୍ଯ୍ୟନ୍ତ ଜାରି ରହିବାର ଆବଶ୍ୟକତା ରହିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଉଚ୍ଚମାନର ସୋଲାର ପିଭି ମଡ୍ୟୁଲ ଉତ୍ପାଦନ ପାଇଁ ଦିଆଯିବ ପ୍ରୋତ୍ସାହନ, କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଦେଶରେ ଅତି ଉଚ୍ଚମାନର ସୋଲାର ପିଭି ନିର୍ମାଣ ପାଇଁ ଉଦ୍ଧିଷ୍ଟ ଜାତୀୟ କାର‌୍ୟ୍ୟକ୍ରମ ନିମନ୍ତେ ଉତ୍ପାଦନଭିତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇ) ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଯୋଜନାରେ ଯେଉଁ ସବୁ ଉଦ୍ୟୋଗ ଉଚ୍ଚମାନର ସୋଲାର ପି.ଭି ଉତ୍ପାଦନ କରିବେ ସେମାନଙ୍କୁ ପିଏଲଆଇର ଅନ୍ତର୍ଭୁକ୍ତ କରିବା ପାଇଁ ନୂଆ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପ୍ରସ୍ତାବ ଉପସ୍ଥାପନ କରିଥିଲା । ଏହାକୁ ଅନୁଧ୍ୟାନ କରିବା ପରେ କ୍ୟାବିନେଟ ଅନୁମୋଦନ କରିଛି ।

ଏଥିପାଇଁ ୪,୫୦୦ କୋଟି ଟଙ୍କାର ଯେଉଁ ଜାତୀୟ କାର‌୍ୟ୍ୟକ୍ରମ ହାତକୁ ନିଆଯାଇଛି ସେଥିରେ ଜିଗାୱାଟ ସ୍ତରର ଅତି ଉଚ୍ଚମାନର ସୌର ପିଭି ମଡ୍ୟୁଲ ଦେଶରେ ତିଆରି କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏବେ ଭାରତରେ ଯେଉଁ ସୌରଶକ୍ତି ଉତ୍ପାଦନ କରାଯାଉଛି ସେଥିରେ ବ୍ୟବହୃତ ପିଭି ସେଲ ପାଇଁ ମୁଖ୍ୟତଃ ଆମଦାନୀ ଉପରେ ନିର୍ଭର କରିବାକୁ ପଡୁଛି । ଏହି ଧରଣର ସୋଲାର ପିଭି ମଡ୍ୟୁଲ ଦେଶରେ ଅତି କମ୍ ପରିମାଣରେ ତିଆରି ହେଉଛି । ତେଣୁ ବିଜୁଳି ଭଳି ଅତି ଅତ୍ୟାବଶ୍ୟକ କ୍ଷେତ୍ରର ଜରୁରୀ ଆବଶ୍ୟକତା ପୂରଣ ଓ ଅଣପାରମ୍ପରିକ ଶକ୍ତି ଉତ୍ପାଦନ ପାଇଁ ଏହି ସ୍ୱଦେଶୀ ମଡ୍ୟୁଲ ବିଶେଷ ଜରୁରୀ । ଏହାଦ୍ୱାରା ଭାରତର ଆମଦାନୀ ଚାହିଦା ଯଥେଷ୍ଟ କମିବ ।

ଯେଉଁ କମ୍ପାନୀ ଓ ଉଦ୍ୟୋଗୀମାନେ ସୋଲାର ପିଭି ଉତ୍ପାଦନ କରିବେ ସେମାନଙ୍କୁ ଏକ ସ୍ୱଚ୍ଛ ଓ ପ୍ରତିଯୋଗିତାମୂଳକ ବିଡିଂ ପ୍ରକ୍ରିୟାରେ ମନୋନୀତ କରାଯିବ । ମନୋନୀତ ଉଦ୍ୟୋଗଗୁଡିକ ୫ବର୍ଷ ପାଇଁ ପିଏଲଆଇ ସ୍କିମ୍ ବା ଉତ୍ପାଦନଭିତିକ ପ୍ରୋତ୍ସାହନ ଯୋଜନାରେ ସରକାର ପ୍ରୋତ୍ସାହନ ଯୋଗାଇବେ । ସମ୍ପୃକ୍ତ ଶିଳ୍ପ ସଂସ୍ଥା ଉତ୍ପାଦନ ଆରମ୍ଭ କରିବା ପରେ ଏହି ପ୍ରୋତ୍ସାହନ ପାଇବାକୁ ହକ୍‌ଦାର ହେବେ । ନିଜର ଉତ୍ପାଦିତ ସାମଗ୍ରୀ ବିକ୍ରି ଉପରେ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ ।

ଦେଶୀ ବା ସ୍ଥାନୀୟ ବଜାରରୁ ଆବଶ୍ୟକ ଉପାଦାନ ସଂଗ୍ରହ କରି ଉଚ୍ଚମାନର ସୋଲାର ପିଭି ନିର୍ମାତାଙ୍କୁ ମଧ୍ୟ ପୁରସ୍କୃତ କରାଯିବ । ତେଣୁ ସ୍ଥାନୀୟ ମୂଲ୍ୟ ମିଶ୍ରଣ ଓ ଉଚ୍ଚମାନର ପିଭି ନିର୍ମାଣ ପାଇଁ ପ୍ରୋତ୍ସାହନ ରାଶି ବଢିବ ।

ଏହି ଯୋଜନାରେ ସରକାର ଅତିରିକ୍ତ ୧୦ହଜାର ମେଗାୱାଟ ସୌରଶକ୍ତି ଉତ୍ପାଦନ ପାଇଁ ଭିତ୍ତିଭୂମି ନିର୍ମାଣ କରିପାରିବେ । ଏହାଛଡା ସୋଲାର ପିଭି ଉତ୍ପାଦନ ଉଦ୍ୟୋଗରେ ସିଧାସଳଖ ୧୭,୨୦୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବ ।

ମେଟେରିଆଲ ବାଲାନ୍ସ (ସାମଗ୍ରୀ ମହଜୁଦ) ପାଇଁ ୫ବର୍ଷ ନିମନ୍ତେ ୧୭, ୫୫୦କୋଟି ଟଙ୍କାର ଚାହିଦା ସୃଷ୍ଟି ହେବ । ଏହାଦ୍ୱାରା ୩୦ହଜାର ଲୋକ ପ୍ରତ୍ୟକ୍ଷ ଏବଂ ୨୦ହଜାର ଲୋକ ପରୋକ୍ଷ ନିଯୁକ୍ତି ସୁବିଧା ପାଇବେ । ପ୍ରତିବର୍ଷ ଏ ବାବଦରେ ଭାରତ ୧୭,୫୦୦କୋଟି ଟଙ୍କାର ଆମଦାନୀ ହ୍ରାସ କରିପାରିବ । ସର୍ବୋପରି ଏହା ଦ୍ୱାରା ଉଚ୍ଚମାନର ସୋଲାର ପିଭି ନିର୍ମାଣ ପାଇଁ ଗବେଷଣା ଓ ଉନ୍ନୟନ କାର‌୍ୟ୍ୟକୁ ପ୍ରୋତ୍ସାହନ ମିଳିବ ।