Categories
ଆଜିର ଖବର ଜାତୀୟ ଖବର

ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ପାଇଁ ମାର୍ଗପ୍ରଶସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଆନିମେସନ୍, ଭିଜୁଆଲ ଇଫେକ୍ଟସ, ଗେମିଂ, କମିକ୍ସ ଆଣ୍ଡ ଏକ୍ସଟେଣ୍ଡେଡ୍ ରିଆଲିଟି (ଏଭିଜିସି-ଏକ୍ସଆର) ପାଇଁ ଜାତୀୟ ଉତ୍କର୍ଷ କେନ୍ଦ୍ର (ଏନସିଓଇ) ପ୍ରତିଷ୍ଠା କୁ ମଞ୍ଜୁର କରାଯାଇଛି। କମ୍ପାନୀ ଆଇନ ୨୦୧୩ର ଧାରା ୮ ଅଧୀନରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯିବାକୁ ଥିବା ବେଳେ ଭାରତ ସରକାରଙ୍କ ସହିତ ଶିଳ୍ପ ସଂସ୍ଥାଗୁଡ଼ିକର ପ୍ରତିନିଧି ଭାବେ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ ଏବଂ କନଫେଡରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରୀ ଏଥିରେ ସହଭାଗୀ ରହିବେ। ଏନସିଓଇ ମହାରାଷ୍ଟ୍ରର ମୁମ୍ବାଇଠାରେ ପ୍ରତିଷ୍ଠା କରାଯିବ। ଦେଶରେ ଏକ ଏଭିଜିସି ଟାସ୍କ ଫୋର୍ସ ଗଠନ ପାଇଁ ୨୦୨୨-୨୩ ବର୍ଷ ପାଇଁ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀଙ୍କ ବଜେଟ୍ ଘୋଷଣା ଅନୁଯାୟୀ ଏହା କରାଯାଇଛି।

ଏଭିଜିସି-ଏକ୍ସଆର କ୍ଷେତ୍ର ଆଜି ଚଳଚ୍ଚିତ୍ର ନିର୍ମାଣ, ଓଭର ଦ ଟପ୍ (ଓଟିଟି) ପ୍ଲାଟଫର୍ମ, ଗେମିଂ, ବିଜ୍ଞାପନ ଏବଂ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଅନ୍ୟାନ୍ୟ ସାମାଜିକ କ୍ଷେତ୍ର ସମେତ ଗଣମାଧ୍ୟମ ଓ ମନୋରଞ୍ଜନର ସମଗ୍ର କ୍ଷେତ୍ରରେ ଏକ ଅପରିହାର୍ଯ୍ୟ ଭୂମିକା ଗ୍ରହଣ କରୁଛି ଯେଉଁଥିରେ ଦେଶର ଅଭିବୃଦ୍ଧି କାହାଣୀର ସାମଗ୍ରିକ ଢାଞ୍ଚା ଏଥିରେ ସାମିଲ ରହିଛି। ଦ୍ରୁତ ବିକଶିତ ଜ୍ଞାନକୌଶଳ ଓ ସମଗ୍ର ଦେଶରେ ଇଣ୍ଟରନେଟ୍ ବ୍ୟବହାର ବୃଦ୍ଧି ଏବଂ ସବୁଠାରୁ ଶସ୍ତା ଡାଟା ହାର ସହିତ ବିଶ୍ୱସ୍ତରରେ ଏଭିଜିସି-ଏକ୍ସଆରର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇବାକୁ ଯାଉଛି।

ଏଭିଜିସି ଏକ୍ସଆର କ୍ଷେତ୍ରର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା

ଏହି କ୍ଷୀପ୍ର ଗତିକୁ ବଜାୟ ରଖିବା ପାଇଁ ଦେଶର ଏଭିଜିସି-ଏକ୍ସଆର୍ ଇକୋସିଷ୍ଟମକୁ ଆଗକୁ ନେବା ନିମନ୍ତେ ସର୍ବୋଚ୍ଚ ଅନୁଷ୍ଠାନ ଭାବେ କାର୍ଯ୍ୟ କରିବା ଲାଗି ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ଏନସିଓଇ ଉଭୟ ସୌଖିନ ଏବଂ ପେସାଦାରମାନଙ୍କୁ ଅତ୍ୟାଧୁନିକ ଏଭିଜିସି-ଏକ୍ସଆର ଟେକ୍ନୋଲୋଜିରେ ଅତ୍ୟାଧୁନିକ ଦକ୍ଷତାରେ ପ୍ରଶିକ୍ଷିତ କରିବା ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ-ସହ-ତାଲିମ କାର୍ଯ୍ୟକ୍ରମ ପ୍ରଦାନ କରିବ। ଏହି କେନ୍ଦ୍ର ଗବେଷଣା ଓ ବିକାଶକୁ ପ୍ରୋତ୍ସାହିତ କରିବ ଏବଂ କମ୍ପ୍ୟୁଟର ବିଜ୍ଞାନ, ଇଞ୍ଜିନିୟରିଂ, ଡିଜାଇନ୍ ଏବଂ କଳା ଭଳି ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ଏକତ୍ରିତ କରିବ ଯାହା ଏଭିଜିସି-ଏକ୍ସଆର କ୍ଷେତ୍ରରେ ବଡ଼ ସଫଳତା ଆଣିପାରିବ। ଏହି ଜାତୀୟ ଉତ୍କର୍ଷ କେନ୍ଦ୍ର ଉଭୟ ଘରୋଇ ଉପଭୋକ୍ତା ଏବଂ ବିଶ୍ୱସ୍ତରୀୟ ସମ୍ପର୍କ ପାଇଁ ଭାରତର ଆଇପି ସୃଷ୍ଟି ଉପରେ ମଧ୍ୟ ବ୍ୟାପକ ଧ୍ୟାନ ଦେବ, ଯାହା ଭାରତର ସମୃଦ୍ଧ ଐତିହାସିକ ଏବଂ ସାଂସ୍କୃତିକ ଐତିହ୍ୟ ଉପରେ ଆଧାରିତ ବିଷୟବସ୍ତୁ ସୃଷ୍ଟି କରିବ। ଏହାବ୍ୟତୀତ ଏଭିଜିସି-ଏକ୍ସଆର କ୍ଷେତ୍ରରେ ଷ୍ଟାର୍ଟଅପ୍ ଏବଂ ପ୍ରାରମ୍ଭିକ ପର୍ଯ୍ୟାୟ କମ୍ପାନୀଗୁଡ଼ିକୁ ପୋଷଣ କରିବା ପାଇଁ ସମ୍ବଳ ଯୋଗାଇ ଏନସିଓଇ ଏକ ଇନକ୍ୟୁବେସନ୍ ସେଣ୍ଟର ଭାବରେ କାର୍ଯ୍ୟ କରିବ। ଏହାଛଡ଼ା ଏନସିଓଇ କେବଳ ଏକାଡେମିକ୍ ଉତ୍‌ପ୍ରେରକ ଭାବେ ନୁହେଁ ବରଂ ଏକ ଉତ୍ପାଦନ/ ଶିଳ୍ପ ଉତ୍‌ପ୍ରେରକ ଭାବେ ମଧ୍ୟ କାର୍ଯ୍ୟ କରିବ।

ଏଭିଜିସି-ଏକ୍ସଆର ଶିଳ୍ପର ଅଭିବୃଦ୍ଧି ପାଇଁ ଏହି ଏନସିଓଇକୁ ପ୍ରୋତ୍ସାହନକାରୀ ଶକ୍ତି ଭାବରେ ଅବସ୍ଥାପିତ କରି ଏହା ଦେଶର ସମସ୍ତ ଅଞ୍ଚଳର ଯୁବକମାନଙ୍କ ପାଇଁ ନିଯୁକ୍ତିର ଏକ ବୃହତ୍ତମ ଉତ୍ସ ଭାବରେ କାର୍ଯ୍ୟ କରିବ। ଏହା ସୃଜନଶୀଳ କଳା ଏବଂ ଡିଜାଇନ୍ କ୍ଷେତ୍ରକୁ ବ୍ୟାପକ ପ୍ରୋତ୍ସାହନ ଦେବ ଏବଂ ଆତ୍ମନିର୍ଭର ଭାରତ ଅଭିଯାନର ଲକ୍ଷ୍ୟକୁ ଆଗକୁ ବଢ଼ାଇବାରେ ଭାରତକୁ ଏଭିଜିସି-ଏକ୍ସଆର୍ କାର୍ଯ୍ୟକଳାପର କେନ୍ଦ୍ର ରେ ପରିଣତ କରିବ।

ଏଭିଜିସି-ଏକ୍ସଆର ପାଇଁ ଏନସିଓଇ ଭାରତକୁ ଅତ୍ୟାଧୁନିକ ବିଷୟବସ୍ତୁ ଯୋଗାଇ ଦେବା ପାଇଁ ଏକ ବିଷୟବସ୍ତୁ କେନ୍ଦ୍ର ଭାବରେ ଅବସ୍ଥାପିତ କରିବ ଯାହାଦ୍ୱାରା ବିଶ୍ୱସ୍ତରରେ ଭାରତର ସଫ୍ଟ ପାୱାର ବଢ଼ିବ ଏବଂ ମିଡିଆ ଓ ମନୋରଞ୍ଜନ କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶ ଆକୃଷ୍ଟ ହେବ।

Categories
ଜାତୀୟ ଖବର ବିଶେଷ ଖବର

ଉଚ୍ଚ କାର୍ଯ୍ୟଦକ୍ଷତା ବିଶିଷ୍ଟ ଜୈବ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଲାଗି ବାୟୋ -ଇଥ୍ରୀ ନୀତିକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଉଚ୍ଚ କାର୍ଯ୍ୟଦକ୍ଷତା ବିଶିଷ୍ଟ ଜୈବ ଉତ୍ପାଦନ ବା ବାୟୋ-ମ୍ୟାନୁଫାକ୍ଚରିଂକୁ ପ୍ରୋତ୍ସାହନ ଦେବା ଲାଗି ବାୟୋ-ଇଥ୍ରୀ (ଅର୍ଥବ୍ୟବସ୍ଥା, ପରିବେଶ ଓ ନିଯୁକ୍ତି ପାଇଁ ବାୟୋଟେକ୍ନୋଲୋଜି) ନୀତି ପାଇଁ ବାୟୋଟେକ୍ନୋଲୋଜି ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ବାୟୋ-ଇଥ୍ରୀ ନୀତିର ମୁଖ୍ୟ ବୈଶିଷ୍ଟ୍ୟ ଗୁଡ଼ିକ ମଧ୍ୟରେ ଗବେଷଣା ଓ ବିକାଶ ଏବଂ ବିଷୟଗତ କ୍ଷେତ୍ରରେ ଉଦ୍ୟୋଗ ପାଇଁ ଉଦ୍ଭାବନ-ପରିଚାଳିତ ସମର୍ଥନ ଅନ୍ତର୍ଭୁକ୍ତ। ଏହା ଜୈବ ଉତ୍ପାଦନ ଓ ବାୟୋ-ଏଆଇ ହବ୍ ଏବଂ ବାୟୋ-ଫାଉଣ୍ଡ୍ରି ପ୍ରତିଷ୍ଠା କରି ପ୍ରଯୁକ୍ତି ବିଦ୍ୟା ବିକାଶ ଓ ବ୍ୟବସାୟୀକରଣକୁ ତ୍ୱରାନ୍ୱିତ କରିବ। ସବୁଜ ଅଭିବୃଦ୍ଧିର ବାୟୋଇକୋନୋମି ବା ଜୈବ ଅର୍ଥବ୍ୟବସ୍ଥା ମଡେଲକୁ ପ୍ରାଥମିକତା ଦେବା ସହିତ ଏହି ନୀତି ଭାରତର କୁଶଳୀ ଶ୍ରମଶକ୍ତିର ସମ୍ପ୍ରସାରଣ ଏବଂ ନିଯୁକ୍ତି ସୃଷ୍ଟିକୁ ସହଜ କରିବ।

ମୋଟାମୋଟି ଭାବେ ଏହି ନୀତି ‘ନେଟ୍ ଜିରୋ କାର୍ବନ ଇକୋନୋମି’ ବା ଅଙ୍ଗାରକାମ୍ଳମୁକ୍ତ ଅର୍ଥବ୍ୟବସ୍ଥା ଏବଂ ‘ଲାଇଫ୍ ଷ୍ଟାଇଲ୍ ଫର୍ ଏନଭାଇରନମେଣ୍ଟ୍’ ବା ପରିବେଶ ପାଇଁ ଜୀବନଶୈଳୀ ଭଳି ସରକାରଙ୍କ ପଦକ୍ଷେପକୁ ଆହୁରି ସୁଦୃଢ଼ କରିବ। ଏଥିସହିତ ‘ସର୍କୁଲାର ବାୟୋଇକୋନୋମି’ ବା ଚକ୍ରାକାର ଜୈବଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ କରି ଭାରତକୁ ‘ସବୁଜ ଅଭିବୃଦ୍ଧି’ ପଥରେ ଅଗ୍ରସର ହେବାକୁ ତ୍ୱରାନ୍ୱିତ କରିବ। ବାୟୋ-ଇଥ୍ରୀ ନୀତି ଭବିଷ୍ୟତକୁ ପ୍ରୋତ୍ସାହିତ କରିବ ଏବଂ ଆଗକୁ ବଢ଼ାଇବ, ଯାହା ବିଶ୍ୱସ୍ତରୀୟ ଆହ୍ୱାନର ଅଧିକ ସ୍ଥାୟୀ, ଅଭିନବ ଏବଂ ଉତ୍ତରଦାୟୀ ପ୍ରତିକ୍ରିୟା ସହ ଜଡିତ। ଏହି ନୀତି ଭାରତ ପାଇଁ ବିକଶିତ ଜୈବ ଦୃଷ୍ଟିକୋଣ ନିର୍ଦ୍ଧାରଣ କରେ।

ଜଳବାୟୁ ପରିବର୍ତ୍ତନ ପ୍ରଶମନ, ଖାଦ୍ୟ ନିରାପତ୍ତା ଏବଂ ମାନବ ସ୍ୱାସ୍ଥ୍ୟ ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ସମସ୍ୟାର ସମାଧାନ ପାଇଁ ସ୍ଥାୟୀ ଓ ଚକ୍ରୀୟ ପଦ୍ଧତିକୁ ପ୍ରୋତ୍ସାହିତ କରିବା ତଥା ଜୈବ ବିଜ୍ଞାନର ଶିଳ୍ପାୟନରେ ନିବେଶ କରିବା ନିମନ୍ତେ ଆମର ବର୍ତ୍ତମାନର ଯୁଗ ଏକ ଉପଯୁକ୍ତ ସମୟ। ଜୈବ ଭିତ୍ତିକ ଉତ୍ପାଦର ବିକାଶ ପରିପ୍ରେକ୍ଷୀରେ ଅତ୍ୟାଧୁନିକ ଉଦ୍ଭାବନକୁ ତ୍ୱରାନ୍ୱିତ କରିବା ପାଇଁ ଆମ ଦେଶରେ ଏକ ଶକ୍ତିଶାଳୀ ଜୈବ ଉତ୍ପାଦନ ଇକୋସିଷ୍ଟମ ନିର୍ମାଣ କରିବା ଜରୁରୀ।

ଔଷଧ ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀର ଉତ୍ପାଦନ କରିବା, କୃଷି ଓ ଖାଦ୍ୟ ସୁରକ୍ଷା ଆହ୍ୱାନର ସମାଧାନ କରିବା ଏବଂ ଉନ୍ନତ ଜୈବ ପ୍ରଯୁକ୍ତି ପ୍ରକ୍ରିୟାର ଏକୀକରଣ ମାଧ୍ୟମରେ ଜୈବ ଆଧାରିତ ଉତ୍ପାଦର ଉତ୍ପାଦନକୁ ପ୍ରୋତ୍ସାହନ ଦେବାର କ୍ଷମତା ଉଚ୍ଚ ପ୍ରଦର୍ଶନକାରୀ ଜୈବ ଉତ୍ପାଦନରେ ରହିଛି। ଜାତୀୟ ପ୍ରାଥମିକତା ଅନୁଯାୟୀ, ବାୟୋ-ଇଥ୍ରୀ ନୀତି ନିମ୍ନଲିଖିତ ରଣନୀତିକ/ବିଷୟଗତ କ୍ଷେତ୍ର ଉପରେ ବ୍ୟାପକ ଭାବରେ ଧ୍ୟାନ ଦେବ, ଯଥା : ଉଚ୍ଚ ମୂଲ୍ୟର ଜୈବ-ଭିତ୍ତିକ ରାସାୟନିକ ପଦାର୍ଥ, ବାୟୋପଲିମର୍ସ ଏବଂ ଏନଜାଇମ; ସ୍ମାର୍ଟ ପ୍ରୋଟିନ୍ ଏବଂ ଫଙ୍କସନାଲ ଫୁଡ୍‌; ନିର୍ଦ୍ଦିଷ୍ଟ ବାୟୋମେଡିସିନ୍; ଜଳବାୟୁ ସହନଶୀଳ କୃଷି; କାର୍ବନ ସ୍ତର ହ୍ରାସ ଏବଂ ଏହାର ଉପଯୋଗ; ସାମୁଦ୍ରିକ ଓ ମହାକାଶ ଗବେଷଣା।

Categories
ଆଜିର ଖବର ଜାତୀୟ ଖବର

ଭୂବିଜ୍ଞାନ ମନ୍ତ୍ରଣାଳୟର ଯୋଜନା ‘ପୃଥ୍ୱୀ’କୁ କ୍ୟାବିନେଟ୍‌ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୨୧-୨୬ ମଧ୍ୟରେ ମୋଟ ୪,୭୯୭ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେବାକୁ ଥିବା ଭୂ-ବିଜ୍ଞାନ ମନ୍ତ୍ରଣାଳୟର ବ୍ୟାପକ ଯୋଜନା “ପୃଥ୍ୱୀ ବିଜ୍ଞାନ- PRITHvi VIgyan (ପୃଥ୍ୱୀ)”କୁ ମଞ୍ଜୁରି ମିଳିଛି । ଏହି ପ୍ରମୁଖ ଯୋଜନାରେ “ବାୟୁମଣ୍ଡଳ ଏବଂ ଜଳବାୟୁ ଗବେଷଣା-ମଡେଲିଂ ପର୍ଯ୍ୟବେକ୍ଷଣ ପ୍ରଣାଳୀ ଏବଂ ସେବା (ଏଆରଏଏନ)”, “ମହାସାଗର ସେବା, ମଡେଲିଂ ଆପ୍ଲିକେସନ, ସମ୍ବଳ ଏବଂ ପ୍ରଯୁକ୍ତି (ଓ-ସ୍ମାର୍ଟ)”, “ପୋଲାର ସାଇନ୍ସ ଆଣ୍ଡ କ୍ରାୟୋସ୍ଫିୟର ରିସର୍ଚ୍ଚ (ପିଏସଆର)”, “ସିସ୍ମୋଲୋଜି ଏବଂ ଭୂବିଜ୍ଞାନ (ଏସଏଜିଇ)” ଏବଂ “ଗବେଷଣା, ଶିକ୍ଷା, ପ୍ରଶିକ୍ଷଣ ଏବଂ ପ୍ରସାର (ରିଚଆଉଟ)” ଭଳି ପାଞ୍ଚଟି ଉପ-ଯୋଜନା ଅନ୍ତର୍ଭୁକ୍ତ।

ବ୍ୟାପକ ପୃଥ୍ୱୀ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଗୁଡ଼ିକ ହେଲା:

ପୃଥିବୀ ପ୍ରଣାଳୀର ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଏବଂ ପରିବର୍ତ୍ତନର ରେକର୍ଡ କରିବା ଲାଗି ବାୟୁମଣ୍ଡଳ, ମହାସାଗର, ଭୂମଣ୍ଡଳ, କ୍ରାୟୋସ୍ଫିୟର ଏବଂ କଠିନ ଭୂଭାଗର ଦୀର୍ଘକାଳୀନ ପର୍ଯ୍ୟବେକ୍ଷଣକୁ ବଢ଼ାଇବା ଏବଂ ବଜାୟ ରଖିବା

ପାଣିପାଗ, ସମୁଦ୍ର ଏବଂ ଜଳବାୟୁ ବିପଦକୁ ବୁଝିବା ଏବଂ ପୂର୍ବାନୁମାନ କରିବା ଏବଂ ଜଳବାୟୁ ପରିବର୍ତ୍ତନର ବିଜ୍ଞାନକୁ ବୁଝିବା ପାଇଁ ମଡେଲିଂ ପ୍ରଣାଳୀର ବିକାଶ

ନୂତନ ଘଟଣା ଏବଂ ସମ୍ବଳ ଆବିଷ୍କାର ଦିଗରେ ପୃଥିବୀର ମେରୁ ଏବଂ ଉଚ୍ଚ ସମୁଦ୍ର ଅଞ୍ଚଳର ଅନୁସନ୍ଧାନ;

ସାମାଜିକ ପ୍ରୟୋଗ ପାଇଁ ମହାସାଗରୀୟ ସମ୍ପଦର ଅନୁସନ୍ଧାନ ଏବଂ ସ୍ଥାୟୀ ଉପଯୋଗ ପାଇଁ ପ୍ରଯୁକ୍ତିବିଦ୍ୟାର ବିକାଶ

ସାମାଜିକ, ପରିବେଶ ଏବଂ ଅର୍ଥନୈତିକ ଲାଭ ପାଇଁ ପୃଥିବୀ ପ୍ରଣାଳୀ ବିଜ୍ଞାନରୁ ପ୍ରାପ୍ତ ଜ୍ଞାନ ଏବଂ ତଥ୍ୟକୁ ସେବାରେ ଅନୁବାଦ

ପାଣିପାଗ, ଜଳବାୟୁ, ସମୁଦ୍ର ଏବଂ ଉପକୂଳବର୍ତ୍ତୀ ଅବସ୍ଥା, ଜଳବିଜ୍ଞାନ, ଭୂକମ୍ପ ବିଜ୍ଞାନ ଏବଂ ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ ସେବା ପ୍ରଦାନ କରିବା ଜରିଆରେ ସମାଜ ପାଇଁ ବିଜ୍ଞାନକୁ ସେବାରେ ପରିଣତ କରିବା; ଦେଶ ପାଇଁ ଏକ ସ୍ଥାୟୀ ଉପାୟରେ ସାମୁଦ୍ରିକ ଜୀବନ ଏବଂ ନିର୍ଜୀବ ସମ୍ବଳର ଅନୁସନ୍ଧାନ ଏବଂ ଉପଯୋଗ କରିବା ଏବଂ ପୃଥିବୀର ତିନୋଟି ମେରୁ (ଆର୍କଟିକ୍, ଆଣ୍ଟାର୍କଟିକା ଏବଂ ହିମାଳୟ)ର ଅନୁସନ୍ଧାନ କରିବା ଲାଗି ଭୂବିଜ୍ଞାନ ମନ୍ତ୍ରଣାଳୟ ସଂକଳ୍ପବଦ୍ଧ । ଏହି ସେବାଗୁଡ଼ିକ ମଧ୍ୟରେ ପାଣିପାଗ ପୂର୍ବାନୁମାନ (ଉଭୟ ସ୍ଥଳ ଓ ମହାସାଗରରେ) ଏବଂ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯଥା କ୍ରାନ୍ତୀୟ ବାତ୍ୟା, ଝଡ଼ତୋଫାନ, ବନ୍ୟା, ଗ୍ରୀଷ୍ମ ପ୍ରବାହ, ବିଜୁଳି ଓ ବଜ୍ରପାତ ପାଇଁ ସତର୍କ ସୂଚନା; ସୁନାମି ପାଇଁ ସତର୍କ ସୂଚନା ଏବଂ ଭୂମିକମ୍ପର ତଦାରଖ ଇତ୍ୟାଦି ଅନ୍ତର୍ଭୁକ୍ତ । ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଉଥିବା ସେବାକୁ ବିଭିନ୍ନ ଏଜେନ୍ସି ଏବଂ ରାଜ୍ୟ ସରକାରମାନେ ମାନବ ଜୀବନ ବଞ୍ଚାଇବା ଏବଂ ପ୍ରାକୃତିକ ବିପର୍ଯ୍ୟୟ ଜନିତ ସମ୍ପତ୍ତିର କ୍ଷୟକ୍ଷତି କୁ ହ୍ରାସ କରିବା ପାଇଁ ପ୍ରଭାବଶାଳୀ ଭାବରେ ବ୍ୟବହାର କରୁଛନ୍ତି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି), ଜାତୀୟ ମଧ୍ୟମ ଦୂରତା ପାଣିପାଗ ପୂର୍ବାନୁମାନ କେନ୍ଦ୍ର (ଏନସିଏମଆରଡବ୍ଲୁଏଫ), ସାମୁଦ୍ରିକ ଜୀବନ ସମ୍ବଳ ଏବଂ ପରିବେଶ କେନ୍ଦ୍ର (ସିଏମଏଲଆରଇ), ଜାତୀୟ ଉପକୂଳ ଗବେଷଣା କେନ୍ଦ୍ର (ଏନସିସିଆର), ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ), ଜାତୀୟ ମହାସାଗର ପ୍ରଯୁକ୍ତି ପ୍ରତିଷ୍ଠାନ (ଏନଆଇଓଟି), ହାଇଦ୍ରାବାଦସ୍ଥିତ ଇଣ୍ଡିଆନ୍ ନ୍ୟାସନାଲ ସେଣ୍ଟର ଫର୍ ଓସେନ୍ ଇନଫର୍ମେସନ୍ ସର୍ଭିସ୍ (ଆଇଏନସିଓଆଇଏସ୍), ନ୍ୟାସନାଲ ସେଣ୍ଟର ଫର୍ ପୋଲାର ଆଣ୍ଡ ଓସେନ୍ ରିସର୍ଚ୍ଚ (ଏନସିପିଓଆର), ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟ୍ରୋଲୋଜି (ଆଇଆଇଟିଏମ୍), ପୁଣେ ଏବଂ ନ୍ୟାସନାଲ ସେଣ୍ଟର ଫର୍ ଆର୍ଥ ସାଇନ୍ସ ଷ୍ଟଡିଜ୍ (ଏନ୍ ଏସ୍ ଇଏସ୍ଇ) ଭଳି ୧୦ଟି ଅନୁଷ୍ଠାନ ଦ୍ୱାରା ଭୂବିଜ୍ଞାନ ମନ୍ତ୍ରଣାଳୟର ଗବେଷଣା ଓ ବିକାଶ ଏବଂ ପରିଚାଳନା (ସେବା) କାର୍ଯ୍ୟକଳାପ ପରିଚାଳିତ ହୁଏ । ମନ୍ତ୍ରଣାଳୟର ମହାସାଗରୀୟ ନୌବହର ଏବଂ ଉପକୂଳ ଗବେଷଣା   ଜାହାଜ ଏହି ଯୋଜନା ପାଇଁ ଆବଶ୍ୟକ ଗବେଷଣା ସହାୟତା ପ୍ରଦାନ କରିଥାଏ ।

ପୃଥିବୀ ପ୍ରଣାଳୀ ବିଜ୍ଞାନ ପୃଥିବୀ ପ୍ରଣାଳୀର ସମସ୍ତ ପାଞ୍ଚଟି ଉପାଦାନ ସହିତ କାର୍ଯ୍ୟ କରେ: ବାୟୁମଣ୍ଡଳ, ଜଳମଣ୍ଡଳ, ଭୂମଣ୍ଡଳ, କ୍ରାୟୋସ୍ଫିୟର ଏବଂ ଜୈବମଣ୍ଡଳ ଏବଂ ସେମାନଙ୍କର ଜଟିଳ ପରସ୍ପର ପ୍ରତିକ୍ରିୟା । ଭୂ ବିଜ୍ଞାନ ମନ୍ତ୍ରଣାଳୟ (ଏମଓଇଏସ) ପୃଥିବୀ ପ୍ରଣାଳୀ ବିଜ୍ଞାନ ସହ ଜଡିତ ସମସ୍ତ ଦିଗକୁ ସାମଗ୍ରିକ ଭାବରେ ସମ୍ବୋଧିତ କରେ। ପୃଥିବୀ ପ୍ରଣାଳୀ ବିଜ୍ଞାନର ଅଣ୍ଡରଷ୍ଟେଟିଂରେ ଉନ୍ନତି ଆଣିବା ଏବଂ ଦେଶ ପାଇଁ ବିଶ୍ୱସନୀୟ ସେବା ପ୍ରଦାନ କରିବା ଲାଗି ବ୍ୟାପକ ପୃଥ୍ୱୀ ଯୋଜନା ପୃଥିବୀ ପ୍ରଣାଳୀ ସହ ଜଡ଼ିତ ସମସ୍ତ ଦିଗକୁ ସାମଗ୍ରିକ ଭାବେ ସମାଧାନ ଯୋଗାଇ ଦେବ। ପୃଥ୍ୱୀ ଯୋଜନାର ବିଭିନ୍ନ ଉପାଦାନ ପରସ୍ପର ଉପରେ ନିର୍ଭରଶୀଳ ଏବଂ ମନ୍ତ୍ରଣାଳୟ ଅଧୀନରେ ସମ୍ପୃକ୍ତ ଅନୁଷ୍ଠାନର ମିଳିତ ପ୍ରୟାସ ମାଧ୍ୟମରେ ସମନ୍ୱିତ ଭାବରେ ପରିଚାଳିତ ହେବ । ପୃଥ୍ୱୀ ବିଜ୍ଞାନର ଏହି ବ୍ୟାପକ ଯୋଜନା ଦ୍ୱାରା ମନ୍ତ୍ରଣାଳୟର ବିଭିନ୍ନ ଅନୁଷ୍ଠାନରେ ସମନ୍ୱିତ ବହୁ-ବିଷୟକ ଭୂବିଜ୍ଞାନ ଗବେଷଣା ଏବଂ ଅଭିନବ କାର୍ଯ୍ୟକ୍ରମର ବିକାଶ ସମ୍ଭବ ହେବ । ଏହି ସମନ୍ୱିତ ଗବେଷଣା ଓ ବିକାଶ ପ୍ରୟାସ ପାଣିପାଗ ଏବଂ ଜଳବାୟୁ, ସମୁଦ୍ର, କ୍ରାୟୋସ୍ଫିୟର, ଭୂକମ୍ପ ବିଜ୍ଞାନ ଏବଂ ସେବାଗୁଡିକର ବୃହତ ଆହ୍ୱାନର ମୁକାବିଲା କରିବାରେ ସହାୟକ ହେବ ଏବଂ ସେମାନଙ୍କର ସ୍ଥାୟୀ ଉପଯୋଗ ପାଇଁ ଜୀବନ୍ତ ଏବଂ ନିର୍ଜୀବ ସମ୍ବଳର ଅନୁସନ୍ଧାନ କରିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

୨୦୨୪-୨୫ ବିପଣନ ଋତୁ ପାଇଁ ରବି ଫସଲର (ଏମଏସପି) ବୃଦ୍ଧିକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ୨୦୨୪-୨୫ ବିପଣନ ଋତୁ ପାଇଁ ସମସ୍ତ ବାଧ୍ୟତାମୂଳକ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧିକୁ ଅନୁମୋଦନ କରାଯାଇଛି।

କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ସରକାର ବିପଣନ ଋତୁ ୨୦୨୪-୨୫ ଲାଗି ରବି ଫସଲର ଏମଏସପି ବୃଦ୍ଧି କରିଛନ୍ତି। ଡାଲି (ମସୁର) ପାଇଁ କୁଇଣ୍ଟାଲ ପିଛା ୪୨୫ ଟଙ୍କା ଏବଂ ରେପସିଡ ଓ ସୋରିଷ ପାଇଁ କ୍ୱିଣ୍ଟାଲ ପିଛା ୨୦୦ ଟଙ୍କା ଏମଏସପି ବୃଦ୍ଧିକୁ ଅନୁମୋଦନ କରାଯାଇଛି। ଗହମ ଓ କୁସୁମ ପାଇଁ କ୍ୱିଣ୍ଟାଲ ପିଛା ୧୫୦ ଟଙ୍କା ଲେଖାଏଁ ବୃଦ୍ଧିକୁ ଅନୁମୋଦନ ମିଳିଛି। ବାର୍ଲି ଓ ଚଣାର ଏମଏସପି କ୍ୱିଣ୍ଟାଲ ପିଛା ଯଥାକ୍ରମେ ୧୧୫ ଟଙ୍କା ଓ ୧୦୫ ଟଙ୍କା ବୃଦ୍ଧି କରାଯାଇଛି।
୨୦୨୪-୨୫ ବିପଣନ ଋତୁ ପାଇଁ ସମସ୍ତ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ

(କ୍ୱିଣ୍ଟାଲ ପିଛା ଟଙ୍କାରେ)

କ୍ରସଂ ଫସଲ ରବି ଋତୁ

୨୦୧୪-୧୫ ରେ ଏମଏସପି ରବି ଋତୁ
୨୦୨୩-୨୪ ରେ ଏମଏସପି ରବି ଋତୁ
୨୦୨୪-୨୫ ରେ ଏମଏସପି ରବି ଋତୁ ୨୦୨୪-୨୫ ରେ ଉତ୍ପାଦନ ମୂଲ୍ୟ

ଏମଏସପିରେ ବୃଦ୍ଧି (ସମ୍ପୂର୍ଣ୍ଣ) ଖର୍ଚ୍ଚ ଉପରେ ସୀମା (ପ୍ରତିଶତରେ)

୧- ଗହମ ୧୪୦୦ ୨୧୨୫ ୨୨୭୫ ୧୧୨୮ ୧୫୦ ୧୦୨
୨- ଯଅ ୧୧୦୦ ୧୭୩୫ ୧୮୫୦ ୧୧୫୮ ୧୧୫ ୬୦
୩- ଚଣା ୩୧୦୦ ୫୩୩୫ ୫୪୪୦ ୩୪୦୦ ୧୦୫ ୬୦
୪- ଡାଲି (ମସୁର) ୨୯୫୦ ୬୦୦୦ ୬୪୨୫ ୩୪୦୫ ୪୨୫ ୮୯
୫- ସୋରିଷ ଓ ରେପ୍ସିଡ୍ ୩୦୫୦ ୫୪୫୦ ୫୬୫୦ ୨୮୫୫ ୨୦୦ ୯୮
୬- କୁସୁମ ୩୦୦୦ ୫୬୫୦ ୫୮୦୦ ୩୮୦୭ ୧୫୦ ୫୨

*ଉତ୍ପାଦନ ଖର୍ଚ୍ଚରେ ଫସଲ ଅମଳ ପାଇଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କରାଯାଉଥିବା ସବୁ ବ୍ୟୟ ସାମିଲ ରହିଛି। ଏଥିରେ ଶ୍ରମିକ, ବଳଦ ଶ୍ରମ/ମେସିନ ଶ୍ରମ, ଜମି ଭାଗ ପାଇଁ ଖର୍ଚ୍ଚ, ବିହନ, ସାର, ଖତ, ଜଳସେଚନ ଶୁଳ୍କ, ଉପକରଣ ଏବଂ କୃଷି ଭବନ ଉପଯୋଗ ବାବଦ ଖର୍ଚ୍ଚ, ଚଳନ୍ତି ପୁଞ୍ଜି ଉପରେ ସୁଧ, ପମ୍ପ ସେଟ୍‌ ପରିଚାଳନା ପାଇଁ ଡିଜେଲ/ବିଦ୍ୟୁତ ଖର୍ଚ୍ଚ ଆଦି ସମେତ ଅନ୍ୟାନ୍ୟ ଖର୍ଚ୍ଚ ଏବଂ ପାରିବାରିକ ଶ୍ରମର ଲାଗୁ ମୂଲ୍ୟ ସାମିଲ ରହିଛି।

ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରୀ ଉତ୍ପାଦନ ଖର୍ଚ୍ଚର ପାଖାପାଖି ଦେଢ଼ଗୁଣା ସ୍ତରରେ ଏମଏସପି ନିର୍ଦ୍ଧାରଣ କରିବା ଲାଗି କେନ୍ଦ୍ରୀୟ ବଜେଟ୍‌ ୨୦୧୮-୧୯ରେ ଘୋଷଣା କରାଯାଇଥିଲା। ଏହି ଘୋଷଣା ଅନୁରୂପ ୨୦୨୪-୨୫ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବୃଦ୍ଧି କରାଯାଉଛି। ଏମଏସପି ବୃଦ୍ଧି ଫଳରେ ଗହମ ଉପରେ ୧୦୨ ପ୍ରତିଶତ, ସୋରିଷ ଓ ରେପସିଡ୍ ଉପରେ ୯୮ ପ୍ରତିଶତ, ମସୁର ଉପରେ ୮୯ ପ୍ରତିଶତ, ଚଣା ଉପରେ ୬୦ ପ୍ରତିଶତ; ଯଅ ଉପରେ ୬୦ ପ୍ରତିଶତ ଏବଂ କୁସୁମ ଉପରେ ୫୨ ପ୍ରତିଶତ କୃଷି ଉତ୍ପାଦନ ଖର୍ଚ୍ଚର ରିଟର୍ଣ୍ଣ ବା ଲାଭ ମୂଲ୍ୟ ମିଳିପାରିବ। ଚାଷୀମାନଙ୍କୁ ଉଚିତ୍‌ ଲାଭଜନକ ମୂଲ୍ୟ ପ୍ରଦାନ କରିବା ଏବଂ ଫସଲ ବିବିଧକରଣକୁ ପ୍ରୋତ୍ସାହନ ଦେବା ଏମଏସପି ବୃଦ୍ଧିର ଉଦ୍ଦେଶ୍ୟ।

ଖାଦ୍ୟ ନିରାପତ୍ତା ଓ କୃଷକଙ୍କ ଆୟ ବୃଦ୍ଧି ଏବଂ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ସରକାର ତୈଳବୀଜ, ଡାଲି ଏବଂ ମାଣ୍ଡିଆ ବାଜରା ଭଳି ମିଲେଟ୍ସ ବା ଶ୍ରୀ ଅନ୍ନ ଶସ୍ୟର ଅମଳ ବୃଦ୍ଧି ପାଇଁ ଫସଲ ବିବିଧକରଣକୁ ପ୍ରୋତ୍ସାହିତ କରୁଛନ୍ତି। ତୈଳବୀଜ ଓ ଡାଲି ଚାଷ ପାଇଁ କୃଷକମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ମିଶନ (ଏନ୍ଏଫ୍ଏସ୍ଏମ୍), ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (ପିଏମକେଏସୱାଇ) ଏବଂ ଜାତୀୟ ତୈଳବୀଜ ଓ ତାଳ ତେଲ ମିଶନ (ଏନ୍ଏମ୍ଓଓପି) ଭଳି ବିଭିନ୍ନ ପଦକ୍ଷେପ ନେଇଛନ୍ତି।

ଏହାବ୍ୟତୀତ କିଷାନ କ୍ରେଡିଟ୍ କାର୍ଡ (କେସିସି) ଯୋଜନାର ଲାଭ ଦେଶର ପ୍ରତ୍ୟେକ କୃଷକଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାର କୃଷି ଋଣ ପୋର୍ଟାଲ (କେଆରପି), କେସିସି ଘର ଘର ଅଭିଯାନ ଏବଂ ପାଣିପାଗ ସୂଚନା ନେଟୱାର୍କ ଡାଟା ପ୍ରଣାଳୀ (ୱିଣ୍ଡସ) ଆରମ୍ଭ କରିଛନ୍ତି। ୱିଣ୍ଡସର ଲକ୍ଷ ହେଉଛି କୃଷକମାନଙ୍କୁ ସେମାନଙ୍କ ଫସଲ ସମ୍ବନ୍ଧରେ ନିଷ୍ପତ୍ତି ନେବାକୁ ସଶକ୍ତ କରିବା ପାଇଁ ଠିକ୍ ସମୟରେ ଏବଂ ସଠିକ୍ ପାଣିପାଗ ସୂଚନା ପ୍ରଦାନ କରିବା। କୃଷିକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା, ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ବିସ୍ତାର କରିବା, ଡାଟା ବ୍ୟବହାରକୁ ସର୍ବାଧିକ ସ୍ତରକୁ ନେବା ଏବଂ ସମଗ୍ର ଦେଶରେ କୃଷକମାନଙ୍କ ଜୀବନରେ ଉନ୍ନତି ଆଣିବା ଏହାର ଲକ୍ଷ୍ୟ।

Categories
ଆଜିର ଖବର ଜାତୀୟ ଖବର

ଭାରତୀୟ ରେଳବାଇର ୭ଟି ରେଳ ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ଆଜି ରେଳ ମନ୍ତ୍ରଣାଳୟର ପ୍ରାୟ ୩୨,୫୦୦ କୋଟି ଟଙ୍କା ବ୍ୟୟ ଅଟକଳର ୭ଟି ପ୍ରକଳ୍ପକୁ ଅନୁମୋଦନ କରିଛି। ଏଥିପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଅନୁଦାନ ଯୋଗାଇ ଦେବେ। ମଲ୍ଟି ଟ୍ରାକିଂ ବା ରେଳଧାରଣାର ସଂଖ୍ୟା ବୃଦ୍ଧି ସଂକ୍ରାନ୍ତ ପ୍ରସ୍ତାବଗୁଡିକ ଭାରତୀୟ ରେଳବାଇର ବ୍ୟସ୍ତବହୁଳ ସେକ୍ସନଗୁଡିକରେ ଅତି ଆବଶ୍ୟକ ଭିତ୍ତିଭୂମି ବିକାଶ ପ୍ରଦାନ କରି ପରିଚାଳନାକୁ ସହଜ କରିବ ଏବଂ ଭିଡ଼ ହ୍ରାସ କରିବ।

ଉତ୍ତରପ୍ରଦେଶ, ବିହାର, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ୩୫ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱର୍କକୁ ୨୩୩୯ କିଲୋମିଟର ବୃଦ୍ଧି କରିବ । ରାଜ୍ୟବାସୀଙ୍କୁ ୭.୦୬ କୋଟି ମାନବ ଦିବସର ନିଯୁକ୍ତି ପ୍ରଦାନ କରିବ।

ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି:

କ୍ରଂସଂ ପ୍ରକଳ୍ପର ନାମ ପ୍ରକଳ୍ପର ପ୍ରକୃତି

1- ଗୋରଖପୁର-କ୍ୟାଣ୍ଟ-ବାଲ୍ମିକୀ ନଗର ବର୍ତ୍ତମାନର ଲାଇନର ଦୋହରୀକରଣ

2- ସୋନ ନଗର-ଅଣ୍ଡାଲ ମଲ୍ଟି ଟ୍ରାକିଂ ପ୍ରକଳ୍ପ ରେଳଧାରଣାର ସଂଖ୍ୟା ବୃଦ୍ଧି

3- ନିର୍ଗୁଣ୍ଡି-ବାରଙ୍ଗ ଓ ଖୋର୍ଦ୍ଧା ରୋଡ୍-ବିଜୟନଗରମ୍ ୩ ଲାଇନ ବିଶିଷ୍ଟ କରିବା

4- ମୁଦଖେଡ଼-ମେଦଚାଲ ଏବଂ ମହବୁବନଗର-ଧୋନେ ବର୍ତ୍ତମାନର ଲାଇନର ଦୋହରୀକରଣ

5- ଗୁଣ୍ଟୁର-ବିବିନଗର ବର୍ତ୍ତମାନର ଲାଇନର ଦୋହରୀକରଣ

6- ଚୋପାନ-ଚୁନୁର ବର୍ତ୍ତମାନର ଲାଇନର ଦୋହରୀକରଣ

7- ସମାଖିଆଲି-ଗାନ୍ଧୀଧାମ ଚାରି ଲାଇନ୍‌ ନିର୍ମାଣ

ଖାଦ୍ୟଶସ୍ୟ, ସାର, କୋଇଲା, ସିମେଣ୍ଟ, ଫ୍ଲାଇ-ଆଶ, ଲୁହା ଓ ପ୍ରସ୍ତୁତ ଇସ୍ପାତ, କ୍ଲିଙ୍କର, ଅଶୋଧିତ ତୈଳ, ଚୁନା ପଥର, ଖାଇବା ତେଲ ଇତ୍ୟାଦି ବିଭିନ୍ନ ସାମଗ୍ରୀ ପରିବହନ ପାଇଁ ଏଗୁଡ଼ିକ ଅତ୍ୟାବଶ୍ୟକ ମାର୍ଗ। କ୍ଷମତା ବୃଦ୍ଧି କାର୍ଯ୍ୟ ଫଳରେ ୨୦୦ ଏମଟିପିଏ (ବାର୍ଷିକ ନିୟୁତ ଟନ୍) ପରିମାଣର ଅତିରିକ୍ତ ମାଲ ପରିବହନ ହେବ। ରେଳବାଇ ପରିବେଶ ଅନୁକୂଳ ଏବଂ ଶକ୍ତି ଦକ୍ଷ ପରିବହନ ମାଧ୍ୟମ ହୋଇଥିବାରୁ ଏହା ଉଭୟ ଜଳବାୟୁ ଲକ୍ଷ୍ୟ ହାସଲ ଏବଂ ଦେଶର ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବାରେ ସହାୟକ ହେବ।

ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କ ନୂଆ ଭାରତର ସଂକଳ୍ପ ଅନୁଯାୟୀ ଯାହା ଏହି ଅଞ୍ଚଳରେ ବହୁମୁଖୀ କାର୍ଯ୍ୟ କରୁଥିବା ଶ୍ରମଶକ୍ତି ସୃଷ୍ଟି କରି ଏହି ଅଞ୍ଚଳର ଲୋକଙ୍କୁ “ଆତ୍ମନିର୍ଭରଶୀଳ” କରିବ ଏବଂ ସେମାନଙ୍କ ନିଯୁକ୍ତି/ ସ୍ୱରୋଜଗାର ସୁଯୋଗ ବୃଦ୍ଧି କରିବ।

ଏହି ପ୍ରକଳ୍ପଗୁଡ଼ିକ ପିଏମ-ଗତିଶକ୍ତି ବହୁମୁଖୀ ସଂଯୋଗ ପାଇଁ ଜାତୀୟ ମାଷ୍ଟର ପ୍ଲାନର ଫଳାଫଳ ଯାହା ସମନ୍ୱିତ ଯୋଜନା ମାଧ୍ୟମରେ ସମ୍ଭବ ହୋଇଛି ଏବଂ ଲୋକ, ଦ୍ରବ୍ୟ ଏବଂ ସେବାଗୁଡିକର ପରିବହନ ପାଇଁ ନିରବଚ୍ଛିନ୍ନ ଯୋଗାଯୋଗ ସୁବିଧା ପ୍ରଦାନ କରିବ।

Categories
ଆଜିର ଖବର ଜାତୀୟ ଖବର

ଆଇଆରଇଡିଏ କୁ ଷ୍ଟକ୍ ଏକ୍ସଚେଞ୍ଜରେ ସାମିଲ କରିବା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ: ଏକ ଇନିସିଆଲ୍ ପବ୍ଲିକ୍ ଅଫର ମାଧ୍ୟମରେ ଇଣ୍ଡିଆନ୍ ରିନୱେବଲ୍ ଏନର୍ଜି ଡେଭଲପମେଣ୍ଟ ଏଜେନ୍ସି (ଆଇଆରଇଡିଏ)କୁ ଷ୍ଟକ୍ ଏକ୍ସଚେଞ୍ଜରେ ସାମିଲ କରିବା ଲାଗି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ଦ୍ୱାରା ମଞ୍ଜୁରି ପ୍ରଦାନ କରାଯାଇଛି। ଆଇଆରଇଡିଏ ହେଉଛି ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ଏକ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ। ସରକାରୀ ଅଂଶଧନର ବିକ୍ରୟ ଏବଂ ଫ୍ରେସ ଇକ୍ୱିଟି ଅଂଶଧନ ମାଧ୍ୟମରେ ଆଇଆରଇଡିଏ ପାଇଁ ପାଣ୍ଠି ସଂଗ୍ରହ କରାଯିବ।  ଡିପାର୍ଟମେଣ୍ଟ ଅଫ୍‌ ଇନଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ (ଡିଆଇପିଏଏମ୍) ଲିଷ୍ଟିଂ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବ।

ଆଇପିଓ ମାଧ୍ୟମରେ ବୁକ୍ ବିଲ୍ଡିଂ ଆଧାରରେ ଆଇଆରଇଡିଏ କୁ 13.90 କୋଟି ଫ୍ରେସ ଇକ୍ୱିଟି ସେୟାର ପ୍ରଦାନ କରିବାକୁ ଆଇଆରଇଡିଏ କୁ ଅନୁମତି ଦେବା ପାଇଁ ଏହି ନିଷ୍ପତ୍ତି ଜୁନ୍, 2017 ରେ ନିଆଯାଇଥିବା ସିସିଇଏ ନିଷ୍ପତ୍ତିକୁ ପରିବର୍ତ୍ତନ କରିଛି।  ମାର୍ଚ୍ଚ, 2022 ରେ ସରକାରଙ୍କ ଦ୍ୱାରା 1500 କୋଟି ଟଙ୍କାର ନିବେଶ ପରେ ପୁଞ୍ଜି ନିବେଶର ଢାଞ୍ଚାରେ ପରିବର୍ତ୍ତନ ଯୋଗୁଁ ତତକ୍ଷଣାତ୍ ନିଷ୍ପତ୍ତି ଆବଶ୍ୟକ ହୋଇଛି।

ଇନିସିଆଲ୍‌ ପବ୍ଲିକ୍ ଅଫର୍ (ଆଇପିଓ) ଗୋଟିଏ ପଟେ ସରକାରଙ୍କ ନିବେଶର ମୂଲ୍ୟକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ ଏବଂ ଅନ୍ୟ ପଟେ ଜନସାଧାରଣଙ୍କୁ ଜାତୀୟ ସମ୍ପତ୍ତିରେ ଅଂଶଧନ ହାସଲ କରିବା ଏବଂ ସେଥିରୁ ଲାଭ ପାଇବା ପାଇଁ ଏକ ସୁଯୋଗ ପ୍ରଦାନ କରିବ। ଏହାବ୍ୟତୀତ, ଏହା ଆଇଆରଇଡିଏକୁ ରାଜକୋଷ ଉପରେ ନିର୍ଭର ନକରି ଅଭିବୃଦ୍ଧି ଯୋଜନା ପୂରଣ ପାଇଁ ଏହାର ପୁଞ୍ଜି ଆବଶ୍ୟକତାର ଏକ ଅଂଶ ବଢ଼ାଇବାରେ ସାହାଯ୍ୟ କରିବ ଏବଂ ଲିଷ୍ଟିଂର ଆବଶ୍ୟକତା ଏବଂ ପ୍ରକାଶନ ଦ୍ୱାରା ଅଧିକ ବଜାର ଅନୁଶାସନ ଏବଂ ସ୍ୱଚ୍ଛତା ମାଧ୍ୟମରେ ବ୍ୟବସ୍ଥାକୁ ଉନ୍ନତ କରିବ।

ଆଇଆରଇଡିଏ ସମ୍ପ୍ରତି ଭାରତ ସରକାରଙ୍କର ଏକ ସମ୍ପୂର୍ଣ୍ଣ ମାଲିକାନା ବିଶିଷ୍ଟ ଏକ ସଂସ୍ଥା ଏବଂ ମିନି-ରତ୍ନା (ବର୍ଗ-1) ସିପିଏସଇ ଯାହା 1987ରେ ଅନ୍ତର୍ଭୁକ୍ତ ଏବଂ ଭାରତରେ ଅକ୍ଷୟ ଶକ୍ତି (ଆରଇ) ଏବଂ ଶକ୍ତି ଦକ୍ଷତା (ଇଇ) ପ୍ରକଳ୍ପର ଆର୍ଥିକ ପୁଞ୍ଜିଲଗାଣ କାର୍ଯ୍ୟରେ ନିୟୋଜିତ। ଏହା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ସହିତ ଏକ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (ଏନବିଏଫସି) ଭାବରେ ପଞ୍ଜିକୃତ ହୋଇଛି। ଜଳବାୟୁ ପରିବର୍ତ୍ତନ ଉପରେ ପ୍ୟାରିସରେ ନ୍ୟାସନାଲି ଡିଟରମାଇନ୍‌ଡ କଣ୍ଟ୍ରିବ୍ୟୁସନ (ଏନଡିସି) ର ଏକ ଅଂଶ ଭାବରେ ସରକାର ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ 2022 ସୁଦ୍ଧା 175 ଗିଗାୱାଟ ସ୍ଥାପିତ ଅକ୍ଷୟ ଶକ୍ତି କ୍ଷମତା ଏବଂ 2030 ସୁଦ୍ଧା 500 ଅକ୍ଷୟ ଶକ୍ତି ହାସଲ କରିବାର ଲକ୍ଷ୍ୟ ସ୍ଥିର କରିଛନ୍ତି। ଅକ୍ଷୟ ଶକ୍ତି  ଲକ୍ଷ୍ୟ ହାସଲ କରିବାରେ ଆଇଆରଇଡିଏର ଏକ ପ୍ରମୁଖ ଭୂମିକା ରହିଛି।

ଭାରତ ସରକାରଙ୍କ ଅକ୍ଷୟ ଶକ୍ତି ଲକ୍ଷ୍ୟ ଅନୁଯାୟୀ ଆଇଆରଇଡିଏ ଦ୍ୱାରା ଅକ୍ଷୟ ଶକ୍ତି / ଶକ୍ତି ଦକ୍ଷତା ପ୍ରକଳ୍ପର କାର୍ଯ୍ୟକାରିତା ଏବଂ ଅପରେସନ ଉଭୟ କୁଶଳୀ ଏବଂ ଅଣକୁଶଳୀ ମାନବ ସମ୍ବଳ ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସାହାଯ୍ୟ କରିବ।

Categories
ଆଜିର ଖବର ଜାତୀୟ ଖବର

“ଭାଇବ୍ରାଣ୍ଟ ଭିଲେଜେସ୍ କାର୍ଯ୍ୟକ୍ରମ”କୁ କ୍ୟାବିନେଟ୍ ମଞ୍ଜୁରି: ଆର୍ଥିକ ବ୍ୟୟବରାଦ ୪୮୦୦ କୋଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ପ୍ରାୟୋଜିତ ଯୋଜନା – “ଭାଇବ୍ରାଣ୍ଟ ଭିଲେଜେସ୍ କାର୍ଯ୍ୟକ୍ରମକୁ” (ଭିଭିପି)କୁ ମଞ୍ଜୁରି ମିଳିଛି। ଏହି ଯୋଜନା ପାଇଁ ୪୮୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି ଏବଂ ଏହାକୁ ୨୦୨୨-୨୩ ଆର୍ଥିକ ବର୍ଷ ଠାରୁ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରାଯିବ।

ଦେଶର ଉତ୍ତର ପୂର୍ବାଞ୍ଚଳ ସୀମାରେ ଥିବା ବିଭିନ୍ନ ବ୍ଲକର ଗ୍ରାମଗୁଡ଼ିକୁ ଏହି ଯୋଜନା ମାଧ୍ୟମରେ ବିକଶିତ କରାଯିବା ସହିତ ଏସବୁ ଗ୍ରାମରେ ରହୁଥିବା ଲୋକମାନଙ୍କ ଜୀବନଧାରଣ ମାନରେ ସୁଧାର ଆଣିବା ଲାଗି ପଦକ୍ଷେପ ନିଆଯିବ। ଏଥିପାଇଁ ନିର୍ଦ୍ଦିଷ୍ଟ ସୀମାବର୍ତ୍ତୀ ଗ୍ରାମ ଚୟନ କରାଯିବ। ଏହାଫଳରେ ସୀମାବର୍ତ୍ତୀ କ୍ଷେତ୍ରରେ ଥିବା ଲୋକମାନଙ୍କୁ ସେମାନଙ୍କର ମୂଳ ଗ୍ରାମରେ ରହିବା ଲାଗି ପ୍ରୋତ୍ସାହିତ କରାଯାଇପାରିବ। ଏସବୁ ଗାଁର ଲୋକମାନେ ପ୍ରବାସ ନକରି ନିଜ ବାସସ୍ଥାନରେ ରହିବେ ଏବଂ ଦେଶର ସୀମାବର୍ତ୍ତୀ କ୍ଷେତ୍ରରେ ସୁରକ୍ଷା ସ୍ଥିତି ଅଧିକ ସୁଦୃଢ଼ ହେବ।

ଏହି ଯୋଜନା ମାଧ୍ୟମରେ ଦେଶର ଉତ୍ତର ଭୂଭାଗ ସୀମାରେ ରହିଥିବା ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶର ୧୯ଟି ଜିଲ୍ଲା ଓ ୪୬ଟି ସୀମାବର୍ତ୍ତୀ ବ୍ଲକର ବିଭିନ୍ନ ଗ୍ରାମରେ ଜରୁରି ମୌଳିକ ଭିତ୍ତିଭୂମି ବିକାଶ ଓ ଜୀବିକା ସୁଯୋଗ ସୃଷ୍ଟି କରିବା ନିମନ୍ତେ ପାଣ୍ଠି ଯୋଗାଇ ଦିଆଯିବ। ଏହାଫଳରେ ସୀମାବର୍ତ୍ତୀ କ୍ଷେତ୍ରରେ ସମାବେଶୀ ବିକାଶ ଏବଂ ଜନସଂଖ୍ୟା ବୃଦ୍ଧି ଲକ୍ଷ୍ୟ ହାସଲ କରାଯାଇ ପାରିବ। ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନା ଅଧୀନରେ ୬୬୩ଟି ଗ୍ରାମର ବିକାଶ ଲାଗି ନିଷ୍ପତ୍ତି ନିଆଯାଇଛି।

ଉତ୍ତର ସୀମାରେ ଥିବା ସୀମାବର୍ତ୍ତୀ ଗ୍ରାମରେ ସ୍ଥାନୀୟ ପ୍ରାକୃତିକ ଅଧିବାସୀ ଓ ଅନ୍ୟାନ୍ୟ ସମ୍ବଳ ଉପରେ ଆଧାରିତ ଆର୍ଥିକ ପରିଚାଳକଗୁଡ଼ିକୁ ଏହି ଯୋଜନା ମାଧ୍ୟମରେ ଚିହ୍ନଟ ଓ ବିକଶିତ କରାଯିବ। ଏଥିସହିତ ସାମାଜିକ ଉଦ୍ୟମିତା, ଦକ୍ଷତା ବିକାଶ ଓ ଉଦ୍ୟମିତା ମାଧ୍ୟମରେ ଯୁବପିଢ଼ି ଓ ମହିଳାଙ୍କ ସଶକ୍ତିକରଣ, ସ୍ଥାନୀୟ ସଂସ୍କୃତି, ପାରମ୍ପରିକ ଜ୍ଞାନ ଓ ଐତିହ୍ୟର ପ୍ରୋତ୍ସାହନ ଜରିଆରେ ପର୍ଯ୍ୟଟନ ସମ୍ଭାବନାକୁ ଉଜାଗର କରିବା ଆଦି ପଦକ୍ଷେପ ଗ୍ରହଣ କରାଯାଇ “ହବ୍ ଏଣ୍ଡ ସ୍ପୋକ୍ ମଡେଲ” ମାଧ୍ୟମରେ ଅଭିବୃଦ୍ଧି କେନ୍ଦ୍ରଗୁଡ଼ିକୁ ବିକଶିତ କରାଯିବ। ଏହାଛଡ଼ା ଗୋଷ୍ଠୀ ଆଧାରିତ ସଂଗଠନ, ସମବାୟ ସମିତି, ଏସଏଚଜି, ଏନଜିଓ ଆଦି ଜରିଆରେ “ଏକ ଗ୍ରାମ-ଏକ ଉତ୍ପାଦ” ବିଚାର ଉପରେ ଆଧାରିତ ଦୀର୍ଘସ୍ଥାୟୀ ପରିବେଶ ଅନୁକୂଳ ବ୍ୟବସାୟର ବିକାଶ କରାଯିବ।

ଗ୍ରାମ ପଞ୍ଚାୟତ ସହାୟତାରେ ଜିଲ୍ଲା ପ୍ରଶାସନ ଦ୍ବାରା ଭାଇବ୍ରେଣ୍ଟ ଭିଲେଜ୍ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ। ଏସବୁ ଗ୍ରାମରେ କେନ୍ଦ୍ର ଓ ରାଜ୍ୟ ଯୋଜନାର ଶତପ୍ରତିଶତ ସାଚୁରେସନ ବା ସମ୍ପୂର୍ଣ୍ଣକରଣ ସୁନିଶ୍ଚିତ କରାଯିବ।

ଏସବୁ ଗାଁକୁ ସବୁଦିନିଆ ରାସ୍ତା, ପାନୀୟ ଜଳ, ୨୪ ଘଣ୍ଟିଆ ବିଦ୍ୟୁତ ସେବା- ସୌର ଓ ପବନ ଶକ୍ତି ଉପରେ ବିଶେଷ ଧ୍ୟାନ ଦିଆଯିବ, ମୋବାଇଲ ଓ ଇଣ୍ଟରନେଟ ଯୋଗାଯୋଗ ଭଳି ସୁବିଧା ଯୋଗାଇ ଦେଇ ବିକଶିତ କରାଯିବ। ପର୍ଯ୍ୟଟନ କେନ୍ଦ୍ର, ବହୁମୁଖୀ କେନ୍ଦ୍ର ଓ ସ୍ବାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ଆଦି ନିର୍ମାଣ କରାଯିବ।

ସୀମାବର୍ତ୍ତୀ କ୍ଷେତ୍ର ବିକାଶ କାର୍ଯ୍ୟକ୍ରମକୁ ଏହି ଯୋଜନା ସହିତ ମିଶାଯିବ ନାହିଁ ବରଂ ଏହାକୁ ପୃଥକ ଭାବେ କାର୍ଯ୍ୟକାରୀ କରାଯିବ।

୪୮୦୦ କୋଟି ଟଙ୍କା ଆର୍ଥିକ ଆବଣ୍ଟନ ମଧ୍ୟରୁ ୨୫୦୦ କୋଟି ଟଙ୍କା କେବଳ ସଡ଼କ ନିର୍ମାଣ ଦିଗରେ ଖର୍ଚ୍ଚ କରାଯିବ।